କୋହିନୂର

ଉଇକିପିଡ଼ିଆ ରୁ
Jump to navigation Jump to search
କୋହିନୂର
Koh-i-Noor old version copy.jpg
A glass replica of the diamond before it was re-cut in 1852 on display at the Reich der Kristalle museum in Munich, Germany.
Weight୧୦୫.୬୦୨ carats (୨୧.୧୨୦୪ g)
ColourFinest White
Mine of originକୋଲୁର ଖଣି, ଭାରତ
Discovered13th century
Cut byHortenso Borgia (16th century)
Levie Benjamin Voorzanger (1852)
Original ownerକାକତୀୟ ରାଜବଂଶ
OwnerIn the British Crown Jewels, part of the Royal Collection held in trust by Queen Elizabeth II for her successors and the UK.[୧]

କୋହିନୂର ଏକ ମୂଲ୍ୟବାନ ହୀରା,ଯାହା ଆନ୍ଧ୍ର ପ୍ରଦେଶର କୋଲୁର ଖଣିରୁ ମିଳିଥିଲା । ପ୍ରଥମେ ଯେତେବେଳେ ହୀରାଖଣି ଗର୍ଭରୁ ଆବିଷ୍କୃତ ହୋଇଥିଲା, ସେତେବେଳେ ଏହାର ଓଜନ ଆଠଶହ ତୋଳା ଥିଲା ।[୨] ଗୋଲକୁଣ୍ଡାର ଏକ ଖଣି ଗର୍ଭରୁ ଆବିଷ୍କୃତ ଏକଶତ ବୟାନବେ ତୋଳା ଓଜନ ବିଶିଷ୍ଟ ଏହି ହୀରାରୁ ବହୁ ରାଜା, ସମ୍ରାଟମାନେ ନିଜ ନିଜ ପସନ୍ଦରେ ତହିଁରୁ କିଛିି କାଟି ତାକୁ ନିଜ ନିଜ ମୁକୁଟରେ ଲଗାଇଲା ପରେ ଶେଷକୁ ଏହାର ଓଜନ ଆଉ ମାତ୍ର ଏକଶତ ନଅ ତୋଳା ରହିଥିଲା । ୧୮୫୨ରେ ଇଂରେଜ ସରକାର ପଞ୍ଜାବ ଜୟକରି କୋହିନୂରକୁ ଲଣ୍ଡନ ପଠାଇବା ପର୍ଯ୍ୟନ୍ତ ଏହା ସ୍ଥାନାନ୍ତରିତ ହେବାର ପ୍ରଶ୍ନ ନ ଥିଲା । ବର୍ତ୍ତମାନ ଏହା ଇଂଲଣ୍ଡରେ ବ୍ରିଟିଶରାଣୀଙ୍କ ମୁକୁଟରେ ଶୋଭାପାଉଛି।

ଇତିହାସ[ସମ୍ପାଦନା]

