ମ୍ୟୁଚୁଆଲ ଫଣ୍ଡ

ଉଇକିପିଡ଼ିଆ ରୁ
Jump to navigation Jump to search
ମ୍ୟୁଚୁଆଲ ଫଣ୍ଡ‎ର ଅନ୍ତରୀଣ ପ୍ରକ୍ରିୟାର ଏକ ଝଲକ

ମ୍ୟୁଚୁଆଲ‌୍ ଫଣ୍ଡ୍ ବିତ୍ତୀୟ ବଜାରର ବିଭିନ୍ନ ସାଧନରେ ପୁଞ୍ଜି ନିବେଶର ସୁଯୋଗ ନେଇ ନିବେଶକମାନଙ୍କୁ ସାମୟିକ ଆୟ ଓ ପୁଞ୍ଜି ବର୍ଦ୍ଧନର ସୁଯୋଗ ପ୍ରଦାନ କରିବା ହେଉଛି ମ୍ୟୁଚୁଆଲ‌୍ ଫଣ୍ଡର ପ୍ରାଥମିକ ଲକ୍ଷ୍ୟ । ମ୍ୟୁଚୁଆଲ‌୍ ଫଣ୍ଡ୍ ଗୁଡିକଦ୍ବାରା ଜାରି ବିଭିନ୍ନ ପରିକଳ୍ପନା ଅନୁଯାୟୀ ସେଥିରେ ବୃହତ‌୍‍ ପରିମାଣର ପୁଞ୍ଜି ଏକତ୍ରୀକରଣ ତଥା ପ୍ରବନ୍ଧନ କରାଯାଏ । ଏହି ଅର୍ଥ ବିଭିନ୍ନ ପ୍ରକାରର ନିବେଶକମାନଙ୍କଠାରୁ ଏକୀକୃତ ହୋଇଥାଏ । ବିଭିନ୍ନ ପ୍ରକାରର ନିବେଶକ ଯଥା- ସାଧାରଣ ଓ ସଂସ୍ଥାଗତ ନିବେଶକମାନଙ୍କର ଭିନ୍ନଭିନ୍ନ ଲକ୍ଷ୍ୟକୁ ଦୃଷ୍ଟି ରଖି ମ୍ୟୁଚୁଆଲ‌୍ ଫଣ୍ଡ୍ ମାନେ ବିଭିନ୍ନ ଯୋଜନାମାନ ପ୍ରବର୍ତ୍ତିତ କରିଥାନ୍ତି । ମ୍ୟୁଚୁଆଲ‌୍ ଫଣ୍ଡ୍ ଗୁଡିକ, ନିଜର ନିବେଶ ଲକ୍ଷ୍ୟ ଘୋଷିତ କରି ଜନତାଙ୍କଠାରୁ ପୁଞ୍ଜି ଆହରଣ କରନ୍ତି । ଏହି ଯୋଜନାର ନିର୍ମାଣ ସଂରଚନା ଅନୁଯାୟୀ ନିବେଶକଙ୍କଠାରୁ ଗୋଟିଏ ନିର୍ଦ୍ଧିଷ୍ଟ ସମୟ ଲାଗି ଅଥବା ନିୟମିତ ଭାବରେ ପୁଞ୍ଜି ଆହରଣ କରାଯାଏ । ଏହି ଏକତ୍ରୀତ ରାଶିକୁ କେତୋଟି ନିର୍ଦ୍ଦିଷ୍ଟ ‘ଏକକ’ ବା ୟୁନିଟ‌୍‍ ରେ ରୂପାନ୍ତରିତ କରାଯାଏ । ସାଧାରଣତଃ ପ୍ରତ୍ୟେକ ୟୁନିଟ‌୍‍ର ପ୍ରାଥମିକ ମୂଲ୍ୟ ୧୦ ଟଙ୍କାରୁ ଆରମ୍ଭ ହୋଇଥାଏ । ୟୁନିଟ‌୍‍ ସଂଖ୍ୟାକୁ ଫେସ‌୍‍ ଭାଲ୍ୟୁରେ ଗୁଣନ କଲେ ଯୋଜନାର ସମ୍ପତ୍ତି ମିଳିଥାଏ । ପ୍ରତ୍ୟେକ ଯୋଜନା ଅନ୍ତର୍ଗତ କରାଯାଇଥିବା ନିବେଶ, ଲାଭାଂଶ ଓ ସୁଧ ପ୍ରାପ୍ତ କରେ ।


ବିଷୟସୂଚୀ

ଇତିହାସ[ସମ୍ପାଦନା]

୧୭୭୨-୭୩ ମସିହାରେ ଏକ ଆର୍ଥିକ ସଙ୍କଟରୁ ବଞ୍ଚିବା ପାଇଁ ଆମଷ୍ଟରଡ଼ମରେ ଥିବା ଏକ ବ୍ୟବସାୟୀ, ଆବ୍ରାହାମ ପ୍ରଥମ ଆଧୁନିକ ମ୍ୟୁଚୁଆଲ‌୍ ଫଣ୍ଡ୍ ଆରମ୍ଭ କରିଥିଲେ । ଯାହା ଫଣ୍ଡର ନିବେଶକାରୀଙ୍କୁ ତାଙ୍କର ସ୍ୱଳ୍ପ ସଞ୍ଚିତ ଧନକୁ ଭିନ୍ନ ଭିନ୍ନ ପୁଞ୍ଜିରେ ନିବେଶ କରିବାର ସୁଯୋଗ ପ୍ରଦାନ କରିଥିଲା ।[୧]

ୟୁଟିଆଇ ମ୍ୟୁଚୁଆଲ ଫଣ୍ଡ‎ର ସୁବର୍ଣ୍ଣ ଜୟନ୍ତୀ ଅବସରରେ ତତ୍କାଳୀନ ବିତ୍ତ ମନ୍ତ୍ରୀ ପି.ଚିଦାମ୍ବରମ

ଭାରତରେ ୧୯୬୩ ମସିହାରୁ ମ୍ୟୁଚୁଆଲ‌୍ ଫଣ୍ଡର ଇତିହାସ ୟୁନିଟ ଟ୍ରଷ୍ଟ ଅଫ ଇଣ୍ଡିଆର ପ୍ରତିଷ୍ଠା ସହିତ ଆରମ୍ଭ ହୋଇଥିଲା ।[୨] ୧୯୮୬ ମସିହା ପର୍ଯ୍ୟନ୍ତ ୟୁଟିଆଇ ମ୍ୟୁଚୁଆଲ‌୍ ଫଣ୍ଡ୍ ନିବେଶର ଏକମାତ୍ର ବିକଳ୍ପ ଥିଲା । ୧୯୮୭ ମସିହାରେ ପବ୍ଲିକ ସେକ୍ଟର ବ୍ୟାଙ୍କ ଗୁଡ଼ିକର ମ୍ୟୁଚୁଆଲ‌୍ ଫଣ୍ଡ୍ ବଜାରରେ ପ୍ରବେଶ ହୋଇଥିଲା, ଯଥା ଲାଇଫ ଇନ୍ସୁରାନ୍ସ କର୍ପୋରେସନ (ଏଲଆଇସି), ଜେନେରାଲ ଇନ୍ସୁରାନ୍ସ କର୍ପୋରେସନ ଅଫ ଇଣ୍ଡିଆ (ଜିଆଇସି) ଇତ୍ୟାଦି । ୧୯୯୩ ମସିହାରେ ମ୍ୟୁଚୁଆଲ‌୍ ଫଣ୍ଡ୍ ବଜାରରେ ପ୍ରାଇଭେଟ ସେକ୍ଟର ଉଦ୍ୟୋଗଗୁଡି଼କର ପ୍ରବେଶ ସହ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଥିଲା ।[୩]

ଜାଣିବା କଥା[ସମ୍ପାଦନା]

ମ୍ୟୁଚୁଆଲ‌୍ ଫଣ୍ଡ୍ ବିଷୟରେ ଅଧିକ ଜାଣିବା ପୂର୍ବରୁ କିଛି ମୌଳିକ ଶବ୍ଦ ଓ ଏହାର ଅର୍ଥ ଜାଣିବା ନିହାତି ଜରୁରୀ । ନିମ୍ନରେ ତନ୍ମଧ୍ୟରୁ କିଛି ଶବ୍ଦ ବିଷୟରେ ଉଲ୍ଲେଖ ହେଲା :[୪]

ଆସେଟ ମ୍ୟାନେଜମେଣ୍ଟ କମ୍ପାନୀ[ସମ୍ପାଦନା]

ଆସେଟ ମ୍ୟାନେଜମେଣ୍ଟ କମ୍ପାନୀ ବା ଏଏମସି ହେଉଛି ଏକ ଉଦ୍ୟୋଗ ଯାହା ତାର ଗରାଖମାନଙ୍କର ନିବେଶକୁ ସେମାନେ ଚାହୁଁଥିବା ପୂର୍ବନିର୍ଦ୍ଧାରିତ ପୁଞ୍ଜିରେ ବିନିଯୋଗ କରିଥାନ୍ତି ।[୫] ଏହି ଉଦ୍ୟୋଗଟିକୁ ଭାରତରେ ଏସଇବିଆଇ ସହିତ ପଞ୍ଜିକରଣ କରିବାକୁ ପଡ଼ିଥାଏ । ଏହାପରେ ହିଁ ନିଜର ଗ୍ରାହକମାନଙ୍କ ନିମିତ୍ତ ଏମାନେ କେଉଁଠାରେ ପୁଞ୍ଜି ଲଗାଇବେ ବା କାଢିବେ ସେହି ନିଷ୍ପତି ନେଇପାରିବେ ।[୬] ଏଏମସି ବିଷୟରେ ଅଧିକ ଜାଣିବାପାଇଁ ଆମକୁ ମ୍ୟୁଚୁଆଲ‌୍ ଫଣ୍ଡର ବିଭିନ୍ନ ସଂସ୍ଥା ବିଷୟରେ ଜାଣିବା ଜରୁରୀ । ତଳେ ଏକ ତାଲିକା ପ୍ରସ୍ତୁତ ହେଲା ।[୭]

ମ୍ୟୁଚୁଆଲ‌୍ ଫଣ୍ଡର ବିଭିନ୍ନ ବିଭାଗ
ବ୍ୟକ୍ତି ବା ସଂସ୍ଥା କଣ କାମ କରନ୍ତି
ସ୍ପନସର ଗୋଟିଏ ଟ୍ରଷ୍ଟ ତିଆରି କରି ଟ୍ରଷ୍ଟି ମାନଙ୍କର ଏକ ବୋର୍ଡ଼କୁ ନିଯୁକ୍ତ କରନ୍ତି ।
ଟ୍ରଷ୍ଟି ଏସଇବିଆଇ ଏବଂ ଏମଏଫଆଇର ନିୟମ କାନୁନ ପାଳନ କରି ମ୍ୟୁଚୁଆଲ‌୍ ଫଣ୍ଡକୁ ପରିଚାଳନା କରିଥାନ୍ତି ।
ଆସେଟ ମ୍ୟାନେଜମେଣ୍ଟ କମ୍ପାନୀ କେଉଁ ପୁଞ୍ଜିରେ କେତେ ନିବେଶ କରିବା କିମ୍ବା କାଢ଼ିବା ନିଷ୍ପତି ନିଅନ୍ତି ।
କଷ୍ଟଡିଆନ ମ୍ୟୁଚୁଆଲ‌୍ ଫଣ୍ଡର ଏବଂ ଏହାର ୟୁନିଟ ତଥ୍ୟର ସୁରକ୍ଷାର ଦାୟିତ୍ୱ ତୁଲାନ୍ତି ।
ରେଜିଷ୍ଟ୍ରାର ଓ ଟ୍ରାନ୍ସଫର ଏଜେଣ୍ଟ (ଆରଟିଏ) ତଥ୍ୟ ରଖନ୍ତି ।

ନେଟ ଆସେଟ ଭାଲ୍ୟୁ[ସମ୍ପାଦନା]

  • ନେଟ ଆସେଟ ଭାଲ୍ୟୁ ବା ଏନଏଭି କହିଲେ ଗୋଟିଏ ମ୍ୟୁଚୁଆଲ‌୍ ଫଣ୍ଡର ବର୍ତ୍ତମାନର ମୂଲ୍ୟ ଏହି ଅଙ୍କରୁ ଜଣାପଡ଼ିଥାଏ । ଗୋଟିଏ ମ୍ୟୁଚୁଆଲ‌୍ ଫଣ୍ଡ୍ କେଉଁ କେଉଁ ପୁଞ୍ଜିରେ ନିବେଶ କରୁଛି ବା କାଢୁଛି ସେହି ହିସାବରେ ଏହାର ଏନଏଭି ପ୍ରତ୍ୟେକ ଦିନ ଶେଷରେ ଗଣନା କରାଯାଇ ସର୍ବସାଧାରଣରେ ପ୍ରକାଶ କରାଯାଇଥାଏ । ଗୋଟିଏ ମ୍ୟୁଚୁଆଲ‌୍ ଫଣ୍ଡ୍ ଭଲ ଲାଭ କରୁଛି କି ନାହିଁ ଏହି ଏନଏଭି ଦ୍ୱାରା ଗଣନା ହୋଇଥାଏ ।[୮]
  • କୌଣସି ଏକ ମ୍ୟୁଚୁଆଲ‌୍ ଫଣ୍ଡର ଏନଏଭି ଏହି ସମୀକରଣ ଦ୍ୱାରା ହୋଇଥାଏ ।[୯]

