Jump to content

ଲଳିତପୁର, ନେପାଳ

ଉଇକିପିଡ଼ିଆ‌ରୁ
ପାଟଣ ଦରବାର ସ୍କୋୟାର ମହଲ

ଲଳିତପୁର ମହାନଗର ନିଗମ (ନେପାଳୀ: ललितपुर महानगरपालिका), ଯାହା ପାଟଣ ଭାବରେ ମଧ୍ୟ ଜଣାଶୁଣା, ଏକ ମେଟ୍ରୋ ନଗର ଏବଂ ନେପାଳର ଚତୁର୍ଥ ସର୍ବାଧିକ ଜନବହୁଳ ସହର ଅଟେ | ୨୦୨୧ ଜନଗଣନା ତଥ୍ୟ ଅନୁଯାୟୀ ଏଠରେ ୪୯,୦୪୪ ପରିବାରରେ ୨୯୯,୮୪୩ ବାସିନ୍ଦା ବାସ କରନ୍ତି ।[] ଏହା କାଠମାଣ୍ଡୁ ଉପତ୍ୟକାର ଦକ୍ଷିଣ-ମଧ୍ୟ ଭାଗରେ, ନେପାଳର ଉଚ୍ଚ ମାଳଭୂମିରେ ଏହା ସମୁଦ୍ର ପତ୍ତନ ଠାରୁ ୧୪୦୦ ମିଟର (୪୬୦୦ ଫୁଟ) ଉଚ୍ଚରେ ଅବସ୍ଥିତ |

ଏହାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ବିଶେଷତଃ ଏହାର କଳା ଏବଂ ହସ୍ତଶିଳ୍ପ ପରମ୍ପରା ପାଇଁ ଏହା ବେଶ୍ ଜଣାଶୁଣା | ଏଠାରେ ହିନ୍ଦୁ ଏବଂ ବୌଦ୍ଧ ସଂପ୍ରଦାୟର ସଂଖ୍ୟାଗରିଷ୍ଠତା ସହ ଅନ୍ୟ ବହୁ-ଜାତିର ଲୋକ ବସବାସ କରନ୍ତି | ଧାର୍ମିକ ଏବଂ ସାଂସ୍କୃତିକ ଉତ୍ସବ କାଠମାଣ୍ଡୁରେ ରହୁଥିବା ଲୋକଙ୍କ ସାମାଜିକ ଜୀବନର ଏକ ପ୍ରମୁଖ ଅଂଶ ଅଟେ | ପର୍ଯ୍ୟଟନ ଏହି ସହରର ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହା ଏହାର ପର୍ବ , ପ୍ରାଚୀନ କଳା ଏବଂ ଧାତବ, କାଠ ଏବଂ ପଥର ମୂର୍ତ୍ତି ତିଆରି ପାଇଁ ପ୍ରସିଦ୍ଧ | ଏଠାରେ ଅବସ୍ଥିତ "ପାଟଣ ଦରବାର ସ୍କୋୟାର ମହଲ" ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ଲାଭ କରିଛି ।

ପ୍ରାଚୀନ ଇତିହାସ

[ସମ୍ପାଦନା]

ଲଲିତପୁର ଖ୍ରୀଷ୍ଟପୂର୍ବ ୨୪୯ ମସିହାରେ ସମ୍ରାଟ ଅଶୋକଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା ବିଶ୍ୱାସ କରାଯାଏ ।[] ମଧ୍ୟଯୁଗ କାଳରେ ଏହା ମଲ୍ଲ ରାଜବଂଶ ଦ୍ଵାରା ଆହୁରି ବିସ୍ତାର କରାଯାଇଥିଲା |

ପରେ ଲଲିତପୁର ୨୯୯ ଖ୍ରୀଷ୍ଟାବ୍ଦରେ ରାଜା ବୀରଦେବଙ୍କ ଦ୍ଵାରା ପୁନଃ ପ୍ରତିଷ୍ଠିତ ହୋଇଥିବା କୁହାଯାଉଛି, କିନ୍ତୁ ଅଧିକାଂଶ ଇତିହାସକାରମାନଙ୍କ ମତରେ ପାଟଣ ବା ଲଳିତପୁର ପ୍ରାଚୀନ କାଳରୁ ଏକ ପ୍ରତିଷ୍ଠିତ ତଥା ବିକଶିତ ସହର ଭାବେ ଥିଲା । ଅନ୍ୟାନ୍ୟ କିମ୍ବଦନ୍ତୀ ସମେତ ଅନେକ ଐତିହାସିକ ତଥ୍ୟ ସୂଚାଇଥାଏ ଯେ କାଠମାଣ୍ଡୁ ଉପତ୍ୟକାର ସମସ୍ତ ସହର ମଧ୍ୟରୁ ପାଟଣ ହେଉଛି ପୁରାତନ | ବହୁ ପୁରାତନ "କିରାତ" ଐତିହାସିକ ତଥ୍ୟ ଅନୁଯାୟୀ, କାଠମାଣ୍ଡୁ ଉପତ୍ୟକାରେ ଲିଚାଭି ଶାସକମାନେ ରାଜନୈତିକ ଦୃଶ୍ୟପଟକୁ ଆସିବା ପୂର୍ବରୁ କିରାତ ଶାସକମାନଙ୍କ ଦ୍ଵାରା ପାଟଣ ପ୍ରତିଷ୍ଠିତ ହୋଇଥିଲା । ସେହି ଇତିହାସ ଅନୁଯାୟୀ, କିରାତ ଶାସକମାନଙ୍କର ସର୍ବପୂରାତନ ଜଣାଶୁଣା ରାଜଧାନୀ ଥିଲା ଥ୍ୟାଙ୍କଟ | କିରାତି ରାଜା ୟାଲମ୍ବର କ୍ଷମତାକୁ ଆସିବା ପରେ କାଠମାଣ୍ଡୁ, ବର୍ତ୍ତମାନର ରାଜଧାନୀ ଥ୍ୟାଙ୍କଟରୁ ପାଟନକୁ ସ୍ଥାନାନ୍ତର ହୋଇଥିଲା |