କୋହିନୂର ହୀରାର ଛଅ ଶହ ବର୍ଷର ଇତିହାସ ବଡ ବିସ୍ମୟଜନକ ଓ ରୋମାଞ୍ଚକର । ଏହା ସମଗ୍ର ଭାରତ, ପାକିସ୍ଥାନ, ଆଫଗାନିସ୍ଥାନ, ଇରାନ ଆଦିର ରଣ ଭୂଇଁରେ ଯେତେସବୁ ଯୁଦ୍ଧ ସଂଗଠିତ ହୋଇଥିଲା,ଯେଉଁଥିରେ ଲକ୍ଷ ଲକ୍ଷ ଲୋକଙ୍କ ମୃତୁ୍ୟ ଘଟିଥିଲା ଓ ବହୁ ସାମ୍ରାଜ୍ୟ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିଲା, ତାହାର ଇତିହାସ ସହିତ ଏ କୋହିନୂର ହୀରକର ଇତିହାସ ଓତଃପ୍ରୋତ ଭାବେ ଜଡିତ। କେତକ ମତ ଦିଅନ୍ତି ଯେ , ଇତିହାସର ଅମରବୀର ଗୁପ୍ତବଂଶର ଦ୍ୱିତୀୟ ଚନ୍ଦ୍ରଗୁପ୍ତ ବା ବିକ୍ରମାଦିତ୍ୟଙ୍କ ନିକଟରେ ଏହା ଥିଲା। କୋହିନୂରର ଇତିହାସ ଏହାର ଐତିହ୍ୟ ମଧ୍ୟଯୁଗରୁ ଉତ୍ପତ୍ତି ହୋଇଥିଲା। ଏ କ୍ଷେତ୍ରରେ ମଧ୍ୟ କେତେକ ଭିନ୍ନମତ ମିଳିଥାଏ,ଗୋଟିଏ ମତ ଅନୁସାରେ ଚତୁର୍ଦ୍ଦଶ ଶତାବ୍ଦୀରେ ଏହା ଇତହିାସର ଏକ ଅଧ୍ୟାୟକୁ ଆସିବା ପୂର୍ବରୁ ମାଲବାରର ରାଜାଙ୍କ ନିକଟରେ ଥିଲା । ଅନ୍ୟ ଏକ ମତରେ ଗୋଆଲିୟରର ରାଜା ହୁମାୟୁନଙ୍କୁ ଏହି ହୀରା ଭେଟି ଦେଇଥିଲେ। ପଣୁି ଏକ ମତରେ ଆଲାଉଦ୍ଦନି ଖିଲିଜ ତାଙ୍କର ଦାକ୍ଷିଣାତ୍ୟ ବିଜୟ ସମୟରେ ଏହା ଲାଭ କରିଥିଲେ। ତାଙ୍କପରେ ଏହା ତୋଗଲକ, ସୟଦ ତଥା ଲୋଦୀ ବଂଶର ସୁଲତାନମାନଙ୍କ ସମ୍ପତ୍ତି ରୂପେ ରହିଥିଲା । ୧୫୨୬ରେ ପାନିପଥ ଯୁଦ୍ଧରେ ବାବର ଇବ୍ରାହିମ ଲୋଦୀଙ୍କୁ ପରାସ୍ତ କରି ଏହି ହୀରାକୁ ନିଜଅଧିକାରକୁ ଆଣିଥିଲେ । ତା'ପରେ ଏହା ପରବର୍ତ୍ତୀ ମୋଗଲମାନଙ୍କ ସମ୍ପତ୍ତି ହୋଇ ଚାଲିଲା ।


ପ୍ରସିଦ୍ଧ ଉର୍ଦ୍ଦୁ ସାହିତ୍ୟିକ ତାଙ୍କର ପ୍ରସିଦ୍ଧ ପତ୍ରିକା "କସିସଉଲହିଲ'ରେ ପ୍ରକାଶ କରିଥିଲେ ଯେ ବାବର ଦିଲ୍ଲୀ ଅଧିକାର କରିବା ପରେ ହୁମାୟୁନକୁ ଇବ୍ରାହିମଙ୍କ ମା'ଙ୍କ ପାଖକୁ ପଠାଇ ଦେଇଥିଲେ । ସେ ହୁମାୟୁନଙ୍କୁ ଏହି ହୀରା ଭେଟି ଦେଇଥିଲେ । ପୂର୍ବୋକ୍ତ କୋଲୋର ବିଷୟ ନେଇ ବହୁ ପଣ୍ଡିତ ମତ ଦିଅନ୍ତି ଯେ କୃଷ୍ଣାତଟସ୍ଥ କୋଲୋର ଖଣିରୁ ଏହି ହୀରା ଆବିଷ୍କୃତ ହୋଇଥିଲା ଏବଂ ୧୬୫୬ରେ ମିରଜୁମଲା ଏହାକୁ ନେଇ ତତ୍କାଳୀନ ବାଦଶାହାଙ୍କୁ ଦେଇଥିଲେ । ପ୍ରସିଦ୍ଧ ଐତିହାସିକ "ଟେବର ନିୟର' ତାଙ୍କର ପ୍ରସିଦ୍ଧ ଗ୍ରନ୍ଥ "ଟ୍ରବ୍ଲସ ଇନ୍ ମୋଗଲ ଏମ୍ପାୟାର'ରେ ଏହି କୋହିନୂର ପ୍ରସଙ୍ଗରେ ଏକ ସୁନ୍ଦର ବର୍ଣ୍ଣନା ଦିଅନ୍ତି। ସେତେବେଳେ ଇଂରାଜୀ ମାପ ପ୍ରଣାଳୀ ଅନୁସାରେ ଏହାର ପରିମାଣ ୭୫୬ ତୋଳା ଥିଲା। ମୋଗଲ ସମ୍ରାଟ ଆଉରଙ୍ଗଜେବ ଟେବରନିୟରଙ୍କୁ ନିମନ୍ତ୍ରଣ କରି ଆଣିଥିଲେ ଏବଂ କୋହିନୂରକୁ ଏକ ନୂତନ ରୂପ ଦେବା ନିମିତ୍ତ ଅନୁରୋଧ କରି ଏହି ହୀରା ସହିତ ଅନ୍ୟ ପ୍ରକାରର ବହୁ ହୀରା ଦେଇଥିଲେ । ଟେବରନିୟର ଏହି କାର୍ଯ୍ୟରେ ଉତ୍ତମ ଚାତୁର୍ଯ୍ୟ ପ୍ରଦର୍ଶନ କରି ପାରି ନ ଥିବାରୁ ମୋଗଲ ସମ୍ରାଟ ରେବିଲଙ୍ଗଙ୍କ ସମୟରେ ତାଙ୍କୁ ନିର୍ବାସନ ଦଣ୍ଡ ଭୋଗିବାକୁ ପଡିଥିଲା ।

