ବାଏର୍ଣ୍ଣ ମ୍ୟୁନିକ୍ ଫୁଟବଲ କ୍ଲବ

ଉଇକିପିଡ଼ିଆ‌ରୁ
ବାଏର୍ଣ୍ଣ ମ୍ୟୁନିକ୍ ଫୁଟବଲ କ୍ଲବ
crest
ପୂର୍ଣ୍ଣ ନାମଫୁସ୍‍ବଲ୍-କ୍ଲୁବ୍ ବାଏର୍ଣ୍ଣ ମୁନ୍ସେନ୍ ଇ ଭି
ଡାକ ନାମଡେର୍ ଏଫ୍‍ସି‍ବି (ଏଫ୍‍ସି‍ବି)
ଡି ବାଏର୍ଣ୍ଣ୍ (ବଭାରୀୟ)
ଷ୍ଟେର୍ଣ୍ଣ ଡେସ୍ ସୂଡେନ୍ସ (ଦକ୍ଷିଣର ତାରକାସମୂହ)
ଡି ରୋଟେନ୍ (ଲୋହିତଗଣ)[୧]
ଏଫ୍‍ସି ହଲିଉଡ୍[୨]
କ୍ଷୁଦ୍ର ନାମବାଏର୍ଣ୍ଣ, ଏଫ୍‍ସିବି
ପ୍ରତିଷ୍ଠା27 ଫେବୃଆରୀ 1900 (1900-02-27) (୧୨୪ ବର୍ଷ ପୂର୍ବରୁ)
ଷ୍ଟାଡ଼ିୟମ୍ଆଲିଆଞ୍ଜ୍ ଏରିନା
ଦର୍ଶକ କ୍ଷମତା୭୫୦୦୦[୩]
ଅଧ୍ୟକ୍ଷହର୍ବର୍ଟ୍ ହାଇନର୍
Chairmanକାର୍ଲ୍-ହାଇଞ୍ଜ୍ ରୁମେନିଗେ
Managerହାନ୍ସ-ଡିଟର୍ ଫ୍ଲିକ୍
ଲିଗ୍ବୁଣ୍ଡେସଲିଗା
ୱେବସାଇଟ୍Club website
ବାହାର ରଙ୍ଗ
ତୃତୀୟ ରଙ୍ଗ
Current season

ବାଏର୍ଣ୍ଣ ମ୍ୟୁନିକ୍ ଫୁଟବଲ କ୍ଲବ୍ (ମୂଳ ଜର୍ମାନ ନାମ Fußball-Club Bayern München e.V., କଥିତ ଜର୍ମାନ ଭାଷାରେ FC Bayern München) ଜର୍ମାନୀର ବଭାରିଆ ଅଞ୍ଚଳସ୍ଥିତ ମ୍ୟୁନିକ୍ ସହରର ଏକ ପ୍ରଖ୍ୟାତ ବ୍ୟବସାୟିକ ଫୁଟବଲ କ୍ଲବ । ଏଫ୍‍ସିବି, ବାଏର୍ଣ୍ଣ ମ୍ୟୁନିକ୍ ବା ଏଫ୍‍ସି ବାଏର୍ଣ୍ଣ ନାମରେ ଜଣାଶୁଣା ଏହି କ୍ଲବ୍ ଜର୍ମାନୀର ଜାତୀୟ ବୁଣ୍ଡେସ୍ ଲିଗା ପ୍ରତିଯୋଗିତାରେ ଖେଳିଥାଏ । ଜର୍ମାନ ଫୁଟବଲ ଇତିହାସରେ ବାଏର୍ଣ୍ଣ ମ୍ୟୁନିକ୍ ସଫଳତମ ଫୁଟବଲ କ୍ଲବ୍ । ଏହି କ୍ଲବ୍ ସର୍ବାଧିକ ୩୦ ଥର ଜର୍ମାନ ଜାତୀୟ ଫୁଟବଲ ଚାମ୍ପିୟନ୍ ହେବାର ଗୌରବ ଲାଭ କରିଛି । ତା’ ସହ ୨୦୧୩ରୁ ୨୦୨୦ ପର୍ଯ୍ୟନ୍ତ ୮ ବର୍ଷ କ୍ରମାଗତ ଭାବେ ଏହା ବୁଣ୍ଡେସଲିଗା ଜାତୀୟ ପ୍ରତିଯୋଗିତା ଜିତି ଆସୁଛି ।[୪] ଏହି କ୍ଲବ୍ ୨୦ ଥର ଡଏସର୍ ଫୁସ୍‍ବଲ୍ ବୁଣ୍ଡ୍ ଜାତୀୟ କପରେ ମଧ୍ୟ ବିଜୟ ଲାଭ କରିଛି ।[୫]

ଫ୍ରାଂଜ୍ ଜନ୍‍ଙ୍କ ନେତୃତ୍ୱରେ ୧୧ ଜଣ ଫୁଟବଲ ଖେଳାଳି ୧୯୦୦ ମସିହାରେ ବାଏର୍ଣ୍ଣ ମ୍ୟୁନିକ୍ ଦଳର ପ୍ରତିଷ୍ଠା କରିଥିଲେ ।[୬] ଯଦିଓ ବାଏର୍ଣ୍ଣ ନିଜର ପ୍ରଥମ ଜାତୀୟ ଚାମ୍ପିୟନ୍‍ସିପ୍ ୧୯୩୨ ମସିହାରୁ ଜିତି ସାରିଥିଲା[୭] ତଥାପି ଉଦଘାଟନୀ ବର୍ଷ ୧୯୬୩ ମସିହାରେ ଏହାକୁ ବୁଣ୍ଡେସଲିଗାରେ ସ୍ଥାନ ମିଳିନଥିଲା ।[୮] ୧୯୭୦ ଦଶନ୍ଧିର ମଧ୍ୟ ଭାଗରେ ଫ୍ରାଂଜ୍ ବେକେନ୍‍ବାଉଅର୍‍ଙ୍କ ନେତୃତ୍ୱରେ ବାଏର୍ଣ୍ଣ ଦଳ ୩ ଥର କ୍ରମାଗତ ୟୁଇଫା ଚାମ୍ପିୟନ୍ସ ଲିଗ୍ ପ୍ରତିଯୋଗିତା ଜିତି ଅଭୂତପୂର୍ବ ସଫଳତା ଲାଭ କରିଥିଲା । ଏଯାବତ (୨୦୨୦ ମସିହା ପର୍ଯ୍ୟନ୍ତ) ବାଏର୍ଣ୍ଣ ଦଳ ୧୧ ଥର ୟୁଇଫା ଚାମ୍ପିୟନ୍ସ ଲିଗର ଫାଇନାଲ ଖେଳିବାର ଯୋଗ୍ୟତା ଲାଭ କରିପାରିଛି ଓ ୨୦୨୦ରେ ୬ଷ୍ଠ ଥର ପାଇଁ ୟୁଇଫା ଚାମ୍ପିୟନ୍ସ ଲିଗ୍ ବିଜେତା ମଧ୍ୟ ହୋଇଛି । ଦୁଇ ଥର ମହାଦେଶୀୟ ତ୍ରି-ବିଜୟୀ (continental treble) ହେବାରେ ବାଏର୍ଣ୍ଣ ମ୍ୟୁନିକ୍ ଦ୍ୱିତୀୟ ୟୁରୋପୀୟ କ୍ଲବ୍ ଦଳ ।[୯] ଏହା ଛଡ଼ା ବାଏର୍ଣ୍ଣ ଦଳ ଥରେ ୟୁଇଫା ୟୁରୋପା ଲିଗ୍, ଥରେ ୟୁଇଫା କପ ୱିନର୍ସ କପ, ଦୁଇ ଥର ୟୁଇଫା ସୁପର କପ, ଥରେ ଫିଫା କ୍ଲବ୍ ବିଶ୍ୱକପ ଓ ଦୁଇଟି ଆନ୍ତଃ-ମହାଦେଶୀୟ କପ ମଧ୍ୟ ଜିତିଛି । ବୁଣ୍ଡେସଲିଗା ଆରମ୍ଭ ହେବା ପରଠାରୁ ୩୦ ଥର ବିଜେତା ହୋଇଥିବାରୁ ବାଏର୍ଣ୍ଣ ମ୍ୟୁନିକ୍‍କୁ ଏହାର ସଫଳତମ ଦଳ ବୋଲି କୁହାଯାଇପାରିବ । ବଭାରିଆ ଅଞ୍ଚଳର ଅନ୍ୟ ଫୁଟବଲ ଦଳ ଯଥା – ୧୮୬୦ ମ୍ୟୁନିକ୍ ଓ ଏଫ୍‍ସି ନୁର୍ଣ୍ଣବର୍ଗ୍ ଏହି ଦଳର ପାରମ୍ପରିକ ପ୍ରତିଦ୍ୱନ୍ଦୀ । ୧୯୯୦ ଦଶନ୍ଧିର ମଧ୍ୟ ଭାଗରୁ ଜର୍ମାନୀର ଅନ୍ୟ ଏକ ଫୁଟବଲ କ୍ଲବ୍ ବୋରୁସିଆ ଡୋର୍ଟମୁଣ୍ଡ ସହିତ ବାଏର୍ଣ୍ଣର ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଥିଲା ।

୨୦୦୫-୦୬ କ୍ରୀଡ଼ାବର୍ଷର ଆରମ୍ଭରୁ ବାଏର୍ଣ୍ଣ ନିଜର ଘର ମ୍ୟାଚ ସବୁ ଆଲିଆଞ୍ଜ୍ ଏରିନା ପଡ଼ିଆରେ ଖେଳି ଆସିଛି । ତାହା ପୂର୍ବରୁ ୩୩ ବର୍ଷ ପାଇଁ ବାଏର୍ଣ୍ଣ ନିଜର ଘର ମ୍ୟାଚ୍ ପାଇଁ ମ୍ୟୁନିକ୍ ଅଲିମ୍ପିକ୍ ଷ୍ଟାଡିୟମ୍‍କୁ (ଓଲିମ୍ପାଷ୍ଟାଡିୟୋନ୍) ବ୍ୟବହାର କରୁଥିଲା । ଏହି କ୍ଲବ୍ ଦଳର ରଙ୍ଗ ହେଲା ଲାଲ୍ ଓ ଧଳା । ଏହି ଦଳର ଚିହ୍ନରେ ବଭାରିଆର ପତାକାର ଧଳା ଓ ନୀଳ ରଙ୍ଗ ବ୍ୟବହୃତ ହୁଏ ।[୧୦] ବାର୍ଷିକ ଆୟ ଦୃଷ୍ଟିକୋଣରୁ ବାଏର୍ଣ୍ଣ ଜର୍ମାନୀର ବୃହତ୍ତମ ଓ ବିଶ୍ୱର ଚତୁର୍ଥ ବୃହତ୍ତମ ଫୁଟବଲ କ୍ଲବ୍ । ୨୦୨୦ ମସିହାରେ ଏହା ୬୬.୦୧ କୋଟି ୟୁରୋ ଆୟ କରିଥିଲା ।[୧୧] ୨୦୧୮-୧୯ କ୍ରୀଡ଼ାବର୍ଷରେ ବାଏର୍ଣ୍ଣର ଆୟ ୭୫.୦୪ କୋଟି ୟୁରୋ ଏବଂ ଏହାର ଲାଭ ୧୪.୬୧ କୋଟି ୟୁରୋ ରହିଥିଲା । ଏହାକୁ ମିଶାଇ ବାଏର୍ଣ୍ଣ କ୍ଲବ୍ ନିଜ ଖାତାରେ ୨୭ ବର୍ଷ ଲଗାତାର ଲାଭ ଦେଖାଇଆସିଛି ।[୧୨] ୨୦୧୯ ମସିହା ନଭେମ୍ବର ମାସ ବେଳକୁ ବାଏର୍ଣ୍ଣ କ୍ଲବ୍‍ର ୨୯୩୦୦୦ ସ୍ୱୀକୃତ ସଦସ୍ୟ ଓ ୩୫୮୧୫୧ରୁ ଅଧିକ ସଦସ୍ୟ ଥିବା ୪୪୯୯ ଅନୁମୋଦିତ ଫ୍ୟାନ୍ କ୍ଲବ୍ (ସମର୍ଥକ ଗୋଷ୍ଠୀ) ରହିଥିଲେ ।[୧୨] ଏହି କ୍ଲବ୍‍ର ଆଉ କିଛି ଖେଳରେ ମଧ୍ୟ ଶାଖାମାନ ରହିଛି; ଯଥା – ଚେସ, ହ୍ୟାଣ୍ଡବଲ, ବାସ୍କେଟ୍‍ବଲ, ଜିମ୍ନାଷ୍ଟିକ୍ସ, ବୋଲିଂ, ଟେବୁଲ୍ ଟେନିସ୍; ଯେଉଁଥିରେ ୧୧୦୦ରୁ ଅଧିକ ସକ୍ରିୟ ସଦସ୍ୟ ରହିଛନ୍ତି ।[୧୩] ୨୦୧୯-୨୦ କ୍ରୀଡ଼ାବର୍ଷର ଶେଷ ବେଳକୁ ବାଏର୍ଣ୍ଣ ୟୁଇଫାର କୋଏଫିସିଏଣ୍ଟ ରାଂକିଂରେ ପ୍ରଥମ ସ୍ଥାନ ଅର୍ଜନ କରିଥିଲା ।[୧୪]