ନେଟ ଆସେଟ ଭାଲ୍ୟୁ = (ଆସେଟ - ଲାୟାବିଲିଟି) / (ମୋଟ ୟୁନିଟ)

  • ଉଦାହରଣ ସ୍ୱରୂପ ଧରନ୍ତୁ ଆଜିକାର ଦିନ ସରିଲା ପରେ ଜଣାପଡିଲା କି ଗୋଟିଏ ମ୍ୟୁଚୁଆଲ‌୍ ଫଣ୍ଡର ନିବେଶ ହେଇଛି ୧ କୋଟି, ଏହା ପାଖରେ ୧୦ ଲକ୍ଷ ଟଙ୍କା ନଗଦ ଅଛି ଓ ୫ ଲକ୍ଷ ଟଙ୍କା ମିଳିବାର ଅଛି । ଏହା ଛଡ଼ା ଆଜିର ଦିନର ଲାଭ ୧ ଲକ୍ଷ, ଅଳ୍ପ ଦିନର ୠଣ ୨୦ ଲକ୍ଷ ଓ ଅଧିକ ସମୟ ପାଇଁ ୠଣ ୧୫ ଲକ୍ଷ ଅଛି । ମ୍ୟୁଚୁଆଲ‌୍ ଫଣ୍ଡର ୧ ଲକ୍ଷ ୟୁନିଟ ବଣ୍ଟାଯାଇଛି । ଉପରୋକ୍ତ ସମୀକରଣ ହିସାବରେ ଏନଏଭି ଏହି ଭଳି ଗଣନା କରାଯିବ । ଆସେଟ = ୧,୦୦,୦୦,୦୦୦ + ୧୦,୦୦,୦୦୦ + ୫,୦୦,୦୦୦ + ୧,୦୦,୦୦୦ = ୧,୧୬,୦୦,୦୦୦ ଟଙ୍କା ଲାୟାବିଲିଟି = ୨୦,୦୦,୦୦୦ + ୧୫,୦୦,୦୦୦ = ୩୫,୦୦,୦୦୦ ଟଙ୍କା ମୋଟ ୟୁନିଟ = ୧,୦୦,୦୦୦ଟି ନେଟ ଆସେଟ ଭାଲ୍ୟୁ = (୧,୧୬,୦୦,୦୦୦ - ୩୫,୦୦,୦୦୦) / ୧,୦୦,୦୦୦ = ୮୧ ଟଙ୍କା [୯] ଏଠାରେ ଗଣନାକୁ ସରଳ କରିବା ନିମିତ୍ତ ଖୁବ କମ ଆସେଟ ଏବଂ ଲାୟାବିଲିଟିର ପ୍ରକାର ନିଆଯାଇଛି, ବାସ୍ତବରେ ଏହା ଜଟିଳ ଅଟେ ଏବଂ ଅନେକ ପ୍ରକାରର ଆସେଟ ଓ ଲାୟାବିଲିଟି ରହିଥାଏ ।
  • ଦୁଇଟି ମ୍ୟୁଚୁଆଲ‌୍ଫଣ୍ଡ୍ ମଧ୍ୟରେ ଭଲ ଜାଣିବାକୁ ହେଲେ ନେଟ ଆସେଟ ଭାଲ୍ୟୁ କିଛି ପ୍ରଭାବ ପକାଏ ନାହିଁ । ପୂର୍ବରୁ ମିଳିଥିବା ଲାଭ ହିସାବରେ ହିଁ ଚୟନ କରାଯାଇଥାଏ ।[୧୦]

ୟୁନିଟ[ସମ୍ପାଦନା]

  • ଗୋଟିଏ ମ୍ୟୁଚୁଆଲ‌୍ ଫଣ୍ଡର ୟୁନିଟକୁ ମ୍ୟୁଚୁଆଲ‌୍ ଫଣ୍ଡର ଶେୟାର ମଧ୍ୟ କୁହାଯାଇଥାଏ ।[୧୧] ଯେପରି ଶେୟାର କହିଲେ ଏକ କମ୍ପାନୀର ମାଲିକାନା ବା ଅଂଶ ବୁଝାଇଥାଏ, ସେହିପରି ଭାବେ ୟୁନିଟ କହିଲେ ଏକ ମ୍ୟୁଚୁଆଲ‌୍ ଫଣ୍ଡର ଅଂଶ ବୁଝାଇଥାଏ ।[୧୨] ଏକ ୟୁନିଟର ମୂଲ୍ୟ କେତେ ଟଙ୍କା ତାହା ସେହି ମ୍ୟୁଚୁଆଲ‌୍ ଫଣ୍ଡର ନେଟ ଆସେଟ ଭାଲ୍ୟୁ ସୁଚାଇଥାଏ ।[୧୩] ଧରନ୍ତୁ ଗୋଟିଏ ମ୍ୟୁଚୁଆଲ‌୍ ଫଣ୍ଡର ନେଟ ଆସେଟ ଭାଲ୍ୟୁ ୧୦ ଟଙ୍କା, ଏହାର ଅର୍ଥ ସେହି ମ୍ୟୁଚୁଆଲ‌୍ ଫଣ୍ଡର ଗୋଟିଏ ଶେୟାର ବା ୟୁନିଟର ମୂଲ୍ୟ ୧୦ ଟଙ୍କା ।
  • ଏବେ ଆପଣ ସନ୍ଦେହରେ ପଡୁଥାଇ ପାରନ୍ତି ଯଦି ମ୍ୟୁଚୁଆଲ‌୍ ଫଣ୍ଡର ଅଂଶ ଧନକୁ ହିଁ ୟୁନିଟ କୁହାଯାଏ, ତେବେ ଏହାକୁ ଶେୟାର ନକହି ୟୁନିଟ କାହିଁକି କୁହାଯାଉଛି । ନିମ୍ନରେ ଦର୍ଶାଗଲା :[୧୪]
ଶେୟାର ଓ ୟୁନିଟ ମଧ୍ୟରେ ପାର୍ଥକ୍ୟ
ୟୁନିଟ ଶେୟାର
ଅନେକ ଗୁଡ଼ିଏ କମ୍ପାନୀର ଶେୟାର ବା ଅନ୍ୟାନ୍ୟ ପୁଞ୍ଜିକୁ ନେଇ ୟୁନିଟ ଗଠିତ ହୋଇଥାଏ ଏହା ଏକ ନିର୍ଦ୍ଧିଷ୍ଟ କମ୍ପାନୀର ଅଂଶଧନକୁ ହିଁ ବୁଝାଇଥାଏ
କୌଣସି ବ୍ୟବସାୟିକ ଦିନର ଶେଷରେ ୟୁନିଟର ମୂଲ୍ୟ ବା ନେଟ ଆସେଟ ଭାଲ୍ୟୁ ନିର୍ଦ୍ଧାରିତ ହୁଏ କୌଣସି ବ୍ୟବସାୟିକ ସମୟରେ ଏହାର ମୂଲ୍ୟ ତୁହାକୁ ତୁହା ଲୋକମାନେ କିଣାବିକା କରିବା ସମୟରେ ତତକ୍ଷଣାତ ପରିବର୍ତ୍ତନ ହୁଏ

