ମାତୃତ୍ୱକାଳୀନ ସୁବିଧା (ସଂଶୋଧନ) ଚିଠା ୨୦୧୬

ଉଇକିପିଡ଼ିଆ‌ରୁ

ମାତୃତ୍ୱକାଳୀନ ସୁବିଧା (ସଂଶୋଧନ) ଚିଠା ୨୦୧୬ ୧୯୬୧ରେ ପ୍ରଣୟନ ହୋଇଥିବା ମାତୃତ୍ୱକାଳୀନ ସୁବିଧା ଆଇନର ସଂଶୋଧନ ଚିଠା ଅଟେ । ଗର୍ଭଧାରଣ ସମୟରେ ମହିଳାମାନଙ୍କର ଉପଯୁକ୍ତ ଯତ୍ନ ଓ ଅଧିକ ସୁବିଧା ସୁଯୋଗ ପ୍ରଦାନକରିବା ଏହି ସଂଶୋଧନ ଚିଠାର ଉଦ୍ଦେଶ୍ୟ ଅଟେ ।

ଆନ୍ତର୍ଜାତିକ ଶ୍ରମ ସଂଗଠନ ୧୯୫୨ ମସିହାରେ ଥିବା ୧୨ ସପ୍ତାହ ପ୍ରସ୍ତାବକୁ [୧] ପରିମାର୍ଜିତ କରି ୨୦୦୦ ମସିହା ସନନ୍ଦ ସଂଖ୍ୟା ୧୮୩ରେ ୧୪ ସପ୍ତାହ ମାତୃତ୍ୱକାଳୀନ ଛୁଟି ପ୍ରଦାନକୁ ସ୍ୱୀକୃତି ଦେଇଥିଲେ ।[୨][୩] ପୁରୁଣା ନିୟମ ଅନୁସାରେ ଭାରତ ସରକାର ୧୨ଟି ସପ୍ତାହ ଛୁଟି ପ୍ରଦାନ କରିଆସୁଥିଲେ । ମାତୃତ୍ୱକାଳୀନ ସୁବିଧା ଛୁଟି ସମୟ ବୃଦ୍ଧି କରିବା ଏହାର ମୁଖ୍ୟ ବୈଶିଷ୍ଟ୍ୟ ଅଟେ । ଏହି ଚିଠା ଆଇନରେ ପରିଣତ ହେଲେ ୧.୮ ନିୟୁତ ଭାରତୀୟ ମହିଳା ଉପକୃତ ହେବେ ବୋଲି ସରକାରୀ ଆକଳିତ ହୋଇଛି ।[୪] ଏହି ଆଇନ ଲାଗୁ ହେବାପରେ ଭାରତ ତୃତୀୟ ସର୍ବଧିକ ମାତୃତ୍ୱକାଳୀନ ଛୁଟି ପ୍ରଦାନ କରୁଥିବା ଦେଶ ଆଖ୍ୟା ପାଇବ । ସମଗ୍ର ବିଶ୍ୱରେ ସର୍ବାଧିକ ମାତୃତ୍ୱକାଳୀନ ଛୁଟି ପ୍ରଦାନ କରୁଥିବା ଦେଶ କାନାଡ଼ାନରୱେ ଯଥାକ୍ରମେ ୫୦ ଓ ୪୪ ସପ୍ତାହ ପାଉଣାଯୁକ୍ତ ଛୁଟି ନିଜ ମହିଳା କର୍ମଚାରୀଙ୍କୁ ଦେଇଥାନ୍ତି ।

ବୈଶିଷ୍ଟ୍ୟ[ସମ୍ପାଦନା]

