ଯଦୁମଣି ବେଶ୍ରା

ଉଇକିପିଡ଼ିଆ‌ରୁ
ଯଦୁମଣି ବେଶ୍ରା
ମୂଳନାମ
ᱡᱚᱫᱩᱢᱚᱬᱤ ᱵᱮᱥᱨᱟ
ଜନ୍ମ ଓ ଜନ୍ମସ୍ଥାନ(1964-03-14)୧୪ ମାର୍ଚ୍ଚ ୧୯୬୪
ବିଶୋୟୀ
ମୃତ୍ୟୁ୨୩ ଜୁନ ୨୦୨୨(2022-06-23) (ବୟସ ୫୮)
ଖଡ଼ଗପୁର
ସମାଧି ସ୍ଥଳବିଶୋୟୀ
ବୃତ୍ତିଆକାଉଣ୍ଟସ ଆସିଷ୍ଟାଣ୍ଟ, ଭାରତୀୟ ରେଳବାଇ
ଭାଷାସାନ୍ତାଳୀ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାସ୍ନାତକ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ପୈତୃକ ବାସସ୍ଥାନବିଶୋୟୀ
ସାହିତ୍ୟ କୃତିଭାବନା (କବିତା ସଂକଳନ)
ପୁରସ୍କାରସାହିତ୍ୟ ଅକାଦେମୀ ପୁରସ୍କାର

ଯଦୁମଣି ବେଶ୍ରା (୧୪ ମାର୍ଚ୍ଚ ୧୯୬୪ – ୨୩ ଜୁନ ୨୦୨୨) ଓଡ଼ିଶାରେ ଜନ୍ମିତ ଜଣେ ସାନ୍ତାଳୀ କବି ଓ ଲେଖକ ଥିଲେ ।[୧] ସେ ତାଙ୍କର କବିତା ସଂକଳନ "ଭାବନା" ନିମନ୍ତେ ୨୦୦୫ ମସିହାରେ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[୨] ଏହି ପୁରସ୍କାର ପାଇବାରେ ସେ ଥିଲେ ପ୍ରଥମ ସାନ୍ତାଳୀ ଲେଖକ । ସେ ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘର ଆଦ୍ୟ ପ୍ରତିଷ୍ଠାତା ଥିଲେ । ସେ ବର୍ଦ୍ଧମାନ ବିଶ୍ୱବିଦ୍ୟାଳୟ ଏବଂ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ସାନ୍ତାଳୀ ଶିକ୍ଷାଖସଡ଼ା କମିଟିର ସଦସ୍ୟ ଥିଲେ । ସେ ଭାରତୀୟ ଦିଲ୍ଲୀସ୍ଥିତ ଦଳିତ ସାହିତ ଏକାଡେମୀରୁ ଡକ୍ଟର ଆମ୍ବେଦକର ଫେଲୋସିପ ଏବଂ ଅଖିଳ ଭାରତୀୟ ସାନ୍ତାଳୀ ଭାଷା ମୋର୍ଚ୍ଚା, ଜାମସେଦପୁରରୁ ମାନ ମୋହର ସିରପାରେ ସମ୍ମାନୀତ ହୋଇଥିଲେ ।

ଜୀବନୀ[ସମ୍ପାଦନା]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଯଦୁମଣି ବେଶ୍ରା ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାସ୍ଥିତ ରାଇରଙ୍ଗପୁର ନିକଟସ୍ଥ ବିଶୋୟୀ ଗ୍ରାମରେ ୧୯୬୪ ମସିହା ମାର୍ଚ୍ଚ ୧୪ରେ ଏକ ସାନ୍ତାଳ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୩]

ଉଚ୍ଚଶିକ୍ଷା[ସମ୍ପାଦନା]

୧୯୮୪ ମସିହାରେ ସେ କଟକସ୍ଥିତ ରେଭେନ୍ସା କଲେଜରୁ ବାଣିଜ୍ୟରେ ସ୍ନାତକ ହାସଲ କରିଥିଲେ ।

ପାରିବାରିକ ଜୀବନ[ସମ୍ପାଦନା]

