ହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୧୯୫୬

ଉଇକିପିଡ଼ିଆ ରୁ
Jump to navigation Jump to search
ହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୧୯୫୬
Emblem of India.svg
ହିନ୍ଦୁ ମାନଙ୍କର ସମ୍ପତ୍ତିଗତ ଅଧିକାରର ସଂହିତାବଦ୍ଧ କରିଥିବା ଏକ ଅଧିନିୟମ .
ଆଧାରAct 30 of 1956
ନିୟମାକାରକParliament of India
Date enacted୧୭ ଜୁନ ୧୯୫୬
Status: In force

ହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୧୯୫୬ ହିନ୍ଦୁ ମାନଙ୍କର ସମ୍ପତ୍ତିଗତ ଅଧିକାରର ସଂହିତାବଦ୍ଧ କରିଥିବା ତଥା ଭାରତୀୟ ପାର୍ଲିଆମେଣ୍ଟଦ୍ୱାରା ପ୍ରଣୀତ ଏକ ଅଧିନିୟମ । ହିନ୍ଦୁ ଆଇନର ଏହା ଅନ୍ୟତମ ମୁଖ୍ୟ ସଂହିତା । ଏହା କେବଳ ହିନ୍ଦୁ (ତଥା ଶିଖ, ବୌଦ୍ଧ ତଥା ଜୈନ)ମାନଙ୍କର ସମ୍ପତ୍ତି ସମ୍ପର୍କିତ ମାମଲାରେ ଲାଗୁ ହେବ ।

ପୃଷ୍ଠଭୂମି[ସମ୍ପାଦନା]

ପୂରାତନ ବୈଦିକ ଶାସ୍ତ୍ରରୁ ଏକଥା ଜଣାଯାଏ ଯେ ସ୍ତ୍ରୀ ମାନଙ୍କର ମଧ୍ୟ ପୁରୁଷ ମାନଙ୍କ ଭଳି ପରିବାରର ସମ୍ପତ୍ତିରେ ସମାନ ଅଧିକାର ଥିଲା । ପରବର୍ତ୍ତୀ ସମୟରେ ବିଭିନ୍ନ ଗୋଷ୍ଠୀରେ ସମ୍ପରତ୍ତିଗତ ଅଧିକାରକୁ ନେଇ ଲିଙ୍ଗ ଭେଦରେ ଅନେକ ଭେଦଭାବ ପରିଲକ୍ଷିତ ହେଲା । ବ୍ରିଟିଶ ରାଜ ସମୟରେ ଇଂରେଜ ସରକାର ଭାରତରେ ଥିବା ବିଭିନ୍ନ ସଂପ୍ରଦାୟର ବ୍ୟକ୍ତିଗତ ଆଇନରେ (ସମ୍ପତ୍ତି , ବିବାହ ସମ୍ପର୍କିୟ) ହସ୍ତକ୍ଷେପ କରିବାକୁ ଉଚିତ ମଣିଲେ ନାହିଁ । ତେବେ ସ୍ୱାଧିନୋତ୍ତର ଭାରତରେ ହିନ୍ଦୁ, ଶିଖ, ବୌଦ୍ଧ ତଥା ଜୈନମାନଙ୍କ ସମ୍ପତ୍ତିଗତ ଅଧିକାର ଆଇନର ମାନ୍ୟତା ଦେବାପାଇଁ ୧୯୫୬ ମସିହାରେ ଏହି ଆଇନ ଅଧିନିୟମିତ ହେଲା ।

ଅଧିନିୟମ ସଂପର୍କରେ[ସମ୍ପାଦନା]

ପ୍ରଯୁଜ୍ୟତା[ସମ୍ପାଦନା]

ହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୧୯୫୬ର ଧାରା ୨ ଅନୁସାରେ ଉକ୍ତ ଅଧିନିୟମ ନିମ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କ ପାଇଁଁ ପ୍ରଯୁଜ୍ୟ -