ମୋଗଲ ଶକ୍ତି ବିଧ୍ୱଂସକାରୀ ନାଦିରଶାହ ବାରମ୍ବାର ଦିଲ୍ଲୀରୁ ଐଶ୍ୱର୍ଯ୍ୟ ଲୁଣ୍ଠନକରି ତଥା ବିଧ୍ୱସ୍ତ କରି ମଧ୍ୟ କେବଳ ଏହି କୋହିନୂର ନପାଇ ଅନ୍ୟ କୌଣସିରେ ସନ୍ତୁଷ୍ଟ ହୋଇ ପାରିନଥିଲେ । ତାଙ୍କର ନିର୍ଦ୍ଦେଶକ୍ରମେ ବାଦଶାହାଙ୍କ ଭଣ୍ଡାରରୁ ସମସ୍ତ ପ୍ରକାର ରତ୍ନ ଅଣାଯାଇ ତାଙ୍କ ସମ୍ମୁଖରେ ପ୍ରଦର୍ଶିତ ହୋଇଥିଲା। ସେଥିରେ ମଧ୍ୟ କୋହିନୂରକୁ ନପାଇ, କିପରି କୋହିନୂର ତାଙ୍କର ହସ୍ତଗତ ହେବ ସେ ବିଷୟରେ ଚିନ୍ତା କରିବାକୁ ଲାଗିଲେ । ରାଜମହଲର ଜଣେ କର୍ମଚାରୀ ସହିତ ପରାମର୍ଶ କରି ସନ୍ଧାନ ପାଇଲେ ଯେ, କୋହିନୂର ବାଦଶାହଙ୍କ ପଗଡି ମଧ୍ୟରେ ଖଚିତ ହୋଇଥାଏ । ଏ ସନ୍ଧାନ ପାଇବା ପରେ ଏକ କୌଶଳପୂର୍ଣ୍ଣ ଯୋଜନା କରି ଥରେ ଦରବାର ପାଇଁ ପ୍ରସ୍ତାବ ଦେଇ ସେଥିରେ ବାଦଶାହାଙ୍କୁ ନିମନ୍ତ୍ରଣ କଲେ । ସେସମୟର ରୀତି ଅନୁଯାୟୀ ଅଭ୍ୟର୍ଥନା ସ୍ୱରୂପ ପରସ୍ପର ନିଜର ପଗଡି ପରିବର୍ତ୍ତନ କଲେ । ବାଦଶାହାଙ୍କ ପଗଡି ଯେମିତି ତାଙ୍କ ନିକଟକୁ ଆସି ଯାଇଛି, ସେ ଉଲ୍ଲାସରେ ଅଧୀର ହୋଇ କୋହିନୂରୁ କୋହିନୂରୁ ବୋଲି ଚିତ୍କାର କଲେ,ତାଙ୍କର ସମସ୍ତ ଲୁଣ୍ଠିତ ଦ୍ରବ୍ୟ ସହିତ ଯେତେବେଳେ ସେ ଦିଲ୍ଲୀରୁ ପାରସ୍ୟ ଅଭିମୁଖେ ଯାତ୍ରା କଲେ, ସେତେବେଳେ କୋହିନୂର ନେବାକୁ ଭୁଲି ନଥିଲେ। ୧୭୪୭ରେ ନାଦିରଶାହଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ଶାହରୁଖଙ୍କ ଅଧିକାରକୁ କୋହିନୂର ଆସିଲା । କାନ୍ଦାହାରରେ ଆଶ୍ରୟ ନେଇଥିବା ସୁଲତାନ ଅହମ୍ମଦ ଶାହ ଅବଦଲ ୧୭୫୧ରେ ମିତ୍ରତା ସ୍ଥାପନ କରି ତାଙ୍କଠାରୁ କୋହିନୂର ଲାଭ କରିଥିଲେ । ତା'ପରେ ଏହା ତାଙ୍କ ପୁଅ ତିମୁରଙ୍କର ହସ୍ତଗତ ହୋଇଥିଲା। ତାଙ୍କ ପରେ ତାଙ୍କର ୨୩ ଜଣ ପୁତ୍ରଙ୍କ ମଧ୍ୟରୁ ଶାହସୁଜାଙ୍କ ପାଖେହିଁ କୋହିନୂର ରହିଲା। [୩]


