ବିଚିତ୍ରବୀର୍ଯ୍ୟ

ଉଇକିପିଡ଼ିଆ ରୁ
Jump to navigation Jump to search
ବିଚିତ୍ରବୀର୍ଯ୍ୟ
ମହାଭାରତ character
ସବିଶେଷ
ପରିବାରଶାନ୍ତନୁ (ପିତା) ସତ୍ୟବତୀ (ମାତା) ଚିତ୍ରାଙ୍ଗଦ (ଭାଇ) ଭୀଷ୍ମ (ସାବତ ଭାଇ)
Spouse(s)ଅମ୍ବିକା ଅମ୍ବାଳିକା
Childrenଧୃତରାଷ୍ଟ୍ର (ଅମ୍ବିକାଙ୍କଠାରୁ ଜାତ)
ପଣ୍ଡୁ (ଅମ୍ବାଳିକାଙ୍କଠାରୁ ଜାତ)
ବିଦୁର (ପରିଶ୍ରମୀଙ୍କଠାରୁ ଜାତ)

ବିଚିତ୍ରବୀର୍ଯ୍ୟ (ସଂସ୍କୃତ: विचित्रवीर्य) ମହାଭାରତରେ ବର୍ଣ୍ଣିତ ଜଣେ କୁରୁ ରାଜା ଥିଲେ । ବିଚିତ୍ରବୀର୍ଯ୍ୟ ଶବ୍ଦର ଅର୍ଥ ହେଉଛି 'ଚମତ୍କାର ବୀରତ୍ୱ' ।[୧] ମହାଭାରତରେ ସେ ରାଣୀ ସତ୍ୟବତୀ ଓ ରାଜା ଶାନ୍ତନୁଙ୍କ ସାନପୁଅ ତଥା ପାଣ୍ଡବ ଏବଂ କୌରବଙ୍କ ଜେଜେବାପା ଥିଲେ ।

ମହାଭାରତ ଗାଥା[ସମ୍ପାଦନା]

ସତ୍ୟବତୀ ଏବଂ ଶାନ୍ତନୁଙ୍କର ଦୁଇ ପୁଅ ଥିଲେ ଚିତ୍ରାଙ୍ଗଦ ଏବଂ ବିଚିତ୍ରବୀର୍ଯ୍ୟ । ଚିତ୍ରାଙ୍ଗଦ ଓ ବିଚିତ୍ରବୀର୍ଯ୍ୟଙ୍କ ପିଲାଦିନରେ ହିଁ ପିତା ଶାନ୍ତନୁଙ୍କର ମୃତ୍ୟୁ ହୋଇଥିଲା, ତେଣୁ ଭୀଷ୍ମ ତାଙ୍କୁ ପାଳନ ପୋଷଣ କରିଥିଲେ । ଚିତ୍ରାଙ୍ଗଦ ଜ୍ୟେଷ୍ଠ ପୁତ୍ର ହେତୁ,ଭୀଷ୍ମ ଚିତ୍ରାଙ୍ଗଦକୁ ହସ୍ତିନାପୁରର ସିଂହାସନରେ ବସାଇଥିଲେ, କିନ୍ତୁ ଅଳ୍ପ ସମୟ ମଧ୍ୟରେ ଗନ୍ଧର୍ବଙ୍କ ସହିତ ଯୁଦ୍ଧ କରିବା ସମୟରେ ଚିତ୍ରାଙ୍ଗଦଙ୍କୁ ହତ୍ୟା କରାଯାଇଥିଲା ।ଚିତ୍ରଙ୍ଗଦ ନିଃସନ୍ତାନ ଥିବାରୁ, ଏହି ସମୟରେ ଭୀଷ୍ମ, ଚିତ୍ରାଙ୍ଗଦଙ୍କ ଅନୁଜ ବିଚିତ୍ରବୀର୍ଯ୍ୟଙ୍କୁ ରାଜ୍ୟ ହସ୍ତାନ୍ତର କରିଥିଲେ ।[୨]

