ଖାଇବର ଗିରିପଥ
ଖାଇବର ଗିରିପଥ د خیبر درہ درۂ خیبر | |
---|---|
Elevation | ୧୦୭୦ m (୩,୫୧୦ ft) |
Location | |
Location | ଲାଣ୍ଡି କୋଟାଲ ଓ ଜାମ୍ରୁଦ |
Range | ସ୍ପିନ ଘର (ସଫେଦ୍ କୋଃ) |
Coordinates | 34°04′33″N 71°12′14″E / 34.07570°N 71.20394°E |
ଖାଇବର ଗିରିପଥ (ଇଂରାଜୀରେ Khyber Pass) ପାକିସ୍ତାନର (ଭାରତୀୟ ଦୃଷ୍ଟିକୋଣରୁ ପାକ୍-ଅଧିକୃତ କାଶ୍ମୀରର) ଖାଇବର-ପଖ୍ତୁନ୍ଖ୍ୱା ପ୍ରାନ୍ତରେ ଅବସ୍ଥିତ ଏକ ଗିରିପଥ । ଏହି ଗିରିପଥ ଆଫଗାନିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ । ସ୍ପିନ ଘର ପର୍ବତକୁ ଲଂଘିଥିବା ଏହି ଗିରିପଥଦ୍ୱାରା ଲାଣ୍ଡି କୋଟାଲ ସହର ପେଶାୱର ଉପତ୍ୟକାରେ ଥିବା ଜାମ୍ରୁଦ ସହର ସହିତ ସଂଯୁକ୍ତ ହୋଇଛି । ପ୍ରାଚୀନ କାଳରେ ଏହି ଗିରିପଥ ରେଶମ ସଡ଼କର ଅଂଶ ଥିଲା ; ତେଣୁ ବାଣିଜ୍ୟିକ, ସାଂସ୍କୃତିକ, ଅର୍ଥନୈତିକ ଓ ରାଜନୈତିକ ଦୃଷ୍ଟିକୋଣରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଡ଼କପଥ ଥିଲା । ମଧ୍ୟ-ଏସିଆରୁ ଭାରତୀୟ ଉପମହାଦେଶ ମଧ୍ୟରେ ଖାଇବର ଗିରିପଥ ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ପଥ ହୋଇଥିବାରୁ ସମସ୍ତ ଶାସକ ଏହାର ସାମରିକ ନିୟନ୍ତ୍ରଣ ପାଇଁ ଚେଷ୍ଟା କରୁଥିଲେ । ଖାଇବର ଗିରିପଥ ଏସୀୟ ରାଜପଥ-୧ର ଅଂଶ ।
ଏହି ଅଞ୍ଚଳର ଅଧିବାସୀମାନେ ମୁଖ୍ୟତଃ ଆଫ୍ରିଦି ଜାତି ଓ ପସ୍ତୁନମାନଙ୍କ ଶିନୱାରୀ ଜାତିର ।
ଇତିହାସ
[ସମ୍ପାଦନା]ଅତୀତରେ ସାଇରସ୍, ପ୍ରଥମ ଡାରିୟସ୍, ଚେଙ୍ଗିଜ୍ ଖାଁ ଏବଂ ପରବର୍ତ୍ତୀ ସମୟରେ ଦୁୱା, କୁତ୍ଲୁଘ୍ ଖ୍ୱାଜା ଓ କେବେକ ପରି ଅନେକ ମଙ୍ଗୋଲ୍ ଶାସକଙ୍କ ଅନୁପ୍ରବେଶରେ ଖାଇବର ଗିରିପଥ ସହାୟକ ହୋଇଥିଲା । କୁଶାଣ ସାମ୍ରାଜ୍ୟ ପୂର୍ବରୁ ଖାଇବର ଗିରିପଥ ଏକ ଜଣାଶୁଣା ବାଣିଜ୍ୟ ସଡ଼କ ନଥିଲା ।[୧]
