Jump to content

ଗହ୍ମା ଡିଆଁ

ଉଇକିପିଡ଼ିଆ‌ରୁ

ଗହ୍ମାଡ଼ିଆଁ ଓଡ଼ିଶାର ଏକ ପୁରାତନ ଏବଂ ଲୋକପ୍ରିୟ ଖେଳ । ଏହା ଉଚ୍ଚ ଡିଆଁ ପ୍ରତିଯୋଗିତା ଧରଣର । ରାକ୍ଷୀ ପୂର୍ଣ୍ଣିମା ତଥା ଗହ୍ମା ପୂର୍ଣ୍ଣିମା ଅବସରରେ ଏହି ଖେଳ ଖେଳାଯାଏ ।[] ଏହା ବିଶେଷ କରି ଗଞ୍ଜାମ ଜିଲ୍ଲାରେ ଅଧିକ ଜଣାଶୁଣା । ଏହା ସାଧାରଣରତଃ ଯୁବକମାନଙ୍କଦ୍ୱାରା ଖେଳାଯାଇଥାଏ ଓ ଏହି ଖେଳ ଦେଖିବାକୁ ସାହି ମାନଙ୍କରେ ବିଶେଷ ଭିଡ଼ ଜମେ । ମଣିଷମାନଙ୍କ ବ୍ୟତିତ ପଶୁମାନେ ମଧ୍ୟ ଏଥିରେ ଭାଗନେବା ଦେଖାଯାଏ । ଚାଷୀମାନେ ବଳଦମାନଙ୍କୁ ଜମିକୁ ନେଇ ଯାଇଥାନ୍ତି । ଏକ ଉଚ୍ଚ ପିଣ୍ଡି ବା "ଗହ୍ମା ବେଦୀ" ଗଢ଼ାଯାଇ ବଳଦମାନଙ୍କୁ ଏଥି ଉପରେ ଡିଆଁମାରିବାକୁ ଛଡ଼ାଯାଇଥାଏ ।[]

ନୟାଗଡ଼ ଜିଲ୍ଲାର ଫତେଗଡ଼ଠାରେ ହେଉଥିବା ଗହ୍ମାଡ଼ିଆଁ ପ୍ରତିଯୋଗିତା

ତାତ୍ପର୍ଯ୍ୟ

[ସମ୍ପାଦନା]

ଗହ୍ମା ପୂର୍ଣ୍ଣିମା ପର୍ବ ଏଭଳି ଏକ ପରମ୍ପରା ଏକଦା ଜୀବନଚର୍ଯ୍ୟା ସହିତ ଘନିଷ୍ଠ ଭାବେ ଯୋଡ଼ି ହୋଇ ରହୁଥିଲା । ଏହା ଏକ କୃଷି ଭିତ୍ତିକ ପର୍ବ । ଏହି ଦିନ ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ହୋଇଥିବାରୁ ଏଥିରେ ଗାଁ ଗଣ୍ଡା ଗୁଡିକରେ ପାରମ୍ପରିକ ପିଠା ପ୍ରସ୍ତୁତି ସହିତ ଗୋରୁଗାଈଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ମୁଖ୍ୟତଃ କୃଷିର ଉନ୍ନତି ସାଧନ ଏହି ପର୍ବର ମୁଖ୍ୟ ଉଦ୍ଦେଶ୍ୟ । ଚାଷୀମାନେ ସେମାନଙ୍କ ଚାଷବାସ କାମ ସାରି ଏହି ପର୍ବକୁ ଉତ୍ସାହ ସହକାରେ ପାଳନ କରୁଥଲେ ହେଁ ଆଜିକାଲି ଏ ପର୍ବ ରାଖି ବାନ୍ଧିବା ନୀତିରେ ସୀମିତ ହୋଇଯାଇଛି । ଭଉଣୀମାନେ ସେମାନଙ୍କ ଭାଇ ହାତରେ ରାଖି ବାନ୍ଧି ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ପର୍ବର ପ୍ରାସଙ୍ଗିକତାକୁ ପ୍ରାୟତଃ କେତେକ ସ୍ଥଳେ ବଦଳାଇ ଦେଇଥିବା ଦେଖୁବାକୁ ମିଳୁଛି । ପ୍ରଭୁ ବଳଦେବଙ୍କ ହାତରେ ଗହ୍ମାସୁରର ମୃତ୍ୟୁ ହେବା ପରେ ପୃଥିବୀପୃଷ୍ଠରୁ ପାପ କମି ଯାଇଥିବାରୁ ଲୋକେ ଆନନ୍ଦରେ ଗହ୍ମା ଡିଆଁ ଖେଳ ଖେଳିଥାନ୍ତି ବୋଲି ଲୋକ କଥା ରହିଛି ।[]

