Jump to content

ଗୀତ୍-କୁଡ଼ିଆ

ଉଇକିପିଡ଼ିଆ‌ରୁ

ଗୀତ୍ କୁଡ଼ିଆ ଉଭୟ ଏକ ପ୍ରକାର ଭାରତୀୟ ଲୋକଗୀତ ଗାୟନ ଶୈଳୀ ଓ ଗାୟକଙ୍କୁ ବୁଝାଇଥାଏ, ଓ ଏହି ଗୀତ ସାଧାରଣତଃ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରିକୋରାପୁଟ ଜିଲ୍ଲାରେ ଜଣାଶୁଣା । ଏଥିରେ ବୋଲାଯାଉଥିବା ଗୀତ ସାଧାରଣତଃ ଆଶୁ ଗୀତ ଓ ଏହା ସ୍ଥାନୀୟ ଦଳିତ ସଂସ୍କୃତିର ଅଂଶ । ଗୀତ୍-କୁଡ଼ିଆ (ପୁରୁଷ ଗାୟକ) ବା ଗୀତ୍-କୁଡ଼ିଏନ୍‌ମାନେ (ଗାୟିକା) ଆଶୁ କବି ଓ ଗାୟକ, ଏବଂ ସେମାନେ ସାଧାରଣତଃ ବାହାଘର ଓ ପର୍ବପର୍ବାଣିରେ ସମସ୍ତଙ୍କ ସମ୍ମୁଖରେ ଦେଶିଆ ତଥା ଅନ୍ୟାନ୍ୟ ସ୍ଥାନୀୟ ଭାଷା ଓ ବୋଲିରେ ସଙ୍ଗେସଙ୍ଗେ ଗୀତ ବାନ୍ଧି ପରିବେଷଣ କରିଥାନ୍ତି । ବାହାଘରରେ ବରଯାତ୍ରୀ ପଟରୁ ଜଣେ ଗୀତ୍-କୁଡ଼ିଆ ଓ କନ୍ୟା ଘର ପଟରୁ ଜଣେ ଗୀତ୍-କୁଡ଼ିଆ ବା ଗୀତ୍-କୁଡ଼ିଆନି ପ୍ରତିନିଧି ଭାବେ ଗୀତ ବାନ୍ଧି ବୋଲିଥାନ୍ତି ଓ ଉପସ୍ଥିତ ସମସ୍ତେ ସେହି ଗୀତର ତାଳେତାଳେ ନାଚିଥାନ୍ତି । ଗୀତର ବିଷୟବସ୍ତୁରେ ଦୈନନ୍ଦିତ ଜୀବନ ଓ ପ୍ରେମ ଆଦି ସ୍ଥାନୀତ । ପାରମ୍ପାରିକ ଭାବେ ପହରିଆ/କମାର ଜାତି ସହ ଏହି ସଙ୍ଗୀତ ପରମ୍ପରା ସମ୍ବନ୍ଧିତ ଏବଂ ଉତ୍ତର ପିଢ଼ିଠାରୁ ଯୁବ ଗୀତ୍-କୁଡ଼ିଆ ବା ଗୀତ୍-କୁଡ଼ିଏନ୍‌ମାନେ ଗୀତ୍ କୁଡ଼ିଆ ଗୀତବନ୍ଧା ଓ ବୋଲା ଶିଖିଥାନ୍ତି । ଅନ୍ୟାନ୍ୟ ଲୋକଗୀତ ପରିବେଷଣ ଭଳି ଏହି ପରିବେଷଣ ବେଳେ କୌଣସି ବିଶେଷ ପୋଷାକ ପିନ୍ଧାଯାଇନଥାଏ ।

ଇତିହାସ[ସମ୍ପାଦନା]