କ) ସମସ୍ତ ବର୍ଗର ହିନ୍ଦୁ ଧର୍ମାବଲମ୍ବୀ

ଖ) ସମସ୍ତ ବୌଦ୍ଧ, ଜୈନ ଏବଂ ଶିଖ ଧର୍ମାବଲମ୍ବୀ

ଗ) ହିନ୍ଦୁ, ବୌଦ୍ଧ, ଜୈନ ତଥା ଶିଖ ଧର୍ମର ପିତାମାତାଙ୍କ ବୈଧ କିମ୍ବା ଅବୈଧ ସନ୍ତାନ ସନ୍ତତି

(ଅନ୍ୟାନ୍ୟ ଧର୍ମର ବ୍ୟକ୍ତି ବିଶେଷ ଯେଉଁମାନେ ଧର୍ମାନ୍ତରୀକରଣ ହୋଇ ହିନ୍ଦୁ, ଜୈନ, ବୌଦ୍ଧ କିମ୍ବା ଶିଖ ଧର୍ମ ଗ୍ରହଣ କରିଥିବେ ସେହିମାନଙ୍କ ପାଇଁ ମଧ୍ୟ ଏହି ଅଧିନିୟମ ଲାଗୁ ହେବ । ଏହାଛଡା ଲିଙ୍ଗାୟତ, ବୀରଶୈବ, ଆର୍ଯ୍ୟସମାଜ, ବ୍ରାହ୍ମ ସମାଜ, ପ୍ରାର୍ଥନା ସମାଜ ଆଦି ବର୍ଗର ବ୍ୟକ୍ତି ବିଶେଷ ମୁଖ୍ୟତଃ ହିନ୍ଦୁ ହୋଇଥିବାରୁ, ସେମାନେ ମଧ୍ୟ ଏହି ଅଧିନିୟମଦ୍ୱାରା ପରିଚାଳିତ ହେବେ ।

ତେବେ ଆଦିବାସୀ(ଜନଜାତି) ମାନଙ୍କର ନିଜ ନିଜ ପ୍ରଥାର ମାନ୍ୟତା ଥିବାରୁ ସାଧାରଣଭାବେ ସେମାନେ ଏହି ଅଧିନିୟମର ଅନ୍ତର୍ଭୁକ୍ତ ହେବେନାହିଁଁ ।

ବିଶେଷ ଧାରା[ସମ୍ପାଦନା]

ହିନ୍ଦୁ ପୁରୁଷ କ୍ଷେତ୍ରରେ ଉତ୍ତରାଧୀକାର[ସମ୍ପାଦନା]

ଏହି ଅଧିନିୟମର ଧାରା ୮ ପ୍ରକାରେ ହିନ୍ଦୁ ପୁରୁଷଟିଏ ନିଜ ସମ୍ପତ୍ତିର କୌଣସି ଇଚ୍ଛାପତ୍ର (ଉଇଲନାମା) କରି ନ ଥିଲେ, ତାଙ୍କ ଅନ୍ତେ ସେହି ସମ୍ପତ୍ତିରେ ନିମ୍ନ କ୍ରମରେ ଦାୟାଦ ମାନଙ୍କ ଅଂଶର ଅଧିକାର ଭୁକ୍ତ ହେବେ :

୧) ପ୍ରଥମତଃ ପ୍ରଥମ ଶ୍ରେଣୀ ଦାୟାଦ ତାଲିକା[୧] ଭୁକ୍ତ ବ୍ୟକ୍ତିଙ୍କ ଅଧିକାରଭୁକ୍ତ ହେବ,

୨) ଯଦି ପ୍ରଥମ ଶ୍ରେଣୀ ଦାୟାଦ ତାଲିକା ଭୁକ୍ତ ବ୍ୟକ୍ତି ନ ଥାଆନ୍ତି, ତେବେ ଦ୍ୱିତୀୟ ଶ୍ରେଣୀ ଦାୟାଦ ତାଲିକା[୧] ଭୁକ୍ତ ବ୍ୟକ୍ତିଙ୍କ ଅଧିକାରଭୁକ୍ତ ହେବ,

୩) ଯଦି ଉପରୋକ୍ତ ଦୁଇ ଶ୍ରେଣୀର ବ୍ୟକ୍ତି ବିଶେଷ ନ ଥାଆନ୍ତି, ତେବେ ସେହି ସମ୍ପତ୍ତି ମୃତ ବ୍ୟକ୍ତିର ଅନ୍ୟ ସମ୍ପର୍କୀୟ ଯଥା (Agnates), (Cognates)ମାନଙ୍କ ଅଧିକାରଭୁକ୍ତ ହେବ .

ହିନ୍ଦୁ ମହିଳା କ୍ଷେତ୍ରରେ ଉତ୍ତରାଧୀକାର[ସମ୍ପାଦନା]

ଏହି ଅଧିନିୟମର ଧାରା ୧୫ ପ୍ରକାରେ ହିନ୍ଦୁ ମହିଳାଟିଏ ନିଜ ସମ୍ପତ୍ତିର କୌଣସି ଇଚ୍ଛାପତ୍ର (ଉଇଲନାମା) କରି ନ ଥିଲେ, ତାଙ୍କ ଅନ୍ତେ ସେହି ସମ୍ପତ୍ତିରେ ନିମ୍ନ କ୍ରମରେ ଦାୟାଦ ମାନଙ୍କ ଅଂଶର ଅଧିକାର ଭୁକ୍ତ ହେବେ :

