ଶିଖଣ୍ଡୀ (ମହାଭାରତ)

ଉଇକିପିଡ଼ିଆ‌ରୁ

ହିନ୍ଦୁ ପୁରାଣ ମହାଭାରତର ଏକ ଚରିତ୍ର ଶିଖଣ୍ଡୀ ପାଞ୍ଚାଳ ଦେଶର ରାଜା ଦ୍ରୁପଦଙ୍କ ଘରେ କନ୍ୟା ରୂପେ ଜନ୍ମିଥିଲେ । ମହାଭାରତର ବର୍ଣ୍ଣନା ଅନୁସାରେ ଭୀଷ୍ମଙ୍କଦ୍ୱାରା ଅପହୃତ କାଶୀ ରାଜକନ୍ୟା ଅମ୍ବା ହିଁ ପରଜନ୍ମରେ ରାଜା ଦ୍ରୁପଦଙ୍କ ଘରେ ଶିଖଣ୍ଡିନୀ ନାମରେ ଜନ୍ମ ନେଇ ପୂର୍ବ ଜନ୍ମର ପ୍ରତିଶୋଧ ଭାବେ ମହାଭାରତ ଯୁଦ୍ଧରେ ଭୀଷ୍ମଙ୍କର ମୃତ୍ୟୁର କାରଣ ହେଲେ ।

କୃପ ସହ ଶିଖଣ୍ଡୀ

ପୃର୍ବ ଜନ୍ମ ବୃତ୍ତାନ୍ତ[ସମ୍ପାଦନା]

ମହାଭାରତର ଅଧିକାଂଶ ସଂସ୍କରଣରେ, ଶିଖଣ୍ଡୀ ପୂର୍ବ ଜନ୍ମରେ କାଶୀରାଜାଙ୍କ ଜ୍ୟେଷ୍ଠା କନ୍ୟା ଅମ୍ବା ହୋଇଥିବାର କାହାଣୀ ଅଛି [୧]। ଅମ୍ବାଙ୍କର ଅନ୍ୟ ଦୁଇ ଭଉଣୀ ଥିଲେ ଅମ୍ବିକା ଏବଂ ଅମ୍ବାଳିକା । ମହାଭାରତର 'ଆଦି ପର୍ବ'ରେ ଥିବା ବର୍ଣ୍ଣନା ଅନୁସାରେ କାଶୀରାଜା ନିଜର ତିନି କନ୍ୟାର ବିବାହ ନିମନ୍ତେ ଏକ ସ୍ୱୟଂବର ଆୟୋଜନ କରିଥିଲେ । ତିନି ରାଜକୁମାରୀଙ୍କ ସ୍ୱୟଂବର ସଭାକୁ ଭୀଷ୍ମଙ୍କୁ ଡକାଯାଇ ନ ଥିଲା । ତେବେ ଭୀଷ୍ମ ଏହି ତିନି ରାଜକୁମାରୀଙ୍କ ସ୍ୱୟଂବର ବିଷୟରେ ଜାଣିଲେ ଏବଂ ତାଙ୍କ ସାବତ ଭାଇ ବିଚିତ୍ରବୀର୍ଯ୍ୟଙ୍କ ପାଇଁ ରାଜକୁମାରୀଙ୍କୁ ଜିତିବା ପାଇଁ ସ୍ୱୟଂବରକୁ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ଭୀଷ୍ମ ରାଜକନ୍ୟାଙ୍କୁ ସାଥିରେ ନେଇଯିବାର ଇଚ୍ଛା ଘୋଷଣା କରନ୍ତେ ଏକତ୍ରିତ ହୋଇଥିବା ଅନ୍ୟା ରାଜାମାନେ ତାଙ୍କୁ ଅଟକାଇବାକୁ ଚେଷ୍ଠା କରିଥିଲେ । ଭୀଷ୍ମ ରାଜକୁମାରୀମାନଙ୍କୁ ତାଙ୍କ ରଥରେ ବାଧ୍ୟ କରି ବସାଇ ସେଠାରୁ ଚାଲିଆସିଲେ । ଶାଲ୍ୱ ରାଜକୁମାର ଏବଂ ଅମ୍ବା ଗୁପ୍ତରେ ପ୍ରେମ କରୁଥିଲେ ଏବଂ ଅମ୍ବା ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ । ଭୀଷ୍ମଙ୍କ ସହ ଯେଉଁ ଯୁଦ୍ଧ ହେଲା ସେଥିରେ ଅମ୍ବାଙ୍କ ଭାବୀ ପତି ଶାଲ୍ୱ ରାଜକୁମାର ମଧ୍ୟ ଭୀଷ୍ମଙ୍କ ସହ ଯୁଦ୍ଧ କରି ପରାସ୍ତ ତଥା ଆହତ ହୋଇଥିଲେ । ତେବେ ଅମ୍ବାଙ୍କ ଅନୁରୋଧକ୍ରମେ ଭୀଷ୍ମ ତାଙ୍କ ଜୀବନ ରକ୍ଷା କରିଥିଲେ । ଅମ୍ବାଙ୍କ ନିଜ ଅଭିଳାଷ ବିଷୟରେ ଜାଣି ନ ଥିବାରୁ ଭୀଷ୍ମ ହସ୍ତିନାପୁରକୁ ଯାଇ ମାତା ସତ୍ୟବତୀଙ୍କ ସମ୍ମୁଖରେ ତିନି ରାଜକୁମାରୀଙ୍କୁ ଉପସ୍ଥାପନ କଲେ । ଅମ୍ବା ଭୀଷ୍ମ ଏବଂ ବ୍ରାହ୍ମଣ ପରିଷଦ ନିକଟକୁ ଯାଇ ପ୍ରକାଶ କରିଥିଲେ ଯେ ସେ ଏବଂ ଶାଲ୍ୱ ପରସ୍ପରକୁ ଭଲ ପାଉଛନ୍ତି ଏବଂ ସେ ତାଙ୍କୁ ସ୍ୱୟଂବରରେ ତାଙ୍କ ସ୍ୱାମୀ ଭାବରେ ବାଛିବାକୁ ଯାଉଛନ୍ତି । ଭୀଷ୍ମ ଏକଥା ଜାଣିବା ପରେ ତାଙ୍କୁ ସମ୍ମାନର ସହ ଶାଲ୍ୱଙ୍କ ନିକଟକୁ ପଠାଇଦେଇ ଅମ୍ବିକା ଏବଂ ଅମ୍ବାଳିକାଙ୍କୁ ବିଚିତ୍ରବୀର୍ଯ୍ୟଙ୍କ ସହ ବିବାହ କରାଇଥିଲେ ।