ପୂର୍ବେ ଖାଇବର ଗିରିପଥ ଚୀନର ସାଂଘାଇ ସହରରୁ ନେଇ ସ୍ପେନ ଉପକୂଳର ପୂର୍ବସ୍ଥ କାଡିଜ୍ ସହର ପର୍ଯ୍ୟନ୍ତ ବ୍ୟାପ୍ତ ରେଶମ ସଡ଼କର ଏକ ଅଂଶ ଥିଲା ।[୨][୩] ଚୀନରୁ ପଶ୍ଚିମ ଏସିଆ ଓ ୟୁରୋପକୁ ଯାଉଥିବା ରେଶମ, ମୁକ୍ତା, ମୂଲ୍ୟବାନ ପଥର ତଥା ଅନ୍ୟ ବିଳାସପୂର୍ଣ୍ଣ ସାମଗ୍ରୀର ବାଣିଜ୍ୟର ନିୟନ୍ତ୍ରଣ ପାଇଁ ପହଲବୀ ସାମ୍ରାଜ୍ୟ ଅନେକ ଚେଷ୍ଟା କରିଥିଲା । ଖାଇବର ଗିରିପଥ ଯୋଗୁଁ ତକ୍ଷଶିଳାରୁ ବାଗ୍ରାମ ପର୍ଯ୍ୟନ୍ତ ହାତୀ ଦାନ୍ତ, ଲଙ୍କା, ଗୋଲମରିଚ ଓ କପଡ଼ା ଆଦି ପରିବହନ ହୋଇପାରୁଥିଲା ଏବଂ ଆଫଗାନିସ୍ତାନର ଗାନ୍ଧାର ଏକ ପ୍ରମୁଖ ବାଣିଜ୍ୟ କେନ୍ଦ୍ରରେ ପରିଣତ ହେଲା ।[୪]:74
ମହମ୍ମଦ ଘୋରୀ, ମାମୁଦ ଗଜନୀ, ମଙ୍ଗୋଲ୍ ଓ ତୁର୍କୀ ଆକ୍ରମଣକାରୀମାନେ ଖାଇବର ଗିରିପଥ ଦେଇ ଭାରତୀୟ ଉପମହାଦେଶରେ ପ୍ରବେଶ କରିଥିଲେ । ପରେ ୧୮୩୪ ମସିହାରେ ରଞ୍ଜିତ ସଂହଙ୍କ ରାଜୁତି ସମୟରେ ଶିଖ ସାମ୍ରାଜ୍ୟ ଖାଇବର ଗିରିପଥ ଅକ୍ତିଆର କରିନେଇଥିଲା । ଶିଖ ସେନାଧ୍ୟକ୍ଷ ହରି ସିଂହ ନାଲୱା ବହୁ ବର୍ଷ ଖାଇବର ଗିରିପଥର ନିୟନ୍ତ୍ରଣ ଦାୟିତ୍ତ୍ୱରେ ରହିଥିଲେ ଏବଂ ତାଙ୍କ ନାମ ଆଫଗାନିସ୍ତାନରେ ବେଶ ଜଣାଶୁଣା ଥିଲା ।[୪]:186[୫] ବ୍ରିଟିଶ୍ ଶାସନାଧୀନ ଭାରତରେ ଭାରତର ଭୌଗୋଳିକ ବ୍ୟାପ୍ତିକୁ ଦର୍ଶାଇବା ପାଇଁ ‘’ଖାଇବର ସେ କନ୍ୟାକୁମାରୀ’’ ବୋଲି ଏକ ବାକ୍ୟାଂଶ ହିନ୍ଦୀ ଭାଷାରେ ବ୍ୟବହୃତ ହେଉଥିଲା ।[୬]
ଖାଇବର ଗିରିପଥର ଉତ୍ତରକୁ ମୁଲାଗୋରି ଜାତିର ଲୋକେ ବସବାସ କରନ୍ତି । ଗିରିପଥର ଦକ୍ଷିଣକୁ ଆଫ୍ରିଦି ତିରାହା ଓ ଗିରିପଥରେ ରହିଥିବା ଗ୍ରାମମାନଙ୍କରେ ପସ୍ତୁନ ଆଫ୍ରିଦି ଜାତିର ଲୋକେ ରହନ୍ତି । ପୁରାତନ କାଳରୁ ପସ୍ତୁନ ଆଫ୍ରିଦି ଓ ଆଫଗାନି ଶିନୱାରୀମାନେ ଖାଇବରକୁ ନିଜର ଅଞ୍ଚଳ ବୋଲି କହି ତାକୁ ବ୍ୟବହାର କରୁଥିବା ବଣିକ ଓ ଯାତ୍ରୀମାନଙ୍କଠାରୁ ସୁରକ୍ଷା ପାଇଁ କର ଆଦାୟ କରି ଆସୁଥିଲେ । ଆଦିମ ସମୟରୁ ଖାଇବରର କର ଏହି ଜାତିମାନଙ୍କ ପାଇଁ ଆୟର ଉତ୍ସ ହୋଇଥିବାରୁ ଅନ୍ୟମାନଙ୍କଦ୍ୱାରା ଖାଇବର ନିୟନ୍ତ୍ରିତ ହେଲେ ଏହି ଜାତିର ଲୋକେ ସର୍ବଦା ବିରୋଧ କରି ଆସିଛନ୍ତି ।