ଗୀତ୍ କୁଡ଼ିଆ ଏକ ଲୋକଗୀତ ଓ ସଙ୍ଗୀତ ପରମ୍ପରା ଭାବେ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରିକୋରାପୁଟ ଜିଲ୍ଲାରେ ବିକାଶଲାଭ କରିଥିଲା ।[୧] ଏହି ରଚନା ଓ ଗାୟନ ଶୈଳୀ ଲୋକମୁଖରୁ ମୁଖକୁ ପ୍ରସାରିତ ଏବଂ ବିଧିବଦ୍ଧ ଭାବେ ଲିପିବଦ୍ଧ ହୋଇନାହିଁ । ବାସୁଦେବ ସୁନାନୀଙ୍କ ମତରେ ଦଳିତ ସଂସ୍କୃତି ବିଭିନ୍ନ ବାଦନ ଯନ୍ତ୍ର ଓ ସଙ୍ଗୀତ ପରମ୍ପରାରେ ସମୃଦ୍ଧ । ଲୋକ ପରମ୍ପରାରେ ଜଣା ଦଳିତ ସଙ୍ଗୀତ ମେଘ ଓ ଘଡ଼ଘଡ଼ି, ପକ୍ଷୀମାନଙ୍କର ବୋବାଇବା, ନଦୀର କୁଳୁକୁଳୁ ଶବ୍ଦ ଏବଂ ଜଙ୍ଗଲରେ ଗଛରୁ ବାହାରୁଥିବା ଶବ୍ଦ ଭଳି ବିଭିନ୍ନ ପ୍ରାକୃତିକ ଛନ୍ଦ ଓ ତାଳରୁ ପ୍ରେରଣା ପାଇଆସିଛି । ଏହି ଲୋକସଙ୍ଗୀତ ସମାଜର ଦୈନନ୍ଦିନ ଜୀବନ ଜୀବିକାରେ ବ୍ୟବହାର ହୁଏ ଏବଂ ସେଥି ସକାଶେ ପ୍ରତି ପର୍ବ, ବାହାଘର ଓ ଶେଷକୃତ୍ୟରେ ପ୍ରକୃତିରୁ ନେଇ ଭିନ୍ନ ଭିନ୍ନ ଛନ୍ଦ ଓ ତାଳ ନେଇଇ ଗୀତ ବନ୍ଧାଯାଇଥାଏ ଓ ବୋଲାଯାଏ । ବାହାଘରରେ ସାଧାରଣଃ ଜଣେ ଗୀତ୍-କୁଡ଼ିଆ (ପୁରୁଷ ଗାୟକ) ଓ ଗୀତ୍-କୁଡ଼ିଏନ୍ (ଗାୟିକା) ଉଭୟ ବର ଓ କନ୍ୟା ପକ୍ଷରୁ ସର୍ବସମ୍ମୁଖରେ ଗୀତ ବାନ୍ଧିଥାନ୍ତି ଏବଂ ବୋଲିଥାନ୍ତି । ଗୀତରେ ସାମାଜିକ ଦୈନନ୍ଦିତ ଜୀବନ ଓ ପ୍ରେମ ଆଦି ବିଷୟ ରହିଥାଏ । ବୟସ ଓ ଲିଙ୍ଗ ଭେଦରେ ଉପସ୍ଥିତ ସମସ୍ତେ ସେ ଗୀତ ଶୁଣି ମିଶି ଗାଇଥାନ୍ତି ଓ ନାଚିଥାନ୍ତି ।[୨] ବିଭିନ୍ନ ପର୍ବପର୍ବାଣି ସମୟରେ ଗୀତ୍-କୁଡ଼ିଆ ଓ ଗୀତ୍ କୁଡ଼ିଏନ୍‌ମାନେ ଚଇତ୍ ପରବ୍, ପାଲିଆ ଗୀତ୍, ଦଦର ଗୀତ୍ ଓ ବଜସଲିଆ ଆଦି ଗୀତ ବୋଲିଥାନ୍ତି । ଗୀତ୍-କୁଡ଼ିଆ ଓ ଗୀତ୍-କୁଡ଼ିଏନ୍‌ମାନେ ସାଧାରଣତଃ ସ୍ଥାନୀୟ ଧାଙ୍ଗଡ଼ା-ଧାଙ୍ଗଡ଼ୀ (ଅଳ୍ପ ବୟସର ଅବିଭାହିତ ଯୁବକ-ଯୁବତୀ) ନୃତ୍ୟଗୀତ ପରିବେଷଣ ସମୟରେ ସେମାନଙ୍କର ସ୍ୱତଃସ୍ପୃତ ଗୀତ ବାନ୍ଧିବା ଓ ବୋଲିବା ନିମନ୍ତେ ଜଣାଶୁଣା । ଗୀତ୍-କୁଡ଼ିଆ ବା ଗୀତ୍-କୁଡ଼ିଏନ୍‌ମାନେ ପାରମ୍ପାରିକ ଭାବେ ପହରିଆ/କମର ଜାତିର ।[୩]

