ସେରେବ୍ରାଲ୍ ପାଲ୍‌ସି

ଉଇକିପିଡ଼ିଆ ରୁ
Jump to navigation Jump to search
ସେରେବ୍ରାଲ ପାଲ୍‌ସି
USS Kearsarge medical team treat patients at Arima District Health Facility DVIDS126489.jpg
ସେରେବ୍ରାଲ ପାଲ୍‌ସି ରୋଗରେ ପିଡ଼ିତ ଗୋଟିଏ ପିଲା ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିneurology[*]
ଆଇସିଡ଼ି-୧୦G80.
ଆଇସିଡ଼ି-୯-ସିଏମ୍343
ଓଏମ୍‌ଆଇଏମ୍603513 605388
ରୋଗ ଡାଟାବେସ2232
ମେଡ଼ିସିନ-ପ୍ଲସ000716
ଇ-ମେଡ଼ିସିନneuro/533 pmr/24
Patient UKସେରେବ୍ରାଲ୍ ପାଲ୍‌ସି
MeSHD002547

ସେରେବ୍ରାଲ ପାଲ୍‌ସି (ଇଂରାଜୀରେ Cerebral palsy), ସ୍ୱଳ୍ପରେ ସି.ପି. (CP) କେତେଗୁଡ଼ିଏ ଚଳନ ସମସ୍ୟାଭିତ୍ତିକ ରୋଗମାନଙ୍କର ଏକ ଦଳ ଯାହା ପ୍ରାକ୍-ଶୈଶବ କାଳରେ ଦେଖାଯାଏ । ବିଭିନ୍ନ ଲୋକଙ୍କ ମଧ୍ୟରେ ଲକ୍ଷଣମାନଙ୍କର ଭିନ୍ନତା ଦେଖାଯାଏ । ପୁନଃ ପୁନଃ ଦେଖାଯାଉଥିବା ଲକ୍ଷଣ‌ଗୁଡ଼ିକ; ସମନ୍ୱୟ ଅସୁବିଧା, ସୁଦୃଢ଼ ମାଂସପେଶୀ (spastic), ଦୁର୍ବଳ ମାଂସପେଶୀ, କ‌ହିବା ତ‌ଥା ଗିଳିବାରେ ଅସୁବିଧା ଓ କମ୍ପନ । ଏହା ବ୍ୟତୀତ ସ୍ପର୍ଶ, ଦୃଷ୍ଟିଶ୍ରବଣ ସମସ୍ୟା ରହିପାରେ । ଅନେକ ସମୟରେ ସିପି ଛୁଆ ଗଡ଼ିବା, ବସିବା, ଘୁଷୁରିବା ଓ ଚାଲିବା ଆଦି ଅନ୍ୟ ପିଲାଙ୍କ ଭଳି କରିପାରନ୍ତି ନାହିଁ । ଚିନ୍ତା ଶକ୍ତି ତ‌ଥା ବୋଧ ଶକ୍ତିର ଅଭାବ ଓ ବାତ ମାରିବା ଅସୁବିଧା ପ୍ରାୟ ଏକ ତୃତୀୟାଂଶ କେସ୍‌ରେ ଦେଖାଯାଏ । ଲକ୍ଷଣ‌ଗୁଡ଼ିକ ପ୍ରଥମ କିଛି ବର୍ଷରେ ଦେଖାଗଲେ ମଧ୍ୟ ପରେ ଏହି ରୋଗ ଅଧିକ କ୍ଷତି କରେ ନାହିଁ । [୧]

