ସାନ୍ତାଳ ବିଦ୍ରୋହ

ଉଇକିପିଡ଼ିଆ‌ରୁ
ସାନ୍ତାଳ ବିଦ୍ରୋହ
Part of ଭାରତୀୟ ସ୍ୱାଧୀନତା ଆନ୍ଦୋଳନ
ଦି ଇଲଷ୍ଟ୍ରେଟେଡ଼ ଲଣ୍ଡନ ନିଉଜରେ ପ୍ରକାଶିତ ସାନ୍ତାଳମାନଙ୍କଦ୍ୱାରା ବିଦ୍ରୋହର ଅଙ୍କନ
ଦି ଇଲଷ୍ଟ୍ରେଟେଡ଼ ଲଣ୍ଡନ ନିଉଜରେ ପ୍ରକାଶିତ ସାନ୍ତାଳମାନଙ୍କଦ୍ୱାରା ବିଦ୍ରୋହର ଅଙ୍କନ
ଅବସ୍ଥିତି
ନେତୃତ୍ୱସିଧୁ ଓ କାହ୍ନୁ ମୁର୍ମୁ
ଆଭିମୁଖ୍ୟଜମିଦାରୀ ପ୍ରଥାର ଉଚ୍ଛେଦ
ତାରିଖଜୁନ ୩୦, ୧୮୫୫ – ଜାନୁଆରୀ ୩, ୧୮୫୬ (୧୮୫୫-୦୬-୩୦ – ୧୮୫୬-୦୧-୦୩)
(୭ ମାସ ଧରି ଚାଲିଥିଲା)
ମୃତ୍ୟୁ୧୫,୦୦୦ ମୃତ୍ୟୁ ଓ ଅନେକ ବିସ୍ଥାପିତ[୧]

ସାନ୍ତାଳ ବିଦ୍ରୋହ (ସାନ୍ତାଳ ବିଦ୍ରୋହ ବା ସାନ୍ତାଳ ହୁଲ ନାମରେ ମଧ୍ୟ ପରିଚିତ) ଆଧୁନିକ ଝାଡ଼ଖଣ୍ଡ ଏବଂ ପଶ୍ଚିମ ବଙ୍ଗ, ପୂର୍ବ ଭାରତରେ ସାନ୍ତାଳମାନଙ୍କଦ୍ୱାରା ଉଭୟ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ (ବିଇଆଇସି) ଏବଂ ଜମିଦାରୀ ପ୍ରଥା ବିରୋଧରେ ହୋଇଥିବା ଏକ ବିଦ୍ରୋହ । ଏହା ୧୮୫୫ ଜୁନ ୩୦ରୁ ଆରମ୍ଭ ହୋଇଥିଲା । ୧୮୫୫ ନଭେମ୍ବର ୧୦ରେ ଇଷ୍ଟ ଇଣ୍ଡିଆ କମ୍ପାନୀ ମାର୍ଶାଲ ଆଇନ ଘୋଷଣା କରି ତାହାକୁ ୧୮୫୬ ଜାନୁଆରୀ ୩ ପର୍ଯ୍ୟନ୍ତ ଚଳାଇଥିଲା । ଏହି ତାରିଖରେ ମାର୍ଶାଲ ଆଇନ ସ୍ଥଗିତ ହୋଇଥିଲା ଏବଂ ଶେଷରେ ବିଦ୍ରୋହକୁ ପ୍ରେସିଡେନ୍ସୀ ସୈନ୍ୟମାନେ ଦମନ କରିଥିଲେ । ଏହି ବିଦ୍ରୋହର ନେତୃତ୍ୱ ନେଇଥିଲେ ଚାରି ଭାଇ ସିଦ୍ଧୁ, କାହ୍ନୁ, ଚାନ୍ଦ ଓ ଭୈରବ ।[୨]

ପୃଷ୍ଠଭୂମି[ସମ୍ପାଦନା]

