ଭାରତୀୟ ଜନସଞ୍ଚାର ସଂସ୍ଥାନ, ଢେଙ୍କାନାଳ

ଉଇକିପିଡ଼ିଆ‌ରୁ
"ଭାରତୀୟ ଜନସଞ୍ଚାର ପ୍ରତିଷ୍ଠାନ, ଢେଙ୍କାନାଳ"
ସ୍ଥାପିତ୧୯୯୩
ପ୍ରକାରସାର୍ବଜନୀନ ପ୍ରତିଷ୍ଠାନ
ଅବସ୍ଥାନଢେଙ୍କାନାଳ, ଓଡ଼ିଶା, ଭାରତ
ପରିସରସହର
Acronymଆଇ. ଆଇ. ଏମ୍ . ସି. ଢେଙ୍କାନାଳ
ୱେବସାଇଟhttp://iimc.gov.in/content/21_1_Dhenkanal.aspx
ଭାରତୀୟ ଗଣସଞ୍ଚାର ସଂସ୍ଥାନ, ଢେଙ୍କାନାଳ

ଭାରତୀୟ ଜନସଂଚାର ପ୍ରତିଷ୍ଠାନ (ଆଇ ଆଇ ଏମ୍ ସି) ଭାରତର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଅଟେ । ଏହି ଶିକ୍ଷାନୁଷ୍ଠାନ ସାମ୍ବାଦିକତା ଓ ଗଣମାଧ୍ୟମର ବିଭିନ୍ନ ବିଭାଗର ପାଠ୍ୟକ୍ରମ ମାନ ପ୍ରଦାନ କରିଥାଏ । ୟୁନେସ୍କୋ ଏବଂ ଫୋର୍ଡ ଫାଉଣ୍ଡେସନ୍ଙ୍କ ସୁପାରିଶ କ୍ରମେ ଭାରତ ସରକାରଙ୍କଦ୍ୱାରା ଦିଲ୍ଲୀରେ ପ୍ରତିଷ୍ଠା କରାଯାଇଥିଲା ।

ଇତିହାସ[ସମ୍ପାଦନା]

୧୯୬୫ ମସିହା ଅଗଷ୍ଟ ୧୭ ତାରିଖରେ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କଦ୍ୱାରା ଦିଲ୍ଲୀରେ ଏହା ଉଦଘାଟିତ ହୋଇଥିଲା । ପରେ ୧୯୯୩ ମସିହାରେ ଏହି ଅନୁଷ୍ଠାନର ୨ୟ କେନ୍ଦ୍ର ଓଡ଼ିଶାର ଢେଙ୍କାନାଳରେ ପ୍ରତିଷ୍ଠା କରାଯାଇଥିଲା । ଦିଲ୍ଲୀ ପରେ ଢେଙ୍କାନାଳ ଶାଖା ସର୍ବ ପୁରାତନ ଅଟେ । ଏହାର ଅନ୍ୟ ଚାରୋଟି ଶାଖା (କେରଳ)ର କୋଟାୟମ, ==ଜମ୍ମୁ କାଶ୍ମୀର==, ଅମରାବତୀ (ମହାରାଷ୍ଟ୍ର), ଅଇଜଲ(ମିଜୋରାମ)ଠାରେ ରହିଛି ।

ଅବସ୍ଥିତି[ସମ୍ପାଦନା]

ରାଜଧାନୀ ଭୁବନେଶ୍ୱରଠାରୁ ପ୍ରାୟ ୮୦କିମି ଦୂର ଢେଙ୍କାନାଳ ସ‌ହରର ମହିଷାପାଟ ପାହାଡ଼ ଉପରେ ଅବସ୍ଥିତ । ଅନୁଷ୍ଠାନର ନାମାନୁସାରେ ସେହି ସ୍ଥାନର ନାମ ସଂଚାର ମାର୍ଗ ନାମିତ କରାଯାଇଛି । ଜଙ୍ଗଲ ପରିବେଷ୍ଟିତ ପାହାଡ ଘେରା ସ୍ଥାନରେ ଅନୁଷ୍ଠାନର ଅବସ୍ଥିତି ଛାତ୍ରଛାତ୍ରୀମାନଙ୍କୁ ଏକ ଶାନ୍ତ ବାତାବରଣ ପ୍ରଦାନ କରେ । ଏଠାରେ ଜଣେ ଛାତ୍ର ସହରର ପ୍ରଦୂଷିତ ଓ ବ୍ୟସ୍ତ ପରିବେଶଠାରୁ ଦୂରରେ ରହି, ପଢାରେ ମନୋନିବେଶ କରିବାକୁ ଏକ ଉପଯୁକ୍ତ ବାତାବରଣ ପାଇଥାଏ ।

