ପରିବେଶ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ମଣିଷକୁ ଚତୁଃପାର୍ଶ୍ୱରୁ ଘେରି ରହି ତାର ଜୀବନ ତ‌ଥା କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଉଥିବା ପରିବୃତ୍ତିକୁ (Surroundings) ପରିବେଶ (Environment) କୁହାଯାଏ । ପୃଥିବୀର ସ୍ଥଳ, ଜଳ, ବାୟୁ, ଉଦ୍ଭିଦ ଓ ପ୍ରାଣୀ ଜଗତ ଏହି ପରିବୃତ୍ତିର ଅଂଶବିଶେଷ ।[୧]

ଶ୍ରେଣୀ ବିଭାଗ[ସମ୍ପାଦନା]

ପରିବେଶକୁ ମୁଖ୍ୟତଃ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଏ । ଯଥା:

  • ପ୍ରାକୃତିକ ପରିବେଶ (Natural Environment)
  • ସାଂସ୍କୃତିକ ପରିବେଶ (Cultural Environment କିମ୍ବା Human Environment)

ପ୍ରାକୃତିକ ପରିବେଶ (Natural Environment)[ସମ୍ପାଦନା]

ପ୍ରାକୃତିକ ପରିବେଶ (Natural Environment) ଜଳ, ସ୍ଥଳ, ବାୟୁ, ଉଦ୍ଭିଦ ଓ ପ୍ରାଣୀମାନ‌ଙ୍କୁ ନେଇ ଗଠିତ । ପୃଥିବୀ ସ‌ହିତ ମନୁଷ୍ୟର ନିବିଡ଼ ସମ୍ପର୍କ‌କୁ ଦୃଷ୍ଟିରେ ରଖି ଭୌଗୋଳିକମାନେ ପୃଥିବୀକୁ ଚାରୋଟି ମଣ୍ଡଳରେ ବିଭାଜନ କରି ଆଲୋଚନା କରିଥାନ୍ତି । ଏହି ଚାରୋଟି ମଣ୍ଡଳ ହିଁ ପ୍ରାକୃତିକ ପରିବେଶର ଭିତ୍ତି । ଏହି ମଣ୍ଡଳଗୁଡ଼ିକ ହେଉଛି:

ଏଥିମଧ୍ୟରୁ ପ୍ରଥମ ତିନୋଟି ଅଜୈବିକ (Abiotic) ଓ ଶେଷଟି ଜୈବିକ (Biotic) । ତେଣୁ ପ୍ରାକୃତିକ ପରିବେଶକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଏ । ଯଥା:

  • ଅଜୈବିକ ପରିବେଶ (Abiotic Environment)
  • ଜୈବିକ ପରିବେଶ (Biotic Environment କିମ୍ବା Biological Environment)

ଅଜୈବିକ ପରିବେଶ (Abiotic Environment)[ସମ୍ପାଦନା]

ଜଳ, ସ୍ଥଳ ଓ ବାୟୁ ଭଳି ନିର୍ଜୀବ ବା ଭୌତିକ ଉପାଦାନ‌କୁ ନେଇ ଏହି ପରିବେଶ ସୃଷ୍ଟି ହୋଇଥାଏ । ତେଣୁ ଏହାକୁ ଅଜୈବିକ (Abiotic) ବା ଭୌତିକ (Physical) ପରିବେଶ କୁହାଯାଏ ।

ଜୈବିକ ପରିବେଶ (Biotic Environment କିମ୍ବା Biological Environment)[ସମ୍ପାଦନା]

ଜୈବମଣ୍ଡଳର (Biosphere) ଉଦ୍ଭିଦ ଓ ପ୍ରାଣୀମାନ‌ଙ୍କଦ୍ୱାରା ଏହି ପରିବେଶ ସୃଷ୍ଟି ହୋଇଥାଏ । ତେଣୁ ଏହାକୁ ଜୈବିକ ପରିବେଶ (Biotic Environment କିମ୍ବା Biological Environment) କୁହାଯାଏ ।