ପ୍ରାରମ୍ଭିକ ଇତିହାସ (୧୯୦୦-୧୯୬୫)[ସମ୍ପାଦନା]

୧୯୦୧ ମସିହାରେ ଏଫ୍‍ସି ନୁର୍ଣ୍ଣବର୍ଗ ସହିତ ବାଏର୍ଣ୍ଣର ପ୍ରଥମ ମ୍ୟାଚ୍

ମ୍ୟୁନିକ୍ ଜିମ୍ନାଷ୍ଟିକ୍ସ କ୍ଲବର (ଏମ୍‍ଟିଭି ୧୮୭୯) ସଦସ୍ୟାମାନଙ୍କଦ୍ୱାରା ଏଫ୍‍ସି ବାଏର୍ଣ୍ଣ ମ୍ୟୁନିକ୍ ସ୍ଥାପିତ ହୋଇଥିଲା । ଏମ୍‍ଟିଭି ୧୮୭୯ର କିଛି ସଭ୍ୟ ଏକତ୍ରିତ ହୋଇ ୧୯୦୦ ମସିହା ଫେବୃଆରୀ ୨୭ ତାରିଖ ଦିନ ନିଷ୍ପତ୍ତି ନେଲେ ଯେ କ୍ଲବର ଫୁଟବଲ ଖେଳାଳିମାନେ ଜର୍ମାନ ଫୁଟବଲ ସଙ୍ଗଠନରେ (DFB) ଯୋଗଦାନ କରିପାରିବେ ନାହିଁ । ଏହି ଏକତ୍ରିତ ସଭ୍ୟମାନଙ୍କ ମଧ୍ୟରେ ଥିବା ୧୧ ଜଣ ଫୁଟବଲ ସଦସ୍ୟ ଖେଳାଳି ବାହାରି ଯାଇ ସେହିଦିନ ସନ୍ଧ୍ୟାରେ ଫୁସ୍‍ବଲ୍-କ୍ଲୁବ୍ ବାଏର୍ଣ୍ଣ ମୁନ୍ସେନ୍ ଗଠନ କରିଥିଲେ । ସ୍ଥାପିତ ହେବାର ଅଳ୍ପ କିଛି ମାସ ମଧ୍ୟରେ ବାଏର୍ଣ୍ଣ ସ୍ଥାନୀୟ ଦଳମାନଙ୍କୁ ବିରାଟ ଗୋଲ ବ୍ୟବଧାନରେ ହରାଇ ଖ୍ୟାତି ଅର୍ଜନ କଲା । ଏଫ୍‍ସି ନୋର୍ଡଷ୍ଟେର୍ଣ୍ଣ ବିପକ୍ଷରେ ୧୫-୦ ଗୋଲରେ ବାଏର୍ଣ୍ଣ ବିଜୟୀ ହୋଇଥିଲା ।[୧୫] ୧୯୦୦-୦୧ ମସିହାର ଦକ୍ଷିଣ-ଜର୍ମାନୀ ଫୁଟବଲ ଚାମ୍ପିୟନ୍‍ସିପ୍ ପ୍ରତିଯୋଗିତାରେ ବାଏର୍ଣ୍ଣ ସେମିଫାଇନାଲ ପହଞ୍ଚିବାରେ ସଫଳ ହୋଇଥିଲା ।[୬] ତାହା ପର ବର୍ଷମାନଙ୍କରେ ବାଏର୍ଣ୍ଣ ଦଳ କିଛି ସ୍ଥାନୀୟ ଟ୍ରଫି ଜିତିବା ସହ ୧୯୧୦-୧୧ ମସିହାରେ ବଭାରିଆରେ ଆରମ୍ଭ ହୋଇଥିବା ପ୍ରଥମ ପ୍ରାଦେଶିକ ଲିଗ୍ ‘‘କ୍ରାଇସଲିଗା’’ରେ ଯୋଗ ଦେଇଥିଲା । ଏହି ଲିଗର ଉଦଘାଟନୀ ବର୍ଷରେ ବାଏର୍ଣ୍ଣ ଚାମ୍ପିୟନ୍ ହୋଇଥିଲା । କିନ୍ତୁ ସେବେଠାରୁ ଏହି ଲିଗ ଜିତି ପାରିନଥିବା ବାଏର୍ଣ୍ଣ ଦଳ ପୁଣି ପ୍ରଥମ ବିଶ୍ୱଯୁଦ୍ଧର ଆରମ୍ଭ (୧୯୧୪ ମସିହା) ବେଳକୁ କ୍ରାଇସଲିଗ ଜିତିଲା । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀରେ ସମସ୍ତ ଫୁଟବଲ ଖେଳ ବନ୍ଦ ହୋଇଯାଇଥିଲା ।[୭][୧୬] ପ୍ରତିଷ୍ଠାର ଏକ ଦଶନ୍ଧି ବିତିବା ବେଳକୁ ଜର୍ମାନ ଜାତୀୟ ଦଳର ମାକ୍ସ ଗାବେର୍ଲ ଗାବଲୋନ୍‍ସ୍କି ବାଏର୍ଣ୍ଣ ଦଳ ପ୍ରତି ଆକୃଷ୍ଟ ହୋଇଥିଲେ ।[୧୭] ୧୯୨୦ ମସିହା ବେଳକୁ ବାଏର୍ଣ୍ଣ କ୍ଲବର ୭୦୦ ସଦସ୍ୟ ହୋଇଯାଇଥିଲେ ଓ ଏହା ମ୍ୟୁନିକରେ ତତ୍କାଳୀନ ସର୍ବବୃହତ ଫୁଟବଲ କ୍ଲବ୍ ରୂପେ ଉଭା ହେଲା ।[୧୭]

ପ୍ରଥମ ବିଶ୍ୱଯୁଦ୍ଧ ପରେ ବାଏର୍ଣ୍ଣ ଅନେକ ଆଞ୍ଚଳିକ ପ୍ରତିଯୋଗିତାରେ ବିଜୟ ଲାଭ କଲା । ୧୯୨୬ ଓ ୧୯୨୮ ମସିହାରେ ଦକ୍ଷିଣ ଜର୍ମାନ ଚାମ୍ପିୟନ୍‍ସିପ୍ ମଧ୍ୟ ଜିତିଲା ।[୭][୧୮] ୧୯୩୨ ମସିହାରେ ବାଏର୍ଣ୍ଣ ଦଳ ପ୍ରଶିକ୍ଷକ ରିକାର୍ଡ କୋନ୍‍ଙ୍କ ନେତୃତ୍ୱରେ ଆଇନ୍‍ଟ୍ରାଖ୍‍ଟ୍ ଫ୍ରାଙ୍କଫର୍ଟ ଦଳକୁ ଫାଇନାଲରେ ୨-୦ ଗୋଲରେ ପରାସ୍ତ କରି ପ୍ରଥମ ଥର ପାଇଁ ଜାତୀୟ ଜର୍ମାନ ଫୁଟବଲ ଚାମ୍ପିୟନ୍‍ସିପ୍ ଜିତିଥିଲା ।[୭]

ଆଡୋଲ୍‍ଫ୍ ହିଟ୍‍ଲର୍ କ୍ଷମତାକୁ ଆସିବା ସହିତ ବାଏର୍ଣ୍ଣର ବିକାଶ ବାଧାପ୍ରାପ୍ତ ହୋଇଥିଲା । ତତ୍କାଳୀନ ବାଏର୍ଣ୍ଣର ଅଧ୍ୟକ୍ଷ କୁର୍ଟ୍ ଲାଣ୍ଡାଉଅର୍ ଓ ପ୍ରଶିକ୍ଷକ ଉଭୟ ଇହୁଦୀ ଥିଲେ ଓ ସେମାନେ ଜର୍ମାନୀ ଛାଡ଼ି ଚାଲି ଯାଇଥିଲେ । ବାଏର୍ଣ୍ଣକୁ ଏକ “ଇହୁଦୀ କ୍ଲବ” ବୋଲି ତାଚ୍ଛଲ୍ୟର ଶିକାର ହେବାକୁ ପଡ଼ିଲା । କିନ୍ତୁ ସ୍ଥାନୀୟ ପ୍ରତିଦ୍ୱନ୍ଦୀ କ୍ଲବ “ଟିଏସ୍‍ଭି ୧୮୬୦ ମ୍ୟୁନିକ୍‍”କୁ ଅନେକ ସମର୍ଥନ ମିଳିଲା । ସୁଇଜରଲ୍ୟାଣ୍ଡରେ ଲାଣ୍ଡଆଉଅର୍ ବାଏର୍ଣ୍ଣର ଏକ ମ୍ୟାଚ୍ ଦେଖୁଥିଲେ ଓ ମ୍ୟାଚ ପରେ ବାଏର୍ଣ୍ଣର କିଛି ଖେଳାଳି ତାଙ୍କୁ ଦେଖା କରିବାରୁ ବାଏର୍ଣ୍ଣ କ୍ଲବ ପ୍ରତି ଏହି ତିକ୍ତତା ଓ ବୈଷମ୍ୟତା ଆହୁରି ବୃଦ୍ଧି ପାଇଥିଲା ।[୧୯] ସେ ସମୟରେ ଫୁଟବଲ ଦଳର ଖେଳାଳିଙ୍କୁ ନେଇ ରହିଥିବା ନିୟମ ଯୋଗୁଁ ବାଏର୍ଣ୍ଣର ଯୁବ ସେଣ୍ଟର-ଫରୱାର୍ଡ ଓସ୍କାର ରୋର୍ ସୁଇଜରଲାଣ୍ଡ ଫେରିଗଲେ । ପରବର୍ତ୍ତୀ କିଛି ବର୍ଷ ବାଏର୍ଣ୍ଣ ଦଳ ଜାତୀୟ ଓ ଆଞ୍ଚଳିକ ସ୍ତରରେ ନିମ୍ନ ମାନର ପ୍ରଦର୍ଶନ କରିଥିଲା ।[୨୦]

