ସୋନପରୀ

ଉଇକିପିଡ଼ିଆ‌ରୁ
ସୋନପରୀ
ଶୈଳୀପରୀ ଦୁନିଆ
ପ୍ରସ୍ତୁତ କର୍ତ୍ତାଅନନ୍ୟା ମେଦ୍ୟା
Opening themeଅଳକା ଅଗ୍ନିଙ୍କଦ୍ୱାରା ସୋନପରୀର ପୃଷ୍ଠ ଗୀତ
ଶ୍ରେୟା ଘୋଷାଲଙ୍କଦ୍ୱାରା "'ସୋନପରୀ'" ପୁନଃଗାନ
ଦେଶ ଭାରତ
ମୂଳ ଭାଷାହିନ୍ଦୀ
ଅଧ୍ୟାୟ ସଂଖ୍ୟାସମୁଦାୟ ୨୬୮
Production
Producer(s)ଅନନ୍ୟା ମେଦ୍ୟା
ସ୍ଥାନମୁମ୍ବାଇ
Running time୨୧ ମିନିଟ
Release
ମୂଳ ଚେନାଲ୍ଷ୍ଟାର ପ୍ଲସ
ମୁକ୍ତିଲାଭ ତାରିଖ୨୩ ନଭେମ୍ବର ୨୦୦୦ – ୧ ଅକ୍ଟୋବର ୨୦୦୪
External links
Website

ସୋନପରୀ, ଷ୍ଟାରପ୍ଲସରେ ପ୍ରସାରିତ ଗୋଟିଏ ପରୀ ଦୁନିଆ କାହାଣୀ ଉପରେ ଆଧାରିତ ଧାରାବାହିକ, ଯାହାକି ପିଲାମାନଙ୍କୁ ଅତ୍ୟନ୍ତ ପ୍ରସନ୍ଦ ହୋଇଥିଲା । ଏହି ଧାରାବାହିକଟିର ଲୋକପ୍ରିୟତାକୁ ଦେଖି ଭାରତ ବିଭିନ୍ନ ଆଞ୍ଚଳିକ ଭାଷାରେ ଅନୁବାଦିତ କରାଯାଇ ପ୍ରସାରିତ କରାଯାଇଥିଲା । ପରେ ପରେ ଏହାକୁ ମଧ୍ୟ ପୁଣିଥରେ ହିନ୍ଦୀରେ ଷ୍ଟାର ଉତ୍ସବରେ ମଧ୍ୟ ପ୍ରସାରିତ କରାଯାଇଥିଲା । ଯୁକ୍ତରାଷ୍ଟ୍ରର ଟିଭି ଏସିଆରେ ମଧ୍ୟ ଏହା ପ୍ରସାରିତ ହୋଇଥିଲା । ଓଡ଼ିଆ ଭାଷାରେ ଏହି ଧାରାବାହିକଟି ତରଙ୍ଗ ଟିଭିରେ ସୋମ‌ବାରରୁ ଗୁରୁବାରଯାଏ ସନ୍ଧ୍ୟା ୬ଟା ୩୦ମିନିଟରେ ପ୍ରାସରିତ ହେଉଥିଲା ।

ଏହି କାହାଣୀରେ ଗୋଟିଏ ଫୃଟି ନାମକ ଗୋଟିଏ ଛୋଟ ଝିଅର ମାଆର ମୃତ୍ୟୁ ପରେ ସେ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଏ । ସେହିସମୟରେ ତା'ର ସୋନପରୀ ନାମକ ଏକ ପରୀ ସ‌ହ ବନ୍ଧୁତା ହୋଇଯାଏ । ସେହି ପରୀଠାରୁ ତାକୁ ଗୋଟିଏ ମୋତି ପ୍ରାପ୍ତ ହୋଇଥିଲା । ଏହି ମୋତିକୁ ହାତରେ ଘସିବାଦ୍ୱାରା ସୋନପରୀ ଏବଂ ଆଲ୍‌ତୁ ନାମକ ତା'ର ଜଣେ ସାଥୀ ଜୀନ୍ ଫୃଟିକୁ ସାହାଯ୍ୟ କରିବାକୁ ଆସିଯାଉଥିଲେ । ଏହାପରଠାରୁ ପରୀମାନଙ୍କ ସ‌ହ ବିଭିନ୍ନ କାହାଣୀକୁ ନେଇ ହୋଇଥିଲା ଏହି ଧାରାବାହିକଟି ।[୧]

ଜେଫ୍‌ର ପରିବାର
ସୋନପରୀର ପ୍ରଥମ ବର୍ଷ‌ପୂରାଣୀ ଅବସରରେ ସମସ୍ତ ଅଭିନେତା ଏବଂ ଅଭିନେତ୍ରୀଗଣ

ପ୍ରସାରଣ[ସମ୍ପାଦନା]

୨୦୦୦ ମସିହା ୨୩ ନଭେମ୍ବରରେ ଷ୍ଟାରପ୍ଲସରେ ସୋନପରୀର ମୂଳଭାଗ ପ୍ରସାରଣ ଆରମ୍ଭ ହୋଇଥିଲା ।[୧] ଏହି ଧାରାବାହିକଟି ଷ୍ଟାରପ୍ଲସରେ ୨୦୦୪ ମସିହା ଅକ୍ଟୋବର ୧ ଯାଏ ପ୍ରସାରିତ ହୋଇଥିଲା । ଏହାର ଲୋକପ୍ରିୟତାକୁ ଦେଖି ପରବର୍ତ୍ତୀ ସମୟରେ ଏହି ଧାରାବାହିକଟି ଷ୍ଟାର ଉତ୍ସବରେ ପୁନଃପ୍ରସାରଣ ହୋଇଥିଲା । ପରେ ପରେ ଏହା ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକାର ଟିଭି ଏସିଆରେ ପ୍ରସାରିତ ହୋଇଥିଲା । ଭାରତର ବିଭିନ୍ନ ଆଞ୍ଚଳିକ ଭାଷାରେ ଏହି ଧାରାବାହିକ ମଧ୍ୟ ଅନୁବାଦ କରାଯାଇ ପ୍ରାସରଣ ହୋଇଥିଲା । ୨୦୧୦ ମସିହାରେ ଏହି ଧାରାବାହିକଟି ଓଡ଼ିଆରେ ଅନୁବାଦିତ ହୋଇ ତରଙ୍ଗ ଟିଭିରେ ପ୍ରସାରିତ ହୋଇଥିଲା ।

ପୃଷ୍ଠଭୂମି[ସମ୍ପାଦନା]

ଏକ ବୈଜ୍ଞାନିକର ପାଖରେ ରହି କାମ କରୁଥିବା ବଣ୍ଟି ନାମକ ଜଣେ ପିଲା ଥରେ ଗୋଟିଏ ଖେଳନା ବନ୍ଧୁକରେ ଏକ କପୋତକୁ ଲକ୍ଷଭେଦ କରିଥିଲା ଏବଂ ଏହାକୁ ସେ ସେହି ବୈଜ୍ଞାନିକ‌କୁ ଗବେଷଣା ପାଇଁ ଦେବାକୁ ନେଇଯାଉଥିବା ବେଳେ ଫୃଟି ସେହି କପୋତଟିକୁ ବଣ୍ଟିଠାରୁ ନେଇ ମୁକ୍ତ କରିଦେଇଥିଲା । ସେହି କପୋତଟି ଗୋଟିଏ ପରୀ ଥିଲା ଯାହାର ନାମ ଥିଲା ସୋନା(ସୋନପରୀ) । ସେହି ପରୀଟି ପରୀସ୍ଥାନରୁ ପରୀମାଆଙ୍କଠାରୁ ଅନୁମତି ନେଇ କେବେ କେବେ ପୃଥିବୀଲୋକ‌କୁ ଭ୍ରମଣ କରିବାକୁ ଆସୁଥିଲା । ସୋନପରୀ ସ‌ହ ତା'ର ଆଉ ଜଣେ ସାଥୀ ଜିନ୍ ପରୀ ମଧ୍ୟ ପୃଥିବୀ ଲୋକ ଭ୍ରମଣ କରିବାକୁ ଆସୁଥିଲା, ତା'ର ନାମ ହେଉଁଛି ଆଲ୍‌ତୁ । ଆଲ୍‌ତୁ ସର୍ବଦା ପିଲାମାନଙ୍କୁ ହଇରାଣ କରେ । କେବେ କେବେ ସେମାନଙ୍କର ଜିନିଷ ଏପଟ ସେପଟ କରି ଲୁଚାଇଦିଏ ।

