ରାଜନାଥ ସିଂହ
ରାଜନାଥ ସିଂହ | |
---|---|
![]() | |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଭାଭୋରା,ବାରଣାସୀ, ଉତ୍ତର ପ୍ରଦେଶ, ଭାରତ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଜୀବନ ସାଥୀ | ସାବିତ୍ରୀ [୧] |
ସମ୍ପର୍କ | ରାମ ବଦନ ସିଂହ (ପିତା) ଗୁଜରାତି ଦେବୀ (ମାତା) |
ପେଷା | ରାଜନୈତିକ ନେତା, ଅଧ୍ୟାପକ |
ଧର୍ମ | ହିନ୍ଦୁ |
ୱେବସାଇଟ | http://rajnathsingh.in/ |
ରାଜନାଥ ସିଂହ (ଜନ୍ମ ୧୦ ଜୁଲାଇ, ୧୯୫୧ ବାରଣାସୀ, ଉତ୍ତର ପ୍ରଦେଶ) ଭାରତର ଜଣେ ରାଜନିତୀଜ୍ଞ ଏବଂ ଭାରତୀୟ ଜନତା ପାର୍ଟିର ସଭାପତି । [୨] ସେ ପ୍ରଥମେ ଭାରତୀୟ ଯୁବ ମୋର୍ଚା ଏବଂ ନିଜର ଗୃହରାଜ୍ୟ ଉତ୍ତର ପ୍ରଦେଶ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ (୧୯୯୭-୯୯) ଥିଲେ । ଭୌତିକ ବିଜ୍ଞାନ ଅଧ୍ୟାପକ ଭାବେ ବୃତ୍ତି ଆରମ୍ଭ କରିଥିବା ରାଜନାଥ ସିଂହ ଦୀର୍ଘ ଦିନ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସହିତ ଜଡ଼ିତ ଥିଲେ । ସେ ଉତ୍ତର ପ୍ରଦେଶ ରାଜ୍ୟର ଶିକ୍ଷାମନ୍ତ୍ରୀ (୧୯୯୧-୯୨) ମୁଖ୍ୟମନ୍ତ୍ରୀ[୩][୪](୨୦୦୦-୨୦୦୨), ତତ୍କାଳିନ ଏନ୍ ଡି ଏ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ[୫] ଏବଂ ଭାରତ ବର୍ଷର ବୃହତ୍ତମ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି(୨୦୦୫-୨୦୦୯)[୬][୭] ରହି ସାରିଛନ୍ତି ।[୮]
ପ୍ରାରମ୍ଭିକ ଜୀବନ[ସମ୍ପାଦନା]
ଶ୍ରୀ ରାଜନାଥ ସିଂହଙ୍କ ଜନ୍ମ ଭାରତର ଉତ୍ତର ପ୍ରଦେଶ ରାଜ୍ୟର ବାରଣାସୀ ଜିଲ୍ଲାର ଏକ ଛୋଟ ଗ୍ରାମ ଭାଭୋରାରେ ହୋଇଥିଲା। ତାଙ୍କ ପିତାଙ୍କ ନାମ ରାମ ବଦନ ସିଂହ ଏବଂ ମାତାଙ୍କ ନାମ ଗୁଜରାତି ଦେବୀ । ସେ ଏକ ସାଧାରଣ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ସମୟକ୍ରମେ ସେ ଗୋରଖପୁର ବିଶ୍ୱବିଦ୍ୟାଳୟରୁ ଭୌତିକ ବିଜ୍ଞାନ ବିଭାଗରେ ସ୍ନାତକୋତର ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ ହୋଇଥିଲେ । ସେ ମାତ୍ର ୧୩ ବର୍ଷ ବୟସରୁ (୧୯୬୪ ମସିହା) ସଂଘ ପରିବାର ସହିତ ଜଡ଼ିତ ଥିଲେ । ମିର୍ଜାପୁରରେ ଭୌତିକ ବିଜ୍ଞାନ ଅଧ୍ୟାପକ ଭାବରେ କାର୍ଯ୍ୟରତ ଥିବା ସମୟରେ ମଧ୍ୟ ସେ ସଂଘ ପରିବାର ସହିତ ସୁସମ୍ପର୍କ ରଖିଥିଲେ । ୧୯୭୪ ମସିହାରେ ତାଙ୍କୁ ଭାରତୀୟ ଜନସଂଘର ସଚିବ ନିଯୁକ୍ତ କରାଗଲା ।
