ବ୍ଲକ୍‌ଚେନ୍‌

ଉଇକିପିଡ଼ିଆ ରୁ
Jump to navigation Jump to search
ବ୍ଲକ୍‌ଚେନ୍‌ ଗଠନ । କଳା ଚିହ୍ନିତ କଡ଼ି ଗୁଡ଼ିକ ମୁଖ୍ୟ ଶୃଙ୍ଖଳର ଅଂଶ, ସବୁଜ କଡ଼ିରୁ ଆର୍ଥିକ କାରବାର ଆରମ୍ଭ ହୋଇଥିବା ବେଳେ ବାଇଗଣୀ କଡ଼ିଗୁଡ଼ିକ ମୁଖ୍ୟ ଶୃଙ୍ଖଳର ଅଂଶ ନୁହଁନ୍ତି ।
ବିଟ୍‍କଏନ୍ ନେଟ୍‍ୱର୍କ୍‍ର ତଥ୍ୟ

ବ୍ଲକ୍‌ଚେନ୍‌[୧][୨][୩] (ଈଂରାଜୀରେ blockchain, ପ୍ରାରମ୍ଭିକ ମୂଳ ନାମ block chain[୪][୫]) ହେଉଛି ଏକ ଲିପିବଦ୍ଧ ଶୃଙ୍ଖଳ ଯାହା ଗୁପ୍ତଲିଖନ (ବା “କ୍ରିପ୍ଟୋଗ୍ରାଫି” - cryptography) ବିଧିଦ୍ୱାରା ସୃଷ୍ଟ ଓ ସଂଯୁକ୍ତ । ଏହି ଲିପିବଦ୍ଧ କାରବାରର ପ୍ରତିଟି କଡ଼ିକୁ ଗୋଟିଏ “ବ୍ଲକ୍” ବୋଲି କୁହାଯାଉଥିବାରୁ ସମଗ୍ର ଶୃଙ୍ଖଳକୁ “ବ୍ଲକ୍‍ମାନଙ୍କର ଏକ ଚେନ୍ ବା ବ୍ଲକ୍‌ଚେନ୍‌” ବୋଲି କୁହାଯାଇଥାଏ ।[୧][୬] ପ୍ରତିଟି ବ୍ଲକ୍ ନିଜର ପୂର୍ବବର୍ତ୍ତୀ ବ୍ଲକ୍ ସହ ଏକ ଗୁପ୍ତ ଗାଣିତିକ ହାଶ୍ ଫଳନ[୬], ଏକ ସମୟ ଛାପ ଓ ଏକ ଅର୍ଥନୈତିକ ଆଦାନପ୍ରଦାନଦ୍ୱାରା ସମ୍ପୃକ୍ତ ।

