କେଳା

ଉଇକିପିଡ଼ିଆ ରୁ
Jump to navigation Jump to search
ସାପ ଆଗରେ ପଦ୍ମତୋଳା ବଜାଉଥିବା ଏକ କେଳା

କେଳା (ଆହୁରି ମଧ୍ୟ ସାପୁଆ କେଳା, ସାପୁଆ) ‌‌ବିଷଦାନ୍ତ ନ‌ଥିବା ସାପମାନଙ୍କୁ ଖେଳାଇ ଜୀବିକା ନିର୍ବାହ କରୁଥିବା ଓଡ଼ିଶାର ଏକ ଜନଜାତି । ଏହି ଜନଜାତି ମୁଖ୍ୟତଃ ବଣ-ଜଙ୍ଗଲ ତ‌ଥା ଗାଁ ଗ‌ହଳରୁ ସାପମାନଙ୍କୁ ଧରି ସେମାନଙ୍କ ବିଷ ଦାନ୍ତ ଓପାଡ଼ି ସେମାନଙ୍କୁ ପଦ୍ମତୋଳା ଶୁଣାଇ ଖେଳାଇ ଲୋକଙ୍କ ମନୋରଞ୍ଜନ କରିଥାନ୍ତି । ସାପଖେଳ ଦେଖାଇବା ସ‌ହ କେଳା ମାନେ ଗୀତ ଗାଇଥାନ୍ତି ଯାହା କେଳା-କେଲୁଣୀ ଗୀତ ନାମରେ ଜଣା । କେଳା ମାନେ ନାନାଦି ଜଡ଼ିବୁଟି ଔଷଧାଦି ମ‌ଧ୍ୟ ଦେଇଥାନ୍ତି ।[୧]

ସମ୍ଭବତଃ ଏମାନେ କେରଳ ବା ଦକ୍ଷିଣ ଦେଶ ଆଡ଼ୁ ଆସିଥିବାରୁ ଏହିନାମ ।[୨] ଅନାର୍ଯ୍ୟ ଯାଯାବର ଜାତିବିଶେଷ (ଏମାନେ କୁହୁକ ଓ ସାପଖେଳା ଦେଖାନ୍ତ ଓ ଧୂଡ଼ୁକି ବଜାଇ ଗୀତ ବୋଲି ଭିକ ମାଗନ୍ତି ଓ ନଳରେ ଚଢ଼େଇ ଧରନ୍ତି) । କେଳାମାନେ ଭିନ୍ନ ଭିନ୍ନ ଜାତିରେ ବିଭକ୍ତ ଯଥା: ସାପୁଆ ବା ନାଗେଶ୍ଵରିଆ, ଗଉଡ଼ିଆ, ସଭାଖିଆ ବା ମୁଣ୍ଡପୋତା, ନଳୁଆ, ମାଟିଆ, ବାଜୀକରିଆ, ଅଇରୀଗଉଡ଼, ଚାଉଳିଆ କେଳା । କେଲୁଣୀମାନେ ସ୍ତ୍ରୀମାନଙ୍କ ଦେହରେ ଚିତା କୁଟନ୍ତି ଏମାନଙ୍କ କଥା ବଙ୍ଗଳା ଓ ଓଡ଼ିଆ ମିଶା, ଧୁଡ଼ୁକି ବଜାଇ କେଳାଏ ଗୀତ ବୋଲନ୍ତି ଓ କେଲୁଣୀଏ ନାଚନ୍ତି ଏମାନେ ଏକ ସ୍ଥାନରେ ଏକାଦି କ୍ରମେ ବେଶି ଦିନ ରହନ୍ତି ନାହିଁ; ତାଳପତ୍ରରେ କୁଡ଼ିଆ ବାନ୍ଧି ଦଳ ଦଳ ହୋଇ ସ୍ଥାନେ ସ୍ଥାନେ ବସା କରି ରହନ୍ତି ।

ଇତିହାସ[ସମ୍ପାଦନା]

