ଶତାନନ୍ଦ ଆଚାର୍ଯ୍ୟ
ଶତାନନ୍ଦ ଆଚାର୍ଯ୍ୟ ଜଣେ ଓଡ଼ିଆ ଗଣିତଜ୍ଞ ଓ ଜ୍ୟୋତିର୍ବିଦ । ସେ ଗଣିତ ବିଜ୍ଞାନକୁ ଦଶମିକ ସଂଖ୍ୟା ସହ ପରିଚିତ କରାଇଥିଲେ । ଜ୍ୟୋତିର୍ବିଜ୍ଞାନରେ ଦଶମିକ ଗଣନାରେ ବିନା ସହାୟତାରେ ମନୁଷ୍ୟ ଚନ୍ଦ୍ରରେ ପହଞ୍ଚିବା ସମ୍ଭବ ହୋଇନଥାନ୍ତା ବୋଲି ଜ୍ୟୋତିର୍ବିଜ୍ଞାନରେ ଜଣା । [୧] ସେ "ଭାସ୍ୱତୀ କରଣ", "ଶତାନନ୍ଦ ରତ୍ନମାଳା" ଓ "ଶତାନନ୍ଦ ସଂଗ୍ରହ" ନାମକ ତିନୋଟି ଜ୍ୟୋତିର୍ବିଜ୍ଞାନ ଗ୍ରନ୍ଥ ରଚନା କରିଥିଲେ । ୧୦୯୯ ଖ୍ରୀଷ୍ଟାବ୍ଦରେ ରଚିତ ଭାସ୍ୱତୀ କରଣ ଗ୍ରନ୍ଥରେ ଗ୍ରହନକ୍ଷତ୍ରମାନଙ୍କର ଗତି ଓ ଅବସ୍ଥିତି ସଠିକ ଗଣନା ନିମନ୍ତେ ଦଶମିକ ଗଣନାର ପ୍ରୟୋଗ କରିଥିଲେ । ସେ ସୂର୍ଯ୍ୟସିଦ୍ଧାନ୍ତରେ ଲେଖାଥିବା ବାସ୍ତବତା ଓ ବରାହମିହିରଙ୍କ ଯନ୍ତ୍ରଦ୍ୱାରା ପର୍ଯ୍ୟବେକ୍ଷଣକୁ ଗାଣିତିକ ସୂତ୍ରରେ ସମ୍ପୂର୍ଣ୍ଣ ସାମଞ୍ଜସ୍ୟ ଆଣି, ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗର ସଠିକ ମୁହୂର୍ତ୍ତ, ଭୋଗ ଓ ମୋକ୍ଷ ସମୟ ନିରୂପଣ କରିଥିଲେ । ଊନବିଂଶ ଶତାବ୍ଦୀରେ ପଠାଣି ସାମନ୍ତଙ୍କ ସିଦ୍ଧାନ୍ତ ଦର୍ପଣ ସହାୟତାରେ ପଞ୍ଚାଙ୍ଗ (ପାଞ୍ଜି) ନିରୂପଣ ହେବା ପର୍ଯ୍ୟନ୍ତ ଶତାନନ୍ଦଙ୍କ ନିରୂପିତ ପଞ୍ଚାଙ୍ଗ ଅନୁସାରେ ପୁରୀରେ ଜଗନ୍ନାଥ ମନ୍ଦିରର ନୀତି ଚଳି ଆସୁଥିଲା । ଏ ସମ୍ବନ୍ଧରେ ସିଦ୍ଧାନ୍ତ ଦର୍ପଣର ଲେଖା ଏହିପରି, "(୨୧ପ୍ର ଶ୍ଳୋକ ୫୧ରୁ ୫୫) ଶତାନନ୍ଦଙ୍କ ପୂର୍ବରୁ ଗ୍ରନ୍ଥକାରମାନେ ନିଜନିଜ ଦେଶରେ ଗ୍ରନ୍ଥ ସବୁ ପ୍ରକାଶ କରିଥିଲେ ମଧ୍ୟ ସେସବୁ ସୂର୍ଯ୍ୟସିଦ୍ଧାନ୍ତର ମୂଳନୀତି ଉପରେ ଆଧାରିତ ପରି ଜଣାଯାଏ । ଏତେ ଗଣିତ ଗ୍ରନ୍ଥର ପ୍ରଭାବ ଥିଲେ ମଧ୍ୟ ଉତ୍କଳର ଶତାନନ୍ଦାଚାର୍ଯ୍ୟଙ୍କ ପ୍ରାଚୀନ ଭାସ୍ୱତୀ ଗଣନା ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରଚଳିତ ହେଉଥିଲା । ଶତାନନ୍ଦ ଅନ୍ୟାନ୍ୟ ଗ୍ରନ୍ଥର ରାଶିଅଂଶ ଗଣନାକୁ ବର୍ଜନ କରି ତାଙ୍କ ନାମାନୁସାରେ ସେ ଶତକ ଗଣନା ପ୍ରୟୋଗ କରିଥିବାରୁ ଏହି ଗଣନାଟି ଅତିସ୍ଥୂଳ, ସହଜ ଓ ବୋଧଗମ୍ୟ ହୁଏ । ସେ ଭାସ୍ୱତୀରେ ଯେଉଁ ବୀଜାଂଶ ବ୍ୟବହାର କରିଛନ୍ତି ସେ ମଧ୍ୟ ସ୍ଥୂଳ ।"
ଜୀବନୀ
[ସମ୍ପାଦନା]ପାରିବାରିକ
[ସମ୍ପାଦନା]ପୁରୀ ନିବାସୀ ମାତା ସରସ୍ୱତୀ ଓ ପିତା ଶଙ୍କରଙ୍କର ପୁତ୍ର ଶତାନନ୍ଦ ୧୦୬୮ ଖ୍ରୀଷ୍ଟାବ୍ଦରେ ଜନ୍ମ ଗ୍ରହଣ କରିଥିଲେ ।
ଅଧ୍ୟୟନ ଓ ରଚନାବଳୀ
[ସମ୍ପାଦନା]ଉତ୍ତର ଓଡ଼ିଶାରେ ପୂର୍ବ ପ୍ରଚଳିତ ଭାସ୍ୱତୀ ଗ୍ରନ୍ଥ ସହଜ ଥିବାରୁ ସେଠାକାର ବିରଜା ପଞ୍ଜିକା ଗଣକମାନେ ଭାସ୍ୱତୀ ଅନୁସାରେ ଗୋଲଜ୍ଞାନ ବିବର୍ଜିତ ସ୍ଥୂଳ ବିରଜା ପଞ୍ଜିକା ଗଣନା କରନ୍ତି ।[୨] ଶତାନନ୍ଦଙ୍କର ୧୨୮ଟି ଶ୍ଳୋକ ସମ୍ବଳିତ ଏହି ଭାସ୍ୱତୀ ଗ୍ରନ୍ଥ ଏକଦା ଉତ୍ତର ଭାରତର ବାରାଣାସୀର ନିତ୍ୟ ଜୀବନ ଶୈଳୀକୁ ନିୟନ୍ତ୍ରଣ କରୁଥିଲା । ଏହି ପୋଥି ଅଧୁନା ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ପୋଥି ବିଭାଗରେ ରହିଛି । ଏହା ୧୮୩୨ ଖ୍ରୀଷ୍ଟାବ୍ଦରେ ବାରାଣାସୀଠାରେ ସଦାଶିବ ପାଣ୍ଡିୟାଙ୍କଦ୍ୱାରା ଏକ ହାତଲେଖା ଟୀକା ଭାବେ ଉତ୍ତର ଭାରତର ଜନସମାଜରେ ପ୍ରାପ୍ତ ହେଉଥିଲା । ବାରାଣାସୀର ଏକ ଲୋକକଥା "ଗ୍ରହଣେ ଭାସ୍ୱତୀ ଧନ୍ୟା' ପ୍ରଚଳିତ ଯାହାର ଅର୍ଥ (ଚନ୍ଦ୍ର) ଗ୍ରହଣ ନିର୍ଣ୍ଣୟରେ ଭାସ୍ୱତୀ ସର୍ବୋତ୍କୃଷ୍ଟ । ପରେ ଭାସ୍ୱତୀ ଛାପା ଅକ୍ଷରରେ ବାରାଣାସୀରୁ ପ୍ରଥମ ସଂସ୍କରଣ ପ୍ରକାଶ ପାଇଥିଲା । ଏହା ୧୯୨୩ ମସିହା ଅଖବାର ପ୍ରେସରୁ, ସେଠାରୁ ୧୯୪୨ ମସିହାରେ ଦ୍ୱିତୀୟ ସଂସ୍କରଣ ଓ ୧୯୪୯ ମସିହାରେ ତୃତୀୟ ସଂସ୍କରଣ ଯଥାକ୍ରମେ ବାରାଣାସୀସ୍ଥିତ ବିନାୟକ ପ୍ରେସ ଓ ଭାରତ ଜୀବନ ପ୍ରେସରୁ ପ୍ରକାଶିତ ହୋଇଥିଲା ।