ବ୍ଲକ୍‌ଚେନ୍‌ର ଗଠନ ଏପରି ଯେ ଲିପିବଦ୍ଧ ବ୍ଲକ୍‍ମାନଙ୍କରେ କୌଣସି ପ୍ରକାରର ପରିବର୍ତ୍ତନ କରାଯାଇପାରିବ ନାହିଁ । ବ୍ଲକ୍‌ଚେନ୍‌ ଏକ ମୁକ୍ତ, ଆବଣ୍ଟିତ ଓ ସମସ୍ତଙ୍କଦ୍ୱାରା ଚିହ୍ନଟ କରାଯାଇପାରୁଥିବା ଗୁମାସ୍ତା ଖାତାର ପରି, ତେଣୁ ବ୍ଲକ୍‌ଚେନ୍‌ର ଲିପିବଦ୍ଧ ଦୁଇ ପକ୍ଷ ମଧ୍ୟରେ ହୋଇଥିବା ଏକ କାରବାର ସ୍ଥାୟୀ ।[୭] ମୁକ୍ତ, ଆବଣ୍ଟିତ ଓ ସମସ୍ତେ ଦେଖିପାରୁଥିବା ଲେଖାଖାତା ପରି ବ୍ୟବସ୍ଥା ସୃଷ୍ଟି କରୁଥିବା ବ୍ଲକ୍‌ଚେନ୍‌ ଏକ “ପିଅର୍-ଟୁ-ପିଅର୍ ନେଟ୍‍ୱର୍କ୍” ସଂରଚନାର ବ୍ୟବହାର କରିଥାଏ । ପ୍ରତିଟି କଡ଼ି ମଧ୍ୟରେ ତଥ୍ୟ ବିନିମୟ ବ୍ୟବସ୍ଥା ଯୋଗୁଁ ପ୍ରତିଟି କାରବାର ଉପରେ ବହୁ ଲୋକଙ୍କ ଦୃଷ୍ଟି ରହିଥାଏ । ନୂତନ ଭାବେ ଯୋଡ଼ି ହେଉଥିବା କଡ଼ିମାନଙ୍କୁ ମଧ୍ୟ ଏହି ନିର୍ବିବାଦୀୟ ଓ ସ୍ପଷ୍ଟ ବ୍ୟବସ୍ଥାର ଅଂଶ ହେବାକୁ ପଡ଼ିଥାଏ । ଥରେ ଲିପିବଦ୍ଧ ହେବା ପରେ ସମସ୍ତ କଡ଼ିରେ ପରିବର୍ତ୍ତନ ନ କରି କୌଣସି ଏକ ନିର୍ଦ୍ଦିଷ୍ଟ କଡ଼ିକୁ ବଦଳାଇବା ସମ୍ଭବପର ନୁହେଁ । ତେଣୁ ଗୋଟିଏ କାରବାରକୁ ବଦଳାଇବା ପାଇଁ ପିଅର୍-ଟୁ-ପିଅର୍ ନେଟ୍‍ୱର୍କ୍‍ର ଏକାଧିକ ଅଂଶୀଦାରଙ୍କ ସହମତି ଦରକାର ହୋଇଥାଏ । ବ୍ଲକ୍‌ଚେନ୍‌ର ଏକ ନିର୍ଦ୍ଦିଷ୍ଟ କଡ଼ିର କାରବାରକୁ ବଦଳାଇବା ସମ୍ପୂର୍ଣ୍ଣ ରୂପେ ଅସମ୍ଭବ ବୋଲି କହିବା ଠିକ୍ ନୁହେଁ କିନ୍ତୁ ଏହା ନିଶ୍ଚିତ ଭାବେ ଅଧିକ ସୁରକ୍ଷିତ । ଏହି କାରଣରୁ ବ୍ଲକ୍‌ଚେନ୍‌କୁ ଏକ “ବିକେନ୍ଦ୍ରୀକୃତ ସହମତି” ବ୍ୟବସ୍ଥା ବୋଲି କହିପାରିବା[୮] ଏବଂ ଅଧିକ “ବାଇଜାଣ୍ଟାଇନ୍ ତ୍ରୁଟି ଟଲରାନ୍ସ୍” ବିଶିଷ୍ଟ କମ୍ପ୍ୟୁଟର୍ ବ୍ୟବସ୍ଥାର ଏହା ଏକ ଉଦାହରଣ ।

୨୦୦୮ ମସିହାରେ ସାତୋଶି ନାକାମୋଟୋ ନାମଧାରୀ ଜଣେ ବ୍ୟକ୍ତିଙ୍କଦ୍ୱାରା ଏହି ବ୍ଲକ୍‌ଚେନ୍‌ ବ୍ୟବସ୍ଥାର ଉଦ୍ଭାବନ ହୋଇଥିଲା ଓ ଏକ ମୁକ୍ତ ଲେଖାଖାତାରେ ବିଟ୍‍କଏନ୍ ବ୍ୟବହାର କରି କାରବାର କରାଇବା ଉଦ୍ଦେଶ୍ୟରେ ଏହାର ସୃଷ୍ଟି କରାଯାଇଥିଲା ।[୧] ତେବେ ସାତୋଶି ନାକାମୋଟୋ ଏକ ଛଦ୍ମନାମ ମାତ୍ର ଓ ଏହି ବ୍ୟକ୍ତିଙ୍କ ପ୍ରକୃତ ପରିଚୟ ଅଜଣା । ବିଶ୍ୱର ପ୍ରଥମ ବୈଦ୍ୟୁତିକ ମୁଦ୍ରା “ବିଟ୍‍କଏନ୍”ର ବ୍ୟବହାର କରି ଉଦ୍ଭାବିତ ବ୍ଲକ୍‌ଚେନ୍‌ ବ୍ୟବସ୍ଥା ଦ୍ୱୈତ ବ୍ୟୟ ସମ୍ପର୍କିତ ଅସୁବିଧାକୁ ଦୂର କରେ ତଥା ବିନା କୌଣସି କେନ୍ଦ୍ରୀୟ ବ୍ୟାଙ୍କ୍ ବା ସରକାରୀ ହସ୍ତକ୍ଷେପରେ ଅର୍ଥନୈତିକ କାରବାରର ସୁବିଧା ଯୋଗାଇଦିଏ । ବିଟ୍‍କଏନ୍ ବ୍ୟବସ୍ଥା ଅନ୍ୟ ବିଭିନ୍ନ ଗୁପ୍ତମୁଦ୍ରାର କାରବାର କରୁଥିବା ବ୍ଲକ୍‌ଚେନ୍‌ ସୃଷ୍ଟି ପାଇଁ ଉପାଦାନ ଯୋଗାଇଥିଲା । ଅନ୍ୟକୁ ପାଉଣା ଦେବାପାଇଁ ମଧ୍ୟ ବ୍ଲକ୍‌ଚେନ୍‌ ଏକ “ପୈଠ-ମାଧ୍ୟମ” ରୂପେ ବ୍ୟବହୃତ ହୋଇପାରିବ ।[୯] ବ୍ୟାବସାୟିକ ଉପଯୋଗିତାକୁ ଲକ୍ଷ୍ୟ ରଖି ବିଭିନ୍ନ ଘରୋଇ ବ୍ଲକ୍‌ଚେନ୍‌ ମଧ୍ୟ ସୃଷ୍ଟି ହୋଇଛି । ଏସବୁ ବ୍ୟବସ୍ଥାର ପ୍ରକୃତ ସୁରକ୍ଷା ଯାଞ୍ଚ ନକରି ସେମାନଙ୍କ ପ୍ରଚାର ପ୍ରସାର କରିବା ରୋଗର ଉପଚାର ପାଇଁ ମିଛିମିଛିକା “ସାପ ତେଲ” ବିକିବା ପରି ବୋଲି “କମ୍ପ୍ୟୁଟର୍ ୱଲ୍‍ଡ୍” ପତ୍ରିକା ମତ ରଖିଥିଲା ।[୧୦]