ପାଠ୍ୟକ୍ରମ[ସମ୍ପାଦନା]

ଏହି ଅନୁଷ୍ଠାନରେ ଓଡ଼ିଆ ସାମ୍ବାଦିକତା ଏବଂ ଇଂରାଜୀ ସାମ୍ବାଦିକତା ବିଭାଗରେ ପୋଷ୍ଟ ଗ୍ରାଜୁସନ୍ ଡିପ୍ଲୋମା ପାଠ୍ୟକ୍ରମର ବ୍ୟବସ୍ଥା ରହିଛି। ଏହି ଅନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କୁ ସାମ୍ବାଦିକତାର ବିଭିନ୍ନ ପୃଷ୍ଠଭୂମି ଉପରେ ଶିକ୍ଷାଦାନ କରାଯାଏ । ଛାତ୍ରଛାତ୍ରୀମାନେ ଏଠାରେ ଖବରକାଗଜ, ରେଡିଓ, ଟେଲିଭିଜନ, ୱେବ ସାମ୍ବାଦିକତା ବିଷୟରେ ଜ୍ଞାନ ଆହାରଣ କରିବାକୁ ସୁଯୋଗ ପାଇଥାନ୍ତି । ଏଠାରେ ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀରେ ପାଠ ପଢାଯିବା ସହ ପ୍ରକୃତ କ୍ଷେତ୍ରକୁ ମଧ୍ୟ ଅଭିଜ୍ଞତା ପାଇଁ ପଠାଯାଇଥାଏ । ସହର ତଥା ସହର ବାହାରେ ହେଉଥିବା ବିଭିନ୍ନ ଘଟଣାର ରିପୋର୍ଟିଙ୍ଗ ପାଇଁ ଛାତ୍ରଛାତ୍ରୀମାନେ ଯାଇଥାନ୍ତି । ଅସଲ ଜୀବନରେ କିପରି ପରିସ୍ଥିତିର ସାମ୍ନା କରିବାକୁ ପଡିବ, ସେଥିପାଇଁ ଅନୁଷ୍ଠାନର ଶିକ୍ଷକମାନେ ଛାତ୍ରମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ଓ ବୈଷୟିକ ଶିକ୍ଷାଦ୍ୱାରା ପ୍ରସ୍ତୁତ କରାଇଥାନ୍ତି ।

ଏହାସହ ପ୍ରତିବର୍ଷ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଶିକ୍ଷଣୀୟ କର୍ମଶାଳାରେ ଭାଗ ନେବାକୁ ସୁଯୋଗ ଦିଆଯାଇଥାଏ । ଯାହା ଛାତ୍ରଛାତ୍ରୀମାନଙ୍କ ପାଇଁ ଭିନ୍ନ ଅନୁଭୁତି ଆଣିବାସହ ସେମାନଙ୍କ ମଧ୍ୟରେ ବିଭିନ୍ନ ସାମାଜିକ ବିଷୟରେ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇଥାଏ ।

କର୍ମଶାଳା[ସମ୍ପାଦନା]

ଭାରତୀୟ ଜନ ସଞ୍ଚାର ସଂସ୍ଥାନ ଏହାର ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ କର୍ମଶାଳାରେ ଭାଗ ନେବାର ସୁଯୋଗ ପ୍ରଦାନ କରିଥାଏ । ସ୍ୱେଚ୍ଛାସେବୀ ସଂଗଠନ, ପ୍ରତିଷ୍ଠିତ ଅନୁଷ୍ଠାନ, ଖବରକାଗଜ, ଚଳଚ୍ଚିତ୍ର ପ୍ରତିଷ୍ଠାନମାନଙ୍କଦ୍ୱାରା ଆୟୋଜନ କରାଯାଉଥିବା ବିଭିନ୍ନ କର୍ମଶାଳାରେ ଅନୁଷ୍ଠାନର ଛାତ୍ରଛାତ୍ରୀ ଭାଗ ନେଇଥାନ୍ତି । ଏହିସବୁ କର୍ମଶାଳାରେ ସେମାନେ ରିପୋର୍ଟିଂ କରିବା, ସାକ୍ଷାତକାର ନେବା, ଡକ୍ୟୁମେଣ୍ଟାରୀ ବନାଇବା ପରି ବିଭିନ୍ନ କ୍ଷେତ୍ରରେ ନିଜ ଦକ୍ଷତା ପ୍ରତିପାଦନ କରିବା ପାଇଁ ସ୍ୱାଧୀନତା ପାଇଥାନ୍ତି । ତେବେ ଭିନ୍ନକ୍ଷମମାନଙ୍କ ପାଇଁ କାମ କରୁଥିବା ଭୁବନେଶ୍ୱରର ସ୍ୱେଛାସେବୀ ସଂସ୍ଥା ସ୍ୱାଭିମାନଦ୍ୱାରା କରାଯାଉଥିବା ଅଞ୍ଜଳି ମହୋତ୍ସବ, ଯତୀନ ଦାସ ସେଣ୍ଟର ଅଫ ଆର୍ଟଙ୍କଦ୍ୱାରା ଅନୁଷ୍ଠିତ ଜେଡିସିଏ ଫିଲ୍ମ ଫେଷ୍ଟିଭାଲ, ଓଡ଼ିଆ ଉଇକିପିଡ଼ିଆ କର୍ମଶାଳା, ନାଟ୍ୟଗ୍ରାମଦ୍ୱାରା ପ୍ରସ୍ତୁତ ନାଟ୍ୟ ଚେତନା ଏବଂ ଅନ୍ୟାନ୍ୟ କଳାତ୍ମକ କର୍ମଶାଳାରେ ଛାତ୍ରଛାତ୍ରୀମାନଙ୍କୁ ଅଂଶଗ୍ରହଣ କରିବାସହ ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଆହାରଣ କରିବାର ସୁଯୋଗ ମିଳିଥାଏ ।

