ଜାତୀୟ ଆୟ
ଜଣେ ବ୍ୟକ୍ତିଙ୍କ ଉନ୍ନତି ଏବଂ ଅଗ୍ରଗତି ତାଙ୍କର ଜାତୀୟ ଆୟ ଉପରେ ନିର୍ଭର କରେ । ଜାତିର ଉନ୍ନତି ସେହିପରି ଜାତୀୟ ଆୟ ଉପରେ ନିର୍ଭରଶୀଳ । ବେନହାମ(Benham)ଙ୍କ ଭାଷାରେ - "କୌଣସି ଦେଶର ଅର୍ଥନୈତିକ ଜୀବନର ବାସ୍ତବ ଚିତ୍ର ପାଇବାର ସର୍ବଶ୍ରେଷ୍ଠ ଉପାୟ ହେଉଛି ଏହାର ଜାତୀୟ ଆୟ ଅଟକଳର ବିଶଦ ଅଧ୍ୟୟନ କରିବା ।" [୧]
ଜାତୀୟ ଆୟ କ’ଣ
[ସମ୍ପାଦନା]ଜାତୀୟ ଆୟ ବା ଲାଭାଂଶ କହିଲେ କୌଣସି ଏକ ଦେଶରେ ଉତ୍ପାଦନର ଉପାଦକମାନଙ୍କ ସହଯୋଗରେ ଉତ୍ପାଦିତ ଦ୍ରବ୍ୟ ବା ସେବା ସମୂହକୁ ବୁଝାଏ । ଏହି ଜାତୀୟ ଲାଭାଂଶକୁ ବଜାର ଦରରେ ପରିମାପ କଲେ ଜାତୀୟ ଆୟ କଳନା କରାଯାଏ । ଦେଶର ଉତ୍ପାଦିତ ସମସ୍ତ ଦ୍ରବ୍ୟ ଏବଂ ସେବାକୁ ମୋଟ ଜାତୀୟ ଉତ୍ପାଦ(Gross National Product) କୁହାଯାଏ । ମୋଟ ଜାତୀୟ ଉତ୍ପାଦରୁ ଯଦି ଅବମୂଲ୍ୟନ ଏବଂ ମାଧ୍ୟମିକ ଉତ୍ପାଦଗୁଡ଼ିକୁ ଅନ୍ତର କରାଯାଏ ତେବେ ଆମେ ନିଟ ଜାତୀୟ ଉତ୍ପାଦ ପାଇଥାଉ । ଏହି ନିଟ ଜାତୀୟ ଉତ୍ପାଦ(Net-National Product)ର ମୂଲ୍ୟକୁ ଜାତୀୟ ଆୟ କୁହାଯାଏ ।
ଜାତୀୟ ଆୟ ନିର୍ଦ୍ଧାରଣ ବେଳେ ଦ୍ରବ୍ୟ ଏବଂ ସେବାର ମୂଲ୍ୟ ବିଚାରକୁ ନିଆଯାଇଥାଏ । ଏହାର କାରଣ ଯେ ଅନେକ ଦ୍ରବ୍ୟ ଓ ସେବା ଦେଶରେ ଉତ୍ପାଦିତ ହେଲେ ମଧ୍ୟ ବଜାରକୁ କ୍ରୟ ବିକ୍ରୟ ପାଇଁ ଆସେ ନାହିଁ । ଯେଉଁ ଦ୍ରବ୍ୟ ଏବଂ ସେବା ଗୁଡ଼ିକ ବଜାରକୁ କ୍ରୟ ବିକ୍ରୟ ପାଇଁ ଆସେ ତାହା ଜାତୀୟ ଆୟର ଅନ୍ତର୍ଭୁକ୍ତ ହୋଇଥାଏ । ଚୋରୀ ଧନ ଓ ହିସାବ ବହିର୍ଭୂତ ମୁଦ୍ରା ବଜାରରେ କ୍ରୟ ବିକ୍ରୟ ହେଉ ନଥିବାରୁ ଜାତୀୟ ଆୟର ଅଟକଳରୁ ବାଦ ଦିଆଯାଇଥାଏ । ଦେଶର ଲୋକମାନଙ୍କର ବୈଦେଶିକମାନଙ୍କୁ ପରିଶୋଧ କରିବାକୁ ଥିବା ଋଣ ବା ସମ୍ପଦର ସତ୍ତ୍ୱାଧିକାର(Titles to Wealth)କୁ ଜାତୀୟ ଆୟରୁ ଅନ୍ତର କରାଯାଇଥାଏ । ମାତ୍ର ଅନେକ ଦ୍ରବ୍ୟ ରହିଛି ଯାହା ବଜାରରେ କ୍ରୟ ବିକ୍ରୟ ହେଉ ନଥିଲେ ମଧ୍ୟ ଜାତୀୟ ଆୟର ଗଣନାରେ ଅନ୍ତର୍ଭୁକ୍ତ ହୁଏ । ଉଦାହରଣ ସ୍ୱରୂପ ଶ୍ରମିକମାନେ ଯଦି ଶସ୍ୟ ଆକାରରେ ମୂଲ ନିଅନ୍ତି, ଉତ୍ପାଦକ ନିଜେ ମଧ୍ୟ କେତେକ ଦ୍ରବ୍ୟ ନିଜ ପାଇଁ ରଖନ୍ତି ଏବଂ ନିଜେ ମାଲିକ ଦେଇଥିବା ଘରର ଘରଭଡ଼ା ପ୍ରଭୃତି ଆରୋପିତ ଆୟ ଜାତୀୟ ଆୟର ଅନ୍ତର୍ଭୁକ୍ତ ହୁଏ । ବ୍ୟକ୍ତିଗତ ଆୟ ପରି ଜାତୀୟ ଆୟ ଏକ ପ୍ରବାହ ଧାରଣା । ଜାତୀୟ ସମ୍ପଦ ଏକ ଭଣ୍ଡାର ହୋଇଥିଲାବେଳେ ଜାତୀୟ ଆୟ ଏହାର ପ୍ରବାହ । ଜାତୀୟ ସମ୍ପଦରୁ ଅନବରତ ଜାତୀୟ ଆୟ ସୃଷ୍ଟି କରାଯାଏ । ଭୂମି, ପୁଞ୍ଜି, ଶ୍ରମ ଏବଂ ସଙ୍ଗଠନର ଭଣ୍ଡାର ହେଉଛି ଜାତୀୟ ସମ୍ପଦ । କିନ୍ତୁ ସେଗୁଡ଼ିକରୁ ସୃଷ୍ଟି ଅଧିଶେଷ ମଜୁରୀ, ସୁଧ ଓ ଲାଭ ଜାତୀୟ ଆୟ ।
ଜାତୀୟ ଆୟର ତ୍ରିବିଧ ସଂଜ୍ଞା
[ସମ୍ପାଦନା]ଜାତୀୟ ଆୟର ତ୍ରିବିଧ ସଂଜ୍ଞା ରହିଛି । ଏହି ସଂଜ୍ଞାଗୁଡ଼ିକ ମାର୍ଶାଲ, ପିଗୁ ଏବଂ ଫିସର ଦେଇଛନ୍ତି । ମାର୍ଶାଲଙ୍କ ସଂଜ୍ଞା ଉତ୍ପାଦିତ ଆୟ ଉପରେ ହୋଇଥିବାବେଳେ ପିଗୁଙ୍କ ସଂଜ୍ଞା ଉତ୍ପାଦକମାନଙ୍କଦ୍ୱାରା ପ୍ରାପ୍ତ ଆୟ ଏବଂ ଫିସରଙ୍କ ସଂଜ୍ଞା ଜାତୀୟ ଉପଭୋଗ ଉପରେ ପ୍ରତିଷ୍ଠିତ ।
ମାର୍ଶାଲଙ୍କ ସଂଜ୍ଞା
