ମାହିଷ୍ମତୀ
ମାହିଷ୍ମତୀ ହେଉଛି ପ୍ରାଚୀନ ମଧ୍ୟ-ଭାରତର ଏକ ନଗର । ଆଧୁନିକ ମଧ୍ୟ ପ୍ରଦେଶ ରାଜ୍ୟରେ ନର୍ମଦା ନଦୀ କୂଳରେ ଏହି ନଗର ଗଢ଼ି ଉଠିଥିଲା ବୋଲି ବିଶ୍ୱାସ କରାଯାଏ କିନ୍ତୁ ମାହିଷ୍ମତୀର ପ୍ରକୃତ ଅବସ୍ଥିତି ସମ୍ପର୍କରେ ଅଦ୍ୟାବଧି କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ମିଳିନାହିଁ ।
ବିଭିନ୍ନ ପ୍ରାଚୀନ ଲେଖା, କାବ୍ୟ ଇତ୍ୟାଦିରେ ମାହିଷ୍ମତୀ ଜଣେ ହୈହୟ ବଂଶର ଜଣେ କିମ୍ବଦନ୍ତୀ ରାଜା ସହସ୍ରବାହୁ ଅର୍ଜୁନଙ୍କଦ୍ୱାରା ଶାସିତ ହେବାର ଉଲ୍ଲେଖ ରହିଛି । ପ୍ରାଚୀନ ଅବନ୍ତୀ ରାଜ୍ୟର ଦକ୍ଷିଣ ପଟକୁ ରହିଥିବା ମହତ୍ତ୍ୱପୂର୍ଣ୍ଣ ନଗରମାନଙ୍କ ମଧ୍ୟରେ ମାହିଷ୍ମତୀ ଅନ୍ୟତମ ଥିଲା । ପରବର୍ତ୍ତୀ ସମୟରେ ମାହିଷ୍ମତୀ ପ୍ରାଚୀନ ଅନୂପ ରାଜ୍ୟର ରାଜଧାନୀ ରୂପେ ଉଭା ହୋଇଥିଲା । ପରମାର ରାଜବଂଶର ଏକ ଶିଳାଲେଖରୁ ଅନୁମାନ କରାଯାଏ ଯେ ୧୩ଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ମାହିଷ୍ମତୀ ଏକ ସମୃଦ୍ଧଶାଳୀ ନଗର ଥିଲା ।
ପରିଚିତି ଓ ଅବସ୍ଥିତି ସମ୍ପର୍କିତ ବିଭିନ୍ନ ସମ୍ଭାବନା
[ସମ୍ପାଦନା]ଯଦିଓ ଅନେକ ପ୍ରଚୀନ ଭାରତୀୟ କାବ୍ୟ ଓ ସାହିତ୍ୟରେ ମାହିଷ୍ମତୀର ଉଲ୍ଲେଖ ରହିଛି, ଏହାର ପ୍ରକୃତ ଅବସ୍ଥିତି ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ନିମ୍ନ ତଥ୍ୟରୁ ମାହିଷ୍ମତୀର ଅବସ୍ଥିତି ସମ୍ପର୍କରେ ଅନୁମାନ କରାଯାଇପାରେ :
- ମାହିଷ୍ମତୀ ନର୍ମଦା ନଦୀ କୂଳରେ ଅବସ୍ଥିତ ଥିଲା ।[୧]
- ସୁତ୍ତ ନିପାତ ଅନୁଯାୟୀ ଉଜ୍ଜୟିନୀ ଓ ପ୍ରତିଷ୍ଠାନକୁ ସଂଯୋଗ କରୁଥିବା ମାର୍ଗରେ ଉଜ୍ଜୟିନୀର ଦକ୍ଷିଣକୁ ଓ ପ୍ରତିଷ୍ଠାନର ଉତ୍ତରକୁ ମାହିଷ୍ମତୀ ଅବସ୍ଥିତ ଥିଲା । ପତଞ୍ଜଳି ନାମକ ଏକ କାବ୍ୟ ଅନୁସାରେ ଉଜ୍ଜୟିନୀରୁ ଯାତ୍ରା ଆରମ୍ଭ କରିଥିବା ଜଣେ ପଥିକ ମାହିଷ୍ମତୀ ପଟକୁ ସୂର୍ଯ୍ୟୋଦୟ ଦେଖୁଥିଲା ।[୨]