ପ୍ରଥମ ବିଶ୍ୱଯୁଦ୍ଧ ପରେ ଭାରତରେ ଶାସନ କରୁଥିବା ବ୍ରିଟିଶ୍ମାନେ ଖାଇବର ଗିରିପଥ ଦେଇ ଏକ ରେଳପଥ ନିର୍ମାଣ କରାଇଥିଲେ । ୧୯୨୫ ମସିହାରେ ପେଶାୱର ନିକଟସ୍ଥ ଜାମ୍ରୁଦରୁ ଆଫଗାନି ସୀମାରେ ରହିଥିବା ଲାଣ୍ଡି କୋଟାଲ ପର୍ଯ୍ୟନ୍ତ ନିର୍ମାଣ କରାଯାଇଥିବା ଏହି ରେଳପଥର ଉଦ୍ଘାଟନ ହୋଇଥିଲା ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜର୍ମାନ ସେନା ଓ ଟ୍ୟାଂକ୍ ଭାରତ ଆକ୍ରମଣ କରିବାର ଆଶଙ୍କା କରି ବ୍ରିଟିଶ୍ମାନେ ଖାଇବରରେ ଦୁର୍ଗୀକରଣ (କାନ୍ଥ ନିର୍ମାଣ) କରାଇଥିଲେ ଯାହାକୁ ଡ୍ରାଗନ୍ର ଦାନ୍ତ (ଇଂରାଜୀରେ ଡ୍ରାଗନ୍ସ ଟିଥ୍) କୁହାଯାଉଥିଲା ।[୭]
ଅନେକ ପାଶ୍ଚାତ୍ୟ ଓ ଜାପାନୀ ଭ୍ରମଣକାରୀଙ୍କ ମହଲରେ ଏହି ଗିରିପଥ ପରିଚିତ ଥିଲା । କାବୁଲରୁ ବସ୍ ବା କାର୍ ଯୋଗେ ଆଫଗାନି ସୀମା ପର୍ଯ୍ୟନ୍ତ ଆସି ସେମାନେ ଖାଇବରର ଜନଜାତିଙ୍କ ବସବାସ ଅଞ୍ଚଳକୁ ଯିବାର ଆଶଙ୍କା ରହୁଥିବାରୁ ଯାତ୍ରୀମାନଙ୍କୁ ପୂର୍ବରୁ ସତର୍କ ସୂଚନା ଦିଆଯାଉଥିଲା । ଏଯାବତ ବ୍ରିଟିଶ୍ମାନଙ୍କଦ୍ୱାରା ନିର୍ମାଣ କରାଯାଇଥିବା ବିଭିନ୍ନ ସ୍ଥାନ ଖାଇବରରେ ଦେଖିହେବ । ସ୍ଥାନୀୟ କମାରମାନଙ୍କଦ୍ୱାରା ଖାଇବର ଅଞ୍ଚଳରେ ବିଭିନ୍ନ ବନ୍ଧୁକ ଓ ଅସ୍ତ୍ରର ନକଲ ନିର୍ମାଣ କରାଯାଏ ବୋଲି କୁହାଯାଏ ।
ସାମ୍ପ୍ରତିକ ବିବାଦ
[ସମ୍ପାଦନା]୨୦୦୧ ମସିହାରୁ ଧରି ଆରମ୍ଭ ହୋଇଥିବା ଆଫଗାନିସ୍ତାନ ଯୁଦ୍ଧ ବେଳେ ନାଟୋର ସୈନ୍ୟମାନଙ୍କୁ ଅସ୍ତ୍ର, ଉପକରଣ ଓ ଖାଦ୍ୟ ଯୋଗାଣ ପାଇଁ ଖାଇବର ଗିରିପଥ ଅତ୍ୟନ୍ତ ଜରୁରୀ ଥିଲା । ନାଟୋ ଓ ଯୁକ୍ତରାଷ୍ଟ୍ର ଆମେରିକା ସୈନ୍ୟଙ୍କ ୮୦% ଆବଶ୍ୟକୀୟ ସାମଗ୍ରୀ ଖାଇବର ଗିରିପଥ ଦେଇ ଆସୁଥିଲା । ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଲୋକଙ୍କ ଗମନାଗମନ ପାଇଁ ମଧ୍ୟ ଖାଇବର ବ୍ୟବହୃତ ହୁଏ । ୨୦୦୭ ମସିହା ପର୍ଯ୍ୟନ୍ତ ଆଫ୍ରିଦିମାନଙ୍କୁ ପାକିସ୍ତାନ ସରକାର ଆର୍ଥିକ ସହାୟତା ଦେଉଥିବାରୁ ସେମାନେ କୌଣସି ସମସ୍ୟା ସୃଷ୍ଟି କରିନଥିଲେ । ୨୦୦୭ ପରେ ଏହି ଅଞ୍ଚଳ ତାଲିବାନ ଅଧୀନକୁ ଯିବାରୁ ଅନେକ ବିବାଦ ଓ ସଂଘର୍ଷର ସୂତ୍ରପାତ ଘଟିଥିଲା । ପାକିସ୍ତାନୀ ତାଲିବାନର ସମର୍ଥକ ଗୋଷ୍ଠୀମାନେ ୨୦୦୮ ପରଠାରୁ ଏହି ଅଞ୍ଚଳର ଯୋଗାଣ ସାମଗ୍ରୀ ଇତ୍ୟାଦି ଲୁଟ କରୁଛନ୍ତି ।
୨୦୦୯ ମସିହାରେ ତାଲିବାନ ସନ୍ତ୍ରାସବାଦୀଙ୍କ ଦମନ କରିବା ପାଇଁ ପାକିସ୍ତାନ ଖାଇବରର ଏକ ରାସ୍ତା ବନ୍ଦ କରିଦେଇଥିଲା । ତାଲିବାନ ସନ୍ତ୍ରାସବାଦୀଙ୍କ ସହାୟକମାନଙ୍କ ନିପାତ ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ଥିଲା ।[୮] ଏହି ସାମରିକ ପଦକ୍ଷେପରେ ୭୦ ଗିରଫଦାରୀ, ୪୫ଟି ଘର ଧ୍ୱଂସ ହେବା ସହିତ ଜଣେ ମହିଳା ଓ ଦୁଇଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା । ଏହାର ଜବାବରେ ୨୦୦୯ ମସିହା ଫେବୃଆରୀ ମାସରେ ତାଲିବାନ ସନ୍ତ୍ରାସବାଦୀମାନେ ଖାଇବରର ଏକ ପୋଲ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲେ ଓ ଖାଇବରରେ ସାମୟିକ ରୂପେ ପରିବହନ ବିଚ୍ଛିନ୍ନ କରିଦେଇଥିଲେ । ଏପରି ଜଟିଳ ଓ ସଂଘର୍ଷମୟ ସ୍ଥିତି ବଜାୟ ରହୁଥିବାରୁ ଯୁକ୍ତରାଷ୍ଟ୍ର ଆମେରିକା ଓ ନାଟୋ ମଧ୍ୟ-ଏସିଆରୁ କିମ୍ବା ଇରାନର ଛାବାହାର ବନ୍ଦରରୁ ସେମାନଙ୍କ ଆବଶ୍ୟକୀୟ ସାମଗ୍ରୀ ଯୋଗାଣ ପାଇଁ ଚେଷ୍ଟା କରିଥିଲେ ।[୯]