[ସମ୍ପାଦନା]ମାର୍ଶାଲଙ୍କ ମତରେ ଉତ୍ପାଦନ ଜାତୀୟ ଆୟର ମୌଳିକ ଭିତ୍ତି । ସେ ଲେଖିଛନ୍ତି, "କୌଣସି ଦେଶରେ ଶ୍ରମ ଏବଂ ପୁଞ୍ଜି ସହ ଦେଶର ପ୍ରାକୃତିକ ସମ୍ବଳର ସହଯୋଗରେ ବାର୍ଷିକ ଏକ ନିର୍ଦ୍ଦିଷ୍ଟ ପରିମିତି ଭୌତିକ ଏବଂ ସମସ୍ତ ପ୍ରକାର ସେବା ସହିତ ଯେଉଁ ଅଭୌତିକ ଦ୍ରବ୍ୟ ସମୂହ ଉତ୍ପାଦନ କରନ୍ତି ତାହା ସେହି ଦେଶର ପ୍ରକୃତ ଜାତୀୟ ଲାଭାଂଶ ବୋଲି ଧରାଯିବ । ଏଥିରେ ମଧ୍ୟ ବିଦେଶରୁ ଆନୀତ ଆୟ ସଞ୍ଜୋଗ ହେବ ।"[୨]
ସେ ଏଠାରେ ଜାତୀୟ ଆୟର ଭିତ୍ତି ରୂପେ ସମସ୍ତ ନିଟ ଦ୍ରବ୍ୟ, ପଣ୍ୟ ଏବଂ ସେବାକୁ ବିଚାର କରିଛନ୍ତି । ଏଠାରେ ସେ ମୋଟ ଜାତୀୟ ଉତ୍ପାଦନରୁ ଅବକ୍ଷୟ ଜନିତ ପାଉଣା ଏବଂ ଜାତୀୟ ଋଣର ଅନ୍ତର କରି ବୈଦେଶିକ ନିବେଶରୁ ପ୍ରାପ୍ୟ ଆୟକୁ ସଂଯୋଗ କରିଛନ୍ତି । ଜାତୀୟ ଆୟ କଳନା କଲାବେଳେ କେବଳ ଚୂଡ଼ାନ୍ତ ଦ୍ରବ୍ୟ ଏବଂ ସେବାକୁ ସେ ଗନନା କରିଛନ୍ତି । ମାର୍ଶାଲଙ୍କ ସଂଜ୍ଞା ଏକ ବ୍ୟାପକ ସଂଜ୍ଞା । ତଥାପି ଏହାର କେତେକେ ସୀମାବଦ୍ଧତା ରହିଛି । ପ୍ରଥମରେ ମୋଟ ଉତ୍ପାଦିତ ଦ୍ରବ୍ୟ, ପଣ୍ୟ ଓ ସେବାର ଅଟକଳ ଅତ୍ୟନ୍ତ କଷ୍ଟସାଧ୍ୟ । ଦ୍ୱିତୀୟତଃ ଯେଉଁ ଉତ୍ପାଦିତ ଦ୍ରବ୍ୟ ଆତ୍ମ ଉପଭୋଗ ବା ଅନ୍ୟାନ୍ୟ ଦ୍ରବ୍ୟ ସହିତ ବିନିମୟ ହୁଏ ତାହା ବଜାରକୁ ଆସେ ନାହିଁ । ତେଣୁ ଏହି ପ୍ରକାର ଉତ୍ପନ୍ନ ଦ୍ରବ୍ୟର ହିସାବ ରଖିବା କଷ୍ଟକର । ତୃତୀୟରେ ଦ୍ୱୈତ ଗଣନାର ବିପଦ ଏଥିରେ ଲୁକ୍କାୟିତ । ଉଦାହରଣ ସ୍ୱରୂପ କୃଷିର ଉତ୍ପାଦନ କଳନା କଲାବେଳେ ତୁଳାକୁ ହିସାବ କରାଯାଇଥାଏ । ଶିଳ୍ପ ଉତ୍ପାଦନାକୁ କଳନା କଲାବେଳେ ଆମେ ବସ୍ତ୍ରକୁ ହିସାବକୁ ନେଇଥାଉ । ତେଣୁ ଏଠାରେ ତୁଳା ଦ୍ୱେତ ଗଣନାର ଶୀକାର ହୋଇଥାଏ ।
ପିଗୁଙ୍କ ସଂଜ୍ଞା
[ସମ୍ପାଦନା]ପିଗୁ(Pigou) ମାର୍ଶାଲଙ୍କ ସଂଜ୍ଞାରେ ଥିବା ଭୁଲ ଗୁଡ଼ିକୁ ସଂଶୋଧନ କରିବା ପାଇଁ ଚେଷ୍ଟା କରିଥିଲେ । ସେ ତାଙ୍କର ଅନବଦ୍ୟ ସୃଷ୍ଟି ‘କଲ୍ୟାଣର ଅର୍ଥନୀତି’(The Economics of Welfare)ରେ ଆୟର ସଂଜ୍ଞା ଦେଇଛନ୍ତି । ତାଙ୍କ ମତରେ ଜାତୀୟ ଆୟର ଯେଉଁ ବସ୍ତୁନିଷ୍ଠ ଅଂଶ ଏବଂ ଏହା ସହିତ ବିଦେଶରୁ ଆନୀତ ଯେଉଁ ଆୟ ମୁଦ୍ରାଦ୍ୱାରା ପରିମାପ କରାଯାଇ ପାରିବ ତାକୁ ଜାତୀୟ ଲାଭାଂଶ କୁହାଯାଏ । ସେ ଦ୍ୱୈତ ଗଣନା ପ୍ରତି ଅତ୍ୟନ୍ତ ସଚେତନ ଥିଲେ । ତେଣୁ ଯେଉଁ ଦ୍ରବ୍ୟ ବା ସେବା ମୁଦ୍ରାଦ୍ୱାରା ପରିମାପ କରାଯାଇ ପାରିବ ସେଥିରେ ଅନ୍ତର୍ଭୁକ୍ତ କରିଥିଲେ । ଜାତୀୟ ଆୟରେ ସେ ବିଦେଶାଗତ ଆୟକୁ ମଧ୍ୟ ଅନ୍ତର୍ଭୁକ୍ତ କରିଥିଲେ ।
ତାଙ୍କ ସଂଜ୍ଞା ଥିଲା ଅଧିକ ସଠିକ ଏବଂ ସୁବିଧାଜନକ । କିନ୍ତୁ ଏହାର କେତେକ ବ୍ୟବହାରିକ ସୀମାବଦ୍ଧତା ରହିଛି । କେତେକ ଏହାକୁ ଜାତୀୟ ଆୟର ବିରୋଧାଭାସ ବୋଲି କହୁଥିଲେ । ତାଙ୍କ ମତରେ ଯେଉଁ ଦ୍ରବ୍ୟ ବା ସେବା ମୁଦ୍ରାଦ୍ୱାରା ପରିମିତ ହେବେ ତାହା ଜାତୀୟ ଆୟ ବୋଲି ପରିଗଣିତ ହେବ । କିନ୍ତୁ ଯେଉଁଠାରେ ପଣ୍ୟ ବିନିମୟ ହେବ ଅର୍ଥାତ ଦ୍ରବ୍ୟର ପ୍ରତିବଦଳରେ ଦ୍ରବ୍ୟ ଗ୍ରହଣ କରାଯିବ ସେଗୁଡ଼ିକ ଜାତୀୟ ଆୟ ବୋଲି ପରିଗଣିତ ହେବନାହିଁ । ଜନେ ସେବିକାଙ୍କ ସେବା ଜାତୀୟ ଆୟର ଅନ୍ତର୍ଭୁକ୍ତ କାରଣ ତାଙ୍କ ସେବା ନିମିତ୍ତ ସେ ପାଉଣା ପାଆନ୍ତି । କିନ୍ତୁ ସେବିକା ଜଣକ ଯଦି ଗୃହିଣୀ ହୁଅନ୍ତି, ତେବେ ସେ ତାଙ୍କ ସେବା ଲାଗି ପାଉଣା ପାଇବେ ନାହିଁ ବା ତାଙ୍କ ସେବା ଜାତୀୟ ଆୟର ଅନ୍ତର୍ଭୁକ୍ତ ହେବ ନାହିଁ । ଦ୍ୱିତୀୟରେ ସେ ତାଙ୍କ ସଂଜ୍ଞାରେ ମୁଦ୍ରା ବିନିମୟ ଯୋଗ୍ୟ ଦ୍ରବ୍ୟ ଏବଂ ଅନ୍ୟାନ୍ୟ ଦ୍ରବ୍ୟ ମଧ୍ୟରେ ଏକ କୃତ୍ରିମ ପାର୍ଥକ୍ୟ ସୃଷ୍ଟି କରିଛନ୍ତି । କିନ୍ତୁ ପ୍ରକୃତରେ ଦ୍ରବ୍ୟଗୁଡ଼ିକ ମଧ୍ୟରେ କୌଣସି ପାର୍ଥକ୍ୟ ପରିଲକ୍ଷିତ ହୁଏନାହିଁ । ଅବଶେଷରେ ଭାରତ ପରି ଦେଶରେ ଜାତୀୟ ଅର୍ଥନୀତି ସଂପୂର୍ଣ୍ଣ ରୂପେ ମୁଦ୍ରା ବ୍ୟବସ୍ଥିତ(Monetised) ହୋଇନାହିଁ । ଅନେକ ସ୍ଥଳରେ ପଣ୍ୟ ବିନିମୟ ପ୍ରଥାର ପ୍ରଚଳନ ଅଛି । ତେଣୁ ଏ କ୍ଷେତ୍ରରେ ଜାତୀୟ ଆୟର ମୌଦ୍ରିକ ପଦ୍ଧତି ପ୍ରଚଳନ କଲେ ପ୍ରକୃତ ଜାତୀୟ ଆୟ ସ୍ୱଳ୍ପ ହେବ ।[୩]
ଫିସରଙ୍କ ପଦ୍ଧତି
[ସମ୍ପାଦନା]ଫିସର ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ଅର୍ଥଶାସ୍ତ୍ରୀ । ସେ ଜାତୀୟ ଆୟର ପରିମାପ ନିମିତ୍ତ ଉପଭୋଗକୁ ଭିତ୍ତି ରୂପେ ଗ୍ରହଣ କରିଥିଲେ । ତାଙ୍କ ପଦ୍ଧତିକୁ ଆୟ-ଉପଭୁକ୍ତ ପଦ୍ଧତି (Income Consumed Method) କହନ୍ତି । ତାଙ୍କ ମତରେ "ଜାତୀୟ ଆୟ ଉପଭୋକ୍ତାଙ୍କ ପ୍ରାପ୍ତ ଚୂଡ଼ାନ୍ତ ସେବା ଯାହାକି ତାଙ୍କର ଭୌତିକ ବା ମାନବିକ ପରିବେଶରୁ ସୃଷ୍ଟି, ତାର ସମ୍ମିଶ୍ରଣରେ ଗଠିତ ।" ସେ ଗୋଟିଏ ପିଆନୋ ବା ଓଭର କୋଟର ଉଦାହରଣ ଦେଇଛନ୍ତି । କୌଣସି ଏକ ବର୍ଷରେ ଗୋଟିଏ ପିଆନୋ ବା ବୀଣା କ୍ରୟ କରାଗଲେ ତାହା ଏହି ବର୍ଷର ଆୟରେ ସଂପୂର୍ଣ୍ଣ ସାମିଲ ନ ହୋଇ ଏଥିରୁ ପ୍ରାପ୍ତ ସେବା ସହିତ ସାମିଲ ହେବା ଉଚିତ । ତେଣୁ କୌଣସି ଦ୍ରବ୍ୟ ବା ସେବା ଏକ ବର୍ଷରେ କ୍ରୟ ହେଲେ ସେହି ବର୍ଷରେ ଉପଭୁକ୍ତ ସେହି ଦ୍ରବ୍ୟ ବା ସେବାର ଅଂଶକୁ ଜାତୀୟ ଆୟରେ ସଂଯୋଗ ହେବ । ଉଦାହରଣ ସ୍ୱରୂପ ଯଦି ଗୋଟିଏ ବୀଣାର ସ୍ଥାୟିତ୍ୱ ୧୦ ବର୍ଷ ହୁଏ ଏବଂ ମୂଲ୍ୟ ୧୦୦୦ ଟଙ୍କା ହୁଏ, ତେବେ ଏହାର ବାର୍ଷିକ ମୂଲ୍ୟ ୧୦୦ ଟଙ୍କା ଜାତୀୟ ଆୟରେ ପରିଗଣିତ ହେବ ।
ଫିସରଙ୍କ ସଂଜ୍ଞା କଲ୍ୟାଣ ଅଭିମୁଖୀ । ଏହାର ବାସ୍ତବ ମୂଲ୍ୟ ସ୍ୱଳ୍ପ । କୌଣସି ଏକ ଦ୍ରବ୍ୟର ବାସ୍ତବ ଉପଭୋଗ ଅଟକଳ କରିବା କଷ୍ଟ କାରଣ ଦ୍ରବ୍ୟଟି ବର୍ଷ ବର୍ଷ ଧରି ଉପଭୋଗ କରାଯାଏ । ଅଧିକନ୍ତୁ ଏହି ଦ୍ରବ୍ୟର ମୌଦ୍ରିକ ମୂଲ୍ୟ(Monetary Value) ନିରୂପଣ ଏକ ଦୁରୂହ ବ୍ୟାପାର । କାରଣ ଏହା ଅଗଣିତ ଲୋକଙ୍କଦ୍ୱାରା ଉପଭୁକ୍ତ ହୋଇଥାଏ । ପ୍ରତ୍ୟେକଙ୍କ ଉପଯୋଗିତା ପରସ୍ପରଠାରୁ ଭିନ୍ନ ହୋଇଥାଏ । [୪]
ଆଧୁନିକ ସଂଜ୍ଞା
[ସମ୍ପାଦନା]ଆଧୁନିକ ଅର୍ଥଶାସ୍ତ୍ରୀମାନେ ଜାତୀୟ ଆୟର ଏକ ବାସ୍ତବ ଏବଂ ବ୍ୟବହାରିକ ସଂଜ୍ଞା ଦେଇଛନ୍ତି । ଭାରତର ଜାତୀୟ ଆୟ କମିଟି ଜାତୀୟ ଆୟର ଏକ ସଂଜ୍ଞା ପ୍ରଣୟନ କରିଛନ୍ତି । ତାଙ୍କ ମତରେ ଜାତୀୟ ଆୟର ଅଟକଳ ଏକ ନିର୍ଦ୍ଦିଷ୍ଟ ସମୟରେ ଉତ୍ପାଦିତ ଦ୍ରବ୍ୟ ଓ ସେବାର ଦ୍ୱୈତ ଗଣନା ନ କରି ପରିମାପ କରିଥାଏ । {{Quote box|width=|bgcolor=#ACE1AF|width = 45%|align = center|quote="A National Income measures the value of Commodities and services turned out during a given period, counted without duplication."