ଫୃଟିର ମାଆ ଅନେକ ଦିନ ତଳୁ ସ୍ୱର୍ଗବାସୀ ହୋଇସାରିଥିଲା । ଫୃଟି ରାତିରେ ଛାତ ଉପରକୁ ଯାଇକି ସବୁବେଳେ ତାରାମାନଙ୍କୁ ଦେଖୁଥିଲା । ତା'ର ବିଶ୍ୱାସ ଥିଲା କି ସେହି ତାରକାପୁଞ୍ଜମାନଙ୍କ ଭିତରୁ ଜଣେ ତା'ର ମାଆ ଥିବ । ତେଣେ ଘରେ କାହାର କିଛି ଜିନିଷ ନ ମିଳିଲେ ସେମାନେ ଫୃଟିକୁ ଏଥିପାଇଁ ଦାୟୀ କରୁଥିଲେ । ଫୃଟିର ମାଆ ସ୍ୱର୍ଗବାସୀ ହୋଇଯିବା ପରେ ତା'ର ବାପା ରୋହିତ ପିଲାମାନଙ୍କର ଦେଖାଶୁଣା କରିବା ପାଇଁ ପୁଣିଥରେ ବିବାହ କରିବାକୁ ରୁବୀ ନାମକ ଏକ ଝିଅ ସ‌ହ ସମ୍ପର୍କ ଗଢ଼ିଥିଲେ । କିନ୍ତୁ ରୁବୀ ରୋହିତର ଧନ ସମ୍ପତ୍ତି ଦେଖି ତାକୁ ବିବାହ କରିବାକୁ ଚାହୁଁଥିଲା ଏବଂ ବିବାହ ପରେ ସେ ରୋହିତର ପିଲାମାନଙ୍କୁ ଅନାଥ ଆଶ୍ରମକୁ ପଠେଇଦେଇବା ପାଇଁ ଯୋଜନା କରୁଥିଲେ । ସେଥିପାଇଁ ଫୃଟି କିମ୍ବା ତା'ର ଭାଇକୁ ରୁବୀ ଆଦୌ ପସନ୍ଦ ନ ଥିଲା । ଏକଦା ଫୃଟି, ଆପି ଏବଂ ରୁବୀ ସ‌ହ ତା'ର ବାପା ଏକ ଭୋଜନାଳୟକୁ ଯାଇଥିଲେ, ସେଠାରେ ଫୃଟିର ବଦମାସୀ ପାଇଁ ତା'ର ବାପା ତାକୁ ବ‌ହୁତ ଗାଳି କରିଥିଲେ । ସେଠାରେ ରୁବୀ ଆଗରେ ଗାଳି ଖାଇଥିବା କାରଣରୁ ଫୃଟି ମନ‌ଦୁଃଖରେ ଛାତ ଉପରେ ବସି ତାରାମାନଙ୍କୁ ଦେଖୁଥିବା ବେଳେ ଅନ୍ୟମନସ୍କ ବସତଃ ସେ ପଡ଼ିଯାଉଥିଲା । ଏହି ସମୟରେ ସୋନପରୀ ଆସି ତାକୁ ଉଠେଇନେଲା ଏବଂ ସେ ନିଜର ପରିଚୟ ଦେଇ ଫୃଟି ସ‌ହ ବନ୍ଧୁତା ସ୍ଥାପନ କଲା । ଏହା ପରେ ସୋନା ଆଲ୍‌ତୁ ସ‌ହ ଫୃଟିର ପରିଚୟ କରାଇଲା । ଏହିଭଳି ଅଦ୍ଭୁତପୂର୍ଣ୍ଣ ବନ୍ଧୁତାରୁ କାହାଣୀର ଆରମ୍ଭ । ସୋନପରୀ ଏବଂ ଅଲ୍‌ତୁ ସବୁବେଳେ ଫୃଟିକୁ ଦେଖାକରିବାକୁ ପରୀସ୍ଥାନରୁ ପୃଥିବୀଲୋକ‌କୁ ଆସୁଥିଲେ । ସେମାନେ ଫୃଟିକୁ ଅନେକ ବିପଦରେ ସାହାଯ୍ୟ କରିଥିଲେ । ସେମାନେ ରୁବୀ ଏବଂ ତା'ର କୁଟବୁଦ୍ଧିରୁ ଫୃଟି ଏବଂ ତା'ର ପରିବାରକୁ ରକ୍ଷା କରିଥିଲେ । ପରୀସ୍ଥାନର ସବୁଠାରୁ ବଡ଼ ଶତ୍ରୁ କାଳିପରୀକୁ କେବଳ ଫୃଟି ହିଁ ମାରିପାରି ବୋଲି ସେ ଜାଣିପାରିବା ପରେ ଫୃଟିକୁ ମାରିବାକୁ ଅନେକ ଯୋଜନା କରିଥିଲା । ତେଣୁ ସୋନା ଆଉ ଆଲ୍‌ତୁ ସବୁବେଳେ ଫୃଟିକୁ ସୁରକ୍ଷା ଦେଉଥିଲେ । ପରେ ପରେ ସୋନପରୀକୁ ପରୀସ୍ଥାନର ରାଣୀ ହେବାକୁ ପଡ଼ିଥିଲା, ତେଣୁ ସେ ଫୃଟିର ସୁରକ୍ଷା ପାଇଁ ତୃଟି ନାମକ ଏକ କୁନି ପରୀର ନିର୍ମାଣ କରିଥିଲା, ଯିଏକି ବିଲକୁଲ ଫୃଟି ଭଳି ଦେଖାଯାଉଥିଲା ।

କାହାଣୀ[ସମ୍ପାଦନା]

ଯେତେବେଳେ ଫୃଟିର ମାଆ ମୃତ୍ୟୁବରଣ କଲା, ସେତେବେଳେ ଫୃଟି ବ‌ହୁତ ସାନ ଥିଲା । ମୃତ୍ୟୁ ପୂର୍ବରୁ ଫୃଟି ମାଆ ତା'ର ସ୍ୱାମୀ ରୋହିତକୁ ଝିଅ ଫୃଟି ଏବଂ ପୁଅ ଆପିର ଦେଖାଶୁଣା କରିବା ପାଇଁ ଏବଂ ମାଆର ଖାଲି ସ୍ଥାନ ପୂରଣ କରିବା ପାଇଁ ଆଉ ଥରେ ବିବାହ କରିବାକୁ କ‌ହିଥିଲା । ତେଣୁ ତା'ର ମୃତ୍ୟୁ ପରେ ରୋହିତ ତା'ର ପ୍ରେମୀ ରୁବୀ ସ‌ହ ବିବାହ କରିବାକୁ ସ୍ଥିର କଲା । ଏହିଦିନମାନଙ୍କରେ ଜୋସଲ୍‌କର ନାମକ ଜଣେ ବୈଜ୍ଞାନିକ ଏବଂ ତା'ର ଚେଲା ବଣ୍ଟି ପରୀ କିମ୍ବା ଜିନ୍‌ଙ୍କ ପରି ପରଗ୍ରହୀଙ୍କୁ ଧରିବା ଉପରେ ଗବେଷଣା କରୁଥିଲେ । ସେମାନେ ଗୋଟିଏ କପୋତକୁ ଧରିଥିଲେ ଯିଏକି ପ୍ରକୃତରେ ଗୋଟିଏ ପରୀ ଥିଲା କିନ୍ତୁ ସେହି କପୋତଟିକୁ ଫୃଟି ମୁକ୍ତ କରିଦେଇଥିଲା । ଏହା ପରେ ସୋନପରୀ ଏବଂ ତା'ର ସାଥୀ ଜିନ୍ ଆଲ୍‌ତୁ ସ‌ହ ଫୃଟିର ବନ୍ଧୁତା ସ୍ଥାପନ ହୋଇଯାଏ । ସୋନପରୀ ଏବଂ ଆଲ୍‌ତୁ ଫୃଟିକୁ ଗୋଟିଏ ମୋତି ଦେଲେ, ଯାହକୁ ହାତରେ ଘସିବାଦ୍ୱାରା ସେମାନେ ଦୁଇଜଣ ଫୃଟି ପଖରେ ଆସି ପ‌ହ‌ଞ୍ଚିଯାଉଥିଲେ । ସୋନପରୀ ଫୃଟିକୁ ଏକ ମାଆ ଭଳି ସ୍ନେହ ଦେଉଥିଲା । ଆଲ୍‌ତୁ ଏବଂ ସୋନପରୀ ସ‌ହ ଫୃଟିର ବନ୍ଧୁତା ବଢ଼ିବାରେ ଲାଗିଲା ଏବଂ ସେମାନେ ସବୁବେଳେ ଫୃଟିକୁ ଦେଖାକରିବାକୁ ପୃଥିବୀଲୋକ‌କୁ ଆସିଲେ । ସବୁବେଳେ ସେମାନେ ଫୃଟିକୁ ସାହାଯ୍ୟ କଲେ । ରୁବୀ ଏବଂ ତା'ର ପରିବାର ବିଷୟରେ ସବୁକିଛି ଜାଣିବାକୁ ସେମାନେ ଫୃଟିକୁ ସାହାଯ୍ୟ କଲେ । ରୁବୀର ଭାଇ ଦୀପକ ଏବଂ ତା'ର ମାଆ ସଦାସର୍ବଦା ରୋହିତର ସମ୍ପତ୍ତି ଉପରେ ଲୋଭ ରଖିଥିଲେ । ରୋହିତର ସମ୍ପତ୍ତି ହାତେଇ ସେମାନେ ରାତାରାତି ବଡ଼ଲୋକ ହେବାର ସ୍ୱପ୍ନ ଦେଖୁଥିଲେ । ଫୃଟିକୁ ମାରିଦେବାକୁ ଦୀପକ ଏବଂ ରୁବୀ ଅନେକ ଥର ପ୍ରାୟାସ କରିଥିଲେ, ମାତ୍ର ସବୁଥର ସୋନପରୀ ଏବଂ ଆଲ୍‌ତୁ ଫୃଟିକୁ ରକ୍ଷା କରିଥିଲେ ।