ଇତିହାସ[ସମ୍ପାଦନା]

୨୦୦୯ ଜାନୁଆରୀରୁ ନେଇ ୨୦୧୭ ସେପ୍ଟେମ୍ବର ମଧ୍ୟରେ ହୋଇଥିବା ବିଟ୍‍କଏନ୍ କାରବାର

୧୯୯୧ ମସିହାରେ ସର୍ବପ୍ରଥମେ ଷ୍ଟୁଆର୍ଟ୍ସ ହେବର୍ ଓ ଡବ୍ଲୁ. ଷ୍କଟ୍ ଷ୍ଟର୍ନେଟା ଗୁପ୍ତଲିଖନ ବିଧିର ବ୍ୟବହାର କରି କିପରି ଏକ ସୁରକ୍ଷିତ ଶୃଙ୍ଖଳ ସୃଷ୍ଟି ହୋଇପାରିବ ତାହା ଦର୍ଶାଇଥିଲେ ।[୬][୧୧] ଲିପିବଦ୍ଧ କାରବାରର ସମୟଛାପ ଯେପରି ପରିବର୍ତ୍ତିତ ହୋଇପାରୁନଥିବା ଏକ ବ୍ୟବସ୍ଥା ସୃଷ୍ଟି କରିବା ସେମାନଙ୍କ ଇଚ୍ଛା ଥିଲା । ୧୯୯୨ ମସିହାରେ ବାୟର୍, ହେବର୍ ଓ ଷ୍ଟର୍ନେଟା ମିଳିତ ଭାବେ ଏକ ହାଶ୍ ଲତିକା (ବା ମେର୍କେଲ୍ ଲତିକା) ବ୍ୟବସ୍ଥା ସୃଷ୍ଟି କରିବାରେ ସଫଳ ହୋଇଥିଲେ ।[୬][୧୨]

୨୦୦୮ ମସିହାରେ ସାତୋଶି ନାକାମୋଟୋ ନାମକ ବ୍ୟକ୍ତି ବା ଗୋଷ୍ଠୀ ପ୍ରଥମ ବ୍ଲକ୍‌ଚେନ୍‌ ବ୍ୟବସ୍ଥାର ବୀଜ ରୋପଣ କରିଥିଲେ । ନାକାମୋଟୋ ନିଜ ବ୍ଲକ୍‌ଚେନ୍‌ ବ୍ୟବସ୍ଥାକୁ କିଛି ଦିନ ପରେ ଆହୁରି ସୁରକ୍ଷିତ କରିପାରିଲେ ଓ ବିନା କୌଣସି ତୃତୀୟ ପକ୍ଷର ଉପସ୍ଥିତି ବିନା ମଧ୍ୟ ଦୁଇଟି ପକ୍ଷ ମଧ୍ୟରେ କିପରି ସୁରକ୍ଷିତ ଆର୍ଥିକ କାରବାର କରାଯାଇପାରିବ ତାହା ଦର୍ଶାଇଥିଲେ ।[୬] ପରବର୍ତ୍ତୀ ସମୟରେ ଏହି ସଂରଚନା ବିଟ୍‍କଏନ୍ ଗୁପ୍ତମୁଦ୍ରା ବ୍ୟବସ୍ଥାର ମୂଳଦୁଆ ସାଜିଥିଲା ।[୧]

