ବିପଦତାରିଣୀ ଦେବୀ

ଉଇକିପିଡ଼ିଆ ରୁ
Jump to navigation Jump to search
ବିପଦତାରିଣୀ ଦେବୀ

ବିପଦତାରିଣୀ ଦେବୀ (ଲୋକପ୍ରିୟ ନାମ ବିପତ୍ତାରିଣୀ ଦେବୀ ବା ବିପୋତ୍ତାରିଣୀ ଦେବୀ ବା ବିପୋଦତାରିଣୀ ଦେବୀ) ଜଣେ ହିନ୍ଦୁ ଠାକୁରାଣୀ ବା ଦେବୀ ଯାହାଙ୍କୁ ମୂଖ୍ୟତଃ ପଶ୍ଚିମ ବଙ୍ଗ, ଓଡ଼ିଶା ଓ ଚତୁର୍ଦ୍ଦିଗରେ ଥିବା ଇଲାକାମାନଙ୍କରେ ପୂଜା କରାଯାଏ । ଦେବୀ ଦୁର୍ଗାଙ୍କର ୧୦୮ ଅବତାର ମଧ୍ୟରୁ ବିପଦତାରିଣୀ ଗୋଟିଏ, ଯାହାଙ୍କୁ ଅସୁବିଧା ସମୟରେ ବା ବିପଦରେ ପଡ଼ିଥିଲା ବେଳେ ସାହାଯ୍ୟ ପାଇଁ ପ୍ରାର୍ଥନା କରାଯାଏ । [୧] ପ୍ରତିବର୍ଷ ବିପଦତାରିଣୀ ବ୍ରତ ରଖି ମହିଳାମାନେ ଉତ୍ସବ ପାଳନ କରନ୍ତି ଯାହାର ସମୟ ସ୍ଥାନାନୁଯାୟୀ ଫରକ ହୋଇଥାଏ, ଯେପରିକି ଦ୍ୱିତୀୟ ରଥ‌ଯାତ୍ରାରୁ ଦଶମୀ {ଓଲଟ ରଥ‌ଯାତ୍ରା ବା ବାହୁଡ଼ା ଯାତ୍ରା} ମଧ୍ୟରେ ବା ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଆଷାଢ଼ ଶୁକ୍ଳ ପକ୍ଷର ୨ରୁ ୧୦ ଦିନ ମଧ୍ୟରେ ପଡ଼ୁଥିବା ମଙ୍ଗଳବାର କିମ୍ବା ଶନିବାର ଦିନ ପାଳନ କରାଯାଏ । କିମ୍ବଦନ୍ତୀ ତାଙ୍କର ବିପଦ-ତାରିଣୀ ନାମ‌କୁ ସ୍ଥିରୀକୃତ କରିଛି ଯାହାର ଅର୍ଥ ସମସ୍ୟାରୁ ମୁକ୍ତ କରିବା ।[୨][୩]

କିମ୍ବଦନ୍ତୀ[ସମ୍ପାଦନା]

କିମ୍ବଦନ୍ତୀ ଅନୁସାରେ ବିପଦତାରିଣୀ ଦେବୀ‌ଙ୍କର ପ୍ରିୟ ମନ୍ଦାର ପୁଷ୍ପ

ହିନ୍ଦୁ ମହିଳାମାନେ ଏହି ବ୍ରତ ରଖିଥାଆନ୍ତି ଓ ଏହାର ପୂଜା ପୂର୍ବରୁ ବା ପରେ ତାଙ୍କର କିମ୍ବଦନ୍ତୀ ଅନୁସାରେ ତାଙ୍କ ବିଷୟରେ ଏକ କାହାଣୀ ପଢ଼ାଯାଏ । ବର୍ତ୍ତମାନର ପଶ୍ଚିମ‌ବଙ୍ଗର ବାଙ୍କୁରାରେ ଥିବା ବିଷ୍ଣୁପୁର ରାଜ୍ୟରେ ୭ମରୁ ଊନବିଂଶ ଶତାବ୍ଦୀ ମଧ୍ୟରେ ବାଗଡ଼ି ଜାତି ବା ବର୍ଗ କ୍ଷତ୍ରୀୟ ମଲ୍ଲ ରାଜାଙ୍କ ରାଜୁତି ସମୟର ଏହି କାହାଣୀ ପଢ଼ାଯାଏ । ସେତେବେଳେ ଜଣେ ରାଣୀଙ୍କର ଗୋମାଂସ ଭକ୍ଷଣ କରୁଥିବା ଜଣେ ମୋଚି ବାନ୍ଧବୀ ଥିଲେ । ଦିନେ ଏକଥା ଶୁଣି ଭୟଭୀତ ରାଣୀ କୌତୁହଳୀ ହୋଇ ସେହି ମାଂସ ଦେଖେଇବାକୁ ବାନ୍ଧବୀଙ୍କୁ କ‌ହିଲେ । ପ୍ରଥମେ ସେହି ଝିଅ ରାଜାଙ୍କର କ୍ରୋଧର ଶିକାର ହେବା ସମ୍ଭାବନାରେ ଭୟଭୀତ ହୋଇ ମନାକରିଥିଲେ ଓ ପରେ ରାଣୀଙ୍କର ଅନୁରୋଧରେ ସେ ସମ୍ମତି ପ୍ରଦାନ କରିଥିଲେ । ରାଣୀଙ୍କର ବିଶ୍ୱାସହାନୀ ହୋଇଥିଲା ଓ ରାଜା କ୍ରୋଧରେ ସେହି ଝିଅଙ୍କୁ ମାରିବାକୁ ଗଲେ । ରାଣୀ କିନ୍ତୁ ସେହି ମାଂସକୁ ନିଜ ବସନ ମଧ୍ୟରେ ଲୁଚେଇ ଦେଲେ ଓ ଦୁର୍ଗା ଦେବୀଙ୍କୁ ସାହାଯ୍ୟ କରିବାକୁ ପ୍ରର୍ଥନା କରିବାକୁ ଲାଗିଲେ । ତାଙ୍କ ବସନ ମଧ୍ୟରେ କିଛି ଲୁଚାଇଥବା ସନ୍ଦେହରେ ରାଜା ଲୁଗାକୁ ଚିରିଦେବାରୁ ତା ମଧ୍ୟରେ ଏକ ମନ୍ଦାର ପୁଷ୍ପ ଥିବା ଦେଖିଥିଲେ । ଆଜି ମଧ୍ୟ ଏହି ପୂଜା ମହିଳାମାନଙ୍କର ସଂସ୍କାର ହୋଇରହିଛି ଓ ପରିବାର ବିପଦରେ ପଡ଼ିଲେ ଦେବୀଙ୍କର ହସ୍ତକ୍ଷେପ ନିମନ୍ତେ ତାଙ୍କୁ ପୂଜା କରାଯାଉଛି ।[୩]

