ପୋତାଗଡ଼

ଉଇକିପିଡ଼ିଆ ରୁ
Jump to navigation Jump to search
ପୋତାଗଡ଼
ଗଞ୍ଜାମ, ଓଡ଼ିଶା, ଭାରତ
ପୋତାଗଡ଼ is located in ଓଡ଼ିଶା
ପୋତାଗଡ଼
ପୋତାଗଡ଼
Coordinates19°22′45″N 85°03′23″E / 19.379265°N 85.0564424°E / 19.379265; 85.0564424Coordinates: 19°22′45″N 85°03′23″E / 19.379265°N 85.0564424°E / 19.379265; 85.0564424
Typeଦୁର୍ଗ
Site information
Open to
the public
ହଁ

ପୋତାଗଡ଼ ଓଡ଼ିଶାରେ ଥିବା ଏକ ଦୁର୍ଗ, ଯାହା ଗଞ୍ଜାମ ଗଡ଼ ନାମରେ ମଧ୍ୟ ପରିଚିତ । ଏହା ଏକ ଦୁର୍ଗ ନୁହେଁ ବରଂ ବିଭିନ୍ନ ସମୟରେ ନିର୍ମିତ ଅନେକ ଦୁର୍ଗର ମିଶ୍ରଣ । ଦୁର୍ଗର ଦୈର୍ଘ୍ୟ ପ୍ରାୟ ୯୨ ମିଟର୍, ପ୍ରସ୍ଥ ୧୯ ମିଟର୍ ଓ ଉଚ୍ଚତା ପ୍ରାୟ ୧୫ ମିଟର୍ । ଦୁର୍ଗଟି ଭୂମିତଳେ ନିର୍ମିତ ହୋଇଥିଲା ଓ ଦୂରରୁ ଅତି ସହଜରେ ଚିହ୍ନଟ କରାଯାଇପାରିବ ।[୧] ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରୁ ପ୍ରାୟ ୮ କି.ମି. ଦୂରରେ ଗଞ୍ଜାମ ସହର ନିକଟରେ ଏହି ଦୁର୍ଗର ଅବସ୍ଥିତି । ବ୍ରିଟିଶ୍ ଶାସନାଧୀନ ଭାରତରେ ପୋତାଗଡ଼ ଦୁର୍ଗକୁ ଗଞ୍ଜାମର ପ୍ରଥମ ପ୍ରଶାସନିକ କେନ୍ଦ୍ର ବା କାର୍ଯ୍ୟାଳୟ କହିପାରିବା । ପରବର୍ତ୍ତୀ କାଳରେ ୧୮୧୫ ମସିହାରେ ପ୍ରଶାସନିକ କାର୍ଯ୍ୟାଳୟ ବ୍ରହ୍ମପୁରକୁ ଓ ୧୮୩୫ ମସିହାରେ ବ୍ରହ୍ମପୁରରୁ ଛତ୍ରପୁରକୁ ସ୍ଥାନାନ୍ତରିତ ହୋଇଥିଲା । ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ କାର୍ଯ୍ୟାଳୟ ଏବେ ଛତ୍ରପୁରରେ ଅବସ୍ଥିତ ।

ବର୍ତ୍ତମାନ ସମୟରେ ଭଗ୍ନାବଶେଷରେ ପରିଣତ ହୋଇଯାଇଥିବା ପୋତାଗଡ଼ ବିଗତ ସମୟର ଶାସକ ଓ ସେମାନଙ୍କ ପ୍ରଶାସନିକ କାର୍ଯ୍ୟକଳାପର ମୁକସାକ୍ଷୀ । ପୋତାଗଡ଼ ବିଭିନ୍ନ ସମୟରେ କଳିଙ୍ଗ, ଦଣ୍ଡପାଟ, ଗଞ୍ଜାମ, ଶ୍ରୀକାକୁଲମ୍ ସରକାର ଇତ୍ୟାଦି ବିଭିନ୍ନ ରାଜ୍ୟ ବା ସାମ୍ରାଜ୍ୟର ମୁଖ୍ୟ ପ୍ରଶାସନିକ କାର୍ଯ୍ୟାଳୟ ରହିଆସିଛି । ପୋତାଗଡ଼ର ଇତିହାସରୁ ପୂର୍ବ ଭାରତରେ ଗଞ୍ଜାମ, ଉତ୍ତରୀୟ ପ୍ରଗଣା, ଫରାସୀ ଶାସନ, ମାନ୍ଦ୍ରାଜ୍ ରାଜ୍ୟ, ବଙ୍ଗଳା ରାଜ୍ୟ ଓ ବ୍ରିଟିଶ୍ ଇଷ୍ଟ ଇଣ୍ଡିଆ କମ୍ପାନୀର ଇତିହାସ ବିଷୟରେ କିଛି ମାତ୍ରାରେ ଜାଣିହେବ ।