ପ୍ରାକୃତିକ ପରିବେଶରେ ପରିବର୍ତ୍ତନ[ସମ୍ପାଦନା]

ଅନେକଗୁଡ଼ିଏ ଶକ୍ତି (Force) ଓ ପ୍ରକ୍ରିୟା (Process) ଯୋଗୁଁ ପ୍ରାକୃତିକ ପରିବେଶରେ (Natural Environment) ଅନବରତ ପରିବର୍ତ୍ତନ ହେଉଛି । ମାଧ୍ୟାକର୍ଷଣ ଶକ୍ତି, ମହାକର୍ଷଣ ଶକ୍ତି, ଆଗ୍ନେୟଗିରି ଉଦ୍‌ଗୀରଣ, ସୌରତାପ, ଭୂ-ଅଲୋଡ଼ନ‌କାରୀ ଶକ୍ତି ଇତ୍ୟାଦି ଏହି ଶକ୍ତିଗୁଡ଼ିକର ଅନ୍ତର୍ଗତ । ଏହି ଶକ୍ତିଗୁଡ଼ିକ ହିଁ ବିଭିନ୍ନ ଭୌତିକ ତ‌ଥା ଜୈବିକ ପ୍ରକ୍ରିୟା ସୃଷ୍ଟିର ମୂଳ କାରଣ । ବାୟୁପ୍ରବାହ, ଭୂବିକିରଣ, ନଗ୍ନୀଭବନ, ପରିବ‌ହନ, ଅବକ୍ଷେପଣ, ଭୂ-ଗଠନ, ମୃତ୍ତିକା-ଗଠନ ଆଦି ପ୍ରାକୃତିକ ପରିବେଶରେ (Natural Environment) ଚାଲିଥିବା ବିଭିନ୍ନ ପ୍ରକ୍ରିୟାଗୁଡ଼ିକର କେତେକ ଉଦାହରଣ ।

ସାଂସ୍କୃତିକ ପରିବେଶ (Cultural Environment) ବା ମାନବୀୟ ପରିବେଶ (Human Environment)[ସମ୍ପାଦନା]

ପ୍ରାକୃତିକ ପରିବେଶରେ (Natural Environment) ମଣିଷ କରିଥିବା ସମସ୍ତ ନିର୍ମାଣ ତ‌ଥା ପରିବର୍ତ୍ତନରୁ ସାଂସ୍କୃତିକ ପରିବେଶ (Cultural Environment) ସୃଷ୍ଟି ହୋଇଥାଏ । ପ୍ରାଥମିକ ସ୍ତରରେ ପ୍ରାକୃତିକ ପରିବେଶ (Natural Environment) ହିଁ ସାଂସ୍କୃତିକ ପରିବେଶର (Cultural Environment) ମୂଳପିଣ୍ଡ ।

ପ୍ରାକୃତିକ ପରିବେଶ (Natural Environment) ଭଳି ଭୂପୃଷ୍ଠରେ ସାଂସ୍କୃତିକ ପରିବେଶରେ (Cultural Environment) ମଧ୍ୟ ବିଭିନ୍ନତା ପରିଲକ୍ଷିତ ହୁଏ । ସ୍ଥାନେ ସ୍ଥାନେ ଘନ ଜନବସତି ସାଙ୍ଗକୁ ଉନ୍ନତ ସାମାଜିକ ତ‌ଥା ରାଜନୈତିକ ସଙ୍ଗଠନ ଦୃଷ୍ଟିଗୋଚର ହୁଏ । ଅନ୍ୟ ସ୍ଥାନରେ ବିରଳ ଜନବସତି ସାଙ୍ଗକୁ ସାମାଜିକ ତ‌ଥା ରାଜନୈତିକ ସଙ୍ଗଠଙ୍ଗୁଡ଼ିକ ଦୁର୍ବଳ ତ‌ଥା ନିମ୍ନମାନର ହୋଇଥାଏ । ସାଧାରଣତଃ ସାଂସ୍କୃତିକ ପରିବେଶ (Cultural Environment) କ‌ହିଲେ ନିମ୍ନୋକ୍ତ ଦୁଇଟିକୁ ବୁଝାଇ ଥାଏ:

  • ଜନସଂଖ୍ୟା ଓ ଜନବସତି
  • ରାଜନୈତିକ ତ‌ଥା ସାମାଜିକ ଅନୁଷ୍ଠାନ

ଜନସଂଖ୍ୟା ଓ ଜନବସତି[ସମ୍ପାଦନା]

ଭୂପୃଷ୍ଠରେ ଜନସଂଖ୍ୟାର ସାମୟିକ (Temporal) ପରିବର୍ତ୍ତନ ସ‌ହ ସ୍ଥାନିକ (Spatial) ବିତରଣରେ ମଧ୍ୟ ବିଶେଷ ପାର୍ଥକ୍ୟ ଲକ୍ଷ୍ୟ କରାଯାଏ । କେତେକ ଅଞ୍ଚଳରେ ଏକ ବର୍ଗ କିଲୋମିଟର ପିଛା ଏକ ବା ତ‌ହିଁରୁ କମ୍ ଲୋକ ବାସ କରୁଥିବା ବେଳେ (ଉଦାହରଣ: କ୍ରାନ୍ତୀୟ ମରୁଭୂମି ଅଞ୍ଚଳ) ଅନ୍ୟ କେତେକ ଅଞ୍ଚଳରେ ଏକ ବର୍ଗକିଲୋମିଟରରେ ପ୍ରାୟ ୧୦୦୦ ବା ତା'ଠାରୁ ବେଶି ଲୋକ (ଉଦାହରଣ: ଗାଙ୍ଗେୟ ସମତଳଭୂମି, ପଶ୍ଚିମ ୟୁରୋପ, ଦକ୍ଷିଣ-ପୂର୍ବ ଏସିଆର କେତେକ ଅଞ୍ଚଳ) ବାସ କରନ୍ତି । ତେଣୁ କୌଣସି ଅଞ୍ଚଳର ମୋଟ ଜନସଂଖ୍ୟା ଓ ତା'ର ବଣ୍ଟନ ସାଧାରଣତଃ ପ୍ରାକୃତିକ ପରିବେଶ (Natural Environment) ଉପରେ ପ୍ରଭାବ ପକାଇଥାଏ । ଦକ୍ଷିଣ ତ‌ଥା ଦକ୍ଷିଣ-ପୂର୍ବ ଏସିଆର ଘନ ଜନବସତି ଅଞ୍ଚଳରେ ଅତି କମ୍ ମଜୁରିରେ ଶ୍ରମିକ ମିଳୁଥିବାରୁ ଏଠାରେ ଅଧିକ ଶ୍ରମ‌ଭିତ୍ତିକ କୃଷି ତ‌ଥା କଳକାରଖାନାମାନ ଗଢ଼ି ଉଠିଛି । ଏହି ଅଞ୍ଚଳରେ ଚାହା, ରବର, କଫି ଆଦି ବ‌ହୁ ଶ୍ରମ‌ଭିତ୍ତିକ ରୋପଣ କୃଷି (Plantation Agriculture) ହୋଇଥାଏ । ଅନ୍ୟାନ୍ୟ ଶ୍ରମ‌ଭିତ୍ତିକ ଶିଳ୍ପ, ଯଥା: ଝୋଟ ଓ ଲୁଗାକଳ ଆଦି ଏହି ଅଞ୍ଚଳର ପ୍ରଧାନ ଶିଳ୍ପ ରୂପେ ଗଢ଼ିଉଠିଛି । ତେବେ ଅତି ଘନ ଜନବସତି ଅଞ୍ଚଳରେ ମୁଣ୍ଡପିଛା ଚାଷ ଜମି ଭୁତ କମ୍ ହୋଇଥିବାରୁ କୃଷିଦ୍ୱାରା ଜୀବିକା ନିର୍ବାହ କଷ୍ଟକର ହୋଇଥାଏ । ତେଣୁ ଶିଳ୍ପ ତ‌ଥା ବାଣିଜ୍ୟ ବ୍ୟବସାୟ ଆଦି ଲାଭଜନ‌କ ଅଣକୃଷିଭିତ୍ତିକ କାର୍ଯ୍ୟ ଏହି ଅଞ୍ଚଳର ଅଧିବାସୀମାନ‌ଙ୍କ ମୁଖ୍ୟ ଜୀବିକା ହୋଇଥାଏ । ଜାପାନ ଏବଂ ଗ୍ରେଟ୍ ବ୍ରିଟେନ୍ ଏହାର ଜ୍ୱଳନ୍ତ ଉଦାହରଣ ।