ତାଲିବାନର ସେନାକୁ ପାକିସ୍ତାନ ପ୍ରଶ୍ରୟ ଦେଇଆସୁଥିବା ଯୁକ୍ତରାଷ୍ଟ୍ର ଆମେରିକା ସର୍ବଦା ଅଭିଯୋଗ କରିଆସୁଥିଲା । ୨୦୧୦ରେ ତାଲିବାନ ବିପକ୍ଷରେ ନାଟୋର ଏକ ଡ୍ରୋନ୍ ଆକ୍ରମଣରେ ତିନି ଜଣ ପାକିସ୍ତାନୀ ସୈନ୍ୟ ମୃତ୍ୟୁବରଣ କରିବା ପରେ ସ୍ଥିତି ଅଧିକ ଜଟିଳ ହୋଇଥିଲା । ୩୦ ସେପ୍ଟେମ୍ବରରେ ପାକିସ୍ତାନ ସେନା ଖାଇବର ଗିରିପଥ ବନ୍ଦ କରି ନାଟୋର ଯୋଗାଣ ବନ୍ଦ କରି ଦେଇଥିଲା ।[୧୦] ରାସ୍ତାରେ ବନ୍ଦ ରହିଥିବା ଏହି ଯୋଗାଣ ଗାଡ଼ିମାନଙ୍କ ଉପରେ ଅଲ୍ କାଏଦା ଆକ୍ରମଣକାରୀମାନେ ଆକ୍ରମଣ କରି ୨୯ରୁ ଅଧିକ ତେଲ ଟାଙ୍କି ଧ୍ୱଂସ, ଲୁଟ ତରାଜ ଓ ଜୀବନହାନି ଘଟାଇଥିଲେ ।[୧୧] ନାଟୋ ମୁଖ୍ୟମାନେ ପାକିସ୍ତାନ ସରକାରଙ୍କ ସହ ଆଲୋଚନା କରିବା ପରେ ଖାଇବର ଗିରିପଥ ପୁଣି ଖୋଲିଥିଲା ।
୨୦୧୧ ମସିହା ଅଗଷ୍ଟ ମାସରେ ଆକ୍ରମଣ ଆଶଙ୍କାରେ ଖାଇବର ଗିରିପଥରେ ତେଲ ଯୋଗାଣ ପୁଣି ବନ୍ଦ ହୋଇଥିଲା ।[୧୨] ସ୍ଥାନୀୟ ତେଲ ଯୋଗାଣକାରୀ ସଂସ୍ଥାମାନେ ପାକିସ୍ତାନ ଓ ଯୁକ୍ତରାଷ୍ଟ୍ର ଆମେରିକାର ସରକାରଙ୍କୁ ସେମାନଙ୍କ ସୁରକ୍ଷା ବଢ଼ାଇବା ପାଇଁ ଦାବୀ କରିଥିଲେ ।
ସଂସ୍କୃତିରେ ଉଲ୍ଲେଖ
[ସମ୍ପାଦନା]ବିଶ୍ୱର ବିଭିନ୍ନ ସ୍ଥାନର ନାମକରଣ ଖାଇବର ଗିରିପଥକୁ ଅନୁକରଣ କରି ରଖାଯାଇଛି :
- ଆୟାର୍ଲ୍ୟାଣ୍ଡର ଡୁବ୍ଲିନ୍ସ୍ଥିତ ଫିନିକ୍ସ ପାର୍କର ଖାଇବର ରୋଡ଼୍[୧୩]
- ସ୍କଟଲାଣ୍ଡର ଗ୍ଲାସଗୋ ନିକଟରେ ଏକ ଅଙ୍କାବଙ୍କା ପାହାଡ଼ିଆ ସଡ଼କ ରହିଛି ଯାହାକୁ ଖାଇବର ପାସ୍ ଟ୍ରେଲ୍ କୁହାଯାଏ ଓ ଏଠାକାର ସାଇକେଲ ଆରୋହଣକାରୀଙ୍କ ପାଇଁ ଏହା ଏକ ଜଣାଶୁଣା ସଡ଼କ ।[୧୪]
- ଭାରତରେ ଦିଲ୍ଲୀର ସିଭିଲ୍ ଲାଇନ୍ସରେ ଖାଇବର ପାସ୍ ବଜାର ରହିଛି ।[୧୫][୧୬][୧୭]
- ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡ ସହର ନିକଟରେ ଖାଇବର ପାସ୍ ରୋଡ଼୍ ରହିଛି: Google Earth view
- ଯୁକ୍ତରାଜ୍ୟର କିଂଗ୍ସଟନରେ ଏକ କୃତ୍ରିମ ପ୍ରସ୍ତର କଳାକୃତି ରହିଛି[୧୮][୧୯]
- ଯୁକ୍ତରାଜ୍ୟର ୱେଷ୍ଟ କ୍ଲିଫରେ ରହିଥିବା ଏକ ଅଙ୍କାବଙ୍କା ପାହାଡ଼ିଆ ସଡ଼କ
- ସ୍କଟଲାଣ୍ଡର ଷ୍ଟ୍ରମ୍ନେସ୍ର ଏକ ପଦଚାରଣ ମାର୍ଗ[୨୦]
- ପେନ୍ସିଲଭେନିଆର ଫିଲାଡେଲଫିଆର ଖାଇବର ପାସ୍ ପବ୍
