ବଡ଼ବଡ଼ିଆ

ଉଇକିପିଡ଼ିଆ ରୁ
Jump to navigation Jump to search

ଓଡ଼ିଶାରେ ଘରର ପୂର୍ବଜମାନଙ୍କୁ ବଡ଼ବଡ଼ିଆ ବା ବଡ଼ବଡ଼ୁଆ ବୋଲି କୁହାଯାଇଥାଏ । ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଅନୁସାରେ ଆପଣାର ମୃତ ପୂର୍ବପୁରୁଷଗଣଙ୍କୁ ବଡ଼ବଡ଼ିଆ କୁହାଯାଏ । ଏହି ଗ୍ରନ୍ଥ ଅନୁସାରେ ବଡ଼ବଡ଼ିଆ ଶବ୍ଦର ଅନ୍ୟ ଏକ ଅର୍ଥ ହେଲା ହାଣ୍ଡିଶାଳରେ ରଚିତ ପୂର୍ବପୁରୁଷମାନଙ୍କର କଳ୍ପିତ ପ୍ରତିମା । ଦୀପାବଳୀ ବା କାର୍ତ୍ତିକ ମାସର ଅମାବାସ୍ୟା ଦିନ ଲୋକେ କାଉଁରିଆ କାଠି ଜାଳି ତାହାର ଆଲୋକକୁ ଆକାଶକୁ ଦେଖାନ୍ତି ଯାହାଦ୍ୱାରା ପିତୃପୁରୁଷଙ୍କ ପଥ ଆଲୋକିତ ହୁଏ ବୋଲି ବିଶ୍ୱାସ ରହିଛି ।

ମହାଳୟା ସମୟରେ ଯେଉଁମାନେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ପାରନ୍ତି ନାହିଁ, ସେମାନେ ଦୀପାବଳୀ ଅମାବାସ୍ୟାରେ ଶ୍ରାଦ୍ଧ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି । [୧]

ଦୀପାବଳୀ ଦିନ ପୁରୀରେ କାଉଁରିଆ କାଠି ଜଳାଯାଉଛି

ବଡ଼ବଡ଼ିଆ ଶ୍ରାଦ୍ଧ[ସମ୍ପାଦନା]

ଦୀପାବଳୀ ଅମାବାସ୍ୟା ଦିନ ସନ୍ଧ୍ୟା ସମୟରେ ଏହି ଶ୍ରାଦ୍ଧ ପାଳନ କରାଯାଏ । ଏହାକୁ ଲୋକେ ପୟା ଶ୍ରାଦ୍ଧ ବୋଲି ମଧ୍ୟ କହିଥାନ୍ତି ।[୨] ପିତୃପକ୍ଷରେ ଧରାପୃଷ୍ଠକୁ ଆସିଥିବା ପିତୃପୁରୁଷମାନେ ଦୀପାବଳୀ ଦିନ ପିତୃଲୋକକୁ ପୁନର୍ଗମନ କରନ୍ତି ବୋଲି ଲୋକଙ୍କର ବିଶ୍ୱାସ ରହିଛି ।[୩] ସେହିମାନଙ୍କ ସ୍ମୃତି ଚାରଣ କରି ବଂଶଧରମାନେ ଏହି ଶ୍ରାଦ୍ଧ ପାଳନ କରିଥାନ୍ତି ।

ବଡ଼ବଡ଼ିଆ ଶ୍ରାଦ୍ଧର ବିଧି[ସମ୍ପାଦନା]

ବଡ଼ବଡ଼ିଆଙ୍କ ପଥ ଆଲୋକିତ କରିବା ପାଇଁ କାଉଁରିଆ କାଠିର ମଶାଲ
କାଉଁରିଆ କାଠି ପ୍ରସ୍ତୁତ କରାଯାଉଛି