ଲୋଡ୍[ସମ୍ପାଦନା]

ନିବେଶକାରୀ ମାନେ ଯେତେବେଳେ ମ୍ୟୁଚୁଆଲ‌୍ ଫଣ୍ଡରେ ଅର୍ଥ ଜମା କରନ୍ତି ବା ଉଠେଇଥାନ୍ତି, କିଛି ଆସେଟ ମ୍ୟାନେଜମେଣ୍ଟ କମ୍ପାନୀ ଏକ ପାଉଣା ନେଇଥାନ୍ତି, ଯାହାକୁ କି ଲୋଡ୍ ବା କମିଶନ କୁହାଯାଇଥାଏ । ଏହି ଲୋଡ୍ ଦୁଇ ପ୍ରକାରର:[୧୫]

  1. ଏଣ୍ଟ୍ରି ଲୋଡ୍
  2. ଏକ୍ଜିଟ ଲୋଡ୍

ଏଣ୍ଟ୍ରି ଲୋଡ୍[ସମ୍ପାଦନା]

ଯେତେବେଳେ ଏକ ନିବେଶକାରୀ ବା ସାଧାରଣ ଲୋକ ମ୍ୟୁଚୁଆଲ‌୍ ଫଣ୍ଡରେ ଟଙ୍କା ଜମା କରନ୍ତି ସେହି ସମୟରେ ହେଉଥିବା ଲୋଡ୍ ବା ପାଉଣାକୁ ଏଣ୍ଟ୍ରି ଲୋଡ୍ କୁହାଯାଇଥାଏ ।[୧୬]

ଏକ୍ଜିଟ ଲୋଡ୍[ସମ୍ପାଦନା]

ଅନ୍ୟ ପକ୍ଷରେ ଯେତେବେଳେ ଏକ ନିବେଶକାରୀ ମ୍ୟୁଚୁଆଲ‌୍ ଫଣ୍ଡରେ ଟଙ୍କା ଉଠାନ୍ତି ସେହି ସମୟରେ ହେଉଥିବା ଲୋଡ୍ ବା ପାଉଣାକୁ ଏକ୍ଜିଟ ଲୋଡ୍ କୁହାଯାଇଥାଏ ।[୧୭]

ଏକ୍ସପେନ୍ସ ରେସିଓ[ସମ୍ପାଦନା]

ଏହା ଦର୍ଶାଇଥାଏକି ଗୋଟିଏ ମ୍ୟୁଚୁଆଲ‌୍ ଫଣ୍ଡର କେତେ ପରିମାଣର ଅର୍ଥ ପ୍ରଶାସନିକ ଏବଂ ଅଲଗା ଖର୍ଚ୍ଚବାର୍ଚ୍ଚ କାମରେ ନିୟୋଜିତ ହେଉଅଛି ।[୧୮] ମ୍ୟୁଚୁଆଲ‌୍ ଫଣ୍ଡର ସର୍ବମୋଟ ଖର୍ଚ୍ଚକୁ ଏହାର ମୋଟ ଆସେଟସହ (ଆସେଟ ଅଣ୍ଡର ମ୍ୟାନେଜମେଣ୍ଟ) ବିଭାଜିତ କଲେ ଏହି ରେସିଓ ମିଳିଥାଏ ।[୧୯] ଏହି ରେସିଓ ଯେତେ କମ ହେବ ନିବେଶକଙ୍କ ନିମିତ୍ତ ସେତେ ଭଲ ।[୨୦] ଏହି ରେସିଓ ଅଧିକରୁ ଅଧିକ କେତେ ହୋଇପାରିବ ତାହା ଏସ.ଇ.ବି.ଆଇ ନିର୍ଧାରଣ କରନ୍ତି ।[୧୯]

ନିବେଶକ ମାନଙ୍କର ସୁବିଧା ଓ ଅସୁବିଧା[ସମ୍ପାଦନା]

ସୁବିଧା[ସମ୍ପାଦନା]

  • ବିବିଧତା ବଢ଼ାଇଥାଏ: ଗୋଟିଏ ଫଣ୍ଡଦ୍ୱାରା ଆପଣ ଖୁବ କମ ନିବେଶରେ ଅନେକଗୁଡ଼ିଏ ଶେୟାର ବା ପୁଞ୍ଜିରେ ନିବେଶ କରିପାରିବେ । ଯାହା ଫଳରେ ଧରନ୍ତୁ ଗୋଟିଏ ଶେୟାରର ମୂଲ୍ୟ କମିଗଲା, ଅନ୍ୟ ଶେୟାରଗୁଡ଼ିକ ଯୋଗୁଁ ଆପଣଙ୍କର ପୁରା ନିବେଶ ଏତେ ପ୍ରଭାବିତ ହୁଏନାହିଁ । ତେଣୁ କ୍ଷତିହେବାର ବିପଦ ମଧ୍ୟ କମ ହୋଇଥାଏ ।
  • ଓପନ ଏଂଡେଡ଼ ଫଣ୍ଡର ଯଦି ଆପଣ ନିବେଶ କରିଛନ୍ତି ତେବେ ଆପଣ ଆପଣଙ୍କର ୟୁନିଟ ବିକ୍ରି କରି, ବଜାର ଦର ହିସାବରେ ସେହିଦିନରେ ହିଁ ଟଙ୍କା ପାଇପାରିବେ ।
  • ଏହାଦ୍ୱାରା ଆପଣ ବିଶେଷଜ୍ଞ ଫଣ୍ଡ୍ ମ୍ୟାନେଜର ମାନଙ୍କଠୁ ସାହାର୍ଯ୍ୟ ନେଇପାରିବେ । ସେମାନେ ବଜାର ଅବସ୍ଥାକୁ ଭଲ ଭାବରେ ଅନୁଧ୍ୟାନ କରନ୍ତି ଏବଂ ଆବଶ୍ୟକ ମୁତାବକ ନିବେଶ କରିଥାନ୍ତି ।
  • ଆପଣ ଚାହିଁଲେ ବିଦେଶୀ ମାଟିରେ ଥିବା କମ୍ପାନୀ ଗୁଡ଼ିକରେ ମଧ୍ୟ ନିବେଶ କରିପାରିବେ । ଏହାଛଡ଼ା କିଛି ଶେୟାର ଯାହାର ମୂଲ୍ୟ ସାଧାରଣ ନିବେଶକ ମାନଙ୍କ ପକ୍ଷେ କିଣିବା ସମ୍ଭବ ନୁହେଁ ମ୍ୟୁଚୁଆଲ ଫଣ୍ଡ୍ ଦ୍ୱାରା କିଣାବିକା କରିପାରିବେ ।
  • ଏକ ନିର୍ଦ୍ଧିଷ୍ଟ ପ୍ରକାର ଫଣ୍ଡ୍ ଦ୍ୱାରା ଆପଣ ଖଜଣା ଡବାରୁ ରିହାତି ମଧ୍ୟ ପାଇପାରିବେ, ସେହି ଫଣ୍ଡର ପ୍ରକାରକୁ ଇଏଲଏସଏସ କୁହାଯାଇଥାଏ ।
  • ଏହାର ପରିଚାଳନା ସ୍ୱଚ୍ଛ ଅଟେ ଏବଂ ଏହା ସରକାରୀ ସଂସ୍ଥା ଦ୍ୱାରା ହୋଇଥାଏ ।[୨୧][୨୨][୨୩]