- ମାହିଷ୍ମତୀ ପ୍ରାଚୀନ ଅବନ୍ତୀ ରାଜ୍ୟ ଓ ଅବନ୍ତୀ ନିକଟସ୍ଥ ଅନ୍ୟ ଏକ ରାଜ୍ୟର ଅଂଶ ଥିଲା । କିଛି ସମୟ ପାଇଁ ଅବନ୍ତୀର ରାଜଧାନୀ ଉଜ୍ଜୟିନୀରୁ ମାହିଷ୍ମତୀକୁ ଉଠାଇ ନିଆଯାଇଥିଲା । ଅବନ୍ତୀରୁ ବିଚ୍ଛିନ୍ନ ହୋଇ ଗଢ଼ି ଉଠିଥିବା ଅନୂପ ରାଜ୍ୟର ରାଜଧାନୀ ଭାବେ ମଧ୍ୟ ମାହିଷ୍ମତୀର ଉଲ୍ଲେଖ ମିଳେ ।[୨][୩]
- ବିନ୍ଧ୍ୟ ପର୍ବତମାଳା ଅବନ୍ତୀ ରାଜ୍ୟକୁ ଦୁଇଟି ଖଣ୍ଡରେ ବିଭକ୍ତ କରୁଥିଲା । ଉଜ୍ଜୟିନୀ ବିନ୍ଧ୍ୟର ଉତ୍ତର ପଟରେ ଓ ମାହିଷ୍ମତୀ ବିନ୍ଧ୍ୟର ଦକ୍ଷିଣ ପଟରେ ରହିଥିଲା ।[୪]
ମଧ୍ୟ ପ୍ରଦେଶ ରାଜ୍ୟରେ ନର୍ମଦା ନଦୀ କୂଳରେ ଅବସ୍ଥିତ ଅନେକ ସହର ଓ ନଗର ପ୍ରାଚୀନ ମାହିଷ୍ମତୀ ହୋଇଥିବାର ଦାବୀ ଉପସ୍ଥାପନ କରାଯାଇଛି । ଏଗୁଡ଼ିକ ହେଲେ :
- ମାନ୍ଧାତା ବା ଓଁକାରେଶ୍ୱର
- ଫ୍ରେଡେରିକ୍ ଇଡେନ୍ ପାର୍ଜିଟର୍,[୫] ଓ ଜି. ସି. ମେଣ୍ଡିସ୍,[୬] ମାହିଷ୍ମତୀକୁ ମାନ୍ଧାତା ଦ୍ୱୀପ (ଓଁକାରେଶ୍ୱର) ବୋଲି ନିରୂପିତ କରିଛନ୍ତି ।
- ପାର୍ଜିଟର୍ଙ୍କ ମତରେ ରଘୁବଂଶ କାବ୍ୟରେ ରହିଥିବା ମାହିଷ୍ମତୀର ବର୍ଣ୍ଣନା ଅନୁସାରେ ଏହା ଏକ ଦ୍ୱୀପରେ ଅବସ୍ଥିତ ଥିବା ସ୍ପଷ୍ଟ ଜଣାପଡ଼େ । ପୁଣି ହରିବଂଶ କାବ୍ୟ ଅନୁଯାୟୀ ମାନ୍ଧାତାଙ୍କ ପୁତ୍ର ରାଜା ମୁଚୁକୁନ୍ଦ ମାହିଷ୍ମତୀ ନଗରର ସ୍ଥାପନା କରିଥିଲେ ।[୨]
- ପରମାର ରାଜା ଦେବପାଳଙ୍କ ୧୨୨୫ ଖ୍ରୀଷ୍ଟାବ୍ଦର ଏକ ଶିଳାଲେଖ ମାନ୍ଧାତାରୁ ଉଦ୍ଧାର କରାଯାଇଛି । ଏଥିରେ ରାଜା ମାହିଷ୍ମତୀରେ ରହୁଥିବା ସମୟରେ ବ୍ରାହ୍ମଣମାନଙ୍କୁ ଏକ ଗ୍ରାମ ଦାନ କରିଥିବାର ଉଲ୍ଲେଖ ରହିଛି ।[୭]
- ମହେଶ୍ୱର
- ହସମୁଖ ଧୀରଜଲାଲ ସଂକାଲିଆ,[୮] ପ୍ରମଥନାଥ ବୋଷ୍[୯] ଓ ଫ୍ରାନ୍ସିସ୍ ୱିଲଫୋର୍ଡ୍[୯] ଆଧୁନିକ ସମୟର ମହେଶ୍ୱରରେ ମାହିଷ୍ମତୀ ଅବସ୍ଥିତ ଥିଲା ବୋଲି ଧାର୍ଯ୍ୟ କରିଛନ୍ତି ।
- ପର୍ଜିଟର୍ ଏହି ତଥ୍ୟକୁ ବିରୋଧ କରି କୁହନ୍ତି ଯେ ମହେଶ୍ୱରର ବ୍ରାହ୍ମଣମାନେ ନିଜ ସହରକୁ ମାହିଷ୍ମତୀ ବୋଲି ମିଥ୍ୟା ଦାବୀ କରିଆସୁଛନ୍ତି କାରଣ ଏହି ଦୁଇ ସ୍ଥାନର ନାମ ଏକ ପ୍ରକାରର ଶୁଣାଯାଏ ଓ ମାହିଷ୍ମତୀ ନାମ ସହ ଯୋଡ଼ି ହେଲେ ମହେଶ୍ୱର ଅଧିକ ଗୌରବାନ୍ୱିତ ହେବ ।[୨]