ପୋତାଗଡ଼ ସମ୍ବନ୍ଧରେ ଅନେକ ଲୋକକଥା ଶୁଣିବାକୁ ମିଳେ । ଦୁର୍ଗର ଅଧିଷ୍ଠାତ୍ରୀ ଦେବୀଙ୍କ କୋପରେ ପାର୍ଶ୍ୱବର୍ତ୍ତୀ ଗଞ୍ଜା (ଆଧୁନିକ ଗଞ୍ଜାମ ସହର) ନଷ୍ଟ ହୋଇଯିବା, ଆକ୍ରମଣ ସମୟରେ ପୋତାଗଡ଼ର ଗୁପ୍ତ ସୁଡଙ୍ଗ ଦେଇ ରାଜା ଦୁର୍ଗ ପରିତ୍ୟାଗ କରିବା ଓ ଡଙ୍ଗା ସାହାଯ୍ୟରେ ସମୁଦ୍ରପଥରେ ପଳାୟନ କରିବା ଇତ୍ୟାଦି ସବୁ ଲୋକକଥାରେ ପୋତାଗଡ଼ର ଉଲ୍ଲେଖ ରହିଛି ।[୨]

ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିରୁ ପୋତାଗଡ଼କୁ ପୋତାଧନ କୁହାଯାଇପାରେ । ତେଣୁ ଏହାର ସଂରକ୍ଷଣ ପାଇଁ ଅନେକ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନେକ ସମୟ ଧରି ଅବହେଳିତ ଏହି ଦୁର୍ଗ ୨୦୧୨ ମସିହା ପରଠାରୁ କିଛି ମାତ୍ରାରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ଭୌଗୋଳିକ ଅବସ୍ଥିତି[ସମ୍ପାଦନା]

ପୋତାଗଡ଼ ଦୁର୍ଗରୁ ଋଷିକୂଲ୍ୟା ନଦୀର ଦୃଶ୍ୟ

ପୋତାଗଡ଼ର ଭୌଗୋଳିକ ଅବସ୍ଥିତି ଦେଲା ୧୯.୨୨° ଉତ୍ତର ଅକ୍ଷାଂଶ ଓ ୮୫.୪୯° ପୂର୍ବ ଦ୍ରାଘିମା । ଏହି ଦୁର୍ଗଟି ଋଷିକୂଲ୍ୟା ନଦୀର ମୁହାଣ ନିକଟରେ ଅବସ୍ଥିତ । ଋଷିକୂଲ୍ୟା ନଦୀର ଉତ୍ତର କୂଳରେ ପୋତାଗଡ଼ ଦଣ୍ଡାୟମାନ । ପୋତାଗଡ଼ର ଦକ୍ଷିଣ-ପୂର୍ବ ଆଡକୁ ଅଳ୍ପ କିଛି ଦୂରତାରେ ଋଷିକୂଲ୍ୟା ନଦୀ ବଙ୍ଗୋପସାଗରରେ ମିଶିଛି ।

ନାମକରଣ[ସମ୍ପାଦନା]

ପୋତାଗଡ଼ର ଏପରି ନାମକରଣ ସମ୍ବନ୍ଧୀୟ କେତେକ ସମ୍ଭାବନା ରହିଛି । ସେଗୁଡିକ ହେଲେ :

  • ଓଡ଼ିଆ ଶବ୍ଦ “ପୋତା”ର ଅର୍ଥ ପୋତି ହୋଇଯାଇଥିବା ଓ “ଗଡ”ର ଅର୍ଥ ହେଲା ଦୁର୍ଗ । ପୋତାଗଡ଼ର ଅର୍ଥ ପୋତି ହୋଇଯାଇଥିବା ଦୁର୍ଗ । ଏହି ଦୁର୍ଗଟି ବର୍ତ୍ତମାନ ପୋତି ହୋଇଯାଇଥିବାରୁ ଏହାର ନାମକରଣ ଏପରି ହୋଇଛି ବୋଲି କେତେକ ବିଶେଷଜ୍ଞ ମତ ପୋଷଣ କରିଛନ୍ତି । ୧୮୧୫ ମସିହା ବେଳକୁ ଗଞ୍ଜାରେ ଏକ ଭୟଙ୍କର ମହାମାରୀ ଦେଖାଦେଇଥିଲା । ଏହି କାରଣରୁ ମୃତ ଶରୀରର ଶେଷକ୍ରିୟା ପରେ ଦୁର୍ଗକୁ ପୋତି ଦେଇ ଇଂରାଜୀ ଅଧିକାରୀମାନେ ଏହି ଅଞ୍ଚଳ ପରିତ୍ୟାଗ କରିଥାଇପାରନ୍ତି ।
  • ଅନ୍ୟ ଏକ ଓଡ଼ିଆ ଶବ୍ଦ “ପୋତ”ର ଅର୍ଥ ହେଲା ଜାହାଜ ବା ଯୁଦ୍ଧ ଜାହାଜ । ଅତୀତରେ ଇଉରୋପୀୟ ଔପନିବେଶିକ ଶକ୍ତିମାନେ ଏହି ଦୁର୍ଗଟିକୁ ଏକ ନୌସେନା କେନ୍ଦ୍ର ଭାବେ ବ୍ୟବହାର କରୁଥିଲେ ବୋଲି କେତେଜଣ ବିଶେଷଜ୍ଞ ମତ ରଖିଛନ୍ତି । ଯଦି ଏହି ଦୁର୍ଗଟି ଅତୀତରେ ସାମୁଦ୍ରିକ ପୋତ ପାଇଁ ବନ୍ଦର ପରି ବ୍ୟବହୃତ ହେଉଥାଏ ତେବେ ଏହାର ନାମକରଣ “ପୋତଗଡ” ହୋଇଥିବା ଯଥାର୍ଥ ବୋଲି ମନେହୁଏ । ପରବର୍ତ୍ତୀ ସମୟରେ ଏହାର ନାମ ପରିବର୍ତ୍ତିତ ହୋଇ ପୋତାଗଡ଼ ହୋଇଥିବା ସମ୍ଭବ । ପୋତାଗଡ଼ ନିକଟରେ ଥିବା ବାଣପୁର ଓ ଗୋଳାବନ୍ଧ ପରି ସ୍ଥାନରୁ ଏହି ଅଞ୍ଚଳରେ ଗୁଳିଗୋଳା ପ୍ରସ୍ତୁତିର କେନ୍ଦ୍ରମାନ ରହିଥିବା ଅନୁମାନ କରାଯାଇପାରେ ।[୩]

ପୋତାଗଡ଼ର ନିର୍ମାଣ[ସମ୍ପାଦନା]