ଅସୁବିଧା[ସମ୍ପାଦନା]

  • କୌଣସି ଏକ ଫଣ୍ଡରେ ନିବେଶ କରିଲାବେଳେ (ଏଣ୍ଟ୍ରି ଲୋଡ) ବା ସେଥିରୁ ନିବେଶ ଟଙ୍କା କାଢ଼ିବାକୁ ଗଲାବେଳେ (ଏକ୍ଜିଟ ଲୋଡ) କିଛି ଟଙ୍କା ଦେବାକୁ ପଡ଼ିଥାଏ । ଏହାଛଡ଼ା ନିବେଶ ଅର୍ଥରୁ କିଛି ଅଂଶ (ଆପଣଙ୍କର ଲାଭ ହେଉ କି କ୍ଷତି) ଫଣ୍ଡ୍ କରିଥିବା ସଂସ୍ଥା ନେଇଥାନ୍ତି (ଏକ୍ସପେନ୍ସ ରେସିଓ) ।[୨୩]
  • ବିବିଧତା ଏକ ପକ୍ଷରେ କ୍ଷତି କମାଇଥାଏ, ଅନ୍ୟ ପକ୍ଷରେ ଏହା ଲାଭରୁ ମଧ୍ୟ ବଞ୍ଚିତ କରିଥାଏ । [୨୩]
  • କେଉଁ ଶେୟାରରେ କେତେ ଟଙ୍କା ଲଗେଇବେ ତାହା ଆପଣ ପରିବର୍ତ୍ତନ କରିପାରିବେ ନାହିଁ ।
  • ଇକ୍ୱିଟି ମ୍ୟୁଚୁଆଲ‌୍ ଫଣ୍ଡରେ ନିବେଶ ମାନେ ମ୍ୟୁଚୁଆଲ‌୍ ଫଣ୍ଡ୍ ନିବେଶ କରିଥିବା ପୁଞ୍ଜିରେ (ଯାହାକି ମ୍ୟୁଚୁଆଲ‌୍ ଫଣ୍ଡ୍ ପ୍ରକାର ହିସାବରେ ଶେୟାର ହୋଇପାରେ) ନିବେଶ । ଶେୟାରର ମୂଲ୍ୟ ବଢିବା କମିବା ସହ ମ୍ୟୁଚୁଆଲ‌୍ ଫଣ୍ଡର ମୂଲ୍ୟ (ଏନଏଭି) ମଧ୍ୟ କମ ବେଶି ହୋଇଥାଏ । ତେଣୁ ଏହି ଭଳି ଇକ୍ୱିଟି ମ୍ୟୁଚୁଆଲ‌୍ ଫଣ୍ଡରେ ନିବେଶ କଲେ ଅଧିକ ଲାଭ ବା କ୍ଷତି ହୋଇପାରେ ।

ମ୍ୟୁଚୁଆଲ‌୍ ଫଣ୍ଡର ପ୍ରକାର[ସମ୍ପାଦନା]

ବିଭିନ୍ନ ପ୍ରକାର ମ୍ୟୁଚୁଆଲ‌୍ ଫଣ୍ଡର ପ୍ରକାର ବିଷୟରେ ନିମ୍ନରେ ଲେଖାହେଲା ।[୨୪]

ପରିପକ୍ଵତା ହିସାବରେ[ସମ୍ପାଦନା]

ଓପନ ଏଂଡେଡ[ସମ୍ପାଦନା]

ଯେଉଁ ଫଣ୍ଡର ୟୁନିଟଗୁଡ଼ିକୁ ବର୍ଷ ସାରା କିଣାବିକା କରିହେବ ତାହା ଏହି ବିଭାଗର ଅନ୍ତର୍ଗତ ଅଟନ୍ତି । ଏହି ପ୍ରକାର ଫଣ୍ଡ୍ ଖୁବ ଶୀଘ୍ର କିଣା ବିକା କରିହୋଇଥାଏ, ଯାହା ଫଳରେ ନିବେଶକାରୀ ମାନଙ୍କୁ ଅର୍ଥ ଲୀକୁଇଡିଟି ଦେଇଥାଏ ।

କ୍ଲୋଜ ଏଂଡେଡ[ସମ୍ପାଦନା]

ଏହି ଭଳି ଫଣ୍ଡ୍ ଗୁଡିକରେ ଆସେଟ ମ୍ୟାନେଜମେଣ୍ଟ କମ୍ପାନୀ ଫଣ୍ଡକୁ ବିଭିନ୍ନ ପୁଞ୍ଜିରେ ନିବେଶ ପୂର୍ବରୁ କେବଳ କିଛି ଦିନ ପାଇଁ ଅର୍ଥ ଜମା ରଖିବା ନିମନ୍ତେ ପ୍ରସ୍ତାବ ରଖିଥାନ୍ତି । ଏକ ନିର୍ଦ୍ଧିଷ୍ଟ ସମୟସୀମାପରେ ମ୍ୟୁଚୁଆଲ ଫଣ୍ଡଟି ପରିପକ୍ଵତା ଲାଭ କରିବ, ସେହି ସମୟ ପୂର୍ବରୁ କିଣିଥିବା ୟୁନିଟ ଆସେଟ ମ୍ୟାନେଜମେଣ୍ଟ କମ୍ପାନୀକୁ ବିକ୍ରି କରିହେବ ନାହିଁ । ହେଲେ ଏହି ୟୁନିଟକୁ ଆପଣ ପରିପକ୍ଵତା ପୂର୍ବରୁ ଶେୟାର ବଜାର ଭଳି ଅନ୍ୟ ଏକ ନିବେଶକାରୀ ସହ ଟ୍ରେଡ କରିପାରିବେ ।[୨୫][୨୬]