- ଅନ୍ୟ କିଛି ସମ୍ଭାବନା
- ଆଲେକ୍ଜାଣ୍ଡାର୍ କନିଂଘାମ୍,[୧୦] ଜନ୍ ଫେଥ୍ଫୁଲ୍ ଫ୍ଲିଟ୍[୧୧] ଓ ଗିରିଜା ଶଙ୍କର ଅଗ୍ରୱାଲ୍[୧୨] ଆଧୁନିକ ସମୟର ମଣ୍ଡଲାରେ ମାହିଷ୍ମତୀ ଅବସ୍ଥିତ ଥିଲା ବୋଲି ମତପୋଷଣ କରିଛନ୍ତି । କିନ୍ତୁ ଆଧୁନିକ ଯୁଗର ବିଶେଷଜ୍ଞମାନେ ଏହାକୁ ତ୍ରୁଟିପୂର୍ଣ୍ଣ ନିରୂପଣ ବୋଲି କୁହନ୍ତି ।[୨]
- ବେଞ୍ଜାମିନ୍ ଲୁଇସ୍ ରାଇସ୍ ଆଧୁନିକ କର୍ଣ୍ଣାଟକ ରାଜ୍ୟର ମହୀଶୂରଠାରେ ମାହିଷ୍ମତୀ ଅବସ୍ଥିତ ଥିଲା ବୋଲି ମତ ରଖନ୍ତି । ମହାଭାରତ କାବ୍ୟରେ ରହିଥିବା ଏକ ବର୍ଣ୍ଣନା ଅନୁସାରେ ସହଦେବ କାବେରୀ ନଦୀ ଅତିକ୍ରମ କରି ମାହିଷ୍ମତୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ରାଇସ୍ ଏହି ତଥ୍ୟ ଆଧାରରେ ମାହିଷ୍ମତୀ ମହୀଶୂରରେ ଥିବା ଯୁକ୍ତି ଉପସ୍ଥାପନ କରନ୍ତି । କିନ୍ତୁ ମଧ୍ୟ ପ୍ରଦେଶରେ ମଧ୍ୟ କାବେରୀ ନାମକ ଏକ କ୍ଷୁଦ୍ର ନଦୀ ରହିଛି ଯାହା ନର୍ମଦା ନଦୀର ଏକ ଉପନଦୀ ଓ ମାନ୍ଧାତା ନିକଟରେ ଏହି ଦୁଇ ନଦୀଙ୍କ ମିଳନ ଘଟିଥାଏ ।[୨]
ପ୍ରାଚୀନ ସାହିତ୍ୟରେ ମାହିଷ୍ମତୀର ଉଲ୍ଲେଖ
[ସମ୍ପାଦନା]ସଂସ୍କୃତ ସାହିତ୍ୟ
[ସମ୍ପାଦନା]ସଂସ୍କୃତ ଭାଷାର ଆଦିକାବ୍ୟ ରାମାୟଣରେ ରାକ୍ଷସ ରାଜ ରାବଣ ମାହିଷ୍ମତୀ ଉପରେ ଆକ୍ରମଣ କରିଥିବାର ଏକ ଉଲ୍ଲେଖ ଦେଖିବାକୁ ମିଳେ ।[୯] ରାମାୟଣର ଅନୁଶାସନ ପର୍ବ ଅନୁସାରେ, ଈଖ୍ୱାକୁଙ୍କ ପୁତ୍ର ଦଶାଶ୍ୱ ସେତେବେଳେ ମାହିଷ୍ମତୀର ରାଜା ଥିଲେ । ପୁଣି ଆଉ ଏକ ସ୍ଥାନରେ ଉଲ୍ଲିଖିତ ଅଛି ଯେ ହୈହୟ ରାଜା କର୍ତ୍ତବୀର୍ଯ୍ୟ ଅର୍ଜୁନ (ସହସ୍ରବାହୁ ଅର୍ଜୁନ) ନିଜ ରାଜଧାନୀ ମାହିଷ୍ମତୀରୁ ଶାସନ କରୁଥିଲେ (୧୩:୫୨)।[୨] ସେ ଭାର୍ଗବ ରାମଙ୍କ ହସ୍ତରେ ନିହତ ହୋଇଥିଲେ ।[୧୩]