ପୋତାଗଡ଼ ଦୁର୍ଗର ଏକ ପ୍ରବେଶ ଦ୍ୱାର

ନଦୀକୂଳରେ ଏହି ତାରକାକୃତି ଦୁର୍ଗଟି ଏକ ବିସ୍ତୃତ ଅଞ୍ଚଳରେ ବ୍ୟାପ୍ତ । ଦୁର୍ଗର ପ୍ରାଚୀର ମଧ୍ୟରେ ଭିନ୍ନ ଭିନ୍ନ ସ୍ଥାପତ୍ୟ ଶୈଳୀର ତିନୋଟି ଅଟ୍ଟାଳିକା ରହିଛି । ସମ୍ଭବତଃ ଏହି ତିନି ଭିନ୍ନ ସ୍ଥାପତ୍ୟ ଶୈଳୀ ମୁସଲିମ୍, ଫରାସୀ ଓ ବ୍ରିଟିଶ୍ ଶୈଳୀର ସୂଚକ । ମୁସଲିମ୍ ସ୍ଥାପତ୍ୟ ଶୈଳୀରେ ନିର୍ମିତ ପ୍ରଥମ ଅଟ୍ଟାଳିକା ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ବିଧ୍ୱସ୍ତ ଓ କେବଳ କେତେକ ଅବଶେଷ ମାଧ୍ୟମରେ ଜୀବିତ । ଅନ୍ୟ ଦୁଇଟି ଅଟ୍ଟାଳିକା ମଧ୍ୟ ବିଶେଷ ଭଲ ଅବସ୍ଥାରେ ନାହାନ୍ତି । ଏହାଛଡା ଦୁର୍ଗ ମଧ୍ୟରେ କାର୍ଯ୍ୟାଳୟ, ବାରୁଦଘର, ଶସ୍ତ୍ରାଗାର ମଧ୍ୟ ରହିଛି । ବାରୁଦଘରଟି ଆକାରରେ ବଡ ଓ ୪୦୦୦୦ ପାଉଣ୍ଡ୍ ପର୍ଯ୍ୟନ୍ତ ବାରୁଦ ଗଚ୍ଛିତ ରଖିପାରିବ ।[୪] ବାରୁଦଘରର କାନ୍ଥ ମାଟି ଖୋଳାଯାଇ ଶକ୍ତ ପଥରରେ ନିର୍ମିତ ହୋଇଛି । କାର୍ଯ୍ୟାଳୟର କାନ୍ଥ ମାଟି, କାଠ ଇତ୍ୟାଦିରେ ନିର୍ମିତ ହୋଇଛି । ଦୁର୍ଗ ମଧ୍ୟରୁ ବର୍ଷାଜଳ ନିଷ୍କାସନ କରିବା ପାଇଁ ଚାରିଟି ନିଷ୍କାସନ ନାଳ ରହିଛି ।[୪] ଦକ୍ଷିଣ ପଟର ପାଚେରୀକୁ ଭେଦି ଏକ ସୁଡଙ୍ଗ ନଦୀ ପାଖରେ ବାହାରିଛି । ପୂର୍ବ ପଟର କାନ୍ଥର ଭିତରପଟୁ ମଧ୍ୟ ଏକ ସୁଡଙ୍ଗ ରହିଛି ।[୨][୪] ଏହି ଦୁଇ ସୁଡଙ୍ଗ ମଧ୍ୟରୁ ଗୋଟିଏ ଗୋପନରେ ଦୁର୍ଗରୁ ପଳାୟନ କରିବା ପାଇଁ ଓ ଅନ୍ୟଟି ରାଣୀ ବା ମହିଳାମାନେ ନଦୀକୁ ସ୍ନାନ କରିବା ପାଇଁ ବ୍ୟବହାର କରୁଥିବେ ବୋଲି ଅନୁମାନ କରାଯାଏ ।[୨]

ଦୁର୍ଗର ପ୍ରାଚୀର ପ୍ରାୟ ୮ ଫୁଟ୍ ମୋଟା ଓ ପ୍ରାଚୀରକୁ ପରିବେଷ୍ଟନ କରି ପାଣିର ଖାଇ ରହିଛି । ପ୍ରାଚୀରଟି ଇଟାରେ ତିଆରି । ଦୁର୍ଗର ମଧ୍ୟରେ ପଞ୍ଚଭୁଜାକୃତି ଆଉ ଏକ କ୍ଷେତ୍ର ରହିଛି । ବାହ୍ୟ ଓ ଅନ୍ତଃ ପ୍ରାଚୀର ମଧ୍ୟବର୍ତ୍ତୀ ସ୍ଥାନରେ ମାଟିଦ୍ୱାରା ଭରିଦିଆଯାଇଛି । ଦୁର୍ଗର ଦୁଇଟି ସୁନ୍ଦର ମୁଖ୍ୟ ପ୍ରବେଶ ଦ୍ୱାର ରହିଛି । ଗୋଟିଏ ସାମନା ପଟେ ଓ ଅନ୍ୟଟି ଦୁର୍ଗର ପଛପଟେ ନଦୀ କୂଳରେ ଅବସ୍ଥିତ । ମୁଖ୍ୟ ପ୍ରବେଶ ଦ୍ୱାର ବର୍ତ୍ତମାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଅନ୍ୟଟି ଭଲ ଅବସ୍ଥାରେ ରହିଛି । ପ୍ରସିଦ୍ଧ ଐତିହାସିକ ୱିଲିୟମ୍ ୱିଲ୍‍ସନ୍ ହଣ୍ଟର୍ ପୋତାଗଡ଼ ବିଷୟରେ ବିବରଣୀ ଦେଇ ଲେଖିଛନ୍ତି ଯେ “ପୂର୍ବ ପଟ ବ୍ୟତୀତ ଦୁର୍ଗର ମୀନାର୍‍ଗୁଡିକ ମଧ୍ୟରେ ଥିବା କୋଣ ଯୋଗୁଁ ତାରକା ପରି ଆକୃତି ସୃଷ୍ଟି ହୋଇଛି । ପୂର୍ବପଟରେ ଏକ ବିଶାଳ ତୋରଣ ରହିଛି । ଦୁର୍ଗର କାନ୍ଥର ଉଚ୍ଚତା ୧୮ରୁ ୨୨ ଫୁଟ୍ ମଧ୍ୟରେ ହେବ । ଦୁର୍ଗର ତିନିପଟକୁ ଜଳପୂର୍ଣ୍ଣ ଖାଇ ଘେରି ରହିଛି ଯାହାର କେତୋଟି ସ୍ଥାନ ଯଥେଷ୍ଟ ଗଭୀର । ଚତୁର୍ଥ ପଟରେ ପ୍ରାଚୀରଠାରୁ ୧୫୦ ୟାର୍ଡ୍ ପର୍ଯ୍ୟନ୍ତ ଘଞ୍ଚ ଜଙ୍ଗଲ ରହିଥିବାରୁ ଏହା ସୁରକ୍ଷିତ ।“[୨]