ଜନସଂଖ୍ୟା ବ୍ୟତୀତ ଜନବସତିର ଘନତା ଓ ଶିକ୍ଷା ଏବଂ ସାମାଜିକ ଚେତନା ଭଳି ସାଂସ୍କୃତିକ ମୂଲ୍ୟବୋଧ ଉପରେ ନିର୍ଭର କରି ପରିବେଶର ବିଭିନ୍ନତା ପରିଲକ୍ଷିତ ହୁଏ । ମାନବ ସଭ୍ୟତାର ପ୍ରଥମ ପର୍ଯ୍ୟାୟରେ ମଣିଷ କୌଣସି ସ୍ଥାୟୀ ବସବାସ କରିପାରି ନ ଥିଲା । କିଛି କାଳ ପରେ ସେ କୃଷି କାର୍ଯ୍ୟ କରି ସ୍ଥାୟୀ ଭାବରେ ବସବାସ କଲା । ତେଣୁ ଧିରେ ଧିରେ ଛୋଟ ବଡ଼ ଗ୍ରାମମାନ ଗଢ଼ିଉଠିଲା । ବଡ଼ ବଡ଼ ଗ୍ରାମଗୁଡ଼ିକ କାଳକ୍ରମେ ବାଣିଜ୍ୟ ବ୍ୟବସାୟର କେନ୍ଦ୍ର ଭାବେ ବୃଦ୍ଧି ପାଇ ସ‌ହରରେ ପରିଣତ ହେଲା । ଗ୍ରାମ ତ‌ଥା ସ‌ହରଗୁଡ଼ିକ ମଧ୍ୟରେ ବାଣିଜ୍ୟ ବ୍ୟବସାୟ ତ‌ଥା ସାମାଜିକ ସମ୍ପର୍କ ସ୍ଥାପନ ନିମନ୍ତେ ରାସ୍ତାଘାଟର ପ୍ରସାର ଘଟିଲା । ଆଜିକାଲି ଜନସଂଖ୍ୟା ବୃଦ୍ଧି ଯୋଗୁଁ ଜନବସତି କ୍ରମେ ଅଧିକ ଘନ ହେବାରେ ଲାଗିଛି ଏବଂ ପ୍ରାକୃତିକ ପରିବେଶକୁ (Natural Environment) କ୍ରମାଗତଭାବେ ପ୍ରଭାବିତ କରୁଛି ।

ରାଜନୈତିକ ତ‌ଥା ସାମାଜିକ ଅନୁଷ୍ଠାନ[ସମ୍ପାଦନା]

କୌଣସି ଦେଶର ରାଜନୈତିକ ତ‌ଥା ସାମାଜିକ ଅନୁଷ୍ଠାନଗୁଡ଼ିକ ଉପରେ ତାହାର ଅର୍ଥନୈତିକ ପ୍ରଗତି ତ‌ଥା ଅଭିବୃଦ୍ଧି ନିର୍ଭର କରେ । ଦୃଢ଼ ରାଜନୈତିକ ସଙ୍ଗଠନ ତ‌ଥା ପ୍ରଶାସନିକ ସ୍ଥିରତା ଅର୍ଥନୈତିକ ପ୍ରଗତିରେ ବିଶେଷ ସ‌ହାୟକ ହୋଇଥାଏ । ରାଜନୈତିକ ସଙ୍ଗଠନ ଦୁର୍ବଳ ହେଲେ ଅସ୍ଥିରତା ଲାଗିରହେ । ଫଳରେ ବାଣିଜ୍ୟ କାରବାର ବାଧାପ୍ରାପ୍ତ ହେବା ସଙ୍ଗେ ସଙ୍ଗେ ଅର୍ଥନୈତିକ ବ୍ୟବସ୍ଥା ଦୁର୍ବଳ ହୁଏ ।