ମହାଭାରତ ଅନୁସାରେ ମାହିଷ୍ମତୀ ଅବନ୍ତୀ ରାଜ୍ୟର ଏକ ଅଂଶ ଥିଲା ।[୨] ମହାଭାରତର ସଭାପର୍ବରେ (୨:୩୦) ଉଲ୍ଲିଖିତ ରହିଛି ଯେ ପାଣ୍ଡବମାନଙ୍କ ପ୍ରତିନିଧି ସହଦେବ ମାହିଷ୍ମତୀ ଆକ୍ରମଣ କରି ଏହାର ରାଜା ନୀଳଙ୍କୁ ପରାସ୍ତ କରିଥିଲେ ।[୨] କୁରୁକ୍ଷେତ୍ର ଯୁଦ୍ଧରେ ଭୀଷ୍ମ ରାଜା ମାହିଷ୍ମତୀର ନୀଳଙ୍କୁ ଜଣେ ରଥୀ ଭାବେ ନିଜ ସେନାରେ ନେଇଥିଲେ ଓ ତାଙ୍କ କବଚରେ ନୀଳ ରଙ୍ଗଯୁକ୍ତ ହୋଇଥିଲା । (ମହାଭାରତ ୫:୧୯୧୬୭)
ହରିବଂଶ (୩୩.୧୮୪୭) କାବ୍ୟାନୁସାରେ ହୈହୟ ଓ ଯଦୁ କୁଳର ସହଞ୍ଜଙ୍କ ପୁତ୍ର ରାଜା ମହିଷ୍ମନ୍ତଙ୍କଦ୍ୱାରା ମାହିଷ୍ମତୀ ନଗରୀର ସ୍ଥାପନା କରାଯାଇଥିଲା । ରାମଙ୍କ ଜଣେ ପୂର୍ବଜ ରାଜା ମୁଚୁକୁନ୍ଦ ଏହି ନଗରୀର ପ୍ରତିଷ୍ଠାତା ବୋଲି ଅନ୍ୟ ଏକ ସ୍ଥାନରେ କୁହାଯାଇଛି । ସେ ମାହିଷ୍ମତୀ ଓ ଋକ୍ଷ ପର୍ବତରେ ପୁରିକା ନଗରୀର ସ୍ଥାପନା କରିଥିବାର କୁହାଯାଇଛି ।[୨]
ରଘୁବଂଶ କାବ୍ୟାନୁସାରେ ରେବା ନଦୀ (ନର୍ମଦା ନଦୀର ଅନ୍ୟ ନାମ) କୂଳରେ ମାହିଷ୍ମତୀ ନଗର ଅବସ୍ଥିତ ଥିଲା । ଏହା ଅନୂପ ରାଜ୍ୟର ରାଜଧାନୀ ଥିଲା ।[୨]
ପଦ୍ମ ପୁରାଣ (୬.୧୧୫) ଅନୁଯାୟୀ ମହିଷଙ୍କଦ୍ୱାରା ମାହିଷ୍ମତୀ ପ୍ରତିଷ୍ଠିତ ହୋଇଥିଲା ।[୧୪]
ଆଉ ଏକ ଉଲ୍ଲେଖ ଅନୁଯାୟୀ କର୍ତ୍ତବୀର୍ଯ୍ୟ ଅର୍ଜୁନ କାର୍କୋଟକ ନାଗରାଜଙ୍କୁ ପରାସ୍ତ କରି ମାହିଷ୍ମତୀ ଅଧିକାର କରିଥିଲେ ଓ ମାହିଷ୍ମତୀକୁ ଏକ ଦୁର୍ଗଘେରା ରାଜଧାନୀରେ ପରିଣତ କରାଇଥିଲେ ।[୧୫]
ପାଲି ସାହିତ୍ୟ
[ସମ୍ପାଦନା]ଏକ ବୌଦ୍ଧ ଗ୍ରନ୍ଥ ଦୀଘନିକାୟରେ ମାହିଷ୍ମତୀ ପ୍ରାଚୀନ ଅବନ୍ତୀ ରାଜ୍ୟର ରାଜଧାନୀ ବୋଲି ଓ ଅଙ୍ଗୁତ୍ତର ନିକାୟରେ ଉଜ୍ଜୟିନୀ ପ୍ରାଚୀନ ଅବନ୍ତୀ ରାଜ୍ୟର ରାଜଧାନୀ ବୋଲି ଉଲ୍ଲେଖ ରହିଛି ।[୧୬] ମହାଗୋବିନ୍ଦ ସୁତ୍ତାନ୍ତରେ ମଧ୍ୟ ମାହିଷ୍ମତୀ ଅବନ୍ତୀର ରାଜଧାନୀ ହୋଇଥିବା ଓ ବେଶଭୂ ନାମକ ଜଣେ ରାଜା ଏହାର ଶାସନ କରୁଥିବା କୁହାଯାଇଛି । ଏସବୁ ଦୃଷ୍ଟିରୁ ଅବନ୍ତୀର ରାଜଧାନୀ ସାୟିକ ଭାବେ ଉଜ୍ଜୟିନୀରୁ ମାହିଷ୍ମତୀକୁ ସ୍ଥାନାନ୍ତରିତ ହୋଇଥିବା ଅନୁମାନ କରାଯାଏ ।[୨]