ଦୁର୍ଗାଙ୍କର ଅନ୍ୟାନ୍ୟ ଅବତାର ଭଳି କୌଣସି ନିର୍ଦ୍ଦିଷ୍ଟ ବିପଦ ସଙ୍କଟ ପଡ଼ିବା ସମୟରେ ବା ପରିବାରର ଅସୁସ୍ଥ ଲୋକ ଆରୋଗ୍ୟ ହେବା ନିମନ୍ତ ବିପଦତାରିଣୀଙ୍କୁ 'ଆରୋଗ୍ୟ ଦେବୀ' ଭାବରେ ପୂଜା କରାଯାଏ । [୪] ସେହି ସ୍ଥାନମାନଙ୍କର ମନ୍ଦିରମାନଙ୍କର ଧାର୍ମିକ କ୍ୟାଲେଣ୍ଡରରେ ବିପଦତାରିଣୀ ପୂଜା ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା ଭାବରେ ବିବେଚିତ ହୋଇଥାଏ । [୫][୬]

ପୂଜା[ସମ୍ପାଦନା]

ଆସାନସୋଲରେ ଅନୁଷ୍ଠିତ ବିପଦତାରିଣୀ ପୂଜାବିଧି

ପଶ୍ଚିମ ବଙ୍ଗର ଆସାନସୋଲର ମହିଶିଲ୍ଲା କଲୋନୀରେ ପ୍ରତିବର୍ଷ ପୂଜା କରାଯାଏ । ବିପଦତାରିଣୀ ପୂଜା ପ୍ରଥମ ଥର ନିମନ୍ତେ ୨୦ ବର୍ଷ ପୂର୍ବେ ଫଣୀ ଭୂଷଣ ଗୋସ୍ୱାମୀ ଓ ତାଙ୍କ ପତ୍ନୀ ସାବିତ୍ରୀ ଗୋସ୍ୱାମୀ ଆରମ୍ଭ କରିଥିଲେ । ଏହି ପୂଜା ଦେଖିବାକୁ ଦୁର୍ଗାପୁର, ଆସାନସୋଲ, ବର୍ଦ୍ଧମାନ ଓ ବୀରଭୂମରୁ ଲୋକମାନେ ଆସନ୍ତି ।

ଏହି ପୂଜା ଉତ୍ସବ ଚାରି ଦିନ ଧରି ଚାଲୁରହିବା ପରେ ଦୁଇ ଦିନ ନିମନ୍ତେ ବୋଲପୁର (Shantiniketan) ଓ ବୀରଭୂମର କଳାକାରମାନେ ଆସି ପାରମ୍ପରିକ ବଙ୍ଗାଳୀ ଲୋକସଙ୍ଗୀତ, ଭଜନ ଓ କିର୍ତ୍ତନ ଆଦି ପ୍ରଦର୍ଶନ କରନ୍ତି । ତା'ପରେ ଚରୁର୍ଥୀ ଦିନ ଦେବୀଙ୍କୁ ବିସର୍ଜନ କରାଯାଏ ।