କେଳାଜାତିର ଉତ୍ପତ୍ତି ବିଷୟରେ ବିଶେଷ କିଛି ଐତିହାସିକ ତଥ୍ୟ ମିଳେ ନାହିଁ । କିନ୍ତୁ 'କେଳା' ନାମକରଣରୁ କଳା ଜାଣିଥିବା ସଂପ୍ରଦାୟକୁ କେଳା ନାମରେ ନାମିତ ହେବା ଅନୁମାନ କରାଯାଏ । ବିଭିନ୍ନ ପ୍ରକାର କଳା-ଚାତୁରୀ ଦେଖାଇ ସାଧାରଣ ମଣିଷକୁ ଚମତ୍‌କୃତ କରାଇବା ପାଇଁ କେଳା ଜାତିର ଉତ୍ପତ୍ତି । କେଳାର ଅର୍ଥ କଳାକାର । ଏମାନେ ବିଭିନ୍ନ ଜାତିରେ ବିଭକ୍ତ ଯଥା - ସାପୁଆ, ନାଗେଶ୍ୱରିଆ, ଗଉଡ଼ିଆ, ସଭାଖିଆ(ସବାଖିଆ), ମୁଣ୍ଡପୋତା, ନଳୁଆ, ମାଟିଆ, ବାଜୀକରିଆ, ଅଇରୀଗଉଡ଼, ଚାଉଳିଆ କେଳା ।

ଅନ୍ୟାନ୍ୟ କେଳାଙ୍କ ଅପେକ୍ଷା ସାପୁଆ କେଳାର ଜୀବନ ଶୈଳୀ ନିଆରା । ଏହି ଜାତୀୟ କେଳା ସାପ ଧରି ଓ ସାପ ଖେଳାଇ ଜୀବିକା ନିର୍ବାହ କରନ୍ତି । ସେମାନେ ନିଜକୁ "ମାଙ୍ଗତା ଜାତି" ଏବଂ ଅନ୍ୟ ସବୁ ଜାତିକୁ "କାଜୁଆ ଜାତି" ଭାବରେ ଅଭିହିତ କରିଥାନ୍ତି । 'ମାଙ୍ଗତା' ଭିକମାଗି ଓ 'କାଜୁଆ' କାମ କରି ନିଜର ଜୀବିକା ନିର୍ବାହ କରନ୍ତି ।

ପଶ୍ଚିମ ବଙ୍ଗରେ ଅନେକ ଦିନ ଧରି ଆହିରୀ-ଗଉଡ଼ ରୂପେ ସବର୍ଣ୍ଣ ଜାତିଭାବରେ ଏମାନେ ଥିଲେ । ସେତେବେଳେ ସେମାନଙ୍କ ମୁଖ୍ୟ ବ୍ୟବସାୟ ଥିଲା "ଭାନୁମତୀ ପେଡ଼ିର ଷୋଳ କଣ୍ଢେଇ ନାଚ ।" ଶ୍ରୀକୃଷ୍ଣଙ୍କ ଲୀଳାକୁ କଣ୍ଢେଇ ସାହାଯ୍ୟରେ ପ୍ରଦର୍ଶନ କରି ନିଜର ଜୀବିକା ନିର୍ବାହ କରୁଥିଲେ । ନିଜର ବେଉଷା ଯୋଗୁଁ ଗାଁ ଗଣ୍ଡା, ସହର ବଜାର ବୁଲି ଯାଯାବର ଜୀବନ ବିତାଉଥିଲେ ।

