ବିବାହ (୨୦୦୬ର ହିନ୍ଦୀ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ବିବାହ
ନିର୍ଦ୍ଦେଶକସୂରଜ ଆର୍ ବାରଜାତ୍ୟା
ସଂଳାପ(କଥା): ସୂରଜ ଆର୍ ବାରଜାତ୍ୟା
କଳାକାରଶାହିଦ କପୁର, ସୀମା ବିଶ୍ୱାସ, ଅମୃତା ରାଓ, ଅନୁପମ ଖେର, ଆଲୋକ ନାଥ
ସଙ୍ଗୀତରବିନ୍ଦ୍ର ଜୈନ
ଦେଶ ଭାରତ
ଭାଷାହିନ୍ଦୀ

ବିବାହ ହେଉଛି ୨୦୦୬ ମସିହାରେ ମୁକ୍ତିଲାଭ କରିଥିବା ଏକ ପ୍ରେମ ପ୍ରସଙ୍ଗ ଯୁକ୍ତ ତଥା ସାମାଜିକ ସଂସ୍କାରଧର୍ମୀ ହିନ୍ଦୀ ଚଳଚ୍ଚିତ୍ର । ଚଳଚ୍ଚିତ୍ରର କାହାଣୀର ଲେଖକ ତଥା ଚିତ୍ରନାଟ୍ୟ ନିର୍ଦ୍ଦେଶକ ହେଉଛନ୍ତି ସୂରଜ ଆର୍ ବାରଜାତ୍ୟା ।[୧] ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅଭିନେତା ଶାହିଦ କପୁର ଏବଂ ଅଭିନେତ୍ରୀ ଅମୃତା ରାଓ । ଅମୃତା ରାଓଙ୍କ ସହ ଶାହିଦ କପୁରଙ୍କ ଏହା ଥିଲା ଚତୁର୍ଥ ଚଳଚ୍ଚିତ୍ର । ନଭେମ୍ବର ୧୦, ୨୦୦୬ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ଅଦ୍ଭୁତପୂର୍ବ ବ୍ୟାବସାୟିକ ସଫଳତା ପାଇବା ସହ ୮. ୩ ମିଲିୟନ ଡଲାରରୁ ଅଧିକ ବ୍ୟବସାୟ କରିଥିଲା ।[୨] ଚଳଚ୍ଚିତ୍ରଟି ସିନେମା ସହିତ ଇଣ୍ଟରନେଟରେ ଏକାବେଳକେ ମୁକ୍ତିଲାଭ କରିଥିବା ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ଥିଲା । ଚଳଚ୍ଚିତ୍ରର ସଂଗୀତ ପରିଚାଳନା କରିଥିଲେ ରବିନ୍ଦ୍ର ଜୈନ । ଚଳଚ୍ଚିତ୍ରଟି ପରବର୍ତ୍ତୀ ସମୟରେ ତେଲୁଗୁ ଭାଷାରେ ରୂପାନ୍ତର ହୋଇ ପରିଣୟମ ନାମରେ ମୁକ୍ତିଲାଭ କରିଥିଲା ।

କାହାଣୀ[ସମ୍ପାଦନା]

ନାୟିକା ପୂନମ୍ (ଅମୃତା ରାଓ) ଜଣେ ମଧ୍ୟବିତ୍ତ ଘରର ଝିଅ । ବାପା ଓ ମାଆଙ୍କ ଦେହାନ୍ତ ପରେ ସେ କାକା କୃଷ୍ଣକାନ୍ତଙ୍କ(ଆଲୋକନାଥ ଅଭିନୀତ) ଘରେ ରହୁଥାଏ । କୃଷ୍ଣକାନ୍ତ ସିନା ପୂନମକୁ ପିତା ସମ ସ୍ନେହ ଦିଅନ୍ତି ହେଲେ କୃଷ୍ଣକାନ୍ତଙ୍କ ସ୍ତ୍ରୀ (ସୀମା ବିଶ୍ୱାସ ଅଭିନୀତ) ଏଥିରେ ଆଦୌ ଖୁସୀ ନ ଥାଅନ୍ତି । ଅସଲ କଥା ହେଉଛି, ତାଙ୍କ ନିଜ ଝିଅ ରଜନୀ ଦେଖିବାକୁ ଟିକିଏ ସାବର୍ଣ୍ଣା ତଥା ପୂନମ୍ ଭାଳି ସେତେ ସୁନ୍ଦରୀ ନ ଥିଲା । ପୂନମର ସୁନ୍ଦର ରୂପ ତଥା ଭଲ ବ୍ୟବହାର ପାଇଁ ସେ ସମସ୍ତଙ୍କର ପ୍ରିୟପାତ୍ର ହେଲେ ବି କୃଷ୍ଣକାନ୍ତଙ୍କ ସ୍ତ୍ରୀ ଇର୍ଷାପରାୟଣ ହୋଇ ତାକୁ ସହଜରେ ଗ୍ରହଣ କରିପାରେ ନାହିଁ ।