ଅବଦଲ ରାଜବଂଶ କାବୁଲରୁ ବିତାଡିତ ହେଇଥିବା ସମୟରେ ପଞ୍ଜାବ କେଶରୀ ରଣଜିତ ସିଂହ ଖବୁ ଶକ୍ତିଶାଳୀ ହୋଇ ଉଠିଥିଲେ। ତାଙ୍କର ଆଶ୍ରୟ ଫଳରେ ଶାହସୁଜା ସେଠାରେ ଅବସ୍ଥାନ କଲେ ଏବଂ ପ୍ରଗାଢ ପ୍ରୀତିର ପ୍ରତିଦାନ ସ୍ୱରୂପ ସାହସୁଜା ତାଙ୍କୁ କୋହିନୂର ଉପହାର ଦେଇଥିଲେ । ଶାହସୁଜାଙ୍କର ଏହା ପ୍ରାଣଠାରୁ ବଳି ପ୍ରିୟ ଥିଲା । ଉପହାର ଦେବା ସମୟରେ ସେ ଅବଶ୍ୟ କୁଣ୍ଠାବୋଧ କରିଥିଲେ । ଏପରି ଏକ ଉପହାର ମଧ୍ୟ ରଣଜିତଙ୍କର ଖୁବ୍ ପ୍ରିୟ ବ୍ୟବହାର୍ଯ୍ୟ ହୋଇଥିଲା। ଏଥିପ୍ରତି ତାଙ୍କର ସ୍ନେହ ଓ ବିଶ୍ୱାସ ଜାଗ୍ରତ ହୋଇଥିଲା। ଯେତେବେଳେ ସେ କୌଣସି ଅଭିଯାନରେ ବାହାରୁଥିଲେ, ତେବେ ଏକ ଶୋଭାଯାତ୍ରାର ବ୍ୟବସ୍ଥା ହେଉଥିଲା । ସେଥିରେ ସେ କେତେଗୁଡିଏ ଉଷ୍ଟ୍ରଙ୍କୁ ସଜ୍ଜିତ କରି ରଖାଯାଉଥିଲା ଏବଂ ପ୍ରତ୍ୟେକ ଉଷ୍ଟ୍ରର ପୃଷ୍ଠଭାଗରେ ବିଭିନ୍ନ ପ୍ରକାର ରତ୍ନର ଗୋଟିଏ ଗୋଟିଏ ସିନ୍ଦୁକ ରଖାଯାଉଥିଲା । ତହିଁ ଭିତରୁ କୌଣସି ଏକ ସିନ୍ଦୁକ ମଧ୍ୟରେ କୋହିନୂରକୁ ସୁରକ୍ଷିତ କରି ରଖାଯାଉଥିଲା। ଜଣେ ମାତ୍ର ବିଶ୍ୱସ୍ତ ପାରିଷଦ ତା'ର ଦାୟିତ୍ୱରେ ରହୁଥିଲେ । ୧୮୩୯ରେ ରଣଜିତଙ୍କର ଦେହବସାନ ହୋଇଥିଲା, ତାହାପରେ ତାଙ୍କର ଉତ୍ତରାଧିକାରୀମାନଙ୍କ ନିକଟରେ ଏହା ପ୍ରାୟ ଦଶ ବର୍ଷ ପର୍ଯ୍ୟନ୍ତ ରହିଥିଲା। ୧୮୪୧ରେ ପଞ୍ଜାବ ଯେତେବେଳେ ଇଂରେଜମାନଙ୍କ ଅଧୀନକୁ ଆସିଲା, ସେହିବର୍ଷ ମାର୍ଚ୍ଚ ୨୯ରେ ଯେଉଁ ସନ୍ଧି ହୋଇଥିଲା, ତଦ୍ୱାର କୋହିନୂର ଇଂରେଜମାନଙ୍କ କରଗତ ହେଲା । [୪] ସାର୍ ଜନ ଲରେନସ୍ ମହାରାଣୀ ଭିକ୍ଟୋରିଆ ଏହା ଭେଟି ସ୍ୱରୂପ ଦେବା ପାଇଁ ଖୁବ ଯତ୍ନର ସହ ରଖିଥିଲେ । ୧୮୫୦ ଜୁନ ୩ରେ ଲର୍ଡ ଡେଲାହାଉସି ଏହାକୁ ମହାରାଣୀ ଭିକ୍ଟୋରିଆଙ୍କୁ ଉପହାର ଦେଇଥିଲେ । କଥିତ ଅଛି, ଯେପଯ୍ୟର୍ନ୍ତ , ଏହା ଡେଲାହାଉସଙ୍କି ପାଖରେ ଥିଲା, ସେପଯ୍ୟର୍ନ୍ତ ସେ ସୁଖ ଶାନ୍ତି ଲାଭ କରିପାରୁନଥିଲେ ଏବଂ ତାଙ୍କର ପରମ ଅଶାନ୍ତିର କାରଣ ଥିଲା, ଭିକ୍ଟୋରିଆଙ୍କୁ ଉପହାର ଦେବାପରେ ଡେଲାହାଉସି ଶାନ୍ତିରେ ନିଃଶ୍ୱାସ ମାରିବାର ସୁଯୋଗ ପାଇଲେ । ଲଣ୍ଡନର ମହାରାଣୀ ଏଲିଜାବେଥଙ୍କ ନିକଟରେ ମଧ୍ୟ ଏହା ବହୁ ବର୍ଷ ଧରି ରହିଥିଲା ।