୧୮୬୬-୬୭ ମସିହାରେ ଓଡ଼ିଶା ପରି ମେଦିନୀପୁରରେ ମଧ୍ୟ ଦୁର୍ଭିକ୍ଷ ପଡ଼ିଥିଲା । ଖାଦ୍ୟ ଅନ୍ୱେଷଣରେ ମେଦିନୀପୁରର ସେହି ଯାଯାବର ଆହିରୀ-ଗଉଡ଼ ସେତେବେଳେ ଓଡ଼ିଶା ଚାଲିଆସିଥିଲେ । ଓଡ଼ିଶାର ତତ୍‌କାଳୀନ ରାଜଧାନୀ କଟକର ୮ମାଇଲ ଦକ୍ଷିଣ ଦିଗରେ ପ୍ରାଚୀନ ସାରଙ୍ଗଗଡ଼ର ଦକ୍ଷିଣରେ ମାତ୍ର ୨ ମାଇଲ ଦୂରରେ ପଟିଆ ଗଡ଼ ଅବସ୍ଥିତ । ସେହି ଗଡ଼ର ସେତେବେଳର ରାଜା ତୃତୀୟ ଦିବ୍ୟସିଂହ ଦେବଙ୍କ ଅନୁମତିରେ ରାଜବାଟୀର ଦକ୍ଷିଣ ଦିଗରେ ଚନ୍ଦ୍ରଶେଖରପୁରଠାରେ ଆମ୍ବବଗିଚାରେ ଝାଟିମାଟିର କୁଡ଼ିଆମାନ ତିଆରି କରି ସେମାନେ ବିନା ଖଜଣାରେ ରହିଲେ । ସେହି ଘରଗୁଡ଼ିକୁ କେଳା କୁଡ଼ିଆ ବା ପଟିଆର କେଳା ସାହି ରୂପେ ନାମିତ ହେଲା । ନିଜର ବୃତ୍ତି ଭାନୁମତୀ-ପେଡ଼ିଦ୍ୱାରା ଶ୍ରୀକୃଷ୍ଣଙ୍କ ଲୀଳା ପରିବେଷଣ କରି ସେମାନେ ପେଟ ପୋଷିବାକୁ ଲାଗିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସାପ ଧରି ଖେଳାଇବାକୁ ନିଜର ଜୀବିକା ଭାବରେ ଧରିନେଲେ । ଫଳରେ ସେମାନେ ସାପୁଆ-କେଳା ନାମରେ ନାମିତ ହେଲା ।

ସମୟକ୍ରମେ ପଟିଆର ରାଜ ଶାସନ ଚାଲିଗଲା । ଏଣୁ କନିକାର ଜମିଦାର ପଟିଆର ଜମିଦାରୀ ନିଲାମ ନେଇ ଜମିଦାରୀ ଶାସନ ଚଳାଇଲେ । ଶୈଳେନ୍ଦ୍ର ନାରାୟଣ ଭଞ୍ଜ ୧୯୫୦ ମସିହାରେ ପଟିଆ-ଗଡ଼ର ଉତ୍ତର ପୂର୍ବ ଦିଗରେ ଏକ ବିସ୍ତୀର୍ଣ୍ଣ ଟାଙ୍ଗୀରେ ପ୍ରତ୍ୟେକ କେଳା ପରିବାରକୁ ୫ ଡେସିମିଲ୍ ଲେଖାଁଏ ଜାଗା ଦେଇ ସ୍ଥାୟୀ ବାସିନ୍ଦାଭାବରେ ରଖାଇଲେ । ସେହି ନୂତନ କେଳା ସାହିର ନାମ ଦିଆଗଲା 'ପଦ୍ମକେଶରୀପୁର' । ଏହା ନୂତନ ରାଜଧାନୀ ଭୁବନେଶ୍ୱରଠାରୁ ୮ କିଲୋମିଟର ଉତ୍ତର-ପୂର୍ବରେ ପଟିଆ ରେଳଷ୍ଟେସନ ନିକଟରେ ଅବସ୍ଥିତ ।[୩]

ସାପୁଆ କେଳା ସମାଜର ନିୟମକାନୁନ[ସମ୍ପାଦନା]

ଅତୀତରେ ରାଜଶାସନ କାଳରେ ରାଜାଙ୍କଦ୍ୱାରା ଶାଢ଼ୀ ପାଇଥିବା 'ବେହେରା' ସାପୁଆ କେଳା ଜାତିର ରାଜା ଭାବେ ପରିଗଣିତ ହେଉଥିଲେ । ତାଙ୍କ କହିବା କଥାକୁ ଆଇନ ଭାବେ ବାକି ସମସ୍ତେ ମାନୁଥିଲେ । ଅବଜ୍ଞା କଲେ ଆର୍ଥିକ ଦଣ୍ଡ ଦେବା କିମ୍ବା ଜାତିରୁ ବାଛନ୍ଦ ହେବାକୁ ପଡୁଥିଲା ।[୪]

ଜୀବିକା[ସମ୍ପାଦନା]