ପରେ ସଦାଶିବ ପାଣ୍ଡିୟାଙ୍କ ହାତଲେଖା ଟୀକାକୁ ତାଙ୍କ ବଂଶ ସମ୍ଭୂତ କାଶୀପ୍ରସାଦ ପାଣ୍ଡିୟାଙ୍କଠାରୁ ଉଦ୍ଧାର କରି ମାତୃ ପ୍ରସାଦ ପାଣ୍ଡିୟା ଏହି ଗ୍ରନ୍ଥର ପୁନରୁଦ୍ଧାର ଉଦାହରଣ ସହ କରିଥିଲେ । ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଜ୍ୟୋତିଷ ବିଭାଗର ତତ୍କାଳୀନ ମୁଖ୍ୟ ରାମଜନ୍ମ ମିଶ୍ରଙ୍କଦ୍ୱାରା ସଂଶୋଧିତ ଓ ସଂକ୍ଷିପ୍ତ ବିବରଣୀ ସହ ୧୯୬୮ ମସିହାରେ ପ୍ରଥମ ଓ ୧୯୮୫ ମସିହାରେ ଦ୍ୱିତୀୟ ସଂସ୍କରଣ ଚୌଖମ୍ବା ସଂସ୍କୃତ ସଂସ୍ଥାନ ତରଫରୁ କାଶୀ ସଂସ୍କୃତ ଗ୍ରନ୍ଥମାଳା ୪୬ଭାବେ ପ୍ରକାଶ କରିଥିଲେ । ଏହି ପୁସ୍ତକର ମୁଖବନ୍ଧରୁ ଜଣାଯାଏ ଯେ ପୁରୁଷୋତ୍ତମ ପୁରୀ ନିବାସୀ ଶତାନନ୍ଦଙ୍କର ପିତାମାତାଙ୍କ ନାମ ଜଣାଯାଇଥାଏ । ଭାସ୍ୱତୀର ୧୨୮ତମ ଶ୍ଳୋକରେ ମଧ୍ୟ ଶତାନନ୍ଦ ନିଜର ପରିଚୟ ଦେଇଛନ୍ତି । ଏହା ବ୍ୟତୀତ ଆଚାର୍ଯ୍ୟ ଲୋକମଣି ଦହାୟ ତାଙ୍କର ସଂସ୍କୃତ ପୁସ୍ତକ ଭାରତୀୟ ଜ୍ୟୋତିଷଶାସ୍ତ୍ରସ୍ୟ ଇତିହାସରେ ଶତାନନ୍ଦଙ୍କୁ ନିଜ ନାମାନୁସାରେ ଶତାଂଶ ଗଣନାଦ୍ୱାରା ଗ୍ରହଣ (ସୂର୍ଯ୍ୟ ଓ ଚନ୍ଦ୍ର) ସମୟ, ମୋକ୍ଷ ଓ ଭୋଗ ନିର୍ଦ୍ଧାରଣ ଜଣେ ସଫଳ ଜ୍ୟୋତିର୍ବିଦ ଭାବେ ବର୍ଣ୍ଣନା କରିଛନ୍ତି ।
ଏହି ପୁସ୍ତକ ବିଷୟରେ ନେପାଳର "କାଠମାଣ୍ଡୁ ୟୁନିଭରସିଟି ଜର୍ଣ୍ଣାଲ୍ ଅଫ୍ ସାଇନ୍ସ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲଜି'ର ୨୦୦୬ ମସିହାରେ ପ୍ରକାଶିତ ଏକ ନିବନ୍ଧ- "ଏ ହିଷ୍ଟ୍ରି ଅଫ୍ ମ୍ୟାଥମେଟିକାଲ ସାଇନ୍ସ ଇନ୍ ନେପାଲ' (ଲେଖକ: କେ.ଝା, ପି.ଆର.ଅଧିକାରୀ, ଏସ.ଆର.ପାଣି) ଯାହା ମତ ଦେଇଛନ୍ତି ତାହାର ଓଡ଼ିଆ ଅନୁବାଦ ଏହିପରି,
