ଖଣ୍ଡଗିରି ମେଳା

ଉଇକିପିଡ଼ିଆ‌ରୁ

ମାଘ ସପ୍ତମୀରେ ଖଣ୍ଡଗିରି-ଉଦୟଗିରି ପାଦ ଦେଶରେ ହେଉଥିବା କୁମ୍ଭମେଳା, ଖଣ୍ଡଗିରି ମେଳା ନାମରେ ପରିଚିତ । ଭୁବନେଶ୍ୱର ଉପକଣ୍ଠ ଖଣ୍ଡଗିରିଠାରେ ଆବାହମାନ କାଳରୁ ହୋଇଆସୁଥିବା ପ୍ରସିଦ୍ଧ କୁମ୍ଭମେଳା ୯ ଦିନ ଧରି ଚାଲି ମାଘ ପୂର୍ଣ୍ଣିମାଦିନ ପୂର୍ଣ୍ଣାହୁତୀ ହୁଏ । ଏହି ଅବସରରେ ସାଧୁସନ୍ଥଙ୍କ ସମାବେଶ ସହ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଜମେ ।

ମାଘସପ୍ତମୀ ପରେ ଛଅଦିନ ମହାମେଘବାହନ ଐରଖାରବେଳଙ୍କ ଗୌରବମୟ ଇତିହାସର ସ୍ମୃତିଚାରଣ କରାଯାଇ ଜାତୀୟ ଖାରବେଳ ଉତ୍ସବ ୨୦୦୬ ମସିହାରୁ ଆୟୋଜନ ହେଉଛି ।[୧]

ମେଳାର ପୃଷ୍ଠଭୂମି[ସମ୍ପାଦନା]

  • ଏହି ମେଳାର ଅାଧାର ହେଉଛି ତପସ୍ୱୀ ଦର୍ଶନ । ବିଶ୍ୱାସ କରାଯାଏ ତପସ୍ୱୀମାନେ ହେଉଛନ୍ତି ଭଗବାନଙ୍କ ଅବତାର । ତେଣୁ ତପସ୍ୱୀ ଦର୍ଶନକୁ ଭଗବାନଙ୍କ ଦର୍ଶନ ବୋଲି ଧରିନିଅାଯାଏ । ଏହି ଧାରଣାକୁ ନେଇ ଖଣ୍ଡଗିରି କୁମ୍ଭମେଳା ପ୍ରତିଷ୍ଠିତ ବୋଲି ମତ ପ୍ରକାଶ ପାଏ । ଲୋକକଥାରୁ ଯାହା ଜଣାଯାଏ, ପୂର୍ବକାଳରେ ଏହି ପିବତ୍ର ତିଥିରେ ସାଧୁସନ୍ଥମାନେ ଅର୍କକ୍ଷେତ୍ର ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପରେ ଉଦୟଗିରିରେ ଅବସ୍ଥାନ କରି ସୂର୍ଯ୍ୟପୂଜା କରୁଥିଲେ । କାରଣ ଅର୍କକ୍ଷେତ୍ରରେ ଉଦିତ ସୂର୍ଯ୍ୟଙ୍କ ପହିଲି କିରଣ ସିଧାସଳଖ କୁଅାଡ଼େ ଉଦୟଗିରିରେ ହିଁ ପଡ଼େ । ତେଣୁ ଏଠାରେ ସୂର୍ଯ୍ୟପୂଜା କଲେ କୋଟି ପୁଣ୍ୟ ମିଳେ ବୋଲି କୁହାଯାଏ ।
  • ଏହି ପାହାଡ଼ର ପାତାଳଗଙ୍ଗା, ଗୁପ୍ତଗଙ୍ଗା ଭଳି ବିଭିନ୍ନ ଜଳଉତ୍ସରେ ବୁଡ଼ ପକାଇବା ବି ଅର୍କକ୍ଷେତ୍ରରେ ବୁଡ଼ ପକାଇବା ସହ ସମାନ ବୋଲି ବିଶ୍ୱାସ କରାଯାଏ । ତେଣୁ ଏଠାରେ ସନ୍ଥମାନେ ସମ୍ମିଳିତ ହେଉଥିଲେ ଓ ସେମାନଙ୍କ ଦର୍ଶନ ତଥା ସାନ୍ନିଧ୍ୟ ଲାଭ କରିବା ଲକ୍ଷ୍ୟରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମୁଥିଲା । ବହୁ ସ୍ଥାନୀୟ ଲୋକ ବି ଏଠାରେ ଜମା ହେଉଥିଲେ । ଏଥିରୁ ହିଁ ମେଳାର ସୃଷ୍ଟି ।
  • ଖଣ୍ଡଗିରି-ଉଦୟଗିରି ପାଦ ଦେଶରେ ସାଧୁସନ୍ଥମାନେ ପୂର୍ବେ ସିଦ୍ଧି ଳାଭ କରୁଥିଲେ । ବର୍ଷ ବର୍ଷ ଧରି ତପସ୍ୟାରେ ବସୁଥିଲେ । ଏହି ସମୟରେ ସାଧୁସନ୍ଥମାନେ ମାଘ ସପ୍ତମୀରେ ବୁଡ଼ ପକାଇ ଖଣ୍ଡଗିରିରେ ସୂର୍ଯ୍ୟ ଦେବତାଙ୍କୁ ପ୍ରାତଃ ଦର୍ଶନ କରୁଥିଲେ । ସେହି ଅନୁଯାୟୀ ଶତାଧିକ ସାଧୁସନ୍ଥ ଖଣ୍ଡଗିରିରେ ସୂର୍ଯ୍ୟ ଦର୍ଶନ କରିଥାନ୍ତି ।