ମସ୍ତିଷ୍କର ଯେଉଁ ଅଂଶ ଶରୀରର ଚଳନ, ଭାରସାମ୍ୟ ଓ ସଂସ୍ଥିତିକୁ ନିୟନ୍ତ୍ରଣ କରେ ତାହାର ଗଠନ ଅସ୍ୱାଭାବିକ ହେଲେ ବା ଏହା ଆଘାତପ୍ରାପ୍ତ ହେଲେ ସେରେବ୍ରାଲ ପାଲ୍‌ସି ରୋଗ ହୁଏ । [୨][୧] ଅଧିକାଂଶ ସମସ୍ୟା ଗର୍ଭାବସ୍ଥାରେ ହୁଏ; କିନ୍ତୁ ଏହା ଜନ୍ମ ସମୟରେ ବା ଏହାର କିଛି ସମୟ ପରେ ମଧ୍ୟ ହେବ ସମ୍ଭବ । ଅନେକ ସମୟରେ କାରଣ ଅଜଣା ଥାଏ । ଅପକ୍ୱ ଜନ୍ମ, ଯାଆଁଳା ଜନ୍ମ; କେତେକ ସଂକ୍ରମଣ ଯଥା ଟକ୍ସୋପ୍ଲାଜ୍ମୋସିସ, ଜର୍ମାନ ମିଳିମିଳା ବା ରୁବେଲା, ଗର୍ଭାବସ୍ଥାରେ ମିଥାଇଲ ମର୍କରୀ ସଂସ୍ପର୍ଶ ଓ ଜୀବନର ପ୍ରଥମ କିଛି ବର୍ଷ ଭିତରେ ମୁଣ୍ଡ ଆଘାତ ଇତ୍ୟାଦି ଏହି ରୋଗର ସଙ୍କଟମୟ ଅବସ୍ଥା ସୃଷ୍ଟି କରେ । [୧] ଜେନେଟି୍ ଦୋଷ ୨ % କେସ୍‌ରେ ଥାଏ । [୩] ନିର୍ଦ୍ଦିଷ୍ଟ କେତେକ ସମସ୍ୟାକୁ ନେଇ କେତେକ ଉପ-ଟାଇପ ବର୍ଗୀକରଣ କରାଯାଇଥାଏ, ଉଦାହରଣ ସ୍ୱରୁପ ଅନମନୀୟ ମାଂସପେଶୀ (spastic cerebral palsy), ଅସମନ୍ୱୟ (ataxic cerebral palsy) ଓ କେତେକ ଛଟପଟ ହେବାଭଳି ଚଳନ (athetoid cerebral palsy) । ସମୟକ୍ରମେ ପିଲାର ବିକାଶ ଦେଖି ରୋଗ ନିର୍ଣ୍ଣୟ କରାଯାଏ । ରକ୍ତ ପରୀକ୍ଷା ଓ ମେଡିକାଲ ଇମେଜିଙ୍ଗ କରି ଅନ୍ୟ ସମ୍ଭାବ୍ୟ ରୋଗମାନଙ୍କଠାରୁ ଅଲଗା କରାଯାଏ । [୧]

ମାତାମାନଙ୍କୁ ଟିକା ଦେଇ ଓ ଉନ୍ନତ ଶିଶୁ ନିରାପଦ ବ୍ୟବସ୍ଥା ଗ୍ରହଣ କରି, ମୁଣ୍ଡ ଆଘାତ ନିରୋଧ କରି ଆଂଶିକ ଭାବରେ ସି.ପି. ରୋଗର ପ୍ରତିରୋଧ କରିହୁଏ । ସି.ପି. ଆରୋଗ୍ୟସାଧ୍ୟ ନୁହେଁ; ତ‌ଥାପି ଆଧାର ଚିକିତ୍ସା, ଔଷଧ ଓ ଅପରେଶନ‌ଦ୍ୱାରା ସାହାଯ୍ୟ ମିଳେ । ଭୌତିକ ଓ ବାକ୍‌ଶକ୍ତି ଚିକିତ୍ସା ମଧ୍ୟ ଆବଶ୍ୟକ । ଡାୟାଜେପାମ, ବାକ୍ଲୋଫେନ, ବୋଟୁଲିନମ୍ ଟକ୍ସିନ ଇତ୍ୟାଦି ଔଷଧ ଦେଲେ ମାଂସପେଶୀ କାଠିନ୍ୟ ଦୂର ହୋଇପାରେ । ଅପରେଶନ କରି ମାଂସପେଶୀ ଲମ୍ବା କରାଯାଏ ଓ ଅତି-ସକ୍ରିୟ ସ୍ନାୟୁ କାଟିଦିଆଯାଏ । ଅନେକ ସମୟରେ ବ୍ରେସ୍ ଓ ଅନ୍ୟ ସାହାଯ୍ୟକାରୀ ବ୍ୟବସ୍ଥା ଅବଲମ୍ବନ କରାଯାଏ । କେତେକ ପିଲା ଉଚିତ୍ ଚିକିତ୍ସା ନେଇ ପ୍ରାୟ ସାଧାରଣ ବୟସ୍କ ଜୀବନ ଯାପନ କରୁଛନ୍ତି । ଅଲ୍‌ଟର୍‌ନେଟିଭ୍ ମେଡିସିନ୍ ଅନେକ ସମୟରେ ବ୍ୟବ‌ହାର କରାଯାଉଛି । [୧]