ମାଲିକାନା ବିବାଦ[ସମ୍ପାଦନା]

ଭାରତ ଏହା ଉପରେ ନିଜର ଦାବି ଉଠାଇଲା ପରେ ପାକିସ୍ଥାନର ପ୍ରଧାନମନ୍ତ୍ରୀ ଭୁଟ୍ଟୋ ବ୍ରିଟେନ୍ର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏକପତ୍ର ଲେଖି ତହିଁରେ କୋହିନୂର ହୀରା ପାକିସ୍ଥାନର ରାଷ୍ଟ୍ରୀୟ ସଂପତ୍ତି ଦାବି ଉଠାଇଲେ, ତେଣୁ ଏହାକୁ ପାକିସ୍ଥାନକୁ ଫେରାଇ ଦିଆଯାଉ ବୋଲି ଯୁକ୍ତି ବାଢିଲେ । ପାକିସ୍ଥାନ ଏପରି ଦାବି ପରେ ପରେ ବ୍ରିଟେନ, ପାକିସ୍ଥାନ, ଭାରତ, ଇରାନ ତଥା ଆଫଗାନିସ୍ଥାନର ଲୋକ ଇତିହାସର ପୃଷ୍ଠା ଓଲଟାଇ ତା' ଉପରେ ସବିଶେଷ ଅନୁ ସନ୍ଧାନ କରବିାକୁ ଲାଗିଲେ । ସମଗ୍ର ଐତିହାସିକ ଜଗତରେ ଏକଥା ପରିଷ୍କାର ଭାବେ କୁହାଯାଉଛି ଯେ, କୋହିନୂର ହୀରା ଭାରତରେ ଥିବା କୌଣସି ଏକ ଖଣିଗର୍ଭରୁ ମିଳିଥିଲା ଏବଂ ଭାରତୀୟ ରାଜା,ସାମନ୍ତମାନଙ୍କର ଏବଂ ପରବର୍ତ୍ତୀ କାଳରେ ଭାରତୀୟ ଐଶଯ୍ୟ ଲୁଣ୍ଠନକାରୀ ମୋଗଲ ସମ୍ରାଟମାନଙ୍କର ସମ୍ପତ୍ତି ରୂପେ ସେମାନଙ୍କର ହସ୍ତଗତ ହୋଇଥିଲା । କେବଳ ଲୁଣ୍ଠନଫଳରେ ହିଁ ଏହା ଭାରତରୁ ବିଦେଶକୁ ଚାଲିଯାଇଥିଲା । ପରବର୍ତ୍ତୀ କାଳରେ ପୁଣି ଇଂରେଜ ସରକାର ପଞ୍ଜାବ ଜୟକରି ଏହାକୁ ଲୁଣ୍ଠନକରି ନେଇଯାଇଥିଲେ, ଏହା ପ୍ରାୟ କେତେ ଶହ ବର୍ଷ ତଳର କଥା। ପୁଣି ଭାରତକୁ ତଥା ଭାରତୀୟ ସାଂସଦ ପକ୍ଷରୁ କୋହିନୂର ହୀରା ଫେରାଇବା ପାଇଁ କେତେଥର ଅନୁରୋଧ ପତ୍ର ପଠାଯାଇଥିଲା। ଭାରତ ପୂର୍ଣ୍ଣ ସ୍ୱାଧୀନତା ପାଇ ସାରିବା ପରେ ମଧ୍ୟ ସି. ଭି. ରମଣ କହିଥିଲେ ଯେ, ଯେପର୍ଯ୍ୟନ୍ତ କୋହିନୂର ଭାରତକୁ ଫେରାଇ ନ ଦିଆଯାଇଛି, ସେପର୍ଯ୍ୟନ୍ତ ଭାରତ ପୂର୍ଣ୍ଣ ସ୍ୱାଧୀନତା ଲାଭ କରିଛି ବୋଲି କଦାପି ସ୍ୱୀକାର କରାଯାଇ ପାରିବ ନାହିଁ । ପାକିସ୍ଥାନର ଭୁଟ୍ଟୋଙ୍କ ଦାବି ପରେ ପରେ ଇରାନ ମଧ୍ୟ ବ୍ରିଟେନ ପାଖରେ କୋହୀନୂର ପାଇ ନିଜର ଦାବି ଉପସ୍ଥାପିତ କଲା। ତେବେ ଏଠାରେ ଏତିକି ଉଲ୍ଲେଖଯୋଗ୍ୟ ଯେ, କେବଳ ଆଠବର୍ଷ ଇରାନରେ କୋହିନୂର ଥିଲା।

