ଗହ୍ମା ଡିଆଁ

ଉଇକିପିଡ଼ିଆ‌ରୁ
(ଗହ୍ମାଡିଆଁରୁ ଲେଉଟି ଆସିଛି)

ଗହ୍ମାଡ଼ିଆଁ ଓଡ଼ିଶାର ଏକ ପୁରାତନ ଏବଂ ଲୋକପ୍ରିୟ ଖେଳ । ଏହା ଉଚ୍ଚ ଡିଆଁ ପ୍ରତିଯୋଗିତା ଧରଣର । ରାକ୍ଷୀ ପୂର୍ଣ୍ଣିମା ତଥା ଗହ୍ମା ପୂର୍ଣ୍ଣିମା ଅବସରରେ ଏହି ଖେଳ ଖେଳାଯାଏ ।[୧] ଏହା ବିଶେଷ କରି ଗଞ୍ଜାମ ଜିଲ୍ଲାରେ ଅଧିକ ଜଣାଶୁଣା । ଏହା ସାଧାରଣରତଃ ଯୁବକମାନଙ୍କଦ୍ୱାରା ଖେଳାଯାଇଥାଏ ଓ ଏହି ଖେଳ ଦେଖିବାକୁ ସାହି ମାନଙ୍କରେ ବିଶେଷ ଭିଡ଼ ଜମେ । ମଣିଷମାନଙ୍କ ବ୍ୟତିତ ପଶୁମାନେ ମଧ୍ୟ ଏଥିରେ ଭାଗନେବା ଦେଖାଯାଏ । ଚାଷୀମାନେ ବଳଦମାନଙ୍କୁ ଜମିକୁ ନେଇ ଯାଇଥାନ୍ତି । ଏକ ଉଚ୍ଚ ପିଣ୍ଡି ବା "ଗହ୍ମା ବେଦୀ" ଗଢ଼ାଯାଇ ବଳଦମାନଙ୍କୁ ଏଥି ଉପରେ ଡିଆଁମାରିବାକୁ ଛଡ଼ାଯାଇଥାଏ ।[୨]

ନୟାଗଡ଼ ଜିଲ୍ଲାର ଫତେଗଡ଼ଠାରେ ହେଉଥିବା ଗହ୍ମାଡ଼ିଆଁ ପ୍ରତିଯୋଗିତା

ତାତ୍ପର୍ଯ୍ୟ[ସମ୍ପାଦନା]

ଗହ୍ମା ପୂର୍ଣ୍ଣିମା ପର୍ବ ଏଭଳି ଏକ ପରମ୍ପରା ଏକଦା ଜୀବନଚର୍ଯ୍ୟା ସହିତ ଘନିଷ୍ଠ ଭାବେ ଯୋଡ଼ି ହୋଇ ରହୁଥିଲା । ଏହା ଏକ କୃଷି ଭିତ୍ତିକ ପର୍ବ । ଏହି ଦିନ ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ହୋଇଥିବାରୁ ଏଥିରେ ଗାଁ ଗଣ୍ଡା ଗୁଡିକରେ ପାରମ୍ପରିକ ପିଠା ପ୍ରସ୍ତୁତି ସହିତ ଗୋରୁଗାଈଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ମୁଖ୍ୟତଃ କୃଷିର ଉନ୍ନତି ସାଧନ ଏହି ପର୍ବର ମୁଖ୍ୟ ଉଦ୍ଦେଶ୍ୟ । ଚାଷୀମାନେ ସେମାନଙ୍କ ଚାଷବାସ କାମ ସାରି ଏହି ପର୍ବକୁ ଉତ୍ସାହ ସହକାରେ ପାଳନ କରୁଥଲେ ହେଁ ଆଜିକାଲି ଏ ପର୍ବ ରାଖି ବାନ୍ଧିବା ନୀତିରେ ସୀମିତ ହୋଇଯାଇଛି । ଭଉଣୀମାନେ ସେମାନଙ୍କ ଭାଇ ହାତରେ ରାଖି ବାନ୍ଧି ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ପର୍ବର ପ୍ରାସଙ୍ଗିକତାକୁ ପ୍ରାୟତଃ କେତେକ ସ୍ଥଳେ ବଦଳାଇ ଦେଇଥିବା ଦେଖୁବାକୁ ମିଳୁଛି । ପ୍ରଭୁ ବଳଦେବଙ୍କ ହାତରେ ଗହ୍ମାସୁରର ମୃତ୍ୟୁ ହେବା ପରେ ପୃଥିବୀପୃଷ୍ଠରୁ ପାପ କମି ଯାଇଥିବାରୁ ଲୋକେ ଆନନ୍ଦରେ ଗହ୍ମା ଡିଆଁ ଖେଳ ଖେଳିଥାନ୍ତି ବୋଲି ଲୋକ କଥା ରହିଛି ।[୩]