ପିଲାମାନଙ୍କର ଚଳପ୍ରଚଳ ଅବ୍ୟବସ୍ଥା ସମ୍ବନ୍ଧିତ ରୋଗମାନଙ୍କ ମଧ୍ୟରେ ସି.ପି. ଅତି ସାଧାରଣ ।[୪] ଜିବନ୍ତ ଜନ୍ମିତ ଶିଶୁଙ୍କ ମଧ୍ୟରେ ଏହାର ସଂଖ୍ୟା ପ୍ରାୟ ୨.୧ % ।[୫] ଆଦିମ କାଳରୁ ଏହି ସି.ପି. ରୋଗ ମନୁଷ୍ୟଙ୍କୁ ଆକ୍ରମଣ କରିଆସିଛି । ଖ୍ରୀ:ପୂ: ୫ମ ଶତାବ୍ଦୀରେ ହିପୋକ୍ରାଟିସ୍ ପ୍ରଥମେ ଏହ ବିଷୟରେ ଲେଖିଥିଲେ । ଏହା ବିଷୟରେ ସବିଶେଷ ଭାବରେ ୧୯ତମ ଶତାବ୍ଦୀରେ ଉଇଲିଅମ ଜନ ଲିଟ୍‌ଲ୍ ବର୍ଣ୍ଣନା କରିଥିଲେ । [୬] ସ୍ଟେମ ସେଲ୍ ଥେରାପି ସ‌ହ ଅନେକ ସଂଖ୍ୟକ ଚିକିତ୍ସା ଏହି ରୋଗ ନିମନ୍ତେ ପରୀକ୍ଷା ନିରୀକ୍ଷା କରାଯାଉଛି । ଯାହାହେଉ, ଆହୁରି ଅନେକ ଗବେଷଣା ଏହାର ଉପକାରୀତା ଓ ବିପଦଶୂନ୍ୟତା ଜାଣିବା ନିମନ୍ତେ ଆବଶ୍ୟକ । [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Cerebral Palsy: Hope Through Research". http://www.ninds.nih.gov. February 2, 2015. Retrieved 4 March 2015. External link in |website= (help)
  2. "http://www.nichd.nih.gov/". Cerebral Palsy: Overview. September 5, 2014. Retrieved 4 March 2015. External link in |title= (help)
  3. "CEREBRAL PALSY, SPASTIC QUADRIPLEGIC, 1; CPSQ1". https://omim.org. November 13, 2012. Retrieved 4 March 2015. External link in |website= (help)
  4. "How many people are affected?". http://www.nichd.nih.gov. September 5, 2014. Retrieved 4 March 2015. External link in |website= (help)
  5. Oskoui, M; Coutinho, F; Dykeman, J; Jetté, N; Pringsheim, T (Jun 2013). "An update on the prevalence of cerebral palsy: a systematic review and meta-analysis". Developmental medicine and child neurology. 55 (6): 509–19. doi:10.1111/dmcn.12080. PMID 23346889.
  6. Panteliadis, C; Panteliadis, P; Vassilyadi, F (Apr 2013). "Hallmarks in the history of cerebral palsy: from antiquity to mid-20th century". Brain & development. 35 (4): 285–92. doi:10.1016/j.braindev.2012.05.003. PMID 22658818.