[୫] ଏହି ଅଟକଳ ଦ୍ରବ୍ୟ ଏବଂ ସେବାର ବାର୍ଷିକ ପରିମାପକୁ ମାପିଥାଏ । ଅନ୍ୟଭାଷାରେ କହିଲେ କୌଣସି ଏକ ବର୍ଷରେ ଉତ୍ପାଦିତ ଦ୍ରବ୍ୟ ଏବଂ ସେବାର ମୂଲ୍ୟ ସମାନ । ଜାତୀୟ ଆୟର ଏହା ଏକ କଳନା କରିବା ପଦ୍ଧତି । ଦ୍ୱିତୀୟତଃ କୌଣସି ଏକ ବର୍ଷରେ ଉତ୍ପାଦିତ ଦ୍ରବ୍ୟ ଏବଂ ସେବାର ମୋଟ ମୂଲ୍ୟ ସେହି ବର୍ଷକର ଉତ୍ପାଦନର ଉପାଦାନମାନେ ଉପାର୍ଜନ କରିଥିବା ଅଧିଶେଷ ମଜୁରୀ ସୁଧ ଏବଂ ଲାଭ ସହିତ ସମାନ । ଏହାକୁ ଜାତୀୟ ଆୟର ଗଣନାପଦ୍ଧତି କୁହାଯାଏ । ତୃତୀୟରେ ଲୋକମାନେ କୌଣସି ଏକ ବର୍ଷରେ ଯାହା ଆୟ ପ୍ରାପ୍ତି ହୁଅନ୍ତି ତାହା ତାଙ୍କର ମୋଟ ବ୍ୟୟ ସହିତ ସମାନ । ସେମାନେ ଆୟକୁ ଉପଭୋଗ ବା ନିବେଶ ଉପରେ ବ୍ୟୟ କରନ୍ତି । ଏହାକୁ ଜାତୀୟ ଆୟର ବ୍ୟୟ କଳନା ପଦ୍ଧତି କୁହାଯାଏ । ଏଠାରେ ଜାତୀୟ ଆୟ ନିଟ ଜାତୀୟ ଉତ୍ପାଦନ ମୂଲ୍ୟ ସହିତ ସମାନ ଏବଂ ନିଟ ଜାତୀୟ ଉତ୍ପାଦନ ଅଧିଶେଷ, ମଜୁରୀ, ସୁଧ ଏବଂ ଲାଭର ସମଷ୍ଟି ସହିତ ସମାନ । ଜାତୀୟ ମୋଟ ବ୍ୟୟ ଉପଭୋଗ ନିବେଶ ଏବଂ ସରକାରୀ ବ୍ୟୟ ସହିତ ସମାନ ।
ଜାତୀୟ ଆୟର କଳନା
[ସମ୍ପାଦନା]ଜାତୀୟ ଆୟକୁ କଳନା କରିବାର ତିନିଗୋଟି ପଦ୍ଧତି ରହିଛି ।
ଉତ୍ପାଦନର ଜନସଂଖ୍ୟା ପଦ୍ଧତି
[ସମ୍ପାଦନା]ଜାତୀୟ ଆୟକୁ କଳନା କରିବାର ଏକ ପଦ୍ଧତି ହେଲା ଉତ୍ପାଦନର ଜନସଂଖ୍ୟା ପଦ୍ଧତି(Census of Production Method), କେତେକ ଏହାକୁ ଉତ୍ପାଦକ ପଦ୍ଧତି ଏବଂ ଆଉ କେତେକ ଆକୂଳନ ପଦ୍ଧତି(Inventory Method)[୬] କୁହନ୍ତି । ଏହି ପଦ୍ଧତି ଅନୁଯାୟୀ କୌଣସି ଏକ ବର୍ଷର ଜାତୀୟ ଆୟ ସେହି ବର୍ଷ ଉତ୍ପାଦିତ ସମସ୍ତ ଦ୍ରବ୍ୟ ଏବଂ ସେବାର ମୌଦ୍ରିକ ମୂଲ୍ୟ ନିର୍ଣ୍ଣୟ କଲେ କଳନା କରାଯାଇ ପାରିବ । ଏହି ଅଟକଳ ଉତ୍ପାଦନର ଜନସଂଖ୍ୟା ପଦ୍ଧତି ଉପରେ ଆଧାରିତ । ଏଠାରେ କେବଳ ଚୂଡ଼ାନ୍ତ ଦ୍ରବ୍ୟ ଏବଂ ସେବାର ଅଟକଳ କରାଯାଇଥାଏ । ଯେଉଁ ଦ୍ରବ୍ୟ ଗୁଡ଼ିକ ମାଧ୍ୟମିକ ଉତ୍ପାଦନ ସ୍ତରରେ ହୋଇଥାଏ ସେଗୁଡ଼ିକ ଗଣନା କରାଯାଏ ନାହିଁ । ଦ୍ୱିତୀୟରେ ରପ୍ତାନୀ ଏବଂ ଆମଦାନୀ ଦ୍ରବ୍ୟର ମୂଲ୍ୟ ମଧ୍ୟରେ ଥିବା ପାର୍ଥକ୍ୟକୁ ବିଚାରକୁ ନିଆଯିବା ଉଚିତ । ଯଦି ଆମଦାନୀର ମୂଲ୍ୟ ରପ୍ତାନୀ ମୂଲ୍ୟ ଅପେକ୍ଷା ଅଧିକ, ତେବେ ଏହି ପାର୍ଥକ୍ୟକୁ ଜାତୀୟ ଆୟରୁ ବିୟୋଗ କରାଯିବ । ଅନ୍ୟ ପକ୍ଷରେ ଯଦି ରପ୍ତାନୀର ମୂଲ୍ୟ ଆମଦାନୀରୁ ଅଧିକ ହୁଏ, ତାହେଲେ ସେହି ପାର୍ଥକ୍ୟକୁ ଜାତୀୟ ଆୟରେ ସଂଯୋଗ କରାଯିବ । ତୃତୀୟରେ ମୋଟ ଜାତୀୟ ଉତ୍ପାଦନର ମୂଲ୍ୟରୁ ଆମ୍ଭଙ୍କୁ ମୂଲ୍ୟ ଅବକ୍ଷୟ ଜନିତ ପାଉଣା ବିୟୋଗ କରିବାକୁ ହେବ । ଜାତୀୟ ଅର୍ଥନୀତିର ପ୍ରତ୍ୟେକ କ୍ଷେତ୍ରରେ ଏହି ପ୍ରକାର ଅଟକଳ କରାଯାଇ ତାହାର ସମଷ୍ଟିରେ ଜାତୀୟ ଆୟ ଗଣନା କରାଯିବ । ନିଟ ଜାତୀୟ ଉତ୍ପାଦନର ସମଷ୍ଟିକୁ ଉପାଦାନ ପରିବ୍ୟୟଦ୍ୱାରା ଗୁଣନ କରି କଳନା କରାଯିବ ।
ତେଣୁ, ମୋଟ ଜାତୀୟ ଉତ୍ପାଦନର ମୂଲ୍ୟ + ବିଦେଶାଗତ ଆୟ - (ମାଧ୍ୟମିକ ଉତ୍ପାଦନ+ଅବକ୍ଷୟ ମୂଲ୍ୟ) = ଜାତୀୟ ଆୟ ।
ଆୟର ଜନଗଣନା ପଦ୍ଧତି
[ସମ୍ପାଦନା]ଆୟର ଜନଗନନା ପଦ୍ଧତି(Census of Income Method)ଦ୍ୱାରା ଜାତୀୟ ଆୟ ଦେଶର ସମସ୍ତ ମଜୁରୀ ଏବଂ ଦରମା, ପ୍ରତିଷ୍ଠାନ ଏବଂ ବ୍ୟବସାୟର ନିଟ ଲାଭ ଋଣର ନିଟ ସୁଧ ଏବଂ ମୋଟ ନିଟ ଅଧିଶେଷର ସମଷ୍ଟିକୁ ଗଣନା କରି ଅଟକଳ କରାଯାଇ ପାରିବ । ଏହି ପଦ୍ଧତି ଅନୁଯାୟୀ ବିଭିନ୍ନ ଉପାଦାନରୁ ଅଦ୍ଭୁତ ଆୟକୁ ସଂଯୋଗ କରି ଜାତୀୟ ଆୟ ଅଟକଳ ପ୍ରସ୍ତୁତ କରାଯାଏ । ଏହି ଆୟର ସଂଯୋଗ କଲାବେଳେ କେତେଗୁଡ଼ିଏ ବିଷୟପ୍ରତି ଧ୍ୟାନ ଦେବାକୁ ହେବ । ପ୍ରଥମରେ ସ୍ଥାନାନ୍ତରିତ ଆୟ ଯଥା ବୃଦ୍ଧକାଳୀନ ଭତ୍ତା ଅଥବା