ପ୍ରସ୍ତୁତି ପର୍ବ[ସମ୍ପାଦନା]

ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ କିଛି ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଯାଏ । ଗୋଟିଏ ବଡ଼ ଆକୃତିରେ ମଞ୍ଚ ଭଳି ପ୍ରସ୍ତୁତି ହୁଏ ସ୍ଥାନ । ଏହି ମଞ୍ଚ ତଳୁ ଉପରକୁ ୩ରୁ ୫ ଫୁଟ ପର୍ଯ୍ୟନ୍ତ ଉଚ୍ଚତା ବିଶିଷ୍ଟ ମଞ୍ଚକୁ ଲମ୍ବାଯାଏ । ଚିକିଟା ମାଟିଦ୍ୱାରା ପ୍ରସ୍ତୁତି ହୋଇ ଉପର ଭାଗରେ ବିଭିନ୍ନ ଘାସ, ଗଛର ପତ୍ର ରଖି ପ୍ରସ୍ତୁତି କରାଯାଏ ସ୍ୱତନ୍ତ୍ର ମଞ୍ଚ । ଏହି ମଞ୍ଚ ଉପର ଦେଇ ଡ଼ିଆଁ ମାରନ୍ତି ପ୍ରତିଯୋଗୀ । ମାଟି ଓ ବାଲିରେ ନିର୍ମିତ ୫ ଫୁଟରୁ ୬ଫୁଟ ଉଚ୍ଚତା ବିଶିଷ୍ଟ ଗହ୍ମାକୁଦା ଉପରେ ଡେଇଁ ଏହି ଖେଳ ଖେଳି ଯୁବକମାନେ ଖୁସି ମନାଇଥାନ୍ତି ।

ଖେଳ ଓ ପ୍ରତିଯୋଗିତା[ସମ୍ପାଦନା]

ମଞ୍ଚଠାରୁ କିଛି ଦୂରରେ ଟଙ୍ଗାଯାଏ ଆକର୍ଷଣୀୟ ସାମଗ୍ରୀ । ଯେଉଁ ପ୍ରତିଯୋଗୀ ଟଙ୍ଗା ଯାଇଥବା ସାମଗ୍ରୀକୁ ଛୁଇଁ ଦେଉଥଲେ ସେହି ସାମଗ୍ରୀଟି ତାର ହୋଇଯାଏ । ବିସ୍କୁଟ ପ୍ୟାକେଟଠାରୁ ଆରମ୍ଭ କରି ସୁନା ମୁଦି ପର୍ଯ୍ୟନ୍ତ ପାଆନ୍ତି ପ୍ରତିଯୋଗୀ । ପିଲାଠାରୁ ଆରମ୍ଭ କରି ବୟସ୍କା ପର୍ଯ୍ୟନ୍ତ ସମସ୍ତେ ଏଥରେ ଅଂଶଗ୍ରହଣ କରନ୍ତି । ରାକ୍ଷୀ ପୂର୍ଣ୍ଣିମା ଦିବସର ସନ୍ଧ୍ୟାରେ ଆୟୋଜିତ ହୁଏ ଏହି ଖେଳ । ମଞ୍ଚର କିଛି ଦୂରରେ ଦୁଇ ପାର୍ଶ୍ୱରେ ବଡ଼ବଡ଼ ଖୁଣ୍ଟଦ୍ୱାରା ଦୌଡ଼ି ମଧରେ ଟଙ୍ଗାଯାଏ ବିଭିନ୍ନ ସାମଗ୍ରୀ । ପ୍ରତିଯୋଗୀଙ୍କ ଲକ୍ଷ୍ୟ ରହୁଥୁଲା ସେମାନେ ଯେପରି ମୂଲ୍ୟବାନ ସାମଗ୍ରୀକୁ ଛୁଇଁ ଦେବେ ଆଉ ନେଇଯିବେ ତାକୁ ଘରକୁ । ଏହି ଆଶାରେ ମଞ୍ଚ ଉପରକୁ ଦୌଡ଼ି ଯାଇ ମାରୁଥଲେ ଡ଼ିଆଁ ସେହି ଟଙ୍ଗାଯାଇଥିବା ସାମଗ୍ରୀ ନିକଟକୁ । ଟଙ୍ଗା ଯାଇଥବା ସମସ୍ତ ସାମଗ୍ରୀ ସମାପ୍ତ ପରେ ହିଁ ଏହି ଖେଳ ସମାପ୍ତର ଘୋଷଣା କରାଯାଏ । ଏହି ଖେଳ ସାଧାରଣତଃ ସାହି ସାହି ମଧରେ ପ୍ରତିଯୋଗିତା ଆକାରରେ ଆୟୋଜିତ ହୁଏ ।[୪]