ରାଜନୈତିକ ଜୀବନ[ସମ୍ପାଦନା]
୧୯୭୫ ମସିହାରେ ମାତ୍ର ୨୪ ବର୍ଷ ବୟସରେ ଶ୍ରୀ ରାଜନାଥ ସିଂହ ଜନସଂଘର ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହୁଅନ୍ତି । ସେ ମୀର୍ଜାପୁର ବିଧାନ ସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୁଅନ୍ତି । ଯୁବାବସ୍ଥାରେ ରାଜନୀତୀ କ୍ଷେତ୍ରରେ ତାଙ୍କର ଦକ୍ଷତା ତାଙ୍କୁ ଭାରତୀୟ ଜନତା ପାର୍ଟିର ଯୁବାମୋର୍ଚାର ନେତୃତ୍ୱ ନେବାରେ ସହାୟକ ହୁଏ । ୧୯୮୪ ମସିହାରେ ସେ ଭାରତୀୟ ଯୁବା ମୋର୍ଚାର ରାଜ୍ୟ ସଭାପତି ହୁଅନ୍ତି । ୧୯୮୬ ମସିହାରେ ରାଜନାଥ ସିଂହ ଜାତୀୟ ଭାରତୀୟ ଯୁବା ମୋର୍ଚାର ସାଧାରଣ ସମ୍ପାଦକ ଓ ୧୯୮୮ ମସିହାରେ ଯୁବମୋର୍ଚାର ଜାତୀୟ ସଭାପତି ପଦ ଅଳଙ୍କୃତ କରନ୍ତି। ୧୯୯୧ ମସିହାରେ ସେ ଉତ୍ତର ପ୍ରଦେଶ ରାଜ୍ୟର ପ୍ରଥମ ବି.ଜେ.ପି. ସରକାରରେ ଶିକ୍ଷାମନ୍ତ୍ରୀ ହୁଅନ୍ତି । ଶିକ୍ଷାମନ୍ତ୍ରୀ ଭାବରେ ତାଙ୍କର ପ୍ରମୁଖ କାର୍ଯ୍ୟକଳାପ ମଧ୍ୟରେ ଇତିହାସ ଗ୍ରନ୍ଥ ଗୁଡ଼ିକର ପୁନଲେଖନ ଓ ପାଠ୍ୟକ୍ରମରେ ବୈଦିକ ଗଣିତକୁ ସାମିଲ୍ କରିବା ଇତ୍ୟାଦି ଅନ୍ତର୍ଭୁକ୍ତ । ଅପ୍ରେଲ୍ ୧୯୯୪ ମସିହାରେ ସେ ରାଜ୍ୟସଭାକୁ ନିର୍ବାଚିତ ହୁଅନ୍ତି ଏବଂ ଉଦ୍ୟୋଗ ପରାମର୍ଶଦାତା ସମିତି (୧୯୯୪-୧୯୯୬), କୃଷି ମନ୍ତ୍ରାଳୟ ପରାମର୍ଶଦାତା ସମିତି, ବ୍ୟାପାର ପରାମର୍ଶଦାତା ସମିତି, ଆବାସ ସମିତି ଓ ମାନବ ସଂସାଧନ ବିକାଶ ସମିତି ସହିତ ଜଡ଼ିତ ହୁଅନ୍ତି ।
୨୫ ମାର୍ଚ ୧୯୯୭ ମସିହାରେ ଶ୍ରୀ ରାଜନାଥ ସିଂହ ଭାରତୀୟ ଜନତା ପାର୍ଟି ଉତ୍ତର ପ୍ରଦେଶ ରାଜ୍ୟର ସଭାପତି ହୁଅନ୍ତି । ୧୯୯୯ ମସିହାରେ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱରେ ଭୁପୃଷ୍ଠ ମନ୍ତ୍ରାଳୟ ବିଭାଗରେ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ସଫଳତାର ସହିତ ଦାୟିତ୍ୱ ନିର୍ବାହ କରନ୍ତି । କୃଷି ବିଭାଗରେ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ତାଙ୍କୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡେ । ଶ୍ରୀ ରାଜନାଥ ସିଂହ ୨୮ ଅକ୍ଟୋବର ୨୦୦୦ ମସିହାରୁ ୮ ମାର୍ଚ୍ ୨୦୦୨ ମସିହା ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ସଫଳତାର ସହ ଦାଇତ୍ୱ ନିର୍ବାହ କରନ୍ତି ।