କୋହିନୂର ଉପରେ ଖଣ୍ଡେ ପୁସ୍ତକ ପ୍ରକାଶ ପାଇଥିଲା ଯହିଁରେ ଏହାର ସମସ୍ତ ଐତିହ୍ୟ ଉପରେ ଲେଖାଯାଇଥିଲା ଏବଂ ଏହା ଭାରତର ସଂପତ୍ତି ବୋଲି ମତ ପ୍ରକାଶ ପାଇଥିଲା। ପାକିସ୍ଥାନ କେବଳ ଏ ପ୍ରସଙ୍ଗରେ ତା'ର ଦାବି ଉପସ୍ଥାପିତ କରି କହୁଛି ଯେ, ଇଂରେଜମାନେ ଏହି ହୀରାକୁ ଲାହୋରରେ ଥିବା ଦିଲ୍ଲୀପ ସିଂହଙ୍କ ନିକଟରୁ ନେଇଯାଇଥିଲେ, ଯେହେତୁ ଲାହୋର ବର୍ତ୍ତମାନ ପାକିସ୍ଥାନର ଅନ୍ତର୍ଭୁକ୍ତ, ତେଣୁ କୋହିନୂର ମଧ୍ୟ ପାକିସ୍ଥାନର ସମ୍ପତ୍ତି। କିନ୍ତୁ ବହୁ ପଛକୁ ଫେରିଲେ ଜଣାପଡେ ଯେ, ହୁମାୟୁନଙ୍କ ପୂର୍ବରୁ କୋହିନୂର ହୀରା ଗୋଆଲିୟରର ରାଜା ମହାରାଜାମାନଙ୍କର ସମ୍ପତ୍ତି ଥିଲା। ଦିଲ୍ଲୀ ତଥା ଆଗ୍ରାରେ ମୋଗଲ ସମ୍ରାଟମାନଙ୍କ ନିକଟରେ ପ୍ରାୟ ୨୧୩ ବର୍ଷ ରହିଥିଲା । ପାନିପଥ ଯୁଦ୍ଧରେ ଇବ୍ରାହିମ ଲୋଦିଙ୍କୁ ପରାସ୍ତ କରି ମୋଗଲ ସମ୍ରାଟ ବାବର ଅଧିକୃତ ଗୋଆଲିୟରର ଶାସନ କାର୍ଯ୍ୟ ପରିଚାଳନା କରିବା ନିମିତ୍ତ ହୁମାୟୁନଙ୍କୁ ନିଯୁକ୍ତି କରିଥିଲେ, ପରବର୍ତ୍ତୀ କାଳରେ ଗୋଆଲିୟରର ଶାସନକର୍ତ୍ତା ଏହି ହୀରାକୁ ହୁମାୟୁନଙ୍କ ନିକଟରେ ଭେଟି ସ୍ୱରୂପ ଅର୍ପଣ କରିଥିଲେ । ଏହା ମଧ୍ୟ ଶୁଣାଯାଏ ଯେ ଆଲ୍ଲାଉଦ୍ଦିନ ଖିଲିଜ ମାଲବାରର ଶାସନକର୍ତ୍ତାଙ୍କଠାରୁ ଏହି କୋହିନୂରକୁ ନେଇଯାଇଥିଲେ ଏବଂ ତତ୍ପରବର୍ତ୍ତୀ କାଳରେ ଏହା ମୋଗଲମାନଙ୍କ ନିକଟକୁ ଆସିଲା । ପୁଣି ପରେ ଏହା ଦିଲ୍ଲୀ, ଆଗ୍ରା, ଗୋଆଲିୟର ଏବଂ ମାଲବାରରେ ରହିଥିଲାା ରାଜପୁତମାନଙ୍କ ନିକଟରୁ ଏହା ମୋଗଲମାନଙ୍କ ନିକଟକୁ ଆସିଥିବାର ଯଥେଷ୍ଟ ପ୍ରମାଣ ରହିଛି ।