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବାଏର୍ଣ୍ଣ ଜର୍ମାନ ପ୍ରଥମ ଡିଭିଜନର ଦକ୍ଷିଣ ଶାଖାର “ଓବେରଲିଗା ସୂଡ୍”ର ସଦସ୍ୟ ହୋଇଥିଲା । ୧୯୪୫ରୁ ୧୯୬୩ ମଧ୍ୟରେ ବାଏର୍ଣ୍ଣ ୧୩ ଜଣ ପ୍ରଶିକ୍ଷକଙ୍କୁ ବିଭିନ୍ନ ସମୟରେ ନିଯୁକ୍ତି-ଛଟେଇ କରିଥିଲା, କିନ୍ତୁ ନିରାଶାଜନକ ପ୍ରଦର୍ଶନ କରିଥିଲା । ଲାଣ୍ଡାଉଅର୍ ୧୯୪୭ରେ ଜର୍ମାନୀକୁ ପ୍ରତ୍ୟାବର୍ତ୍ତନ କରି ୧୯୫୧ ପର୍ଯ୍ୟନ୍ତ କ୍ଲବର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ । ଲାଣ୍ଡାଉଅରଙ୍କୁ ବ୍ୟବସାୟିକ ବାଏର୍ଣ୍ଣ ଫୁଟବଲ ଦଳର ଉଦ୍ଭାବକ ବୋଲି କୁହାଯାଏ ।[୨୧][୨୨] ୧୯୫୫ ମସିହାରେ ବାଏର୍ଣ୍ଣ ଓବେରଲିଗା ପାଇଁ ଯୋଗ୍ୟତା ହାସଲ କରିବାରେ ଅସମର୍ଥ ହେଲା । କିନ୍ତୁ ପରବର୍ତ୍ତୀ କ୍ରୀଡ଼ା ବର୍ଷରେ ଯୋଗ୍ୟତା ଲାଭ କଲା ଓ ୧୯୫୬-୫୭ରେ ଫୋର୍ଟୁନା ଡୂସେଲଡୋର୍ଫକୁ ୧-୦ ଗୋଲରେ ହରାଇ ଡିଏଫ୍‍ବି ପୋକାଲ ମଧ୍ୟ ଜିତିଥିଲା ।[୨୩][୨୪]

୧୯୫୦ ଦଶନ୍ଧିର ଶେଷ ବେଳକୁ ଆର୍ଥିକ ଦୁରବସ୍ଥା ଭୋଗୁଥିବା ବାଏର୍ଣ୍ଣ କ୍ଲବ ଦେବାଳିଆ ଅବସ୍ଥା ଆଡ଼କୁ ମୁହାଁଉଥିଲା । ୧୯୫୮ ମସିହାରେ ରାଇଟଲିଙ୍ଗର ଅଧ୍ୟକ୍ଷ ପଦରୁନବିତାଡ଼ିତ ହେଲେ ଓ ଶିଳ୍ପପତି ରୋଲାଣ୍ଡ ଏଣ୍ଡଲର୍ ଅଧ୍ୟକ୍ଷ ହେଲେ । ସେ କ୍ଲବକୁ ଆର୍ଥିକ ସହାୟତା ଓ ସ୍ଥିରତା ପ୍ରଦାନ କଲେ । ତାଙ୍କ ଅଧ୍ୟକ୍ଷତା କାଳ ବାଏର୍ଣ୍ଣ କ୍ଲବ ପାଇଁ ଓବେରଲିଗାର ଶ୍ରେଷ୍ଠ ସମୟ ଥିଲା । [୨୫] ୧୯୬୨ ମସିହାରେ ୱିଲହେଲ୍ମ ନଏଡେକର କ୍ଲବର ଅଧ୍ୟକ୍ଷ ହେଲେ ।

୧୯୬୩ ମସିହାରେ ଓବେରଲିଗା ସବୁ ମିଶାଇ ବୁଣ୍ଡେସଲିଗା ଆରମ୍ଭ ହେଲା । ଦକ୍ଷିଣ ଓବେରଲିଗାରୁ ୫ଟି ଦଳ ଯୋଗ୍ୟତା ପାଇବା ନିଶ୍ଚୟ କରାଗଲା । ଗତ ୧୨ ବର୍ଷର ରେକର୍ଡ ଅନୁସାରେ ବାଏର୍ଣ୍ଣ ଷଷ୍ଠ ଦଳ ହୋଇଯିବାରୁ ଏହା ମନୋନୀତ ହେଲାନାହିଁ । କଟା ଘାରେ ଚୂନ ଦେଲା ପରି ଟିଏସ୍‍ଭି ୧୮୬୦ ମ୍ୟୁନିକ ପ୍ରତିଯୋଗିତା ଜିତିଥିଲା ।[୨୬][୮]

ସୁବର୍ଣ୍ଣ ଯୁଗ (୧୯୬୫-୧୯୭୯)[ସମ୍ପାଦନା]

ଗେର୍ଡ୍ ମ୍ୟୁଲର୍
୧୯୭୦ ମସିହାରେ ଆର୍ଜେଣ୍ଟିନା ଜାତୀୟ ଦଳ ସହିତ ଏକ ବନ୍ଧୁତାମୂଳକ ମ୍ୟାଚ ପୂର୍ବରୁ ଫ୍ରାଞ୍ଜ୍ ବେକେନବାଉଅର ଓ ରୋବେର୍ତ୍ତୋ ପରଫୁମୋ

ବାଏର୍ଣ୍ଣ ଦଳ ୧୯୬୫-୬୬ କ୍ରୀଡ଼ାବର୍ଷରେ ପ୍ରଥମ ଥର ପାଇଁ ବୁଣ୍ଡେସଲିଗା ଖେଳିଲା ଓ ଲିଗରେ ତୃତୀୟ ସ୍ଥାନରେ ରହିଥିଲା । ସେ ବର୍ଷର ଡିଏଫ୍‍ବି ପୋକାଲ ପ୍ରତିଯୋଗିତାରେ ବାଏର୍ଣ୍ଣ ବିଜୟ ହାସଲ କରି ୧୯୬୬-୬୭ କ୍ରୀଡ଼ାବର୍ଷର ୟୁରୋପୀୟ କପ ୱିନର୍ସ କପ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କଲା । ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ବାଏର୍ଣ୍ଣ ରେଞ୍ଜର୍ସ ଏଫ୍‍ସି ବିରୁଦ୍ଧରେ ନାଟକୀୟ ଭାବେ ୧-୦ ଗୋଲରେ ବିଜୟୀ ହୋଇଥିଲା । ଅତିରିକ୍ତ ସମୟରେ ଫ୍ରାଞ୍ଜ୍ ରୋଥ୍ ବାଏର୍ଣ୍ଣ ପକ୍ଷରୁ ନିର୍ଣ୍ଣାୟକ ଗୋଲ କରିଥିଲେ ।[୨୪] ୧୯୬୭ ମସିହାରେ ବାଏର୍ଣ୍ଣ ଡିଏଫ୍‍ବି ପୋକାଲରେ ପୁଣି ବିଜେତା ହୋଇଥିଲା । ଏହି ସମୟରେ ବ୍ରାଙ୍କୋ ଜେବେକ ବାଏର୍ଣ୍ଣ ଦଳର ପ୍ରଶିକ୍ଷକ ହୋଇଥିଲେ । ଦଳର ଆକ୍ରମଣାତ୍ମକ ଶୈଳୀରେ ପରିବର୍ତ୍ତନ କରି ସେ ଖେଳରେ ଅଧିକ ଅନୁଶାସନ ଆଣିବାର ଚେଷ୍ଟା କରିଥିଲେ । ଫଳ ସ୍ୱରୂପ ବାଏର୍ଣ୍ଣ ଦଳ ୧୯୬୮-୬୯ କ୍ରୀଡ଼ାବର୍ଷରେ ପ୍ରଥମ ଥର ପାଇଁ ବୁଣ୍ଡେସଲିଗା ଓ ଡିଏଫ୍‍ବି ପୋକାଲରେ ବିଜୟୀ ହୋଇଥିଲା । ବାଏର୍ଣ୍ଣ ବ୍ୟତୀତ ବୋରୁସିଆ ଡୋର୍ଟମୁଣ୍ଡ, ଏଫ୍‍ସି କୋଲ୍‍ନ୍ୱେର୍ଡର୍ ବ୍ରେମେନ୍ ଜର୍ମାନ କ୍ଲବ୍‍ମାନେ ଗୋଟିଏ କ୍ରୀଡ଼ାବର୍ଷରେ ଉଭୟ ପ୍ରତିଯୋଗିତା ଜିତିବାର ଗୌରବ ଲାଭ କରିଛନ୍ତି । ୧୯୬୮-୬୯ କ୍ରୀଡ଼ାବର୍ଷରେ ଜେବେକ କେବଳ ୧୩ ଜଣ ଖେଳାଳିଙ୍କୁ ବ୍ୟବହାର କରିଥିଲେ ।[୨୭]

୧୯୭୦ ମସିହାରେ ଉଡୋ ଲାଟ୍ଟେକ ବାଏର୍ଣ୍ଣ ଦଳର ଦାୟିତ୍ୱ ନେଇଥିଲେ । ତାଙ୍କ ପ୍ରଥମ କ୍ରୀଡ଼ାବର୍ଷ ୧୯୭୦-୭୧ରେ ଡିଏଫ୍‍ବି ପୋକାଲ ଜିତିବା ପରେ ୧୯୭୧-୭୨ କ୍ରୀଡ଼ାବର୍ଷରେ ବାଏର୍ଣ୍ଣ ଦଳ ତୃତୀୟ ଥର ପାଇଁ ବୁଣ୍ଡେସଲିଗା ଜିତିଥିଲା । ଏଫ୍‍ସି ଶାଲକେ ବିରୁଦ୍ଧରେ ୧୯୭୧-୭୨ କ୍ରୀଡ଼ାବର୍ଷର ଶେଷ ମ୍ୟାଚଟି ସେତେବେଳେ ନୂତନ ଭାବେ ନିର୍ମିତ ଓଲିମ୍ପାଷ୍ଟାଡିୟୋନରେ ଖେଳା ଯାଇଥିଲା ଓ ବୁଣ୍ଡେସଲିଗା ଇତିହାସରେ ପ୍ରଥମ ଥର ପାଇଁ ଏହି ମ୍ୟାଚର ସିଧା ପ୍ରସାରଣ କରାଯାଇଥିଲା । ବାଏର୍ଣ୍ଣ ଶାଲକେ ଦଳକୁ ୫-୧ ଗୋଲରେ ପରାସ୍ତ କରି ବୁଣ୍ଡେସଲିଗାରେ ପ୍ରଥମ ସ୍ଥାନ ଅକ୍ତିଆର କରିଥିଲା ।[୨୮] ଏହା ପରେ ବାଏର୍ଣ୍ଣ ଆଉ ଦୁଇଟି ଚାମ୍ପିୟନ୍‍ସିପ୍ ଜିତିବାରେ ସଫଳ ହେଲା । କିନ୍ତୁ ୧୯୭୪ ମସିହାରେ ୟୁରୋପୀୟ କପ ଫାଇନାଲରେ ଆଥଲେଟିକୋ ମାଦ୍ରିଦକୁ ୪-୦ ଗୋଲରେ ହରାଇ ବାଏର୍ଣ୍ଣ ଦଳ ସେ ସମୟର ସଫଳତାର ଶୀର୍ଷରେ ପହଞ୍ଚି ଯାଇଥିଲା ।[୨୯] ଏହି ବିଜୟ ଓ ଅନ୍ୟ ପ୍ରତିଯୋଗିତାମାନଙ୍କରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ବାଏର୍ଣ୍ଣ ଦଳ ଏକ ଅନ୍ତର୍ଜାତୀୟ ଫୁଟବଲ କ୍ଲବ୍ ଦଳ ରୂପେ ବିବେଚିତ ହେବାକୁ ଲାଗିଲା ।

