ପୋତାଗଡ଼

Coordinates: 19°22′45″N 85°03′23″E / 19.379265°N 85.0564424°E / 19.379265; 85.0564424
ଉଇକିପିଡ଼ିଆ‌ରୁ
ପୋତାଗଡ଼଼
ଗଞ୍ଜାମ, ଓଡ଼ିଶା, ଭାରତ
ପୋତାଗଡ଼଼ is located in Odisha
ପୋତାଗଡ଼଼
ପୋତାଗଡ଼଼
Coordinates19°22′45″N 85°03′23″E / 19.379265°N 85.0564424°E / 19.379265; 85.0564424
Typeଦୁର୍ଗ
Site information
Open to
the public
ହଁ

ପୋତାଗଡ଼ ଓଡ଼ିଶାରେ ଥିବା ଏକ ଦୁର୍ଗ, ଯାହା ଗଞ୍ଜାମ ଗଡ଼ ନାମରେ ମଧ୍ୟ ପରିଚିତ । ଏହା ଏକ ଦୁର୍ଗ ନୁହେଁ ବରଂ ବିଭିନ୍ନ ସମୟରେ ନିର୍ମିତ ଅନେକ ଦୁର୍ଗର ମିଶ୍ରଣ । ଦୁର୍ଗର ଦୈର୍ଘ୍ୟ ପ୍ରାୟ ୯୨ ମିଟର୍, ପ୍ରସ୍ଥ ୧୯ ମିଟର୍ ଓ ଉଚ୍ଚତା ପ୍ରାୟ ୧୫ ମିଟର୍ । ଦୁର୍ଗଟି ଭୂମିତଳେ ନିର୍ମିତ ହୋଇଥିଲା ଓ ଦୂରରୁ ଅତି ସହଜରେ ଚିହ୍ନଟ କରାଯାଇପାରିବ ।[୧] ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରୁ ପ୍ରାୟ ୮ କି.ମି. ଦୂରରେ ଗଞ୍ଜାମ ସହର ନିକଟରେ ଏହି ଦୁର୍ଗର ଅବସ୍ଥିତି । ବ୍ରିଟିଶ୍ ଶାସନାଧୀନ ଭାରତରେ ପୋତାଗଡ଼ ଦୁର୍ଗକୁ ଗଞ୍ଜାମର ପ୍ରଥମ ପ୍ରଶାସନିକ କେନ୍ଦ୍ର ବା କାର୍ଯ୍ୟାଳୟ କହିପାରିବା । ପରବର୍ତ୍ତୀ କାଳରେ ୧୮୧୫ ମସିହାରେ ପ୍ରଶାସନିକ କାର୍ଯ୍ୟାଳୟ ବ୍ରହ୍ମପୁରକୁ ଓ ୧୮୩୫ ମସିହାରେ ବ୍ରହ୍ମପୁରରୁ ଛତ୍ରପୁରକୁ ସ୍ଥାନାନ୍ତରିତ ହୋଇଥିଲା । ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ କାର୍ଯ୍ୟାଳୟ ଏବେ ଛତ୍ରପୁରରେ ଅବସ୍ଥିତ ।

ବର୍ତ୍ତମାନ ସମୟରେ ଭଗ୍ନାବଶେଷରେ ପରିଣତ ହୋଇଯାଇଥିବା ପୋତାଗଡ଼ ବିଗତ ସମୟର ଶାସକ ଓ ସେମାନଙ୍କ ପ୍ରଶାସନିକ କାର୍ଯ୍ୟକଳାପର ମୁକସାକ୍ଷୀ । ପୋତାଗଡ଼ ବିଭିନ୍ନ ସମୟରେ କଳିଙ୍ଗ, ଦଣ୍ଡପାଟ, ଗଞ୍ଜାମ, ଶ୍ରୀକାକୁଲମ୍ ସରକାର ଇତ୍ୟାଦି ବିଭିନ୍ନ ରାଜ୍ୟ ବା ସାମ୍ରାଜ୍ୟର ମୁଖ୍ୟ ପ୍ରଶାସନିକ କାର୍ଯ୍ୟାଳୟ ରହିଆସିଛି । ପୋତାଗଡ଼ର ଇତିହାସରୁ ପୂର୍ବ ଭାରତରେ ଗଞ୍ଜାମ, ଉତ୍ତରୀୟ ପ୍ରଗଣା, ଫରାସୀ ଶାସନ, ମାନ୍ଦ୍ରାଜ୍ ରାଜ୍ୟ, ବଙ୍ଗଳା ରାଜ୍ୟ ଓ ବ୍ରିଟିଶ୍ ଇଷ୍ଟ ଇଣ୍ଡିଆ କମ୍ପାନୀର ଇତିହାସ ବିଷୟରେ କିଛି ମାତ୍ରାରେ ଜାଣିହେବ ।