୨୦୧୪ ମସିହା ଅଗଷ୍ଟ ମାସରେ ବିଟ୍‍କଏନ୍ ବ୍ଲକ୍‌ଚେନ୍‌ କାରବାରର ଲେଖା ରଖୁଥିବା ଫାଇଲ୍‍ଟି ୨୦ ଗିଗାବାଇଟ୍ (୨୦ ଜି.ବି.) ଆକାରକୁ ପହଞ୍ଚି ଯାଇଥିଲା ।[୧୩] ୨୦୧୫ ମସିହା ଜାନୁଆରୀ ବେଳକୁ ଏହା ବଢ଼ି ୩୦ ଗିଗାବାଇଟ୍, ୨୦୧୬ ମସିହା ଜାନୁଆରୀ ବେଳକୁ ଏହା ୫୦ ଗିଗାବାଇଟ୍ ଓ ୨୦୧୭ ମସିହା ଜାନୁଆରୀ ବେଳକୁ ଏହା କ୍ରମଶଃ ୧୦୦ ଗିଗାବାଇଟ୍ ହୋଇଯାଇଥିଲା ।

ସାତୋଶି ନାକାମୋଟୋଙ୍କ ମୂଳ ଲେଖାରେ ଦୁଇ ଈଂରାଜୀ ଶବ୍ଦ ବ୍ଲକ୍ (block)ଚେନ୍ (chain) ପୃଥକ୍ ପୃଥକ୍ ଭାବେ ଲେଖାଯାଉଥିଲେ । କିନ୍ତୁ ୨୦୧୬ ମସିହା ବେଳକୁ ଦୁଇ ଶବ୍ଦକୁ ମିଶାଇ ବର୍ତ୍ତମାନ ବ୍ୟବହୃତ ଶବ୍ଦ ବ୍ଲକ୍‌ଚେନ୍‌ (blockchain) ପ୍ରଚଳନରେ ଆସିଲା ।

ବ୍ଲକ୍‌ଚେନ୍‌ରେ “ସ୍ମାର୍ଟ୍ ଅନୁବନ୍ଧ” (Smart contract) ପଦ୍ଧତି ବ୍ୟବହୃତ ହୁଏ । ଉଦାହରଣ ସ୍ୱରୂପ : "କ୍ରେତାଙ୍କ ଦ୍ରବ୍ୟର ଯୋଗାଣ ହୋଇଗଲେ ସ୍ୱତଃ ଏକ ପ୍ରାପ୍ୟକ ଦସ୍ତାବିଜ ତିଆରି ହୋଇ ପୈଠ ହୋଇଯିବ ।"[୧] ଏପରି ସ୍ମାର୍ଟ୍ ଅନୁବନ୍ଧରେ କେଉଁ ବାହ୍ୟ ତଥ୍ୟ ଓ ବ୍ୟବସାୟିକ ଉପାଦାନ ଆବଶ୍ୟକ ତାହା ଶୃଙ୍ଖଳ ବାହାରେ ରହିଥିବା ଏକ ଓରାକଲ୍ ଯନ୍ତ୍ରଦ୍ୱାରା ନିର୍ଦ୍ଧାରିତ ହୋଇଥାଏ ।[୧୪]

୨୦୧୬ ମସିହା ଜୁଲାଇ ମାସରେ ଆଇ. ବି. ଏମ୍. (IBM) କମ୍ପାନୀ ସିଙ୍ଗାପୁରଠାରେ ଏକ ବ୍ଲକ୍‌ଚେନ୍‌ ଗବେଷଣା କେନ୍ଦ୍ରର ସ୍ଥାପନ କରିଥିଲା ।[୧୫] ୨୦୧୬ ମସିହା ନଭେମ୍ବର ମାସରେ ବ୍ଲକ୍‌ଚେନ୍‌ ପରିଚାଳନା ଓ ନିୟନ୍ତ୍ରଣ ପାଇଁ ଏକ ମଡେଲ୍ ଗଠନ କରିବା ବିଶ୍ୱ ଅର୍ଥନୈତିକ ଫୋରମ୍ଦ୍ୱାରା ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା ।

ଆକ୍ସେଞ୍ଚର୍ କମ୍ପାନୀର ଆକଳନ ଅନୁଯାୟୀ ୨୦୧୬ ମସିହାରେ ସମସ୍ତ ଆର୍ଥିକ ସେବାରୁ କେବଳ ୧୩.୫% ବ୍ଲକ୍‌ଚେନ୍‌ ଗ୍ରହଣ କରିପାରିଥିଲେ ।[୧୬] ୨୦୧୬ ମସିହାରେ “ଚ୍ୟାମ୍ବର୍ ଅଫ୍ ଡିଜିଟାଲ୍ କମର୍ସ୍” ବିଭିନ୍ନ ବ୍ୟବସାୟିକ ଗୋଷ୍ଠୀଙ୍କୁ ନେଇ ବିଶ୍ୱ ବ୍ଲକ୍‌ଚେନ୍‌ ଫୋରମ୍‍ର ଗଠନ କରିଥିଲା ।