ବିପଦତାରିଣୀ ପୂଜାରେ ଅନେକ ରୀତିନୀତି ଥାଏ ଓ ସେହି ଅନୁସାରେ ଅଧିକାଂଶ ମହିଳାମାନେ ପୂଜା ଦିନଟି ଉପବାସ ରଖନ୍ତି । କଚଟିରେ ଏକ ଲାଲ ରଙ୍ଗର ସୁତା ବାନ୍ଧିବା ପରମ୍ପରା ମଧ୍ୟ ଅଛି । ପୂଜା ଦିନ ବିଭିନ୍ନ ରୀତିନୀତି ଅନୁସାରେ ସେହି ସୁତା ପବିତ୍ର କରାଯିବା ପରେ ବନ୍ଧାଯାଏ ।[୭]

ଆସାନସୋଲ ପୂଜାରେ ଦାଣ୍ଡି ନୃତ୍ୟ କରାଯାଏ । ପ୍ରଥମେ ଏହି ନୃତ୍ୟ କରିବାକୁ ଯାଉଥିବା ଲୋକମାନେ ନିଜର ପାପ ପ୍ରକ୍ଷାଳନ ନିମନ୍ତେ ପବିତ୍ର ସ୍ନାନ କରି ନିଜକୁ ପବିତ୍ର ଓ ପାପମୁକ୍ତ କରନ୍ତି । ସେହି ସ୍ନାନ କରିଥିବା ସ୍ଥାନଠାରୁ ପୂଜାସ୍ଥାନ ପର୍ଯ୍ୟନ୍ତ ଭୂମି ଉପରେ ସାମନାକୁ ହାତ ରଖି ସାଷ୍ଟାଙ୍ଗ ପ୍ରଣିପାତ କରି ଲୋକମାନେ ଥରକୁ ଥର ଆଗକୁ ବଢ଼ନ୍ତି ଓ ଏହି ସମୟରେ ସେମାନେ ଚାଲନ୍ତି ନାହିଁ ।

ପରବର୍ତ୍ତୀ କାଳରେ ବିଖ୍ୟାତ ଗୁରୁ 'ବାବା ଦୁଲାଲ' ବିପଦତାରିଣୀ ମାଙ୍କୁ ସ୍ୱପ୍ନରେ ଅନ୍ୟ ଏକ ନୂଆ ଅବତାର ରୂପରେ ଦେଖିଲେ । ବିପଦତାରିଣୀଙ୍କୁ ଦେବୀ ରୂପରେ ପୁଜା ନ କରି ମା ରୂପରେ ପୂଜା କରିବାକୁ ସେ ଲୋକମାନଙ୍କୁ ଉପଦେଶ ଦେଲେ । ତାଙ୍କ ଉପଦେଶ ଅନୁସାରେ ବିପଦ ପଡ଼ିଲେ ତିନି ଥର "ଜୟ ମା ବିପଦତାରିଣୀ ଚଣ୍ଡିଙ୍କର ଜୟ" କ‌ହି ଡାକିଲେ ମା ନିଶ୍ଚୟ ସାହା ହୋଇ ବିପଦରୁ ରକ୍ଷା କରିବେ ।

ଭାରତରେ ଥିବା ସମସ୍ତ ମନ୍ଦିର ମଧ୍ୟରେ 'ଅଧିକ ପବିତ୍ର ମନ୍ଦିରମାନଙ୍କ ମଧ୍ୟରୁ ଗୋଟିଏ'ର ମର୍ଯ୍ୟାଦା ପଶ୍ଚିମ ବଙ୍ଗର 'ରାଜପୁର'ରେ ଥିବା ବିପଦତାରିଣୀଙ୍କ ମନ୍ଦିର ଲାଭ କରିଛି ।

ଫାଲଗୁନୀ ଘୋଷ ଓ ଅଭିଜିତ ଘୋଷ ତାଙ୍କର କ୍ଲବ ସଭ୍ୟମାନଙ୍କ ସାହାଯ୍ୟରେ ପ୍ରତି ବର୍ଷ ବିପଦତାରିଣୀ ପୁଜା କରନ୍ତି । ଏହା ସନ ୧୯୫୦ରୁ କାଳୀମନ୍ଦିରରେ ଅନୁଷ୍ଠିତ ହୋଇଆସୁଛି ।

ଆଧାର[ସମ୍ପାଦନା]

  1. "See Durga's 51 avatars under a single roof". Indian Express. Oct 4, 2008.
  2. Chakrabarti, S. B. (2002). A Town in the Rural Milieu Baruipur, West Bengal. Anthropological Survey of India, Ministry of Tourism and Culture, Dept. of Culture. p. 16. ISBN 978-81-85579-73-3.
  3. ୩.୦ ୩.୧ Östör, Ákos (2004). The Play of the Gods: Locality, Ideology, Structure, and Time in the Festivals of a Bengali Town. Orient Blackswan. p. 43. ISBN 81-8028-013-6.
  4. Roy, Sarat Chandra (1993). Man in India, Volume 73. A.K. Bose. p. 334.
  5. Chaudhuri, Buddhadeb (1981). The Bakreshwar Temple: a study on continuity and change. Inter-India Publications. p. 42.
  6. "Sarbamangala Mandir". Bardhaman district website.
  7. Talukdar, Jaita (2008). A Sociological Study of the Culture of Fasting and Dieting of Women in Urban India. A project submitted in University of Cincinnati - Division of Research and advanced studies by Jayeeta Talukdar. p. 90.