ପୋତାଗଡ଼ ସମ୍ବନ୍ଧରେ ଅନେକ ଲୋକକଥା ଶୁଣିବାକୁ ମିଳେ । ଦୁର୍ଗର ଅଧିଷ୍ଠାତ୍ରୀ ଦେବୀଙ୍କ କୋପରେ ପାର୍ଶ୍ୱବର୍ତ୍ତୀ ଗଞ୍ଜା (ଆଧୁନିକ ଗଞ୍ଜାମ ସହର) ନଷ୍ଟ ହୋଇଯିବା, ଆକ୍ରମଣ ସମୟରେ ପୋତାଗଡ଼ର ଗୁପ୍ତ ସୁଡଙ୍ଗ ଦେଇ ରାଜା ଦୁର୍ଗ ପରିତ୍ୟାଗ କରିବା ଓ ଡଙ୍ଗା ସାହାଯ୍ୟରେ ସମୁଦ୍ରପଥରେ ପଳାୟନ କରିବା ଇତ୍ୟାଦି ସବୁ ଲୋକକଥାରେ ପୋତାଗଡ଼ର ଉଲ୍ଲେଖ ରହିଛି ।[୨]

ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିରୁ ପୋତାଗଡ଼କୁ ପୋତାଧନ କୁହାଯାଇପାରେ । ତେଣୁ ଏହାର ସଂରକ୍ଷଣ ପାଇଁ ଅନେକ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନେକ ସମୟ ଧରି ଅବହେଳିତ ଏହି ଦୁର୍ଗ ୨୦୧୨ ମସିହା ପରଠାରୁ କିଛି ମାତ୍ରାରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ଭୌଗୋଳିକ ଅବସ୍ଥିତି[ସମ୍ପାଦନା]

ପୋତାଗଡ଼ ଦୁର୍ଗରୁ ଋଷିକୂଲ୍ୟା ନଦୀର ଦୃଶ୍ୟ

ପୋତାଗଡ଼ର ଭୌଗୋଳିକ ଅବସ୍ଥିତି ଦେଲା ୧୯.୨୨° ଉତ୍ତର ଅକ୍ଷାଂଶ ଓ ୮୫.୪୯° ପୂର୍ବ ଦ୍ରାଘିମା । ଏହି ଦୁର୍ଗଟି ଋଷିକୂଲ୍ୟା ନଦୀର ମୁହାଣ ନିକଟରେ ଅବସ୍ଥିତ । ଋଷିକୂଲ୍ୟା ନଦୀର ଉତ୍ତର କୂଳରେ ପୋତାଗଡ଼ ଦଣ୍ଡାୟମାନ । ପୋତାଗଡ଼ର ଦକ୍ଷିଣ-ପୂର୍ବ ଆଡକୁ ଅଳ୍ପ କିଛି ଦୂରତାରେ ଋଷିକୂଲ୍ୟା ନଦୀ ବଙ୍ଗୋପସାଗରରେ ମିଶିଛି ।

ନାମକରଣ[ସମ୍ପାଦନା]

ପୋତାଗଡ଼ର ଏପରି ନାମକରଣ ସମ୍ବନ୍ଧୀୟ କେତେକ ସମ୍ଭାବନା ରହିଛି । ସେଗୁଡିକ ହେଲେ :