୨୦୧୮ ମସିହା ମଇ ମାସରେ ଗାର୍ଟନର୍ କହିଥିଲା ଯେ ବିଶ୍ୱର ବିଭିନ୍ନ କମ୍ପାନୀ ମଧ୍ୟରୁ କେବଳ ୧% ସି.ଆଇ.ଓ. (CIO) ନିଜ କମ୍ପାନୀରେ ବ୍ଲକ୍‌ଚେନ୍‌ ବ୍ୟବସ୍ଥାର ପ୍ରଚଳନ ପାଇଁ ଆଗ୍ରହ ଦେଖାଇଲେ ଓ କେବଳ ୮% ଅଳ୍ପବର୍ଷୀୟ ଯୋଜନାରେ ପରୀକ୍ଷଣ ପାଇଁ ପ୍ରଚଳନ କରିବାରେ ଆଗ୍ରହ ପ୍ରକାଶ କଲେ ।[୧୭]

ସଂରଚନା[ସମ୍ପାଦନା]

ଏକ ବିକେନ୍ଦ୍ରିତ, ଆବଣ୍ଟିତ ଓ ମୁକ୍ତଭାବେ ଉପଲବ୍ଧ ବୈଦ୍ୟୁତିକ ବ୍ୟବସାୟ ହିସାବଖାତା ହେଲା ବ୍ଲକ୍‌ଚେନ୍‌ । ବିଭିନ୍ନ କମ୍ପ୍ୟୁଟରେ ମଧ୍ୟରେ ହେଉଥିବା ବ୍ୟବସାୟିକ କାରବାର ସ୍ଥାୟୀ ରୂପେ ଏହି ହିସାବଖାତାରେ ଲିପିବଦ୍ଧ ହେଉଥାଏ ଯାହାକୁ ପିଛିଲା ଭାବେ ବଦଳାଇବା କଷ୍ଟସାଧ୍ୟ ।[୧][୧୮] ତେଣୁ ଏହି ବ୍ଲକ୍‌ଚେନ୍‌ର ଅଂଶୀଦାରମାନଙ୍କୁ କାରବାର ଦେଖପରଖ କରିବା ସହଜ ହୋଇଯାଏ ।[୧୯] ଏକ ପିଅର୍-ଟୁ-ପିଅର୍ ନେଟ୍‍ୱର୍କ୍ ବ୍ୟବସ୍ଥା ଯୋଗେ ବ୍ଲକ୍‌ଚେନ୍‌ ତଥ୍ୟାଗାରର ପରିଚାଳନା କରାଯାଏ । ବହୁ ଅଂଶୀଦାରଙ୍କ ମିଳିତ ଦେଖରେଖରେ ଓ ସହଯୋଗରେ ଏହି ବ୍ୟବସ୍ଥାର ଆର୍ଥିକ କାରବାର ପରିଚାଳିତ ହୁଏ ।[୨୦] ବହୁ ଅଂଶୀଦାରଙ୍କ ଉପସ୍ଥିତି ଯୋଗୁଁ ତଥ୍ୟର ସୁରକ୍ଷା ଓ ଗୋପନୀୟତା ସମ୍ପର୍କିତ ଅନିଶ୍ଚିତତା କମିଯାଏ । ଏକ ବୈଦ୍ୟୁତିକ ସମ୍ପତ୍ତି (asset)ର ବାରମ୍ବାର ନେଣଦେଣ ସମ୍ଭବପର ନ ହେବାରୁ ଦ୍ୱୈତ ବ୍ୟୟ ପରି ଅସୁବିଧା ସୃଷ୍ଟି ହୁଏନାହିଁ । ବ୍ଲକ୍‌ଚେନ୍‌କୁ ମାନ-ବଦଳ ବିଧି (value-exchange protocol) ବୋଲି ମଧ୍ୟ କୁହାଯାଇପାରିବ ।[୨୧] ବ୍ଲକ୍‌ଚେନ୍‌ ମଧ୍ୟରେ ଥିବା ସମ୍ପତ୍ତିର ଅଧିକାରକୁ ନେଇ କୌଣସି ଦ୍ୱିମତ ରହେନାହିଁ ।

ବ୍ଲକ୍ ବା କଡ଼ି[ସମ୍ପାଦନା]