ଦୀପବଂଶରେ ମହିଷ ବୋଲି ଏକ ରାଜ୍ୟ ବା ଅଞ୍ଚଳର ବର୍ଣ୍ଣନା ରହିଛି । ମହାବଂଶରେ ଏହି ଅଞ୍ଚଳକୁ ଏକ ରାଜ-ମଣ୍ଡଳ ରୂପେ ଦର୍ଶାଯାଇଛି ଯାହାର ନାମ ମହିଷ-ମଣ୍ଡଳ ଥିଲା । ପଞ୍ଚମ ଶତାବ୍ଦୀର ବୌଦ୍ଧ ପଣ୍ଡିତ ବୁଦ୍ଧଘୋଷ ଏହି ଅଞ୍ଚଳକୁ ରତ୍ଥମ୍-ମହିଷମ୍, ମହିଷକ-ମଣ୍ଡଳ ଓ ମହିଷ୍ମକ ଇତ୍ୟାଦି ଭିନ୍ନ ଭିନ୍ନ ନାମରେ ସମ୍ବୋଧିତ କରିଛନ୍ତି । ଜନ୍ ଫେଥ୍ଫୁଲ୍ ଫ୍ଲିଟ୍ ମତ ରଖିଥିଲେ ଯେ ଏହି ଅଞ୍ଚଳରେ ମହିଷନାମକ ଏକ ଜାତି ରହୁଥିଲେ ଓ ମାହିଷ୍ମତୀ ସେମାନଙ୍କ ରାଜଧାନୀ ଥିଲା । ମହାଭାରତ କାବ୍ୟର ଭୀଷ୍ମ ପର୍ବରେ ବିନ୍ଧ୍ୟ ପର୍ବତ ଓ ନର୍ମଦା ନଦୀର ଦକ୍ଷିଣ ଭାଗରେ ରହିଥିବା ରାଜ୍ୟକୁ ମଧ୍ୟ ମହିଷକ ବୋଲି କୁହାଯାଇଛି ।[୨]
ବଭାରିଙ୍କ ଶିଷ୍ୟମାନେ ଯେତେବେଳେ ପ୍ରତିଷ୍ଠାନରୁ ଉଜ୍ଜୟିନୀ ଆଡ଼କୁ ଯାତ୍ରା କରିଥିଲେ ସେତେବେଳେ ମାହିଷ୍ଂତୀ ନଗର ଦେଇ ଯାଇଥିଲେ ବୋଲି ସୁତ୍ତ ନିପାତରେ ଉଲ୍ଲେଖ ରହିଛି । ସାଞ୍ଚିରେ ରହିଥିବା ଶିଳାଲେଖରୁ ଜଣାପଡ଼େ ଯେ ମାହିଷ୍ମତୀରୁ ତୀର୍ଥଯାତ୍ରୀମାନେ ସାଞ୍ଚି ସ୍ତୁପ ଦର୍ଶନ କରିବାକୁ ଆସିଥିଲେ ।[୨]
ତେଲୁଗୁ ସାହିତ୍ୟ
[ସମ୍ପାଦନା]ମହାଭାରତରେ ରହିଥିବା ଏକ ବର୍ଣ୍ଣନା ଅନୁସାରେ[୧୭] ମାହିଷ୍ମତୀରେ ବିବାହକୁ ନେଇ କେତେକ ଅଦ୍ଭୁତ ପ୍ରଥା ରହିଥିଲା ଯାହା ସମଗ୍ର ଆର୍ଯ୍ୟାବର୍ତ୍ତରେ ଦେଖାଯାଉନଥିଲା । ତେଲୁଗୁ ମହାଭାରତର ସଭା ପର୍ବରେ ମଧ୍ୟ ଏହି ପ୍ରଥାର ଉଲ୍ଲେଖ ରହିଛି ।
ଏକ କିମ୍ବଦନ୍ତୀ ଅନୁସାରେ ନିଷାଦ ରାଜା ନୀଳ ମାହିଷ୍ମତୀର ଶାଷକ ଥିଲେ । ରାଜାନୀଳଙ୍କର ଏକ ଅତି ସୁନ୍ଦରୀ କନ୍ୟା ଥିଲେ । ତାଙ୍କ ସୌନ୍ଦର୍ଯ୍ୟରେ ବଶୀଭୂତ ହୋଇ ଅଗ୍ନି ଦେବ ତାଙ୍କୁ ପ୍ରେମ କରିବାକୁ ଲାଗିଲେ ଓ ରାଜକୁମାରୀ ମଧ୍ୟ ଅଗ୍ନିଙ୍କ ପ୍ରେମ ସ୍ୱୀକାର କରିଥିଲେ । ରାଜା ହୋମ, ଯଜ୍ଞ କରିବା ସମୟରେ ରାଜକୁମାରୀ ସର୍ବଦା ଅଗ୍ନି ନିକଟରେ ନିଜ ପିତାଙ୍କ ସହିତ ରହୁଥିଲେ । ତେଣୁ ଅଗ୍ନି ଅଧିକ ଉଦ୍ଦୀପ୍ତ ହୋଇ ଜଳି ଉଠୁଥିଲେ । ରାଜା ନୀଳଙ୍କ ହୋମାଗ୍ନି ବହୁ ଚେଷ୍ଟା ପରେ ମଧ୍ୟ ପ୍ରଶମିତ ହେଉନଥିଲା । ଶେଷରେ ରାଜକୁମାର ଫୁଙ୍କିବା ପରେ ଅଗ୍ନି ଶାନ୍ତ ହେଉଥିଲେ । ଅଗ୍ନି ଜଣେ ବ୍ରାହ୍ମଣଙ୍କ ରୂପରେ ଆସି ରାଜକୁମାରୀଙ୍କୁ ଦେଖା କରିବାକୁ ଲାଗିଲେ । କିନ୍ତୁ କିଛି ଦିନ ପରେ ରାଜା ନୀଳ ବ୍ରାହ୍ମଣ ଓ ରାଜକୁମାରୀଙ୍କ ଏହି ଚୋରା ପ୍ରେମକାହାଣୀ ବିଷୟରେ ଜାଣିପାରିଲେ ଓ ଅତି କ୍ଷୁବ୍ଧ ହୋଇଥିଲେ । ବ୍ରାହ୍ମଣଙ୍କୁ ନିୟମାନୁଯାୟୀ ଦଣ୍ଡିତ କରିବା ପାଇଁ ରାଜା ଆଦେଶ ଦେଲେ । ଏହା ଶୁଣି ଅଗ୍ନି ଦେବ କ୍ରୋଧରେ ପ୍ରବଳ ଶିଖାରେ ପ୍ରଜ୍ଜ୍ୱଳିତ ହୋଇ ନିଜର ପ୍ରକୃତ ରୂପ ଦେଖାଇଲେ । ରାଜା ଭୟରେ ଅଗ୍ନିଙ୍କ ସମ୍ମୁଖରେ ନତମସ୍ତକ ହୋଇଗଲେ । ରାଜା ଅଗ୍ନିଙ୍କ ଉଦ୍ଦେଶ୍ୟରେ ସ୍ତୁତି ଗାନ କଲେ, ତଥା ଧର୍ମ ଓ ଜ୍ଞାନର ଉତ୍ସ ବେଦର ସୃଷ୍ଟିର କାରଣ ଜଣେ ଦେବଙ୍କୁ ସେ କଦାପି ଦଣ୍ଡିତ କରିପାରିବେ ନାହିଁ ବୋଲି କ୍ଷମା ପ୍ରାର୍ଥନା କଲେ । ଶାନ୍ତ ହେବା ପରେ ଅଗ୍ନି ନିଷାଦଙ୍କୁ ଏକ ବର ଦେବା ପାଇଁ ସ୍ଥିର କଲେ ଓ ରାଜା ସମସ୍ତ ପ୍ରକାରର ଅନୁପ୍ରବେଶରୁ ତାଙ୍କ ରାଜ୍ୟର ସୁରକ୍ଷାର ବର ମାଗିଥିଲେ । ଅନାବିଳ ପ୍ରେମ ଥିଲେ ସମ୍ଭୋଗ କରିପାରିବାର କାର୍ଯ୍ୟକୁ ନିୟମାନୁସାରେ ଗ୍ରହଣ କଲେ ସେ ତାଙ୍କ ରାଜ୍ୟକୁ ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବେ ବୋଲି ଅଗ୍ନି ରାଜି ହୋଇଗଲେ ।[ଆଧାର ଲୋଡ଼ା]
ବହୁ ବର୍ଷ ପରେ କୁରୁକ୍ଷେତ୍ର ଯୁଦ୍ଧ ଜିତି ରାଜା ଯୁଧିଷ୍ଠିର ଚକ୍ରବର୍ତ୍ତୀ ହେବା ଲକ୍ଷ୍ୟରେ ଅଶ୍ୱମେଧ ଯଜ୍ଞର ଆୟୋଜନ କଲେ । ସର୍ବକନିଷ୍ଠ ପାଣ୍ଡବ ଭ୍ରାତା ସହଦେବ ନିଷାଦ ରାଜ୍ୟ ଅଗ୍ନିଙ୍କଦ୍ୱାରା ସୁରକ୍ଷିତ ବୋଲି ଜାଣି ଅଗ୍ନିଙ୍କ ସ୍ତୁତି ବନ୍ଦନା କରିଥିଲେ ଓ ସୌରାଷ୍ଟ୍ର ରାଜ୍ୟ ଆଡ଼କୁ ଅଗ୍ରସର ହୋଇଥିଲେ ।[୧୮]
ପୁରାଲେଖ ତଥ୍ୟ
[ସମ୍ପାଦନା]୬ଷ୍ଠ ଓ ୭ମ ଶତାବ୍ଦୀରେ ମାହିଷ୍ମତୀ କାଳଚୁରୀ ରାଜ୍ୟର ରାଜଧାନୀ ରହିଆସିଥିଲା ।[୧୯]