  • ଓଡ଼ିଆ ଶବ୍ଦ “ପୋତା”ର ଅର୍ଥ ପୋତି ହୋଇଯାଇଥିବା ଓ “ଗଡ”ର ଅର୍ଥ ହେଲା ଦୁର୍ଗ । ପୋତାଗଡ଼ର ଅର୍ଥ ପୋତି ହୋଇଯାଇଥିବା ଦୁର୍ଗ । ଏହି ଦୁର୍ଗଟି ବର୍ତ୍ତମାନ ପୋତି ହୋଇଯାଇଥିବାରୁ ଏହାର ନାମକରଣ ଏପରି ହୋଇଛି ବୋଲି କେତେକ ବିଶେଷଜ୍ଞ ମତ ପୋଷଣ କରିଛନ୍ତି । ୧୮୧୫ ମସିହା ବେଳକୁ ଗଞ୍ଜାରେ ଏକ ଭୟଙ୍କର ମହାମାରୀ ଦେଖାଦେଇଥିଲା । ଏହି କାରଣରୁ ମୃତ ଶରୀରର ଶେଷକ୍ରିୟା ପରେ ଦୁର୍ଗକୁ ପୋତି ଦେଇ ଇଂରାଜୀ ଅଧିକାରୀମାନେ ଏହି ଅଞ୍ଚଳ ପରିତ୍ୟାଗ କରିଥାଇପାରନ୍ତି ।
  • ଅନ୍ୟ ଏକ ଓଡ଼ିଆ ଶବ୍ଦ “ପୋତ”ର ଅର୍ଥ ହେଲା ଜାହାଜ ବା ଯୁଦ୍ଧ ଜାହାଜ । ଅତୀତରେ ଇଉରୋପୀୟ ଔପନିବେଶିକ ଶକ୍ତିମାନେ ଏହି ଦୁର୍ଗଟିକୁ ଏକ ନୌସେନା କେନ୍ଦ୍ର ଭାବେ ବ୍ୟବହାର କରୁଥିଲେ ବୋଲି କେତେଜଣ ବିଶେଷଜ୍ଞ ମତ ରଖିଛନ୍ତି । ଯଦି ଏହି ଦୁର୍ଗଟି ଅତୀତରେ ସାମୁଦ୍ରିକ ପୋତ ପାଇଁ ବନ୍ଦର ପରି ବ୍ୟବହୃତ ହେଉଥାଏ ତେବେ ଏହାର ନାମକରଣ “ପୋତଗଡ” ହୋଇଥିବା ଯଥାର୍ଥ ବୋଲି ମନେହୁଏ । ପରବର୍ତ୍ତୀ ସମୟରେ ଏହାର ନାମ ପରିବର୍ତ୍ତିତ ହୋଇ ପୋତାଗଡ଼ ହୋଇଥିବା ସମ୍ଭବ । ପୋତାଗଡ଼ ନିକଟରେ ଥିବା ବାଣପୁର ଓ ଗୋଳାବନ୍ଧ ପରି ସ୍ଥାନରୁ ଏହି ଅଞ୍ଚଳରେ ଗୁଳିଗୋଳା ପ୍ରସ୍ତୁତିର କେନ୍ଦ୍ରମାନ ରହିଥିବା ଅନୁମାନ କରାଯାଇପାରେ ।[୩]

ପୋତାଗଡ଼ର ନିର୍ମାଣ[ସମ୍ପାଦନା]

ପୋତାଗଡ଼ ଦୁର୍ଗର ଏକ ପ୍ରବେଶ ଦ୍ୱାର

ନଦୀକୂଳରେ ଏହି ତାରକାକୃତି ଦୁର୍ଗଟି ଏକ ବିସ୍ତୃତ ଅଞ୍ଚଳରେ ବ୍ୟାପ୍ତ । ଦୁର୍ଗର ପ୍ରାଚୀର ମଧ୍ୟରେ ଭିନ୍ନ ଭିନ୍ନ ସ୍ଥାପତ୍ୟ ଶୈଳୀର ତିନୋଟି ଅଟ୍ଟାଳିକା ରହିଛି । ସମ୍ଭବତଃ ଏହି ତିନି ଭିନ୍ନ ସ୍ଥାପତ୍ୟ ଶୈଳୀ ମୁସଲିମ୍, ଫରାସୀ ଓ ବ୍ରିଟିଶ୍ ଶୈଳୀର ସୂଚକ । ମୁସଲିମ୍ ସ୍ଥାପତ୍ୟ ଶୈଳୀରେ ନିର୍ମିତ ପ୍ରଥମ ଅଟ୍ଟାଳିକା ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ବିଧ୍ୱସ୍ତ ଓ କେବଳ କେତେକ ଅବଶେଷ ମାଧ୍ୟମରେ ଜୀବିତ । ଅନ୍ୟ ଦୁଇଟି ଅଟ୍ଟାଳିକା ମଧ୍ୟ ବିଶେଷ ଭଲ ଅବସ୍ଥାରେ ନାହାନ୍ତି । ଏହାଛଡା ଦୁର୍ଗ ମଧ୍ୟରେ କାର୍ଯ୍ୟାଳୟ, ବାରୁଦଘର, ଶସ୍ତ୍ରାଗାର ମଧ୍ୟ ରହିଛି । ବାରୁଦଘରଟି ଆକାରରେ ବଡ଼ ଓ ୪୦୦୦୦ ପାଉଣ୍ଡ୍ ପର୍ଯ୍ୟନ୍ତ ବାରୁଦ ଗଚ୍ଛିତ ରଖିପାରିବ ।[୪] ବାରୁଦଘରର କାନ୍ଥ ମାଟି ଖୋଳାଯାଇ ଶକ୍ତ ପଥରରେ ନିର୍ମିତ ହୋଇଛି । କାର୍ଯ୍ୟାଳୟର କାନ୍ଥ ମାଟି, କାଠ ଇତ୍ୟାଦିରେ ନିର୍ମିତ ହୋଇଛି । ଦୁର୍ଗ ମଧ୍ୟରୁ ବର୍ଷାଜଳ ନିଷ୍କାସନ କରିବା ପାଇଁ ଚାରିଟି ନିଷ୍କାସନ ନାଳ ରହିଛି ।[୪] ଦକ୍ଷିଣ ପଟର ପାଚେରୀକୁ ଭେଦି ଏକ ସୁଡଙ୍ଗ ନଦୀ ପାଖରେ ବାହାରିଛି । ପୂର୍ବ ପଟର କାନ୍ଥର ଭିତରପଟୁ ମଧ୍ୟ ଏକ ସୁଡଙ୍ଗ ରହିଛି ।[୨][୪] ଏହି ଦୁଇ ସୁଡଙ୍ଗ ମଧ୍ୟରୁ ଗୋଟିଏ ଗୋପନରେ ଦୁର୍ଗରୁ ପଳାୟନ କରିବା ପାଇଁ ଓ ଅନ୍ୟଟି ରାଣୀ ବା ମହିଳାମାନେ ନଦୀକୁ ସ୍ନାନ କରିବା ପାଇଁ ବ୍ୟବହାର କରୁଥିବେ ବୋଲି ଅନୁମାନ କରାଯାଏ ।[୨]