ତେଣେ ବୈଜ୍ଞାନିକ ଜୋସଲ୍‌କର ଏବଂ ତା'ର ଚେଲା ବଣ୍ଟି ପରୀମାନଙ୍କୁ ଧରିବା ପାଇଁ ଅନେକ ଉପାୟ ବାହାର କରୁଥିଲେ । ଏପରିକି ସେମାନେ ସୋନପରୀକୁ ମଧ୍ୟ ଧରି ନେଇଯାଇଥିଲେ, ମାତ୍ର ସବୁଥର ଫୃଟି ଏବଂ ଆଲ୍‌ତୁ ମିଶି ସେମାନଙ୍କର ଯୋଜନା ସଫଳ ହେବାକୁ ଦେଉନଥିଲେ । ସେମାନେ ପରୀର ଉପସ୍ଥିତି ବିଷୟରେ ଜାଣିବା ପାଇଁ ପରୀମିଟର ତିଆରି କରିଥିଲେ, ଯେଉଁଥିରେ ଥିବା ସୂଚକ ପରୀମାନଙ୍କର ପାଖରେ ଥିବା ସୂଚନ ଦେଉଥିଲା । ପରୀମାନଙ୍କୁ ଧରିବା ପାଇଁ ଅଦୃଶ୍ୟ ଜାଲ ମଧ୍ୟ ସେମାନେ ତିଆରି କରିଥିଲେ । ମାତ୍ର ସବୁବେଳେ ସେମାନଙ୍କର ଯୋଜନା ଭଣ୍ଡୁର ହୋଇଯାଇଥିଲା । ଏପରିକି ସେମାନେ ରୋହିତର ଘରେ ପରୀମାନେ ର‌ହୁଥିବା କ‌ହି ରୋହିତଠାରୁ କିଛି ସାହାଯ୍ୟ ନେଇ ପରୀକୁ ଦେଖିବା ପାଇଁ ଏକ ମିଶ୍ରଣ ପ୍ରସ୍ତୁତ କରିଥିଲେ, ଯାହାକୁ ଆଖିରେ ପକାଇବାଦ୍ୱାରା ବାହାରଦୁନିଆର ଲୋକମାନେ ଦେଖାଯିବ । ଏହି ମିଶ୍ରଣକୁ ସୋନପରୀ ନଷ୍ଟ କରିଦେଲା । ମଣିଷର ଗତିକୁ ପ୍ରଖର, ଆକାର କମେଇବା ପାଇଁ ମିଶ୍ରଣ ଆଦି ବାନାଇଥିଲେ । ବୈଜ୍ଞାନିକ ଜୋସଲ୍‌କର ମଧ୍ୟ ତା'ର ଶରୀରକୁ ବଦଳାଇ ଏକ ଯୁବ ଶରୀର ଧାରଣ କରିନେଇଥିଲା ।

ପରୀସ୍ଥାନର ସବୁଠାରୁ ବଡ଼ ଶତ୍ରୁ ହେଉଛି ଗୋଟିଏ କାଳିପରୀ କୃଏଲା । ସେ ତା'ର ସର୍ବଦା ପରୀସ୍ଥାନ‌କୁ ଅକ୍ତିଆର କରିବାକୁ ଚେଷ୍ଟା କରୁଥିଲା । କୃଏଲାକୁ ସୋନପରୀ ବନ୍ଦି କରିଥିଲା ଏବଂ ଏହା ପରେ ତାକୁ ପରୀସ୍ଥାନର କାରାଗାରରେ ରଖାଯାଇଥିଲା । ମାତ୍ର ସେ ପରୀସ୍ଥାନର ସୁରକ୍ଷା ଅଧିକାରୀମାନଙ୍କୁ ଅତି ଚତୁରତାର ସ‌ହ ଧୋକା ଦେଇ ସେହି ସ୍ଥାନରେ ତା'ର ପୁତ୍ତଳୀ ରଖି ଦେଇ ଲୁଚି ପଳାୟନ କରିବାରେ ସକ୍ଷମ ହୋଇଥିଲା । କୃଏଲାର ମୃତ୍ୟୁ ଫୃଟି ହାତରେ ହେବ ବୋଲି ସେ ଜାଣିପାରିଲା, ସେଥିପାଇଁ ସେ ଫୃଟିକୁ ଜୀବନରୁ ମାରିଦେବା ପାଇଁ ଅନେକ ଥର ଚେଷ୍ଟା କରିଛି ।

ଅଭିନୟ[ସମ୍ପାଦନା]

ସୋନପରୀ ଧାରାବାହିକରେ କିଛି ମୁଖ୍ୟ ଚରିତ୍ରକୁ ଛାଡ଼ଦେବାପରେ ଅନେକ ସ‌ହ ଚରିତ୍ରମାନ ଅଭିନୟ କରିଥିଲେ । ଫୃଟି, ଆପି, ଜେଫ୍, ରୋହିତ, ରୁବୀ, ସୋନପରୀ, ଆଲ୍‌ତୁ, କାଳିପରୀ ଆଦିକୁ ଛାଡ଼ିବା ପରେ ଅନେକ ସ‌ହ ଚରିତ୍ରମାନେ ଦୃଶ୍ୟମାନ ହୋଇଥିଲେ ।

ମୁଖ୍ୟ ଚରିତ୍ର[ସମ୍ପାଦନା]

ଫୃଟି/ତୃଟି[ସମ୍ପାଦନା]

ଧାରାବାହିକର ସମ୍ପୂର୍ଣ୍ଣ କାହାଣୀରେ ମୁଖ୍ୟତଃ ସବୁ ଚରିତ୍ରରେ ଫୃଟି ସ‌ହ ଯୋଡ଼ିହୋଇଥିଲା । ତନ୍‌ଭି ହୋଗ୍‌ଡ଼େ ଫୃଟି ଭୂମିକାରେ ଅଭିନୟ କରିଥିଲେ । ମାଆ ମୃତ୍ୟୁବରଣ କରିବା ପରେ ତା'ର ବାପା ରୁବୀକୁ ବିବାହ କରିବାକୁ ସେ ସ‌ହଜରେ ଗ୍ରହଣ କରିପାରୁ ନ ଥିଲା । ଏପରିକି ଘରେ କୌଣସି ଜିନିଷ କିଛି ଏପଟସେପଟ ହେଲେ ସେମାନେ ଫୃଟିକୁ ଦୋଷ ଦୋଷ ହେଉଥିଲେ । ସେଥିପାଇଁ ସେ ସର୍ବଦା ଦୁଃଖି ରହୁଥିଲା ଏବଂ ରାତିରେ ଛାତ ଉପରକୁ ଯାଇ ସବଦିନେ ତାରାପୁଞ୍ଜଙ୍କ ଭିତରେ ତା'ର ମାଆକୁ ଖୋଜୁଥିଲା । ତା'କୁ ସର୍ବଦା ଲାଗୁଥିଲା କି ତା'ର ମାଆ ତାରା ହୋଇ ସେଇ ତାରକାପୁଞ୍ଜଙ୍କ ମେଳରେ ରହିଯାଇଛି । ଫୃଟି ସବୁବେଳେ ସମସ୍ତଙ୍କର ଭଲ ଚିନ୍ତାକରେ । ଫୃଟି ସୋନପରୀର ଜୀବନ ବଞ୍ଚେଇବା ପରେ ତା' ସ‌ହ ବନ୍ଧୁତା ସ୍ଥାପନ କଲା । ଫୃଟିକୁ ସର୍ବଦା ସାହାଯ୍ୟ କରିବାକୁ ସୋନପରୀ ଆସୁଥିଲା । ଫୃଟିର ସବୁ କାର୍ଯ୍ୟରେ ସେମାନେ ଫୃଟିକୁ ସାହାଯ୍ୟ କରୁଥିଲେ । ରୁବୀର ସମସ୍ତ ମନ୍ଦ ଉଦେଶ୍ୟ ବିଷୟରେ ସେମାନେ ସବୁକିଛି ଜାଣିପାରି ଫୃଟିକୁ ତା' ବିଷୟରେ ଜଣାଇଥିଲେ । ସୋନପରୀ ବିଭିନ୍ନ ଅସୁବିଧାରେ ପଡ଼ିଥିବା ବେଳେ ତାକୁ ଫୃଟି ମଧ୍ୟ ସାହାଯ୍ୟ କରୁଥିଲା । ବୈଜ୍ଞାନିକ ଜୋସଲ୍‌କରର ବିଭିନ୍ନ ସଇତାନିକ ମନ୍ଦ ଚକ୍ରାନ୍ତରୁ ସେ ସୋନପରୀକୁ ଉଦ୍ଧାର କରୁଥିଲା । ଏକଦା ସୋନପରୀକୁ ଜଙ୍ଗୋବାବା କଣ୍ଢେଇ କରିଦେଇଥିଲା । ସେହି କଣ୍ଢେଇକୁ ଠିକ କରିବାକୁ ଫୃଟି ସେହି ଜଙ୍ଗୋବାବାର ବ‌ହି ସାହାଯ୍ୟରେ ସୋନାକୁ ପୁଣି ଥରେ ଠିକ କରିଥିଲା । ଏହାପରେ ସୋନପରୀର ସ୍ମରଣଶକ୍ତି ଚାଲିଯାଇଥିଲା । ତେଣୁ ସେ ସୋନାକୁ ତା'ର ଅସ୍ତିତ୍ୱ ବିଷୟରେ ମନେପକାଇଦେବା ପାଇଁ ସେ ଅନେକ ପ୍ରଚେଷ୍ଟ ଶେଷରେ ସଫଳ ହୋଇଥିଲା ।