ତାଙ୍କ ପତ୍ନୀଙ୍କ ବ୍ୟତୀତ ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି ।[୩]

ବୃତ୍ତି[ସମ୍ପାଦନା]

ଉଚ୍ଚଶିକ୍ଷା ପରେ ୧୯୮୬ ଜୁନ ୬ରେ ସେ ଭାରତୀୟ ରେଳବାଇର ଏକ ବରିଷ୍ଠ ଆକାଉଣ୍ଟ କାର୍ଯ୍ୟାଳୟ ଗୋଲ୍ଡେନ୍ ରକ୍ ତାମିଲନାଡୁରେ ଯୋଗଦାନ କରିଥିଲେ। ପରେ ୧୯୮୭ରେ ତାଙ୍କୁ ଖଡ଼ଗପୁରକୁ ସ୍ଥାନାନ୍ତର କରାଯାଇଥିଲା । ଖଡ଼ଗପୁରର ଦକ୍ଷିଣପୂର୍ବ ରେଳବାଇରେ ସେ ଆକାଉଣ୍ଟସ ଆସିଷ୍ଟାଣ୍ଟ ଭାବରେ କାର୍ଯ୍ୟ କରୁଥିଲେ ।

ସାହିତ୍ୟ ଲେଖନ, ସଂକଳନ ଓ ସମ୍ପାଦନା[ସମ୍ପାଦନା]

ସେ ସ୍କୁଲରେ ପଢ଼ିବା ସମୟରେ ସାନ୍ତାଳୀ ଭାଷାରେ ସାହିତ୍ୟ ରଚନା ଆରମ୍ଭ କରିଥିଲେ । ସାନ୍ତାଳୀ ପତ୍ରିକା ଜିୱି ଝରନାରେ ୧୯୮୩ରେ ତାଙ୍କର ପ୍ରଥମ କବିତା "ଚିର୍ଗଲ ସାକ୍ୱା ଓରୋଙ୍ଗମେ" ପ୍ରକାଶ ପାଇଥିଲା । ସେ ୧୯୯୧ରେ ଫାଗୁନ କୋଏଲ ଏବଂ ୨୦୧୨ ପର୍ଯ୍ୟନ୍ତ ମନ୍ତର୍ ଏବଂ ୨୦୧୫ ପର୍ଯ୍ୟନ୍ତ ଦିଶା ସାନ୍ତାଳୀ ପତ୍ରିକା ମଧ୍ୟ ସମ୍ପାଦନା କରିଥିଲେ । ସେ ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘର ଆଦ୍ୟ ପ୍ରତିଷ୍ଠାତା ଓ ସଂଗଠନର ସାଧାରଣ ସମ୍ପାଦକ ମଧ୍ୟ ଥିଲେ । ତାଙ୍କ ରଚିତ କବିତାବଳୀ "ଭାବନା " ନାମରେ ଏକ ସଂକଳନ ପୁସ୍ତକ ରୂପେ ପ୍ରକାଶ ଲାଭକରିଥିଲା । ତାଙ୍କ ରଚିତ ପ୍ରବନ୍ଧଗୁଡ଼ିକ ଛିଆ ଚମ୍ପା, ସାନସ ଆହଲା, ସାଗାନ ସାକାମ, ଜିୱି ଝରନା, ଫାଗୁନ କୋଏଲ, ଖେରୱାଲ ଦାହର, ମନ୍ତର ତେଟ୍ରେ, ସିଲି, ରିମିଲ, ସନ୍ଧ୍ୟାରାଣୀ, ସିରୋମ କରମ, ନୋଭା ସାଗାନ ସାକାମ, ଜିୱି, ହୋର ସାମାଦ ଆଦି ପତ୍ରିକାରେ ପ୍ରକାଶିତ ହୋଇଥିଲା । ଏଥିସହିତ ଅନ୍ୟ ଲେଖକମାନଙ୍କ ସହ ମିଶି ୧୯୯୧ରେ "ଓନୋରେନ୍ ମହକ୍" (ରୂପଚାନ୍ଦ ହଂସଦାଙ୍କ ସହ ମିଶି), "ଦଲିଜ୍" (କବିତା ସଂକଳନ), "ଜିୟୋନ୍ ଗାଡ଼ା " (କ୍ଷୁଦ୍ରଗଳ୍ପ ସଂକଳନ; ୨୦୦୪), ୨୦୦୯ରେ ପ୍ରବନ୍ଧ "ଆନୋଲ ମାଲା", ଡିରେକ୍ଟୋରୀ ଅଫ ସାନ୍ତାଳୀ ଜର୍ଣ୍ଣାଲ୍ସ ଆଣ୍ଡ ମାଗାଜିନ୍ସ ତଥା ବିବ୍ଲିଓଗ୍ରାଫି ଅଫ ସାନ୍ତାଳୀ ରାଇଟର୍ସ ଭାଗ ୧ (୧୯୯୫) ଆଦିର ସଂକଳନ ଏବଂ ସମ୍ପାଦନା କରିଥିଲେ । ତାଙ୍କର କବିତା, ଗଳ୍ପ ଓ ଅନ୍ୟାନ୍ୟ ରଚନା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଥିଲା । ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ ସେ ପଶ୍ଚିମବଙ୍ଗ ସାନ୍ତାଳୀ ଏକାଡେମୀର ସଦସ୍ୟ ଥିଲେ ।[୩]