ଦୁର୍ଗର ପ୍ରାଚୀର ପ୍ରାୟ ୮ ଫୁଟ୍ ମୋଟା ଓ ପ୍ରାଚୀରକୁ ପରିବେଷ୍ଟନ କରି ପାଣିର ଖାଇ ରହିଛି । ପ୍ରାଚୀରଟି ଇଟାରେ ତିଆରି । ଦୁର୍ଗର ମଧ୍ୟରେ ପଞ୍ଚଭୁଜାକୃତି ଆଉ ଏକ କ୍ଷେତ୍ର ରହିଛି । ବାହ୍ୟ ଓ ଅନ୍ତଃ ପ୍ରାଚୀର ମଧ୍ୟବର୍ତ୍ତୀ ସ୍ଥାନରେ ମାଟିଦ୍ୱାରା ଭରିଦିଆଯାଇଛି । ଦୁର୍ଗର ଦୁଇଟି ସୁନ୍ଦର ମୁଖ୍ୟ ପ୍ରବେଶ ଦ୍ୱାର ରହିଛି । ଗୋଟିଏ ସାମନା ପଟେ ଓ ଅନ୍ୟଟି ଦୁର୍ଗର ପଛପଟେ ନଦୀ କୂଳରେ ଅବସ୍ଥିତ । ମୁଖ୍ୟ ପ୍ରବେଶ ଦ୍ୱାର ବର୍ତ୍ତମାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଅନ୍ୟଟି ଭଲ ଅବସ୍ଥାରେ ରହିଛି । ପ୍ରସିଦ୍ଧ ଐତିହାସିକ ୱିଲିୟମ୍ ୱିଲ୍‍ସନ୍ ହଣ୍ଟର୍ ପୋତାଗଡ଼ ବିଷୟରେ ବିବରଣୀ ଦେଇ ଲେଖିଛନ୍ତି ଯେ “ପୂର୍ବ ପଟ ବ୍ୟତୀତ ଦୁର୍ଗର ମୀନାର୍‍ଗୁଡିକ ମଧ୍ୟରେ ଥିବା କୋଣ ଯୋଗୁଁ ତାରକା ପରି ଆକୃତି ସୃଷ୍ଟି ହୋଇଛି । ପୂର୍ବପଟରେ ଏକ ବିଶାଳ ତୋରଣ ରହିଛି । ଦୁର୍ଗର କାନ୍ଥର ଉଚ୍ଚତା ୧୮ରୁ ୨୨ ଫୁଟ୍ ମଧ୍ୟରେ ହେବ । ଦୁର୍ଗର ତିନିପଟକୁ ଜଳପୂର୍ଣ୍ଣ ଖାଇ ଘେରି ରହିଛି ଯାହାର କେତୋଟି ସ୍ଥାନ ଯଥେଷ୍ଟ ଗଭୀର । ଚତୁର୍ଥ ପଟରେ ପ୍ରାଚୀରଠାରୁ ୧୫୦ ୟାର୍ଡ୍ ପର୍ଯ୍ୟନ୍ତ ଘଞ୍ଚ ଜଙ୍ଗଲ ରହିଥିବାରୁ ଏହା ସୁରକ୍ଷିତ ।“[୨]