ପୌରାଣିକ ଓ ଲୋକକଥା[ସମ୍ପାଦନା]

ବହୁ ପୌରାଣିକ କିମ୍ବଦନ୍ତୀରେ ମଧ୍ୟ ଏ ପ୍ରସଙ୍ଗ ଉଲ୍ଲେଖ ରହିଛି। ଗୋଟିଏ କିମ୍ବଦନ୍ତୀ ଅନୁସାରେ ମହାଭାରତର ପ୍ରସିଦ୍ଧ ବୀର ଅଙ୍ଗରାଜ କର୍ଣ୍ଣ ତାଙ୍କର ଦକ୍ଷଣି ବାଜୁ କାନ୍ଧରେ ଏହି କୋହୀନୂରକୁ ଅଳଙ୍କାର ରୂପେ ପରିଧାନ କରୁଥିଲେ । ତାଙ୍କର ମୃତ୍ୟୁ ପରେ ଏହା ମଧ୍ୟ ପ୍ରଦେଶର କୌଣସି ଏକ ଅଞ୍ଚଳକୁ ସ୍ଥାନାନ୍ତରିତ ହୋଇଥିଲା । ଏହି କୋହିନୂରକୁ ଆମର କିମ୍ବଦନ୍ତୀମାନଙ୍କରେ "ସ୍ୟମନ୍ତକ' ମଣି ବୋଲି କୁହାଯାଇଛି । ଆଉ ଏକ ଉପାଖ୍ୟାନରୁ ଜଣାପଡେ ଯେ, ଭଗବାନ ଶ୍ରୀକୃଷ୍ଣ ଜାମ୍ବବାନଙ୍କୁ ଯୁଦ୍ଧରେ ପରାସ୍ତ କରି ଏହା ଲାଭ କରିଥିଲେ । [୫]

