ସ୍ୱର୍ଗଦ୍ୱାର
ସ୍ୱର୍ଗଦ୍ୱାର, ପୁରୀ ସହରର ଉତ୍ତର-ପୂର୍ବ କୋଣଆଡ଼କୁ ବାଲୁକାମୟ ବେଳାଭୂମିରେ ଅବସ୍ଥିତ ଶବଦାହ ଭୂମି । ସ୍ୱର୍ଗଦ୍ୱାରକୁ ସ୍ୱର୍ଗଲୋକ ଯିବାର ମାର୍ଗଭାବରେ ଗଣନା କରାଯାଏ । ହିନ୍ଦୁମାନଙ୍କ ବିଶ୍ୱାସ ଅନୁସାରେ ସ୍ୱର୍ଗଦ୍ୱାରରେ ଶବଦାହ କଲେ ମଣିଷର ସମସ୍ତ ପାପ କ୍ଷୟ ହୋଇଯାଏ ଏବଂ ସେ ପୂନଃଜନ୍ମରୁ ମୁକ୍ତି ପାଇଥାଏ ।[୧]
ଏଠାରେ ଶ୍ମଶାନକାଳୀ ମନ୍ଦିର ଅବସ୍ଥିତ । ଦେବୀ କାଳୀ ସ୍ୱର୍ଗଦ୍ୱାରର ଜଗୁଆଳୀ ଏବଂ ସ୍ୱର୍ଗ ଗମନ କରୁଥିବା ଅତ୍ମାମାନଙ୍କର ପ୍ରତୀକ ସ୍ୱରୂପ । ପ୍ରତ୍ୟେକ ଅମାବାସ୍ୟାରେ ମହାପ୍ରଭୁ ଜଗନ୍ନାଥ ନିଜର ଶ୍ୱଶୁର ଘର ସମୁଦ୍ରକୁ ବୁଲିବାକୁ ଯିବାବେଳେ ଏହି ଶବଦାହ ଭୂମିଦେଇ ଯାଇଥାନ୍ତି । ଏଠାରେ ଓଡ଼ିଶାର ଭୁତପୂର୍ବ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମାଧୀ ରହିଛି ।
ଲୋକକଥା
[ସମ୍ପାଦନା]ପୁରୁଷୋତ୍ତମ କ୍ଷେତ୍ର ପୁରୀକୁ ମର୍ତ୍ତ୍ୟ ବୈକୁଣ୍ଠ ଭାବରେ ଗଣନା କରାଯାଏ, ଯେଉଁଠି ଭଗବାନ ବିଷ୍ଣୁ ବଡ଼ ଦେଉଳରେ ଜଗନ୍ନାଥ ଭାବରେ ବାସ କରନ୍ତି । ସେଥିପାଇଁ, କୌଣସି ଶରୀର ଏହି ମୃତ୍ୟୁବରଣ କଲେ ସିଧା ସ୍ୱର୍ଗାଲୋକ ଗମନ କରିଥାଏ ଏବଂ ମୁକ୍ତି ପ୍ରାପ୍ତ ହୋଇଥାଏ । ମହୋଦଧି ବ୍ୟତୀତ ସ୍ୱର୍ଗଦ୍ୱାରରେ ମଧ୍ୟ ସିଧା ମୁକ୍ତି ପ୍ରାପ୍ତି ହୋଇଥାଏ । ଶ୍ରୀ ଚୈତନ୍ୟଦେବ ମଧ୍ୟ ଏହିଠାରେ ପ୍ରଥମେ ସ୍ନାନ କରି ଦିବ୍ୟଶକ୍ତିର ଲାଭ କରିଥିଲେ । ଧର୍ମଗ୍ରନ୍ଥ ଅନୁସାରେ ବ୍ରହ୍ମଦାରୁ[୨]ସମୁଦ୍ରରେ ଭାସିଆସି ସ୍ୱର୍ଗଦ୍ୱାର ନିକଟରେ ଲାଗିଥିଲା ଯେଉଁଥିରୁ ଜଗନ୍ନାଥ ମନ୍ଦିରର ଚତୁର୍ଦ୍ଧାମୂର୍ତ୍ତିଙ୍କର ଉତ୍ପତ୍ତି ହୋଇଛି ।
ଜମି ବିବାଦ
[ସମ୍ପାଦନା]୧୯୨୮ ମସିହା ସାବକ ରେକର୍ଡ ଅନୁଯାୟୀ ୧୬ଏକର ୪୦୦ଡେସିମିଲ ଜମିରେ ଶବସତ୍କାର ହେଉଥିଲା । ତାହା ଶ୍ରୀଜଗନ୍ନାଥ ମହାପ୍ରଭୁ ମାର୍ଫତ ଶଙ୍କର ମଧୁସୂଦନ ତୀର୍ଥ ସ୍ୱାମୀ, ଗୁରୁ ଦାମୋଦର ତୀର୍ଥ ସ୍ୱାମୀ ଭାବେ ରେକର୍ଡ ହୋଇଥିଲା । ଜମିର କିସମଥିଲା ଅମୃତମଣୋହି । ୧୯୮୫ ମସିହାରେ ସ୍ୱର୍ଗଦ୍ୱାର ଶ୍ମଶାନର ରକ୍ଷଣାବେକ୍ଷଣ ଦାୟିତ୍ୱ ପୁରୀ ପୌରସଂସ୍ଥାକୁ ହସ୍ତାନ୍ତର କରାଯାଇଥିଲା । କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅନୁରୋଧ କ୍ରମେ ତହସିଲଦାର ବାଲିସାହି ମୌଜାର ସାବକ ଖାତା ୩୩ ଏବଂ ପ୍ଲଟ ୮୫୩ରେ ଥିବା ୯୦୦ଡେସିମିଲ ଜମି ପ୍ରଥମେ ସ୍ୱର୍ଗଦ୍ୱାର ଶ୍ମଶାନ ପାଇଁ ହସ୍ତାନ୍ତର କରିଥିଲେ । ଏହାପରେ ଶବସତ୍କାର ପାଇଁ ଜମି ଅଭାବ ହେବାରୁ ଜିଲା ପ୍ରଶାସନ ୧୯୮୮ ମସିହାରେ ସାବକ ପ୍ଲଟ ୮୩୫ରେ ଥିବା ଆଉ ୧୦୦ଡେସିମିଲ ଜମି ଅଧିଗ୍ରହଣ କରିଥିଲା । ଏହିସବୁ ଜମି କେବଳ ଶ୍ମଶାନ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ଜିଲା ପ୍ରଶାସନ ଚିଠିରେ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଥିଲେ । ତେବେ ତାହାକୁ ଖୋଲାଖୋଲି ଭାବେ ଉଲଂଘନ କରି ପୁରୀ ପୌର କର୍ତ୍ତୃପକ୍ଷ ୧୯୯୨ରୁ ୨୦୦୭ ମଧ୍ୟରେ ୯ଜଣ ବ୍ୟକ୍ତିଙ୍କୁ ଦୋକାନଗୃହ ନିର୍ମାଣ ପାଇଁ ଜମି ଆବଣ୍ଟନ କରିଛନ୍ତି ।[୩] ୧୯୮୯-୯୦ ବବନ୍ଦୋବସ୍ତରେ ଶ୍ରୀମନ୍ଦିର ପ୍ରଶାସନ ଅଜ୍ଞାତରେ ପ୍ରାୟ ୧୫ଏକର ଶ୍ମଶାନ ଭାବେ ବ୍ୟବହୃତ ହେଉଥିବା ଜମି ବିଭିନ୍ନ ଲୋକଙ୍କ ନାମରେ ସ୍ଥିତିବାନ ସ୍ୱତ୍ତ୍ୱସହ ରେକର୍ଡ କରିଦିଆଯାଇଛି ।[୪] ସେଥିରେ ଅଧିକାଂଶ ଜାଲ୍ ଲିଜ୍ ଓ ବିକ୍ରି କବଲା ରହିଛି ।
ଆଧାର
[ସମ୍ପାଦନା]- ↑ "Modern cremation facility inaugurated at Swargadwar in Odisha's Puri town - OdishaSunTimes.com". OdishaSunTimes.com. Retrieved 17 February 2016.
- ↑ ଜଗନ୍ନାଥ ନିଜର ଦାରୁ ସ୍ୱରୁପ ଗ୍ରହଣ କରିବା ପାଇଁ ପ୍ରଥମ କରି ଆସିଥିବା ଦାରୁ ଯାହାକି ବିଶ୍ୱକର୍ମାଙ୍କଦ୍ୱାରା ମୂର୍ତ୍ତି ନିର୍ମାଣ କରାଯାଇଥିଲା
- ↑ "Move to Reclaim Swargadwar Land". The New Indian Express. Archived from the original on 18 February 2016. Retrieved 17 February 2016.
- ↑ "New twist to Puri crematorium row". Retrieved 17 February 2016.