ପ୍ରସ୍ତୁତି ପର୍ବ

[ସମ୍ପାଦନା]

ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ କିଛି ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଯାଏ । ଗୋଟିଏ ବଡ଼ ଆକୃତିରେ ମଞ୍ଚ ଭଳି ପ୍ରସ୍ତୁତି ହୁଏ ସ୍ଥାନ । ଏହି ମଞ୍ଚ ତଳୁ ଉପରକୁ ୩ରୁ ୫ ଫୁଟ ପର୍ଯ୍ୟନ୍ତ ଉଚ୍ଚତା ବିଶିଷ୍ଟ ମଞ୍ଚକୁ ଲମ୍ବାଯାଏ । ଚିକିଟା ମାଟିଦ୍ୱାରା ପ୍ରସ୍ତୁତି ହୋଇ ଉପର ଭାଗରେ ବିଭିନ୍ନ ଘାସ, ଗଛର ପତ୍ର ରଖି ପ୍ରସ୍ତୁତି କରାଯାଏ ସ୍ୱତନ୍ତ୍ର ମଞ୍ଚ । ଏହି ମଞ୍ଚ ଉପର ଦେଇ ଡ଼ିଆଁ ମାରନ୍ତି ପ୍ରତିଯୋଗୀ । ମାଟି ଓ ବାଲିରେ ନିର୍ମିତ ୫ ଫୁଟରୁ ୬ଫୁଟ ଉଚ୍ଚତା ବିଶିଷ୍ଟ ଗହ୍ମାକୁଦା ଉପରେ ଡେଇଁ ଏହି ଖେଳ ଖେଳି ଯୁବକମାନେ ଖୁସି ମନାଇଥାନ୍ତି ।

ଖେଳ ଓ ପ୍ରତିଯୋଗିତା

[ସମ୍ପାଦନା]

ମଞ୍ଚଠାରୁ କିଛି ଦୂରରେ ଟଙ୍ଗାଯାଏ ଆକର୍ଷଣୀୟ ସାମଗ୍ରୀ । ଯେଉଁ ପ୍ରତିଯୋଗୀ ଟଙ୍ଗା ଯାଇଥବା ସାମଗ୍ରୀକୁ ଛୁଇଁ ଦେଉଥଲେ ସେହି ସାମଗ୍ରୀଟି ତାର ହୋଇଯାଏ । ବିସ୍କୁଟ ପ୍ୟାକେଟଠାରୁ ଆରମ୍ଭ କରି ସୁନା ମୁଦି ପର୍ଯ୍ୟନ୍ତ ପାଆନ୍ତି ପ୍ରତିଯୋଗୀ । ପିଲାଠାରୁ ଆରମ୍ଭ କରି ବୟସ୍କା ପର୍ଯ୍ୟନ୍ତ ସମସ୍ତେ ଏଥରେ ଅଂଶଗ୍ରହଣ କରନ୍ତି । ରାକ୍ଷୀ ପୂର୍ଣ୍ଣିମା ଦିବସର ସନ୍ଧ୍ୟାରେ ଆୟୋଜିତ ହୁଏ ଏହି ଖେଳ । ମଞ୍ଚର କିଛି ଦୂରରେ ଦୁଇ ପାର୍ଶ୍ୱରେ ବଡ଼ବଡ଼ ଖୁଣ୍ଟଦ୍ୱାରା ଦୌଡ଼ି ମଧରେ ଟଙ୍ଗାଯାଏ ବିଭିନ୍ନ ସାମଗ୍ରୀ । ପ୍ରତିଯୋଗୀଙ୍କ ଲକ୍ଷ୍ୟ ରହୁଥୁଲା ସେମାନେ ଯେପରି ମୂଲ୍ୟବାନ ସାମଗ୍ରୀକୁ ଛୁଇଁ ଦେବେ ଆଉ ନେଇଯିବେ ତାକୁ ଘରକୁ । ଏହି ଆଶାରେ ମଞ୍ଚ ଉପରକୁ ଦୌଡ଼ି ଯାଇ ମାରୁଥଲେ ଡ଼ିଆଁ ସେହି ଟଙ୍ଗାଯାଇଥିବା ସାମଗ୍ରୀ ନିକଟକୁ । ଟଙ୍ଗା ଯାଇଥବା ସମସ୍ତ ସାମଗ୍ରୀ ସମାପ୍ତ ପରେ ହିଁ ଏହି ଖେଳ ସମାପ୍ତର ଘୋଷଣା କରାଯାଏ । ଏହି ଖେଳ ସାଧାରଣତଃ ସାହି ସାହି ମଧରେ ପ୍ରତିଯୋଗିତା ଆକାରରେ ଆୟୋଜିତ ହୁଏ ।[]