ସିଂଘୋରାର ଯାଦୁ ଯୋଗୁଁ ଫୃଟି ଗୋଟିଏ ଗାଡ଼ିଧକ୍କାରେ ମରଣ ସ‌ହ ଲଢ଼େଇ କରୁଥିବା ବେଳେ ସୋନପରୀ ତା'ର ସମସ୍ତ ଶକ୍ତି ବଦଳରେ ଫୃଟିର ଜୀବନ ବଞ୍ଚେଇଥିଲା ଏବଂ ମଣିଷ ହୋଇଗଲା । କିନ୍ତୁ ପରୀଟିଏ ମଣିଷ ରୂପରେ ପୃଥିବୀରେ ବେଶିଦିନ ବଞ୍ଚିବନି ବୋଲି ଫୃଟି ଜାଣିବା ପରେ ପୁଣିଥରେ ସୋନାକୁ ସୋନପରୀ ବନାଇବା ପାଇଁ ସେ ପରୀମାଆଙ୍କ ଉପଦେଶରେ ବ୍ରହ୍ମାଣ୍ଡର ପଞ୍ଚମହାତ‌‌ତ୍ତ୍ୱ ଆଣିଥିଲା । ପରବର୍ତ୍ତୀ ସମୟରେ କାଳିପରୀଠାରୁ ଫୃଟିକୁ ସୁରକ୍ଷା ଦେବାକୁ ସୋନପରୀ ତୃଟିର ନିର୍ମାଣ କରିଥିଲେ, ଯିଏକି ଦେଖିବାକୁ ଅବିକଳ ଫୃଟି ଭଳି ଥିଲା ।

ସୋନପରୀ[ସମ୍ପାଦନା]

ମୃଣାଳ ଦେବୀ କୁଲ୍‌କରୀ ସୋନପରୀ ବା ସୋନା ଆଣ୍ଟି ଭୂମିକାରେ ଅଭିନୟ କରିଥିଲେ ।[୨][୩]

ଆଲ୍‌ତୁ[ସମ୍ପାଦନା]

ସୋନପରୀ ସ‌ହ ସବୁ ସମୟରେ ଥାଏ ଆଲ୍‌ତୁ । ଆଲ୍‌ତୁ ଭୂମିକାରେ ଅଭିନୟ କରିଥିଲେ ଅଶୋକ ଲୋଖଣ୍ଡେ । ଆଲ୍‌ତୁକୁ ସବୁବେଳେ ପିଲାମାନଙ୍କୁ ହଇରାଣ କରିବା ଭଲ ଲାଗେ, ମାତ୍ର ଫୃଟି ସ‌ହ ବନ୍ଧୁତା ହେବା ପରେ ସେ ଏହି ସବୁ କରିବା ବନ୍ଦ କରିଦେଇଥିଲା । ସେ ତା'ର ମନ୍ତ୍ର ଶକ୍ତିବଳରେ ବୈଜ୍ଞାନିକ ଜୋସଲ୍‌କରର ବିଭିନ୍ନ ଯନ୍ତ୍ରପାତିକୁ ଭାଙ୍ଗିବାରେ ସଫଳ ହୋଇଥିଲା । ସୋନପରୀ ଯେତେବେଳେ କଣ୍ଢେଇ ହୋଇଯାଇଥିଲା, ସେତେବେଳେ ସେ ମାୟା କଣ୍ଢେଇ ରଖି ସୋନପରୀକୁ ଫାଲ୍‌ତିଠାରୁ ରକ୍ଷା କରିଥିଲା । ଆଲ୍‌ତୁର ସବୁଠାରୁ ପସନ୍ଦର ଜିନିଷ ହେଲା, ଗୀତ ଏବଂ ଖାଦ୍ୟ । ସେଥିପାଇଁ ସେ ସର୍ବଦା ଫୃଟିର ଘରୁ ଖାଦ୍ୟ ଚୋରେଇ ଖାଇଦିଏ ଆଉ ସେଥିପାଇଁ କେବେ କେବେ ସେହି ଖାଦ୍ୟ ଚୋରିର ଦୋଷ ଫୃଟି ଉପରେ ଲାଗେ । ଯେତେବେଳେ ସୋନପରୀ ଫୃଟିର ସୁରକ୍ଷା ପାଇଁ ଏକ ନୂତନ ପରି ନିର୍ମାଣ କରୁଥିଲା, ସେତେବେଳେ ଆଲ୍‌ତୁ ତା'ର ପାଖକୁ ଚାଲିଯାଇଥିବାରୁ ତା'ର ଏହି ଦୁଇଟି ପସନ୍ଦର ଜିନିଷ ମଧ୍ୟ ସେ ନୂଆପରୀ ତୃଟି ପାଖରେ ରହିଯାଇଥିଲା ।

ରୁବୀ ଏବଂ ତା'ର ପରିବାର ଲୋକଙ୍କୁ ରୋହିତ ଜୀବନରୁ ବାହାର କରିଦେବା ପାଇଁ ଆଲ୍‌ତୁ ଶ୍ରୀଯୁକ୍ତ ବମ୍ବାନୀ ସାଜି ରୁବୀ ଏବଂ ରୋହିତ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ । ଯେତେବେଳେ ବୈଜ୍ଞାନିକ ଜୋସଲ୍‌କରର ଅଦୃଶ ଜାଲଦ୍ୱାରା ସୋନପରୀ ଆଘାତ ପ୍ରାପ୍ତ ହୋଇ ଦୁର୍ବଳ ହୋଇଯାଇଥିଲା, ସେତେବେଳେ ଆଲ୍‌ତୁ ପରୀସ୍ଥାନରୁ ଅନେକ କଷ୍ଟରେ ତା' ପାଇଁ ପାରିଜାତି ଆଣିଥିଲା । ଯେତେବେଳେ ସୋନପରୀକୁ କଣ୍ଢେଇରୁ ପୁନଃ ପରୀ କରିଥିଲା, ସେତେବେଳେ ତା'ର ସ୍ମରଣଶକ୍ତି ନଷ୍ଟ‌ହୋଇଯାଇଥିଲା ଏବଂ ସେ ତା'ର ଅଦୃଶ ହେବା କଥା ମଧ୍ୟ ଭୁଲି ଯାଇଥିଲା । ସେହିସମୟରେ ଆଲ୍‌ତୁ ପରୀସ୍ଥାନର ସୁରକ୍ଷା ବଳୟ ପାର ହୋଇ ଆସିବା ପାଇଁ ଏକ ଗୁପ୍ତ କଷ୍ଟସାଧ୍ୟ ଦ୍ୱାର ଦେଇ ଆସିଥିଲା । ଏପରିକି ସୋନପରୀ ତା'ର ଶକ୍ତି ହରାଇ ମାନବ ହୋଇଯିବା ପରେ ତାକୁ ପୁଣିଥରେ ପରୀ କରିବା ପାଇଁ ସେ ଫୃଟି ସ‌ହ ପଞ୍ଚମହାଭୂତ ଆଣିବାକୁ ମଧ୍ୟ ଯାଇଥିଲା ଏବଂ ଫୃଟି ଅନ୍ଧାର ଦୁନିଆରେ ବନ୍ଦି ହୋଇଯିବା ପରେ ମଧ୍ୟ ସେ ଅନୋଖା ଅଭିଜିତ ନକ୍ଷତ୍ର ସ‌ହ ମିଶି ଫୃଟି ଏବଂ ସୋନାକୁ ଫେରେଇ ଆଣିବାରେ ସୂର୍ଯ୍ୟଙ୍କର ସାହାଯ୍ୟ ନେଇଥିଲା ।

ରୋହିତ[ସମ୍ପାଦନା]

ଫୃଟିର ବାପା ରୋହିତ ଭୂମିକାରେ ଅଭିନୟ କରିଥିଲେ ବିବେକ ମୁଶ୍ରନ୍ । ଫୃଟିର ମାଆ ଶେଷ ସମୟରେ ରୋହିତକୁ ପୁନଃ ବିବାହ କରିବାକୁ ଶେଷ ଅନୁରୋଧ କରିଥିଲା । ସେଥିପାଇଁ ତା'ର ପତ୍ନିର ମୃତ୍ୟୁ ପରେ ସେ ପୁଣି ଥରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ରୁବୀ ନାମକ ଗୋଟିଏ ଝିଅକୁ ବିବାହ କରିବାକୁ ସ୍ଥିର କରିଥିଲା । ମାତ୍ର ସେହି ଝିଅ ରୁବୀର ମନ୍ଦ ଉଦ୍ଦେଶ୍ୟ ଜାଣିବା ପରେ ଫୃଟି ଏବଂ ସୋନପରୀ ରୋହିତ ସାଙ୍ଗରେ ତା'ର ବିବାହ କରିବାର ସବୁ ପ୍ରଚେଷ୍ଟାକୁ ଭଣ୍ଡୁର କରିଦେଇଥିଲେ । ରୋହିତ ସବୁବେଳେ ତା'ର ପିଲାମାନଙ୍କ ଖୁସି ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥିଲା । ଏତେ ସବୁ ଯାଦୁ ଶକ୍ତି ମଧ୍ୟରେ ସେ କେବଳ ମୁଖା ବିଷୟରେ ହିଁ ଜାଣିପାରିଥିଲା ।

ଆପି[ସମ୍ପାଦନା]