ସେତେବେଳର ବେଙ୍ଗଲ ପ୍ରେସିଡେନ୍ସି ନାମରେ ପରିଚିତ ଆଦିବାସୀ ଅଞ୍ଚଳରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ (ବିଇଆଇସି)ର ରାଜସ୍ୱ ବ୍ୟବସ୍ଥା, କରଦ ପ୍ରଥା ଏବଂ ଭାରତରେ ଜମିଦାରୀ ପ୍ରଥାର ଅନ୍ତ ଘଟାଇବା ପାଇଁ ସାନ୍ତାଳମାନେ ବିଦ୍ରୋହ ଆରମ୍ଭ କରିଥିଲେ । ଏହି ବିଦ୍ରୋହ ଥିଲା ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀଦ୍ୱାରା ଗଠିତ ଦମନକାରୀ ଔପନିବେଶିକ ଶାସନର ଅତ୍ୟାଚାର ବିରୋଧରେ ଯାହା ସ୍ଥାନୀୟ ଜମିଦାର ଓ ପୋଲିସଦ୍ୱାରା ଏକ ବିକୃତ ରାଜସ୍ୱ ବ୍ୟବସ୍ଥା ଏବଂ ଅଦାଲତଦ୍ୱାରା ଆଇନ ବ୍ୟବସ୍ଥା ମାଧ୍ୟମରେ ପ୍ରସାରିତ ହୋଇଥିଲା ।[୩]

ସାନ୍ତାଳମାନେ ଜଙ୍ଗଲ ଉପରେ ନିର୍ଭର କରି ସେଠାରେ ରହୁଥିଲେ । ୧୮୩୨ ମସିହାରେ ବିଇଆଇସି ଆଧୁନିକ ଝାଡ଼ଖଣ୍ଡର ଦାମିନ-ଇ-କୋହ ଅଞ୍ଚଳକୁ ଚିହ୍ନଟ କରି ସାନ୍ତାଳମାନଙ୍କୁ ଏହି ଅଞ୍ଚଳରେ ବସବାସ କରିବାକୁ ନିମନ୍ତ୍ରଣ କରିଥିଲା । ଜମି ଓ ଅର୍ଥନୈତିକ ସୁବିଧାର ପ୍ରତିଶ୍ରୁତି ଯୋଗୁଁ ଧଳଭୂମ, ମନଭୂମ, ହଜାରିବାଗ, ମେଦିନୀପୁର ଆଦି ଅଞ୍ଚଳରୁ ବହୁ ସଂଖ୍ୟକ ସାନ୍ତାଳ ଏଠାକୁ ବସବାସ କରିବାକୁ ଆସିଥିଲେ । ଖୁବ୍ ଶୀଘ୍ର, ବିଇଆଇସିଦ୍ୱାରା କର ଆଦାୟ ମଧ୍ୟସ୍ଥି ଭାବରେ ନିୟୋଜିତ ମହାଜନ ଜମିଦାରମାନେ ଅର୍ଥନୀତିରେ ଆଧିପତ୍ୟ ବିସ୍ତାର କରିଥିଲେ । ଅନେକ ସାନ୍ତାଳ ଏହି ଦୁର୍ନୀତିଗ୍ରସ୍ତ ଅର୍ଥ କର ପ୍ରଥାର ଶିକାର ହୋଇଥିଲେ । ସେମାନଙ୍କୁ ଅତ୍ୟଧିକ ଦରରେ ଋଣ ଦିଆଯାଇଥିଲା । ସେମାନେ ଋଣ ପରିଶୋଧ କରିବାରେ ଅସମର୍ଥ ହେବାରୁ ସେମାନଙ୍କ ଜମିକୁ ଜୋରଜବରଦସ୍ତ ନିଆଯାଇଥିଲା ଏବଂ ସେମାନେ ଦାଦନ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହୋଇଥିଲେ । ଏହି ବିଦ୍ରୋହ ସମୟରେ ସାନ୍ତାଳମାନଙ୍କ ନେତୃତ୍ୱ ନେଇଥିବା ଦୁଇ ଭାଇ ସିଦ୍ଧୁ ଏବଂ କାହ୍ନୁ ମୁର୍ମୁଙ୍କ ସାନ୍ତାଳ ବିଦ୍ରୋହ ଆରମ୍ଭ କରିଥିଲେ ।[୪]

ବିଦ୍ରୋହ[ସମ୍ପାଦନା]