ଐତିହାସିକ କୀର୍ତ୍ତିରାଜି

[ସମ୍ପାଦନା]

ଏହି ସହରଟି ପ୍ରଥମେ ବୌଦ୍ଧ ଧର୍ମ-ଚକ୍ର (ଧର୍ମର ଚକ୍ର) ଆକାରରେ ପରିକଳ୍ପନା କରାଯାଇଥିଲା | କିମ୍ବଦନ୍ତୀ ଅନୁଯାୟୀ ସମ୍ରାଟ ଅଶୋକ (ଭାରତର କିମ୍ବଦନ୍ତୀ ରାଜା) ତାଙ୍କ ଝିଅ ଚାରୁମତିଙ୍କ ସହ ଖ୍ରୀଷ୍ଟପୂର୍ବ ୨୫୦ ମସିହାରେ କାଠମାଣ୍ଡୁ ପରିଦର୍ଶନ କରିଥିଲେ ଏବଂ ସେତେବେଳେ ପାଞ୍ଚଟି ଅଶୋକ ସ୍ତମ୍ଭ (ସ୍ତୁପ), ଚାରିପାଖରେ ଚାରିଟି ଏବଂ ପାଟଣର ମଧ୍ୟଭାଗରେ ଅନ୍ୟଟି ସ୍ଥାପନ କରିଥିଲେ । ଏହି ସ୍ତୁପଗୁଡିକର ଆକାର ଏବଂ ଆକୃତି ସେମାନଙ୍କର ପ୍ରାଚୀନତାକୁ ଦର୍ଶାଏ | ସହରରେ ଏବଂ ଏହାର ଆଖପାଖରେ ବିଭିନ୍ନ ଆକୃତି ଏବଂ ଆକାରର ୧୨୦୦ରୁ ଅଧିକ ବୌଦ୍ଧ ସ୍ମାରକୀ ରହିଅଛି |

ସହରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ମାରକୀ ହେଉଛି ପାଟଣ ଦରବାର ସ୍କୋୟାର, ଯାହା ୟୁନେସ୍କୋ ଦ୍ୱାରା ବିଶ୍ଵ ଐତିହ ଶ୍ରେଣୀରେ ତାଲିକାଭୁକ୍ତ ହୋଇଛି | କାଠମାଣ୍ଡୁ ଉପତ୍ୟକାର ସମସ୍ତ ସ୍ମାରକୀ ଜୋନ୍ ଗୁଡିକ ୧୯୫୬ର ସ୍ମାରକୀ ସଂରକ୍ଷଣ ଅଧିନିୟମ ଅନୁଯାୟୀ ସଂରକ୍ଷିତ । ଅପ୍ରେଲ ୨୦୧୫ ନେପାଳ ଭୂମିକମ୍ପରେ ପାଟଣ ଦରବାର ସ୍କୋୟାର ବହୁ କ୍ଷତିଗ୍ରସ୍ତ ହୋଇଥିଲା ।[]

ପ୍ରମୁଖ ପର୍ଯ୍ୟଟନସ୍ଥଳ

[ସମ୍ପାଦନା]

ଲଲିତପୁର ଏକ କଳାତ୍ମକ ସହର ଭାବରେ ପ୍ରସିଦ୍ଧ | ଅଧିକାଂଶ ନେପାଳୀ କଳା ଦେବତାମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ । ସେଠାରେ ବହୁ ମନ୍ଦିର ଏବଂ ବୌଦ୍ଧ ବିହାର ଅଛି | ତେବେ କିଛି ଉଲ୍ଲେଖନୀୟ ପର୍ଯ୍ୟଟନ ସ୍ଥଳି ହେଉଛି ଏହିଭଳି: []