ଲୋକକଥାରୁ ଜଣାପଡେ ଯେ, ଏହା ଯାହାର ସମ୍ପତ୍ତି ରୂପେ ରହିବ, ସେ କେବେହେଲେ ସୁନିଦ୍ରାର ସୁଯୋଗ ପାଇପାରିବ ନାହିଁ । ଯେଉଁ ମୋଗଲ ସମ୍ରାଟମାନେ ଏହି ହୀରାର ଅଧିକାରୀ ହୋଇଥିଲେ, ସେମାନଙ୍କ ଜୀବନର ଶେଷଭାଗ ଦୁଃଖ ଓ ସନ୍ତାପରେ ହିଁ ଅତିବାହିତ ହୋଇଥିଲା । ଦିଲ୍ଲୀରେ ମହମ୍ମଦ ଶାହାଙ୍କ ଶାସନ କାଳରେ ନାଦିର ଶାହ ଏହାକୁ ଲୁଣ୍ଠନକରି ଇରାନକୁ ନେଇଯାଇଥିଲେ । ତାଙ୍କ ପରେ ତାଙ୍କର ଜଣେ ସେନାଧୀଶ ଅହମ୍ମଦ ଶାହ ଅବଦୁଲି ଏହାକୁ ଆଫଗାନିସ୍ଥାନରୁ କାନ୍ଦାହାର ନେଇ ଯାଇଥିଲେ । ପରେ ପରେ ଆଫଗାନିସ୍ଥାନରେ ଅରାଜକତା ଘଟିଲା, ଇଂରେଜମାନେ ସେଠାରେ ପହଞ୍ଚିଗଲେ, ଏବଂ ସେଠାକାର ଶାସକ ସୂଜା ପଞ୍ଜାବର ମହାରାଜା ରଣଜିତ ସିଂହଙ୍କ ନିକଟକୁ ଚାଲିଗଲେ। ସୂଜା ରଣଜିତ ସିଂହଙ୍କୁ କୋହିନୂରକୁ ଭେଟି ସ୍ୱରୂପ ପ୍ରଦାନ କରିଥିଲେ । ପରେ ୧୮୪୮ରେ ଏହି ହୀରା ଇଂରେଜମାନଙ୍କଅଧିକାରକୁ ଆସିଲା । ୧୮୫୦ ଜୁନ୍ ୩ରେ ତତ୍କାଳୀନ ଭାରତର ବଡଲାଟ୍ ଡେଲାହାଉସି ମହାରାଣୀ ଭିକ୍ଟୋରିଆଙ୍କୁ ଏହା ଉପହାର ସ୍ୱରୂପ ଲଣ୍ଡନ ପଠାଇ ଦେଇଥିଲେ । ୧୮୫୨ରେ ଏହି ହୀରାର ଆକାରରେ ପରିବର୍ତ୍ତନ କରାଯାଇ ଏହାକୁ ଏକ ଅଣ୍ଡାକାର ରୂପ ଦିଆଗଲା। ବ୍ରିଟେନର ଏପରି କାର୍ଯ୍ୟରେ ବହୁ ଆଲୋଚନା ସମାଲୋଚନା ହେଲା । କୁହାଗଲା ଯେ ,ଏପରି ଏକ ହୀରାଖଣ୍ଡର ବୈଶିଷ୍ଟ୍ୟ ତଥା ଐତିହ୍ୟ ନଷ୍ଟ କରିବା ଅନୁଚିତ ।

ବିରାଟ ପ୍ରଦର୍ଶନୀ[ସମ୍ପାଦନା]

୧୮୫୧ରେ ଲଣ୍ଡନରେ ଏକ ବିରାଟ ପ୍ରଦର୍ଶନୀର ବ୍ୟବସ୍ଥା ହୋଇଥିଲା । ଏହି ପ୍ରଦର୍ଶନୀର ଶ୍ରେଷ୍ଠ ନିଦର୍ଶନ ଥିଲା ଏହି କୋହିନୂର।[୬] ଆଜି ମଧ୍ୟ ଭାରତରେ ଏହି ଅମୂଲ୍ୟ ସମ୍ପଦ, ଲଣ୍ଡନର ବୋଲି ପରିଚିତ । ଓଡ଼ିଶାରେ ବହୁ ଐତିହାସିକ, ଗବେଷକ ସର୍ବଶ୍ରୀ ସୋମନାଥ ଖୁଣ୍ଟିଆ, ଜଗନ୍ନାଥ ପଟ୍ଟନାୟକ କେଦାରନାଥ ଗବେଷଣା ପରିଷଦର ସଭ୍ୟବୃନ୍ଦ ଏ କୋହିନୂର ହୀରାର ଇତିହାସ ଉପରେ ଅନେକ ତଥ୍ୟ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶ କରିଥିଲେ ।


ଆଧାର[ସମ୍ପାଦନା]

  1. "FAQ: Does the Queen own the Royal Collection?". Royal Collection Trust. Retrieved 30 December 2015.
  2. Leela Kohli (30 May 1953). "Fascinating history of world's best diamonds". The Northern Star. Lismore, New South Wales: National Library of Australia. p. 6. Retrieved 31 August 2013.
  3. "Nadir and Mahamad". kohinoordiamond.org. Retrieved 7 February 2016.
  4. Anjana Motihar Chandra (15 July 2008). India Condensed: 5,000 Years of History & Culture. Marshall Cavendish International Asia Pte Ltd. pp. 61–. ISBN 978-981-261-975-4.
  5. Simala Kureishy (26 January 2010). Lore of Love Series: Bismi And The Secret of The Kohinoor. AuthorHouse. pp. 24–. ISBN 978-1-4490-7341-1.
  6. Robert Ellis (1851). The Great Exhibition: Official Descriptive and Illustrated Catalogue. Spicer Brothers. p. 696.

ବାହାର ତଥ୍ୟ[ସମ୍ପାଦନା]