ବାଏର୍ଣ୍ଣ ବନାମ ଏଫ୍‍ସି ମାଗଦେବର୍ଗ ମ୍ୟାଚ୍ (୧୯୭୪)

ଆଗାମୀ ବର୍ଷମାନଙ୍କରେ ଯଦିଓ ଆଞ୍ଚଳିକ ସ୍ତରରେ ବାଏର୍ଣ୍ଣ ବିଶେଷ ଭଲ ଖେଳି ନଥିଲା କିନ୍ତୁ ତଥାପି ନିଜର ୟୁରୋପୀୟ ଟାଇଟଲ୍‍କୁ ଲିଡ୍‍ସ୍ ୟୁନାଇଟେଡ୍ ଏଫ୍‍ସି ବିରୁଦ୍ଧରେ ୧୯୭୫ ମସିହାରେ ବଜାୟ ରଖିବାରେ ସମର୍ଥ ହେଲା । ବାଏର୍ଣ୍ଣ ପ୍ରଶିକ୍ଷକ ଏହାକୁ ସୌଭାଗ୍ୟବଶତଃ ବିଜୟ ଲାଭ କରିବା କଥା କହିବା ବେଳେ ଲିଡ୍‍ସ୍ ଦଳର ଲୋକପ୍ରିୟ ମିଡ୍‍ଫିଲ୍‍ଡର୍ ବିଲି ବ୍ରେମ୍ନର୍ ମ୍ୟାଚର ଫରାସୀ ରେଫରିଙ୍କ ପ୍ରତି ଦୋଷାରୋପ କରିଥିଲେ । ତା’ ପରେ ଲିଡ୍‍ସ୍‍ର ସମର୍ଥକମାନେ ପ୍ୟାରିସ ସହରରେ ଦଙ୍ଗା କରିଥିଲେ ଓ ଏହି କାରଣରୁ ଲିଡ୍‍ସ୍ ଫୁଟବଲ ଦଳ ଉପରେ ୩ ବର୍ଷ ପାଇଁ ୟୁରୋପୀୟ ଫୁଟବଲ ପ୍ରତିଯୋଗିତାରେ ଖେଳିବାରୁ ରହିତାଦେଶ କରାଗଲା ।[୩୦] ୧୯୭୬ ୟୁରୋପୀୟ ଲିଗରେ ବାଏର୍ଣ୍ଣ ଦଳ ଗ୍ଲାସଗୋରେ ସେଣ୍ଟ୍-ଏଟିଏନ୍ନେ ଦଳକୁ ପରାସ୍ତ କରି ପୁଣି ୟୁରୋପୀୟ କପରେ ବିଜୟ ହାସଲ କଲା ଓ କ୍ରମାଗତ ତିନି ବର୍ଷ ଏହି ପ୍ରତିଯୋଗିତା ଜିତିଲା । ଏହି ସମୟରେ ବାଏର୍ଣ୍ଣ ଅନ୍ତଃ-ମହାଦେଶୀୟ କପରେ ବ୍ରାଜିଲୀୟ କ୍ଲବ୍ କ୍ରୁଜିଏରୋକୁ ହରାଇ ଟ୍ରଫି ଜିତିଥିଲେ ।[୩୧] ଏହା ପରେ ବାଏର୍ଣ୍ଣ କୌଣସି ବୃହତ ବିଜୟ ହାସଲ କରିପାରିନଥିଲା ଓ ଦଳର ଖେଳାଳି ତଥା ପରିଚାଳକ ଅଦଳବଦଳ ହୋଇଥିଲେ ।[୩୨] ସେ ସମୟରେ “ଅତି ନାଟକୀୟ ଭାବେ ଶେଷ ମୁହୂର୍ତ୍ତରେ ବିଜୟ ଲାଭ କରିବା”କୁ ଈର୍ଷ୍ୟା ବା କଟାକ୍ଷ ଅର୍ଥରେ ଦର୍ଶାଇବା ପାଇଁ ବାଏର୍ଣ୍ଣଡୁସେଲ (ଅର୍ଥାତ୍ ବାଏର୍ଣ୍ଣ ସୌଭାଗ୍ୟ) ବୋଲି ଏକ ଜର୍ମାନ ଶବ୍ଦର ପ୍ରଚଳନ ମଧ୍ୟ କରାଯାଇଥିଲା ।

ଏଫ୍‍ସି ବ୍ରାଇଟନିଗ୍ଗେରୁ ଏଫ୍‍ସି ହଲିଉଡ୍ କାଳ (୧୯୭୯-୧୯୯୮)[ସମ୍ପାଦନା]

୧୯୮୦ ଦଶନ୍ଧିରେ ବାଏର୍ଣ ଦଳରେ ଅନେକ କନ୍ଦଳ ଓ ଆର୍ଥିକ ଅସୁବିଧା ଦେଖାଦେଲା । କିନ୍ତୁ ପଲ୍ ବ୍ରାଇଟ୍‍ନର୍ ଏବଂ କାର୍ଲ-ହାଇଞ୍ଜ୍ ରୁମେନିଗ୍ଗେଙ୍କ ସୁନ୍ଦର ପ୍ରଦର୍ଶନ ଯୋଗୁଁ ଦଳ ୧୯୭୯-୮୦ ଏବଂ ୧୯୮୦-୮୧ କ୍ରୀଡ଼ାବର୍ଷର ବୁଣ୍ଡେସଲିଗାରେ ବିଜୟୀ ହେଲା । ପୁରା ଦଳରେ ଏହି ଖେଳାଳି ଦ୍ୱୟଙ୍କ ପ୍ରଦର୍ଶନ ଆଖିଦୃଶିଆ ହୋଇଥିବାରୁ ସେ ସମୟର ବାଏର୍ଣ୍ଣ କ୍ଲବକୁ ‘‘ଏଫ୍‍ସି ବ୍ରାଇଟନିଗ୍ଗେ’’ ବୋଲି କୁହାଯାଉଥିଲା । ୧୯୮୧-୮୨ ଡିଏଫ୍‍ବି ପୋକାଲରେ ମଧ୍ୟ ବାଏର୍ଣ୍ଣ ବିଜୟ ଲାଭ କରିଥିଲା । ବ୍ରାଇଟନର୍ ଖେଳରୁ ଅବସର ନେଇଥିଲେ । ପୂର୍ବତନ ପ୍ରଶିକ୍ଷକ ଉଡୋ ଲାଟ୍ଟେକଙ୍କ ପ୍ରତ୍ୟାବର୍ତ୍ତନ ପରେ ବାଏର୍ଣ୍ଣ ୧୯୮୩-୮୪ ଡିଏଫ୍‍ବି ପୋକାଲ, ପରବର୍ତ୍ତୀ ୬ରୁ ୫ ବର୍ଷର ବୁଣ୍ଡେସଲିଗା ଜିତିଥିଲା । ୧୯୮୫-୮୬ କ୍ରୀଡ଼ାବର୍ଷରେ ବାଏର୍ଣ୍ଣ ଉଭୟ ପୋକାଲ ଓ ବୁଣ୍ଡେସଲିଗା ଜିତିଥିଲା । କିନ୍ତୁ ପ୍ରାୟ ଏକ ଦଶନ୍ଧି ଧରି ୟୁରୋପୀୟ କପରେ ବିଜୟ ବାଏର୍ଣ୍ଣ ହାତକୁ ଆସିଲା ନାହିଁ । ୧୯୮୧-୮୨ ଓ ୧୯୮୬-୮୭ କ୍ରୀଡ଼ାବର୍ଷରେ ବାଏର୍ଣ୍ଣ ୟୁରୋପୀୟ କପର ଫାଇନାଲରେ ପରାସ୍ତ ହୋଇଥିଲା ।[୩୩]

୧୯୮୭ରେ ୟୁପ୍ ହେନକେସ୍ ବାଏର୍ଣ୍ଣ ଦଳର ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇଲେ । ୧୯୮୮-୮୯ ଓ ୧୯୮୯-୯୦ କ୍ରୀଡ଼ାବର୍ଷରେ ବୁଣ୍ଡେସଲିଗା ବିଜୟୀ ହେବାପରେ ବାଏର୍ଣ୍ଣର ପ୍ରଦର୍ଶନ ଆଶାନୁରୂପ ରହିପାରିଲା ନାହିଁ । ୧୯୯୦-୯୧ ବୁଣ୍ଡେସଲିଗାରେ କ୍ଲବ୍ ଦ୍ୱିତୀୟ ସ୍ଥାନରେ ରହିଲା କିନ୍ତୁ ୧୯୯୧-୯୨ ବୁଣ୍ଡେସଲିଗାରୁ ଅଯୋଗ୍ୟ ଘୋଷିତ ହେବାରୁ ଅଳ୍ପକେ ବର୍ତ୍ତି ଯାଇଥିଲା । ୧୯୯୩-୯୪ କ୍ରୀଡ଼ାବର୍ଷର ୟୁଇଫା କପରେ ବାଏର୍ଣ୍ଣ ଇଂରାଜୀ ପ୍ରିମିୟର୍ ଲିଗ ଦଳ ନରୱିଚ୍ ସିଟି ଏଫ୍‍ସିଠାରୁ ଓଲିମ୍ଫାଷ୍ଟାଡିୟୋନରେ ପରାସ୍ତ ହୋଇଥିଲା। ନରୱିଚ୍ ସିଟି ଏଫ୍‍ସି ଏକମାତ୍ର ଇଂରାଜୀ କ୍ଲବ୍ ଯିଏ ବାଏର୍ଣ୍ଣକୁ ଓଲିମ୍ପାଷ୍ଟାଡିୟୋନରେ ହରାଇଛି । ୧୯୯୩-୯୪ କ୍ରୀଡ଼ାବର୍ଷ ମଝିରେ ଫ୍ରାଞ୍ଜ୍ ବେକେନ୍‍ବାଉଅର ପୁଣି ବାଏର୍ଣ୍ଣର ପରିଚାଳକ ଦାୟିତ୍ୱ ନେବା ପରେ ଦଳର ପ୍ରଦର୍ଶନରେ କିଛି ଉନ୍ନତି ଆସିଥିଲା । ଚାରି ବର୍ଷ ବ୍ୟବଧାନ ପରେ ବାଏର୍ଣ୍ଣ ପୁଣି ୧୯୯୩-୯୪ କ୍ରୀଡ଼ାବର୍ଷର ବୁଣ୍ଡେସଲିଗା ଜିତିଲା । ବେକେନ୍‍ବାଉଅରଙ୍କୁ ବାଏର୍ଣ୍ଣ କ୍ଲବର ଅଧ୍ୟକ୍ଷ କରାଗଲା ।[୩୪]