ପୋତାଗଡ଼ର ନିର୍ମାଣ ସମ୍ପର୍କରେ ଐତିହାସିକମାନଙ୍କ ମତ ବିଭାଜିତ । ଅଦ୍ୟାବଧି କୌଣସି ପ୍ରତ୍ନତାତ୍ତ୍ୱିକ ବା ଶିଳାଲେଖ ପରି ପ୍ରମାଣ ମିଳିପାରି ନଥିବାରୁ ଏହି ସମ୍ପର୍କରେ ଗବେଷକଙ୍କଠାରୁ ଭିନ୍ନ ଭିନ୍ନ ଦୃଷ୍ଟିକୋଣ ଜାଣିବାକୁ ମିଳେ ।

ମୁସଲିମ୍ ବା ମୋଗଲ୍ ଦୃଷ୍ଟିକୋଣ[ସମ୍ପାଦନା]

ଦୁର୍ଗଟି ତାରକାକୃତି ହୋଇଥିବାରୁ ଓ ଏହାର ପ୍ରାଙ୍ଗଣ ମଧ୍ୟରେ ଏକ ପ୍ରାଚୀନ ମସଜିଦ୍ ରହିଥିବାରୁ କିଛି ବିଶେଷଜ୍ଞ ଏହି ଦୁର୍ଗଟି ମୁସଲିମ୍ ଶାସକଙ୍କଦ୍ୱାରା ନିର୍ମିତ ବୋଲି ମତ ରଖିଛନ୍ତି । ସପ୍ତଦଶ ଶତାବ୍ଦୀର କୁତବସାହି ବା କୁତବ ଶାସନ ସମୟରେ ଗଞ୍ଜାମ ଜିଲ୍ଲା ଚିଲିକାରୁ ଶ୍ରୀକାକୁଲମ୍ ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା । ଏହି ଅଞ୍ଚଳକୁ ସେତେବେଳେ ଶ୍ରୀକାକୁଲମ୍ ସରକାର ନାମ ଦିଆଯାଇଥିଲା । ଈଂରାଜୀ ପୂର୍ବ ଭାରତୀୟ କମ୍ପାନୀଦ୍ୱାରା ଗୋଲକୁଣ୍ଡାରୁ ନିୟନ୍ତ୍ରିତ ଏହି ପ୍ରଶାସନିକ କ୍ଷେତ୍ର ଉତ୍ତରତମ ନିୟନ୍ତ୍ରଣ କ୍ଷେତ୍ର ଥିଲା ।

ଗୋଲକୁଣ୍ଡାର ଶାସକ ଅବଦୁଲ୍ କୁତବ୍‍ଶାହାଙ୍କ ଶାସନକାଳରେ ୧୬୪୧ ମସିହାରେ ମହମ୍ମଦ ଖାନ୍ ଶ୍ରୀକାକୁଲମ୍‍ର ଫୌଜଦାର ଭାବେ ନିଯୁକ୍ତ ହୋଇଥିଲେ । ସେ ଶ୍ରୀକାକୁଲମ୍ ଓ ଇଚ୍ଛାପୁରରେ କେତେକ ସୁନ୍ଦର ମସଜିଦ୍ ତିଆରି କରାଇଥିଲେ । ସେ ସମୟରେ ପୁରାତନ କଳିଙ୍ଗର ଦଣ୍ଡପାଟ (ଆଧୁନିକ ଗଞ୍ଜାମ) ଶ୍ରୀକାକୁଲମ୍ ଓ ଇଚ୍ଛାପୁର ପରି ଦୁଇଟି ଭାଗରେ ବିଭକ୍ତ ହୋଇଥିଲା । ଇଚ୍ଛାପୁରର ପ୍ରଶାସନ ବ୍ୟବସ୍ଥାର ସୁପରିଚାଳନା ପାଇଁ ମହମ୍ମଦ ଖାନ୍ ପୋତାଗଡ଼ର ନିର୍ମାଣ କରାଇଥାଇ ପାରନ୍ତି ବୋଲି କେତେକ ଐତିହାସିକ ମତ ରଖିଛନ୍ତି ।