ପ୍ରତିଟି ବୈଧ କାରବାର ବୃହତ୍ ଶୃଙ୍ଖଳର ଏକ କଡ଼ି ବା ବ୍ଲକ୍ ଭାବେ ପରିଗଣିତ ହୋଇଥାଏ । କଡ଼ିଟି ସୃଷ୍ଟି ହେବା ପରେ ମେର୍କେଲ୍ ଲତିକାରେ ଯୋଡ଼ି ହୋଇଯାଏ ।[୧] ପ୍ରତିଟି କଡ଼ି ନିଜ ପୂର୍ବ କଡ଼ି ସହିତ ଏକ ହାଶ୍ ଫଳନଦ୍ୱାରା ସମ୍ପୃକ୍ତ ହୋଇ ରହିଥାଏ । ସମସ୍ତ ସଂଯୋଜିତ କଡ଼ି ମିଶି ବୃହତ୍ ଶୃଙ୍ଖଳ ସୃଷ୍ଟି କରନ୍ତି ଯାହାକୁ ଆମେ ବ୍ଲକ୍‌ଚେନ୍‌ ବୋଲି କହୁ ।[୧] ଏକ ଗାଣିତିକ ହାଶ୍ ଫଳନ ଯୋଗେ ସମ୍ପୃକ୍ତ ହୋଇ ରହିଥିବାରୁ ଯେକୌଣସି ଗୋଟିଏ କଡ଼ିର ମାନ ପରିବର୍ତ୍ତନ କରିବାକୁ ହେଲେ ତାହାର ପଛକୁ ରହିଥିବା ସମସ୍ତ କଡ଼ି ପ୍ରଭାବିତ ହେବାର ସମ୍ଭାବନା ସୃଷ୍ଟି ହୁଏ ।[୨୨]

ବ୍ଲକ୍‌ଚେନ୍‌ର ପ୍ରକାରଭେଦ[ସମ୍ପାଦନା]

ବର୍ତ୍ତମାନ ସମୟରେ ମୁଖ୍ୟତଃ ତିନି ପ୍ରକାରର ବ୍ଲକ୍‌ଚେନ୍‌ ଦେଖିବାକୁ ମିଳେ । (୧) ମୁକ୍ତ ବ୍ଲକ୍‌ଚେନ୍‌, (୨) ଘରୋଇ ବ୍ଲକ୍‌ଚେନ୍‌ ଓ (୩) ସଙ୍ଗଠିତ ବ୍ଲକ୍‌ଚେନ୍‌ ।

ମୁକ୍ତ ବ୍ଲକ୍‌ଚେନ୍‌[ସମ୍ପାଦନା]

ମୁକ୍ତ ବ୍ଲକ୍‌ଚେନ୍‌ (public blockchain) ବ୍ୟବସ୍ଥାରେ ସମସ୍ତ ଅଂଶୀଦାରଙ୍କ ସମାନ ଅଧିକାର ଥାଏ ଓ କାହାରି ଉପରେ କାରବାର ସମ୍ପର୍କିତ ତଥ୍ୟ ଦେଖିବା ବା କରିବାରେ କୌଣସି ପ୍ରକାରର ନିୟନ୍ତ୍ରଣ ନଥାଏ । ଇଣ୍ଟର୍‍ନେଟ୍ ସଂଯୁକ୍ତ ଯେକୌଣସି ବ୍ୟକ୍ତି ବ୍ୟବସାୟିକ କାରବାର କରିବା ବା ତାହାର ବୈଧତା ନିରୀକ୍ଷଣ କରିପାରିବାର ଅଧିକାର ରଖେ ।[୨୩] ତେଣୁ ଘଟି ସାରିଥିବା କୌଣସି ଏକ କାରବାରର ବୈଧତା ଯାଞ୍ଚ କରି ତାହାକୁ ସୁରକ୍ଷିତ କରୁଥିବା ବ୍ୟକ୍ତିକୁ କିଛି ପରିମାଣର ବୈଦ୍ୟୁତିକ ମୁଦ୍ରା ପାଉଣା ବା ପୁରସ୍କାର ପରି ମିଳେ ।

ସବୁଠାରୁ ଅଧିକ ଲୋକପ୍ରିୟ ତଥା ଜଣାଶୁଣା ମୁକ୍ତ ବ୍ଲକ୍‌ଚେନ୍‌ ବିଟ୍‍କଏନ୍ ଓ ଇଥେରିୟମ୍ ଗୁପ୍ତମୁଦ୍ରାର ବ୍ୟବହାର କରିଥାନ୍ତି ।

ଘରୋଇ ବ୍ଲକ୍‌ଚେନ୍‌[ସମ୍ପାଦନା]

ଘରୋଇ ବ୍ଲକ୍‌ଚେନ୍‌ (private blockchain) ବ୍ୟବସ୍ଥାରେ ଜଣେ କେନ୍ଦ୍ରୀୟ ନିରୀକ୍ଷକ ବା ପରିଚାଳକ ରହିଥାଏ ଓ ଅଂଶୀଦାରମାନଙ୍କର କିଛି କିଛି କାରବାର କରିବାର ଅନୁମତି ରହିଥାଏ ।[୨୪] ତେଣୁ ଏଥିରେ ବିନା ଅନୁମତିରେ ଯୋଗ ଦେବା ବା କାରବାର ନିରୀକ୍ଷଣ କରିବା ସମ୍ଭବପର ନୁହେଁ ।

