ଦାୟଭାଗ

ଉଇକିପିଡ଼ିଆ ରୁ
Jump to navigation Jump to search

ଦାୟଭାଗ ହେଉଛି ଜୀମୂତବାହନ ନାମକ ପଣ୍ଡିତଙ୍କ କୃତ ପୈତୃକ ଧନର ବିଭାଗ ବା ଉତ୍ତରାଧିକାରୀମାନଙ୍କ ମଧ୍ୟରେ ମୃତ ବ୍ୟକ୍ତିର ତ୍ୟକ୍ତ ସମ୍ପତ୍ତିର ବଣ୍ଟନ ସମ୍ବନ୍ଧୀୟ ସଂସ୍କୃତ ସ୍ମୃତି ବା ଗ୍ରନ୍ଥ । ଏହି ଗ୍ରନ୍ଥର ବିଧି ଅନୁସାରେ ବଙ୍ଗ ଦେଶ ବା ଆସାମରେ ପୈତୃକ ଧନ ବିଭକ୍ତ ହୁଏ । ଅବଶିଷ୍ଟ ଭାରତରେ ମିତାକ୍ଷରାର ବ୍ୟବସ୍ଥା ଅନୁସାରେ ମୃତ ବ୍ୟକ୍ତିଙ୍କ ସମ୍ପତ୍ତି ବିଭଜ୍ଜିତ ହୁଏ ।

ପୃଷ୍ଠଭୂମି[ସମ୍ପାଦନା]

ବ୍ରିଟିଶ ରାଜତ୍ୱ ସମୟରୁ ହିନ୍ଦୁ ଆଇନର ମୂଳ ଆଧାର ଭାବେ ଯେଉଁ ଦୁଇ ମାନ୍ୟତାକୁ ଗ୍ରହଣ କରାଯାଇଛି ତନ୍ମଧ୍ୟରୁ ଦାୟଭାଗ ଅନ୍ୟତମ । ଅନ୍ୟଟି ହେଲା ମିତାକ୍ଷରାହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୧୯୫୬ରେ ମଧ୍ୟ ହିନ୍ଦୁ ଆଇନକୁ ସଂହିତାବଦ୍ଧ କରିବାପାଇଁ ଏହି ଦୁଇ ମତକୁ ଗ୍ରହଣ କରାଯାଇଛି । କେବଳ ବଙ୍ଗଦେଶ ଓ ଆସାମ ଛଡ଼ା ଭାରତର ଅନ୍ୟ ସର୍ବତ୍ର ମିତାକ୍ଷରା ଲିଖିତ ବିଧି ଅନୁସାରେ ସମ୍ପତ୍ତିର ଭାଗ ତଥା ଉତ୍ତରାଧିକାର ନିର୍ଣ୍ଣୟ ହୁଏ । ବଙ୍ଗଦେଶ ତଥା ଆସାମରେ 'ଦାୟଭାଗ' ଅନୁସାରେ ପୈତୃକ ସମ୍ପତ୍ତି ବିଭକ୍ତ ହୁଏ ।

ହିନ୍ଦୁ ସ୍ମୃତିରେ ପୂର୍ବ ସ୍ୱାମୀଙ୍କ ସଙ୍ଗେ ସମ୍ପର୍କ ଥିବା ଯୋଗୁଁ ଉତ୍ତରାଧିକାରୀମାନେ ମୃତ ବ୍ୟକ୍ତିର ତ୍ୟକ୍ତ ଯେଉଁ ସମ୍ପତ୍ତିକୁ ପାଆନ୍ତି ତାକୁ ଦାୟ ବୋଲାଯାଏ । ମିତାକ୍ଷରା ଅନୁସାରେ ଦାୟ ଦୁଇ ପ୍ରକାର; ଯଥା; ଅପ୍ରତିବନ୍ଧ ଓ ସପ୍ରତିବନ୍ଧ । ଯେଉଁ ଦାୟରେ ଉତ୍ତରାଧିକାରୀ ସମ୍ପତ୍ତି ପାଇବା ବିଷୟରେ କୌଣସି ପ୍ରତିବନ୍ଧକ ନ ଥାଏ ତାକୁ ଅପ୍ରତିବନ୍ଧ ଦାୟ ବୋଲାଯାଏ । ଯଥା—ପୁତ୍ର ବା ନୀତି ପକ୍ଷରେ ପିତା ବା ପିତାମହଙ୍କ ତ୍ୟକ୍ତ ସମ୍ପତ୍ତି; ଯେଉଁ ସମ୍ପତ୍ତି ନିକଟତମ ଉତ୍ତରାଧିକାରୀଙ୍କ ଅଭାବରେ ଦୂରବର୍ତ୍ତୀ ବ୍ୟକ୍ତିକୁ ମିଳେ ତାକୁ ସପ୍ରତିବନ୍ଧ ଦାୟ ବୋଲାଯାଏ । ଯଥା—ପୁତ୍ର ବା ନାତି ଅଭାବରେ ଭାଇ ଓ ପୁତୁରା ପକ୍ଷରେ ଭାଇର ବା ପିତୃବ୍ୟଙ୍କ ତ୍ୟକ୍ତ ସମ୍ପତ୍ତି ।