ଭିକାରୀମାନଙ୍କ ଆୟ ଅଥବା କୌଣସି ପ୍ରକାର ଦାନ ଏଥିରେ ସାମିଲ କରାଯିବ ନାହିଁ । ଉଦ୍ୟୋକ୍ତାମାନଙ୍କ ମାଲିକାନାରେ ଥିବା ଘର ବା ପୁଞ୍ଜି ଯାହା ଉତ୍ପାଦନରେ ନିବେଶିତ ହୋଇଥାଏ ତାର ଅଧିଶେଷ ଏବଂ ସୁଧ ଜାତୀୟ ଆୟରେ ସଂଯୁକ୍ତ ହେବା ଉଚିତ । ଯେଉଁ ଦ୍ରବ୍ୟ ଏବଂ ସେବା ଯାହା ମାଗଣାରେ ମିଳିପାରେ ଯଥା : ଘରଣୀଙ୍କ ସେବା ବା ନିଜ ବଗିଚାର ପନିପରିବା ମୂଲ୍ୟ ଏଠାରେ ଜାତୀୟ ଆୟ ଅଟକଳରେ ସଂଯୁକ୍ତ ହେବନାହିଁ । କମ୍ପାନୀମାନଙ୍କର ଯେଉଁ ଲାଭ ବଣ୍ଟନ ନ ହୋଇ ସଂରକ୍ଷିତ ପାଣ୍ଠିରେ ଗଚ୍ଛିତ ଥାଏ ତାହା ଜାତୀୟ ଆୟ କଳନାରେ ସଂଯୋଗ ହେବ ନାହିଁ ।
ବ୍ୟୟ ପଦ୍ଧତି
[ସମ୍ପାଦନା]ବ୍ୟୟ ପଦ୍ଧତି(Expenditure Method)[୬]ରେ ଜାତୀୟ ଉପଭୋଗ ବ୍ୟୟ ଏବଂ ଜାତୀୟ ନିବେଶ ବ୍ୟୟର ସମଷ୍ଟିରେ ଜାତୀୟ ଆୟର ଅଟକଳ କରାଯାଏ । ଏହି ପଦ୍ଧତି ଅନୁଯାୟୀ ଜାତୀୟ ଆୟ ମୋଟ ଉତ୍ପାଦ, ବ୍ୟକ୍ତିମାନଙ୍କ ଉପଭୋଗ ବ୍ୟୟ, ସରକାରଙ୍କ ଦ୍ରବ୍ୟ ସେବା କ୍ରୟ, ଘରୋଇ ଜାତୀୟ ନିବେଶ ଏବଂ ନିଟ ବୈଦେଶିକ ନିବେଶରେ ବଜାର ମୂଲ୍ୟର ସମଷ୍ଟିରେ ଗଣନା କରାଯାଏ । ଏହି ପଦ୍ଧତି ଅତ୍ୟନ୍ତ କଷ୍ଟକର ପଦ୍ଧତି । ଦେଶର ବିଭିନ୍ନ ସୂତ୍ରରୁ ଉପଭୋଗ ଓ ସଞ୍ଚୟର ସଠିକ ପରିମାଣ ନିର୍ଣ୍ଣୟ କରିବା ଏକ ଦୁରୂହ ବ୍ୟାପାର ।
Rank | ୨୦୧୨[୮] | ୨୦୧୦ | ୨୦୦୯ | ୨୦୦୮ | ||||
---|---|---|---|---|---|---|---|---|
୧ | ଯୁକ୍ତରାଷ୍ଟ୍ର ଆମେରିକା | ୧୫,୭୩୪,୫୬୭ | ଯୁକ୍ତରାଷ୍ଟ୍ର ଆମେରିକା | ୧୪,୬୦୦,୮୨୮ | ଯୁକ୍ତରାଷ୍ଟ୍ର ଆମେରିକା | ୧୪,୨୨୩,୬୮୬ | ଯୁକ୍ତରାଷ୍ଟ୍ର ଆମେରିକା | ୧୪,୫୦୬,୧୪୨ |
୨ | ଚୀନ | ୭,୭୪୮,୯୦୩ | ଚୀନ | ୫,୭୦୦,୦୧୮ | ଚୀନ | ୪,୮୫୭,୬୨୩ | ଜାପାନ | ୪,୮୫୩,୦୦୫ |
୩ | ଜାପାନ | ୬,୧୦୫,୭୯୮ | ଜାପାନ | ୫,୩୬୯,୧୧୬ | ଜାପାନ | ୪,୭୮୫,୪୫୦ | ଚୀନ | ୪,୦୪୨,୮୮୩ |
୪ | ଜର୍ମାନୀ | ୩,୬୦୩,୮୯୫ | ଜର୍ମାନୀ | ୩,୫୩୭,୧୮୦ | ଜର୍ମାନୀ | ୩,୪୭୩,୮୧୪ | ଜର୍ମାନୀ | ୩,୫୦୪,୫୧୦ |
୫ | ଫ୍ରାନସ | ୨,୭୪୨,୮୯୧ | ଫ୍ରାନସ | ୨,୭୪୯,୮୨୧ | ଫ୍ରାନସ | ୨,୭୫୦,୪୧୭ | ଯୁକ୍ତରାଜ୍ୟ | ୨,୭୯୯,୯୬୦ |
୬ | ଯୁକ୍ତରାଜ୍ୟ | ୨,୪୧୮,୪୬୪ | ଯୁକ୍ତରାଜ୍ୟ | ୨,୩୯୯,୨୯୨ | ଯୁକ୍ତରାଜ୍ୟ | ୨,୫୩୮,୫୭୮ | ଫ୍ରାନସ | ୨,୭୦୦,୭୭୦ |
୭ | ବ୍ରାଜିଲ | ୨,୩୧୧,୧୪୭ | ଇଟାଲୀ | ୨,୧୨୫,୮୪୫ | ଇଟାଲୀ | ୨,୧୧୪,୬୬୮ | ଇଟାଲୀ | ୨,୧୧୫,୪୮୨ |
୮ | ଇଟାଲୀ | ୨,୦୬୧,୨୫୩ | ବ୍ରାଜିଲ | ୧,୮୩୦,୩୯୨ | ବ୍ରାଜିଲ | ୧,୫୬୩,୧୨୬ | ସ୍ପେନ | ୧,୪୪୯,୧୮୬ |
୯ | ଭାରତ | ୧,୮୯୦,୩୬୩ | ଭାରତ | ୧,୫୬୬,୬୩୬ | ସ୍ପେନ | ୧,୪୭୨,୦୪୬ | କାନାଡ଼ା | ୧,୪୪୬,୬୬୯ |
୧୦ | ଋଷିଆ | ୧,୮୮୨,୬୫୪ | ସ୍ପେନ | ୧,୪୬୨,୮୯୪ | ଭାରତ | ୧,୪୦୫,୦୬୪ | ବ୍ରାଜିଲ | ୧,୪୩୩,୬୯୯ |
ଜାତୀୟ ଆୟ ପରିମାପର ଅସୁବିଧା ସମୂହ
[ସମ୍ପାଦନା]ଗୋତିଏ ଦେଶର ଜାତୀୟ ଆୟ କଳନା କଲାବେଳେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ।
- ଜାତୀୟ ଆୟ କହିଲେ ଜାତିର ଆୟକୁ ବୁଝାଏ । ଜାତି ଅଭିଧାରଣାର ସଂଜ୍ଞା ନିର୍ଣ୍ଣୟ କଷ୍ଟକର । ଜାତୀୟ ଆୟ ଦେଶ ଏବଂ ବିଦେଶରୁ ଉପଜାତ ଆୟର ସମଷ୍ଟି । ଏଠାରେ ଜାତି କହିଲେ ଦେଶ ଓ ବିଦେଶ ଉଭୟକୁ ବୁଝାଯାଏ ।