ବଡ଼ବଡ଼ୁଆ ଶ୍ରାଦ୍ଧ ଦିନ ଘରର ସଦସ୍ୟମାନେ ବାରଣ୍ଡା ବା ଅଗଣାରେ ଏକତ୍ରିତ ହୋଇଥାନ୍ତି । ସେଠାରେ ମୁରୁଜ ପକାଇ ଏକ ବଡ଼ ବୋଇତ ବା ଡଙ୍ଗାର ଚିତ୍ର ଅଙ୍କିତ କରାଯାଇଥାଏ । ଏହି ଡଙ୍ଗାର ଉତ୍ତରରେ ୭ଟି କୋଠରୀ ଥାଏ ଯାହା ଋଷିମାନଙ୍କ ପାଇଁ ଉଦ୍ଦିଷ୍ଟ । ଡଙ୍ଗାର ପୂର୍ବରେ ରହିଥିବା ୧୦ଟି କୋଠରୀ ଦେବତାମାନେ ଅବସ୍ଥାନ କରନ୍ତି । ଦକ୍ଷିଣ ପଟକୁ ରହିଥିବା ୧୨ଟି କୋଠରୀ ପିତୃପୁରୁଷମାନଙ୍କ ନିମନ୍ତେ ଉଦ୍ଦିଷ୍ଟ । ମୁରୁଜ ବା ଝୋଟି ପଡ଼ିଥିବା ଏହି ସବୁ କୋଠରୀରେ ତୁଳା, ସୋରିଷ, ହଳଦି, ପନିପରିବା, ପିଠା, ମିଠା, ଲୁଣ, ଶତାବରୀ ମୂଳ, ବନ୍ୟ ଲତା ଇତ୍ୟାଦି ଦ୍ରବ୍ୟ ରଖାଯାଏ । ମଧ୍ୟଭାଗରେ ରହିଥିବା ଗୋଟିଏ କୋଠରୀରେ ଭୋଗ ରଖାଯାଇଥାଏ । ଏହି ପ୍ରସାଦ ପ୍ରକୋଷ୍ଠରେ କିଛି କାଉଁରିଆ କାଠି ମଧ୍ୟ ରଖାଯାଇଥାଏ ।[୪] [୩] ଛୋଟ କପଡ଼ା ଖଣ୍ଡିଏ ତେଲ ବା ଘିଅରେ ଭିଜାଇ ଏହି କାଉଁରିଆ କାଠିର ଅଗରେ ଗୁଡ଼ାଇ ବାନ୍ଧି ଦିଆଯାଇଥାଏ । କେତେକ ଘରେ କାଉଁରିଆ କାଠିରେ ଦୁବ, ବରକୋଳି ପତ୍ର ଓ ଫୁଲ ଇତ୍ୟାଦି ମଧ୍ୟ ବନ୍ଧାଯାଏ । ଏହି ସବୁ ବ୍ୟତୀତ ଡଙ୍ଗା ନିକଟରେ ଶିଳ, ଶିଳପୁଆ, ହଳ ଇତ୍ୟାଦି ମଧ୍ୟ ରଖି ପୂଜା କରାଯାଏ । [୩]

ଶ୍ରାଦ୍ଧ ଆରମ୍ଭରେ ଦଶ ଦେବ, ସପ୍ତ ଋଷି, ପିତାଙ୍କ ପରିବାରର ତିନି ପୂର୍ବପୁରୁଷ, ମାମୁଁଘରର ତିନି ପୂର୍ବପୁରୁଷଙ୍କୁ ଆବାହନ କରାଯାଏ । ସେମାନଙ୍କୁ ପୁଷ୍ପ, ଚନ୍ଦନ, ଧୂପ ଦୀପ, ପ୍ରସାଦ ଇତ୍ୟାଦି ଅର୍ପଣ କରାଯାଏ । ତାହାପରେ କାଉଁରିଆ କାଠି ଅଗରେ ମୁଖ୍ୟ ଦୀପରୁ ନିଆଁ ଲଗାଇ ଦିଆଯାଏ ଓ ସେଗୁଡ଼ିକ ଛୋଟ ମଶାଲ ପରି ଜଳି ଉଠନ୍ତି । ଘରର ସମସ୍ତ ସଦସ୍ୟ ଏହି ଜଳନ୍ତା କାଠିଟିକୁ ଟେକି ଧରି ଆକାଶଆଡ଼କୁ ଦେଖାଇ ନିଜ ପିତୃପୁରୁଷଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥାନ୍ତି । ଏହି ସମୟରେ ସମସ୍ତେ ମିଶି ବଡ଼ବଡ଼ିଆଙ୍କ ଉଦ୍ଦେଶ୍ୟରେ ଡାକ ପକାଇଥାନ୍ତି ଯାହାକୁ “ବଡ଼ବଡ଼ିଆ ଡାକ” ବୋଲି କୁହାଯାଏ । [୫]