ଯେତେବେଳେ ବିଚିତ୍ରବୀର୍ଯ୍ୟ ରାଜ ମୁକୁଟ ପିନ୍ଧିଥିଲେ, ସେତେବେଳେ ସେ ନାବାଳକ ଥିଲେ, ତେଣୁ ଭୀଷ୍ମ ତାଙ୍କ ପ୍ରତିନିଧି ଭାବରେ ରାଜ୍ୟ ଶାସନ କରିଥିଲେ । ହେଲେ, ଭୀଷ୍ମ ବିଚିତ୍ରବୀର୍ଯ୍ୟଙ୍କ ବିବାହକୁ ନେଇ ଚିନ୍ତିତ ଥିଲେ । ଯେତେବେଳେ ଯୁବ ରାଜ ବିବାହ କରିବାକୁ ଉପଯୁକ୍ତ ବୟସର ହୋଇଗଲେ, ଭୀଷ୍ମ ତାଙ୍କ ପାଇଁ ଉପଯୁକ୍ତ କନ୍ୟା ଖୋଜିବାକୁ ଲାଗିଲେ । ସେ ଶୁଣିଲେ ଯେ କାଶୀ ରାଜା ତାଙ୍କର ତିନି ଝିଅଙ୍କ ପାଇଁ ଏକ ସ୍ୱୟଂବର କରୁଛନ୍ତି । ବିଚିତ୍ରବୀର୍ଯ୍ୟ ନିଜେ ଏତେ ଛୋଟ ଥିଲେ ଯେ ତିନି କନ୍ୟାଙ୍କଦ୍ୱାରା ମନୋନୀତ ହେବାର କୌଣସି ସୂଯୋଗ ନ ଥିଲା । ଏଣେ ଭୀଷ୍ମ ଦେଖିଲେ ଯେ ବିଚିତ୍ରବୀର୍ଯ୍ୟ ବିବାହ କରି ସନ୍ତାନ ଉତ୍ପନ୍ନ୍ ନ କଲେ, ତାଙ୍କ ବଂଶ ଲୋପ ପାଇଯିବ । ତେଣୁ ଭୀଷ୍ମ ନିଜେ ସ୍ୱୟଂବର ସଭାରେ ଉପସ୍ଥିତ ରହି ନିଜ ବାହୁ ବଳରେ ତିନି କନ୍ୟାଙ୍କୁ ହସ୍ତିନାପୁରକୁ ଜବରଦସ୍ତ ନେଇ ଆସିଥିଲେ ।[୩]

ଭୀଷ୍ମ ସ୍ୱୟଂବର ସଭାରୁ ସିନା ଜିତି ରାଜକୁମାରୀ ଅମ୍ବା, ଅମ୍ବିକା ଏବଂ ଅମ୍ବାଳିକାଙ୍କୁ ନେଇ ଆସିଥିଲେ ବିଚିତ୍ରବୀର୍ଯ୍ୟଙ୍କୁ ବିବାହ ଦେବାପାଇଁ, ହେଲେ ଅମ୍ବା ତାଙ୍କ ହୃଦୟକୁ ଅନ୍ୟ ଜଣକୁ ଦେଇ ସାରିଥିଲେ । ଏ କଥା ଜାଣିସାରିବା ପରେ ଭୀଷ୍ମ ଅମ୍ବାଙ୍କୁ ଫେରାଇଦେଇଥିଲେ । ତେଣୁ ଅମ୍ବିକା ଏବଂ ଅମ୍ବାଳିକା ବିଚିତ୍ରବୀର‍୍ୟୟଙ୍କୁ ବିବାହ କରିଥିଲେ ।

ଦୁର୍ଭାଗ୍ୟବଶତଃ, ତାଙ୍କ ବିବାହର କିଛି ସମୟ ପରେ, ବିଚିତ୍ରବୀର୍ଯ୍ୟ ଯକ୍ଷ୍ମା ରୋଗରେ ମୃତ୍ୟୁ ବରଣ କଲେ । ସେ ଉତ୍ତରାଧିକାରୀ ବିହୀନ ଭାବରେ ମୃତ୍ୟୁ ବରଣ କରିବା ପରେ ପରବର୍ତ୍ତୀ ସମୟରେ ମାତା ସତ୍ୟବତୀ, ତାଙ୍କର ଜ୍ୟେଷ୍ଠ ପୁତ୍ର ବ୍ୟାସଦେବଙ୍କୁ ଡକାଇ ଅନୁରୋଧ କଲେ କି ସେ ତାଙ୍କର ଯୋଗଶକ୍ତି ବଳରେ ନିୟୋଗ ପ୍ରକ୍ରିୟାରେ ଅମ୍ବିକା ଏବଂ ଅମ୍ବାଳିକାଙ୍କ ମାଧ୍ୟମରେ ସନ୍ତାନ ଉତ୍ପନ୍ନ କରି ତାଙ୍କ ବଂଶକୁ ଉତ୍ତରାଧିକାରୀ ବିହୀନ ହେବାରୁ ରକ୍ଷା କରନ୍ତୁ ।