ମିତାକ୍ଷରା ସହ ଦାୟଭାଗ ତତ୍କାଳୀନ ଭାରତରେ ବ୍ରିଟିଶ ପରିଚାଳିତ ଅଦାଲତ ଗୁଡିକରେ ଉତ୍ତରାଧିକାର ମାମଲାରେ ଫଇସଲା ବେଳେ ପ୍ରଚଳିତ ହିନ୍ଦୁ ଆଇନର ତର୍କସଙ୍ଗତ ସିଦ୍ଧାନ୍ତ ଭାବେ ପ୍ରଭାବ ବିସ୍ତାର କରିପାରିଥିଲେ । ମିତାକ୍ଷରା ଭାରତର ସର୍ବାଧିକ ଅଞ୍ଚଳରେ ଏହାର ମାନ୍ୟତା ବଜାୟ ରଖିଥିବା ବେଳେ ଦାୟଭାଗ କେବଳ ବଙ୍ଗ ତଥା ଆସାମରେ ପ୍ରଭାବୀ ଥିଲା ।

ଆଇନଗତ ନିହିତାର୍ଥ[ସମ୍ପାଦନା]

ଦାୟଭାଗ ଅନୁସାରେ ପିତାଙ୍କ ମୃତ୍ୟୁପରେ ହିଁ ପୈତୃକ ସମ୍ପତ୍ତିରେ ଏକାଏକା ପୁତ୍ରର ସ୍ୱତ୍ୱ ପ୍ରବର୍ତ୍ତେ । କିନ୍ତୁ ମିତାକ୍ଷରାର ବିଧାନ ଅନୁସାରେ ପୁତ୍ର ଜନ୍ମହେଲା କ୍ଷଣି ଜୀବିତ ପିତାଙ୍କ ସଙ୍ଗେ ପିତାମାତାଙ୍କ ତ୍ୟକ୍ତ ସମ୍ପତ୍ତିରେ ମଧ୍ୟ ଜଣେ ସତ୍ୱାଧିକାରୀ ବା ଅଂଶୀଦାର ହୁଏ । ଏହିପରି ସ୍ତ୍ରୀଧନ ସମ୍ପତ୍ତି ବଣ୍ଟନ, ପୋଷ୍ୟପୁତ୍ର ଗ୍ରହଣ ଆଦି ସମ୍ବନ୍ଧେ ମିତାକ୍ଷରାର ବିଧାନ ଦାୟଭାଗର ବିଧାନଠାରୁ ସ୍ୱତନ୍ତ୍ର ।[୧]

ଦାୟଭାଗ ଓ ମିତାକ୍ଷରା ସିଦ୍ଧାନ୍ତରେ ପାର୍ଥକ୍ୟ[ସମ୍ପାଦନା]

ପୁତ୍ରର ସମ୍ପତ୍ତିଗତ ଅଧିକାର[ସମ୍ପାଦନା]

  • ଦାୟଭାଗ ସିଦ୍ଧାନ୍ତରେ ପିତା ଜୀବିତ ଥିବା ଯାଏଁ ପୈତୃକ ସମ୍ପତ୍ତିରେ ପୁତ୍ରର କୌଣସି ଅଧିକାର ନ ଥାଏ । ମାତ ମିତାକ୍ଷରାର ବିଧାନ ଅନୁସାରେ ପୁତ୍ରଟିଏ ନିଜର ଜନ୍ମଗତ ଅଧିକାର ଭାବେ ପୈତୃକ ସମ୍ପତ୍ତିରେ ନିଜ ଭାଗର ଅଧିକାରୀ ହୁଏ ।[୨]

ବିଧବାର ସମ୍ପତ୍ତିଗତ ଅଧିକାର[ସମ୍ପାଦନା]

  • ସ୍ତ୍ରୀ କେବଳ ସ୍ୱାମୀର ମୃତ୍ୟୁପରେ ହିଁ ସ୍ୱାମୀ ସମ୍ପତ୍ତିର ଅଧିକାରିଣୀ ହୁଏ, ତାହା ପୁଣି ନିଜ ଅଧିକାରରେ ନ ହୋଇ ସ୍ୱାମୀଙ୍କ ପ୍ରତିନିଧିଭାବେ ।[୩]