କିମ୍ବଦନ୍ତୀ[ସମ୍ପାଦନା]

ଏକାମ୍ର କାନନ ଭୁବନେଶ୍ୱରରେ ଖଣ୍ଡଗିରି ଥିଲା ତପୋଭୂମିଭାବେ ପରିଚିତ । ଯୋଗନଦୀ (ଏବେ ବିଲୁପ୍ତ) କୂଳରେ ମୁନିଋଷିମାନଙ୍କ ଗହଣରେ ରହୁଥିବା ଏମିତି ବହୁ ବନ୍ୟପ୍ରାଣୀଙ୍କ ଭିତରେ ସ୍ନେହ ବନ୍ଧନର ଭାବ ରହି ଆସିଥିଲା । ତେଣୁ ପରବର୍ତ୍ତୀ କାଳରେ ଏଠାରେ ସର୍ବଧର୍ମର ସମନ୍ୱୟ ଘଟିବା ସମ୍ଭବ ହୋଇପାରିଛି । ଏକାଦିକ୍ରମେ ଏହି ପୀଠ ଶକ୍ତିପୀଠ ଓ ଜୈନପୀଠଭାବେ ପରିଚିତି ଲାଭ କରିଛି । ଏଠି ମା' ବାରଭୂଜାଙ୍କ ପୂଜାର୍ଚ୍ଚନା ସହ ଜୈନ ଉପାସକମାନଙ୍କ ପୂଜା ବି ଅନୁଷ୍ଠିତ ହୋଇଅାସୁଛି । ତେଣୁ କୁହାଯାଏ ଜୈନ ଉପାସକ ହେଲେ ବି ତତ୍କାଳୀନ କଳିଙ୍ଗ ସମ୍ରାଟ କରକନ୍ଦୁ ଏବଂ ପରେ ମହାମେଘବାହାନ ଐର ଖାରବେଳ ସାଧୁସନ୍ଥମାନଙ୍କ ପାଇଁ ଉଦୟଗିରି ପାହାଡ଼ରେ ବିଭିନ୍ନ ଗୁମ୍ଫା ନିର୍ମାଣ କରାଇଥିଲେ ଏବଂ ସେମାନଙ୍କ ରାଜତ୍ୱ କାଳରୁ ହିଁ ଏହି କୁମ୍ଭମେଳାର ଅାକର୍ଷଣ ବଢ଼ି ଚାଲିଥିଲା । [୨]

ପରମ୍ପରା[ସମ୍ପାଦନା]

ଅନନ୍ତକେଶରୀଙ୍କ ରାଣୀହଂସପୁର ଯାତ୍ରା[ସମ୍ପାଦନା]

ଜାଗମରା ଗ୍ରାମର ଅାରାଧ୍ୟ ଦେବତା ଅନନ୍ତକେଶରୀଙ୍କ ରାଣୀହଂସପୁର ଯାତ୍ରା ହେଉଛି ଏହି ମେଳାର ଅନ୍ୟତମ ଅାଧ୍ୟାତ୍ମିକ ଦିଗ । ସପ୍ତମୀ ତିଥି ରାତିରେ, ଅନନ୍ତକେଶରୀ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଉଦୟଗିରି ପାହାଡ଼ସ୍ଥିତ ରାଣୀଗୁମ୍ଫାରେ ରାଣୀ ହଂସପୁରକୁ ଯାତ୍ରା କରିଥାଅାନ୍ତି । ଗୁମ୍ପାରେ ସ୍ନାନ କରିବା ପରେ ଦେବୀ ବାରଭୂଜାଙ୍କ ନିକଟରେ ଯଜ୍ଞ ଆରମ୍ଭ ହୋଇଥାଏ । ସେଠାରେ ମାତ୍ର କିଛି ଘଣ୍ଟାର ରହଣୀ ପରେ ପଭୁ ଅନନ୍ତକେଶରୀ ପୁଣି ବିଳମ୍ବିତ ରାତିରେ ମନ୍ଦିରକୁ ବାହୁଡ଼ି ଅାସିବା ପରମ୍ପରା ରହିଛି ।