୧୮୫୫ ମସିହା ଜୁନ ୩୦ ତାରିଖରେ ଦୁଇ ସାନ୍ତାଳ ବିଦ୍ରୋହୀ ନେତା ସିଧୁ ଓ କାହ୍ନୁ ମୁର୍ମୁ ପ୍ରାୟ ୬୦,୦୦୦ ସାନ୍ତାଳମାନଙ୍କୁ ଏକାଠି କରି ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ । ବିଦ୍ରୋହ ସମୟରେ ସମାନ୍ତରାଳ ସରକାର ଚଳାଇବା ପାଇଁ ସିଧୁ ମୁର୍ମୁ ପାଖାପାଖି ୧୦ ହଜାର ସାନ୍ତାଳମାନଙ୍କୁ ଏକାଠି କରିଥିଲେ । ଏହି ବିଦ୍ରୋହର ମୂଳ ଉଦ୍ଦେଶ୍ୟ ଥିଲା ନିଜ ଆଇନ ତିଆରି କରି ଓ ତାହା ଲାଗୁ କରି କର ଆଦାୟ କରିବା ।

ଏହି ଘୋଷଣା ପରେ ସାନ୍ତାଳମାନେ ଅସ୍ତ୍ରଶସ୍ତ୍ର ଧାରଣ କରିଥିଲେ । ଅନେକ ଗାଁରେ ଜମିଦାର, ସାହୁକାର ଓ ସେମାନଙ୍କ କର୍ମଚାରୀମାନଙ୍କୁ ହତ୍ୟା କରାଯାଇଥିଲା । ଏହି ଖୋଲା ବିଦ୍ରୋହ କମ୍ପାନୀ ପ୍ରଶାସନକୁ ଚକିତ କରିଥିଲା । ପ୍ରଥମେ ବିଦ୍ରୋହୀମାନଙ୍କୁ ଦମନ କରିବା ପାଇଁ କମ୍ପାନୀ ଏକ ଛୋଟ ସେନା ପଠାଇଥିଲା ହେଲେ ସେମାନେ ବିଫଳ ହୋଇଥିଲେ ଏବଂ ଏହା ବିଦ୍ରୋହର ଭାବନାକୁ ଆହୁରି ଉତ୍ସାହିତ କରିଥିଲା । ପରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାର ହେବାରୁ ଶେଷରେ କମ୍ପାନୀ ପ୍ରଶାସନ ଏକ ବଡ଼ ପଦକ୍ଷେପ ନେଇ ବିଦ୍ରୋହକୁ ଦମନ କରିବା ପାଇଁ ସ୍ଥାନୀୟ ଜମିଦାର ଏବଂ ମୁର୍ଶିଦାବାଦର ନବାବଙ୍କ ସହାୟତାରେ ବହୁ ସଂଖ୍ୟକ ସୈନ୍ୟ ପଠାଇଥିଲା । ସିଧୁ ଓ ତାଙ୍କ ଭାଇ କାହ୍ନୁ ମୁର୍ମୁଙ୍କୁ ଗିରଫ କରିବା ପାଇଁ ଇଷ୍ଟ ଇଣ୍ଡିଆ କମ୍ପାନୀ ୧୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲା ।[୫]

ଏହାପରେ ଅନେକ ସଂଘର୍ଷ ହୋଇ ସାନ୍ତାଳ ବାହିନୀର ବହୁ ସଂଖ୍ୟାରେ କ୍ଷୟକ୍ଷତି ହୋଇଥିଲା । ସାନ୍ତାଳମାନଙ୍କର ଆଦିମ ଅସ୍ତ୍ରଶସ୍ତ୍ର ଇଷ୍ଟ ଇଣ୍ଡିଆ କମ୍ପାନୀ ସେନାର ବାରୁଦ ଅସ୍ତ୍ରଶସ୍ତ୍ର ସହ ତାଳ ଦେଇପାରିନଥିଲା । କମ୍ପାନୀ ସପ୍ତମ ନେଟିଭ ଇନଫ୍ୟାଣ୍ଟ୍ରି ରେଜିମେଣ୍ଟ, ୪୦ତମ ନେଟିଭ ଇନଫ୍ୟାଣ୍ଟ୍ରି ରେଜିମେଣ୍ଟ ଏବଂ ଅନ୍ୟମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିଥିଲା । ୧୮୫୫ ଜୁଲାଇରୁ ଜାନୁଆରୀ ୧୮୫୬ ପର୍ଯ୍ୟନ୍ତ କହଲଗାଁ, ସୁରି, ରଘୁନାଥପୁର ଓ ମୁଙ୍କତୋରା ଆଦି ସ୍ଥାନରେ ବଡ଼ ଧରଣର ସଂଘର୍ଷ ହୋଇଥିଲା ।[୬]