ଏବେର ସ୍ଥିତି

[ସମ୍ପାଦନା]

ଦକ୍ଷିଣ ଓଡ଼ିଶାର ଏବେ ମଧ୍ୟ ବିଭିନ୍ନ ସ୍ନାନରେ ମଧ୍ୟ ଗହ୍ମା ଡ଼ିଆଁ ଖେଳ ଅନୁଷ୍ଠିତ ହେଉଛି । ଆଧୁନିକାତାର ସ୍ପର୍ଶରେ ଅନେକ ପାରମ୍ପରିକ ଲୋକ ସଂସ୍କୃତି ଦିନକୁ ଦିନ ଲୋପ ପାଇବାକୁ ବସିଲାଣି । ହେଲେ ଆଜିର ନୂତନ ଯୁଗର ଯୁବପୀଢ଼ିଙ୍କ ନିକଟରେ ଆଉ ସମୟ ନାହିଁ । ବ୍ୟସ୍ତ ବହୁଳ ସମୟ ମଧ୍ୟରେ ଏହି ଗହ୍ମା ଡ଼ିଆକୁ ଡେଇଁବାକୁ କାହାର ନିକଟରେ ବେଳ ନାହିଁ । ଫଳରେ ଗହ୍ମାଡିଆଁ ଏକ ପ୍ରକାର ଉଭାନ ହେବାକୁ ବସିଲାଣି । ଏହି ପାରମ୍ପରିକ କ୍ରୀଡାର ଅବକ୍ଷୟ ଦିନକୁଦିନ ଘଟିବାରେ ଲାଗିଛି । ଗ୍ରାମାଞ୍ଚଳର କେତେକ ସାହିବସ୍ତିରେ ଏହି ଖେଳ ହେଉଥବା ବେଳେ ସହରାଞ୍ଚଳରେ ଏହି ଗହ୍ମାଡିଆଁ ଖେଳ ପ୍ରାୟ ଲୋପ ପାଇବାକୁ ବସିଥିବା ଦେଖିବାକୁ ମିଳୁଛି । କାଁ ଭାଁ ସ୍ଥାନରେ ଏହି ପ୍ରତିଯୋଗିତା ହୋଇ କେତେକ ନିର୍ଦ୍ଦିଷ୍ଟ ବର୍ଗଙ୍କଠାରେ ସୀମିତ ରହୁଛି ।[]

  1. "ସ୍ମୃତି-ବିସ୍ମୃତିରେ ଗହ୍ମାପୂର୍ଣ୍ଣିମା". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 21 August 2021. Retrieved 21 August 2021.
  2. "Traditional peoples festivals of Odisha". heritageodisha.com. Archived from the original on 21 August 2016. Retrieved 18 August 2016.
  3. "ଆର୍କାଇଭ୍ କପି". Archived from the original on 2016-08-26. Retrieved 2016-08-18. {{cite web}}: Cite has empty unknown parameter: |1= (help)
  4. "ହଜିଯାଉଛି ପାରମ୍ପରିକ ଗହ୍ମାଡିଆଁର ଚମକ". ସର୍ବସାଧାରଣ (ବ୍ରହ୍ମପୁର ସଂସ୍କରଣ). ୨୯ ଅଗଷ୍ଟ. Retrieved 29 August 2015. {{cite news}}: Check date values in: |date= (help)[permanent dead link]
  5. http://eodisha.org/tag/gamha-dian/[permanent dead link]