ଇଂଟରବାଲ୍ ଫଣ୍ଡ୍[ସମ୍ପାଦନା]

ଏହି ଭଳି ଫଣ୍ଡ୍ ଗୁଡିକରେ ଉଭୟ ଓପନ ଏଂଡେଡ ଓ କ୍ଲୋଜ ଏଂଡେଡ ଫଣ୍ଡର ବୈଶିଷ୍ଟ୍ୟତା ରହିଥାଏ । କିଛି ସମୟସୀମା ଅବଧାନରେ ଏହି ଫଣ୍ଡଟି କିଣାବିକା ହେବାକୁ ଖୋଲିଥାଏ ।[୨୭]

ନିବେଶିତ ଦ୍ରବ୍ୟ ହିସାବରେ[ସମ୍ପାଦନା]

ଇକ୍ୱିଟି[ସମ୍ପାଦନା]

ଏହିପ୍ରକାର ଫଣ୍ଡଗୁଡ଼ିକୁ ଶେୟାର ବଜାରରେ ବିଭିନ୍ନ କମ୍ପାନୀର ଶେୟାର ଉପରେ ନିବେଶ କରାଯାଇଥାଏ । ଏହା ଅନ୍ୟାନ୍ୟ ପ୍ରକାରର ଫଣ୍ଡଠାରୁ ଅଧିକ ଲାଭ ଦେଇଥାଏ, ତେଣୁ ଏହା ଅନ୍ୟଫଣ୍ଡ୍ ଠାରୁ ଅଧିକ ସଙ୍କଟାପର୍ଣ୍ଣ ଅଟେ ।[୨୮]


ଏସଇବିଆଇ ଏହି ଅଧୀନରେ ୧୧ଟି ବିଭାଗ ନିର୍ଧାରିତ କରିଛନ୍ତି ଯେଉଁଥିରେ ମ୍ୟୁଚୁଆଲ ଫଣ୍ଡ୍ ନିବେଶ କରିପାରିବ । ନିବେଶିତ କମ୍ପାନୀର ଆକାର ହିସାବରେ ମୁଖ୍ୟତଃ ଇକ୍ୱିଟି ଫଣ୍ଡକୁ ତିନି ଭାଗରେ ବିଭକ୍ତ କରାଯାଇଛି ।[୨୯]

ଲାର୍ଜ କ୍ୟାପ : ମାର୍କେଟ କ୍ୟାପିଟାଲାଇଜେସନ ହିସାବରେ ସବୁଠାରୁ ବଡ଼ ୧୦୦ଟି କମ୍ପାନୀ ଏହି ବିଭାଗ ଅଧୀନରେ ଆସୁଛନ୍ତି ।

ମିଡ କ୍ୟାପ : ୧୦୧ତମ ରୁ ୨୫୦ତମ କମ୍ପାନୀ ଏହି ବିଭାଗ ଅଧିନସ୍ଥ ।

ସ୍ମଲ କ୍ୟାପ : ୨୫୧ତମ କମ୍ପାନୀରୁ ଅଧିକା ଏହି ବିଭାଗ ଅଧୀନରେ ଅଟନ୍ତି ।

ଡେଟ୍[ସମ୍ପାଦନା]

ଡେଟ୍ ଫଣ୍ଡଗୁଡିକୁ ବିଭିନ୍ନ ପ୍ରକାରର ନିଶ୍ଚିତ ଲାଭ ପୁଞ୍ଜିରେ ନିବେଶ କରାଯାଇଥାଏ, ଉଦାହରଣ ସ୍ୱରୂପ ବଣ୍ଡ, ସିକ୍ୟୋରିଟି, ଟ୍ରେଜେରି ବିଲ୍, ଫିକ୍ସଡ଼ ମାଚ୍ୟୁରିଟି ପ୍ଲାନ (ଏଫ.ଏମ.ପି.), ଗିଲଟ୍ ଫଣ୍ଡ୍, ଲୀକୁଇଡ ଫଣ୍ଡ୍, ମଂଥଲି ଇନକମ୍ ପ୍ଲାନ (ଏମ.ଆଇ.ପି.) ଏବଂ ଅନ୍ୟାନ୍ୟ ପୁଞ୍ଜି ଯେଉଁଥିରେ ଏକ ନିର୍ଦ୍ଧିଷ୍ଟ ସମୟସୀମାପରେ ଏକ ନିର୍ଦ୍ଧିଷ୍ଟ ସୁଧ ହାରରେ ଟଙ୍କା ମିଳିବ । ଯଦି ଆପଣ ଏକ ନିରାଶବାଦୀ ଓ ଅଳ୍ପ ବିପଦଯୁକ୍ତ ପୁଞ୍ଜି ନିବେଶକାରୀ ତେବେ ଏହିଭଳି ପୁଞ୍ଜିରେ ନିବେଶ କରନ୍ତୁ ।[୩୦] ଯେଉଁଭଳି ଶେୟାରରେ ନିବେଶ କରୁଥିବା ଲୋକେ ଶେୟାର ବଜାରରେ ଟ୍ରେଡିଂ କରନ୍ତି, ସେହିଭଳି କିଛି ଲୋକ ଟଙ୍କାପଇସାର କାରବାର ମନି ମାର୍କେଟରେ କରିଥାନ୍ତି । ଏହା ମୁଖ୍ୟତଃ ସରକାରଙ୍କ ଦ୍ୱାରା ପରିଚାଳିତ ହୋଇଥାଏ । ଏଥିରେ ଏକ ନିର୍ଦ୍ଧିଷ୍ଟ ପରିମାଣର ଡିଭିଡେଣ୍ଡ ମିଳିଥାଏ ।[୩୦]

ଏସଇବିଆଇ ଏହି ଅଧୀନରେ ୧୬ଟି ବିଭାଗ ନିର୍ଧାରିତ କରିଛନ୍ତି ଯେଉଁଥିରେ ମ୍ୟୁଚୁଆଲ ଫଣ୍ଡ୍ ନିବେଶ କରିପାରିବ ।[୩୧]