ରଚନାବଳୀ[ସମ୍ପାଦନା]

କବିତା[ସମ୍ପାଦନା]

  • ଭାବନା (କବିତା ସଂକଳନ, ୨୦୦୫)

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ତାଙ୍କର କବିତା ସଂକଳନ "ଭାବନା" ନିମନ୍ତେ ତାଙ୍କୁ ୨୦୦୫ ମସିହାରେ ଭାରତୀୟ କେନ୍ଦ୍ର ସାହିତ୍ୟ ଅକାଦେମୀ ସାହିତ୍ୟ ଅକାଦେମୀ ପୁରସ୍କାରରେ ସମ୍ମାନୀତ କରିଥିଲା ।[୨] ସେ ଭାରତୀୟ ଦିଲ୍ଲୀସ୍ଥିତ ଦଳିତ ସାହିତ୍ୟ ଏକାଡେମୀରୁ ଡକ୍ଟର ଆମ୍ବେଦକର ଫେଲୋସିପ ଏବଂ ଅଖିଳ ଭାରତୀୟ ସାନ୍ତାଳୀ ଭାଷା ମୋର୍ଚ୍ଚା, ଜାମସେଦପୁରରୁ ମାନ ମୋହର ସିରପାରେ ସମ୍ମାନୀତ ହୋଇଥିଲେ ।

ମୃତ୍ୟୁ[ସମ୍ପାଦନା]

୨୦୨୨ ମସିହା ଜୁନ ୨୩ ତାରିଖରେ ଖଡ଼ଗପୁର ରେଳ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ହୃଦଘାତରେ ୫୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । ଜୁନ ୨୪ ତାରିଖରେ ବିଳମ୍ବିତ ସନ୍ଧ୍ୟାରେ ତାଙ୍କ ଜନ୍ମସ୍ଥାନ ବିଶୋୟୀଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।[୩]

ଆଧାର[ସମ୍ପାଦନା]

  1. "Jadumani Besra" (PDF). Sahitya Akademi. 2022-06-28. Archived from the original on 2022-06-28. Retrieved 2022-06-28.{{cite web}}: CS1 maint: bot: original URL status unknown (link)
  2. ୨.୦ ୨.୧ "AKADEMI AWARDS (1955-2015)". Sahitya Akademi. 11 March 2015. Archived from the original on 2018-12-06. Retrieved 2022-06-28. {{cite web}}: External link in |dead-url= (help); Unknown parameter |dead-url= ignored (|url-status= suggested) (help)CS1 maint: bot: original URL status unknown (link)
  3. ୩.୦ ୩.୧ ୩.୨ ୩.୩ "संताली भाषा में Sahitya Akademi का पहला पुरस्कार जीतने वाले जदुमणि बेसरा का आज होगा अंतिम संस्कार". Prabhat Khabar (in ହିନ୍ଦୀ). Retrieved 2022-06-28.