ପରବର୍ତ୍ତୀ ଦୁଇ ପ୍ରଶିକ୍ଷକ ଜିଓଭାନି ଟ୍ରାପାଟୋନି ଓ ଓଟ୍ଟୋ ରେହାଗେଲଙ୍କ କାଳରେ ବାଏର୍ଣ୍ଣ ଦଳ କୌଣସି ଟ୍ରଫି ଜିତିବାରେ ସଫଳ ହୋଇନଥିଲା ।[୩୫] ବାଏର୍ଣ୍ଣର ଖେଳାଳିମାନଙ୍କ ବିଷୟରେ ତତ୍କାଳୀନ ଖବରକାଗଜର ଖେଳ ପୃଷ୍ଠାରେ କମ୍ ଓ ଗପ-ଚର୍ଚ୍ଚା-ମନୋରଞ୍ଜନ ପୃଷ୍ଠାରେ ଅଧିକ ବିଷୟ ଛପୁଥିଲା । ତେଣୁ ସେ ସମୟରେ ବାଏର୍ଣ୍ଣ କ୍ଲବ୍ ନିଜର ଅନ୍ୟ ଡାକ ନାମ ‘‘ଏଫ୍‍ସି ହଲିଉଡ୍’’ ପାଇଥିଲା ।[୩୬] ଫ୍ରାଞ୍ଜ୍ ବେକେନ୍‍ବାଉଅର ପୁଣି ସାମୟିକ ପ୍ରଶିକ୍ଷଣ ଦାୟିତ୍ୱ ନେବା ପରେ ଦଳ ୧୯୯୬ ୟୁଇଫା କପ ଫାଇନାଲରେ ବୋର୍ଡ୍ୟୁ ଏଫ୍‍ସିକୁ ହରାଇ ବିଜୟ ଲାଭ କଲା । ୧୯୯୬-୯୭ କ୍ରୀଡ଼ାବର୍ଷରେ ଟ୍ରାପାଟୋନି ପ୍ରତ୍ୟାବର୍ତ୍ତନ କରି ବାଏର୍ଣ୍ଣକୁ ବୁଣ୍ଡେସଲିଗା ଜିତାଇଲେ । କିନ୍ତୁ ଏକ ନୂତନ ଦଳ ଏଫ୍‍ସି କାଇଜରଲାଉଟର୍ଣ୍ଣଠାରୁ ୧୯୯୭-୯୮ ବୁଣ୍ଡେସଲିଗାରେ ହାରିବା ପରେ ଟ୍ରାପାଟୋନି କ୍ଲବରୁ ବିଦାୟ ନେଲେ ।[୩୭]

ଆଧୁନିକ ଯୁଗ (୧୯୯୮-ବର୍ତ୍ତମାନ)[ସମ୍ପାଦନା]

୨୦୦୫ରେ ଉଦଘାଟିତ ଆଲିଆଞ୍ଜ ଏରିନା ବିଶ୍ୱର ଆଧୁନିକ ବ୍ୟବସ୍ଥାବିଶିଷ୍ଟ ଫୁଟବଲ ଷ୍ଟାଡିୟମମାନଙ୍କ ମଧ୍ୟରେ ଅନ୍ୟତମ

୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ବୋରୁସିଆ ଡୋର୍ଟମୁଣ୍ଡର ପୂର୍ବତନ ସଫଳ ପ୍ରଶିକ୍ଷକ ଓଟମାର ହିଜଫେଲ୍ଡଙ୍କୁ ବାଏର୍ଣ୍ଣ ମ୍ୟୁନିକ କ୍ଲବର ଦାୟିତ୍ୱ ଦିଆଯାଇଥିଲା । ସେ ଯୋଗ ଦେବା ପରେ ପ୍ରଥମ କ୍ରୀଡ଼ାବର୍ଷ ୧୯୯୮-୯୯ରେ ବାଏର୍ଣ୍ଣ ବୁଣ୍ଡେସଲିଗା ଜିତିଥିଲା । ସେହି ବର୍ଷର ଚାମ୍ପିୟନ୍ସ ଲିଗ ଫାଇନାଲରେ ମ୍ୟାଞ୍ଚେଷ୍ଟର ୟୁନାଇଟେଡ଼୍ ଏଫ୍‍ସିଠାରୁ ୨-୧ ଗୋଲରେ ବାଏର୍ଣ୍ଣ ପରାଜିତ ହୋଇଥିଲା । ଆଗାମୀ ବର୍ଷ ବାଏର୍ଣ୍ଣ କ୍ଲବ ନିଜର ପ୍ରତିଷ୍ଠା ଦିବସର ଶତବାର୍ଷିକୀ ପାଳନ କଲା । ୧୯୯୯-୨୦୦୦ରେ ବାଏର୍ଣ୍ଣ ତୃତୀୟ ଥର ପାଇଁ ଏକା କ୍ରୀଡ଼ାବର୍ଷରେ ଉଭୟ ବୁଣ୍ଡୋସଲିଗା ଓ ଡିଏଫ୍‍ବି ପୋକାଲ ଜିତି ଦ୍ୱିବିଜୟୀ ହୋଇଥିଲା । ୨୦୦୦-୦୧ କ୍ରୀଡ଼ାବର୍ଷରେ ବାଏର୍ଣ୍ଣ କ୍ରମାଗତ ତୃତୀୟ ବର୍ଷ ପାଇଁ ବୁଣ୍ଡେସଲିଗାରେ ବିଜୟ ହାସଲ କଲା ।[୩୮][୩୯] ଏହାର କିଛି ଦିନ ପରେ ବାଏର୍ଣ୍ଣ ଦଳ ପେନାଲ୍‍ଟି ଶୁଟ୍ଆଉଟରେ ଭାଲେନ୍ସିଆ ସିଏଫ୍ ଦଳକୁ ହରାଇ ୨୫ ବର୍ଷର ଅପେକ୍ଷାର ଅନ୍ତ ଘଟାଇଲା ଏବଂ ୟୁଇଫା ଚାମ୍ପିୟନ୍ସ ଲିଗରେ ବିଜେତା ହୋଇଥିଲା । ୨୦୦୪ ବେଳକୁ ବାଏର୍ଣ୍ଣର ପ୍ରଦର୍ଶନ ନିମ୍ନଗାମୀ ହେବାରୁ ହିଜଫେଲ୍ଡ ଦଳରୁ ବିଦାୟ ନେଇଥିଲେ । ଏହା ପରେ ଫେଲିକ୍ସ ମାଗାଥ ବାଏର୍ଣ୍ଣ ଦଳର ପରିଚାଳନା କରିଥିଲେ । ୨୦୦୫-୦୬ କ୍ରୀଡ଼ାବର୍ଷର ଆରମ୍ଭ ପୂର୍ବରୁ ବାଏର୍ଣ୍ଣ ଦଳ ଓଲିମ୍ପାଷ୍ଟାଡିୟୋନରୁ ଆଲିଆଞ୍ଜ୍ ଏରିନାକୁ ନିଜର ଘର ଷ୍ଟାଡିୟମ୍ ସ୍ଥାନାନ୍ତରିତ କରିଥିଲା । ୧୮୬୦ ମ୍ୟୁନିକ କ୍ଲବ୍ ମଧ୍ୟ ସେଠାରେ ନିଜର ଘର ମ୍ୟାଚ ଖେଳୁଥିଲା । ନିମ୍ନ ମାନର ପ୍ରଦର୍ଶନ ଯୋଗୁଁ ମାଗାଥ ବାଏର୍ଣ୍ଣ ପରିଚାଳକର ପଦ ଛାଡ଼ିଥିଲେ ।[୪୦]

ହିଜଫେଲ୍ଡ ପୁଣି ବାଏର୍ଣ୍ଣକୁ ପ୍ରତ୍ୟାବର୍ତ୍ତନ କଲେ କିନ୍ତୁ ୨୦୦୬-୦୭ ବୁଣ୍ଡେସଲିଗାରେ ଚତୁର୍ଥ ସ୍ଥାନ ଯୋଗୁଁ ୟୁଇଫା ଚାମ୍ପିୟନ୍ସ ଲିଗ ଖେଳିବାକୁ ବାଏର୍ଣ୍ଣ ଯୋଗ୍ୟତା ହାସଲ କରିପାରିଲା ନାହିଁ ।

୨୦୦୭-୦୮ କ୍ରୀଡ଼ାବର୍ଷରେ ବାଏର୍ଣ୍ଣ ନିଜ ଦଳରେ ଅନେକ ପରିବର୍ତ୍ତନ କଲା । ନିଜର ୯ ଜଣ ଖେଳାଳିଙ୍କୁ ବିକ୍ରି କରି ବା ଋଣ ଆକାରରେ ଅନ୍ୟ ଦଳଙ୍କୁ ଦେଇ ବାଏର୍ଣ୍ଣ ୮ ଜଣ ନୂଆ ଖେଳାଳି କିଣିଲା ।[୪୧] ୨୦୦୬ ଫିଫା ବିଶ୍ୱକପରେ ଉନ୍ନତ ପ୍ରଦର୍ଶନ କରିଥିବା ଫ୍ରାଂକ ରିବେରି, ମିରେସ୍ଲାଭ୍ କ୍ଲୋଜା ଓ ଲୁକା ଟୋନି ବାଏର୍ଣ୍ଣ ଦଳରେ ଯୋଗ ଦେଲେ । ବାଏର୍ଣ୍ଣ ସେ ବର୍ଷର ବୁଣ୍ଡେସଲିଗା ଓ ଡିଏଫ୍‍ବି ପୋକାଲରେ ବିଜୟୀ ହେଲା ।[୪୨] ସେହି କ୍ରୀଡ଼ା ବର୍ଷ ଶେଷରେ ବାଏର୍ଣ୍ଣ ଦଳର ଗୋଲକିପର୍ ଅଲିଭର୍ କାନ୍ ଅବସର ନେଇଥିଲେ । ହିଜଫେଲ୍ଡଙ୍କ ପରେ ୟୁର୍ଗେନ୍ କ୍ଲିନ୍ସମାନ୍ ବାଏର୍ଣ୍ଣର ନୂତନ ପ୍ରଶିକ୍ଷକ ହେଲେ ।[୪୩] କିନ୍ତୁ ଅନେକ ମ୍ୟାଚରେ ଖରାପ ପ୍ରଦର୍ଶନ ପାଇଁ କ୍ଲିନ୍ସମାନଙ୍କୁ ପଦରୁ ବହିଷ୍କାର କରାଗଲା ।[୪୪]

୨୦୧୧ ସେପ୍ଟେମ୍ବର ମାସରେ ବାଏର୍ଣ୍ଣ ମ୍ୟୁନିକ ବନାମ ବାୟର୍ ଲେଭର୍କୁସେନ ବୁଣ୍ଡେସଲିଗା ମ୍ୟାଚର ଚିତ୍ର
୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ବାଏର୍ଣ୍ଣର ଆକ୍ରମଣ ଶୈଳୀର ପୁରୋଧା ରୋବେନ୍ ଓ ରିବେରି ଯୋଡ଼ି । ଏମାନଙ୍କୁ ମିଳିତ ଭାବେ ରୋବେରି ବା ରୋବରି ବୋଲି ମଧ୍ୟ କୁହାଯାଉଥିଲା ।