"ବହୁ ଖ୍ୟାତିସମ୍ପନ୍ନ ଜ୍ୟୋତିର୍ବିଦ ସୂର୍ଯ୍ୟସିଦ୍ଧାନ୍ତର ଆଧାରରେ ପାଞ୍ଜି (କ୍ୟାଲେଣ୍ଡର) ତିଆରି କରିଛନ୍ତି । ହେଲେ ୧୦୯୯ ମସିହାରେ ଭାରତର ଓଡ଼ିଶା ରାଜ୍ୟରୁ ଜଣେ ପ୍ରସିଦ୍ଧ ଜ୍ୟୋତିର୍ବିଦ ଶତାନନ୍ଦ ଭାସ୍ୱତୀ ନାମକ ଗ୍ରନ୍ଥ ରଚନା କରିଥିଲେ ।
ଏହି ଗ୍ରନ୍ଥ ନେପାଳରେ ଲୋକପ୍ରିୟତା ଲାଭ କରି ଗଣିତ ଗ୍ରନ୍ଥ ଭାବେ ଜ୍ୟୋତିଷୀ ବିଭାଗର ଶିକ୍ଷକମାନଙ୍କଦ୍ୱାରା ଶିକ୍ଷା ଦିଆଯାଉଥିଲା । ପଞ୍ଚାଙ୍ଗ ଗଣନାରେ ଭାସ୍ୱତୀ ବିଶେଷ ଭାବେ ବ୍ୟବହୃତ ହେଉଥିବାରୁ ୧୪୯୪ ଖ୍ରୀଷ୍ଟାବ୍ଦରେ (ମାଳାଯୁଗରେ) ଶିକ୍ଷକ ଦୈବଜ୍ଞ ବଳଭଦ୍ର, ଜୁମୁଲା ଅଞ୍ଚଳରେ ଜନ୍ମଗ୍ରହଣ କରି ଭାସ୍ୱତୀର ବାଳବୋଧିନୀ ଟିକା ପ୍ରସ୍ତୁତ କରିବା ସହିତ ଗଣିତ ଶିକ୍ଷା ନିମିତ୍ତ ଛାତ୍ରମାନଙ୍କ ପାଠ୍ୟପୁସ୍ତକର ଅନ୍ତର୍ଭୁକ୍ତ କରିଥିଲେ । ଏହି ପୁସ୍ତକ ଛାତ୍ରମାନଙ୍କୁ ମିଶାଣ, ଫେଡ଼ାଣ, ଗୁଣନ ଓ ହରଣ ଶିଖିବାରେ ସହାୟତା କରୁଥିଲା । ଏଣୁ ଭାସ୍ୱତୀ ନେପାଳର ପ୍ରଥମ ଗଣିତ ପୁସ୍ତକ ଭାବେ ଗଣାଯାଉଥିଲା । ଗଣିତ ଓ ଜ୍ୟୋତିର୍ବିଜ୍ଞାନ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଥିବା ହେତୁ ନେପାଳରେ ସାଧାରଣତଃ ଗଣିତ ଶିକ୍ଷା ନିମନ୍ତେ ଛାତ୍ରମାନେ ଜ୍ୟୋତିଷ ଶିକ୍ଷକଙ୍କ ନିକଟକୁ ଯାଉଥିଲେ । ଏହି ଜ୍ୟୋତିଷ ଶିକ୍ଷକମାନେ ଭାସ୍ୱତୀ ଗ୍ରନ୍ଥରେ ଦିଆଯାଇଥିବା ଉଦାହରଣ ସବୁକୁ ନେଇ ଛାତ୍ରମାନଙ୍କଦ୍ୱାରା ପଞ୍ଚାଙ୍ଗ ତିଆରି କରିବା ଅଭ୍ୟାସ କରାଉଥିଲେ ।
ନେପାଳର ବିଭିନ୍ନ ଅଞ୍ଚଳରେ ଏହାର ହାତଲେଖା ଟୀକା ନେପାଳୀ ଭାଷାରେ ତିଆରିକରି ଛାତ୍ରମାନଙ୍କୁ ଶିକ୍ଷା ଦିଆଯାଉଥିଲା । ଏହି ଟୀକା ମଧ୍ୟରୁ ଜୁମୁଲା ନିବାସୀ ବିଦ୍ୟାର୍ଥୀ ବଳଭଦ୍ରଙ୍କ ଟୀକା ଭାରତରେ ମଧ୍ୟ ଲୋକପ୍ରିୟ ହୋଇପାରିଥିଲା । ରାଜଜ୍ୟୋତିଷ ଲକ୍ଷ୍ମୀପତି