ମାତୃତ୍ୱକାଳୀନ ଛୁଟି ସୁବିଧା ୧୨ ସପ୍ତାହରୁ ୨୬ ସପ୍ତାହ ବୃଦ୍ଧି କରିବା ପାଇଁ ଏଥିରେ ପ୍ରସ୍ତାବ ଅଛି । ବର୍ଦ୍ଧିତ ଛୁଟି ସୁବିଧା କେବଳ ପ୍ରଥମ ଦୁଇଟି ସନ୍ତାନ ପାଇଁ ମିଳିବା ସହ ପରବର୍ତ୍ତୀ ସନ୍ତାନ ପାଇଁ କେବଳ ୧୨ ସପ୍ତାହ ଛୁଟି ମିଳିବ । ଯେଉଁ ମହିଳାମାନେ ସନ୍ତାନ ଜନ୍ମ କରିବାକୁ ଯାଉଥିବେ କିମ୍ବା ତିନି ମାସରୁ କମ ବୟସ୍କ ଶିଶୁକୁ ପୋଷ୍ୟ ଭାବେ ଗ୍ରହଣ କରୁଥିବେ, ସେମାନେ ୨୬ ସପ୍ତାହ ପାଇଁ ଛୁଟି ପାଇବେ । ସରକାରୀ ଅଫିସ କିମ୍ବା ଦଶରୁ ଅଧିକ କର୍ମଚାରୀ କାର୍ଯ୍ୟରତ ଥିବା ଅନୁଷ୍ଠାନ ପାଇଁ ଏହି ନିୟମ ଲାଗୁହେବ । ଶିଶୁକୁ ପୋଷ୍ୟ ଭାବେ ଗ୍ରହଣ କରିବା କିମ୍ବା ପ୍ରସବ ତାରିଖଠାରୁ ଏହି ବର୍ଦ୍ଧିତ ମାତୃତ୍ୱକାଳୀନ ଛୁଟି ହିସାବ କରାଯିବ । ଯେଉଁ ଅନୁଷ୍ଠାନରେ ୫୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଥିବେ ସେଠାରେ କର୍ମଜୀବୀ ମହିଳାଙ୍କୁ ମାତୃତ୍ୱକାଳୀନ ଛୁଟି[୫] ଏହି ସମୟରେ ନିଯୁକ୍ତିଦାତା ଓ କର୍ମଚାରୀଙ୍କ ମିଳିତ ବୁଝାମଣାରେ 'ଘରେ ବସି କାମ' ବ୍ୟବସ୍ଥା ଲାଗୁ ହୋଇପାରିବ ।[୬] । ଛୁଟି ପରେ ଶିଶୁ ଲାଳନପାଳନ ପାଇଁ କାର୍ଯ୍ୟାଳୟ ପରିସରରେ କ୍ରେଚ ବ୍ୟବସ୍ଥା ରହିବା ବାଧ୍ୟତାମୂଳକ ହେବ ।[୭] ଏପରିକି ସମ୍ପୃକ୍ତ ମହିଳାଙ୍କୁ କାର୍ଯ୍ୟ ସମୟରେ ସେହି କ୍ରେଚକୁ ସର୍ବାଧିକ ୪ ଥର ଯିବାର ଅନୁମତି ମିଳିବ । ନିଯୁକ୍ତି ସମୟରେ ଉପଯୁକ୍ତ ମାତୃତ୍ୱକାଳୀନ ସୁବିଧା ଯୋଗାଇଦିଆଯିବ ବୋଲି ନିଯୁକ୍ତିଦାତା ଲିଖିତ ଭାବେ ସମ୍ପୃକ୍ତ ମହିଳାଙ୍କୁ ସୂଚିତ କରିବେ ।

ଅନୁମୋଦନ[ସମ୍ପାଦନା]

ମାତୃତ୍ୱକାଳୀନ ସୁବିଧା (ସଂଶୋଧନ) ଚିଠା ୨୦୧୬ ମସିହା ଅଗଷ୍ଟ ୧୧ ତାରିଖରେ ରାଜ୍ୟ ସଭାରେ ଓ ୨୦୧୭ ମାର୍ଚ୍ଚ ୯ ତାରିଖରେ ଲୋକ ସଭାରେ[୮] ଗୃହିତ ହୋଇଥିଲା ।[୯] ଚିଠାରେ କେତେକ ବୈଷୟିକ ସଂଶୋଧନ ଆବଶ୍ୟକ ଥିବାରୁ ୨୦୧୭ ମାର୍ଚ୍ଚ ୨୦ ତାରିଖରେ ରାଜ୍ୟସଭାରେ ପୁନଶ୍ଚ ଆଗତ କରାଯାଇ ପାରିତ କରାଯାଇଥିଲା ।[୧୦] ୨୦୧୭ମସିହା ମାର୍ଚ୍ଚ ୨୯ରେ ଭାରତର ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏହି ଚିଠାକୁ ଆଇନରେ ପରିଣତ କରିବା ପାଇଁ ସ୍ୱୀକୃତି ଦେଇଥିଲେ ।[୧୧][୧୨]

ଆଧାର[ସମ୍ପାଦନା]