ବାଲାନ୍ସଡ[ସମ୍ପାଦନା]

ଉପରୋକ୍ତ ତିନୋଟି ପ୍ରକାରର ଫଣ୍ଡର ସମିଶ୍ରଣରେ ଏକ ପ୍ରକାରର ନୂଆ ଫଣ୍ଡ୍ ଗଢ଼ାଯାଇଥାଏ, ତାହାକୁ ବାଲାନ୍ସଡ ବା ହାଇବ୍ରିଡ ଫଣ୍ଡ୍ କୁହାଯାଇଥାଏ । ଏଥିରେ ଉଭୟ ଇକ୍ୱିଟି ଏବଂ ଡେଟ୍ ଫଣ୍ଡ୍ ପ୍ରକାରର ପୁଞ୍ଜିରେ ନିବେଶ ହୋଇଥାଏ ।[୩୦]

ଏସଇବିଆଇ ଏହି ଅଧୀନରେ ୭ଟି ବିଭାଗ ନିର୍ଧାରିତ କରିଛନ୍ତି ଯେଉଁଥିରେ ମ୍ୟୁଚୁଆଲ ଫଣ୍ଡ୍ ନିବେଶ କରିପାରିବ ।[୩୨]

କ୍ଷତି ଆଶଙ୍କାର ପ୍ରକାର ହିସାବରେ[ସମ୍ପାଦନା]

କ୍ଷତି ଆଶଙ୍କାର ପ୍ରକାର ହିସାବରେ ମଧ୍ୟ ମ୍ୟୁଚୁଆଲ ଫଣ୍ଡକୁ କମ, ମିଡ ବା ଅଧିକ ଆଶଙ୍କା ବିଶିଷ୍ଟ ଫଣ୍ଡରେ ବିଭାଜିତ କରାଯାଇପାରିଥାଏ ।

ଲାଭ ନେବା ପ୍ରଣାଳୀ ହିସାବରେ[ସମ୍ପାଦନା]

ଆପଣ କିଭଳି ଆପଣଙ୍କର ମ୍ୟୁଚୁଆଲ ଫଣ୍ଡରେ ହୋଇଥିବା ଲାଭ ନେବାକୁ ଚାହିଁବେ ସେହି ହିସାବରେ ମ୍ୟୁଚୁଆଲ ଫଣ୍ଡକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ।[୩୩]

  1. ଡିଭିଡେଣ୍ଡ୍
  2. ଗ୍ରୋଥ୍

ଡିଭିଡେଣ୍ଡ୍[ସମ୍ପାଦନା]

ଏହି ପ୍ରକାର ଫଣ୍ଡରେ ମ୍ୟୁଚୁଆଲ ଫଣ୍ଡଦ୍ୱାରା ନିବେଶିତ କମ୍ପାନୀରୁ ମିଳିଥିବା ଡିଭିଡେଣ୍ଡ୍ ସିଧାସଳଖ ଫଣ୍ଡ୍ ନିବେଶକାରୀମାନଙ୍କୁ (ତାଙ୍କର ସଞ୍ଚୟ ଖାତାରେ) ପ୍ରଦାନ କରାଯାଇଥାଏ ।

ଗ୍ରୋଥ୍[ସମ୍ପାଦନା]

ଏହି ପ୍ରକାର ଫଣ୍ଡରେ ମ୍ୟୁଚୁଆଲ ଫଣ୍ଡଦ୍ୱାରା ନିବେଶିତ କମ୍ପାନୀରୁ ମିଳିଥିବା ଡିଭିଡେଣ୍ଡ୍ ଫଣ୍ଡ୍ ନିବେଶକାରୀମାନଙ୍କୁ ପ୍ରଦାନ କରାନଯାଇ ସେହି ମୂଲ୍ୟର ୟୁନିଟ କିଣି ସେମାନଙ୍କ ନାମରେ କରାଯାଇଥାଏ ।

କେତେକ ବିଶେଷ ଫଣ୍ଡ[ସମ୍ପାଦନା]

କେତେକ ଅଲଗା ପ୍ରକାର ଫଣ୍ଡ୍ ବିଷୟରେ ନିମ୍ନରେ ଲେଖାଗଲା ।[୩୪][୩୫]

ସେକ୍ଟର ଫଣ୍ଡ୍[ସମ୍ପାଦନା]

ଏହି ପ୍ରକାର ଫଣ୍ଡ୍ କେବଳ ଏକ ନିର୍ଦ୍ଧିଷ୍ଟ ସେକ୍ଟରର ପୁଞ୍ଜିରେ ନିବେଶ କରିଥାନ୍ତି ଯଥା ଆଇଟି ସେକ୍ଟରଫଣ୍ଡ୍ କେବଳ ଆଇଟି କମ୍ପାନୀ ଗୁଡ଼ିକରେ ପୁଞ୍ଜି ନିବେଶ କରିବେ ଇତ୍ୟାଦି ।

ଇଣ୍ଡେକ୍ସ ଫଣ୍ଡ୍[ସମ୍ପାଦନା]

ଇଣ୍ଡେକ୍ସଫଣ୍ଡ୍ କୌଣସି ଫଣ୍ଡ୍ ମ୍ୟାନେଜରଙ୍କ ଦ୍ୱାରା ପରିଚାଳିତ ହୁଏ ନାହିଁ । ଗୋଟିଏ ଇଣ୍ଡେକ୍ସ ଫଣ୍ଡ୍ ଯେଉଁ ଅନୁପାତରେ ଶେୟାର ଇଣ୍ଡେକ୍ସରେ (ଯଥା ସେନସେକ୍ସ ବା ନିଫ୍ଟି) ଶେୟାରଗୁଡ଼ିକ ଅଛି ସେହି ଅନୁପାତରେ ସେହି ସେହି କମ୍ପାନୀ ଶେୟାରଗୁଡ଼ିକରେ ନିବେଶ କରିଥାଏ ।

ଫଣ୍ଡଗୁଡ଼ିକର ଫଣ୍ଡ୍[ସମ୍ପାଦନା]

ଏହି ମ୍ୟୁଚୁଆଲ ଫଣ୍ଡ୍ ବହୁତ ଗୁଡିଏ ଅନ୍ୟ ଭିନ୍ନ ଭିନ୍ନ ପ୍ରକାରର ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିଥାଏ ।

ବିଦେଶୀ ଫଣ୍ଡ୍[ସମ୍ପାଦନା]