ଫୃଟିର ଭାଇ ଆପି । ତା'ର ମାଆ ସ୍ୱର୍ଗବାସୀ ହୋଇଯିବା ପରେ । ସେ ବି ତା'ର ମାଆର ଅନୁପସ୍ଥିତ ବ‌ହୁତ ଅନୁଭବ କରେ । କିନ୍ତୁ ସେ ବଡ଼ ହୋଇଥିବାରୁ ସେ ସବୁକୁ ସେ ନିଜ ଭିତରେ ହିଁ ରଖିଦିଏ । ଛୋଟବେଳୁ ସେ ସବୁବେଳେ ଫୃଟିର ସାଥୀ ହୋଇଛି । ମାତ୍ର ଆଲ୍‌ତୁର ବଦମାସୀକୁ ସେ କେବେ କେବେ ଫୃଟିର ବଦମାସୀ ଭାବି ତାକୁ ଗାଳି କରିଦିଏ । ଆଲ୍‌ତୁ ସବୁବେଳେ ତା'ର ଜିନିଷ‌‌ପତ୍ରକୁ ଏପଟ ସେପଟ କରିଦେଉଥିଲା । ହେଲେ ଯେବେଠାରୁ ଫୃଟି ସ‌ହ ଆଲ୍‌ତୁର ବନ୍ଧୁତା ହେଲା, ତା' ପରଠାରୁ ସେ ଆଉ ଆପିକୁ ହଇରାଣ କରେନି । ଆପ ବଡ଼ ହେବା ପରେ ସେ ଯାଇ ବାହାରେ ହଷ୍ଟେଲରେ ଏକା ରହିଲା ।

ଫୃଟିର ଜେଜେମା[ସମ୍ପାଦନା]

ଫୃଟିର ଜେଜେମା ଭୂମିକାରେ ଶଶିକଳା ଅଭିନୟ କରିଥିଲେ । ମାଆ ଚାଲିଯିବା ପରେ ଫୃଟିର ଜେଜେମା ହିଁ ଆଉ ଜଣେ ଭଲ ସାଥୀ ଥିଲେ । ବୟସ ହୋଇଯାଇଥିଲେ ମଧ୍ୟ ସେ ପିଲାଙ୍କ ସଙ୍ଗେ ପିଲା ହୋଇଯାଆନ୍ତି । ଏମିତିକି ଆରୋବିକ୍ ଶିଖିବାଠାରୁ ଆରମ୍ଭ କରି, ସାଇକେଲ ଚଳେଇବା ଯାଏ ସବୁଥିରେ ତାଙ୍କର ଇଚ୍ଛା ଥାଏ । ହେଲେ ପୁଅ ରୋହିତର ଭୟରେ କିଛି କରିପାରନ୍ତିନି । ଆରୋବିକ୍ ଶିଖୁଶିଖୁ ସେ ପଡ଼ିଯାଇ ତାଙ୍କର ଗୋଡ଼ ମଧ୍ୟ ଭାଙ୍ଗିଯାଇଥିଲା ଆଉ ଥରେ ପୁଣି ଉପରୁ ତଳକୁ ଡିଆଁ ମାରି ପୁଣିଥରେ ତାଙ୍କର ଗୋଡ଼ ଭାଙ୍ଗିଥିଲା । ମାତ୍ର ସୋନପରୀ ଏବଂ ଆଲ୍‌ତୁ ଆସି କିଛିଦିନରେ ତାଙ୍କର ଗୋଡ଼ ଠିକ କରିଦେଇଥିଲେ ।

ରୁବୀ/ମେଣ୍ଡେଷା[ସମ୍ପାଦନା]

ରୁବୀ ଭୂମିକାରେ ଅଭିନୟ କରିଥିଲେ ଦୀପ୍ସିକା ନାଗପାଳ । ସେ ତା'ର ରୂପର ଯାଦୁରେ ରୋହିତକୁ ମୋହିତ କରି ରଖିଥିଲା । ରୋହିତକୁ ବିବାହ କରି ସେ ତା'ର ଧନ ସମ୍ପତ୍ତିକୁ ହାତେଇ ବଡ଼ ଲୋକ ହେବାର ସ୍ୱପ୍ନ ଦେଖୁଥିଲା ରୁବୀ । ଏହି ସବୁ କାର୍ଯ୍ୟରେ ତାକୁ ତା'ର ଭାଇ ଦୀପକ ଏବଂ ମାଆ ସାହାଯ୍ୟ କରୁଥିଲେ । ସେ ଫୃଟି ଓ ଆପିକୁ ଭଲ ପାଇବାର ଅଭିନୟ କରି ରୋହିତକୁ ବାହା ହେବାକୁ ଅନେକ ପ୍ରୟାସ କରିଥିଲା । ମାତ୍ର ତା'ର କୌଣସି ମନ୍ଦବୁଦ୍ଧିକୁ ସଫଳ ହେବାକୁ ଦେଇନଥିଲେ ଆଲ୍‌ତୁ, ସୋନପରୀ ଏବଂ ଫୃଟି ।

କମ୍ପ୍ୟୁଟରର ଏକ ଗେମ୍‌ଦୁନିଆକୁ ଫୃଟି, ସୋନା ଏବଂ ଆଲ୍‌ତୁ ବୁଲିବାକୁ ଯାଇଥିବା ବେଳେ ସେଠାରେ ସେମାନେ ଦୁଇଜଣ ଯାଦୁଗରିଣୀର ସାମ୍ନା କରିଥିଲେ । ସେହି ଦୁଇ ଯାଦୁଗରିଣୀ ମଧ୍ୟରେ ମେଣ୍ଡେଷା ଥିଲା ମୁଖ୍ୟ, ଯାହାକୁ କେବଳ ସେ ନିଜେ ହିଁ ପାରିପାରିବାର କ୍ଷମତା ଥିଲା । ସେଠାରେ ମେଣ୍ଡେଷା ସୋନପରୀ ଏବଂ ଆଲ୍‌ତୁକୁ ବନ୍ଦୀ କରି ରଖିଦେଇଥିଲା । ଫୃଟି ସେଠାକାରେ ଅନ୍ୟାନ୍ୟ ଲୋକମାନଙ୍କ ସାହାଯ୍ୟରେ ମେଣ୍ଡେଷା ପାଖରେ ପ‌ହଞ୍ଚି ତାକୁ ମାରି ସେହି ଗେମ୍‌ରୁ ବାହାରକୁ ସୋନପରୀ ଏବଂ ଅଲ୍‌ତୁ ସ‌ହ ଆସିଥିଲା ।

ମେଣ୍ଡେଷା ରୁବୀ ପରି ଦେଖାଯାଉଥିଲା । ସେଥିପାଇଁ ସେହି ଗେମ୍‌ରୁ ବାହାରି ଆସିବା ପରେ ମଧ୍ୟ ଫୃଟି ରୁବୀକୁ ମେଣ୍ଡେଷା ବୋଲି ଭାବିଥିଲା । ମାତ୍ର ସେହି ଗେମ୍‌ରେ ଦେଖିଥିବା ସବୁ ଚରିତ୍ର କେବଳ ଫୃଟିର ଭ୍ରମ ବୋଲି ସୋନପରୀ ଫୃଟିକୁ ବୁଝାଇଦେବା ପରେ ତା'ର ସେ ଭ୍ରମ ଦୂର ହୋଇଥିଲା ।

ସୋନପରୀ କାଳିପରୀ କୃଏଲାକୁ ପାତାଳି କରିଦେବା ପରେ ସେ ତା'ର ଶରୀରକୁ ପାତାଳ‌ଲୋକରେ ଛାଡ଼ିଦେଇ ତା'ର ଆତ୍ମାକୁ ରୁବୀ ଦେହରେ ପ୍ରବେଶ କରାଇଥିଲା । ନୂଆବର୍ଷ ପାଳନ ଅବସରରେ ରୁବୀ ରୂପଧାରୀ କୃଏଲା ଫୃଟିର ଛାୟାକୁ ବାହାର କରି ଫୃଟିକୁ ଏକ ଯାଦୁଗରୀ ଆଇନାରେ ବନ୍ଦୀ କରିଦେଇଥିଲା । ମାତ୍ର ସୋନପରୀ ଫୃଟିକୁ ସେହି ବନ୍ଦି ଆଇନାରୁ ବାହାରକୁ ବାହାର କରି ରୁବୀର ଶରୀରକୁ କୃଏଲା କବଳରୁ ମୁକ୍ତ କରିଥିଲା ।

ରୋହିତକୁ ବିବାହ କରିବାର ଆଶା ଧିରେ ଧିରେ କମିଯିବା ପରେ ରୁବୀ ସନ୍ୟାସିନୀ ହେବାର ନାଟକ କରି ରୋହିତଠାରୁ ତା'ର ସମସ୍ତ ସମ୍ପତ୍ତି ହାତେଇବାର ପ୍ରୟାସ ମଧ୍ୟ କରିଥିଲା । ମାତ୍ର ଫୃଟି ଏବଂ ଅଲ୍‌ତୁର ଚତୁରତା ପାଖରେ ରୁବୀର ଏହିଭଳି ସବୁ କାର୍ଯ୍ୟ ଫିକା ପଡ଼ିଯାଇଥିଲା ।

ପ୍ରିନ୍ସି[ସମ୍ପାଦନା]