ବ୍ୟାସଦେବ ଚାହିଁଲେ ଯେ ଅମ୍ବିକା ଏବଂ ଏବଂ ଅମ୍ବାଳିକା ସନ୍ତାନ ଉଦ୍ଦେଶ୍ୟରେ ତାଙ୍କ ନିକଟକୁ ଏକୁଟିଆ ଆସିବା ଉଚିତ୍ । ପ୍ରଥମେ ଅମ୍ବିକା ସିନା ବ୍ୟାସଦେବଙ୍କ ନିକଟକୁ ଆସିଲେ, ହେଲେ ଲାଜ ଏବଂ ଭୟ ହେତୁ ସେ ଆଖି ବନ୍ଦ କରିଦେଲେ । ଫଳରେ ବ୍ୟାସଦେବଙ୍କ ଯୋଗଶକ୍ତିରୁ ଅମ୍ବିକାଙ୍କ କୋଳରେ ଯେଉଁ ଶିଶୁଟି ଅନ୍ଧ ହୋଇ ଜନ୍ମ ଲାଭ କଲେ । ପରେ ଏହି ଶିଶୁର ନାମ ହେଲା ଧୃତରାଷ୍ଟ୍ର । ଏହିପରି ସତ୍ୟବତୀ ଅମ୍ବାଳିକାଙ୍କୁ ବ୍ୟାସଦେବଙ୍କ ନିକଟକୁ ପଠାଇ ତାଙ୍କୁ ଶାନ୍ତ ରହିବାକୁ ଚେତାବନୀ ଦେଇଥିଲେ । ତଥାପି ଭୟ ହେତୁ ଅମ୍ବାଳିକାଙ୍କ ମୁହଁ ଫିକା ପଡିଗଲା । ଫଳରେ ବ୍ୟାସଦେବଙ୍କ ଯୋଗଶକ୍ତିରୁ ଅମ୍ବାଳିକାଙ୍କ କୋଳରେ ଯେଉଁ ଶିଶୁଟି ଜନ୍ମ ଲାଭ କଲେ, ସେ ରକ୍ତହୀନତାର ଶିକାର ହୋଇ ପାଣ୍ଡୁର ବର୍ଣ୍ଣର ହେଲେ । ପରେ ଏହି ପିଲାଟି ପାଣ୍ଡୁ ନାମରେ ପରିଚିତ ହେଲା । ଉଭୟ ଶିଶୁ ରାଜ୍ୟ ଶାସନ କରିବାପାଇଁ ଅନୁପଯୁକ୍ତ ଜାଣି, ତା’ପରେ ମାତା ସତ୍ୟବତୀ ପୁଣି ଦୁଇ ରାଣୀଙ୍କ ମଧ୍ୟରୁ ଜଣକୁ ପୁଣି ବ୍ୟାସଦେବଙ୍କୁ ନିକଟକୁ ସନ୍ତାନର୍ଥେ ଯିବାକୁ ଆଦେଶ ଦେଇ ପୂର୍ବ ଭୁଲକୁ ନ ଦୋହରାଇବାକୁ କହିଲେ ।ହେଲେ ଏଥର ଅମ୍ବିକା ଏବଂ ଅମ୍ବାଳିକା ଭୟ ବଶତଃ ପରିଶ୍ରମୀ ନାମ୍ନୀ ନିଜ ଚାକରାଣୀକୁ ନିଜ ସ୍ଥାନରେ ବ୍ୟାସଦେବଙ୍କ ନିକଟକୁ ପଠାଇଲେ । ଚାକରାଣିଙ୍କ ଗର୍ଭରୁ ଜାତ ସନ୍ତାନ ହେଲେ ବିଦୁର, ଯିଏକି ପରବର୍ତ୍ତୀ ସମୟରେ ଅତ୍ୟନ୍ତ ବୁଦ୍ଧିମାନ ତଥା ଧର୍ମର ଅବତାର ଭାବେ ପରିଚିତ ହେଲେ ।[୪]

ଆଧାର[ସମ୍ପାଦନା]

  1. Monier-Williams, Sir Monier; Leumann, Ernst; Cappeller, Carl (1899). A Sanskrit-English Dictionary: Etymologically and Philologically Arranged with Special Reference to Cognate Indo-European Languages (in ଇଂରାଜୀ). Motilal Banarsidass Publishing House. ISBN 978-81-208-3105-6.
  2. van Buitenen (1973), p. 227
  3. "The story of Vichitravirya | Mahabharata Stories, Summary and Characters from Mahabharata". www.mahabharataonline.com. Retrieved 28 December 2020.
  4. van Buitenen (1973), pp. 230; 235-36