ନିଜ ଦେଶ ଛଡା ଅନ୍ୟ ଦେଶରେ ଯଦି ଏକ ମ୍ୟୁଚୁଆଲ ଫଣ୍ଡ୍ ନିବେଶ କଲେ, ତାହାକୁ ଏହି ଫଣ୍ଡ୍ ପ୍ରକାର ଅନ୍ତର୍ଗତ କରାଯାଇଥାଏ ।

ଗ୍ଲୋବାଲ୍ ଫଣ୍ଡ୍[ସମ୍ପାଦନା]

ଏହି ମ୍ୟୁଚୁଆଲ ଫଣ୍ଡ୍ ବିଦେଶୀ ଫଣ୍ଡ୍ ସହିତ ପ୍ରାୟ ସମାନ , କେବଳ ଏହି ଫଣ୍ଡରେ ବିଦେଶ ସହିତ ନିଜ ଦେଶରେ ମଧ୍ୟ ନିବେଶ କରିହୁଏ ।

ଏକ୍ସଚେଞ୍ଜ ଟ୍ରେଡେଡ ଫଣ୍ଡ୍[ସମ୍ପାଦନା]

ଏହା ଇଣ୍ଡେକ୍ସଫଣ୍ଡ୍ ପରିବାର ଅନ୍ତର୍ଗତ, ଏହା ଏକ୍ସଚେଂଜରେ କିଣାବିକା ହୋଇଥାଏ । ଏହି ଫଣ୍ଡର ମୂଲ୍ୟ ଦିନର କୌଣସି ସମୟରେ କାମ ବେଶୀ ହୋଇପାରେ । ଅନ୍ୟ ଫଣ୍ଡଗୁଡିକ ପରି ଏହାର ମୂଲ୍ୟ ଦିନର ଶେଷରେ ମୂଲ୍ୟାଙ୍କନ କରାଯାଏ ନାହିଁ ।

ଆଧାର[ସମ୍ପାଦନା]

  1. https://papers.ssrn.com/sol3/papers.cfm?abstract_id=636146
  2. https://timesofindia.indiatimes.com/articles/Conceptand-Evolution-of-Mutual-Funds-in-India/articleshowhsbc/22187765.cms
  3. https://www.amfiindia.com/research-information/mf-history
  4. http://www.allbankingsolutions.com/Banking-Tutor/Mutual-funds-in-India.htm
  5. https://www.investopedia.com/terms/a/asset_management_company.asp
  6. https://www.moneycontrol.com/glossary/mutual-fund/asset-management-company-amc_469.html
  7. https://cleartax.in/s/asset-management-company-amc/
  8. http://www.allbankingsolutions.com/Banking-Tutor/Mutual-funds-in-India.htm
  9. ୯.୦ ୯.୧ https://www.investopedia.com/terms/n/nav.asp
  10. https://economictimes.indiatimes.com/wealth/mutual-funds/how-should-a-mutual-fund-investor-interpret-net-asset-value/articleshow/50749675.cms
  11. https://finance.zacks.com/mutual-fund-unit-7478.html
  12. https://www.moneycontrol.com/glossary/mutual-fund/unit_500.html
  13. https://www.quora.com/What-is-the-meaning-of-units-in-a-mutual-fund
  14. https://economics.stackexchange.com/questions/15169/difference-between-unit-and-share
  15. https://economictimes.indiatimes.com/definition/entry-load
  16. https://www.bankbazaar.com/mutual-fund/load-mutual-fund.html?ck=Y%2BziX71XnZjIM9ZwEflsyInYOiGIfXvLyqG1kyDwZLWZC0TqFEkhF6ljN6nbC1ZXXBwImSfaF7%2BS%0AmJOG7qYyyg%3D%3D&rc=1
  17. https://www.moneycontrol.com/glossary/mutual-fund/what-is-an-entry-load-and-an-exit-load_1586.html
  18. https://www.investopedia.com/terms/e/expenseratio.asp
  19. ୧୯.୦ ୧୯.୧ https://economictimes.indiatimes.com/mf/analysis/mutual-fund-fundamentals-what-is-expense-ratio/articleshow/12410645.cms
  20. https://cleartax.in/s/expense-ratio-mutual-funds
  21. https://www.investopedia.com/investing/advantages-of-mutual-funds/
  22. https://www.bankbazaar.com/mutual-fund/mutual-funds-advantages.html?ck=Y%2BziX71XnZjIM9ZwEflsyInYOiGIfXvLyqG1kyDwZLWZC0TqFEkhF6ljN6nbC1ZXXBwImSfaF7%2BS%0AmJOG7qYyyg%3D%3D&rc=1
  23. ୨୩.୦ ୨୩.୧ ୨୩.୨ https://groww.in/blog/advantages-disadvantages-mutual-funds-india/
  24. https://timesofindia.indiatimes.com/articles/Different-Types-and-Kinds-of-Mutual-Funds/articleshowhsbc/22624820.cms
  25. https://www.policybazaar.com/mutual-funds/
  26. https://www.bankbazaar.com/mutual-fund/types-of-mutual-funds.html?ck=Y%2BziX71XnZjIM9ZwEflsyH%2B0oviQh3JQ4Da6U8drI06ZC0TqFEkhF6ljN6nbC1ZXXBwImSfaF7%2BS%0AmJOG7qYyyg%3D%3D&rc=1
  27. https://www.bankbazaar.com/mutual-fund/types-of-mutual-funds.html?ck=Y%2BziX71XnZjIM9ZwEflsyH%2B0oviQh3JQ4Da6U8drI06ZC0TqFEkhF6ljN6nbC1ZXXBwImSfaF7%2BS%0AmJOG7qYyyg%3D%3D&rc=1
  28. https://www.policybazaar.com/mutual-funds/
  29. https://groww.in/blog/what-are-the-various-types-of-mutual-funds-in-india/#Equity_Schemes
  30. ୩୦.୦ ୩୦.୧ ୩୦.୨ https://cleartax.in/s/mutual-fund-types/
  31. https://groww.in/blog/what-are-the-various-types-of-mutual-funds-in-india/#Debt_Schemes
  32. https://groww.in/blog/what-are-the-various-types-of-mutual-funds-in-india/#Hybrid_Schemes
  33. https://www.investopedia.com/ask/answers/which-option-better-mutual-fund-growth-option-dividend-reinvestment-option/
  34. https://www.bankbazaar.com/mutual-fund/types-of-mutual-funds.html?ck=Y%2BziX71XnZjIM9ZwEflsyH%2B0oviQh3JQ4Da6U8drI06ZC0TqFEkhF6ljN6nbC1ZXXBwImSfaF7%2BS%0AmJOG7qYyyg%3D%3D&rc=1
  35. https://cleartax.in/s/mutual-fund-types/#Specialized

ବାହ୍ୟ ଆଧାର[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]