ଯେତେବେଳେ ଅମ୍ବା ସୂଚନା ଦେଲେ ଯେ ସେ ରାଜା ଶାଲ୍ୱଙ୍କୁ ତାଙ୍କ ସ୍ୱାମୀ ଭାବରେ ଗ୍ରହଣ କରିଛନ୍ତି, ସେତେବେଳେ ବିଚିତ୍ରବୀର୍ଯ୍ୟ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । ଭୀଷ୍ମ ତାଙ୍କୁ ରାଜା ଶାଲ୍ୱଙ୍କ ନିକଟକୁ ପଠାଇଲେ । ଭୀଷ୍ମଙ୍କଦ୍ୱାରା ପରାଜୟର ଅପମାନରେ ଜର୍ଜରିତ ରାଜା ଶାଲ୍ୱ କିନ୍ତୁ ଅମ୍ବାଙ୍କୁ ଗ୍ରହଣ କଲେ ନାହିଁ, ତେଣୁ ସେ ହସ୍ତିନାପୁରକୁ ଫେରି ଭୀଷ୍ମଙ୍କୁ କହିଲେ, "ହେ ଆର୍ଯ୍ୟ! ତୁମେ ମୋତେ ବଳପୂର୍ବକ ଆଣିଛ, ତେଣୁ ତୁମେ ମୋତେ ବିବାହ କର ।" ବିବାହ ନ କରିବା ନିମନ୍ତେ ପ୍ରତିଜ୍ଞାବଦ୍ଧ ହେତୁ ଭୀଷ୍ମ ତାଙ୍କ ଅନୁରୋଧ ଗ୍ରହଣ କରିନଥିଲେ । ଅମ୍ବା ଏଥିରେ ମର୍ମାହତ ତଥା କ୍ରୋଧିତ ହୋଇ ଭୀଷ୍ମଙ୍କୁ କହିଲେ ଯେ ତାଙ୍କ ଅପମାନର କାରଣ ହେତୁ ସେ ହିଁ ଭୀଷ୍ମଙ୍କ ମୃତ୍ୟୁର କାରଣ ହେବେ । କ୍ରୋଧରେ ଜର୍ଜରିତ ଅମ୍ବା ଏହାପରେ ପିତାଙ୍କ ଗୃହକୁ ନ ଯାଇ ସେ ପର୍ଶୁରାମଙ୍କ ନିକଟକୁ ଯାଇ ତାଙ୍କ ଯନ୍ତ୍ରଣା ବିଷୟରେ କହିବା ସହ ତାଙ୍କୁ ଏଥି ନିମିତ୍ତ ସାହାଯ୍ୟ ମାଗିଥିଲେ । ପର୍ଶୁରାମ ଅମ୍ବାଙ୍କୁ କହିଲେ, "ବ୍ୟସ୍ତ ହୁଅ ନାହିଁ, ମୁଁ ତୁମକୁ ଭୀଷ୍ମଙ୍କ ସହିତ ବିବାହ କରାଇବି ।" ଏଥିପାଇଁ ପର୍ଶୁରାମ ଭୀଷ୍ମଙ୍କୁ ଡକାଇଥିଲେ କିନ୍ତୁ ଭୀଷ୍ମ ତାଙ୍କ ନିକଟକୁ ଯାଇ ନଥିଲେ । ଏଥିରେ କ୍ରୋଧିତ ହୋଇ ପରଶୁରାମ ଭୀଷ୍ମଙ୍କ ନିକଟରେ ପହଞ୍ଚିଥିଲେ ଏବଂ ଦୁଇ ବୀରଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଥିଲା । ଉଭୟ ଅଦ୍ଭୁତପୂର୍ବ ଯୋଦ୍ଧା ଥିଲେ, ତେଣୁ ବିଜୟ ଏବଂ ପରାଜୟ ସ୍ଥିର ହୋଇପାରିଲା ନାହିଁ ।[୨] ସର୍ବଶେଷରେ, ନାରଦ ମୁନି ତଥା ଦେବତାମାନେ ହସ୍ତକ୍ଷେପ କରି ଏହି ଯୁଦ୍ଧକୁ ସମାପ୍ତ କଲେ । ନିରାଶ ହୋଇ ଅମ୍ବା ଜଙ୍ଗଲରେ ଅନୁତାପ କରିବାକୁ ଯାଇଥିଲେ, ଯେଉଁଠାରେ ସେ ମହାଦେବଙ୍କୁ ସନ୍ତୁଷ୍ତ କରିବାକୁ ଘୋର ତପସ୍ୟା କରିଥିଲେ । ମହାଦେବ ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ତାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ ଏବଂ ସେ ହିଁ ପରବର୍ତ୍ତୀ ଜୀବନରେ ଭୀଷ୍ମଙ୍କ ମୃତ୍ୟୁ ଘଟାଇବେ ବୋଲି ବର ପ୍ରଦାନ କରିଥିଲେ । ଏହି ବରକୁ ପ୍ରାପ୍ତ କରି ଅମ୍ବା ଆତ୍ମ ଦାହ କରି ପରବର୍ତ୍ତୀ ଜୀବନରେ ରାଜା ଦ୍ରୁପଦଙ୍କ ଘରେ ଶିଖଣ୍ଡୀ ଭାବରେ ଜନ୍ମଗ୍ରହଣ କରିଥିଲେ ।