୨୦୦୯-୧୦ କ୍ରୀଡ଼ାବର୍ଷ ପାଇଁ ବାଏର୍ଣ୍ଣ କ୍ଲବ୍ ଓଲନ୍ଦାଜ ପରିଚାଳକ ଲୁଇ ଭାନ୍ ଗାଲ୍ ଓ ଓଲନ୍ଦାଜ ଫରୱାର୍ଡ୍ ଆର୍ୟେନ୍ ରୋବେନଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିଥିଲା । ଆଗାମୀ ଦଶ ବର୍ଷ ପାଇଁ ରୋବେନ୍ ଓ ରିବେରିଙ୍କ ଉପସ୍ଥିତିରେ ବାଏର୍ଣ୍ଣ ଦଳର ଆକ୍ରମଣ ଶୈଳୀରେ ପରିବର୍ତ୍ତନ ଘଟିଥିଲା । ଏହା ସହିତ ଡେଭିଡ୍ ଆଲାବା ଓ ଥୋମାସ ମ୍ୟୁଲର୍‍ଙ୍କୁ ବାଏର୍ଣ୍ଣ ଦଳକୁ ଉନ୍ନୀତ ହୋଇ ଆସିଥିଲେ । ୨୦୦୧ ପରଠାରୁ ସମସ୍ତ କ୍ରୀଡ଼ାବର୍ଷରେ ଭଲ ପ୍ରଦର୍ଶନ କରିନଥିବା ବାଏର୍ଣ୍ଣ ଏହା ପରେ ଘରୋଇ ପ୍ରତିଯୋଗିତାରେ ଦ୍ୱିବିଜୟ ହାସଲ କଲା ।[୪୫] କେବଳ ୨୦୧୦ ୟୁଇଫା ଚାମ୍ପିୟନ୍ସ ଟ୍ରଫିରେ ଦଳ ଇଣ୍ଟର ମିଲାନଠାରୁ ୦-୨ ଗୋଲରେ ପରାସ୍ତ ହୋଇଥିଲା ।[୪୬] ଏକ ସଫଳ ୨୦୦୯-୧୦ କ୍ରୀଡ଼ାବର୍ଷ ସତ୍ତ୍ୱେ ଲିଗରେ ଭଲ ନ କରିବାରୁ ୨୦୧୧ ଅପ୍ରେଲ ମାସରେ ଭାନ୍ ଗାଲ୍ ପରିଚାଳକ ପଦରୁ ବହିଷ୍କୃତ ହେଲେ । ୨୦୧୧-୧୨ରେ ବାଏର୍ଣ୍ଣ ମାନୁଏଲ୍ ନୟରଙ୍କୁ ନିଜର ଗୋଲକିପର୍ ଭାବେ କିଣି ଅଲିଭର୍ କାଃନ୍‍ଙ୍କ ଶୂନ୍ୟ ସ୍ଥାନ ପୂରଣ କଲା ଓ ଜର୍ମାନୀର ଆଉ ଜଣେ ଫୁଟବଲ ଖେଳାଳି ୟେରୋମ୍ ବୋଆଟେଂଗଙ୍କୁ ମଧ୍ୟ ଦଳରେ ସାମିଲ କଲା । ଆଲିଆଞ୍ଜ୍ ଏରିନାରେ ଖେଳାଯାଇଥିବା ୨୦୧୧ ଚାମ୍ପିୟନ୍ସ ଲିଗ ଫାଇନାଲରେ ବାଏର୍ଣ୍ଣ ଚେଲସି ଏଫ୍‍ସିଠାରୁ ପେନାଲ୍‌ଟି ପର୍ଯ୍ୟାୟରେ ପରାଜିତ ହୋଇଥିଲା ।

୨୦୧୨-୧୩ କ୍ରୀଡ଼ାବର୍ଷ ପାଇଁ ବାଏର୍ଣ୍ଣ ଜାଭି ମାର୍ଟିନେଜଙ୍କୁ ନିଜ ଦଳରେ ନେଇଥିଲା । ସେହି ବର୍ଷ ବାଏର୍ଣ୍ଣ ସମସ୍ତ ଟ୍ରଫି ଜିତି ବୁଣ୍ଡେସଲିଗାରେ ରେକର୍ଡ ସଫଳତା କରିଥିଲା ।[୪୭] ତ୍ରିବିଜୟୀ ହେବାରେ ବାଏର୍ଣ୍ଣ ପ୍ରଥମ ଜର୍ମାନ କ୍ଲବ୍ ହୋଇଥିଲା । ୨୦୧୩ ମସିହାରେ ବୋରୁସିଆ ଡୋର୍ଟମୁଣ୍ଡକୁ ୨-୧ ଗୋଲରେ ହରାଇ ବାଏର୍ଣ୍ଣ ପୁଣି ୟୁଇଫା ଚାମ୍ପିୟନ୍ସ ଲିଗରେ ବିଜୟ ଲାଭ କଲା ।[୪୮] ଏହା ପରେ ବାର୍ସେଲୋନା ପିରଶିକ୍ଷକ ରହିଥିବା ପେପ୍ ଗାର୍ଡିଓଲା ବାଏର୍ଣ୍ଣ ମ୍ୟୁନିକର ପରିଚାଳନା ଦାୟିତ୍ୱ ନେଲେ । ବାଏର୍ଣ୍ଣ ୨୦୧୩ କ୍ଲବ୍ ବିଶ୍ୱକପ ଓ ୟୁଇଫା ସୁପରକପ ମଧ୍ୟ ଜିତିଥିଲା ।[୪୯][୫୦] ୨୦୧୩-୧୪ର ଚାମ୍ପିୟନ୍ସ ଲିଗ ସେମି-ଫାଇନାଲରେ ବାଏର୍ଣ୍ଣ ଦଳ ରିଆଲ ମାଦ୍ରିଦଠାରୁ ପରାସ୍ତ ହୋଇଥିଲା । ୨୦୧୪ ମସିହାରେ ବାଏର୍ଣ୍ଣର ଅଧ୍ୟକ୍ଷ ଉଲି ହୋନେସଙ୍କୁ କରଖିଲାପି ଦୋଷରେ ୩.୫ ବର୍ଷର କାରାଦଣ୍ଡାଦେଶ ହେବାପରେ ସେ କ୍ଲବ୍ ଅଧ୍ୟକ୍ଷତାରୁ ଇସ୍ତଫା ଦେଇଥିଲେ । ୨୦୧୪-୧୫, ୨୦୧୫-୧୬ କ୍ରୀଡ଼ାବର୍ଷ ବେଳକୁ ବାଏର୍ଣ୍ଣ ଦଳକୁ ରବର୍ଟ୍ ଲେୱାଣ୍ଡୋସ୍କି, ଜାବି ଆଲୋନ୍ସୋ ଆସିଥିଲେ ଏବଂ ଟୋନି କ୍ରୂସ୍, ବାଷ୍ଟିଆନ ଶ୍ୱାଇନ୍‍ଷ୍ଟାଇଗର, କ୍ଲୌଡ଼ିଓ ପିଜାରୋ ଦଳ ଛାଡ଼ିଥିଲେ । ଏହାର କିଛି ସମୟ ପରେ ଗାର୍ଡିଓଲା ବାଏର୍ଣ୍ଣରୁ ବାହାରି ଯାଇଥିଲେ ଏବଂ କାର୍ଲୋ ଆନ୍ସେଲୋଟି ଦଳର ପରିଚାଳକ ହେଲେ ।[୫୧] ଆନ୍ସେଲୋଟିଙ୍କ ପରିଚାଳିତ ବାଏର୍ଣ୍ଣ ଦଳ ମାଟ୍ସ ହମ୍ମେଲ୍ସଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିଥିଲା ଓ ୨୦୧୬-୧୭ ବୁଣ୍ଡେସଲିଗା ଟ୍ରଫି ଜିତିଥିଲା ।[୫୨] ପରେ ଦଳକୁ ହାମେସ୍ ରୋଡ୍ରିଗେଜ୍ ଆସିଲେ କିନ୍ତୁ ଫିଲିପ୍ ଲାମ୍ ଓ ଜାବି ଆଲୋନ୍ସୋ ଅବସର ନେଲେ । ଅନେକ ଖେଳାଳି ଏହି ସମୟରେ ବାଏର୍ଣ୍ଣ ଦଳରୁ ବାହାରି ଯାଇଥିଲେ । ୨୦୧୭-୧୮ ଚାମ୍ପିୟନ୍ସ ଲିଗରେ ପ୍ୟାରିସ୍ ସେଣ୍ଟ୍ ଜର୍ମେନ୍‍ଠାରୁ ୦-୩ ଗୋଲରେ ପରାଜିତ ହେବା ପରେ ଆନ୍ସେଲୋଟିଙ୍କୁ ବାଏର୍ଣ୍ଣ ପରିଚାଳନା ଦାୟିତ୍ୱରୁ ନିବୃତ୍ତି ଦିଆଗଲା ।[୫୩] ଆଇନ୍‍ଟ୍ରାଖ୍‍ଟ୍ ଫ୍ରାଙ୍କଫର୍ଟର ପୂର୍ବ ପ୍ରଶିକ୍ଷକ କୋଭାଚ୍ ବାଏର୍ଣ୍ଣ ଦଳର ପରିଚାଳନା ଦାୟିତ୍ୱ ଗ୍ରହଣ କଲେ । ଆଶାନୁରୂପ ପ୍ରଦର୍ଶନ ନହେବା ସତ୍ତ୍ୱେ କ୍ଲବ୍ କୋଭାଚଙ୍କୁ ସମର୍ଥନ କଲା । ୨୦୧୮-୧୯ ୟୁଇଫା ଚାମ୍ପିୟନ୍ସ ଲିଗରେ ଲିଭରପୁଲ୍ ବାଏର୍ଣ୍ଣକୁ ପଛରେ ପକାଇଥିଲା । ବାଏର୍ଣ୍ଣର ତାରକା ଖେଳାଳି ରୋବେନ ଓ ରିବେରି ଏହା ପରେ କ୍ଲବ ଛାଡ଼ିଥିଲେ ।[୫୪][୫୫] ୨୦୧୯ ଜୁଲାଇ ୧ ତାରିଖରେ ହାନ୍ସ-ଡିଟର୍ ଫ୍ଲିକ୍ ବାଏର୍ଣ୍ଣର ଅତିରିକ୍ତ ପ୍ରଶିକ୍ଷକ ହେଲେ ।[୫୬] ୨୦୧୯ ନଭେମ୍ବର ମାସରେ କୋଭାଚ୍ ବାଏର୍ଣ୍ଣ ଛାଡ଼ିବା ପରେ ଫ୍ଲିକ୍ ମୁଖ୍ୟ ପରିଚାଳକ ହେଲେ ।[୫୭][୫୮][୫୯] ଫ୍ଲିକ୍‍ଙ୍କ ତତ୍ତ୍ୱାବଧାନରେ ବାଏର୍ଣ୍ଣର ପ୍ରଦର୍ଶନରେ ଉନ୍ନତି ଆସିବାରୁ ତାଙ୍କୁ ୨୦୨୩ ପର୍ଯ୍ୟନ୍ତ ପରିଚାଳକ ଭାବେ ରଖିବାର ଚୁକ୍ତି କରାଗଲା ।[୬୦] ବାଏର୍ଣ୍ଣ ଦଳ ୨୦୧୯-୨୦ ବୁଣ୍ଡେସଲିଗା ଓ ଡିଏଫ୍‍ବି ପୋକାଲରେ ବିଜୟୀ ହୋଇଥିଲା । ଚାମ୍ପିୟନ୍ସ ଲିଗର କ୍ୱାର୍ଟର୍-ଫାଇନାଲରେ ବାଏର୍ଣ୍ଣ ଦଳ ଏଫ୍‍ସି ବାର୍ସେଲୋନାକୁ ୮-୨ ଗୋଲରେ ପରାସ୍ତ କରିଥିଲା ।[୬୧] ସେମି-ଫାଇନାଲରେ ଲ୍ୟୋନ୍ ଦଳକୁ ୩-୦ ଗୋଲରେ ପରାସ୍ତ କରିଥିଲା । ସେତେବେଳକୁ କୋଭିଡ଼୍-୧୯ ମହାମାରୀ ଯୋଗୁଁ ବନ୍ଦ ଷ୍ଟାଡିୟମରେ ହୋଇଥିବା ଫାଇନାଲରେ ବାଏର୍ଣ୍ଣ ଦଳ ପ୍ୟାରିସ୍ ସେଣ୍ଟ୍-ଜର୍ମେନକୁ ୧-୦ ଗୋଲରେ ହରାଇ ବିଜେତା ହୋଇଥିଲା ।[୬୨]