ପ୍ରିନ୍ସି ହେଉଛି ଗୋଟିଏ ଛୋଟ ଝିଅଟିଏ । ଝନ‌କ ଶୁକ୍ଳା ପ୍ରିନ୍ସି ଭୂମିକାରେ ଅଭିନୟ କରିଥିଲେ । ଫୃଟି ବ୍ୟତୀତ ପ୍ରିନ୍ସି ହିଁପରୀମାନଙ୍କୁ ପୃଥିବୀଲୋକରେ ଦେଖିପାରୁଥିଲା । ପ୍ରନ୍ସି ହେଉଛି ତା' ବାପାଙ୍କର ସବୁଠାରୁ ଗେହ୍ଲି ଝିଅ । ପ୍ରିନ୍ସିର ମାଆ ମୃତ୍ୟୁବରଣ କରିବା ପରେ ତା ବାପା ଆଉ ଥରେ ବିବାହ କରିଥିଲେ । ଏହାପରେ ପ୍ରିନ୍ସିର ସାବତ ମାଆ ପ୍ରିନ୍ସିକୁ ବ‌ହୁତ ହଇରାଣ କରୁଥିଲା । ଏମିତିକି ତା'ର ସାବତ ଭାଇ ଭଉଣୀମାନେ ମଧ୍ୟ ପ୍ରିନ୍ସିକୁ ବିପଦରେ ପକାଇବାର କୌଣସି ସୁଯୋଗ ହାତଛଡ଼ା କରୁନ ଥିଲେ । ପ୍ରିନ୍ସିର ବାପା କିନ୍ତୁ ଏହି ସବୁ ବିଷୟରେ ଅଜ୍ଞାତ ଥିଲେ । ପ୍ରିନ୍ସିର ବାପା ଆସିଲେ, ତା'ର ମାଆ ତା' ସ‌ହ ଏପରି ବ୍ୟବ‌ହାର କରୁଥିଲେ, ସତେ ଯେମିତି ସେ ହିଁ ତା'ର କେବଳ ଗୋଟିଏ ପିଲା, ତା' ବ୍ୟତୀତ ତା'ର ଆଉ କେହି ନାହାନ୍ତି । ପ୍ରିନ୍ସିକୁ ହଇରାଣ କରିବା ପାଇଁ ତା'ର ସାବତ ମାଆ ଏବଂ ଭାଇ ଭଉଣୀମାନେ ବିଭିନ୍ନ ପ୍ରକାର ଚେଷ୍ଟା କରୁଥିଲେ, ମାତ୍ର ତାକୁ ସବୁ ଜାଗାରେ ସୋନପରୀ, ଆଲ୍‌ତୁ ଏବଂ ଫୃଟି ଆସିକୁ ସାହାୟତା କରୁଥିଲେ । କାଳିପରୀକୁ ମାରିବାରେ ପ୍ରିନ୍ସିର ମଧ୍ୟ ଏକ ସ୍ୱତନ୍ତ୍ର ଭୂମିକା ଥିଲା । ଫୃଟି ହାତରେ କାଳିପରୀର ମୃତ୍ୟୁ ହେବାର ଥିଲା, କିନ୍ତୁ କିପରି ଏବଂ କେଉଁସ୍ଥାନରେ କାଳିପରୀର ମୃତ୍ୟୁ ହେବ, ସେ କଥା ହିଁ କେବଳ ପ୍ରିନ୍ସିକୁ ଜଣାଥିଲା ।

ଜେଫ୍[ସମ୍ପାଦନା]

ଫୃଟି ଛୋଟବେଳର ସାଙ୍ଗ ହେଲା ଜେଫ୍ । କୈବଲ୍ୟ ଛେଡ଼ା ଜେଫ୍ ଭୂମିକାରେ ଅଭିନୟ କରିଥିଲେ । ଛୋଟବେଳ ସେ ବ‌ହୁତ ମୋଟା ଥିବାରୁ ତାଙ୍କ ଘରେ ତାକୁ ବ‌ହୁତ ଚିଡ଼ାଉଥିଲେ । ଏମିତିକି ତା'ର ବାପା ମଧ୍ୟ ତାକୁ ବାରମ୍ବାର ଅଧିକ ଖାଇବାକୁ ବାରଣ କରୁଥିଲେ ଏବଂ ସବୁବେଳେ ବ୍ୟାୟାମ କରିବାକୁ ପରାମର୍ଶ ଦେଉଥିଲେ । ସେ କେବେ କେବେ ରାଗିଯାଇ କିଛି ଖାଇବ ନାହିଁ ବୋଲି ଘରେ କ‌ହିଦିଏ, ମାତ୍ର ଲୁଚିକି ଘରୁ ଫ୍ରିଜ୍‌ରୁ ଚୋରେଇ ଖାଇଦିଏ ତ ପୁଣି କେବେ ଫୃଟି ଘରେ କିଛି ଖାଇଦିଏ । ବଡ଼ ହେଲେ ସେ ଗୋଟେ ଫ୍ୟାସନ ଡିଜାଇନର୍ ହେବାର ଇଚ୍ଛା ଥାଏ ତା'ର । ଜେଫ୍ ଭଲ ଚିତ୍ର କରେ । ଜେଫ୍‌ର ଶରୀର ପାଇଁ ତା'ର ଭଉଣୀ ଜେନିଫର୍ ତାକୁ ସର୍ବଦା ଥଟ୍ଟା କରେ ।

ଗୁଲାବ ଚାଚା[ସମ୍ପାଦନା]

ଫୃଟିର ଘରେ ରୋଷେଇ କରୁଥିବା ରୋଷେୟା । ବୟସ ଅଧିକ ହୋଇଯାଇଥିଲେ ବି ସେ ତାଙ୍କର କାର୍ଯ୍ୟରେ ହେଳା କରୁ ନ ଥିଲେ । ସେ ଫୃଟିର ମନ ଜାଣି ତା'ର ମନ ପସନ୍ଦର ଆଳୁ ପରଟା କରି ପରଷିଦେଉଥିଲେ ।

ଜେନିଫର[ସମ୍ପାଦନା]

ଫୃଟିର ଭଉଣୀ ହେଉଛହି ଜେନିଫର୍ । ଟିନା ପରେଖ ଜେନିଫର ଭୂମିକାରେ ଅଭିନୟ କରିଥିଲେ । ଜେନିଫର ସର୍ବଦା ରୋଷେଇ ବ‌ହି ଦେଖି ତା'ର ମାଆକୁ ବିଭିନ୍ନ ଜିନିଷ ତିଆରି କରିବାକୁ କ‌ହୁଥିଲା । ଫୃଟିକୁ ତା'ର ବାପାଙ୍କ ପାଇଁ ମାଆଟିଏ ଖୋଜିବା ପାଇଁ ଜେନିଫରର ସାହାଯ୍ୟରେ ଖବରକାଗଜରେ ବିଜ୍ଞାପନ ଦେଇଥିଲା ।

ଦୀପକ[ସମ୍ପାଦନା]

ଦୀପକ ହେଉଛି ରୁବୀର ଭାଇ । ହର୍ଷ ଖୁରାନା ଦୀପକ ଭୂମିକାରେ ଅଭିନୟ କରିଥିଲେ । ଦୀପକ କିଛି କାମ ନ କରି ସର୍ବଦା ସୁବିଧାରେ ଧନୀଲୋକ ହେବାର ସ୍ୱପ୍ନ ଦେଖୁଥିଲା । ବୈଜ୍ଞାନିକ ଜୋସଲ୍‌କର ସାହାଯ୍ୟରେ ଦୀପକ ଫୃଟିକୁ ହଇରାଣ କରିବା ପାଇଁ ଅନେକ ରସାୟନିକ ମିଶ୍ରଣର ଅପଯୋଗ କରିଥିଲା । ଗୋଟିଏ ଧନୀ ଘର ଝିଅକୁ ଫସେଇ ବାହାହେବା ପାଇଁ ଦୀପକ ଯୋଜନା କରୁଥିବାର ସୋନପରୀ ଶୁଣିବା ପରେ ସେ ନିଜେ ଗୋଟିଏ ଝିଅ ହୋଇ ଦୀପକୁ ଉଚିତ ଶିକ୍ଷା ଦେଇଥିଲା । ଏପରିକି ଦୀପକ ଜେଫ୍‌ର ଭଉଣୀ ଜେନିଫର୍‌କୁ ମଧ୍ୟ ପ୍ରେମରେ ପକାଇବାର ସ୍ୱପ୍ନ ଦେଖିଥିଲା, ମାତ୍ର ତାକୁ ଫସେଇବା ପାଇଁ କରିଥିବା ସମସ୍ତ ଚେଷ୍ଟାରେ ବିଫଳ ହୋଇଥିଲା । ତା'ପରେ ସେ ଜୋସଲ୍‌କରକୁ ପରୀ ଧରିବାରେ ସାହାଯ୍ୟ କରିଥିଲା, ମାତ୍ର ସେଥିରେ ସେମାନେ ଅସଫଳ ହେବା ପରେ ଜୋସଲ୍‌କରର ଗୁରୁ ଜଙ୍ଗୋ ବାବାର ସାହାଯ୍ୟ ମଧ୍ୟ ନେଇଥିଲେ । କିନ୍ତୁ ଜଙ୍ଗୋ ବାବା ଫଲ୍‌ତୀ ହାତରେ ମୃତ୍ୟୁବରଣ କରିବା ପରେ ତା'ର ଜାଦୁଗରୀ ବ‌ହି ସ‌ହାୟତାରେ ଦୀପକ କିଛିଦିନ ବିଭିନ୍ନ ପ୍ରକାରର ଖଳ କାମ କରିଥିଲା । ସେ ତା'ର ଭଉଣୀ ରୁବୀକୁ ସର୍ବଦା ସାହାଯ୍ୟ କରୁଥିଲା । କେମିତି କାହାଠାରୁ ଟଙ୍କା ମିଳିବ, ସେଥିପାଇଁ ସେ ସବୁବେଳେ ସୁଯୋଗ ଖୋଜିବୁଲୁଥିଲା ।