ପାଣ୍ଡେ (୧୭୫୮-୧୮୧୩ ଖ୍ରୀଷ୍ଟାବ୍ଦ) ବାହାଦୁର ଶାହା (୧୭୫୭-୧୭୯୭ ଖ୍ରୀଷ୍ଟାବ୍ଦ)ଙ୍କ ସମୟରେ ଭାସ୍ୱତୀ ଗ୍ରନ୍ଥର ଟୀକା ପ୍ରସ୍ତୁତ କରି ପ୍ରଥମେ ଗଣିତ ଓ ଜ୍ୟୋତିିର୍ବିଜ୍ଞାନ ଅଧ୍ୟୟନ ଆରମ୍ଭ କରିଥିଲେ । ଲକ୍ଷ୍ମୀପତି ପାଣ୍ଡେ ପ୍ରଥମ ଜ୍ୟୋତିର୍ବିଦ ଭାବେ ଭାସ୍ୱତୀରେ ଲେଖାଯାଇଥିବା ଶ୍ଳୋକଗୁଡ଼ିକର ନେପାଳୀ ଭାଷାରେ ଅନୁବାଦ କରିଥିଲେ । ତାଙ୍କ ପୁସ୍ତକରୁ ଜଣାଯାଏ ଯେ ଭାସ୍ୱତୀ ହିଁ ନେପାଳର ପ୍ରଥମ ଗଣିତ ପୁସ୍ତକ । ଏହା ପରେ ଗଣିତରେ ଅଧିକ ଜ୍ଞାନ ଆହରଣ ନିମନ୍ତେ ଛାତ୍ରମାନେ ଭାସ୍କରାଚାର୍ଯ୍ୟଙ୍କ ଲୀଳାବତୀ ଅଧ୍ୟୟନ କରିଥିଲେ । ଜ୍ୟୋତିଷାଚାର୍ଯ୍ୟମାନେ ଗ୍ରହ ନକ୍ଷତ୍ରଙ୍କ ଗଣନା, ସୂର୍ଯ୍ୟ ପରାଗ ଓ ଚନ୍ଦ୍ରଗ୍ରହଣ ଗଣନା ନିମନ୍ତେ ଭାସ୍ୱତୀ ଗ୍ରନ୍ଥର ସହାୟତା ନେଉଥିଲେ । ଲକ୍ଷ୍ମୀପତି ପାଣ୍ଡେ ରାଜା ରାଣା ବାହାଦୁର ଶାହାଙ୍କ ସମୟରେ କାଠମାଣ୍ଡୁଠାରେ ଏକ ପର୍ଯ୍ୟବେକ୍ଷିକା ନିର୍ମାଣ କରିବାସହ ପ୍ରାୟ ୪୦ଟି ପୁସ୍ତକକୁ ନେପାଳୀ ଭାଷାରେ ଅନୁବାଦ କରିଥିଲେ । ତନ୍ମଧ୍ୟରୁ ରତ୍ନଦ୍ୱୀପ, ଭାସ୍ୱତୀ, ଲୀଳାବତୀ, ଗ୍ରହଲାଘବ ଓ କାଳାର୍ଣ୍ଣଭ ଦୀପିକା ଆଦି ପ୍ରଧାନ । ଆଠଟି ଅଧ୍ୟାୟ ବିଶିଷ୍ଟ ଭାସ୍ୱତୀରେ ସ୍ଥାନ ପାଇଥିବା ବିଷୟ:
- ତିଥ୍ୟାଦିଧ୍ରୁବାଧିକାର,
- ଗ୍ରହଧ୍ରୁବାଧିକାର,
- ପଞ୍ଚାଙ୍ଗ ସ୍ଫୁଟାଧିକାର,
- ଗ୍ରହସ୍ଫୁହୁଟାଧିକାର,
- ତ୍ରିପ୍ରଶ୍ନାଧିକାର,
- ଚନ୍ଦ୍ରଗ୍ରହଣାଧିକାର,
- ସୂର୍ଯ୍ୟ ଗ୍ରହଣାଧିକାର ଓ
- ପରିଲେଖାଧିକାର
ଭାସ୍ୱତୀର ପ୍ରଥମ ଅଧ୍ୟାୟରେ ଶତାନନ୍ଦ ତିଥି ବା ଦିନ, ଚନ୍ଦ୍ର ଓ ସୂର୍ଯ୍ୟଙ୍କର ଗତିକୁ ଆଧାର କରି ଗ୍ରହ ଓ ନକ୍ଷତ୍ରମାନଙ୍କର ଅବସ୍ଥିତି ନିର୍ଣ୍ଣୟ କରିବାର ପ୍ରକ୍ରିୟା ଗାଣିତିକ ସୂତ୍ର ସହ ବର୍ଣ୍ଣନା କରିଛନ୍ତି । ଗାଣିତିକ ପ୍ରକ୍ରିୟାର ସହାୟତାରେ ସମୟର ବାସ୍ତବିକତା ସ୍ପଷ୍ଟକରିବାପାଇଁ ସେ ବାରମ୍ବାର ୬୦ରେ ଗୁଣି ଏହାର ଅଂଶ, ଘଟି (ଘଣ୍ଟା) ଓ ପଳ (କ୍ଷଣ) ନିର୍ଣ୍ଣୟ କରିଛନ୍ତି । କାରଣ ଜ୍ୟୋତିର୍ବିିଜ୍ଞାନର ମୂଳ ଆଧାର ସମୟ ଓ ଜ୍ୟୋତିଷ୍କମାନଙ୍କର ଚଳନ ବୃତ୍ତୀୟ ଗତି ପର୍ଯ୍ୟାୟକ୍ରମେ ସଂଗଠିତ ହେଉଥିବାରୁ ୬୦ର ଉତ୍ପାଦକରେ ଅଂଶ ନିର୍ଣ୍ଣୟ ଆବଶ୍ୟକ ।
୨୦୧୨ରେ ଭାରତରେ ଗଣିତ ବର୍ଷ ପାଳନ କରାଯାଉଥିଲା ଓ ଏହି ପରିପ୍ରେକ୍ଷୀରେ ଭାରତର ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ବିଜ୍ଞାନ ପ୍ରସାର ଉପବିଭାଗ ତରଫରୁ ପ୍ରକାଶ ପାଇଥିଲା । ଏଥିରେ ଶୂନ୍ୟର ହରଣ ପ୍ରକ୍ରିୟା ଛଳରେ ୪୭୬ ଖ୍ରୀଷ୍ଟାବ୍ଦରେ ଆର୍ଯ୍ୟଭଟ୍ଟ, ୬୨୮ ଖ୍ରୀଷ୍ଟାବ୍ଦରେ ବ୍ରହ୍ମଗୁପ୍ତ ଓ ୮୩୦ ଖ୍ରୀଷ୍ଟାବ୍ଦରେ ମହାବୀରଙ୍କ ଅସଫଳତା ପରେ ୧୧୧୪ ଖ୍ରୀଷ୍ଟାବ୍ଦରେ ଭାସ୍କରାଚାର୍ଯ୍ୟଙ୍କୁ ଶୂନ୍ୟକୁ ନେଇ ହରଣ ପ୍ରକ୍ରିୟା ସଫଳ ଗଣିତଜ୍ଞ ଭାବେ ବର୍ଣ୍ଣନା କରାଯାଇଅଛି । ଏଥି ମଧ୍ୟରେ ୧୦୯୯ ଖ୍ରୀଷ୍ଟାବ୍ଦରେ ଶତାନନ୍ଦଙ୍କ ଶୂନ୍ୟର ହରଣ ପ୍ରକ୍ରିୟା ଏବଂ ଦଶମିକ ଭଗ୍ନାଂଶର ସୂତ୍ରପାତ କରିଥିବା ଓ ପଞ୍ଚଦଶ ଶତାବ୍ଦୀରୁ ତାଙ୍କ ପୁସ୍ତକ ଭାସ୍ୱତୀ ନେପାଳରେ ଲୋକପ୍ରିୟ ହେବା ବିଷୟରେ ଉଲ୍ଲେଖ କରାଯାଇନାହିଁ । [୩]
ଆଧାର
[ସମ୍ପାଦନା]- ↑ Swain, Manas Ranjan. "ASTROLOGERS OF ORISSA". Retrieved 22 October 2014.
- ↑ "Orissa petition to ban 'incorrect' almanac". The Telegraph. Retrieved 22 October 2014.
- ↑ ପଣ୍ଡା, ଡ. ସୁଧୀରା (୨୨ ଅକ୍ଟୋବର ୨୦୧୪). "ବିସ୍ମୃତି ଗର୍ଭରେ ଓଡ଼ିଆ ଗଣିତଜ୍ଞ". ସମାଜ. p. ୬.
{{cite news}}
: Check date values in:|date=
(help)