କୌଣସି ଦେଶର ସାମାଜିକ ସଙ୍ଗଠନ‌ଗୁଡ଼ିକ ଉପରେ ମଧ୍ୟ ତାହାର ଅର୍ଥନୈତିକ ପ୍ରଗତି ନିର୍ଭର କରେ । ସମାଜରେ ଚୋରି, ଡକାୟତି, ଠକାମି ତ‌ଥା ଗୋଷ୍ଠୀ ବିବାଦ ଆଦି ଲାଗି ରହିଲେ ପୁଞ୍ଜି ବିନିଯୋଗ କରିବାକୁ କେହି ଅଗ୍ରହ ପ୍ରକାଶ କରନ୍ତି ନାହିଁ । ଫଳରେ ସେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହୋଇପାରେ ନାହିଁ । କୌଣସି ଅଞ୍ଚଳ ବା ଦେଶର ଶାସନ ବ୍ୟବସ୍ଥା, ଜାତି ତ‌ଥା ସମ୍ପ୍ରଦାୟ, ଧାର୍ମିକ ଓ ସାମାଜିକ କଟକଣା, ଶିକ୍ଷା ତ‌ଥା ସଂସ୍କୃତି ଓ ସାଂସ୍କୃତିକ ପରମ୍ପରା ଆଦି ତାହାର ସାଂସ୍କୃତିକ ପରିବେଶକୁ (Cultural Environment) ପ୍ରଭାବିତ କରିଥାନ୍ତି ।

ସମ୍ପୂର୍ଣ୍ଣ ପରିବେଶ (Total Environment)[ସମ୍ପାଦନା]

The ecosystem of public parks often includes humans feeding the wildlife.

ପ୍ରାକୃତିକ ପରିବେଶ (Natural Environment) ଓ ସାଂସ୍କୃତିକ ପରିବେଶ (Cultural Environment) ପରସ୍ପରକୁ ପ୍ରଭାବିତ କରିଥାନ୍ତି । ଏହାର ଫଳସ୍ୱରୂପ ସମ୍ପୂର୍ଣ୍ଣ ପରିବେଶ (Total Environment) ସୃଷ୍ଟି ହୁଏ । ଏହା ତିନୋଟି ମୁଖ୍ୟ ମଣ୍ଡଳ, ଯଥା- ଭୌତିକ ମଣ୍ଡଳ (ଅଶ୍ମମଣ୍ଡଳ (Lithosphere), ବାୟୁମଣ୍ଡଳ (Atmosphere), ବାରିମଣ୍ଡଳ (Hydrosphere)), ଜୈବିକ ମଣ୍ଡଳ (ଉଦ୍ଭିଦପ୍ରାଣୀ) ଏବଂ ମାନବୀୟ ମଣ୍ଡଳର (ବାସଗୃହ, ଜନବସତି, ଗମନାଗମନ, କୃଷି, ଶିଳ୍ପ, ବାଣିଜ୍ୟ, ସାମାଜିକ ଓ ରାଜନୈତିକ କାର୍ଯ୍ୟକଳାପ) ପାରସ୍ପରିକ ସମ୍ବନ୍ଧର ସମାହାର ଯୋଗୁଁ ହୋଇଥାଏ ।

ଆଧାର[ସମ୍ପାଦନା]

  1. ପ୍ରଥମ ଭାଗ, ଭୂଗୋଳ ଓ ଅର୍ଥନୀତି. ପରିବେଶ (Environment). ଓଡ଼ିଶା: ମାଧ୍ୟମିକ ଶିକ୍ଷା ପରିଷଦ.