୨୦୦୫ ମସିହା ଡିସେମ୍ବର ୨୪ ତାରିଖରେ ଶ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ଇସ୍ତଫା ପରେ ଶ୍ରୀ ରାଜନାଥ ସିଂହ ଭାରତୀୟ ଜନତା ପାର୍ଟିର ଜାତୀୟ ସଭାପତି ଆସନ ଅଳଙ୍କୃତ କରନ୍ତି । ନଭେମ୍ବର ୨୦୦୬ ମସିହାରେ ସେ ପୁଣିଥରେ ସଭାପତି ଭାବରେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୁଅନ୍ତି । ୨୦୦୯ ମସିହାରେ ସେ ଶ୍ରୀ ନୀତିନ୍ ଗଡକରୀଙ୍କୁ ସଭାପତି ଦାୟିତ୍ୱ ହସ୍ତାନ୍ତର କରନ୍ତି ।
୨୦୧୩ ଜାନୁଆରୀ ୨୪ ତାରିଖରେ ଶ୍ରୀ ନୀତିନ୍ ଗଡକରୀଙ୍କ ଇସ୍ତଫା ପରେ ଶ୍ରୀ ରାଜନାଥ ସିଂହ ଭାରତୀୟ ଜନତା ପାର୍ଟିର ଜାତୀୟ ସଭାପତି ଆସନ ପୁନର୍ବାର ଅଳଙ୍କୃତ କରନ୍ତି ।
ଆଧାର[ସମ୍ପାଦନା]
- ↑ http://www.indianexpress.com/news/learning-email-to-debating-2g-welcome-to-bjp-wives-club/757029/0
- ↑ Lambert M Surhone; Mariam T Tennoe; Susan F Henssonow (29 September 2010). Rajnath Singh. VDM Publishing. ISBN 978-613-3-16071-2. Retrieved 21 July 2012.
- ↑ Mahendra Gaur. Indian affairs. Gyan Publishing House. pp. 781–. ISBN 978-81-7835-539-9. Retrieved 21 July 2012.
- ↑ Jason A. Kirk (1 October 2011). India and the World Bank: The Politics of Aid and Influence. Anthem Press. pp. 86–. ISBN 978-0-85728-412-9. Retrieved 21 July 2012.
- ↑ India. Parliament. House of the People (August 2003). Lok Sabha debates. Lok Sabha Secretariat. Retrieved 21 July 2012.
- ↑ Pratiyogita Darpan (January 2007). Pratiyogita Darpan. Pratiyogita Darpan. pp. 25–. Retrieved 21 July 2012.
- ↑ Mahendra Gaur (2006). Indian Affairs Annual 2006. Gyan Publishing House. pp. 263–. ISBN 978-81-7835-533-7. Retrieved 21 July 2012.
- ↑ Aditi Phadnis (2009). Business Standard Political Profiles of Cabals and Kings. Business Standard Books. pp. 93–. ISBN 978-81-905735-4-2. Retrieved 21 July 2012.