- ଜାତୀୟ ଆୟର ଗଣନା ନିମିତ୍ତ ଯେଉଁ ପ୍ରକାର ଦ୍ରବ୍ୟ ଏବଂ ସେବା ଗଣନା କରାଯିବ ତାହା ନିର୍ଣ୍ଣୟ କରିବା କଷ୍ଟକର । ଯଦି ଆମେ କେବଳ ମୁଦ୍ରାରେ ପରିମାପିତ ଦ୍ରବ୍ୟ ଏବଂ ସେବା ଗଣନା କରିବା, ତେବେ ଅନେକ ଦ୍ରବ୍ୟ ଏବଂ ସେବା ଯାହା ମୁଦ୍ରାଦ୍ୱାରା ପରିମାପ ନ ହୁଏ, ତାହା ଜାତୀୟ ଆୟର ପରିସର ମଧ୍ୟରୁ ବାଦ ପଡ଼ିବ, ମାତ୍ର ଯଦି ଆମେ ଏହି ଦ୍ରବ୍ୟ ଏବଂ ସେବାକୁ ବାଦ ନ ଦେଉ, ତାହେଲେ ଜାତୀୟ ଆୟ ବାସ୍ତବ ପରିମାଣଠାରୁ ସ୍ୱଳ୍ପତର ହେବ । ଅନୁନ୍ନତ ଦେଶମାନଙ୍କରେ ଏହି ସମସ୍ୟା ଅଧିକ ଦେଖାଯାଏ । ଏହି ଦେଶମାନଙ୍କରେ ପଣ୍ୟବିନିମୟ ବ୍ୟବସ୍ଥା ପ୍ରଚଳନ ହୋଇଛି । ଦେଶର ଅନେକ କ୍ଷେତ୍ରରେ ମୁଦ୍ରାର ବ୍ୟବହାର ହୋଇନାହିଁ ।
- ଜାତୀୟ ଆୟର କଳନାର ପଦ୍ଧତି ନିର୍ବାଚନ ମଧ୍ୟ କଷ୍ଟସାଧ୍ୟ । ମାତ୍ର ଯେଉଁ ପଦ୍ଧତି ପାଇଁ ପରିସଂଖ୍ୟାନ ଓ ତଥ୍ୟ ସହଜରେ ମିଳିବ ତାକୁ ହିଁ ଅନୁସରଣ କରିବା ଉଚିତ ।
- ଅର୍ଥନୀତିର କେଉଁ ଅବସ୍ଥାରେ(stage) ଜାତୀୟ ଆୟ ଅଟକଳ କରାଯିବ ତାହା ମଧ୍ୟ ବିଚାର କରିବାର ବିଷୟ । ଅର୍ଥନୀତିର ସାଧାରଣତଃ ତିନିଗୋଟି ବ୍ୟବସ୍ଥା ରହିଛି, ଯଥା ଉପଭୋଗ, ଉତ୍ପାଦନ ଏବଂ ବଣ୍ଟନ । ଯଦି ଦେଶର ପ୍ରଗତିର ଅଟକଳ କରିବା ତେବେ ଉତ୍ପାଦନ ଅବସ୍ଥାରେ ଜାତୀୟ ଆୟ ଅଟକଳ କରାଯିବ । ଲୋକମାନଙ୍କ କଲ୍ୟାଣ ପରିମାପ କରିବାକୁ ହେଲେ ଜାତୀୟ ଆୟ ଉପଭୋଗ ସ୍ତରରେ ପରିମାପ କରିବାକୁ ହେବ ।
- ଉପଭୋଗ, ସଞ୍ଚୟ, ନିବେଶ, ଉତ୍ପାଦନ ଏବଂ ବଣ୍ଟନ ବିଷୟରେ ଉପାତ୍ତ(data)ର ଅଭାବ ଜାତୀୟ ଆୟ ଅଟକଳର ସର୍ବପ୍ରଥମ ପ୍ରତିବନ୍ଧକ, ଭାରତରେ କୃଷି ଏବଂ କ୍ଷୁଦ୍ରଶିଳ୍ପ ସମ୍ବନ୍ଧୀୟ ଉପାତ୍ତ ସହଜରେ ମିଳେନାହିଁ । ତେଣୁ ମୋଟ ଉତ୍ପାଦନର କଳନା ଅସମ୍ଭବ ।
- ଦ୍ୱୈତ ଗଣନା ଜାତୀୟ ଆୟ ଅଟକଳ ପରିମାପର ଆଉ ଏକ ପ୍ରଧାନ ବିପଦ । ଏ ବିଷୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରାଯିବା ଆବଶ୍ୟକ । ଗଣନା କଲାବେଳେ ତୁଳାକୁ ଏବଂ ବସ୍ତ୍ରକୁ ଦୁଇଥର ସ୍ୱତନ୍ତ୍ର ଭାବରେ ଗଣନା କଲେ ଏହା ତୁଳାର ଦ୍ୱୈତଗଣନା ସହିତ ସମାନ ହୁଏ । ଫଳରେ ଜାତୀୟ ଆୟର ମୂଲ୍ୟ ବାସ୍ତବତାଠାରୁ ଅଧିକ ହୁଏ । ଏହାକୁ ଅନେକ ଗଣନାର ଚାତୁରି ବୋଲି କହନ୍ତି ।
- ସ୍ଥାନାନ୍ତର ପାଉଣା ମଧ୍ୟ ଜାତୀୟ ଆୟ କଳନା କରିବା ନିମିତ୍ତ ପ୍ରତିବନ୍ଧକ ସୃଷ୍ଟିକରେ । ଭିକାରୀର ଆୟ, ବୃଦ୍ଧକାଳୀନ ଭତ୍ତା ବା ଦାନ ଆଦି ଜାତୀୟ ଆୟ ଗଣନାର ପରିସରଭୁକ୍ତ ହେବା ଉଚିତ ନୁହେଁ ।
- ମୂଲ୍ୟ ଅବକ୍ଷୟ ସଠିକ ଭାବେ ହିସାବ କରାଯିବା ଉଚିତ । କୌଣସି ଏକ ମେସିନର ପରମାୟୁ ଯଦି ୫୦ ବର୍ଷ ହୁଏ, ତେବେ ତାହାର ମୂଲ୍ୟ ଅବକ୍ଷୟ ଧାରଣା କରିବା କଷ୍ଟକର । ପ୍ରତିଷ୍ଠାନଗୁଡ଼ିକ ମେସିନର ମୂଲ୍ୟ ଅବକ୍ଷୟରୁ ଏହାକୁ ସର୍ବପ୍ରଥମ ପରିବ୍ୟୟ ଉପରେ ଆଧାରିତ କରିବା ଉଚିତ । ମେସିନର ମୂଲ୍ୟ ପ୍ରତିବର୍ଷ ପରିବର୍ତ୍ତିତ ହେଉଥିବା ଯୋଗୁଁ ଏହି ମୂଲ୍ୟ ହ୍ରାସର ଅଟକଳ ଜଟିଳ ହୋଇଥାଏ । ବାସ୍ତବରେ ମୁଦ୍ରାମୂଲ୍ୟ ପରିବର୍ତ୍ତନ ଫଳରେ କେବଳ ମୂଲ୍ୟ ଅବକ୍ଷୟ ନୁହେଁ, ଜାତୀୟ ଆୟ କଳନା ମଧ୍ୟ ଜଟିଳ ହୋଇଥାଏ ।