ଶ୍ରାଦ୍ଧ ସରିଲେ ଘରର ଲୋକେ ପିତୃପୁରୁଷଙ୍କୁ ଅର୍ପଣ କରାଯାଇଥିବା ବିଭିନ୍ନ ପ୍ରକାରର ପିଠା ଆନନ୍ଦରେ ଖାଇଥାନ୍ତି । ପ୍ରଗତିଶୀଳ ଯୁଗରେ ବଡ଼ବଡ଼ିଆ ଶ୍ରାଦ୍ଧର ପାଳନ ବିଧିରେ ମଧ୍ୟ କ୍ରମଶଃ କେତେକ ପରିବର୍ତ୍ତନ ଦେଖାଦେଇଛି । ବର୍ତ୍ତମାନ ସମୟରେ କେବଳ କାଉଁରିଆ କାଠି ଜାଳି ପ୍ରଚୀନ ପରମ୍ପରାର ପ୍ରତୀକ ଭାବେ ଏହାକୁ କେତେକ ଘରେ ପାଳନ କରାଯାଉଛି । [୩]

ପୟା ଶ୍ରାଦ୍ଧ ସହିତ ଆକାଶଦୀପର ପରମ୍ପରା ଓତପ୍ରୋତ ଭାବେ ଜଡ଼ିତ । ପୂର୍ବେ ଛୋଟ କଣା ଥିବା ମାଟିହାଣ୍ଡି ବା ପାତ୍ରରେ ଜଳନ୍ତା ଦୀପଟିଏ ରଖାଯାଉଥିଲା । ଘର ସାମନାରେ ଏକ ଲମ୍ବା ବାଉଁଶ ଖୁଣ୍ଟ ପୋତି ଏହି ଦୀପ ଥିବା ହାଣ୍ଡିକୁ ସେଥିରେ ଝୁଲାଇ ଦିଆଯାଉଥିଲା । ଏହାକୁ ଆକାଶଦୀପ ବୋଲି କୁହାଯାଉଥିଲା ଓ ପିତୃପକ୍ଷ ପରେ ବୈକୁଣ୍ଠ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରୁଥିବା ପିତୃପୁରୁଷଙ୍କ ପଥ ଏହି ଆକାଶଦୀପଦ୍ୱାରା ଆଲୋକିତ ହେବ ବୋଲି ଲୋକେ ବିଶ୍ୱାସ କରୁଥିଲେ । ବର୍ତ୍ତମାନ ସମୟରେ ମଧ୍ୟ କେହି କେହି ଆକାଶଦୀପ ଜାଳିଥାନ୍ତି ।[୩]

ବଡ଼ବଡ଼ିଆ ଡାକ[ସମ୍ପାଦନା]

ବଡ଼ବଡ଼ିଆ ଡାକର କେତେକ ସ୍ଥାନୀୟ ରୂପ ନିମ୍ନରେ ପ୍ରଦତ୍ତ ହେଲା ।

  • ବଡ଼ବଡ଼ୁଆ ହୋ !