୧) ପ୍ରଥମତଃ ପୁତ୍ର, କନ୍ୟା ଏବଂ ସ୍ୱାମୀଙ୍କ ଅଧିକାରଭୁକ୍ତ ହେବ,

୨) ଯଦି ଉପରୋକ୍ତ ଦାୟାଦ ନ ଥାଆନ୍ତି, ତେବେ ସ୍ୱାମୀଙ୍କ ଦାୟାଦ ଭୁକ୍ତ ବ୍ୟକ୍ତିଙ୍କ ଅଧିକାରଭୁକ୍ତ ହେବ,

୩) ଯଦି ଉପରୋକ୍ତ ଦୁଇ ଶ୍ରେଣୀର ବ୍ୟକ୍ତି ବିଶେଷ ନ ଥାଆନ୍ତି, ତେବେ ସେହି ସମ୍ପତ୍ତି ମୃତ ବ୍ୟକ୍ତିର ଅନ୍ୟ ସମ୍ପର୍କୀୟ ଯଥା ମାତା ଓ ପିତାଙ୍କ ଅଧିକାରଭୁକ୍ତ ହେବ .।

୪) ଯଦି ଉପରୋକ୍ତ ବ୍ୟକ୍ତି ବିଶେଷ ନ ଥାଆନ୍ତି, ତେବେ ସେହି ସମ୍ପତ୍ତି ମୃତ ବ୍ୟକ୍ତିର ଅନ୍ୟ ସମ୍ପର୍କୀୟ ଯଥା ପିତାଙ୍କ ଦାୟାଦ ଏବଂ ଅନ୍ୟଥା ମାତାଙ୍କ ଦାୟାଦଙ୍କ ଅଧିକାରଭୁକ୍ତ ହେବ .।

ଅନ୍ୟାନ୍ୟ ବିଶେଷ ଧାରା[ସମ୍ପାଦନା]

  • ଏହି ମୂଳ ଅଧିନିୟମର ଧାରା ୬ (ସଂଶୋଧିତ) ଅନୁସାରେ ଦାୟାଦ ସୂତ୍ରେ ପୈତୃକ ସମ୍ପତ୍ତି ଉପରେ ପୁଅଙ୍କ ଭଳି ଝିଅଙ୍କ ସମାନ ଅଧିକାର ରହିବ;
  • ହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୧୯୫୬ର ଧାରା ୧୪ ପ୍ରକାରେ ବିବାହ ପୂର୍ବରୁ କିମ୍ବା ବିବାହ ପରେ ଜଣେ ହିନ୍ଦୁ ମହିଳା ଲାଭ କରିଥିବା ଧନର (ସମ୍ପର୍କୀୟଙ୍କ ଠାରୁ ଉପହାର ସୂତ୍ରେ, ଭରଣପୋଷଣ ବାବଦକୁ କିମ୍ବା ନିଜେ ଦକ୍ଷତା ପ୍ରଦର୍ଶନପୂର୍ବକ ଅର୍ଜନ କରିଥିବା ଧନ ଅଥବା ସ୍ତ୍ରୀଧନ) ସେ ହେଉଛନ୍ତି ସମ୍ପୂର୍ଣ୍ଣ ଅଧିକାରିଣୀ ।
  • ଏହି ମୂଳ ଅଧିନିୟମର ଧାରା ୨୫ ପ୍ରକାରେ ଜଣେ ହତ୍ୟାକାରୀର ନିହତ ବ୍ୟକ୍ତିର ଦାୟାଦ ଭାବେ ନିହତ ବ୍ୟକ୍ତିର ସମ୍ପତ୍ତିରେ ନିଜର ଅଧିକାର ରହିବ ନାହିଁ ।
  • ଏହି ମୂଳ ଅଧିନିୟମର ଧାରା ୨୬ ପ୍ରକାରେ ହିନ୍ଦୁ ଧର୍ମ ପରିବର୍ତ୍ତନ କରିଥିବା ବ୍ୟକ୍ତିଙ୍କର ଯଦିଓ ଉତ୍ତରାଧୀକାର ଅଧିକାର ବଜାୟ ରହିବ, କିନ୍ତୁ ତାଙ୍କ ପୁତ୍ର କିମ୍ବା କନ୍ୟା ସେମାନଙ୍କ ହିନ୍ଦୁ ସମ୍ପର୍କୀୟଙ୍କ ଉତ୍ତରାଧୀକାରି ହେବାରୁ ବଞ୍ଚିତ ହେବେ ।