- ଲୋକମାନଙ୍କ ରକ୍ଷଣଶୀଳ ମନୋବୃତ୍ତି ଯୋଗୁଁ ସେମାନେ ସେମାନଙ୍କ ଆୟ ଏବଂ ସଞ୍ଚୟ ବିଷୟରେ ସଠିକ ବିବରଣୀ ଦେବାକୁ ଅମଙ୍ଗ ହୁଅନ୍ତି । ସେମାନଙ୍କ ପାଖରେ ଆୟ ଏବଂ ବ୍ୟୟର ଯଥାର୍ଥ ହିସାବ ନ ଥାଏ । ସମୟ ସମୟରେ ସେମାନେ ଆୟ ଏବଂ ସଞ୍ଚୟ ବିଷୟରେ ଭ୍ରାନ୍ତିମୂଳକ ତଥ୍ୟ ଯୋଗାଇ ଜାତୀୟ ଆୟର ଅଟକଳକୁ ପରିବର୍ତ୍ତିତ କରିଦିଅନ୍ତି । ଅଧିକାଂଶ ଲୋକ ତଥ୍ୟ ସଂଗ୍ରହ ବେଳେ ଆୟ, ସଞ୍ଚୟ ଏବଂ ଋଣ ବିଷୟରେ ବିରକ୍ତି ସହିତ ଉତ୍ତର ଦେଇଥାନ୍ତି ଏବଂ ଭୁଲ ତଥ୍ୟ ଦେଇ ଜାତୀୟ ଆୟର ଅଟକଳକୁ ଜଟିଳ କରିଥାନ୍ତି ।
ଜାତୀୟ ଆୟ ଏବଂ ଅର୍ଥନୈତିକ କଲ୍ୟାଣ
[ସମ୍ପାଦନା]ଅର୍ଥଶାସ୍ତ୍ରୀ ପିଗୁ ଜାତୀୟ ଆୟ ଏବଂ ଅର୍ଥନୈତିକ କଲ୍ୟାଣ(Economic Welfare) ମଧ୍ୟରେ ସର୍ବପ୍ରଥମେ ସମ୍ପର୍କ ସ୍ଥାପନ ବିଷୟରେ ଆଲୋଚନା କରିଥିଲେ । ତାଙ୍କ ମତରେ ସାମାଜିକ କଲ୍ୟାଣର ଯେଉଁ ଅଂଶ ମୁଦ୍ରାଦ୍ୱାରା ପରିମାପ କରାଯାଏ, ତାହାକୁ ଅର୍ଥନୈତିକ କଲ୍ୟାଣ କୁହାଯାଏ । ଜାତୀୟ ଆୟ ଏବଂ ଅର୍ଥନୈତିକ କଲ୍ୟାଣ ପରସ୍ପର ସହିତ ନିବିଡ଼ ଭାବେ ସଂପୃକ୍ତ । ଯେତେବେଳେ ଜାତୀୟ ଆୟ ବୃଦ୍ଧିପାଏ ସେତେବେଳେ ଦେଶର ଅର୍ଥନୈତିକ କଲ୍ୟାଣ ମଧ୍ୟ ବୃଦ୍ଧି ପାଏ । ଜାତୀୟ ଆୟର ଅର୍ଥନୈତିକ କଲ୍ୟାଣ ଉପରେ ପ୍ରଭାବ ଦୁଇଗୋଟି ଦୃଷ୍ଟିକୋଣରୁ ବିଚାର କରାଯିବା କଥା । ପ୍ରଥମେ ଜାତୀୟ ଆୟର ପରିମାଣରେ ପରିବର୍ତ୍ତନ ଏବଂ ଦ୍ୱିତୀୟରେ ଜାତୀୟ ଆୟର ବଣ୍ଟନରେ ପରିବର୍ତ୍ତନ ହେତୁ ଅର୍ଥନୈତିକ କଲ୍ୟାଣରେ ମଧ୍ୟ ପରିବର୍ତ୍ତନ ହୁଏ ।
ଜାତୀୟ ଆୟର ପରିମାଣାତ୍ମକ ପରିବର୍ତ୍ତନ
[ସମ୍ପାଦନା]ଜାତୀୟ ଆୟର ପରିମାଣ(Size of National Income) ଦେଶର ଅର୍ଥନୈତିକ କଲ୍ୟାଣକୁ ପ୍ରଭାବିତ କରେ । ଜାତୀୟ ଆୟର ବୃଦ୍ଧି ହେଲେ ଲୋକମାନେ ଅଧିକ ଦ୍ରବ୍ୟ ଓ ସେବା ଉପଭୋଗ କରନ୍ତି । ଏହା ଦେଶର ଅର୍ଥନୈତିକ କଲ୍ୟାଣ ବୃଦ୍ଧି କରେ । ଯଦି ଜାତୀୟ ଆୟ ହ୍ରାସ ପାଏ ତେବେ ଲୋକମାନଙ୍କ ଉପଭୋଗ ଏବଂ ଅର୍ଥନୈତିକ କଲ୍ୟାଣ ହ୍ରାସ ପାଏ । ତେଣୁ ଜାତୀୟ ଆୟ ଏବଂ ଅର୍ଥନୈତିକ କଲ୍ୟାଣ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ।
ଜାତୀୟ ଆୟର ମୌଦ୍ରିକ ପରିବର୍ତ୍ତନ
[ସମ୍ପାଦନା]ଦେଶର ଦରବୃଦ୍ଧି ହେତୁ ଦ୍ରବ୍ୟ, ପଣ୍ୟ ଏବଂ ସେବାର ଦରବୃଦ୍ଧି ହୁଏ । ତେବେ ଜାତୀୟ ଆୟର ମୌଦ୍ରିକ ମୂଲ୍ୟ ବୃଦ୍ଧି ପାଇବ । ମାତ୍ର ଲୋକମାନଙ୍କ ଉପଭୋଗ ଦରବୃଦ୍ଧି ହେତୁ ହ୍ରାସ ପାଇବ । ଫଳରେ ଅର୍ଥନୈତିକ କଲ୍ୟାଣ ହ୍ରାସ ହେବ ।
ଜାତୀୟ ଆୟ ବୃଦ୍ଧିର ମାର୍ଗ
[ସମ୍ପାଦନା]ଜାତୀୟ ଆୟ ବିଭିନ୍ନ ଉପାୟରେ ବୃଦ୍ଧି ପାଏ । ଯଦି ଗରିବ, ଖଟିଖିଆ ଓ ମଜଦୁରମାନଙ୍କୁ ଶୋଷଣ କରି ଯଥା ସ୍ୱଳ୍ପ ମଜୁରି ଦେଇ ଅଧିକା କାମ ଆଦାୟ କରି ଜାତୀୟ ଆୟ ବୃଦ୍ଧି କରାଯାଏ ତେବେ ଦେଶର ଅର୍ଥନୈତିକ କଲ୍ୟାଣ ବୃଦ୍ଧି ହେବ ନାହିଁ ।
ଜାତୀୟ ଆୟ ଏବଂ ମୁଣ୍ଡପିଛା ଆୟ
[ସମ୍ପାଦନା]ଜାତୀୟ ଆୟର ବୃଦ୍ଧି ସହ ମୁଣ୍ଡପିଛା ଆୟ (Percapita Income) ବୃଦ୍ଧି ହେଲେ ଅର୍ଥନୈତିକ କଲ୍ୟାଣ ବୃଦ୍ଧି ପାଏ । ଜାତୀୟ ଆୟ ବୃଦ୍ଧି ସହିତ ଜନସଂଖ୍ୟା ବୃଦ୍ଧି ହେଲେ ଅର୍ଥନୈତିକ କଲ୍ୟାଣ ହ୍ରାସ ପାଇବ ବା ବୃଦ୍ଧି ହେବ ନାହିଁ । ଜାତୀୟ ଏବଂ ମୁଣ୍ଡପିଛା ଆୟ ବୃଦ୍ଧି ହେଲେ ମଧ୍ୟ ଯଦି ଏହି ବୃଦ୍ଧି ଉତ୍ପାଦକ ଦ୍ରବ୍ୟ ବା ପ୍ରତିରକ୍ଷା ଦ୍ରବ୍ୟର ଅଧିକ ଉତ୍ପାଦନ ଯୋଗୁଁ ହୋଇଥାଏ; ତେବେ ଜନସାଧାରନଙ୍କ ଉପଭୋଗ ବୃଦ୍ଧି ହୁଏ ନାହିଁ । ଉଭୟ ଜାତୀୟ ଏବଂ ମୁଣ୍ଡପିଛା ଆୟ ବୃଦ୍ଧି ହେଲେ ଯଦି ଏହି ବର୍ଦ୍ଧିତ ଆୟ କେବଳ ଧନୀ ଲୋକମାନଙ୍କ କରାୟତ ହୁଏ ତେବେ ଅଗଣିତ ଦରିଦ୍ର ନାଗରିକ ଏଥିରୁ କିଛି ଲାଭ ପାଆନ୍ତି ନାହିଁ ବା ଦେଶର ଅର୍ଥନୈତିକ କଲ୍ୟାଣ ବୃଦ୍ଧିପ୍ରାପ୍ତ ହୁଏ ନାହିଁ ।