ପୂନମର ସୁଶୀଳ ବ୍ୟବହାର ତଥା ସରଳତାରେ ଭଗତ ଜୀ ( କୃଷ୍ଣକାନ୍ତଙ୍କ ବନ୍ଧୁ) ବିମୁଧ ହୁଅନ୍ତି ଏବଂ ନିଜ ପୁଅ ପ୍ରେମ (ଶାହିଦ) ପାଇଁ ବିବାହ ପ୍ରସ୍ତାବ ଦିଅନ୍ତି । ପ୍ରେମ କିନ୍ତୁ ନିଜର ଶିକ୍ଷା ତଥା କ୍ୟାରିଅର ମାମଲାରେ ବ୍ୟସ୍ତ ରହି ବିବାହ ପାଇଁ ସେତେଟା ଆଗ୍ରହ ପ୍ରକାଶ କରନ୍ତି ନାହିଁ । ହେଲେ ପିତାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସେ ପୂନମ୍ ସହ ଥରେ ମିଶିବା ପାଇଁ ରାଜି ହେଲେ । ପ୍ରଥମ ଦେଖାରେ ହିଁ ଦିହେଁ ଦିହିଁଙ୍କ ପ୍ରତି ଆକର୍ଷିତ ହେଲେ ଏବଂ ଅନ୍ତତଃ ଛ' ମାସ ପରେ ବାହା ହେବାକୁ ରାଜି ହେଲେ । ଏଇ ଅବସରରେ କୃଷ୍ଣକାନ୍ତଙ୍କ ନିମନ୍ତ୍ରଣ କ୍ରମେ ଭଗତ ଜୀଙ୍କ ପରିବାର ସହ ଆତିଥ୍ୟ ଗ୍ରହଣ କରି ଉଭୟ ପରିବାର ପରସ୍ପରକୁ ଜାଣିବାର ସୂଯୋଗ ପାଆନ୍ତି ।

ଘଟଣା ଚକ୍ରରେ ବିବାହର ଠିକ ଦୁଇ ଦିନ ପୂର୍ବରୁ କୃଷ୍ଣକାନ୍ତଙ୍କ ଘରେ ନିଆଁ ଲାଗି ଦୁର୍ଘଟଣା ଘଟେ ଏବଂ ସେଥିରେ ପୂନମ ମୁହଁର କିଛି ଅଂଶ ପୋଡିଯାଏ ପୂନମ୍ ଆହତ ହୁଏ । କୃଷ୍ଣକାନ୍ତ କ'ଣ କରିବେ କିଛି ଭାବି ପାରନ୍ତି ନାହିଁ । ଭୟ ହୁଏ, ଏ ବିବାହ ହୁଏ ତ ଭାଙ୍ଗିଯିବ । ପୂନମର ଅପରେସନ୍ ପୂର୍ବରୁ ପୂନମ୍ ପ୍ରେମକୁ ଖବର ଦିଏ । ପ୍ରେମ ଶିଘ୍ର ପହଞ୍ଚି ପୂନମର ଉତ୍ତମ ଚିକିତ୍ସାର ବ୍ୟବସ୍ଥା କରେ । ପ୍ରେମ ତଥା ପ୍ରେମର ସଂପୂର୍ଣ୍ଣ ପରିବାର ଏଭଳି ଦୁଃସମୟରେ କୃଷ୍ଣକାନ୍ତଙ୍କୁ ସମବେଦନା ଜଣାନ୍ତି ଏବଂ ପୂନମର ଭଲ ହେବାଯାଏଁ ସମସ୍ତ ଦାଯୀତ୍ୱ ବହନ କରନ୍ତି । ଔପଚାରିକ ଭାବେ ନିର୍ଦ୍ଦିଷ୍ଟ ତାରିଖରେ ଉଭୟଙ୍କ ବାହା ସ୍ୱାସ୍ଥ୍ୟକେନ୍ଦ୍ରରେ ହୁଏ । ପୂନମର ସଫଳ ଅସ୍ତ୍ରୋପଚାର ପରେ ଦୁହେଁ ପରମ୍ପରାଗତ ବିବାହ କରି ଏକ ଆଦର୍ଶ ବିବାହ ତଥା ଏକ ଆଦର୍ଶ ଦମ୍ପତିର ଉଦାହରଣ ସୃଷ୍ଟି କରନ୍ତି ।[୩]