ସଂଶୋଧନ[ସମ୍ପାଦନା]

ହିନ୍ଦୁ ଉତ୍ତରାଧିକାର (ସଂଶୋଧନ) ଅଧିନିୟମ, ୨୦୦୫ ହେଉଛି ମୂଳ ଅଧିନିୟମର ଏକ ଐତିହାସିକ ସଂଶୋଧନ । ଏହା ଏକ ସଂଶୋଧନ ଅଧିନିୟମ ଭାବେ ୫ ସେପ୍ଟେମ୍ବର ୨୦୦୫ରେ ଭାରତର ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇବା ପରେ ୦୯ ସେପ୍ଟେମ୍ବର ୨୦୦୫ରେ ଭାରତରେ ଲାଗୁ ହେଲା [୨] ଏହି ଅଧିନିୟମ ଫଳରେ ହିନ୍ଦୁ ଆଇନରେ ସମ୍ପତ୍ତିଗତ ଅଧିକାରରେ ପୁଅ ଏବଂ ଝିଅ ମଧ୍ୟରେ ଥିବା ପାର୍ଥକ୍ୟ ଲୋପ ପାଇଲା । ଏହି ସଂଶୋଧନ ଫଳରେ ହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୧୯୫୬ର ଧାରା ୪, ଉପଧାରା ୨କୁ ବିଲୁପ୍ତ କରିଦିଆଗଲା ।[୩] ପୁଣି ମୂଳ ଅଧିନିୟମର ଧାରା ୬ ସ୍ଥଳରେ ନୂତନ ସଂଶୋଧିତ ଧାରା ଅନୁସାରେ :

  • ଦାୟାଦ ସୂତ୍ରେ ପୈତୃକ ସମ୍ପତ୍ତି ଉପରେ ପୁଅଙ୍କ ଭଳି ଝିଅଙ୍କ ସମାନ ଅଧିକାର ରହିବ;
  • ପୈତୃକ ଋଣ ପରିଶୋଧ ସମ୍ବନ୍ଧେ ପୁଅଙ୍କ ଭଳି ଝିଅଙ୍କ ମଧ୍ୟ ଦାୟାଦ ସୂତ୍ରେ ଦେୟତା ରହିବ;
  • ପୈତୃକ ସମ୍ପତ୍ତିର ଭାଗ ସୂତ୍ରେ ଝିଅ କିମ୍ବା ଝିଅ ଯଦ୍ୟପି ମୃତ ସେହିସ୍ଥଳେ ଝିଅର ଜୀବିତ ଦାୟାଦ ସେହି ଭାଗର ହକଦାର ହେବେ ।

ତେବେ, ମୂଳ ଅଧିନିୟମର ସଂଶୋଧିତ ଧାରା ୬ର ଉପଧାରା ୫ ଅନୁସାରେ ଯଦି ୨୦ ଡିସେମ୍ବର ୨୦୦୪ କିମ୍ବା ତତ୍‌ ପୂର୍ବରୁ କୌଣସି ପୈତୃକ ସମ୍ପତ୍ତିର ଆଇନଗତ ଭାବେ ଅର୍ଥାତ ରେଜେଷ୍ଟ୍ରି ଦଲିଲ ମାଧ୍ୟମରେ କିମ୍ବା ଅଦାଲତି ଡିକ୍ରୀ ଅନୁସାରେ ଭାଗବଣ୍ଟା (ବିଭାଜନ) ହୋଇସାରିଥିବ, ତେବେ ସେହି ସ୍ଥଳେ ଏହି ସଂଶୋଧିତ ଅଧିନିୟମ ଲାଗୁ ହେବ ନାହିଁ ।[୪] ଭାରତୀୟ ସମ୍ବିଧାନର ଧାରା ୧୪, ୧୫ ଏବଂ ୨୧ର ମୂଳ ଲକ୍ଷ୍ୟ ପୂରଣ ତଥା ସମାଜ ସଂସ୍କାର ଦିଗରେ ଏହା ଏକ ବିହିତ ପଦକ୍ଷେପ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Distribution of property of Hindu person as per succession laws – if No Will" (PDF). www.willjini.com. Retrieved 13 July 2018.
  2. "Hindu Succession (Amendment) Act, 2005 comes into force from today". www.pib.nic.in. Retrieved 6 July 2018.
  3. "Section 6 in The Hindu Succession Act, 1956". Retrieved 6 July 2018.
  4. "Supreme Court sets 2005 cut-off on women right to ancestral property". www.indianexpress.com. Retrieved 5 July 2018.
  5. "Effect of the Hindu Succession (Amendment) Act 2005". www.papers.ssrn.com. Retrieved 5 July 2018.