ବ୍ୟୟ ପଦ୍ଧତି
[ସମ୍ପାଦନା]ବର୍ଦ୍ଧିଷ୍ଣୁ ଜାତୀୟ ଆୟ ଉପଯୁକ୍ତ ଭାବେ ବ୍ୟୟ ନ ହେଲେ ଦେଶରେ ଅର୍ଥନୈତିକ କଲ୍ୟାଣ ବୃଦ୍ଧି ପାଇବ ନାହିଁ । ଯଦି ବର୍ଦ୍ଧିତ ଆୟ ନିଶାପାନ ଏବଂ ପଶାଖେଳ/ଜୁଆରେ ବ୍ୟୟିତ ହୁଏ ତେବେ ଦେଶରେ ଅର୍ଥନୈତିକ କଲ୍ୟାଣ ହ୍ରାସ ପାଇବ ।
ଜାତୀୟ ଆୟର ବଣ୍ଟନରେ ପରିବର୍ତ୍ତନ
[ସମ୍ପାଦନା]ଜାତୀୟ ଆୟର ଅଭିବୃଦ୍ଧି ଦେଶରେ ଅର୍ଥନୈତିକ କଲ୍ୟାଣ ବୃଦ୍ଧି କରିବାକୁ ହେଲେ ଏହାର ଯଥାର୍ଥ ବଣ୍ଟନ ଆବଶ୍ୟକ । ଯଦି ଦେଶରେ ଆୟ ବଣ୍ଟନ ଫଳରେ ଅର୍ଥ ଏବଂ ଆୟ ଦରିଦ୍ରମାନଙ୍କଠାରୁ ଧନୀକ ଲୋକମାନଙ୍କ ନିକଟକୁ ସ୍ଥାନାନ୍ତରିତ ହୁଏ ତେବେ ଦେଶରେ ଦାରିଦ୍ର୍ୟ ଏବଂ ଅର୍ଥନୈତିକ ବୈଷମ୍ୟ ବୃଦ୍ଧି ପାଇବ । ସରକାର ଏଠାରେ ଯଦି ତାଙ୍କର ନୀତିଦ୍ୱାରା ବର୍ଦ୍ଧିଷ୍ଣୁ ଜାତୀୟ ଆୟକୁ ଦରିଦ୍ର ଲୋକମାନଙ୍କୁ ପୁନର୍ବଣ୍ଟନ କରିପାରିବେ ତେବେ ଦେଶରେ ଅର୍ଥନୈତିକ କଲ୍ୟାଣ ବୃଦ୍ଧି ହେବ । ସେଥିଯୋଗୁଁ ପ୍ରଗତିଶୀଳ ସରକାରମାନେ ଅନ୍ୟୁନ ମଜୁରୀ ନିର୍ଦ୍ଧାରଣ, ଅତ୍ୟାବଶ୍ୟକ ଦ୍ରବ୍ୟ ଉଚିତ ମୂଲ୍ୟରେ ଯୋଗାଣ ଏବଂ ମାଗଣା ଶିକ୍ଷା ପ୍ରଦାନ ପ୍ରଭୃତି ଲୋକହିତକର ନୀତି ପ୍ରଣୟନ କରନ୍ତି ।
ଆଧାର
[ସମ୍ପାଦନା]- ↑ Neville Cain, 'Benham, Frederic Charles Courtenay (1900–1962)', Australian Dictionary of Biography, National Centre of Biography, Australian National University, http://adb.anu.edu.au/biography/benham-frederic-charles-courtenay-5201/text8751, accessed 12 August 2013.
- ↑ Alfred Marshall (1961). Principles of Economics: Notes. Osprey Publishing. pp. 259–. GGKEY:6QJEBTH16D7. Retrieved 12 August 2013.[permanent dead link]
- ↑ Jeja-Pekka Roos (1973). Welfare Theory and Social Policy: A Study in Policy Science. J.P. Roos. pp. 82–83. ISBN 978-951-653-015-7. Retrieved 12 August 2013.
- ↑ TR Jain. Macroeconomics Management. FK Publications. pp. 27–28. ISBN 978-81-87139-96-6. Retrieved 12 August 2013.[permanent dead link]
- ↑ National Income Accounting And Economic Theory For Class Xii. Allied Publishers. ISBN 978-81-7764-034-2. Retrieved 12 August 2013.}}
- ↑ ୬.୦ ୬.୧ G. V. Shenoy; U. K. Srivastave (1 January 1988). Business Statistics. New Age International. pp. 577–. ISBN 978-81-224-0011-3. Retrieved 12 August 2013.
- ↑ GNI data from the World Bank
- ↑ Gross National Income 2012, Atlas Method, World Development Indicators database, World Bank, 1 July 2013[permanent dead link]