ହିଙ୍ଗୁଳା ମନ୍ଦିର

ଉଇକିପିଡ଼ିଆ ରୁ
(Hingula Temple ରୁ ଲେଉଟି ଆସିଛି)
Jump to navigation Jump to search

ହିଙ୍ଗୁଳା ମନ୍ଦିର ( ହିଙ୍ଗୁଳା ପୀଠ) ତାଳଚେର ଗଡ଼ର ଗୋପାଳପ୍ରସାଦ ଗ୍ରାମରେ ଅବସ୍ଥିତ । ଏହି ଅଗ୍ନୀରୂପା ମା’ ପରମ ବୈଷ୍ଣବୀ ନାରାୟଣୀ ଶୁମ୍ଭ ନିଶୁମ୍ବଙ୍କୁ ବଧ କରି ସୁବଳ ଓ ଦୁନ୍ଦୁଭିଙ୍କୁ ମାରିବାକୁ ଗଲାବେଳେ ତାଙ୍କ ସହ ଅଷ୍ଟ ମହାବିଦ୍ୟା ଯାଇଥିଲେ । ସେହି ଅଷ୍ଟମହାବିଦ୍ୟାଙ୍କ ମଧ୍ୟରେ ମା ହିଙ୍ଗୁଳା ଅନ୍ୟତମ । ତାଳଚେରସ୍ଥ ଏହି ପ୍ରସିଦ୍ଧ ହିଙ୍ଗୁଳାଙ୍କ ସମ୍ପର୍କରେ ଜନଶ୍ରୁତିରୁ ଜଣାଯାଏ ଯେ, ଏଠାରେ ପ୍ରବାହିତ ସିଙ୍ଗଡା ନଦୀରେ ଅକସ୍ମାତ ଜ୍ୱାଳାମୁଖୀ ଅଗ୍ନିଙ୍କର ଆବିର୍ଭାବ ଘଟିଲେ ହିଙ୍ଗୁଳାଙ୍କ ଅଧିଷ୍ଠାନ କରାଯାଉଥିଲା ଏବଂ କାଳକ୍ରମେ ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀରେ ଅଗ୍ନିଜ୍ୱାଳା ରୂପେ ପୂଜାତା ହିଙ୍ଗୁଳାଙ୍କ ଯାତ୍ରା ଅନୁଷ୍ଠିତ ହେବାରେ ଲାଗିଲା । କ୍ରମେ ଏହା ହିଙ୍ଗୁଳାପୀଠକୁ ରୂପାନ୍ତରିତ ହେଇଥିଲା ।

କିମ୍ବଦନ୍ତୀ[ସମ୍ପାଦନା]

ରାଜ୍ୟର ଇଷ୍ଟଦେବୀ ରୂପେ ମା ହିଙ୍ଗୁଳା ନନ୍ଦରାଜା ବିଦ୍ଧର୍ବରେ ପୂଜା ପାଉଥିଲେ । ମାଆଙ୍କ କୃପାରୁ ରାଜା ନନ୍ଦ ସଦାସର୍ବଦା ଅମୃତମଣୋହୀ କରୁଥିଲେ । ହିଙ୍ଗୁଳାଙ୍କ ମହିମାରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଅତ୍ୟନ୍ତ ସୁସ୍ୱାଦୁ ହେଉଥିଲା । ସେହି ସମୟରେ ପୁରୀରେ ଶ୍ରୀମନ୍ଦିରରେ ପ୍ରସ୍ତୁତ ମହାପ୍ରସାଦ କିପରି ଅତ୍ୟନ୍ତ ସ୍ୱାଦଯୁକ୍ତ ହେବ ସେଥିପାଇଁ ଗଜପତି ମହାରାଜ ବାଟ ଖୋଜୁଥିଲେ । ସ୍ୱପ୍ନାଦେଶ ପାଇ ସେ ମା ହିଙ୍ଗୁଳାଙ୍କ ଶରଣାପନ୍ନ ହେଲେ । ମହାରାଜାଙ୍କ ପୂଜା ଓ ଭକ୍ତିରେ ପ୍ରସନ୍ନ ହୋଇ ମାଆ ହିଙ୍ଗୁଳା ଶ୍ରୀମନ୍ଦିର ପାକଶାଳାକୁ ବିଜେ କଲେ । ତାଙ୍କରି ମହିମାରୁ ଶ୍ରୀମନ୍ଦିର ରୋଷଘରେ ପ୍ରସ୍ତୁତ ମହାପ୍ରସାଦ ଓ ଅନ୍ୟାନ୍ୟ ଭୋଗସାମଗ୍ରୀ ସ୍ୱାଦିଷ୍ଟ ହେଲା । [୧] ମା ହିଙ୍ଗୁଳା ଶ୍ରୀକ୍ଷେତ୍ରକୁ ଯିବା ବାଟରେ ତାଳଚେର ଗଡ଼ର ଗୋପାଳପ୍ରସାଦଠାରେ ଅବସ୍ଥାପିତ ହେଲେ ଏବଂ ଏହା ହିଙ୍ଗୁଳା ପୀଠ ଭାବେ ଖ୍ୟାତ ହେଲା ।