ପୋତାଗଡ଼ର ନିର୍ମାଣ ସମ୍ପର୍କରେ ଐତିହାସିକମାନଙ୍କ ମତ ବିଭାଜିତ । ଅଦ୍ୟାବଧି କୌଣସି ପ୍ରତ୍ନତାତ୍ତ୍ୱିକ ବା ଶିଳାଲେଖ ପରି ପ୍ରମାଣ ମିଳିପାରି ନଥିବାରୁ ଏହି ସମ୍ପର୍କରେ ଗବେଷକଙ୍କଠାରୁ ଭିନ୍ନ ଭିନ୍ନ ଦୃଷ୍ଟିକୋଣ ଜାଣିବାକୁ ମିଳେ ।

ମୁସଲିମ୍ ବା ମୋଗଲ୍ ଦୃଷ୍ଟିକୋଣ[ସମ୍ପାଦନା]

ଦୁର୍ଗଟି ତାରକାକୃତି ହୋଇଥିବାରୁ ଓ ଏହାର ପ୍ରାଙ୍ଗଣ ମଧ୍ୟରେ ଏକ ପ୍ରାଚୀନ ମସଜିଦ୍ ରହିଥିବାରୁ କିଛି ବିଶେଷଜ୍ଞ ଏହି ଦୁର୍ଗଟି ମୁସଲିମ୍ ଶାସକଙ୍କଦ୍ୱାରା ନିର୍ମିତ ବୋଲି ମତ ରଖିଛନ୍ତି । ସପ୍ତଦଶ ଶତାବ୍ଦୀର କୁତବସାହି ବା କୁତବ ଶାସନ ସମୟରେ ଗଞ୍ଜାମ ଜିଲ୍ଲା ଚିଲିକାରୁ ଶ୍ରୀକାକୁଲମ୍ ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା । ଏହି ଅଞ୍ଚଳକୁ ସେତେବେଳେ ଶ୍ରୀକାକୁଲମ୍ ସରକାର ନାମ ଦିଆଯାଇଥିଲା । ଈଂରାଜୀ ପୂର୍ବ ଭାରତୀୟ କମ୍ପାନୀଦ୍ୱାରା ଗୋଲକୁଣ୍ଡାରୁ ନିୟନ୍ତ୍ରିତ ଏହି ପ୍ରଶାସନିକ କ୍ଷେତ୍ର ଉତ୍ତରତମ ନିୟନ୍ତ୍ରଣ କ୍ଷେତ୍ର ଥିଲା ।

ଗୋଲକୁଣ୍ଡାର ଶାସକ ଅବଦୁଲ୍ କୁତବ୍‍ଶାହାଙ୍କ ଶାସନକାଳରେ ୧୬୪୧ ମସିହାରେ ମହମ୍ମଦ ଖାନ୍ ଶ୍ରୀକାକୁଲମ୍‍ର ଫୌଜଦାର ଭାବେ ନିଯୁକ୍ତ ହୋଇଥିଲେ । ସେ ଶ୍ରୀକାକୁଲମ୍ ଓ ଇଚ୍ଛାପୁରରେ କେତେକ ସୁନ୍ଦର ମସଜିଦ୍ ତିଆରି କରାଇଥିଲେ । ସେ ସମୟରେ ପୁରାତନ କଳିଙ୍ଗର ଦଣ୍ଡପାଟ (ଆଧୁନିକ ଗଞ୍ଜାମ) ଶ୍ରୀକାକୁଲମ୍ ଓ ଇଚ୍ଛାପୁର ପରି ଦୁଇଟି ଭାଗରେ ବିଭକ୍ତ ହୋଇଥିଲା । ଇଚ୍ଛାପୁରର ପ୍ରଶାସନ ବ୍ୟବସ୍ଥାର ସୁପରିଚାଳନା ପାଇଁ ମହମ୍ମଦ ଖାନ୍ ପୋତାଗଡ଼ର ନିର୍ମାଣ କରାଇଥାଇ ପାରନ୍ତି ବୋଲି କେତେକ ଐତିହାସିକ ମତ ରଖିଛନ୍ତି ।