  • ପାଟଣ ଦରବାର ସ୍କୋୟାର: ପାଟଣର ମଲ୍ଲ ଶାସକଙ୍କ ପ୍ରାସାଦ ଛକ ଏବଂ ବାସସ୍ଥାନ ଯେଉଁଠାରେ ବର୍ତ୍ତମାନ ଏକ ସଂଗ୍ରହାଳୟ ରହିଛି |
  • ପାଟଣ ଧୋକା: ପୁରୁଣା ସହରର ଏକ ଐତିହାସିକ ପ୍ରବେଶ ପଥ |
  • ହିରଣ୍ୟ ବର୍ଣ୍ଣ ମହାବିହାର: ଏକ ବୌଦ୍ଧ ମନ୍ଦିର ଯାହା ସ୍ଥାନୀୟ ଲୋକଙ୍କ ଦ୍ଵାରା ସୁବର୍ଣ୍ଣ ମନ୍ଦିର ଭାବରେ ଜଣାଶୁଣା |
  • ମହାବୌଦ୍ଧ ମନ୍ଦିର: ଏକସହସ୍ର ବୁଦ୍ଧ ମନ୍ଦିର ଭାବରେ ମଧ୍ୟ ଜଣାଶୁଣା, ବୋଧଗୟାସ୍ଥିତ ମହାବୋଧୀ ମନ୍ଦିର ଢାଞ୍ଚାରେ ନିର୍ମିତ ।
  • କୁମ୍ଭେଶ୍ୱର ମନ୍ଦିର: ଦୁଇଟି ପୋଖରୀ ସହିତ ଏକ ଶିବ ମନ୍ଦିର ଯାହାର ଜଳ ଗୋସାଇଁକୁଣ୍ଡରୁ ଆସିଥିବାର ବିଶ୍ୱାସ କରାଯାଏ |
  • ବଗଲାମୁଖୀ ମନ୍ଦିର: ଏକ ମନ୍ଦିର ଯାହା ହିନ୍ଦୁ ଧର୍ମରେ ଦଶ ମହାବିଦ୍ୟ (ମହାନ ଜ୍ଞାନ ଦେବୀ) ମଧ୍ୟରୁ ଅନ୍ୟତମ |
  • ରତ୍ନାକର ମହାବିହାର: ଏହା ହା ବାହା ନାମରେ ମଧ୍ୟ ଜଣାଶୁଣା,ଏହି ପରିସର ହେଉଛି ପାଟଣର କୁମାରୀଙ୍କ ସରକାରୀ ବାସଭବନ |
  • କୃଷ୍ଣ ମନ୍ଦିର: ଷୋଡଶ ଶତାବ୍ଦୀରେ ରାଜା ସିଦ୍ଧିନରସିଂହ ମଲ୍ଲଙ୍କ ଦ୍ୱାରା ନିର୍ମିତ ନେପାଳର ଏକ ପଥର ମନ୍ଦିର |
  • କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ: କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ୧୯୩୨ ମସିହାରେ ରାଣା ପ୍ରଧାନମନ୍ତ୍ରୀ ଯୋଦ୍ଧା ଜଙ୍ଗ ବାହାଦୂର ରାଣାଙ୍କ ଦ୍ୱାରା ଏକ ଘରୋଇ ପ୍ରାଣୀ ଉଦ୍ୟାନ ଭାବରେ ପ୍ରତିଷ୍ଠିତ ହୋଇଥିଲା, ଏହା ସମଗ୍ର ନେପାଳର ଏକମାତ୍ର ପ୍ରାଣୀ ଉଦ୍ୟାନ ଅଟେ |
  • ପିମ୍ବାହଲ ପୋଖରୀ: ଏହି ଆକର୍ଷଣୀୟ ସ୍ଥଳ ଏକ ବୃହତ ଆକର୍ଷଣୀୟ ହ୍ରଦ କୂଳରେ ଅବସ୍ଥିତ | ଏହାର ଉତ୍ତର ପାର୍ଶ୍ୱରେ ୧୬୬୩ ମସିହାରେ ନିର୍ମିତ ତିନି ମହଲା ବିଶିଷ୍ଟ ଚଣ୍ଡେଶ୍ଵରୀ ମନ୍ଦିର ଅଛି।
  1. "National Population and Housing Census". Government of Nepal. 2011. p. 41. Archived from the original on 13 September 2018. Retrieved 20 September 2013.
  2. Vincent A. Smith (1958-12-01). Early History of India. Internet Archive. Oxford University Press. ISBN 978-0-19-821513-4.
  3. "Earthquake in Nepal: Patan Durbar Square shattered completely | India.com". www.india.com (in ଇଂରାଜୀ). Retrieved 2024-11-30.
  4. "Historical Monuments". Lalitpur Sub-Metropolitan City. Archived from the original on 29 June 2012. Retrieved 29 June 2012.