ଶୈଳୀ[ସମ୍ପାଦନା]

ଗୀତ ରଚନା[ସମ୍ପାଦନା]

ଗୀତ୍-କୁଡ଼ିଆ ଓ ଗୀତ୍-କୁଡ଼ିଏନ୍‌ମାନେ ଅଣ-ପେସାଦାର ଓ ଜୀବନ ଜୀବିକା ପାଇଁ ଅନ୍ୟାନ୍ୟ ବୃତ୍ତି କରିଥାନ୍ତି । ସେମାନେ ଲୋକଗପ ଓ ଗୀତ, ସ୍ଥାନୀୟ କିମ୍ବଦନ୍ତୀ ଓ ପୁରୁଣା କାବ୍ୟ ଆଦି ଜାଣିଥାନ୍ତି ଓ ସେସବୁକୁ ଆଧାର କରି ଗୀତ ବାନ୍ଧିଥାନ୍ତି । ଏଥି ସହିତ ସେମାନେ ସ୍ଥାନୀୟ ଆଦିବାସୀ ସଂସ୍କୃତି ବାବଦରେ ମଧ୍ୟ ଅବଗତ ଥାଆନ୍ତି । ଉଦାହରଣ ସ୍ୱରୂପ, କଳାହାଣ୍ଡିର ପରଜା ସମୁଦାୟ ନିକଟରେ ରହୁଥିବା ବାରିକ ପରିବାର ବା ଭୂମିଜ ସମୁଦାୟ ନିକଟରେ ବସବାସ କରୁଥିବା କୁମ୍ଭାର ପରିବାର ଉକ୍ତ ଆଦିବାସୀ ସମାଜର ଭାଷା ଓ ସଂସ୍କୃତି ବାବଦରେ ଜାଣିଥାନ୍ତି ଏବଂ ନିଜ ଗୀତରେ ତାହା ବ୍ୟବହାର କରନ୍ତି ।[୩]

ଗାୟନ ଓ ବାଦନ[ସମ୍ପାଦନା]

ଗୀତ୍-କୁଡ଼ିଆ କେବଳ କଣ୍ଠସଙ୍ଗୀତ ବୋଲିଲା ବେଳେ ଗୀତ୍-କୁଡ଼ିଏନ୍ ବୋଲିବା ସହ ରାମକାଠି ବାଦ୍ୟଯନ୍ତ୍ର ବ୍ୟବହାର ମଧ୍ୟ କରିଥାନ୍ତି । ଗୀତ୍-କୁଡ଼ିଆ ଗୀତସବୁ ସାଧାରଣତଃ ଯୁବ ପିଢ଼ି ସେମାନଙ୍କ ଉତ୍ତର ପିଢ଼ିଠୁ ଶିଖି ବୋଲିଥାନ୍ତି । ତେବେ ବଜସଲିଆ ପରିବେଷଣ ବେଳେ ଢୋଲ, ମହୁରୀ, ନିଶାନ୍, ତାସା, ଝୁମୁକା ଆଦି ବାଦ୍ୟଯନ୍ତ୍ର ମଧ୍ୟ ବଜାଯାଇଥାଏ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ Mishra, Namita (2016). "Tribal Folk Song of Odisha". Indian Culture (in ଇଂରାଜୀ). Centre for Cultural Resources and Training. Retrieved 2023-10-21.
  2. Sunani, B. (2013). "Cultural History of Dalit & Their Relationship with Natural Resources". Lokaratna. Citeseer. 5.
  3. ୩.୦ ୩.୧ Mishra, M. K. (2007). Oral Epics of Kalahandi (PDF). National Folklore Support Centre. ISBN 978-81-901481-9-1.