ଅନ୍ଧାରରେ ଆସି ଆଲୁଅରେ ଯାଅ ।

ଗଙ୍ଗା ଯାଅ, ଗୟା ଯାଅ, କାଶୀ ଯାଅ,

ପୁରୁଷୋତ୍ତମରେ ମହାପ୍ରସାଦ ଖାଇ

ବାଇଶି ପାହାଚରେ ଗଡ଼ଗଡ଼ଉ ଥାଅ ।।

  • ବଡ଼ବଡ଼ିଆ ହୋ !

ଅନ୍ଧାରେ ଆସି ଆଲୁଅରେ ଯାଅ ।

ବାଇଶି ପାହାଚରେ ଗଡ଼ଗଡ଼ୁ ଥାଅ ।।

  • ବଡ଼ବଡ଼ୁଆ ହୋ !

ଅନ୍ଧାରରେ ଆସ, ଆଲୁଅରେ ଯାଅ ।

ବାଇଶି ପହାଚେ ଗଡ଼ଗଡ଼ଉ ଥାଅ ।।

ଏହାର ଅର୍ଥ ହେଲା – ହେ ପିତୃପୁରୁଷ । ତୁମ୍ଭେମାନେ ମହାଳୟା ଅମାବାସ୍ୟାରେ ପିତୃଲୋକରୁ ଏଠାକୁ ଆସିଥିଲ । ବର୍ତ୍ତମାନ ପୁଣି ପିତୃଲୋକକୁ ଫେରିଯିବାର ସମୟ ଆସିଛି । ପ୍ରଭୁ ଜଗନ୍ନାଥଙ୍କ ଆସ୍ଥାନ ସୂଚକ ବାଇଶି ପାହାଚ ପର୍ଯ୍ୟନ୍ତ ତୁମର ବାହୁଡ଼ା ଯାତ୍ରା ମଙ୍ଗଳମୟ ଓ ନିରାପଦମୟ ହେଉ ବୋଲି ଆମେ ଏହି ଆଲୋକ ଦେଖାଉଛୁ । ଅମାବାସ୍ୟାର ଏହି ଅନ୍ଧାର ରାତିରେ ଏହା ତୁମର ପଥ ଆଲୋକିତ କରିବ ଓ ତୁମ ଯାତ୍ରା ନିରାପଦମୟ ହେବ ବୋଲି ଆମେ କାମନା କରୁଛୁ । [୩]

ରୋଷେଇ ଘରେ ବଡ଼ବଡ଼ିଆ[ସମ୍ପାଦନା]

ପୟାଶ୍ରାଦ୍ଧ ପାଇଁ ଆୟୋଜନ
ଆକାଶ-ଦୀପ

ଗାଁ ଗହଳିରେ ଘରର ପୂର୍ବପୁରୁଷ ବା ବଡ଼ବଡ଼ିଆଙ୍କୁ ପୂଜା ମଧ୍ୟ କରାଯାଇଥାଏ । ରୋଷେଇ ଘର ବା ହାଣ୍ଡିଶାଳର ଚୁଲି ପାଖର ଗୋଟିଏ କୋଣରେ ଛୋଟ ମାଟିଗଦାଟିଏ ତିଆରି କରାଯାଏ । ଏହି ମାଟିଗଦାକୁ ବଡ଼ବଡ଼ିଆ ବୋଲି କୁହାଯାଏ ଓ ପ୍ରତିଦିନ ଏହାକୁ ପୂଜା ମଧ୍ୟ କରାଯାଏ । [୬]

ଘରର ମାଲିକାଣୀ ପ୍ରତିଦିନ ଗାଧୋଇବା ପରେ ରୋଷେଇ ଘରକୁ ରାନ୍ଧିବାକୁ ଯାଆନ୍ତି । ରାନ୍ଧିବା ପୂର୍ବରୁ ସେ ବଡ଼ବଡ଼ିଆ କୋଣକୁ ଯାଇ ବାସି ଫୁଲ ଇତ୍ୟାଦି ସଫା କରନ୍ତି । ବଡ଼ବଡ଼ିଆ ଉପରେ ଅଳ୍ପ ପାଣି ଢାଳି ସ୍ନାନ କରାନ୍ତି । ତାହା ପରେ ସେଠାରେ ନୂଆ ଫୁଲ ରଖନ୍ତି । ଆଚମନ କରିବା ପାଇଁ ଢାଳରେ କିଛି ପାଣି ବଡ଼ବଡ଼ିଆ ସମ୍ମୁଖରେ ଥୋଇଦେଇଥାନ୍ତି । ରନ୍ଧା ସରିଲେ ବଡ଼ବଡ଼ିଆଙ୍କୁ ପ୍ରଥମେ ଖାଦ୍ୟ ଅର୍ପଣ କରାଯାଏ ଓ ମୁଣ୍ଡିଆ ମରାଯାଏ ।

ପ୍ରାଚୀନ ମିଶର୍ ସଭ୍ୟତାର ଆରମ୍ଭ ବେଳକୁ ସେଠାକାର ଲୋକେ ବିଶ୍ୱାସ କରୁଥିଲେ ଯେ ଭଗବାନ, ମନୁଷ୍ୟ ଓ ପିତୃପୁରୁଷଙ୍କଦ୍ୱାରା ଆମ ଜଗତ ଗଠିତ । ଏହି ସମସ୍ତଙ୍କର ଶାରୀରିକ ଓ ମାନସିକ ଇଚ୍ଛା ପୂରଣ ହେବା ଆବଶ୍ୟକ । ତେଣୁ ଘରେ କାହାର ମୃତ୍ୟୁ ହୋଇଗଲେ ସେମାନଙ୍କୁ ବାହାରେ ସମାଧିପୀଠରେ ପୋତା ନ ଯାଇ ଘର ମଧ୍ୟରେ ବା ରୋଷେଇ ଘରେ ଚୁଲି ନିକଟରେ ପୋତାଯିବାର ପ୍ରଥା ରହିଥଲା । [୭] କ୍ରମଶଃ ପ୍ରାଚୀନ ମିଶରୀୟ ସଭ୍ୟତାରେ ଲୋକଙ୍କୁ ସମାଧିପୀଠରେ ପୋତାଗଲା ଓ ପୁରୁଣା ପ୍ରଥାନୁସାରେ ରୋଷେଇ ଘରେ ବଡ଼ବଡ଼ିଆ ପରି କୌଣସି ପ୍ରତୀକ ରଖାଯିବା ସମ୍ଭବପର । ପ୍ରଚୀନ ମିଶର୍ ସଭ୍ୟତର ଲୋକେ ବାଣିଜ୍ୟ ପାଇଁ ସମୁଦ୍ର ଯାତ୍ରା କରି କଳିଙ୍ଗ ସହିତ ସମ୍ପର୍କ ସ୍ଥାପନ କରିଥିଲେ । କଳିଙ୍ଗକୁ ଆସି ଏଠାରେ ବସବାସ କରିଥିବା ମିଶର୍ ଦେଶର କିଛି ଲୋକଙ୍କ ଧାର୍ମିକ ବିଶ୍ୱାସରୁ ଏହି ବଡ଼ବଡ଼ିଆ ପୂଜାର ଉଦ୍ଭବ ହୋଇଥାଇପାରେ ବୋଲି ଆଶୁତୋଷ ପ୍ରସାଦ ପଟ୍ଟନାୟକ ନିଜ ସର୍ବେକ୍ଷଣ ଓ ଗବେଷଣା ପରେ ମତ ରଖିଛନ୍ତି । [୮]

ପୌରାଣିକ କିମ୍ବଦନ୍ତୀ[ସମ୍ପାଦନା]