ଏବେର ସ୍ଥିତି[ସମ୍ପାଦନା]

ଦକ୍ଷିଣ ଓଡ଼ିଶାର ଏବେ ମଧ୍ୟ ବିଭିନ୍ନ ସ୍ନାନରେ ମଧ୍ୟ ଗହ୍ମା ଡ଼ିଆଁ ଖେଳ ଅନୁଷ୍ଠିତ ହେଉଛି । ଆଧୁନିକାତାର ସ୍ପର୍ଶରେ ଅନେକ ପାରମ୍ପରିକ ଲୋକ ସଂସ୍କୃତି ଦିନକୁ ଦିନ ଲୋପ ପାଇବାକୁ ବସିଲାଣି । ହେଲେ ଆଜିର ନୂତନ ଯୁଗର ଯୁବପୀଢ଼ିଙ୍କ ନିକଟରେ ଆଉ ସମୟ ନାହିଁ । ବ୍ୟସ୍ତ ବହୁଳ ସମୟ ମଧ୍ୟରେ ଏହି ଗହ୍ମା ଡ଼ିଆକୁ ଡେଇଁବାକୁ କାହାର ନିକଟରେ ବେଳ ନାହିଁ । ଫଳରେ ଗହ୍ମାଡିଆଁ ଏକ ପ୍ରକାର ଉଭାନ ହେବାକୁ ବସିଲାଣି । ଏହି ପାରମ୍ପରିକ କ୍ରୀଡାର ଅବକ୍ଷୟ ଦିନକୁଦିନ ଘଟିବାରେ ଲାଗିଛି । ଗ୍ରାମାଞ୍ଚଳର କେତେକ ସାହିବସ୍ତିରେ ଏହି ଖେଳ ହେଉଥବା ବେଳେ ସହରାଞ୍ଚଳରେ ଏହି ଗହ୍ମାଡିଆଁ ଖେଳ ପ୍ରାୟ ଲୋପ ପାଇବାକୁ ବସିଥିବା ଦେଖିବାକୁ ମିଳୁଛି । କାଁ ଭାଁ ସ୍ଥାନରେ ଏହି ପ୍ରତିଯୋଗିତା ହୋଇ କେତେକ ନିର୍ଦ୍ଦିଷ୍ଟ ବର୍ଗଙ୍କଠାରେ ସୀମିତ ରହୁଛି ।[୫]

ଆଧାର[ସମ୍ପାଦନା]

  1. "ସ୍ମୃତି-ବିସ୍ମୃତିରେ ଗହ୍ମାପୂର୍ଣ୍ଣିମା". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 21 August 2021. Retrieved 21 August 2021.
  2. "Traditional peoples festivals of Odisha". heritageodisha.com. Retrieved 18 August 2016.
  3. http://www.bhubaneswarbuzz.com/updates/festivals/odiapost-have-you-heard-about-gamha-dian-rakhi-purnima-odisha
  4. "ହଜିଯାଉଛି ପାରମ୍ପରିକ ଗହ୍ମାଡିଆଁର ଚମକ". ସର୍ବସାଧାରଣ (ବ୍ରହ୍ମପୁର ସଂସ୍କରଣ). ୨୯ ଅଗଷ୍ଟ. Retrieved 29 August 2015. {{cite news}}: Check date values in: |date= (help)[permanent dead link]
  5. http://eodisha.org/tag/gamha-dian/