ଚତୁର୍ଥ ସୁଲତାନ୍ ଇବ୍ରାହିମ୍ କୁତବଶାହଙ୍କଦ୍ୱାରା ପୋତାଗଡ଼ର ନିର୍ମାଣ ହୋଇଛି ବୋଲି ଆଉ କେତେକ ବିଶେଷଜ୍ଞ ମତ ରଖିଛନ୍ତି ।

ଫରାସୀ ଦୃଷ୍ଟିକୋଣ[ସମ୍ପାଦନା]

୧୭୫୩ ମସିହାରେ ଉତ୍ତର ପ୍ରଗଣା ଫରାସୀମାନଙ୍କ ଅଧୀନକୁ ଆସିଲା । ଫରାସୀ ସେନାଧ୍ୟକ୍ଷ ମନ୍‍ସ୍ୟୁର୍ ଡି ବୁଜି ଗଞ୍ଜାମର କାର୍ଯ୍ୟଭାର ସମ୍ଭାଳିଲେ ଓ ପୋତାଗଡ଼ରୁ ଏହି ଅଞ୍ଚଳର ଶାସନ କରୁଥିଲେ । ଶାସନ ସମୟରେ ସେ ନିଜର କାର୍ଯ୍ୟାଳୟ ପାଇଁ ଓ ତାଙ୍କ ସହକର୍ମୀ ଫରାସୀ ଲୋକଙ୍କ ପାଇଁ ଏହି ଦୁର୍ଗଟି ନିର୍ମାଣ କରାଇଥିବେ ବୋଲି ଆଉ କେତେଜଣ ମତ ରଖିଛନ୍ତି । ପୋତାଗଡ଼ରେ ଫରାସୀଙ୍କ ଉପସ୍ଥିତି ଦୁର୍ଗରୁ ଅନତି ଦୂରରେ ଥିବା ସମାଧିସ୍ଥଳ ରହିଛି । ସମାଧିସ୍ଥଳକୁ ସ୍ଥାନୀୟ ଲୋକେ “ଗୋରା କବର” କହିଆସୁଛନ୍ତି । ଏହିଠାରେ ଦୁଇଟି ଫରାସୀ ମୂଳନିବାସୀଙ୍କ ସମାଧିର ସନ୍ଧାନ ମିଳିଛି ।[୨]

ବ୍ରିଟିଶ୍ ଦୃଷ୍ଟିକୋଣ[ସମ୍ପାଦନା]

ଗଞ୍ଜାମର ପ୍ରଥମ ଈଂରାଜୀ ପ୍ରବାସୀ ଏଡ୍‍ୱାର୍ଡ୍ କଷ୍ଟଫୋର୍ଡ୍ ୧୭୬୮ ମସିହାରେ ପୋତାଗଡ଼ ଦୁର୍ଗର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ବୋଲି ଅନେକ ଐତିହାସିକ ମତ ରଖନ୍ତି । ୧୭୬୫ ମସିହାରେ ଏକ ରାଜକୀୟ ଘୋଷଣା (ଫର୍‍ମାନ୍) କ୍ରମେ ଉତ୍ତର ପ୍ରଗଣା ଈଂରାଜୀ (ବ୍ରିଟିଶ୍)ମାନଙ୍କ ଅଧିକାରକୁ ଆସିଲା ଓ ଏଠାରେ ଫରାସୀ ଶାସନର ଅନ୍ତ ଘଟିଲା । ୧୭୬୬ ମସିହାରେ ଏଡ୍‍ୱାର୍ଡ୍ କଷ୍ଟଫୋର୍ଡ୍ ପ୍ରଥମ ପ୍ରବାସୀ ବ୍ରିଟିଶ୍ ନାଗରିକ ଭାବେ ଗଞ୍ଜାମ ଆସିଥିଲେ ଓ ୧୭୬୮ ମସିହାରେ ଏହାର କାର୍ଯ୍ୟଭାର ଗ୍ରହଣ କଲେ । ପୋତାଗଡ଼ରେ ସେ ଏହି ଦୁର୍ଗ ନିର୍ମାଣ କରିଥିଲେ ବୋଲି କୁହାଯାଏ ।[୨]

ଓଲନ୍ଦାଜ୍ ଦୃଷ୍ଟିକୋଣ[ସମ୍ପାଦନା]