ପୈତୃକ ଓ ସ୍ୱାର୍ଜିତ ସମ୍ପତ୍ତି[ସମ୍ପାଦନା]

  • ଦାୟଭାଗ ବିଧାନ ଅନୁସାରେ ପିତା ହେଉଛନ୍ତି ଉଭୟ ସ୍ୱାର୍ଜିତ ଏବଂ ପୈତୃକ ସମ୍ପତ୍ତିର ଏକକ ମାଲିକ । ତେଣୁ ତାଙ୍କ ଜୀବିତାବସ୍ଥାରେ ସମ୍ପତ୍ତିର ମାଲିକାନ ହସ୍ତାନ୍ତର କରିବାବେଳେ ପୁଅର ସମ୍ମତି ଆବଶ୍ୟକ ପଡେ ନାହିଁ । କିନ୍ତୁ ମିତାକ୍ଷର ସିଦ୍ଧାନ୍ତରେ ପୁଅ/ଝିଅଟିଏ ଜନ୍ମ ହେବାପରେ ପିତାଙ୍କର ପୈତୃକ ସମ୍ପତ୍ତିରେ ତାଙ୍କର ଜନ୍ମଗତ ଅଧିକାର ସ୍ୱତଃ ଆସିଯାଏ । ତେବେ ଉଭୟ ଦାୟଭାଗ ଓ ମିତାକ୍ଷରାର ବିଧାନ ଅନୁସାରେ ପିତାଙ୍କ ସ୍ୱାର୍ଜିତ ସମ୍ପତ୍ତିରେ ପିତାଙ୍କ ସମ୍ପୂର୍ଣ୍ଣ ଅଧିକାର ରହିବ । ସେ ଚାହିଁଲେ ତାଙ୍କ ଜୀବଦ୍ଦଶାରେ ସେହି ସମ୍ପତ୍ତି ବିକ୍ରି କିମ୍ବା ଦାନ କରିପାରିବେ ଯେଉଁଥିପାଇଁ କି ସନ୍ତାନ ସନ୍ତତିଙ୍କର ସମ୍ମତି ଆବଶ୍ୟକ ହୁଏ ନାହିଁ ।

ଅନ୍ୟାନ୍ୟ ଅନ୍ତର[ସମ୍ପାଦନା]

୧) ମିତାକ୍ଷରା ସିଦ୍ଧାନ୍ତ ଅନୁସାରେ ପୈତୃକ ସମ୍ପତ୍ତି ଉପରେ ପୁତ୍ରାଦିଙ୍କ ଅଧିକାର ଜନ୍ମଗତ ଅର୍ଥାତ ପୁତ୍ର/କନ୍ୟାଟିଏ ଜନ୍ମ ହେବା ମାତ୍ରେ ପିତାଙ୍କ ପୈତୃକ ସମ୍ପତ୍ତିରେ ନିଜ ଅଂଶର ଅଧିକାର ଲାଭ କରିନିଅନ୍ତି । କିନ୍ତୁ ଦାୟଭାଗ ସିଦ୍ଧାନ୍ତରେ ଅଧିକାରଭୁକ୍ତ ବ୍ୟକ୍ତି ବିଶେଷଙ୍କ ମୃତ୍ୟୁରେ ହିଁ ଦାୟାଦଙ୍କ ସମ୍ପତ୍ତିଗତ ଅଧିକାର ଜନ୍ମେ ।

୨) ମିତାକ୍ଷରା ସିଦ୍ଧାନ୍ତ ଅନୁସାରେ ପୈତୃକ ସମ୍ପତ୍ତି ଉପରେ, ବିଭାଜନ ପୂର୍ବରୁ, ସମସ୍ତ ଦାୟାଦଙ୍କ ସମ୍ମିଳିତ ଅଧିକାର ରହିଥାଏ; ହେଲେ ଏହି ଅଂଶ ନିର୍ଦ୍ଦିଷ୍ଟ କିମ୍ବା ସୀମିତ ହୋଇ ନ ଥାଏ । କାରଣ ଦାୟାଦଟିଏ ଜନ୍ମିବା କିମ୍ବା ମୃତ୍ୟୁ ହେବା ଫଳରେ ପ୍ରତି ଜୀବିତ ଦାୟଦର ଅଂଶ କମ୍/ବେଶୀ ହେଉଥାଏ ।

