ପର୍ଶୁରାମାଷ୍ଟମୀ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ପର୍ଶୁରାମାଷ୍ଟମୀ
ପାଳନକାରୀ ହିନ୍ଦୁ
ପ୍ରକାର ଧାର୍ମିକ
ଧର୍ମାନୁଷ୍ଠାନ ପୂଜା,
ତାରିଖ ଆଷାଢ଼ ଶୁକ୍ଳ ଅଷ୍ଟମୀ
୨୦୧୬ ତାରିଖ ୧୨ ଜୁଲାଇ (ମଙ୍ଗଳବାର)
୨୦୧୭ ତାରିଖ ୧ ଜୁଲାଇ (ଶନିବାର)

ଆଷାଢ଼ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ପର୍ଶୁରାମଷ୍ଟମୀ ପାଳନ କରାଯାଏ । ଏହିଦିନ ଭଗବାନ ପର୍ଶୁରାମ ଜନ୍ମଗ୍ରହଣ କରିଥିଲେ । ଦ୍ୱାପର ଯୁଗରେ ପର୍ଶୁରାମ ଭୀଷ୍ମ କର୍ଣ୍ଣଙ୍କ ଭଳି ମହାରଥୀଙ୍କୁ ଯୁଦ୍ଧବିଦ୍ୟା ଶିକ୍ଷା ଦେଇଥିଲେ । ଓଡ଼ିଶାର ଦକ୍ଷିଣାଞ୍ଚଳରେ ମାଆମାନେ ପୁତ୍ରର ଶୁଭକାମନା କରି ପର୍ଶୁରାମଷ୍ଟମୀ ବ୍ରତ ପାଳନ କରନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରୀଗୁଣ୍ଡିଚା ଘରେ ଅବସ୍ଥାନ କରୁଥିବା ସମୟରେ ଏହି ବ୍ରତ ପାଳନ କରାଯାଏ । ଉପବାସ ରହି ଭଗବାନ ପର୍ଶୁରାମଙ୍କୁ ପୂଜାର୍ଚ୍ଚନା କରାଯାଏ । ଚିରଞ୍ଜିବୀ ପର୍ଶୁରାମ ଏବେ ମହେନ୍ଦ୍ରଗିରିରେ ଅବସ୍ଥାନ କରୁଛନ୍ତି ବୋଲି ଭକ୍ତମାନେ ବିଶ୍ୱାସ କରନ୍ତି । ତେଣୁ କେହି କେହି ଆଷାଢ଼ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ମହେନ୍ଦ୍ରଗିରିକୁ ଯାଇ ଭଗବାନ ପର୍ଶୁରାମଙ୍କ ମୂର୍ତ୍ତି ନିକଟରେ ପୂଜାର୍ଚ୍ଚନା କରନ୍ତି । [୧]

ଓଡ଼ିଶାର ଦକ୍ଷିଣାଞ୍ଚଳରେ ପର୍ଶୁରାମ ଗୋତ୍ରୀ ବ୍ରାହ୍ମଣମାନେ ବସବାସ କରନ୍ତି । ସେମାନେ ଅଧିକାଂଶ ସମୟରେ ଭିକ୍ଷାନ୍ନ ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି । ତେବେ ସେମାନେ ସାଧାରଣ ଭିକ୍ଷୁକ ବା ଯୋଗୀ ଭିକାରି ପରି ଭିକ୍ଷା ମାଗନ୍ତି ନାହିଁ । ଦୁଇଜଣ ଏକାଠି ଆସନ୍ତି । ଜଣେ ରାମ ବେଶରେ ଆଉ ଜଣେ ପର୍ଶୁରାମ ବେଶରେ ଆସନ୍ତି । ରାମଙ୍କ ହାତରେ ଥାଏ ଧନୁଶର ଓ ପର୍ଶୁରାମଙ୍କ ହାତରେ ଥାଏ ପରଶୁ କୁଠାର । ଗ୍ରାମର ବା ସାହିର ଦୁଇମୁଣ୍ଡରୁ ଦୁଇଜଣ ପ୍ରବେଶ କରନ୍ତି । ଯେଉଁଠାରେ ଭେଟହୁଏ ସେଠାରେ ଯୁଦ୍ଧର ଆହ୍ୱାନ ଭଳି ଅଭିନୟ କରନ୍ତି । ଦୁଇଜଣଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲେ । ଶେଷରେ ପର୍ଶୁରାମ ବେଶଧାରୀ ଭିକ୍ଷୁ ହାରିଯାଇ ଶ୍ରୀରାମ ବେଶଧାରୀ ଭିକ୍ଷୁଙ୍କ ନିକଟରେ ଶରଣ ପଶନ୍ତି । ଏହି ଦୃଶ୍ୟ ଦେଖିବାକୁ ବହୁଲୋକ ରୁଣ୍ଡ ହୁଅନ୍ତି । ସେମାନେ ରାମ ଓ ପର୍ଶୁରାମ ବେଶଧାରୀ ବ୍ରାହ୍ମଣଙ୍କୁ ଭିକ୍ଷା ଦିଅନ୍ତି । ଦୁଇଜଣଙ୍କ ହାତରେ ଲାଉତୁମ୍ବାର ପାତ୍ର ଥାଏ । ଏଥିରେ ସୁନ୍ଦର ଦଶାବତାର ଚିତ୍ର ଅଙ୍କିତ ହୋଇଥାଏ । ଦୁହେଁ ମୁଣ୍ଡରେ ଖିଡ଼୍‌କୀ ପାଗ ଓ ଚିତା ପୋଷାକ ପିନ୍ଧିଥାନ୍ତି । ପର୍ଶୁରାମଙ୍କ ଜଙ୍ଘରେ ଗୋଟିଏ ଘିର ବନ୍ଧା ହୋଇଥାଏ । କଥିତ ଅଛି ପର୍ଶୁରାମ ପୃଥିବୀରୁ ଏକବିଂଶବାର କ୍ଷତ୍ରିୟଙ୍କୁ ନିପାତ କରିବା ସମୟରେ ଜାନୁରେ ଘଣ୍ଟି ବାନ୍ଧିଥିଲେ । ସେହି ଘିର ଶବ୍ଦ ଶୁଣିଲେ ଶତୃମାନେ ଭୟରେ ଶିହରୀ ଉଠୁଥିଲେ । ତେଣୁ ତାଙ୍କୁ ଜାନୁଘଣ୍ଟ ପର୍ଶୁରାମ କୁହାଯାଉଥିଲା । ଏହି ପରମ୍ପରାର ଜାନୁଘଣ୍ଟ ପର୍ଶୁରାମ ଭିକ୍ଷୁକ କ୍ଷତ୍ରିୟୋଚିତ ସ୍ୱାଭିମାନ ନେଇ କାହାକୁ କିଛି ମାଗନ୍ତି ନାହିଁ । କାହା ଦୁଆରେ ଛିଡ଼ା ହୁଅନ୍ତି ନାହିଁ । କାହାରି ଛାତ ତଳକୁ ଯାଆନ୍ତି ନାହିଁ । ଗାଁଗହଳରେ ଏମାନଙ୍କୁ ଜାନୁଘଣ୍ଟିଆ କୁହାଯାଏ ।

ଆଧାର[ସମ୍ପାଦନା]

  1. ଅଶୋକ କୁମାର ପଟ୍ଟନାୟକ, ସଂଚାର, ପୃଷ୍ଠା- ୧୪, ମଙ୍ଗଳବାର, ୧୬ ଜୁଲାଇ ୨୦୧୩