ଶ୍ରୀମତୀ ଢିଲନ୍[ସମ୍ପାଦନା]

ଶ୍ରୀମତୀ ଢିଲନ୍ ହେଉଛନ୍ତି ରୁବୀ ଏବଂ ଦୀପକର ମାଆ । ଅଙ୍କିତା କନ୍‌ୱାଲ ଏହି ଭୂମିକାରେ ଅଭିନୟ କରିଥିଲେ । ସେ ତାଙ୍କ ଝିଅ ରୁବୀ ସ‌ହ ରୋହିତ ବାହାଘର କରି ରାତାରାତି ବଡ଼ଲୋକ ହେବାର ସ୍ୱପ୍ନ ଦେଖୁଥିଲେ । ସେ ଦୀପକ ସ‌ହ ମିଶି ରୋହିତ ସ‌ହ ରୁବୀର ବିବାହ କରିବାରେ ବିଭିନ୍ନ ଉପାୟମାନ ବାହାର କରୁଥିଲେ । ଏପରିକି ରୋହିତକୁ ଘରକୁ ଡାକି ତା' ସାମ୍ନାରେ କିଛି ଲୋକମାନଙ୍କୁ ଲଗାଇ ପଇସା ମାଗିବା ପାଇଁ ଧମକାଇବାର ଉପାୟମାନ ମଧ୍ୟ କରିଥିଲେ, ଯାହା ଶୁଣି ରୋହିତ ସେମାନଙ୍କୁ ପଇସା ଦେବ ।

ରୋହିତ ସ‌ହ ବିବାହ ହେବାରେ ବିଳମ୍ବ ହେଉଥିବାରୁ, ସେ ରୁବୀର ବିବାହ ଆଉ ଜଣେ କୋଟିପତି ଲୋକ ସ‌ହ କରିବାକୁ ଚିନ୍ତା କରିଥିଲେ । ମାତ୍ର ଏହି ବିଷୟ ସୋନପରୀ ଏବଂ ଆଲ୍‌ତୁ ଜାଣିପାରିବା ପରେ, ଉପାୟ ମୁତାବକ ଶ୍ରୀଯୁକ୍ତ ବମ୍ବାନୀ ସାଜି ସେମାନଙ୍କୁ ସେମାନଙ୍କର ଯୋଜନାରେ ସ‌ଫଳ ହେବାକୁ ଦେଇ ନ ଥିଲେ ।

ଟିଜା[ସମ୍ପାଦନା]

ଟିଜା ହେଉଛନ୍ତି ଜେଫ୍ ଏବଂ ଜେନିଫର୍‌ର ମାଆ । ସେ ଘରେ କପଡ଼ା ସିଲେଇ କରି ପୋଷାକ ତିଆରି କରୁଥିଲେ । ଘରେ ପିଲାମାନଙ୍କର ଯତ୍ନ ନେବା ସ‌ହ ସେ ମୁଖ୍ୟତଃ କଣ୍ଢେଇମାନଙ୍କ ପାଇଁ ପୋଷାକ ତିଆରି କରୁଥିଲେ । ଫୃଟିର ଜେଜେମା ଯେତେବେଳେ ଆରୋବିକ୍‌ସ୍ ଶିଖିବାକୁ ଜିଦ୍ କଲେ, ସେ ତାଙ୍କ ପାଇଁ ନିଜେ ସିଲେଇ କରି ଏକ ଅଲଗା ପ୍ରକାରର ପୋଷାକ ତିଆରି କରିଥିଲେ । ସେ ବିଭିନ୍ନ ପ୍ରକାରର ରୋଷେଇ କରି ଫୃଟି ପାଖକୁ ମଧ୍ୟ ପଠାଉଥିଲେ ।

ବୈଜ୍ଞାନିକ ଜୋସଲ୍‌କର[ସମ୍ପାଦନା]

ପ୍ରଫେସର ଜୋସଲ୍‌କର ପରଗ୍ରହୀଙ୍କ ଉପରେ ଗବେଷଣା କରୁଥିବା ଜଣେ ବୈଜ୍ଞାନିକ । ସେ ପରୀମାନଙ୍କୁ ଧରିବା ପାଇଁ ଅନେକ ଉପାୟ ଅବଲମ୍ବନ କରିଥିଲେ । ପରୀ ପାଖରେ ଥିଲା ସୂଚନା ଦେବା ପାଇଁ ଏକ ଯନ୍ତ୍ର ନିର୍ମାଣ କରିଥିଲେ ସେ, ଯାହା ସାହାଯ୍ୟରେ ସେ ପରୀକୁ ଖୋଜୁଥିଲେ । ପରୀମିଟର, ଅଦୃଶ୍ୟ ଜାଲ ଭଳି ଯନ୍ତ୍ର ମଧ୍ୟ ସେ ନିର୍ମାଣ କରିଥିଲା । ତା'ର ଅନେକ ଯନ୍ତ୍ରପାତିକୁ ଆଲ୍‌ତୁ ଭାଙ୍ଗିଦେବା ପରେ ସେ ରୋହିତର ସାହାଯ୍ୟ ନେଇ ସେମାନେ ପୁଣି ଏକ ନୂଆ ଗବେଷଣାଗାର ତିଆରି କରିଥିଲେ । ଏହା ପରେ ସେ ଦୀପକ ସ‌ହ ପରିଚିତ ହୋଇଥିଲା । ଦୀପକ ମଧ୍ୟ ତା'ର ଅନେକ ମନ୍ଦ ଉଦେଶ୍ୟରେ ସଫଳ ହେବା ପାଇଁ ଜୋସଲ୍‌କରଠାରୁ ଅନେକ ସାହାଯ୍ୟ ନେଇଥିଲା । ଜୋସଲ୍‌କର ମାନବ ଶରୀରକୁ ଅଧିକ ପ୍ରଖର କରାଇବା, ମାନବ ଶରୀରକୁ ଛୋଟ କରିବା ଭଳି ରସାୟନ ମିଶ୍ରଣମାନ ପ୍ରସ୍ତୁତ କରିଥିଲା । ଦୀପକ ଏହି ସବୁ ମିଶ୍ରଣର ଅପବ୍ୟବ‌ହାର କରିଥିଲା । ବୈଜ୍ଞାନିକ ଜୋସେଲ୍‌କରର ଗୁରୁ ହେଉଛନ୍ତି ଜଙ୍ଗୋ ବାବା । ଜୋସଲ୍‌କର ପ୍ରଥମେ ଜଙ୍ଗୋ ବାବାଙ୍କ ପାଖରେ ର‌ହି କାମ କରୁଥିଲା, ମାତ୍ର ସେଠାରୁ ସେ ଚୋରି କରି ପଳାଇଯାଇଥିଲା ।

କୃଏଲା[ସମ୍ପାଦନା]

ଉପାସନା ସିଂ, କୃଏଲା ଭୂମିକାରେ ଅଭିନୟ କରିଥିଲେ । କୃଏଲା ଗୋଟିଏ କାଳିପରୀ, ସେ ପରୀସ୍ଥାନର ସବୁଠାରୁ ବଡ଼ ଶତ୍ରୁ ଥିଲା । ସେ ଅନେକ ଦିନ ଧରି ପରୀସ୍ଥାନରେ ବନ୍ଦି ହୋଇଥିଲା । ମାତ୍ର ଅନେକ ଚତୁରତାର ସ‌ହ ସେ ପରୀସ୍ଥାନର ସୁରକ୍ଷା ଅଧିକାରୀଗଣଙ୍କୁ ଚକ୍ଷ୍ମା ଦେଖାଇ ନିଜର ଏକ ପୁତ୍ତଳୀ ରଖିଦେଇ ଖସି ଯାଇଥିଲା । ସେହି କାଳିପରୀସ‌ହ ଲଢ଼ିବା ପାଇଁ ସୋନପରୀ ଏବଂ ଆଲ୍‌ତୁକୁ ପରୀମାଆ ନୂଆ ଶକ୍ତି ପ୍ରଦାନ କରିଥିଲେ । କାଳିପରୀର ମୃତ୍ୟୁ ପୃଥିବୀଲୋକରେ ବାସ କରୁଥିବା ଫୃଟି ନାମକ ଗୋଟିଏ ଝିଅ ହାତରେ ହେବାର ଥିଲା । ଏହି ଭବିଷ୍ୟବାଣୀକୁ କାଳିପରୀ କୃଏଲା ଜାଣିଯିବା ପରେ ଫୃଟିକୁ ମାରି ଦେବା ପାଇଁ ଅନେକ ପ୍ରକାର ଚେଷ୍ଟା କରିଥିଲା ।

ଅନ୍ୟାନ୍ୟ ଚରିତ୍ର[ସମ୍ପାଦନା]

ଜଙ୍ଗୋ ବାବା[ସମ୍ପାଦନା]