ବର୍ତ୍ତମାନର ଦକ୍ଷିଣ-ଭାରତରେ ୧୧ଶ ଓ ୧୨ଶ ଶତାବ୍ଦୀ ବେଳକୁ ଶାସନ କରୁଥିବା ରାଜାମାନେ ହୈହୟ ବଂଶର ଉତ୍ତରାଧିକାରୀ ବୋଲି କୁହାଯାଏ । ସେମାନଙ୍କ ଉତ୍ସ ଯେ ଶ୍ରେଷ୍ଠ ନଗର ମାହିଷ୍ମତୀ ଓ ସେମାନେ ତାହାର ଅଧିପତି ବୋଲି ଉଲ୍ଲେଖ ଦେଖିବାକୁ ମିଳେ ।[୨]
୧୩ଶ ଶତାବ୍ଦୀ ବେଳକୁ ମଧ୍ୟ ମାହିଷ୍ମତୀ ଏକ ସମୃଦ୍ଧ ନଗର ଥିଲା । ପରମାର ରାଜା ଦେବପାଳଙ୍କ ୧୨୨୫ ଖ୍ରୀଷ୍ଟାବ୍ଦର ଏକ ଶିଳାଲେଖରେ ଉଲ୍ଲିଖିତ ଯେ ସେ ମାହିଷ୍ମତୀରେ ରହୁଥିଲେ ।[୨]
ଆଧୁନିକ ଲୋକସଂସ୍କୃତିରେ ମାହିଷ୍ମତୀ
[ସମ୍ପାଦନା]ବାହୁବଳୀ ଚଳଚ୍ଚିତ୍ରର କାଳ୍ପନିକ କାହାଣୀ ମାହିଷ୍ମତୀ ନଗର/ରାଜ୍ୟ ଉପରେ ପର୍ଯ୍ୟବସିତ ।[୨୦]
ଆଧାର
[ସମ୍ପାଦନା]- ↑ James G. Lochtefeld (2002). The Illustrated Encyclopedia of Hinduism: A-M. The Rosen Publishing Group. p. 410. ISBN 978-0-8239-3179-8.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ PK Bhattacharya (1977). Historical Geography of Madhya Pradesh from Early Records. Motilal Banarsidass. pp. 170–175. ISBN 978-81-208-3394-4.
- ↑ V. S. Krishnan; P. N. Shrivastav; Rajendra Verma (1994). Madhya Pradesh District Gazetteers: Shajapur. Government Central Press, Madhya Pradesh. p. 12.
- ↑ Harihar Panda (2007). Professor H.C. Raychaudhuri, as a Historian. Northern Book Centre. p. 23. ISBN 978-81-7211-210-3.
- ↑ The Quarterly Journal of the Mythic Society (Bangalore). 1911. p. 65.
- ↑ G.C. Mendis (1 December 1996). The Early History of Ceylon and Its Relations with India and Other Foreign Countries. Asian Educational Services. p. 31. ISBN 978-81-206-0209-0.
- ↑ Trivedi 1991, pp. 175–177.