ସି. ରାଜାଗୋପାଲାଚାରୀଙ୍କ ଏକ ଲେଖା ଅନୁଯାୟୀ ଅମ୍ବା ପ୍ରଭୁ କାର୍ତ୍ତିକେୟଙ୍କ ନିକଟରେ ତପ କରି ନୀଳ କମଳର ଏକ ପୁଷ୍ପ ହାର ପ୍ରାପ୍ତ ହେଲେ । ଦୈବିବାଣି ଅନୁସାରେ ସେହି ପୁଷ୍ପମାଳ ପିନ୍ଧିଥିବା ଲୋକ ହିଁ ଭୀଷ୍ମଙ୍କ ମୃତ୍ୟୁର କାରଣ ହେବ । ଏକ ଶକ୍ତିଶାଳୀ ସାମ୍ରାଜ୍ୟ ଭାବେ ଜଣାଶୁଣା ରାଜ୍ୟ ପାଞ୍ଚାଲକୁ ସେ ଗଲେ ସିନା, ତଥାପି, ଭୀଷ୍ମଙ୍କ ବୀରତ୍ୱରେ ଭୟଭୀତ ହୋଇ କେହି ବି ଅମ୍ବାଙ୍କୁ ଏ ଦିଗରେ କୌଣସି ସାହାଯ୍ୟ କଲେ ନାହି । ଅମ୍ବା କ୍ରୋଧରେ ରାଜା ଦ୍ରୁପଦଙ୍କ ଫାଟକରେ ଫୁଲମାଳ ଟାଙ୍ଗିଦେଇ ମନଦୁଃଖରେ ଜଙ୍ଗଲକୁ ଚାଲିଗଲେ ଏବଂ ଶିବ ଆରାଧନା କରିବାକୁ ଲାଗିଲେ । ଭଗବାନ ଶିବଙ୍କୁ କଠୋର ତପ କରି ସନ୍ତୁଷ୍ଟ କରିଥିଲେ । କିନ୍ତୁ, କୌଣସି ସାମରିକ ବଳ ନଥିବା ଜଣେ ମହିଳା ହୋଇ ସେ ଶିବଙ୍କୁ ତାଙ୍କ କାର୍ଯ୍ୟ କିପରି କରିବେ ତାହା ପଚାରିଥିଲେ ଏବଂ ସେ ଉତ୍ତରରେ କୁହାଯାଇଥିଲା ଯେ ଭବିଷ୍ୟତରେ ଅମ୍ବାଙ୍କ ଅବତାରରେ ହିଁ ଭୀଷ୍ମଙ୍କ ଦେହାନ୍ତ ହେବ । ଏହା ଜାଣିବାକୁ ଆଗ୍ରହ ବଶତଃ, ଅମ୍ବା ଆତ୍ମଦାହ କଲେ ଏବଂ ପରଜନ୍ମରେ ଦ୍ରୁପଦଙ୍କ ଝିଅ ଶିଖଣ୍ଡୀନି ଭାବରେ ପୁନର୍ବାର ଜନ୍ମ ହୋଇଥିଲେ ।