ପୌରାଣିକ[ସମ୍ପାଦନା]

ମୂଳପୀଠର ଏହି ମହାଶକ୍ତିମୟୀ ହିଙ୍ଗୁଳାଙ୍କ ସମ୍ପର୍କରେ ତନ୍ତ୍ର ଚୁଡାମଣି ଅନ୍ତର୍ଗତ ପୀଠ ଅନୁସାରେ ହିଙ୍ଗଳାଜ ନାମକ ସ୍ଥାନରେ ସୁଦର୍ଶନ ଚକ୍ରଦ୍ୱାରା ଦେବୀ ସତୀଙ୍କ ବ୍ରହ୍ମରନ୍ଦ୍ର(ମସ୍ତକର କପାଳ ଅଂଶ) ପଡ଼ିଥିଲା । ମା’ ହିଙ୍ଗୁଳାଙ୍କ ମନ୍ଦିର ହିଙ୍ଗଲାଜ ମନ୍ଦିର ରୂପେ ବର୍ତ୍ତମାନର ପାକିସ୍ତାନ ଅନ୍ତର୍ଗତ ସିନ୍ଧୁନଦୀର ତ୍ରିକୋଣ ଭୂମିଠାରୁ ୧୨୦ କିଲୋମିଟର ଦୂର ମକ୍ରାନ ପର୍ବତ ଶ୍ରେଣୀର ଶୀର୍ଷଦେଶରେ ଅବସ୍ଥିତ । ମାତା ସତୀ ମସ୍ତକର ଯେଉଁ ଭାଗରେ ସିନ୍ଦୂର ଲଗାନ୍ତି ସେହି ଭାଗଟି ଓଡ଼ିଶାର ତାଳଚେର ଅଞ୍ଚଳରେ ପଡ଼ିଥିଲା । ସିନ୍ଦୂରର ବର୍ଣ୍ଣ ହିଙ୍ଗଳ ହୋଇଥିବାରୁ ଦେବୀ ସେଠାରେ ହିଙ୍ଗୁଳା ନାମରେ ପୂଜା ପାଇଆସୁଛନ୍ତି ।[୨]