ଚତୁର୍ଥ ସୁଲତାନ୍ ଇବ୍ରାହିମ୍ କୁତବଶାହଙ୍କଦ୍ୱାରା ପୋତାଗଡ଼ର ନିର୍ମାଣ ହୋଇଛି ବୋଲି ଆଉ କେତେକ ବିଶେଷଜ୍ଞ ମତ ରଖିଛନ୍ତି ।

ଫରାସୀ ଦୃଷ୍ଟିକୋଣ[ସମ୍ପାଦନା]

୧୭୫୩ ମସିହାରେ ଉତ୍ତର ପ୍ରଗଣା ଫରାସୀମାନଙ୍କ ଅଧୀନକୁ ଆସିଲା । ଫରାସୀ ସେନାଧ୍ୟକ୍ଷ ମନ୍‍ସ୍ୟୁର୍ ଡି ବୁଜି ଗଞ୍ଜାମର କାର୍ଯ୍ୟଭାର ସମ୍ଭାଳିଲେ ଓ ପୋତାଗଡ଼ରୁ ଏହି ଅଞ୍ଚଳର ଶାସନ କରୁଥିଲେ । ଶାସନ ସମୟରେ ସେ ନିଜର କାର୍ଯ୍ୟାଳୟ ପାଇଁ ଓ ତାଙ୍କ ସହକର୍ମୀ ଫରାସୀ ଲୋକଙ୍କ ପାଇଁ ଏହି ଦୁର୍ଗଟି ନିର୍ମାଣ କରାଇଥିବେ ବୋଲି ଆଉ କେତେଜଣ ମତ ରଖିଛନ୍ତି । ପୋତାଗଡ଼ରେ ଫରାସୀଙ୍କ ଉପସ୍ଥିତି ଦୁର୍ଗରୁ ଅନତି ଦୂରରେ ଥିବା ସମାଧିସ୍ଥଳ ରହିଛି । ସମାଧିସ୍ଥଳକୁ ସ୍ଥାନୀୟ ଲୋକେ “ଗୋରା କବର” କହିଆସୁଛନ୍ତି । ଏହିଠାରେ ଦୁଇଟି ଫରାସୀ ମୂଳନିବାସୀଙ୍କ ସମାଧିର ସନ୍ଧାନ ମିଳିଛି ।[୨]

ବ୍ରିଟିଶ୍ ଦୃଷ୍ଟିକୋଣ[ସମ୍ପାଦନା]

ଗଞ୍ଜାମର ପ୍ରଥମ ଈଂରାଜୀ ପ୍ରବାସୀ ଏଡ୍‍ୱାର୍ଡ୍ କଷ୍ଟଫୋର୍ଡ୍ ୧୭୬୮ ମସିହାରେ ପୋତାଗଡ଼ ଦୁର୍ଗର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ବୋଲି ଅନେକ ଐତିହାସିକ ମତ ରଖନ୍ତି । ୧୭୬୫ ମସିହାରେ ଏକ ରାଜକୀୟ ଘୋଷଣା (ଫର୍‍ମାନ୍) କ୍ରମେ ଉତ୍ତର ପ୍ରଗଣା ଈଂରାଜୀ (ବ୍ରିଟିଶ୍)ମାନଙ୍କ ଅଧିକାରକୁ ଆସିଲା ଓ ଏଠାରେ ଫରାସୀ ଶାସନର ଅନ୍ତ ଘଟିଲା । ୧୭୬୬ ମସିହାରେ ଏଡ୍‍ୱାର୍ଡ୍ କଷ୍ଟଫୋର୍ଡ୍ ପ୍ରଥମ ପ୍ରବାସୀ ବ୍ରିଟିଶ୍ ନାଗରିକ ଭାବେ ଗଞ୍ଜାମ ଆସିଥିଲେ ଓ ୧୭୬୮ ମସିହାରେ ଏହାର କାର୍ଯ୍ୟଭାର ଗ୍ରହଣ କଲେ । ପୋତାଗଡ଼ରେ ସେ ଏହି ଦୁର୍ଗ ନିର୍ମାଣ କରିଥିଲେ ବୋଲି କୁହାଯାଏ ।[୨]