କିଟ୍ ଓ ପୋଷାକ[ସମ୍ପାଦନା]

ପ୍ରାୟୋଜକ, ପୋଷାକ-ଯୋତା ଯୋଗାଣକାରୀ[ସମ୍ପାଦନା]

ସମୟ କିଟ୍ ନିର୍ମାତା ପୋଷାକରେ ପ୍ରାୟୋଜକ (ଛାତି) ପୋଷାକରେ ପ୍ରାୟୋଜକ (ବାହୁ)
୧୯୬୪-୧୯୭୧ ପାଲମେ ଟ୍ରିକୋଟ୍‍ଫାବ୍ରିକ୍[୬୩] କେହି ନାହିଁ କେହି ନାହିଁ
୧୯୭୧-୧୯୭୪ ଏରିମା
୧୯୭୪-୧୯୭୮ ଆଡିଡାସ୍ ଆଡିଡାସ୍
୧୯୭୮-୧୯୮୧ ମାଗିରୁସ୍ ଡଏଟ୍‍ଜ୍
୧୯୮୧-୧୯୮୪ ଇଭେକୋ ମାଗିରୁସ୍
୧୯୮୪-୧୯୮୯ କୋମ୍ମୋଡୋର୍ ଇଣ୍ଟର୍‍ନ୍ୟାସନାଲ୍
୧୯୮୯-୨୦୦୨ ଓପେଲ୍
୨୦୦୨-୨୦୧୭ ଡଏଚ୍ ଟେଲିକୋମ୍
୨୦୧୭-୨୦୧୮ ହାମାଦ୍ ଏୟାର୍ପୋର୍ଟ୍
୨୦୧୮- ୨୦୨୧ କାତାର୍ ଏୟାରୱେଜ୍

କିଟ୍ ସମ୍ବନ୍ଧୀୟ ତଥ୍ୟ[ସମ୍ପାଦନା]

କିଟ୍ ଯୋଗାଣକାରୀ ସମୟକାଳ ଚୁକ୍ତି
ଘୋଷଣା
ଚୁକ୍ତି
ସମୟସୀମା
ମୂଲ୍ୟ ଅନ୍ୟ ତଥ୍ୟ
ଆଡିଡାସ୍ ୧୯୭୪-ବର୍ତ୍ତମାନ ୨୮-ଅପ୍ରେଲ-୨୦୧୫ ୨୦୧୫-୨୦୩୦(୧୫ ବର୍ଷ ପାଇଁ)[୬୪] ୯୦ କୋଟି ୟୁରୋ[୬୫]
(ବାର୍ଷିକ ୬ କୋଟି ୟୁରୋ)

ଦଳୀୟ ଚିହ୍ନ[ସମ୍ପାଦନା]

ବାଏର୍ଣ୍ଣ ମ୍ୟୁନିକ୍ ଲୋଗୋର କ୍ରମ-ବିବର୍ତ୍ତନ
୧୯୦୧
୧୯୦୧ 
୧୯୦୨-୦୬
୧୯୦୨-୦୬ 
୧୯୦୬-୧୯
୧୯୦୬-୧୯ 
୧୯୧୯-୨୪
୧୯୧୯-୨୪ 
୧୯୨୫-୫୪
୧୯୨୫-୫୪ 
୧୯୫୪-୯୬
୧୯୫୪-୯୬ 
୧୯୯୬-୨୦୦୨
୧୯୯୬-୨୦୦୨ 
୨୦୦୨-୧୭
୨୦୦୨-୧୭ 
୨୦୧୭-
୨୦୧୭- 


ସମ୍ମାନ ଓ ସଫଳତା[ସମ୍ପାଦନା]

ଜାତୀୟ[ସମ୍ପାଦନା]

ବୁଣ୍ଡେସଲିଗା

  • ୩୦ ଥର ବିଜେତା (ଜାତୀୟ ରେକର୍ଡ) : ୧୯୩୨, ୧୯୬୮-୬୯, ୧୯୭୧-୭୨, ୧୯୭୨-୭୩, ୧୯୭୩-୭୪, ୧୯୭୯-୮୦, ୧୯୮୦-୮୧, ୧୯୮୪-୮୫, ୧୯୮୫-୮୬, ୧୯୮୬-୮୭, ୧୯୮୮-୮୯, ୧୯୮୯-୯୦, ୧୯୯୩-୯୪, ୧୯୯୬-୯୭, ୧୯୯୮-୯୯, ୧୯୯୯-୨୦୦୦, ୨୦୦୦-୦୧, ୨୦୦୨-୦୩, ୨୦୦୪-୦୫, ୨୦୦୫-୦୬, ୨୦୦୭-୦୮, ୨୦୦୯-୧୦, ୨୦୧୨-୧୩, ୨୦୧୩-୧୪, ୨୦୧୪-୧୫, ୨୦୧୫-୧୬, ୨୦୧୬-୧୭, ୨୦୧୭-୧୮, ୨୦୧୮-୧୯, ୨୦୧୯-୨୦

ଡିଏଫ୍‍ବି ପୋକାଲ୍

  • ୨୦ ଥର ବିଜେତା (ଜାତୀୟ ରେକର୍ଡ) : ୧୯୫୬-୫୭, ୧୯୬୫-୬୬, ୧୯୬୬-୬୭, ୧୯୬୮-୬୯, ୧୯୭୦-୭୧, ୧୯୮୧-୮୨, ୧୯୮୩-୮୪, ୧୯୮୫-୮୬, ୧୯୯୭-୯୮, ୧୯୯୯-୨୦୦୦, ୨୦୦୨-୦୩, ୨୦୦୪-୦୫, ୨୦୦୫-୦୬, ୨୦୦୭-୦୮, ୨୦୦୯-୧୦, ୨୦୧୨-୧୩, ୨୦୧୩-୧୪, ୨୦୧୫-୧୬, ୨୦୧୮-୧୯, ୨୦୧୯-୨୦

ଡିଏଫ୍‍ବି/ଡିଏଫ୍‍ଏଲ୍ ସୁପରକପ

  • ୮ ଥର ବିଜେତା (ଜାତୀୟ ରେକର୍ଡ): ୧୯୮୭, ୧୯୯୦, ୨୦୧୦, ୨୦୧୨, ୨୦୧୬, ୨୦୧୭, ୨୦୧୮, ୨୦୨୦

ଡିଏଫ୍‍ଏଲ୍ ଲିଗାପୋକାଲ

  • ୬ ଥର ବିଜେତା (ଜାତୀୟ ରେକର୍ଡ) : ୧୯୯୭, ୧୯୯୮, ୧୯୯୯, ୨୦୦୦, ୨୦୦୪, ୨୦୦୭

ୟୁରୋପୀୟ[ସମ୍ପାଦନା]

ୟୁଇଫା ଚାମ୍ପିୟନ୍ସ ଲିଗ

  • ୬ ଥର ବିଜେତା : ୧୯୭୩-୭୪, ୧୯୭୪-୭୫, ୧୯୭୫-୭୬, ୨୦୦୦-୦୧, ୨୦୧୨-୧୩, ୨୦୧୯-୨୦

ୟୁଇଫା ୟୁରୋପା ଲିଗ (ୟୁଇଫା କପ)

  • ୧ ଥର ବିଜେତା : ୧୯୯୫-୯୬

ୟୁଇଫା କପ ୱିନର୍ସ କପ

  • ୧ ଥର ବିଜେତା : ୧୯୬୬-୬୭

ୟୁଇଫା ସୁପରକପ

  • ୨ ଥର ବିଜେତା : ୨୦୧୩, ୨୦୨୦

ଅନ୍ତର୍ଜାତୀୟ[ସମ୍ପାଦନା]

ଅନ୍ତଃ-ମହାଦେଶୀୟ କପ (ଇଣ୍ଟରକଣ୍ଟିନେଣ୍ଟାଲ କପ)

  • ୨ ଥର ବିଜେତା : ୧୯୭୬, ୨୦୦୧

ଫିଫା କ୍ଲବ୍ ବିଶ୍ୱକପ

  • ୧ ଥର ବିଜେତା : ୨୦୧୩

ଖେଳ ସାହିତ୍ୟରେ ବାଏର୍ଣ୍ଣ[ସମ୍ପାଦନା]

  • Hüetlin, Thomas: Gute Freunde. Die wahre Geschichte des FC Bayern München. Blessing, München 2006, ISBN 3-89667-254-1.
  • Schulze-Marmeling, Dietrich: Der FC Bayern und seine Juden. Aufstieg und Zerschlagung einer liberalen Fußballkultur. Verlag Die Werkstatt, Göttingen 2011, ISBN 978-3-89533-781-9.[୬୬]
  • Bausenwein, Christoph, Schulze-Marmeling, Dietrich: FC Bayern München. Unser Verein, unsere Geschichte. Verlag Die Werkstatt, Göttingen 2012, ISBN 978-3-89533-894-6.