ଗୋପାଳଗଡସ୍ଥ ଦେବୀ ହିଙ୍ଗୁଳା ପୀଠ ସହ ଶ୍ରୀ କ୍ଷେତ୍ର ଜଗନ୍ନାଥଙ୍କ ସମ୍ପର୍କ ପୁରାଣ ବର୍ଣ୍ଣିତ ।[୩] ବିଦର୍ଭ ନରପତି ନଳଙ୍କ ସହ ଦେବୀ ହିଙ୍ଗୁଳାଙ୍କ ଶ୍ରୀ କ୍ଷେତ୍ର ଆଗମନ ସମୟରେ ଗୋପାଳ ପ୍ରସାଦଠାରେ ଦେବୀଙ୍କର ଶକ୍ତି ପୀଠ ଓ ଜଗନ୍ନାଥ ମନ୍ଦିରରେ ତାଙ୍କର କର୍ମକ୍ଷେତ୍ର ହେବ ବୋଲି ଦେବୀ ନଳ ରାଜାଙ୍କୁ ଜଣାଇଲେ। [୧] ଉକ୍ତ ପୌରଣିକ ଉକ୍ତିରୁ ଜଣାଯାଏ ଯେ, ପୂର୍ବରୁ ଏଠାରେ ହିଙ୍ଗୁଳାଙ୍କ କୌଣସି ଉପାସନା ପୀଠ ନ ଥିଲା। ଦେବୀ କେବେଠାରୁ ଏଠାରେ ପୂଜିତା ବା କେବେଠାରୁ ତାଳଚେରରେ ହିଙ୍ଗୁଳା ଉପାସନା ଆରମ୍ଭ ହେଲା ଯାହାକି ଆଜି ପର୍ଯ୍ୟନ୍ତ ମା’ ରୂପରେ ଧର୍ମ, ବିଶ୍ୱାସ, ନିଷ୍ଠା ଓ ଲୋକ ସଂସ୍କୃତି ଅଧ୍ୟରେ ଆବଦ୍ଧ । ଦେବୀ ହିଙ୍ଗୁଳାଙ୍କ ଉତ୍ପତି ବା ଏ ଅଞ୍ଚଳକୁ ଦେବୀଙ୍କ ଆଗମନରୁ ସୂଚନା ମିଳେ କି, କେହି ନା କେହି ଉନ୍ନତ ସଭ୍ୟତାର ଅଗ୍ନି ପୂଜକ ଏଠାରେ ଅଗ୍ନିପୂଜା ବା ଦେବୀ ହିଙ୍ଗୁଳାଙ୍କୁ ସ୍ଥାପନ କରିଥିଲେ। ଦେବୀ ହିଙ୍ଗୁଳାଙ୍କ ଉଭା ସ୍ଥଳୀରେ କୋଇଲାର ବେଦି ଉପରେ ଦେବୀଙ୍କର ଅଗ୍ନି ସ୍ୱରୂପ ଅବତୀର୍ଣ୍ଣ ଅଗ୍ନି ପୂଜାର ଏକ ଆଦିମ ସ୍ୱରୂପ । ଦେବୀ ହିଙ୍ଗୁଳା ବା ହିଙ୍ଗୁଳାଇ ହିଙ୍ଗୁଳ ଶବ୍ଦରୁ ଆନୀତ । ଯାହାକି ବିଶ ନାଶକ ଏକ ଆୟୁର୍ବେଦ ଔଷଧ, ହିଙ୍ଗୁଳ ବା ଲୋହିତ ବର୍ଣ୍ଣ । ଅନ୍ୟ ଅର୍ଥରେ ହିନ୍ଦୁ ଧର୍ମର ଆଦ୍ୟ ଶକ୍ତି ପୀଠ ଦେବୀ ହିଙ୍ଗଲାଜ, ଯାହାକି ଅଧୁନା ପାକିସ୍ତାନର ବେଲୁଚିସ୍ଥାନ ପ୍ରଦେଶର ମକରମ ପର୍ବତମାଳର ହିଙ୍ଗୋଲ ନଦୀ ମୁହାଣରେ ଅବସ୍ଥିତ ପ୍ରଧାନ ଶକ୍ତି ପୀଠ । ସ୍ଥାନୀୟ ଭାଷାରେ ‘ନାନୀ କୀ ମନ୍ଦିର’ ଯାହାକି ହିନ୍ଦୁ ଓ ମୁସଲମାନଙ୍କ ଆରାଧ୍ୟ ଦେବୀ । ମୁସଲମାନମାନେ ହିନ୍ଦୁ ଦେବଦେବୀରେ ବିଶ୍ୱାସ କରୁ ନଥିଲେ ମଧ୍ୟ ସ୍ଥାନୀୟ ବେଲୁଚି ସଂପ୍ରଦାୟ ମୁସଲମାନମାନେ ଏ ଅଞ୍ଚଳରେ ଇସଲାମ ଧର୍ମର ପ୍ରବର୍ତ୍ତନର ବହୁ ପୂର୍ବରୁ ଦେବୀ ହିଙ୍ଗଲାଜଙ୍କ ପୂଜା କରି ଆସୁଛନ୍ତି । ହିନ୍ଦୁ ପୁରାଣ ଅନୁସାର ଦକ୍ଷ ଯଜ୍ଞରେ ନିଜ ପତି ମହାଦେବ ଶିବଙ୍କର ଅପମାନ ସହି ନପାରି ଯଜ୍ଞକୁଣ୍ଡରେ ଦେହତ୍ୟାଗ କଲେ । କ୍ରୋଦ୍ଧିତ ଶିବ ସତୀଙ୍କର ଅର୍ଦ୍ଧ ଦଗ୍ଧ ଶରୀରକୁ ଧରି ତାଣ୍ଡବ ନୃତ୍ୟ କଲେ । ଭଗବାନ ବିଷ୍ଣୁ ସୁଦର୍ଶନ ଚକ୍ରରେ ସତୀଙ୍କର ଶରୀରକୁ ଖଣ୍ଡ ବିଖଣ୍ଡିତ କଲେ, ଯାହାକି ଭାରତର ବିଭିନ୍ନ ସ୍ଥାନରେ ୫୧ ଖଣ୍ଡରେ ପତିତ ହୋଇ ଗୋଟିଏ ଗୋଟିଏ ଶକ୍ତି ପୀଠରେ ପରିଣତ ହେଲା । ଭାରତର ପଶ୍ଚିମ ପ୍ରାନ୍ତରେ ହିଙ୍ଗୋଲ ନଦୀ ତୀରରେ ସତୀଙ୍କର ବ୍ରହ୍ମ ରନ୍ଧ୍ର ପତିତ ହୋଇଥିବାରୁ ଏହି ପୀଠ ଆଦ୍ୟ ଶକ୍ତି ପୀଠ ଭାବରେ ପୂଜିତା । ଏହି ପୀଠରେ ଦେବୀ ଅଗ୍ନି ସ୍ୱରୁପିଣୀ । ସେହିପରି ହିମାଚଳ ପ୍ରଦେଶର କାଙ୍ଗ୍ରାଠାରେ ସ୍ଥିତ ଜ୍ୱାଳାମୁଖୀ ମନ୍ଦିର ମଧ୍ୟ ଏକ ଅଗ୍ନି ଶକ୍ତି ପୀଠ । ଏଠାରେ ସତୀଙ୍କର ଜିହ୍ୱା ପତିତ ହୋଇଥିଲା। ଏହି ଏକାବନ ଶକ୍ତି ପୀଠ ମଧ୍ୟରୁ ହିଙ୍ଗଲାଜ ଓ ଜ୍ୱାଳାମୁଖୀ ଅଗ୍ନି ପୀଠ । ଏହି ଦୁଇ ଶକ୍ତି ପୀଠରେ ଦେବୀ ଅଗ୍ନି ସ୍ୱରୂପୀଣୀ । ଏହି ଦେବୀଙ୍କର ପୁରାତନ ଯୁଗରୁ ଉପାସନା ହୋଇଆସୁଛି । ବେଲୁଚିସ୍ଥାନସ୍ଥ ହିଙ୍ଗଲାଜ ପୀଠ ଓ ତାଳଚେରର ହିଙ୍ଗୁଳା ପୀଠର ଏକ ଐତିହାସିକ ସଂପର୍କ ରହିଥିବାର ଲକ୍ଷ କରାଯାଏ । ଏହି ହିଙ୍ଗୋଲ ନଦୀ ତୀରସ୍ଥ ହିଙ୍ଗଲାଜ ଶକ୍ତି ପୀଠ ବହୁ ପୌରାଣିକ ଓ ଐତିହାସିକ ତଥ୍ୟ ସହ ଜଡିତ । ବେଲୁଚିସ୍ଥାନର ହିଙ୍ଗଲାଜ ପୀଠ ଏକ ପ୍ରସ୍ତର ଗୁମ୍ଫା ମଧ୍ୟରେ ଅବସ୍ଥିତ । ଏହି ଅଞ୍ଚଳରେ ବହୁ କର୍ଦମ ଆଗ୍ନେୟଗିରି ଦେଖାଯାଏ । ଏହି ଗୁମ୍ଫା ମଧ୍ୟରେ ପ୍ରକୃତିକ ବାଷ୍ପ ସ୍ୱତଃ ନିର୍ଗତ ହୋଇଥାଏ, ଯାହାକି ଅଗ୍ନି ସଂଯୋଗଦ୍ୱାରା କ୍ଷୀଣ ଜ୍ୱଳନରେ ସଦା ଉଦ୍ଭାସିତ । ସେହିପରି ତାଳଚେରସ୍ଥ ଗୋପାଳ ପ୍ରସାଦରେ ପ୍ରକୃତିକ ଭାବେ କୋଇଲାରେ ଅଗ୍ନି ସଂଯୋଗ ଓ ଦେବୀ ହିଙ୍ଗୁଳାଙ୍କ ଧରାପୃଷ୍ଠରେ ଅବତୀର୍ଣ୍ଣ ଏକ ଧାର୍ମିକ ପରମ୍ପରା ମଧ୍ୟରେ ଏକ ସଂପର୍କର ସେତୁ ଯୁଗ ଯୁଗ ଧରି ପ୍ରବାହମାନ