ଓଲନ୍ଦାଜ୍ ଦୃଷ୍ଟିକୋଣ[ସମ୍ପାଦନା]

ଡକ୍ଟର୍ ଦୀପକ ଭଟ୍ଟାଚାର୍ଯ୍ୟଙ୍କ ନିରୀକ୍ଷଣ ଅନୁସାରେ ୧୬୩୦ ଦଶକରୁ ହିଁ ଓଲନ୍ଦାଜ୍‍ମାନଙ୍କର ଓଡ଼ିଶା ସହିତ ବାଣିଜ୍ୟିକ ସମ୍ପର୍କ ରହିଥିଲା । ଓଲନ୍ଦାଜ୍ ନାବିକମାନଙ୍କଦ୍ୱାରା ଏହି ସମୟରେ ପ୍ରସ୍ତୁତ ମାନଚିତ୍ରରେ ଓଡ଼ିଶାର ନାମ ମଧ୍ୟ ରହିଛି ଓ ଓଡ଼ିଶାରେ ଓଲନ୍ଦାଜ୍‍ମାନଙ୍କ ନିବାସସ୍ଥଳ ରହିଥିବା ମଧ୍ୟ ଜଣାପଡିଛି । ୧୬୦୨ ମସିହାରେ ଆମଷ୍ଟରଡାମ୍‍ରେ ମିଳିତ ପୂର୍ବ ଭାରତ କମ୍ପାନୀ (Verenigde Oost-Indische Compagnie) ପ୍ରତିଷ୍ଠିତ ହୋଇଥିଲା । ନେଦରଲ୍ୟାଣ୍ଡ୍ ଦେଶରେ ରହିଥିବା ୱିଲେମ୍‍ଷ୍ଟାଡ୍ ଦୁର୍ଗ ଏକ ନଦୀକୂଳରେ ଅବସ୍ଥିତ । ଏହାର ଚାରିପଟେ ପାଣିର ଖାଇ ରହିଛି ଓ ଏହାର ସ୍ଥାପତ୍ୟର ପୋତାଗଡ଼ ସହିତ ଅନେକ ସାମଞ୍ଜସ୍ୟ ରହିଛି । ପୁଣି ଉଭୟ ଦୁର୍ଗ ତ୍ରିକୋଣଭୂମିବିହୀନ ଓ ନିମ୍ନ ନିଷ୍କାସନ ହାରବିଶିଷ୍ଟ ନଦୀର ମୁହାଣରେ ଅବସ୍ଥିତ । ଏପରି ନିର୍ମାଣଗତ ସାମଞ୍ଜସ୍ୟ ଯୋଗୁଁ ଓଲନ୍ଦାଜ୍‍ମାନେ ପୋତାଗଡ଼ର ନିର୍ମାଣ କରାଇବା ସମ୍ଭବପର ଓ ମିଳିତ ପୂର୍ବ ଭାରତ କମ୍ପାନୀ ଦେବାଳିଆ ହେବା ପରେ ଏହି ଦୁର୍ଗ ଅନ୍ୟମାନଙ୍କ ଅଧିକାରକୁ ଯାଇଥିବ ବୋଲି ଡକ୍ଟର୍ ଭଟ୍ଟାଚାର୍ଯ୍ୟ ପରିକଳ୍ପନା କରିଛନ୍ତି । [୩]

ପର୍ତ୍ତୁଗୀଜ୍ ଦୃଷ୍ଟିକୋଣ[ସମ୍ପାଦନା]