ନିଜ ଅନୁଷ୍ଠାନରେ ବ୍ଲକ୍‌ଚେନ୍‌ ବ୍ୟବସ୍ଥାର ଉପଯୋଗ କରିବାର ଇଚ୍ଛା ରଖୁଥିବା କିନ୍ତୁ ମୁକ୍ତ ବ୍ଲକ୍‌ଚେନ୍‌ ବ୍ୟବସ୍ଥାର ନିୟନ୍ତ୍ରଣହୀନତାରେ ସନ୍ତୁଷ୍ଟ ନଥିବା ବ୍ୟକ୍ତିଙ୍କ ପାଇଁ ଘରୋଇ ବ୍ଲକ୍‌ଚେନ୍‌ ଏକ ମଧ୍ୟମ ପଥ । ନିଜ ଅନୁଷ୍ଠାନର ଗୋପନୀୟ ତଥା ବ୍ୟବସାୟିକ ତଥ୍ୟ ମୁକ୍ତ ବ୍ୟବସ୍ଥାରେ ପରିପ୍ରକାଶ ବିନା ଆର୍ଥନୈତିକ ଓ ହିସାବ କିତାବରେ ସ୍ୱଚ୍ଛତା ଆଣିବା ପାଇଁ ଘରୋଇ ବ୍ଲକ୍‌ଚେନ୍‌ ବ୍ୟବସ୍ଥାର ଉପଯୋଗ କରାଯାଇପାରେ ।

ସଙ୍ଗଠିତ ବ୍ଲକ୍‌ଚେନ୍‌[ସମ୍ପାଦନା]