ଲିଙ୍ଗଗତ ବୈଶିଷ୍ଟ୍ୟ[ସମ୍ପାଦନା]

ଶିଖଣ୍ଡୀ ପ୍ରଥମେ ପାଞ୍ଚାଳ ନରେଶ ଦ୍ରୁପଦଙ୍କ ଘରେ ଏକ କନ୍ୟା ଭାବରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମ ସମୟରେ, ଏକ ଦୈବୀବାଣୀ ହେଲା ​​ଯେ ତାଙ୍କ ଲାଲନପାଲନ ଏକ ଝିଅରୂପରେ ନୁହେଁ ବରଂ ଏକ ପୁଅ ରୂପରେ ହେବା ଉଚିତ । ତେଣୁ ଶିଖଣ୍ଡୀ ଜଣେ ପୁରୁଷ ପରି ପ୍ରତିପୋଷିତ ହୋଇଥିଲେ । ତାଙ୍କୁ ଯୁଦ୍ଧ ବିଦ୍ୟାର ତାଲିମ ଦିଆଯାଇଥିଲା ଏବଂ ପରେ ସେ ବିବାହ ମଧ୍ୟ କରିଥିଲେ । ବିବାହ ରାତିରେ ତାଙ୍କ ପତ୍ନୀ ସତ୍ୟ ଜାଣିବା ପରେ ତାଙ୍କୁ ଅପମାନିତ କରିଥିଲେ । ଆତ୍ମହତ୍ୟା ଚିନ୍ତା କରି ଅପମାନିତ ଶିଖଣ୍ଡୀ ପାଞ୍ଚାଳ ଦେଶରୁ ପଳାଇ ଯାଇଥିଲେ । ତା’ପରେ ଜଣେ ଯକ୍ଷ ତାଙ୍କୁ ରକ୍ଷା କଲେ ଏବଂ ଲିଙ୍ଗ ପରିବର୍ତ୍ତନ କଲେ ଏବଂ ତାଙ୍କୁ ନିଜର ପୁରୁଷତ୍ୱ ପ୍ରଦାନ କଲେ । ଏହିପରି ଶିଖଣ୍ଡୀ ଜଣେ ପୁରୁଷ ଭାବରେ ପାଞ୍ଚାଳକୁ ଫେରି ନିଜ ପତ୍ନୀ ଏବଂ ପିଲାମାନଙ୍କ ସହିତ ସୁଖୀ ଦାମ୍ପତ୍ୟ ଜୀବନ ବିତାଇଲେ । ତାଙ୍କ ମୃତ୍ୟୁ ପରେ ଯକ୍ଷ ପୁନର୍ବାର ନିଜର ପୁରୁଷତ୍ୱ ଫେରି ପାଇଲେ ।