ଡକ୍ଟର୍ ଦୀପକ ଭଟ୍ଟାଚାର୍ଯ୍ୟଙ୍କ ନିରୀକ୍ଷଣ ଅନୁସାରେ ୧୬୩୦ ଦଶକରୁ ହିଁ ଓଲନ୍ଦାଜ୍‍ମାନଙ୍କର ଓଡ଼ିଶା ସହିତ ବାଣିଜ୍ୟିକ ସମ୍ପର୍କ ରହିଥିଲା । ଓଲନ୍ଦାଜ୍ ନାବିକମାନଙ୍କଦ୍ୱାରା ଏହି ସମୟରେ ପ୍ରସ୍ତୁତ ମାନଚିତ୍ରରେ ଓଡ଼ିଶାର ନାମ ମଧ୍ୟ ରହିଛି ଓ ଓଡ଼ିଶାରେ ଓଲନ୍ଦାଜ୍‍ମାନଙ୍କ ନିବାସସ୍ଥଳ ରହିଥିବା ମଧ୍ୟ ଜଣାପଡିଛି । ୧୬୦୨ ମସିହାରେ ଆମଷ୍ଟରଡାମ୍‍ରେ ମିଳିତ ପୂର୍ବ ଭାରତ କମ୍ପାନୀ (Verenigde Oost-Indische Compagnie) ପ୍ରତିଷ୍ଠିତ ହୋଇଥିଲା । ନେଦରଲ୍ୟାଣ୍ଡ୍ ଦେଶରେ ରହିଥିବା ୱିଲେମ୍‍ଷ୍ଟାଡ୍ ଦୁର୍ଗ ଏକ ନଦୀକୂଳରେ ଅବସ୍ଥିତ । ଏହାର ଚାରିପଟେ ପାଣିର ଖାଇ ରହିଛି ଓ ଏହାର ସ୍ଥାପତ୍ୟର ପୋତାଗଡ଼ ସହିତ ଅନେକ ସାମଞ୍ଜସ୍ୟ ରହିଛି । ପୁଣି ଉଭୟ ଦୁର୍ଗ ତ୍ରିକୋଣଭୂମିବିହୀନ ଓ ନିମ୍ନ ନିଷ୍କାସନ ହାରବିଶିଷ୍ଟ ନଦୀର ମୁହାଣରେ ଅବସ୍ଥିତ । ଏପରି ନିର୍ମାଣଗତ ସାମଞ୍ଜସ୍ୟ ଯୋଗୁଁ ଓଲନ୍ଦାଜ୍‍ମାନେ ପୋତାଗଡ଼ର ନିର୍ମାଣ କରାଇବା ସମ୍ଭବପର ଓ ମିଳିତ ପୂର୍ବ ଭାରତ କମ୍ପାନୀ ଦେବାଳିଆ ହେବା ପରେ ଏହି ଦୁର୍ଗ ଅନ୍ୟମାନଙ୍କ ଅଧିକାରକୁ ଯାଇଥିବ ବୋଲି ଡକ୍ଟର୍ ଭଟ୍ଟାଚାର୍ଯ୍ୟ ପରିକଳ୍ପନା କରିଛନ୍ତି । [୩]

ପର୍ତ୍ତୁଗୀଜ୍ ଦୃଷ୍ଟିକୋଣ[ସମ୍ପାଦନା]

ଆଫ୍ରିକାର ଗାମ୍ବିଆ ନଦୀର ମୁହାଣରୁ ଅଳ୍ପ ଦୂରରେ ଜେମ୍‍ସ୍ ଦ୍ୱୀପ ଅବସ୍ଥିତ । ସେହି ଦ୍ୱୀପରେ ପର୍ତ୍ତୁଗୀଜମାନେ ଗାମ୍ବିଆ ଦୁର୍ଗ (ଆଧୁନକ ନାମ କୁନ୍ତା କିନ୍ତେ) ନିର୍ମାଣ କରିଥିଲେ । ପର୍ତ୍ତୁଗୀଜ୍‍ମାନଙ୍କଦ୍ୱାରା ମାଡାଗାସ୍କାର୍‍ର ନ୍ୟାଲି ନଦୀର ମୁହାଣରେ “ମୋମ୍ବାସାଦୁର୍ଗ ନିର୍ମିତ ହୋଇଛି । ଉଭୟ ଦୁର୍ଗର ଭୌଗୋଳିକ ଅବସ୍ଥିତି ଓ ନିର୍ମାଣ ଶୈଳୀର ପୋତାଗଡ଼ ସହିତ ସାମଞ୍ଜସ୍ୟ ରହିଛି । ପୁଣି ମୋମ୍ବାସା ଦୁର୍ଗଦ୍ୱାରା ପରିବଦ୍ଧ କ୍ଷେତ୍ରଫଳ ମଧ୍ୟ ପୋତାଗଡ଼ର ନିକଟତର । ବହୁ ପୂର୍ବରୁ ପର୍ତ୍ତୁଗୀଜ୍‍ମାନଙ୍କ ଭାରତ ସହିତ ବାଣିଜ୍ୟିକ ସମ୍ପର୍କ ରହିଆସିଥିବାରୁ ସେମାନେ ଏହି ଦୁର୍ଗର ନିର୍ମାଣ କରିଥିବା ସମ୍ଭବପର ବୋଲି ଡକ୍ଟର୍ ଦୀପକ ଭଟ୍ଟାଚାର୍ଯ୍ୟ ମତ ରଖିଛନ୍ତି । [୩]