ଆଫ୍ରିକାର ଗାମ୍ବିଆ ନଦୀର ମୁହାଣରୁ ଅଳ୍ପ ଦୂରରେ ଜେମ୍‍ସ୍ ଦ୍ୱୀପ ଅବସ୍ଥିତ । ସେହି ଦ୍ୱୀପରେ ପର୍ତ୍ତୁଗୀଜମାନେ ଗାମ୍ବିଆ ଦୁର୍ଗ (ଆଧୁନକ ନାମ କୁନ୍ତା କିନ୍ତେ) ନିର୍ମାଣ କରିଥିଲେ । ପର୍ତ୍ତୁଗୀଜ୍‍ମାନଙ୍କଦ୍ୱାରା ମାଡାଗାସ୍କାର୍‍ର ନ୍ୟାଲି ନଦୀର ମୁହାଣରେ “ମୋମ୍ବାସାଦୁର୍ଗ ନିର୍ମିତ ହୋଇଛି । ଉଭୟ ଦୁର୍ଗର ଭୌଗୋଳିକ ଅବସ୍ଥିତି ଓ ନିର୍ମାଣ ଶୈଳୀର ପୋତାଗଡ଼ ସହିତ ସାମଞ୍ଜସ୍ୟ ରହିଛି । ପୁଣି ମୋମ୍ବାସା ଦୁର୍ଗଦ୍ୱାରା ପରିବଦ୍ଧ କ୍ଷେତ୍ରଫଳ ମଧ୍ୟ ପୋତାଗଡ଼ର ନିକଟତର । ବହୁ ପୂର୍ବରୁ ପର୍ତ୍ତୁଗୀଜ୍‍ମାନଙ୍କ ଭାରତ ସହିତ ବାଣିଜ୍ୟିକ ସମ୍ପର୍କ ରହିଆସିଥିବାରୁ ସେମାନେ ଏହି ଦୁର୍ଗର ନିର୍ମାଣ କରିଥିବା ସମ୍ଭବପର ବୋଲି ଡକ୍ଟର୍ ଦୀପକ ଭଟ୍ଟାଚାର୍ଯ୍ୟ ମତ ରଖିଛନ୍ତି । [୩]

ପୋତାଗଡ ସହିତ ସାମଞ୍ଜସ୍ୟ ଥିବା ଅନ୍ୟ ଦୁର୍ଗ
ୱିଲେମ୍‍ଷ୍ଟାଡ୍ ଦୁର୍ଗ (ଓଲନ୍ଦାଜ୍) 
ଗାମ୍ବିଆ ଦୁର୍ଗ (ପର୍ତ୍ତୁଗୀଜ୍) ନକସା 
ମୋମ୍ବାସା ଦୁର୍ଗ (ପର୍ତ୍ତୁଗୀଜ୍) ନକସା 
ପୋତାଗଡର ନକସା 

ପୁନରୁଦ୍ଧାର[ସମ୍ପାଦନା]

ଅନେକ ବର୍ଷ ଧରି ଦୁର୍ଗଟିର କୌଣସି ରକ୍ଷଣାବେକ୍ଷଣ କରାଯାଇନଥିଲା । ୧୯୯୦ ମସିହାରେ ଋଷିକୂଲ୍ୟା ନଦୀରେ ଆସିଥିବା ଭୟଙ୍କର ବନ୍ୟା ମଧ୍ୟ ଦୁର୍ଗକୁ ଅନେକ କ୍ଷତି ପହଞ୍ଚାଇଥିଲା । ୨୦୧୦ ମସିହାରେ ବିଶ୍ୱବ୍ୟାଙ୍କ୍ ସହାୟତାରେ ସମନ୍ୱିତ ଉପକୂଳ ପରିଚାଳନା ପ୍ରକଳ୍ପ (Integrated Coastal Zone Management Project - ICZMP) ଆରମ୍ଭ ହୋଇଅଛି । ଏହି ଦୁର୍ଗର ପୁନରୁଦ୍ଧାର ଓ ସଂରକ୍ଷଣରେ ଏହି ପ୍ରକଳ୍ପ ସହାୟକ ହୋଇଛି । ଏହି ଐତିହ୍ୟ ସ୍ଥଳକୁ ଏକ ପର୍ଯ୍ୟଟନ ସ୍ଥଳ ରୂପେ ବିକଶିତ କରିବାକୁ ଚେଷ୍ଟା କରାଯାଉଛି । ୨୦୧୨ ପରଠାରୁ ପୋତାଗଡ଼ ଦେଖିବାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ଏଠାରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଅନ୍ୟାନ୍ୟ ବ୍ୟବସ୍ଥା କରିବାରେ ସହାୟତା କରୁଛି ।[୫]

ଆଧାର[ସମ୍ପାଦନା]

  1. "Potagarh fort in Orissa to get facelift". www.dnaindia.com. Retrieved 2011-05-02.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Biswanath Mallick (2005). Orissa Review - Potagarh of Ganjam (PDF). Information & Public Relations Department, Government of Orissa. p. 62-63.
  3. ୩.୦ ୩.୧ ୩.୨ ୩.୩ Dr. Deepak Bhattacharya (2016). EUROPEAN FRIGATE FORT - POTAGADA ?. Odisha History Congress.
  4. ୪.୦ ୪.୧ ୪.୨ ୪.୩ Improvement and Conservation of Cultural & Archeological assets under ICZM projet (PDF). ICZM. p. 4-5.
  5. "Efforts on to develop Potagarh fort as tourist attraction". www.thehindu.com. Retrieved 2011-05-22.