ବୈଜ୍ଞାନିକ ଜୋସେଲ୍‌କରର ଗୁରୁ ହେଉଛନ୍ତି ଜଙ୍ଗୋ ବାବା । ଜଙ୍ଗୋବାବା ଏକଦା ପିଲାମାନଙ୍କୁ ନେଇ କିଛି ମନ୍ଦ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ସେମାନଙ୍କ ବନ୍ଦୀ କରି ରଖିଥିବା ବେଳେ, ସୋନପରୀ ତାକୁ ପ୍ରତିରୋଧ କରିବା ସ‌ହ ନିଜର ପରିଚୟ ମଧ୍ୟ ଦେଇଦେଇଥିଲା । ଜୋସଲ୍‌କର ଏବଂ ଦୀପକଠାରୁ ସେ ପରୀମାନଙ୍କ ବିଷୟରେ ଜାଣିବା ପରେ ସୋନପରୀକୁ ବନ୍ଦୀ କରି ତା'କୁ ନିଜର ଗୋଲାମ କରିବା ପାଇଁ ସେ ମଧ୍ୟ ଅନେକ ଚେଷ୍ଟା କରିଥିଲା । ସେ ସୋନପରୀ ଏବଂ ପରୀସ୍ଥାନରୁ ଆସିଥିବା ଫାଲ୍‌ତୁକୁ ବନ୍ଦି କରିନେଇ କଣ୍ଢେଇ କରିଦେଇଥିଲା । ମାତ୍ର ଫାଲ୍‌ତୁର ସାଥି, ଫାଲ୍‌ତି ଏବଂ ଆଲ୍‌ତୁ ସେହି କଣ୍ଢେଇ ଦ୍ୱୟକୁ ଜଙ୍ଗୋବାବା ପାଖରୁ ମୁକ୍ତ କରିଥିଲେ । ସେହି ପ୍ରତିଦ୍ୱନ୍ଦିତାରେ ଜଙ୍ଗୋବାବାର ମୃତ୍ୟୁ ହୋଇଥିଲା । ତା'ର ମୃତ୍ୟୁ ପରେ ତା'ର ବ‌ହିକୁ ଦୀପକ ଏବଂ ଜୋସଲ୍‌କର ନେଇ ବିଭିନ୍ନ ପ୍ରକାରର ଜାଦୁବିଦ୍ୟା କରିଥିଲେ ।

ଅଭିଜିତ ନକ୍ଷତ୍ର[ସମ୍ପାଦନା]

ଶୋଭା[ସମ୍ପାଦନା]

ରୁବୀ ଏବଂ ଦୀପକର ଘରେ କାମ କରୁଥିବା ଚାକରାଣୀ ହେଉଛି ଶୋଭା । ସେ ସର୍ବଦା ରୁବୀ ଏବଂ ତା'ର ମାଆ ଓ ଭାଇର କଥା ଲୁଚି ଲୁଚି ଶୁଣୁଥିଲା । ସେଥିପାଇଁ ରୁବୀର ସେ ଆଦୌ ପସନ୍ଦ ନ ଥିଲା ।

ବଣ୍ଟି[ସମ୍ପାଦନା]

ବୈଜ୍ଞାନିକ ଜୋସଲ୍‌କରର ଚେଲା ହେଉଛି ବଣ୍ଟି । ଅକୁଳ ତ୍ରିପାଠୀ ବଣ୍ଟି ଭୂମିକାରେ ଅଭିନୟ କରିଥିଲେ । ଥରେ ବଣ୍ଟିର ବନ୍ଧୁକରୁ ବାହାରିଥିବା ରବର ଗୁଳିଦ୍ୱାରା ସୋନପରୀ ଆହାତ ହୋଇଯାଇଥିଲା, ମାତ୍ର ସେଠାରେ ତାକୁ ଆହାତ ଅବସ୍ଥାରୁ ଫୃଟି ମୁକ୍ତ କରିଥିଲା । ବଣ୍ଟି ସ୍କୁଲରେ ପଢ଼ିବା ସ‌ହ ବୈଜ୍ଞାନିକ ଜୋସଲ୍‌କର ପଖରେ ର‌ହି କାମ କରୁଥିଲା । ସେମାନେ ଉଭୟ ପରୀକୁ ଧରିବା ପାଇଁ ବିଭିନ୍ନ ପ୍ରକାରର ଉପାୟମାନ ବାହାର କରୁଥିଲେ । ଏକଦା ଦୀପକ‌କୁ ସାହାଯ୍ୟ କରିବାକୁ ଯାଇ, ଜେନିଫର୍‌ ଆଖିରେ ଏକ ମିଶ୍ରଣ ପକାଇଥିଲା, ଯାହା ଫଳରେ ସେ ଆଖି ଖୋଲି ପ୍ରଥମେ ଯାହାକୁ ଦେଖିବ, ତା' ସ‌ହ ତା'କୁ ପ୍ରେମ ହୋଇଯିବ । ମାତ୍ର ଦୁଃର୍ଭାଗ୍ୟ ବଶତଃ ଦୀପକ ସେଠାରୁ ଚାଲିଯିବା ପରେ ଜେନିଫର୍ ପ୍ରଥମେ ବଣ୍ଟିକୁ ଦେଖିଲା ଏବଂ ବଣ୍ଟିକୁ ପ୍ରେମ କରିବାକୁ ଲାଗିଲା । ପରେ ପରେ ବଣ୍ଟି ସେହି ଡାକ୍ତରୀ ପୋଷାକ ବଦଳାଇ ସାଧାରଣ ପୋଷାକ ପରିଧାନ କରି ଜେନିଫର୍‌କୁ ଦେଖାକରିବାକୁ ଆସିଥିଲା, ମାତ୍ର ଜେନିଫର୍ ତାକୁ ଜାଣିପାରିଲାନି ଏବଂ ସେ ଆପି ଓ ଜେଫ୍ଠାରୁ ଦୁଇ ଦୁଇଥର ମାଡ଼ ଖାଇଥିଲା ।

ଅନ୍‌ମୋଲ୍[ସମ୍ପାଦନା]

ଅନ୍‌ମୋଲ୍ ହେଉଛି ଜନେ ଆରୋବିକ୍‌ସ୍ ପ୍ରଶିକ୍ଷକ । ଫୃଟିର ଜେଜେମା, ଟିଜା, ଫୃଟି ଏବଂ ଜେଫ୍ ଅନ୍‌ମୋଲ୍‌ଙ୍କଠାରୁ ଆରୋବିକ୍‌ସ୍ ଶିଖୁଥିଲେ । ଆରୋବିକ୍‌ସ୍ ଶିଖିବା ବେଳେ ଆଲ୍‌ତୁର ବଦମାସି ପାଇଁ ଫୃଟିର ଜେଜେମା ପଡ଼ିଯାଇଥିଲେ, ଯେଉଁଥିରେ ତାଙ୍କର ଗୋଡ଼ ଭାଙ୍ଗିଯାଇଥିଲା ।

ମାଳତୀ[ସମ୍ପାଦନା]

ମାଳତୀ ହେଉଛି ରୋହିତର ଭଉଣୀ । ମାଳତୀର ଦୁଇଟି ପୁଅ ଥିଲେ, ଆଶିଶ ଏବଂ ନରେଶ । ମାଳତୀର ସ୍ୱାମୀ ବିଦେଶରେ ରହି ଚାକୀର କରନ୍ତି । ସେ ଦୁଇ ମାସରେ ଥରେ ମାତ୍ର ଘରକୁ ଆସୁଥିଲେ ।

ଆଶିଶ[ସମ୍ପାଦନା]

ଆଶିଶ ହେଉଛି ମାଳତୀର ବଡ଼ ପୁଅ ।

ନରେଶ[ସମ୍ପାଦନା]

ନରେଶ ହେଉଛି ମାଳତୀର ସାନ ପୁଅ । ନରେଶ ଏବଂ ଆଶିଶର ବାପା ଆସିବା ବେଳେ, ସେମାନେ ତାଙ୍କୁ ବିମାନ ବନ୍ଦରରୁ ଆଣିବା ପାଇଁ ଯିବାକୁ ଚାହୁଁଥିଲେ, ମାତ୍ର ତାଙ୍କର ବାପାଙ୍କୁ ଏହି ସବୁ ଭଲ ଲାଗେନି ।

ପୁରସ୍କାର[ସମ୍ପାଦନା]

ଏହି ଧାରବାହିକଟି ୨୦୦୩ ମସିହାରେ ଭାରତୀୟ ଧାରାବାହିକ ପୁରସ୍କାରରେ ଶ୍ରେଷ୍ଠ ଶିଶୁ ଧାରାବାହିକ ଏବଂ ଆକର୍ଷଣୀୟ ଦୃଶ୍ୟର ପୁରସ୍କାର ପାଇଥିଲା । ୨୦୦୬ରେ ଅନୁଷ୍ଠିତ ହୋଇଥିବା ଷ୍ଟାର ପରିବାର ପୁରସ୍କାରରେ ଶ୍ରେଷ୍ଠ ଜାଗୁଗର ଚରିତ୍ରର ପୁରସ୍କାର ପାଇଥିଲା ।

ମସିହା ପୁରସ୍କାର ପୁରସ୍କାରର ନାମ
୨୦୦୩ Indian Television Academy Awards *Best Children’s Programme
*Best Visual Effects
୨୦୦୬ Star Parivaar Awards Best Magic Character

ଆଧାର[ସମ୍ପାଦନା]

  1. ୧.୦ ୧.୧ "Son Pari". nettv4u. Retrieved 4 October 2016.
  2. Jalan, Isha. "35 Unforgettable TV Characters Who'll Stay With Us Forever". Scoop Whoop. Retrieved 4 October 2016.
  3. "ଏକଦା ସୋନପରି ବନି ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ଏହି ଅଭିନେତ୍ରୀ ଏବେ କି କାମ କରୁଛନ୍ତି ?". E News ଓଡ଼ିଆ. 26 August 2017. Retrieved 1 September 2017.