୩) ମିତାକ୍ଷରା ସିଦ୍ଧାନ୍ତରେ ପିତା ଚାହିଁଲେ ତାଙ୍କ ଜୀବଦ୍ଦଶାରେ ସେହି ସମ୍ପତ୍ତି ବିକ୍ରି କିମ୍ବା ଦାନ କରିପାରିବେ ଯେଉଁଥିପାଇଁ କି ସନ୍ତାନ ସନ୍ତତିଙ୍କର ସମ୍ମତି ଆବଶ୍ୟକ ହୁଏ ନାହିଁ ।

୪) ମିତାକ୍ଷରା ସିଦ୍ଧାନ୍ତରେ ପୁତ୍ର ଚାହିଁଲେ ପିତାଙ୍କ ଜୀବଦ୍ଦଶାରେ ପୈତୃକ ସମ୍ପତ୍ତିରେ ନିଜ ଅଂଶ ଦାବୀ କରିପାରିବ । କିନ୍ତୁ ଦାୟଭାଗରେ ପୁତ୍ରର ଏଭଳି ଅଧିକାର ନାହିଁ ।

୫) ମିତାକ୍ଷରା ସିଦ୍ଧାନ୍ତରେ ସ୍ତ୍ରୀ ନିଜ ସ୍ୱାମୀର ମୃତ୍ୟୂ ପରେ ସ୍ୱାମୀ ସମ୍ପତ୍ତିର ଅଧିକାରିଣୀ ସେତେବେଳେ ହେବ ଯଦି ସ୍ୱାମୀ ପରିବାରର ଅନ୍ୟ ସଦସ୍ୟଙ୍କଠାରୁ ଅଲଗା (ବିଭାଜନ) ହୋଇସାରିଥାନ୍ତି । କିନ୍ତୁ ଦାୟଭାଗରେ, ସ୍ୱାମୀ ଅଲଗା ହୋଇଥାନ୍ତୁ କି ନାହିଁ, ସ୍ତ୍ରୀ ସର୍ବଦା ସ୍ୱାମୀ ସମ୍ପତ୍ତିର ଅଧିକାରିଣୀ ହୁଅନ୍ତି ।

ଅନେକ ସମାଲୋଚକଙ୍କ ମତରେ ମିତାକ୍ଷରା ହେଉଛି ହିନ୍ଦୁ ଆଇନ ଏକ ଋଢିବାଦୀ ସଂକଳନ ଏବଂ ଦାୟଭାଗ ହେଉଛି ହିନ୍ଦୁ ଆଇନର ଏକ ସଂଶୋଧିତ ସଂକଳନ ।[୪]

ଅନୁବାଦ[ସମ୍ପାଦନା]

ଇଂରେଜ ଶାସନ କାଳରେ ଅଦାଲତରେ ସମ୍ପତ୍ତିଗତ ଅଧିକାର ସମ୍ପର୍କିତ ମାମଲାର ସୁପରିଚାଳନା ନିମିତ୍ତ ଇଂରେଜମାନେ ମିତାକ୍ଷରାର ଏକ ଅନୁବାଦର ଆବଶ୍ୟକତା ଅନୁଭବ କଲେ । ଫଳରେ ୧୮୧୦ ମସିହାରେ ଦାୟଭାଗର ପ୍ରଥମ ଅନୁବାଦ କରିଥିଲେ ହେନେରୀ ଥୋମାସ୍‌ କୋଲ୍‌ବୃକ୍‌ । ତେବେ ସେ ଅନୁବାଦରେ ସେ ମୂଳ ରଚନାକୁ ଅଧ୍ୟାୟ ତଥା ପାଦରେ ବିଭକ୍ତ କରିଥିଲେ ଯାହା କି ମୂଳ ରଚନାରେ ନ ଥିଲା ।[୫] [୬]

ଆଧାର[ସମ୍ପାଦନା]

  1. "Mitakshara Law & Dayabhaga Law - HUF". www.incometaxmanagement.com. Retrieved 21 July 2018.
  2. "Difference between Dayabhaga and Mitakshara in Hindu Law". www.differencebetween.net. Retrieved 21 July 2018.
  3. Robert Lingat, The Classical Law of India, (New York: Oxford UP, 1973), 172.
  4. Rocher,Jimutavahana's Dāyabhāga: The Hindu Law of Inheritance in Bengal, (Oxford University Press, 2002), 23.
  5. Rocher,Jimutavahana's Dāyabhāga: The Hindu Law of Inheritance in Bengal, (Oxford University Press, 2002), 33.
  6. Rocher,Jimutavahana's Dāyabhāga: The Hindu Law of Inheritance in Bengal, (Oxford University Press, 2002), 35.

ବାହାର ଲିଙ୍କ[ସମ୍ପାଦନା]