ଟୀକା[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Never-say-die Reds overcome Ingolstadt at the death". FC Bayern Munich. Archived from the original on 12 February 2017. Retrieved 12 February 2017.
  2. Whitney, Clark (8 April 2010). "CL Comment: Van Gaal's Bayern Give New Meaning to "FC Hollywood"". Goal.com. Archived from the original on 29 June 2014. Retrieved 28 September 2014.
  3. "Ab sofort 75.000 Fans bei Bundesliga-Heimspielen" [As of now 75,000 for Bundesliga home matches]. FC Bayern Munich. 13 January 2015. Archived from the original on 13 January 2015. Retrieved 13 January 2015.
  4. "Bayern Munich's 8 Consecutive Bundesliga Titles - Ranked". 90min.com.
  5. "Bayern München". FIFA. Archived from the original on 21 February 2009. Retrieved 10 May 2012.
  6. ୬.୦ ୬.୧ Schulze-Marmeling, Dietrich (2003). Die Bayern. Die Geschichte des deutschen Rekordmeisters (in ଜର୍ମାନ). Die Werkstatt. pp. 17–33. ISBN 3-89533-426-X.
  7. ୭.୦ ୭.୧ ୭.୨ ୭.୩ "1900 bis 1932: Von Beginn an erfolgreich" [1900 to 1932: Successful from the start] (in ଜର୍ମାନ). FC Bayern Munich Official Website. Archived from the original on 28 ଅକ୍ଟୋବର 2014. Retrieved 28 ସେପ୍ଟେମ୍ବର 2014.
  8. ୮.୦ ୮.୧ Schulze-Marmeling, Dietrich (2003). Die Bayern. Die Geschichte des deutschen Rekordmeisters (in ଜର୍ମାନ). Die Werkstatt. p. 134. ISBN 3-89533-426-X.
  9. UEFA.com (2020-09-04). "Who's won the treble? Bayern double up". UEFA.com (in ଇଂରାଜୀ). Retrieved 2020-10-08.
  10. Schulze-Marmeling, Dietrich (2003). Die Bayern. Die Geschichte des deutschen Rekordmeisters (in ଜର୍ମାନ). Die Werkstatt. p. 581. ISBN 3-89533-426-X.
  11. "Deloitte Football Money League 2019". Deloitte. January 2019. Archived from the original on 20 January 2017. Retrieved 23 January 2019.
  12. ୧୨.୦ ୧୨.୧ "FC Bayern rests on 'very solid foundations'". FC Bayern Munich. 15 November 2019. Retrieved 16 November 2019.
  13. "Other Sports". FC Bayern Munich Official Website. 2007. Archived from the original on 15 August 2008. Retrieved 3 July 2008.
  14. "Club coefficients". UEFA. Retrieved 22 August 2019.
  15. "Bayern fans bring club's earliest years to light". The Local. 22 May 2015. Archived from the original on 25 May 2015. Retrieved 30 May 2015.
  16. Schulze-Marmeling, Dietrich (2003). Die Bayern. Die Geschichte des deutschen Rekordmeisters (in ଜର୍ମାନ). Die Werkstatt. pp. 30–40. ISBN 3-89533-426-X.
  17. ୧୭.୦ ୧୭.୧ Kwolek, Sarah-Luisa (13 July 2016). "Von Beginn an erfolgreich". FC Bayern München (in ଜର୍ମାନ). Retrieved 3 February 2019.
  18. Schulze-Marmeling, Dietrich (2003). Die Bayern. Die Geschichte des deutschen Rekordmeisters (in ଜର୍ମାନ). Die Werkstatt. pp. 51–63. ISBN 3-89533-426-X.
  19. "Onkel Kurt und die Bayern". Die Zeit (in ଜର୍ମାନ). 28 ମଇ 2003. Archived from the original on 17 ଅକ୍ଟୋବର 2014. Retrieved 16 ଅକ୍ଟୋବର 2014.
  20. Schulze-Marmeling, Dietrich (2003). Die Bayern. Die Geschichte des deutschen Rekordmeisters (in ଜର୍ମାନ). Die Werkstatt. pp. 101–2. ISBN 3-89533-426-X.
  21. "Kurt Landauer: Der Mann, der den FC Bayern erfand" (in ଜର୍ମାନ). Bayerischer Rundfunk. Archived from the original on 15 ଅକ୍ଟୋବର 2014. Retrieved 16 ଅକ୍ଟୋବର 2014.
  22. "DFB-Auszeichnung: Bayern-Ultras erhalten Julius-Hirsch-Preis". Der Spiegel (in ଜର୍ମାନ). 14 ଅକ୍ଟୋବର 2014. Archived from the original on 18 ଅକ୍ଟୋବର 2014. Retrieved 16 ଅକ୍ଟୋବର 2014.
  23. Schulze-Marmeling, Dietrich (2003). Die Bayern. Die Geschichte des deutschen Rekordmeisters (in ଜର୍ମାନ). Die Werkstatt. pp. 105–120. ISBN 3-89533-426-X.
  24. ୨୪.୦ ୨୪.୧ "1933 bis 1965: Harte Zeiten und Wiederaufbau" [1933 to 1965: Hard Times and Reconstruction] (in ଜର୍ମାନ). FC Bayern Erlebniswelt. Archived from the original on 12 ମାର୍ଚ୍ଚ 2014. Retrieved 28 ସେପ୍ଟେମ୍ବର 2014.
  25. Schulze-Marmeling, Dietrich (2003). Die Bayern. Die Geschichte des deutschen Rekordmeisters (in ଜର୍ମାନ). Die Werkstatt. pp. 120–126. ISBN 3-89533-426-X.
  26. Hardy Grüne, Christian Karn: Das große Buch der deutschen Fußballvereine. AGON Sportverlag, Kassel 2009, p. 364, 414.
  27. Schulze-Marmeling, Dietrich (2003). Die Bayern. Die Geschichte des deutschen Rekordmeisters (in ଜର୍ମାନ). Die Werkstatt. pp. 155–158. ISBN 3-89533-426-X.
  28. Schulze-Marmeling, Dietrich (2003). Die Bayern. Die Geschichte des deutschen Rekordmeisters (in ଜର୍ମାନ). Die Werkstatt. pp. 165–171. ISBN 3-89533-426-X.
  29. "1966 bis 1979: Goldene Jahre" [1966 to 1979: Golden Years] (in ଜର୍ମାନ). FC Bayern Erlebniswelt. Archived from the original on 28 ଅକ୍ଟୋବର 2014. Retrieved 28 ସେପ୍ଟେମ୍ବର 2014.
  30. "Unlucky Paris match for Leeds". BBC Sport. 19 ମଇ 1999. Archived from the original on 15 ଜୁନ 2013. Retrieved 29 ମାର୍ଚ୍ଚ 2012.
  31. Schulze-Marmeling, Dietrich (2003). Die Bayern. Die Geschichte des deutschen Rekordmeisters (in ଜର୍ମାନ). Die Werkstatt. pp. 190–198. ISBN 3-89533-426-X.
  32. Schulze-Marmeling, Dietrich (2003). Die Bayern. Die Geschichte des deutschen Rekordmeisters (in ଜର୍ମାନ). Die Werkstatt. pp. 214–226. ISBN 3-89533-426-X.
  33. Schulze-Marmeling, Dietrich (2003). Die Bayern. Die Geschichte des deutschen Rekordmeisters (in ଜର୍ମାନ). Die Werkstatt. pp. 226–267. ISBN 3-89533-426-X.
  34. Schulze-Marmeling, Dietrich (2003). Die Bayern. Die Geschichte des deutschen Rekordmeisters (in ଜର୍ମାନ). Die Werkstatt. pp. 273–299. ISBN 3-89533-426-X.
  35. "1990 bis 1999: Trainerwechsel und Titel" [1990 to 1999: Titles and Changes of Managers] (in ଜର୍ମାନ). FC Bayern Erlebniswelt. Archived from the original on 3 ଅପ୍ରେଲ 2015. Retrieved 28 ସେପ୍ଟେମ୍ବର 2014.
  36. "CL Comment: Van Gaal's Bayern Give New Meaning to "FC Hollywood"". Goal.com. 8 April 2010. Archived from the original on 18 January 2014. Retrieved 9 June 2013.
  37. Schulze-Marmeling, Dietrich (2003). Die Bayern. Die Geschichte des deutschen Rekordmeisters (in ଜର୍ମାନ). Die Werkstatt. pp. 307–345. ISBN 3-89533-426-X.
  38. "Bayern wins Bundesliga, eyes Champions League". Sports Illustrated. 19 May 2001. Archived from the original on 11 September 2004. Retrieved 28 November 2013.
  39. "Vier Minuten im Mai". Sport1 (in ଜର୍ମାନ). 12 May 2009. Archived from the original on 9 August 2017. Retrieved 28 November 2013.
  40. "Bayern part company with Felix Magath". FC Bayern Munich Official Website. 31 ଜାନୁଆରୀ 2007. Archived from the original on 21 ଡିସେମ୍ବର 2008. Retrieved 15 ଜୁଲାଇ 2008.
  41. Bayern Magazin: 1/59, pages: 16–21, 11 August 2007 (in German)
  42. "Fussballdaten – Zahlen, Texte, Bilder" (in ଜର୍ମାନ). fussballdaten.de. 17 ମଇ 2008. Archived from the original on 26 ମଇ 2008. Retrieved 15 ଜୁଲାଇ 2008.
  43. "Jürgen Klinsmann to succeed Hitzfeld at Bayern". The official FC Bayern Munich website. 11 ଜାନୁଆରୀ 2008. Archived from the original on 21 ଡିସେମ୍ବର 2008. Retrieved 11 ଜାନୁଆରୀ 2008.
  44. "End of a Brief Era: German Club Bayern Munich Sacks Coach Klinsmann". Der Spiegel. 27 ଅପ୍ରେଲ 2009. Archived from the original on 4 ଅପ୍ରେଲ 2015. Retrieved 1 ଫେବୃଆରୀ 2015.
  45. "Bayern win Cup to clinch Double". BBC. 15 May 2010. Archived from the original on 18 May 2010. Retrieved 15 May 2010.
  46. "Champions League Final 2010 Statistics". WhoScored.com. Archived from the original on 4 March 2011.
  47. "Records fall as Bayern seal stunning title triumph". 6 ଅପ୍ରେଲ 2013. Archived from the original on 28 ସେପ୍ଟେମ୍ବର 2014. Retrieved 28 ସେପ୍ଟେମ୍ବର 2014.
  48. Haslam, Andrew (25 ମଇ 2013). "Robben ends Bayern's run of final misery". UEFA. Archived from the original on 7 ଅକ୍ଟୋବର 2014. Retrieved 28 ସେପ୍ଟେମ୍ବର 2014.
  49. "Super Bayern crowned club world champions". Archived from the original on 12 ଫେବୃଆରୀ 2015.
  50. "Bayern tackle Chelsea in Prague Super Cup". UEFA. 26 ମଇ 2013. Archived from the original on 10 ଜୁନ 2013. Retrieved 13 ଜୁନ 2013.
  51. "Bayern Munich confirm Carlo Ancelotti will replace Pep Guardiola". Sky Sports. 20 December 2015. Archived from the original on 24 May 2016.
  52. "Bayern Munich seal Bundesliga title as Leipzig and Dortmund draw". ESPN FC. 29 April 2017. Archived from the original on 8 May 2017.
  53. "FC Bayern part company with Carlo Ancelotti". fcbayern.com. 28 September 2017. Archived from the original on 28 September 2017. Retrieved 28 September 2017.
  54. "Robben: I am to leave with at least one trophy". FC Bayern Munich official website. 3 December 2018. Retrieved 5 May 2019.
  55. Dillon, John (24 February 2019). "Hoeness: Franck Ribery will leave Bayern Munich at the end of the season". Bavarian Football Works.
  56. "Hansi Flick interviewed: 'A top job and a club that's very close to my heart'". fcbayern.com. Bayern Munich. 7 July 2019. Retrieved 19 August 2019.
  57. "Niko Kovac leaves Bayern Munich after Eintracht Frankfurt thrashing". The Guardian. 3 November 2019. Retrieved 4 November 2019.
  58. "FC Bayern and head coach Niko Kovac part company". fcbayern.com. Bayern Munich. 3 November 2019. Retrieved 3 November 2019.
  59. "Flick to remain FC Bayern head coach until end of season". fcbayern.com. Bayern Munich. 22 December 2019. Retrieved 26 December 2019.
  60. "Bayern gives coach Hansi Flick permanent deal through 2023". usatoday.com. 3 April 2020.
  61. "Barcelona-Bayern | UEFA Champions League". UEFA.com.
  62. "Barcelona vs. Bayern Munich – Football Match Summary – August 14, 2020 – ESPN". ESPN.com (in ଇଂରାଜୀ). Retrieved 14 August 2020.
  63. "FC Bayern München Retro Kit Released". footyheadlines.com. Retrieved 23 December 2020.
  64. "Bayern München Sign Record-Breaking Adidas Kit Deal".
  65. Quinn, Phillip (29 April 2015). "Bayern's new kit deal with Adidas is huge". Bavarian Football Works. Retrieved 22 April 2019.
  66. Vgl. Markwart Herzog: Fußball unterm Hakenkreuz Archived 28 October 2014 at the Wayback Machine.. In: H-Soz-u-Kult, 15. Juni 2011 (Sammelrezension zu: Backes, Gregor: "Mit Deutschem Sportgruss, Heil Hitler". Der FC St. Pauli im Nationalsozialismus. Hamburg 2010/Dietrich Schulze-Marmeling: Der FC Bayern und seine Juden. Aufstieg und Zerschlagung einer liberalen Fußballkultur. Göttingen 2011/Jakob Rosenberg u. a. (Hrsg.): Grün-Weiß unterm Hakenkreuz. Der Sportklub Rapid im Nationalsozialismus (1938–1945). Wien 2011)

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]