ପୋତାଗଡ ସହିତ ସାମଞ୍ଜସ୍ୟ ଥିବା ଅନ୍ୟ ଦୁର୍ଗ
ୱିଲେମ୍‍ଷ୍ଟାଡ୍ ଦୁର୍ଗ (ଓଲନ୍ଦାଜ୍)
ୱିଲେମ୍‍ଷ୍ଟାଡ୍ ଦୁର୍ଗ (ଓଲନ୍ଦାଜ୍) 
ଗାମ୍ବିଆ ଦୁର୍ଗ (ପର୍ତ୍ତୁଗୀଜ୍) ନକସା
ଗାମ୍ବିଆ ଦୁର୍ଗ (ପର୍ତ୍ତୁଗୀଜ୍) ନକସା 
ମୋମ୍ବାସା ଦୁର୍ଗ (ପର୍ତ୍ତୁଗୀଜ୍) ନକସା
ମୋମ୍ବାସା ଦୁର୍ଗ (ପର୍ତ୍ତୁଗୀଜ୍) ନକସା 
ପୋତାଗଡର ନକସା
ପୋତାଗଡର ନକସା 

ପୁନରୁଦ୍ଧାର[ସମ୍ପାଦନା]

ଅନେକ ବର୍ଷ ଧରି ଦୁର୍ଗଟିର କୌଣସି ରକ୍ଷଣାବେକ୍ଷଣ କରାଯାଇନଥିଲା । ୧୯୯୦ ମସିହାରେ ଋଷିକୂଲ୍ୟା ନଦୀରେ ଆସିଥିବା ଭୟଙ୍କର ବନ୍ୟା ମଧ୍ୟ ଦୁର୍ଗକୁ ଅନେକ କ୍ଷତି ପହଞ୍ଚାଇଥିଲା । ୨୦୧୦ ମସିହାରେ ବିଶ୍ୱବ୍ୟାଙ୍କ୍ ସହାୟତାରେ ସମନ୍ୱିତ ଉପକୂଳ ପରିଚାଳନା ପ୍ରକଳ୍ପ (Integrated Coastal Zone Management Project - ICZMP) ଆରମ୍ଭ ହୋଇଛି । ଏହି ଦୁର୍ଗର ପୁନରୁଦ୍ଧାର ଓ ସଂରକ୍ଷଣରେ ଏହି ପ୍ରକଳ୍ପ ସହାୟକ ହୋଇଛି । ଏହି ଐତିହ୍ୟ ସ୍ଥଳକୁ ଏକ ପର୍ଯ୍ୟଟନ ସ୍ଥଳ ରୂପେ ବିକଶିତ କରିବାକୁ ଚେଷ୍ଟା କରାଯାଉଛି । ୨୦୧୨ ପରଠାରୁ ପୋତାଗଡ଼ ଦେଖିବାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ଏଠାରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଅନ୍ୟାନ୍ୟ ବ୍ୟବସ୍ଥା କରିବାରେ ସହାୟତା କରୁଛି ।[୫]

ଆଧାର[ସମ୍ପାଦନା]

  1. "Potagarh fort in Orissa to get facelift". www.dnaindia.com. Retrieved 2011-05-02.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Biswanath Mallick (2005). Orissa Review - Potagarh of Ganjam (PDF). Information & Public Relations Department, Government of Orissa. p. 62-63.
  3. ୩.୦ ୩.୧ ୩.୨ ୩.୩ Dr. Deepak Bhattacharya (2016). EUROPEAN FRIGATE FORT - POTAGADA ?. Odisha History Congress.
  4. ୪.୦ ୪.୧ ୪.୨ ୪.୩ Improvement and Conservation of Cultural & Archeological assets under ICZM projet (PDF). ICZM. p. 4-5.[permanent dead link]
  5. "Efforts on to develop Potagarh fort as tourist attraction". www.thehindu.com. Retrieved 2011-05-22.