Jump to content

ଶନ୍ନୋଦେବୀ

ଉଇକିପିଡ଼ିଆ‌ରୁ

ପରିଚୟ

[ସମ୍ପାଦନା]

ଶନ୍ନୋ ଦେବୀ ଓଡ଼ିଶା ତଥା ପୂର୍ବ ଭାରତର ପ୍ରଥମ ମହିଳା ପୁରୋହିତ। ସେ ଦେଶ ଓ ବିଦେଶରେ ପୁରୋହିତ ଭାବେ ପାଞ୍ଚ ହଜାରୁ ଅଧିକ ବିବାହ କରିସାରିଛନ୍ତି। ନିଜର ପ୍ରଚେଷ୍ଟା ବଳରେ ହଜାର ହଜାର ବର୍ଷର ପରମ୍ପରାକୁ ସେ ବଦଳାଇ ଦେଇଛନ୍ତି ।[]

ଜୀବନୀ

[ସମ୍ପାଦନା]

ଶନ୍ନୋ ଦେବୀ ପଢ଼ୁଥିବା ବିଦ୍ୟାଲୟରେ କେହି ସହପାଠିନୀ ନ ଥିଲେ । ୫୦ ଜଣ ପିଲାଙ୍କ ଭିତରେ ସେ ଥିଲେ ବିଦ୍ୟାଲୟରେ ଏକମାତ୍ର ଝିଅ । ସେହି ବିଦ୍ୟାଲୟରେ ତାଙ୍କ ବାପା ପ୍ରଧାନ ଶିକ୍ଷକ ହୋଇଥିବାରୁ ଶନ୍ନୋ ଦେବୀଙ୍କୁ ପାଠ ପଢ଼ିବାର ସୁଯୋଗ ମିଳିଥିଲା । ବିଦ୍ୟାଲୟରେ ବାପାଙ୍କ ଅନୁପସ୍ଥିତିରେ ଥରେ ସେ ବାଲ୍ୟବିବାହ ପ୍ରସଙ୍ଗ ଉପରେ ବକ୍ତୃତା ପ୍ରତିଯୋଗିତାରେ ଭାଗନେଇଥିଲେ ଏବଂ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ତେବେ ପ୍ରତିଯୋଗିତାରେ ଭାଗ ନେଇଥିବାରୁ ତାଙ୍କୁ ବାପାଙ୍କଠାରୁ ମାଡ ଖାଇବାକୁ ପଡ଼ିଥିଲା ।[]

ପିଲାବେଳୁ ତାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରିବାରେ ବହୁତ ଆଗ୍ରହ ରହିଥିଲେ ମଧ୍ୟ ସେତେବେଳେ ମହିଳାମାନେ ଗାୟତ୍ରୀ ମନ୍ତ୍ର ପାଠ କରିବା ଉପରେ କଟକଣା ରହିଥିଲା । ଶନ୍ନୋ ଦେବୀଙ୍କୁ ତାଙ୍କର ଅଜା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସ ଗାୟତ୍ରୀ ମନ୍ତ୍ର ପାଠରୁ ନିବୃତ୍ତ ରହିବାକୁ ତାଗିଦ କରିଥିଲେ । ଏହି ଘଟଣା ଶନ୍ନୋ ଦେବୀଙ୍କ ମନରେ ଗଭୀର ଆଘାତ ଦେଇଥିଲା । ଯେଉଁଥିପାଇଁ ସେ ଶପଥ ନେଇଥିଲେ ଯେ ପୁରୁଷଙ୍କ ଅଧିକାର ସହିତ ମହିଳାମାନଙ୍କୁ ସମକକ୍ଷ କରିବାକୁ ହେବ । 

ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିବାରୁ ସେ ପୁରୁଷଙ୍କ ଭଳି ବିବାହ, ବ୍ରତଘର ଓ ପୂଜା ଆଦି ବିଭିନ୍ନ ପ୍ରକାରର କର୍ମକାଣ୍ଡ କରିବାକୁ ଇଚ୍ଛା ପ୍ରକାଶ କଲେ । କିନ୍ତୁ ଏସବୁ କରିବାକୁ ସାମାଜିକ ପ୍ରତିବାଦ ତାଙ୍କୁ ବାଧା ଦେଇଥିଲା । ୧୫ ବର୍ଷ ବୟସରେ ଇଞ୍ଜିନିୟର ପ୍ରିୟବ୍ରତ ଦାସଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ଶନ୍ନୋ ଦେବୀଙ୍କ ଶ୍ୱଶୂର ଥିଲେ ଉଚ୍ଚଚିନ୍ତାଧାରାର ବ୍ୟକ୍ତି । ବୋହୂର ଇଚ୍ଛା ଜାଣିପାରି ତାଙ୍କୁ ପଇତା ପିନ୍ଧିବାକୁ ଅନୁମତି ପ୍ରଦାନ କରିଥିଲେ । ଶନ୍ନୋ ଦେବୀ ପ୍ରଥମେ ଘରେ ହେଉଥିବା ପୂଜାପାଠ ଆଦି କାମରେ ଯୋଗ ଦେଇଥିଲେ ପରେ ବିବାହ ଏବଂ ବ୍ରତଘର ଭଳି ବିଭିନ୍ନ ପ୍ରକାରର ପୂଜାରେ ଅଭିଜ୍ଞତା ହାସଲ କଲେ । ପ୍ରଥମେ ଦେବବ୍ରତ ଶାସ୍ତ୍ରୀ ନାମକ ଜଣେ ସଂସ୍କାରବାଦୀ ବ୍ୟକ୍ତି ନିଜର ଦୁଇ ଝିଅଙ୍କ ବିବାହରେ ପୁରୋହିତ କାର୍ଯ୍ୟ ନିର୍ବାହ କରିବାକୁ ପ୍ରସ୍ତାବ ଦେଇଥିଲେ । ତାପରେ ସେ ଗୋଟିଏ ପରେ ଗୋଟିଏ ପୁରୋହିତ କାର୍ଯ୍ୟ ସମ୍ପନ୍ନ କରି ପ୍ରତିଷ୍ଠା ଲାଭ କଲେ । ପରବର୍ତ୍ତୀ ମୁହୂର୍ତ୍ତରେ ସେ ଆର୍ଯ୍ୟ ସମାଜ ସହିତ ଯୋଡି ହୋଇ ପୁରୋହିତ କାର୍ଯ୍ୟ ପାଇଁ ଅଧିକ ଆଗ୍ରହୀ ହୋଇଥିଲେ । ଶନ୍ନୋ ଦେବୀ ଦେଶ ତଥା ବିଦେଶରେ ପାଖାପାଖି ୫ ହଜାରରୁ ଉର୍ଦ୍ଧ୍ୱ ବିବାହ ସଂପନ୍ନ କରିସାରିଛନ୍ତି । ସାମୂହିକ ବେଦପାଠ ନିମନ୍ତେ ପ୍ରଥମେ ତାଙ୍କୁ ଭବାନୀପାଟଣାର ମହାରାଜ ପ୍ରତାପକେଶରୀ ଦେବ ସୁଯୋଗ ପ୍ରଦାନ କରିଥିଲେ । ୧୯୯୮ ମସିହାରେ ଆମେରିକାରେ ଅନୁଷ୍ଠିତ ଧର୍ମ ସମ୍ମିଳନୀରେ ବେଦ ପ୍ରସଙ୍ଗରେ ନିଜର ବକ୍ତବ୍ୟ ଉପସ୍ଥାପନା କରିଥିଲେ । ମହିଳାମାନଙ୍କୁ ଏ ଦିଗରେ ପ୍ରୋତ୍ସାହନ ଦେବା ପାଇଁ ସେ ତିନିଟି ପୁସ୍ତକ ମଧ୍ୟ ରଚନା କରିଛନ୍ତି। ଏପରି ଏକ ବୈପ୍ଲବିକ କାର୍ଯ୍ୟ ପାଇଁ ତାଙ୍କୁ ସାମାଜିକ ସ୍ୱୀକୃତି ମିଳିଛି । 

ପୁସ୍ତକ:[]

[ସମ୍ପାଦନା]

ଶ୍ରୁତି ବାତାୟନ

ବୈଦିକ ଯଜ୍ଞ ଏବଂ କାର୍ଯ୍ୟରେ ମହିଳାଙ୍କ ଅଧିକାର

ବେଦରେ ନାରୀ

ପୁରସ୍କାର:[]

[ସମ୍ପାଦନା]

ଗୁଜରାଟର ମହର୍ଷି ଦୟାନନ୍ଦ ବୋଧୋତ୍ସବ ସମ୍ମାନ

ଜଗନ୍ନାଥ ସୋସାଇଟି ଅଫ୍ ଆମେରିକା

ଓଡ଼ିଆ ସୋସାଇଟି ଅଫ୍ ଆମେରିକା

ଆର୍ଯ୍ୟ ରାଜୋରୀ ଗାର୍ଡେନ୍

ଉତ୍କଳ ଗୃହିଣୀ ଆଦି ସମ୍ମାନ

  1. The Sunday Indian 2012 August 5
  2. The Sunday indian 2012 August 5
  3. The Sunday indian 2012 August 5
  4. The Sunday indian 2012 August 5