ଗଠନ[ସମ୍ପାଦନା]

ଏହାର ମୁଖ୍ୟତଃ ୩ଟି ବିଲ୍ଡିଙ୍ଗ୍ ବା ବ୍ଲକ ରହିଛି।

ଯଥା-

  1. ଏକାଡେମିକ ବ୍ଲକ
  2. ଆାଡମିନିଷ୍ଟ୍ରେଟିଭ ବ୍ଲକ
  3. ଅଡିଟୋରିଅମ ବ୍ଲକ

ଏକାଡେମିକ ବ୍ଲକ[ସମ୍ପାଦନା]

ଏହି ବ୍ଲକରେ ଇଂରାଜୀ ଓ ଓଡ଼ିଆ ସାମ୍ବାଦିକତା ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଶ୍ରେଣୀ ଗୃହ ରହିଛି । ଏହାଛଡା ଟେଲିଭିଜନ ସମ୍ବାଦ ପାଇଁ ଭିଡିଓ ଲ୍ଯାବ ଓ ରେଡିଓ ସମ୍ବାଦ ପାଇଁ ଅଡିଓ ଲ୍ୟାବ ରହିଛି । ସମ୍ବାଦ ଗ୍ରହଣ, ଗବେଷଣା ଆଦି ପାଇଁ ଏହି ବ୍ଲକରେ ମାଇଣ୍ଡ ସ୍ପେସ୍ ,ଇଣ୍ଟରନେଟ ଲ୍ୟାବ ଏବଂ ଲାଇବ୍ରେରୀ ରହିଛି ।

ପାଠାଗାର[ସମ୍ପାଦନା]

ଅନୁଷ୍ଠାନର ପାଠାଗାରରେ ୫ହଜାରରୁ ଉର୍ଦ୍ଧ୍ୱ ପୁସ୍ତକ ରହିଛି । ପ୍ରିଣ୍ଟ ମିଡିଆ, ପ୍ରସାରଣ ,ସାମ୍ବାଦିକତା,ଗବେଷଣା,ଲୋକ ସମ୍ପର୍କ, ରେଡିଓ ଏବଂ ଟେଲିଭିଜନ, ତଥା ଚଳଚ୍ଚିତ୍ର ଓ ପାମ୍ପରିକ ସାମ୍ବାଦିକତା ବିଷୟରେ ଉପାଦେୟ ପୁସ୍ତକମାନ ରହିଛି । ତା ସହିତ ରାଜନୀତି,ଇତିହାସ,ଆତ୍ମଜୀବନୀ ପ୍ରବନ୍ଧ ,ଇଂରାଜୀ ହିନ୍ଦୀ ଏବଂ ଓଡ଼ିଆ ସାମ୍ବାଦିକତା ଉପରେ ମଧ୍ୟ ବହିମାନ ଏଠାରେ ଉପଲବ୍ଧ । ଏଠାରେ ବିଭିନ୍ନ ଭାଷାରେ ଓ ବିଭିନ୍ନ ବିଭାଗରେ ବହିମାନ ରହିଛି । ଗଳ୍ପଠାରୁ ଆରମ୍ଭ କରି କବିତା, ମନୋରଞ୍ଜନଠାରୁ ଆରମ୍ଭ କରି ପାଠ୍ୟକ୍ରମ, ସାମାଜିକଠାରୁ ଆରମ୍ଭ କରି ରାଜନୈତିକ ବିଭିନ୍ନ ବିଷୟରେ ଜଣେ ଛାତ୍ର ନିଜ ରୁଚି ଅନୁଯାୟୀ ପଢ଼ିବାକୁ ସୁଯୋଗ ପାଇଥାଏ । ଏଠାରେ ମଧ୍ୟ ବିଗତ ବର୍ଷର ଛାତ୍ରଛାତ୍ରୀମାନଙ୍କଦ୍ୱାରା ପ୍ରସ୍ତୁତ ପ୍ରୋଜେକ୍ଟ, ନୋଟ୍ସ ରଖାଯାଇଛି, ଯାହା ନୂଆ ଛାତ୍ର ଛାତ୍ରୀମାନଙ୍କୁ ନିଜର ପ୍ରୋଜେକ୍ଟ ଓ ଆସାଇନମେଣ୍ଟମାନ କରକିବାରେ ସହାୟକ ହୋଇଥାଏ ।