- ↑ Hasmukhlal Dhirajlal Sankalia (1977). Aspects of Indian History and Archaeology. B. R. p. 218.
- ↑ ୯.୦ ୯.୧ ୯.୨ PN Bose (1882). Note on Mahishmati. Calcutta, India: Asiatic Society. p. 129.
{{cite book}}
:|work=
ignored (help) - ↑ Madhya Pradesh District Gazetteers: Rajgarh. Government Central Press, Mahishmati. 1996. p. 175.
- ↑ Fleet, J. F. (2011). "XII. Mahishamandala and Mahishmati". Journal of the Royal Asiatic Society of Great Britain & Ireland. 42 (02): 425–447. doi:10.1017/S0035869X00039605. ISSN 0035-869X.
- ↑ Hartosh Singh Bal (19 December 2013). Water Close Over Us. HarperCollins India. p. 69. ISBN 978-93-5029-706-3.
- ↑ Subodh Kapoor (2002). Encyclopaedia of Ancient Indian Geography, Volume 2. Genesis Publishing Pvt Ltd. p. 435. ISBN 9788177552997.
- ↑ Pargiter, F.E. (1972) [1922]. Ancient Indian Historical Tradition, Delhi: Motilal Banarsidass, pp.263,263fn3.
- ↑ Pargiter, F.E. (1972) [1922]. Ancient Indian Historical Tradition, Delhi: Motilal Banarsidass, p.265-7
- ↑ Manika Chakrabarti (1981). Mālwa in Post-Maurya Period: A Critical Study with Special Emphasis on Numismatic Evidences. Punthi Pustak.
- ↑ story of Mahishmati in Mahabharata
- ↑ Andhra Mahabharatha.
- ↑ "Kalachuris of Mahismati". CoinIndia. Retrieved 2012-01-08.
- ↑ "Baahubali is set in Mahishmathi kingdom".