ଶେଷରେ ସିଦ୍ଧୁ ଏବଂ କାହ୍ନୁ ମୁର୍ମୁ ଯୁଦ୍ଧରେ ନିହତ ହେବା ପରେ କମ୍ପାନୀ ବିଦ୍ରୋହକୁ ଦମନ କରିଥିଲା । ବିଦ୍ରୋହ ସମୟରେ ସାନ୍ତାଳ କୁଡ଼ିଆ ଓ ଘର ଭାଙ୍ଗିବା ପାଇଁ ମୁର୍ଶିଦାବାଦର ନବାବ ଯୋଗାଇଥିବା ଯୁଦ୍ଧ ହାତୀ ବ୍ୟବହାର କରାଯାଇଥିଲା । ଏହି ଯୁଦ୍ଧରେ ୧୫,୦୦୦ରୁ ଅଧିକ ଲୋକ ନିହତ ହୋଇଥିଲେ, ଶତାଧିକ ଗାଁ ଧ୍ୱଂସ ହୋଇଥିଲା ଏବଂ ବିଦ୍ରୋହ ସମୟରେ ଅନେକ ଲୋକ ଏକାତ୍ରିତ ହୋଇଥିଲେ ।

ବିଦ୍ରୋହ ସମୟରେ ସାନ୍ତାଳ ନେତାମାନେ ପ୍ରାୟ ୬୦,୦୦୦ ସାନ୍ତାଳଙ୍କୁ ଏକାଠି କରିବାରେ ସକ୍ଷମ ହୋଇଥିଲେ ଏବଂ ୧୫୦୦ରୁ ୨୦୦୦ ଗୋଷ୍ଠୀ ଗଠନ କରିଥିଲେ । ଏହି ବିଦ୍ରୋହକୁ ଆଦିବାସୀ ସମୁଦାୟ ସହ ଗୋପାଳ ଏବଂ ଲୋହାର ଆଦି ଅଣ-ଆଦିବାସୀମାନେ ଖବର ଏବଂ ଅସ୍ତ୍ର ଯୋଗାଇବା ସମର୍ଥନ କରଥିଲେ । ରଣବୀର ସମାଦ୍ଦାର ଯୁକ୍ତି କରନ୍ତି ଯେ ସାନ୍ତାଳଙ୍କ ବ୍ୟତୀତ ଏହି ଅଞ୍ଚଳର ଅନ୍ୟ ଆଦିମ ଅଧିବାସୀ ଯଥା କମାର, ବାଗଦି, ବାଗଲ ଏବଂ ଅନ୍ୟମାନେ ମଧ୍ୟ ବିଦ୍ରୋହରେ ଅଂଶଗ୍ରହଣ କରିଥିଲେ ।[୭][୮]

ଆଧାର[ସମ୍ପାଦନା]

  1. "Santhal Hul Wasn't Just the First Anti-British Revolt, It Was Against All Exploitation". The Wire. Retrieved 2023-07-12.
  2. Xalxo, Abha (2008). "The Great Santal Insurrection (Hul) of 1855-56". Proceedings of the Indian History Congress. 69: 732–755. ISSN 2249-1937. JSTOR 44147237.
  3. Bipan Chandra; Mukherjee, Mridula; Mukherjee, Aditya; Panikkar, Kandiyur Narayana; Mahajan, Sucheta (2016). India's struggle for independence: 1857-1947 (Nachdruck ed.). Gurgaon: Penguin Books. ISBN 978-0-14-010781-4.
  4. Jha, Amar Nath (2009). "Locating the Ancient History of Santal Parganas". Proceedings of the Indian History Congress. 70: 185–196. ISSN 2249-1937. JSTOR 44147668.
  5. Mello, L.D. (2018). Community Development: Rural, Urban and A Tribal Perspective. FSP Media Publications. Retrieved 2023-08-15.
  6. McConnell, Gordon (2022). Encyclopedia of Indian History:19th Century, Vol 2 (in ଆମେରିକୀୟ ଇଂରାଜୀ). Bibliotex. p. 298. ISBN 9781984668103.
  7. Partha Chatterjee, ed. (1995). Texts of Power: Emerging Disciplines in Colonial Bengal. Minneapolis, London: University of Minnesota Press. p. 191. ISBN 978-0-8166-2686-1. JSTOR 10.5749/j.ctttsttm.
  8. Singh, Kumar Suresh (2008). People of India: Bihar, including Jharkhand (2 pts) (in ଇଂରାଜୀ). Anthropological Survey of India. p. 584. ISBN 978-81-7046-303-0.

ଅଧିକ ପଠନ[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]