ଏପରି ବ୍ଲକ୍‌ଚେନ୍‌ରେ ଆଂଶିକ ବିକେନ୍ଦ୍ରୀକରଣ ଦେଖାଯାଏ । ଏହା ଏକ ଅନୁମତିବିଶିଷ୍ଟ ବ୍ଲକ୍‌ଚେନ୍‌ ବ୍ୟବସ୍ଥା । କିନ୍ତୁ ଘରୋଇ ବ୍ଲକ୍‌ଚେନ୍‌ କେବଳ ଗୋଟିଏ ଅନୁଷ୍ଠାନର ଲୋକଙ୍କୁ ନେଇ ଗଠିତ ହୋଇଥିବା ବେଳେ ସଙ୍ଗଠିତ ବ୍ଲକ୍‌ଚେନ୍‌ (consortium blockchain) ବ୍ୟବସ୍ଥାରେ ଏକାଧିକ ଅନୁଷ୍ଠାନ ଅଂଶଗ୍ରହଣ କରନ୍ତି । ବ୍ଲକ୍‌ଚେନ୍‌ରେ କାହାର କେଉଁ ଅଧିକାର ରହିଛି ତାହା ପରିଚାଳକ ବା ନିୟନ୍ତ୍ରକମାନେ ନିର୍ଦ୍ଧାରଣ କରନ୍ତି ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Blockchains: The great chain of being sure about things". The Economist. 31 October 2015. Archived from the original on 3 July 2016. Retrieved 18 June 2016. The technology behind bitcoin lets people who do not know or trust each other build a dependable ledger. This has implications far beyond the crypto currency.
  2. Morris, David Z. (15 May 2016). "Leaderless, Blockchain-Based Venture Capital Fund Raises $100 Million, And Counting". Fortune. Archived from the original on 21 May 2016. Retrieved 23 May 2016.
  3. Popper, Nathan (21 May 2016). "A Venture Fund With Plenty of Virtual Capital, but No Capitalist". The New York Times. Archived from the original on 22 May 2016. Retrieved 23 May 2016.
  4. Brito, Jerry; Castillo, Andrea (2013). Bitcoin: A Primer for Policymakers (Report). Fairfax, VA: Mercatus Center, George Mason University. Archived from the original on 21 September 2013. http://mercatus.org/sites/default/files/Brito_BitcoinPrimer.pdf. Retrieved 22 October 2013. 
  5. Trottier, Leo (18 June 2016). "original-bitcoin" (self-published code collection). github. Archived from the original on 17 April 2016. Retrieved 18 June 2016. This is a historical repository of Satoshi Nakamoto's original bit coin sourcecode
  6. ୬.୦ ୬.୧ ୬.୨ ୬.୩ ୬.୪ Narayanan, Arvind; Bonneau, Joseph; Felten, Edward; Miller, Andrew; Goldfeder, Steven (2016). Bitcoin and cryptocurrency technologies: a comprehensive introduction. Princeton: Princeton University Press. ISBN 978-0-691-17169-2.
  7. Iansiti, Marco; Lakhani, Karim R. (January 2017). "The Truth About Blockchain". Harvard Business Review. Harvard University. Archived from the original on 18 January 2017. Retrieved 17 January 2017. The technology at the heart of bitcoin and other virtual currencies, blockchain is an open, distributed ledger that can record transactions between two parties efficiently and in a verifiable and permanent way.
  8. Raval, Siraj (2016). [ବ୍ଲକ୍‌ଚେନ୍‌ at Google Books "What Is a Decentralized Application?"] Check |chapter-url= value (help). [ବ୍ଲକ୍‌ଚେନ୍‌ at Google Books Decentralized Applications: Harnessing Bitcoin's Blockchain Technology] Check |url= value (help). O'Reilly Media, Inc. pp. [ବ୍ଲକ୍‌ଚେନ୍‌ at Google Books 1]–[ବ୍ଲକ୍‌ଚେନ୍‌ at Google Books 2]. ISBN 978-1-4919-2452-5. OCLC 968277125. Retrieved 6 November 2016 – via Google Books.
  9. "Blockchain may finally disrupt payments from Micropayments to credit cards to SWIFT". dailyfintech.com. 2018-02-10. Retrieved 2018-11-18.
  10. Hampton, Nikolai (5 September 2016). "Understanding the blockchain hype: Why much of it is nothing more than snake oil and spin". Computerworld. Archived from the original on 6 September 2016. Retrieved 5 September 2016.
  11. Haber, Stuart; Stornetta, W. Scott (January 1991). "How to time-stamp a digital document". Journal of Cryptology. 3 (2): 99–111. CiteSeerX 10.1.1.46.8740. doi:10.1007/bf00196791.
  12. Bayer, Dave; Haber, Stuart; Stornetta, W. Scott (March 1992). Improving the Efficiency and Reliability of Digital Time-Stamping. Sequences. 2. pp. 329–334. CiteSeerX 10.1.1.71.4891. doi:10.1007/978-1-4613-9323-8_24. ISBN 978-1-4613-9325-2.
  13. Nian, Lam Pak; Chuen, David LEE Kuo (2015). "A Light Touch of Regulation for Virtual Currencies". In Chuen, David LEE Kuo (ed.). Handbook of Digital Currency: Bitcoin, Innovation, Financial Instruments, and Big Data. Academic Press. p. 319. ISBN 978-0-12-802351-8.
  14. Project Bletchley Whitepaper Archived 11 January 2017 at the Wayback Machine., Microsoft, 2016-09-19. Retrieved 2016-12-24.
  15. Williams, Ann (12 July 2016). "IBM to open first blockchain innovation centre in Singapore, to create applications and grow new markets in finance and trade". The Straits Times. Singapore Press Holdings Ltd. Co. Archived from the original on 14 November 2016. Retrieved 13 November 2016.
  16. "The future of blockchain in 8 charts". Raconteur. 27 June 2016. Archived from the original on 2 December 2016. Retrieved 3 December 2016.
  17. "Hype Killer - Only 1% of Companies Are Using Blockchain, Gartner Reports | Artificial Lawyer". Artificial Lawyer (in ଇଂରାଜୀ). 2018-05-04. Retrieved 2018-05-22.
  18. Armstrong, Stephen (7 November 2016). "Move over Bitcoin, the blockchain is only just getting started". Wired. Archived from the original on 8 November 2016. Retrieved 9 November 2016.
  19. Catalini, Christian; Gans, Joshua S. (23 November 2016). "Some Simple Economics of the Blockchain". SSRN Electronic Journal. doi:10.2139/ssrn.2874598. SSRN 2874598.
  20. Tapscott, Don; Tapscott, Alex (8 May 2016). "Here's Why Blockchains Will Change the World". Fortune. Archived from the original on 13 November 2016. Retrieved 16 November 2016.
  21. Bheemaiah, Kariappa (January 2015). "Block Chain 2.0: The Renaissance of Money". Wired. Archived from the original on 14 November 2016. Retrieved 13 November 2016.
  22. Bhaskar, Nirupama Devi; Chuen, David LEE Kuo (2015). "Bitcoin Mining Technology". Handbook of Digital Currency. pp. 45–65. doi:10.1016/B978-0-12-802117-0.00003-5. ISBN 978-0-12-802117-0.
  23. "How Companies Can Leverage Private Blockchains to Improve Efficiency and Streamline Business Processes". Perfectial.
  24. Bob Marvin (30 August 2017). "Blockchain: The Invisible Technology That's Changing the World". PC MAG Australia. ZiffDavis, LLC. Archived from the original on 25 September 2017. Retrieved 25 September 2017.

ଆହୁରି ପଢ଼ିପାରିବେ[ସମ୍ପାଦନା]