ହିଙ୍ଗୁଳା ଯାତ୍ରା[ସମ୍ପାଦନା]

ବର୍ଷସାରା ମା ହିଙ୍ଗୁଳାଙ୍କ ପୀଠରେ ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣୀ ମଧ୍ୟରୁ ବାସନ୍ତୀକ ପୂଜା ବା ହିଙ୍ଗୁଳା ଯାତ୍ରା ସର୍ବାଧିକ ଲୋକପ୍ରିୟ । ହିଙ୍ଗୁଳା ଯାତ୍ରା ଚୈତ୍ର ଶୁକ୍ଳ ପକ୍ଷ ବିଷ୍ଣୁ ଦମନକ ଚତୁର୍ଦ୍ଦଶୀରୁ ଆରମ୍ଭ ହୋଇଥାଏ । ନିର୍ଦ୍ଦିଷ୍ଟ ବିଧି ଅନୁଯାୟୀ ନଅଦିନ ବ୍ୟାପି ଏହି ଯାତ୍ରା ହୋଇଥାଏ । ମା ହିଙ୍ଗୁଳାଙ୍କ ଆବିର୍ଭାବ ପୂର୍ବରୁ ମୁଖ୍ୟ ପୂଜକଙ୍କୁ ସ୍ୱପ୍ନାଦେଶ ହୁଏ । [୪] ନିର୍ଦ୍ଦିଷ୍ଟ ଉଭା ସ୍ଥଳରେ ମାଙ୍କ ଅଗ୍ନିପିଣ୍ଡୁଳା ଦୃଶ୍ୟମାନ ହୁଏ । ଦେହୁରୀ ଶାବରୀ ମନ୍ତ୍ରରେ ଆରାଧନା କରି ଉଭା ହୋଇଥିବା ମାଙ୍କୁ ବଶୀଭୂତା କରିବା ପରେ ପୂଜାର୍ଚ୍ଚନା କରାଯାଏ ଓ ପଥର କୋଇଲା ସଂଗ୍ରହ କରି ଉଭାସ୍ଥଳୀରେ ଅର୍ପଣ କରାଯାଏ । ଏହା ପଥର କୋଇଲା ଚରା ପଥର ଭାବେ ଖ୍ୟାତ । ଯାତ୍ରା ଦିନ ସକାଳୁ ତାଳଚେର ରାଜାଙ୍କ ପ୍ରଦତ୍ତ ପାଟ ଚାନ୍ଦୁଆ ଉଭାସ୍ଥଳୀ ନିକଟରେ ଲାଗିହୁଏ । ହିଙ୍ଗୁଳା ପୀଠରେ ଭକ୍ତ ନିଜେ ତାର ନୈବେଦ୍ୟ ନିଜର ଆରାଧ୍ୟ ଦେବୀଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାଏ ।

ଆହୁରି ପଢ଼ନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Fire deity brings in thousands to Talcher Hingula Yatra". dailypioneer.com. Retrieved 21 April 2016.
  2. ସୂର୍ଯ୍ୟପ୍ରଭା, ପୃଷ୍ଠା- ଇ,
  3. http://www.orissa.gov.in/e-magazine/Orissareview/june2006/engpdf/75-76.pdf
  4. "Relation of Lord Jagganath Temple with Maa Hingulla". puriwaves.nirmalya.in. Retrieved 21 April 2016.

ବାହାର ଲିଙ୍କ[ସମ୍ପାଦନା]