ଏକ ପୌରାଣିକ କାହାଣୀ ଅନୁସାରେ ଭୟଭୀତ ଦେବଙ୍କୁ ରକ୍ଷା କରିବାକୁ ଯାଇ ଭଗବାନ ଶ୍ରୀକୃଷ୍ଣ ମହାବଳଶାଳୀ ନରକାସୁରର ବଧ କରିଥିଲେ ଓ ଧରାପୃଷ୍ଠରେ ଶାନ୍ତି ପ୍ରତିଷ୍ଠା ହେଲା । ନରକାସୁର ଷୋହଳ ହଜାର ସୁନ୍ଦରୀ ରମଣୀଙ୍କୁ ବନ୍ଦିନୀ କରି ରଖିଥିଲା । ଶ୍ରୀକୃଷ୍ଣ ସେମାନଙ୍କୁ ମୁକ୍ତ କରି ସମ୍ମାନର ସହିତ ଦ୍ୱାରକାକୁ ପଠାଇ ଦେଇଥିଲେ । ନରକାସୁରର ପରାଜୟରେ ଖୁସି ହୋଇ ଲୋକେ କାଉଁରିଆ କାଠିର ମଶାଲରେ ନିଆଁ ଲଗାଇ ଉତ୍ସବ ପାଳନ କରିଥିଲେ ।

ସେବେଠାରୁ ଦୀପାବଳୀ ପାଳନ କରାଯାଏ ଓ ଏହା ନରକୋତ୍ସବ ନାମରେ ମଧ୍ୟ ଜଣାଶୁଣା । ନରକାସୁର ପରେ ତାହାର ପୁତ୍ର ଭଗଦତ୍ତ ସିଂହାସନ ଆରୋହଣ କରିଥିଲା ।

ଭାଷାରେ ବ୍ୟାବହାରିକ ପ୍ରୟୋଗ[ସମ୍ପାଦନା]

କଥିତ ଭାଷାରେ ବଡ଼ବଡ଼ିଆ ଶବ୍ଦ ସମାଜର କୌଣସି ପ୍ରଭାବଶାଳୀ, ବିତ୍ତଶାଳୀ, କ୍ଷମତାଶାଳୀ ଲୋକ ବା ତାଙ୍କ ପରିବାରକୁ ସୂଚାଏ । ଯଥା – ବଡ଼ବଡ଼ିଆ ଅଧିକାରୀ, ବଡ଼ବଡ଼ିଆ ନେତା ଇତ୍ୟାଦି ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ "ପିତୃ ପୁରୁଷଙ୍କ ଶ୍ରାଦ୍ଧ ପାଇଁ ଏକାମ୍ର କ୍ଷେତ୍ରରେ ଭିଡ଼". Retrieved 2017-10-21.
  2. ୨.୦ ୨.୧ ଶ୍ରୀମତୀ ମନୋରମା ମିଶ୍ର (2005). ଓଡ଼ିଶାର ପର୍ବପର୍ବାଣୀ. p. 28-29.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ Colonel JC Mahanti. FADING FESTIVALS OF ODISHA (PDF). p. 113.
  4. ୪.୦ ୪.୧ "Bada Badua Ho , Andhara re asi aalua re jaa – Bada Badia Daka on Dipabali – The typical Odia hindu Festival for forefathers – Odisha". Retrieved 2013-11-01.
  5. ୫.୦ ୫.୧ Dr. Benudhar Patra (2016). "Orissa Review - Shree Jagannath Temple at Puri : A Study on Aruna Stambha, Simha Dwara and Baisi Pahacha" (PDF). Information & Public Relations Department, Government of Orissa. p. 32.
  6. ୬.୦ ୬.୧ A. P. Patnaik (2010). Mahadebata. p. 66.
  7. ୭.୦ ୭.୧ Jaroslav Cenry (1952). Ancient Egyptian Religion. p. 14-15.
  8. ୮.୦ ୮.୧ A. P. Patnaik (2015). Unveiling the mystery of Jagannath. Lark Books. p. 66.