କୁରୁକ୍ଷେତ୍ର ଯୁଦ୍ଧ[ସମ୍ପାଦନା]

ମହାଭାରତ ଯୁଦ୍ଧରେ ଶିଖଣ୍ଡୀ କୌରବଙ୍କ ବିରୁଦ୍ଧରେ ଲଢିଥିଲେ । କୁରୁକ୍ଷେତ୍ର ଯୁଦ୍ଧରେ ଭୀଷ୍ମ ଶିଖଣ୍ଡୀଙ୍କୁ ଅମ୍ବାଙ୍କର ପୁନର୍ଜନ୍ମ ବୋଲି ଚିହ୍ନିଥିଲେ ଏବଂ ଜଣେ ନାରୀ ସହିତ ଲଢିବାକୁ ଇଚ୍ଛା ନ କରି ଅସ୍ତ୍ରତ୍ୟାଗ କରିଥିଲେ । ମହାଭାରତ ଯୁଦ୍ଧର ଦଶମ ଦିନରେ କୌରବ ସେନାର ଅନେକ ଯୋଦ୍ଧା ଶିଖଣ୍ଡୀଙ୍କୁ ଆକ୍ରମଣ କରି ଆହତ କରିଥିଲେ ଏବଂ କେତେକ ପାଣ୍ଡବଙ୍କୁ ମଧ୍ୟ ଅଟକାଇଥିଲେ । ଏଠାରେ ଶିଖଣ୍ଡୀ ଭୀଷ୍ମଙ୍କ ବିରୋଧରେ ନିଜର ପ୍ରତିଶୋଧ ନେବାକୁ ସୁଯୋଗ ପାଇଲେ । ଶିଖଣ୍ଡୀ ଜନ୍ମରୁ ଜଣେ ମହିଳା ହୋଇଥିବା ଜାଣି ଭୀଷ୍ମ ତାଙ୍କ ବିରୁଦ୍ଧରେ ଅସ୍ତ୍ର ଉଠାଇବାକୁ ମନା କରିଦେଇଥିଲେ ଏବଂ ତେଣୁ ଅର୍ଜୁନ ଶିଖଣ୍ଡୀଙ୍କୁ ଢାଲ ଭାବରେ ବ୍ୟବହାର କରି ଭୀଷ୍ମଙ୍କ ଉପରକୁ ଅଜସ୍ର ତୀର ମାରିଥିଲେ ଯାହାଦ୍ୱାରା ତାଙ୍କର ମୃତ୍ୟୁ ଘଟିଥିଲା । ଏହିପରି ଭୀଷ୍ମଙ୍କ ମୃତ୍ୟୁରେ ଶିଖଣ୍ଡୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଯୁଦ୍ଧର ଅଷ୍ଟାଦଶ ଦିନରେ ଶିଖଣ୍ଡୀ ଶେଷରେ ଅଶ୍ୱତଥାମାଙ୍କଦ୍ୱାରା ନିହତ ହୋଇଥିଲେ । ଯୁଦ୍ଧର ଶେଷ ଦିନ ରାତିରେ ଅଶ୍ୱତଥାମା, କୃପାଚାର୍ଯ୍ୟ ଏବଂ କୃତବର୍ମା ପାଣ୍ଡବ ଶିବିର ଉପରେ ଆକ୍ରମଣ କରିଥିବାବେଳେ ଶିଖଣ୍ଡୀଙ୍କୁ ଖଣ୍ଡା ଯୁଦ୍ଧରେ ହତ୍ୟା କରାଯାଇଥିଲା ।[୩]

ଆଧାର[ସମ୍ପାଦନା]

  1. Sorabji, Cornelia, and Warwick Goble. Shikhandi: The Maiden-knight and Other Stories. Bombay: Blackie and Son, 1916. Print.
  2. "The Mahabharata, Book 1: Adi Parva: Sambhava Parva: Section LXVII". www.sacred-texts.com. Retrieved 10 December 2020.
  3. "MAHABHARATA - After The Battle". web.archive.org. 17 June 2012. Archived from the original on 17 June 2012. Retrieved 10 December 2020.{{cite web}}: CS1 maint: bot: original URL status unknown (link)