ସାଧୁ ମେଳା ଓ ସାଧୁ ସମ୍ମିଳନୀ[ସମ୍ପାଦନା]

ମେଳା ପୂର୍ବରୁ ସାଧୁସନ୍ଥମାନେ ପାହାଡ ଗୁମ୍ଫାରେ ରହି ଭଜନ କୀର୍ତ୍ତନ କରିଥାନ୍ତି । ଅଖଣ୍ଡ ଧ୍ୱନୀ ଜାଳି ସାଧୁସନ୍ଥମାନେ ତପସ୍ୟାରତ ଥାଆନ୍ତି । ମାଘ ସପ୍ତମୀ ଦିନ ବୁଡ଼ ପକାଇ ସୂର୍ଯ୍ୟଙ୍କୁ ପ୍ରାତଃ ଦର୍ଶନ କରିଥାନ୍ତି । କୁମ୍ଭମେଳା ଅପସରରେ ଦେବୀ ବାରଭୂଜାଙ୍କ ନିକଟରେ ସବୁବର୍ଷ ସାଧୁ ସମ୍ମିଳନୀ ଅନୁଷ୍ଠିତ ହୁଏ । ଏଥିପାଇଁ ବିଭିନ୍ନ ଅଞ୍ଚଳର ସାଧୁସନ୍ଥମାନଙ୍କୁ ନିମନ୍ତ୍ରଣ କରାଯାଇଥାଏ ।

ମେଳାର ଆକର୍ଷଣ[ସମ୍ପାଦନା]

କିଣାବିକା ପସରା[ସମ୍ପାଦନା]

ଏହି ମେଳା ଉପଲକ୍ଷେ ବ୍ୟସାୟୀଙ୍କ ପସରା ସବୁ ମେଲିଥାଏ । ଦୋକାନ, ବଜାରଠାରୁ ଅାରମ୍ଭ କରି ମୀନାବଜାରର । ବିଭିନ୍ନ ଅଞ୍ଚଳର ପ୍ରସିଦ୍ଧ ଖାଦ୍ୟ, ଘର ସାଜସଜ୍ଜା ଉପକରଣ ଓ ଛୋଟ ପିଲାମାନଙ୍କ ପାଇଁ ଦୋଳି ଆଦି ଦୋକାନ ଖୋଲେ ।

ଅପେରା[ସମ୍ପାଦନା]

ଓଡ଼ିଅା ଯାତ୍ରାଜଗତର ସମସ୍ତ ନାମୀ ଦାମୀ ଅପେରା ପାର୍ଟିମାନଙ୍କର ପ୍ରତିଯୋଗିତା ଏହି ମେଳାରେ ଦେଖିବାକୁ ମିଳେ । ମେଳା ଉପଲକ୍ଷେ ୫ଟି ପେଣ୍ଡାଲରେ ପ୍ରାୟ ୧୦ଟି ନାମୀ ଅପେରା ପାର୍ଟି ନିଜ ନିଜ ଶକ୍ତି ପ୍ରଦର୍ଶନ କରିଥାନ୍ତି । ଗୋଟିଏ ପେଣ୍ଡାଲରେ ୩ ହଜାରରୁ ଅଧିକ ଦର୍ଶକ ଯାତ୍ରା ଉପଭୋଗ କରନ୍ତି । ମେଳା ସମୟରେ ପ୍ରାୟ ୧୦ଲକ୍ଷ ଦର୍ଶକ ପ୍ରତି ଦିନ ଯାତ୍ରା ଦେଖନ୍ତି । [୩]


ଆଧାର[ସମ୍ପାଦନା]

  1. "ଖଣ୍ଡଗିରି ପାଦଦେଶରେ ଇତିହାସ ଓ ସଂସ୍କୃତିର ମିଳନ". Retrieved 11 January 2017.
  2. "sambadepaper.com/epaperpdf%5C09012015%5C09-md-bm-15.pdf" (PDF). ସମ୍ବାଦ. Retrieved 11 January 2017.[permanent dead link]
  3. "ଖଣ୍ଡଗିରି-ଉଦୟଗିରିରେ ଶ୍ରଦ୍ଧାଳୁଙ୍କ ଭିଡ଼". ସର୍ବସାଧାରଣ ଖବର କାଗଜ. Archived from the original on 11 July 2016. Retrieved 11 January 2017.