ଚରିତ୍ର[ସମ୍ପାଦନା]

  • ଶାହିଦ କପୁର-- ପ୍ରେମ ଭୂମିକାରେ
  • ଅମୃତା ରାଓ -- ପୂନମ୍ ଭୂମିକାରେ
  • ଅନୁପମ ଖେର-- ହରିଶନ୍ଦ୍ର ଭୂମିକାରେ
  • ଆଲୋକନାଥ -- କୃଷ୍ଣକାନ୍ତ ଭୂମିକାରେ
  • ସୀମା ବିଶ୍ୱାସ -- କୃଷ୍ଣକାନ୍ତଙ୍କ ସ୍ତ୍ରୀ ଭୂମିକାରେ
  • ସମିର ସୋନୀ -- ପ୍ରେମର ଭାଇ ଭୂମିକାରେ
  • ମନୋଜ ଜୋଶୀ -- ଭଗତ ଜୀ ଭୂମିକାରେ
  • ଅମୃତା ପ୍ରକାଶ -- ରଜନୀ ଭୂମିକାରେ
  • ଅମୀୟ ପାଣ୍ଡ୍ୟା -- ରାହୁଲ ଭୂମିକାରେ

ଏହା ଛଡା ଅନ୍ୟାନ୍ୟ ଗୌଣ ଚରିତ୍ରରେ ଦିନେଶ ଲାମ୍ବା, ମୋହନୀଶ ବେହେଲ୍ ମଧ୍ୟ ଚଳଚ୍ଚିତ୍ରଟିରେ ଅଭିନୟ କରିଛନ୍ତି ।

କଣ୍ଠଶିଳ୍ପୀ[ସମ୍ପାଦନା]

ଗୀତ କଣ୍ଠଶିଳ୍ପୀ ଅବଧୀ
ମୁଝେ ହକ୍ ହେ ଉଦିତ ନାରାୟଣ, ଶ୍ରେୟା ଘୋଷାଲ ୫ ମିନିଟ୍ ୦୨ ସେକେଣ୍ଡ
ଦୋ ଅଞ୍ଜାନେ ଉଦିତ ନାରାୟଣ, ଶ୍ରେୟା ଘୋଷାଲ ୫ ମିନିଟ୍ ୦୨ ସେକେଣ୍ଡ
ମିଲନ ଅଭି ଅଧା ଅଧୁରା ଉଦିତ ନାରାୟଣ, ଶ୍ରେୟା ଘୋଷାଲ ୫ ମିନିଟ୍ ୪୭ ସେକେଣ୍ଡ
ହମାରୀ ଶାଦି ମେ ବାବୁଲ ସୁପ୍ରିୟୋ, ଶ୍ରେୟା ଘୋଷାଲ ୫ ମିନିଟ୍ ୧୭ ସେକେଣ୍ଡ
ଓ ଜିଜି ପାମେଲା ଜୈନ୍, ଶ୍ରେୟା ଘୋଷାଲ ୭ ମିନିଟ୍ ୪୩ ସେକେଣ୍ଡ
ତେରେ ଦ୍ୱାର ପେ ଆୟୀ ବାରାତ ସୁଦେଶ ଭୋଂସଲେ ୧ ମିନିଟ୍ ୨୧ ସେକେଣ୍ଡ

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଚଳଚ୍ଚିତ୍ରରେ ଦକ୍ଷ ଅଭିନୟ ନିମନ୍ତେ ଉଭୟ ଶାହିଦ ଓ ଅମୃତା ଶ୍ରେଷ୍ଠ ଅଭିନେତା ଏବଂ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସ୍କ୍ରୀନ ଆୱାଡ ପାଇଁ ମନୋନୀତ ହୋଇଥିଲେ ।

ଆଧାର[ସମ୍ପାଦନା]

  1. "Bade Bhaiyya' is not my new movie title: Sooraj Barjatya". Retrieved 16 May 2018.
  2. "Vivah". Archived from the original on 24 December 2017. Retrieved 16 May 2018.{{cite web}}: CS1 maint: bot: original URL status unknown (link)
  3. "Vivah Review". Retrieved 16 May 2018.

ବାହାର ଆଧାର[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ବିବାହ