ଆଡମିନିଷ୍ଟ୍ରେଟିଭ ବ୍ଲକ[ସମ୍ପାଦନା]

ଅନୁଷ୍ଠାନର ମୁଖ୍ୟ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନଙ୍କର ଦପ୍ତର ଏହି ବ୍ଲକରେ ରହିଛି । ଏଠାରେ ମଧ୍ୟ ଅନୁଷ୍ଠାନର ସମ୍ମିଳନୀ କକ୍ଷ ରହିଛି । ଏହି କକ୍ଷରେ ସାମ୍ବାଦିକ ସମ୍ମିଳନୀମାନ କରାଯାଏ । ଅନୁଷ୍ଠାନକୁ ଆସୁଥିବା ଅତିଥିମାନଙ୍କର ସ୍ୱାଗତ ଏହି କକ୍ଷରେ କରାଯାଏ । ଏହା ସହ ଏଠାରେ ଅନୁଷ୍ଠାନର ପତ୍ରିକା ଉନ୍ମୋଚନ, ସାଧାରଣ ସଭା ଆଦିର ଆୟୋଜନ କରାଯାଏ ।

ଅଡିଟୋରିଅମ ବ୍ଲକ[ସମ୍ପାଦନା]

ଏହି ବ୍ଲକଟି ଏଠାକାର ସବୁଠାରୁ ସୃଜନାତ୍ମକ ବ୍ଲକ ଅଟେ । ଏହି ବ୍ଲକରେ ଅଡିଟୋରିମ ଗୃହ ସ୍ପନ୍ଦନ,ବିକାଶ ମୁଳକ ଶିଷାକେନ୍ଦ୍ର ଆଙ୍କୁର, ମିଡିଆ ସଂଗ୍ରହାଳୟ ଏବଂ ପଢ଼ିବା ପାଇଁ ରିଡିଙ୍ଗ ରୁମ ରହିଛି । ରିଡିଙ୍ଗ ରୁମରେ ବିଭିନ୍ନ ପ୍ରକାର ସାପ୍ତାହିକ ଓ ମାସିକ ପତ୍ରିକା ମାନ ରହିଛି । ଅନୁଷ୍ଠାନ ଶନିବାର ଓ ରବିବାର ବନ୍ଦ ରହୁଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ନିମନ୍ତେ ଶନିବାର ଦିନ ରିଡିଙ୍ଗ ରୁମ ଖୋଲା ରହିଥାଏ । ତେବେ ମିଡିଆ ସଂଗ୍ରହାଳୟ ଏହି ବ୍ଲକରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଅଟେ । ଏହି ସଂଗ୍ରହାଳୟରେ ବହୁ ପୁରାତନ ତଥା ବିବାଦୀୟ ଜାତୀୟ ଅର୍ନ୍ତଜାତୀୟ ଏବଂ ଆଂଚଳିକ ଖବର କାଗଜ ମାନ ପ୍ରଦର୍ଶନି ନିମନ୍ତେ ରଖାଯାଇଛି । ଏହା ସହିତ ପୂରାତନ ଯନ୍ତ୍ରାଂଶ, ବାଦ୍ୟ ଯନ୍ତ୍ର, କଳାକୃତି, ବିଗତ ବର୍ଷର ଛାତ୍ରଛାତ୍ରୀଙ୍କଦ୍ୱାରା ବ୍ୟଙ୍ଗାତ୍ମକ ଚିତ୍ରକଳା ଓ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଫଟୋଗୁଡ଼ିକ ସଂଗୃହିତ କରି ଏଠାରେ ରଖାଯାଇଛି ।

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]