- ଜାମ୍ମୁ ଓ କାଶ୍ମୀରର ଗୁଲମାର୍ଗର ଖାଇବର ହିମାଲୟାନ୍ ରିଜୋର୍ଟ ଏବଂ ସ୍ପା
- ୱିସ୍ଲର୍ କ୍ରିକ୍ସାଇଡ୍ ଗ୍ରାମ ନିକଟସ୍ଥ ପାର୍ବତ୍ୟ ସାଇକେଲ ସଡ଼କ
- ୧୯୮୭ ମସିହା ନଭେମ୍ବର ପର୍ଯ୍ୟନ୍ତ କିଂଗ୍ସ କ୍ରସରେ ଏକ ସବ୍ ୱେ ଟ୍ୟୁବ୍ (ଭୂତଳ ରେଳ) ଷ୍ଟେସନ ଏହି ନାମରେ ରହିଥିଲା ।[୨୧]
ଖାଇବରର ଅନ୍ୟାନ୍ୟ ଉଲ୍ଲେଖମାନ ହେଲା :
- ସୟେଦ ମୁଜ୍ତବା ଅଲିଙ୍କ ‘’ଦେଶେ ବିଦେଶେ’’ (୧୯୪୮) ଲେଖାରେ ଖାଇବର ବସ୍ ଯାତ୍ରାର ବିବରଣୀ
- ଅବିଭକ୍ତ (ଅଖଣ୍ଡ) ଭାରତର ବ୍ୟାପ୍ତି ଦର୍ଶାଇବା ପାଇଁ ହିନ୍ଦୀରେ କଥିତ "ଖାଇବର ସେ କନ୍ୟାକୁମାରୀ" ବାକ୍ୟାଂଶ[୬]
- ଟ୍ୱାଇଲାଇଟ୍ ହିଷ୍ଟୋରିଜ୍ ପଡ଼୍କାଷ୍ଟର ନେପୋଲିଅନ୍ ଇନ୍ ଆଫଗାନିସ୍ତାନ ଅଧ୍ୟାୟରେ
- ଭାମ୍ପାୟାର୍ ୱିକେଣ୍ଡର ଏମ୍. ୭୯ ଗୀତରେ
- ଟମ୍ କୋକ୍ରେନଙ୍କ ଲାଇଫ୍ ଇଜ୍ ଏ ହାଇୱେ ଗୀତରେ
- ମିନିଷ୍ଟ୍ରି ନାମକ ବ୍ୟାଣ୍ଡର ଖାଇବର ପାସ୍ ଗୀତରେ
- ପ୍ରୋବଟଙ୍କ "ରେଡ୍ ୱର୍" ଗୀତରେ
- ପିଂକ୍ ଫ୍ଲଏଡ୍ ବ୍ୟାଣ୍ଡର “ଅପ୍ ଦ ଖାଇବର” ଗୀତରେ
- ୧୯୮୫ ମସିହାରେ ଜେ ମ୍ୟାକିନେର୍ଣ୍ଣିଙ୍କ ରାନ୍ସମ ନାମକ ପୁସ୍ତକରେ
- ରୁଡ୍ୟାର୍ଡ କିପ୍ଲିଂଗଙ୍କ ବିଭିନ୍ନ କବିତାରେ[୨୨][୨୩]
ଚିତ୍ର ଗ୍ୟାଲେରି
[ସମ୍ପାଦନା]-
ପେଶାୱରକୁ ଯାଉଥିବା ଖାଇବର ଗିରିପଥର ରାସ୍ତା
-
ପାକିସ୍ତାନୀ ମାଲବୋଝେଇ ଗାଡ଼ି ଓ ଯାତ୍ରୀ
-
ଖାଇବରର ଏକ ଧ୍ୱସ୍ତ ପୋଲ
-
ଖାଇବର ରେଳପଥ
-
୧୯୧୦ର ଏକ ବିଜ୍ଞାପନରେ ଖାଇବର ଗିରିପଥ
-
ବ୍ରିଟିଶ୍ ଶାସନାଧୀନ ଭାରତର ଏକ ସେନା (୧୯୨୦ ମସିହାର ଚିତ୍ର)
-
ଖାଇବର ଗିରିପଥର ମାନଚିତ୍ର
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Tarn, William Woodthorpe (2010). The Greeks in Bactria and India. Cambridge University Press. ISBN 9781108009416. Retrieved 28 March 2017.
- ↑ Insight Guides Silk Road (in ଇଂରାଜୀ). Apa Publications (UK) Limited. 2017. p. 424. ISBN 9781786716996.
- ↑ Arnold, Guy (2014). World Strategic Highways. Routledge. p. 12. ISBN 9781135933739.
- ↑ ୪.୦ ୪.୧ Docherty, Paddy (2008). The Khyber Pass: A History of Empire and Invasion. Union Square Press. ISBN 978-1-4027-5696-2.
- ↑ Nalwa, Vanit (2009). Hari Singh Nalwa, "champion of the Khalsaji" (1791-1837). New Delhi: Manohar. pp. 318–. ISBN 978-81-7304-785-5.
- ↑ ୬.୦ ୬.୧ Rajghatta, Chidanand (27 June 2017). "Attock to Cuttack, PM Narendra Modi causes a stir" (in English). The Economic Times. Retrieved 23 June 2020.
{{cite web}}
: CS1 maint: unrecognized language (link) - ↑ "Introducing The Khyber Pass". Lonelyplanet.com. 2009-03-24. Archived from the original on 2011-06-07. Retrieved 2010-11-12.
- ↑ Oppel Jr, Richard A. (2 January 2009). "Pakistan Briefly Reopens Key NATO Supply Route". The New York Times. Archived from the original on 20 May 2013. Retrieved 18 June 2012.
- ↑ "Pakistan and Afghanistan". Institute for the Study of War. Archived from the original on 9 February 2012. Retrieved 18 June 2012.
- ↑ "Pakistan Reopens Khyber Pass To US/NATO". Archived from the original on 24 July 2012. Retrieved 18 June 2012.
- ↑ Karin Brulliard (October 9, 2010). "Pakistan reopens border to NATO supply trucks". Washington Post Foreign Service. Archived from the original on 9 February 2011. Retrieved 18 June 2012.
- ↑ Ahmad Nabi (August 17, 2011). "Nato supplies via Khyber Pass halted due to security". Archived from the original on 11 January 2012. Retrieved 18 June 2012.
- ↑ McNally, Frank. "The Irish Times". The Irish Times. The Irish Times. Retrieved 29 August 2018.
- ↑ "Khyber Pass Trail at Mugdock Park". Trailforks (in ଇଂରାଜୀ). Retrieved 2020-03-30.
- ↑ Khyber Pass Map Archived 2011-10-30 at the Wayback Machine.. Mapsofindia.com (2013-03-01). Retrieved on 2013-07-12.
- ↑ "Khyber Pass Delhi". Google Maps. Retrieved 2013-07-12.
- ↑ "MGF City , Khyber Pass , North Delhi". Archived from the original on 2012-03-10. Retrieved 2011-05-19.
- ↑ "East's Eden". Kingston upon Hull City Council. September 2002. Archived from the original on 2013-05-17.
- ↑ ଛାଞ୍ଚ:NHLE
- ↑ "OpenStreetMap". OpenStreetMap (in ଇଂରାଜୀ). Retrieved 2019-08-07.
- ↑ "New subway to replace Kings Cross "Khyber Pass"". This Is Local London.
- ↑ National Geographic Society (2011-11-21). "The Khyber Pass". National Geographic Society (in ଇଂରାଜୀ). Archived from the original on 2019-08-07. Retrieved 2019-08-07.
- ↑ "The Ballad of East and West". www.kiplingsociety.co.uk. Archived from the original on 2019-08-22. Retrieved 2019-08-07.
ଆହୁରି ପଢ଼ିପାରିବେ
[ସମ୍ପାଦନା]- Molesworth, Lt-Gen. G.N. (1962). Afghanistan 1919 : an Account of Operations in the Third Afghan War. Asia Publishing House. OCLC 7233999.
{{cite book}}
: Invalid|ref=harv
(help)