କେଳା ମୁଖ୍ୟତଃ ସାପ ଖେଳ ଦେଖାଇ ଜୀବିକା ନିର୍ବାହ କରେ । କେଲୁଣୀ ଚିତା କୁଟାଇ ଏବଂ ସେମାନଙ୍କ ପିଲାମାନେ ବିଭିନ୍ନ ଖେଳ କସରତ ଦେଖାଇ ଗୁଜୁରାଣ ମେଣ୍ଟାଇଥାଆନ୍ତି ।

ସାପଖେଳ[ସମ୍ପାଦନା]

କେଳା ପେଡ଼ିରୁ ସାପଟି ଆଣି ତଳେ ଛାଡ଼ିଦିଏ । ବାଁ ହାତରେ ସାପର ଲାଞ୍ଜକୁ ଧରି ଡାହାଣ ହାତରେ ଡମ୍ବରୁ ବଜାଏ । ଡମ୍ବରୁ ଶବ୍ଦ ଶୁଣି ସାପ ନିଜର ଫଣା ଟେକି ରୁହେ । କେଳା ପଦ୍ମତୋଳା ବୋଲେ:


କଂସରଘରଣୀ ପଦ୍ମାବତୀ ରାଣୀ
     ସେ କଲେ ଧନନ୍ତିରି ଓଷା
ଲକ୍ଷେ ଭାର ପଦ୍ମ ଦେବୁ କି କହ୍ନାଇ
      ନଥିବ ପାଖୁଡ଼ା ମିଶା
       କି ଗୋବିନ୍ଦ ହରେ ।
ନେତେଇ ଧୋବଣୀ ସୁକୁଟୀ ଚମାରୁଣୀ
    ବାଙ୍କି କେଉଟୁଣୀ ପତ୍ର ସଉରୁଣୀ
ଚାରି ଗୁରୁସର୍ପ ଖେଳାଉଛି ତୋତେ
      କି ଗୋବିନ୍ଦ ହରେ ।
ମାତା ଗୋ ଯଶୋବନ୍ତୀ ଗୋପରେ ଜାତ ହେଲେ
        ଶତ୍ରୁକୁ କେମନ୍ତେ ମାରିବା
           କି ଗୋବିନ୍ଦ ହରେ ।
ମଞ୍ଚାରୁ ପଡ଼ି ମାମୁଁ ମଲା
   ମୋତେ ତ ଦଇବ ରଖିଲା
ମାମୁଁର ଲାଗି ମାଇଁ କାନ୍ଦୁଛୁ କାହିଁ ପାଇଁ
         ମାମୁଁର ବଦଳି ମୁହିଁ
         କି ଗୋବିନ୍ଦ ହରେ
କଂସରଘରଣୀ ପଦ୍ମାବତୀ ରାଣୀ
      ସେ କଲେ ଧନନ୍ତିରି ଓଷା
ଆ .............. ଆ .......................
ଲକ୍ଷେ ଭାର ପଦ୍ମ ଦେବୁ କି କହ୍ନାଇ
         ନଥିବ ପାଖୁଡ଼ା ମିଶା
          କି ଗୋବିନ୍ଦ ହରେ ।
...........................ଇତ୍ୟାଦି ଇତ୍ୟାଦି ।

ପ୍ରକୃତରେ ସାପ କେଳାର ପଦ୍ମତୋଳାକୁ ଶୁଣେନାହିଁ । କାରଣ ତା'ର କାନ ନାହିଁ । ସେ ଖାଲି କେଳାର ହାତର ଡମ୍ବରୁକୁ ଲକ୍ଷ୍ୟ କରି ମୁଣ୍ଡ ହଲାଇ ଥାଏ । ବେଳେ ବେଳେ ସେ ଅନ୍ୟମନସ୍କ ହୋଇ ଅନ୍ୟ ଆଡକୁ ଚାଲିଯାଏ । ସେହି ସମୟରେ କେଳା ବାଁ ହାତରେ ତା' ଲାଞ୍ଜକୁ ଟାଣି ଆଣେ । ଫଳରେ ସାପ ପୁନର୍ବାର ଫଣା ଟେକି ଖେଳେ ।

ସାପର ବିଷଦାନ୍ତକୁ କେଳା ପ୍ରତିମାସରେ କାଟିଦିଏ । ଏଣୁ ସାପ ଚୋଟ ମାରିଲେ କେଳାର କିଛି କ୍ଷତିହୁଏ ନାହିଁ ।[୫]

ଆଧାର[ସମ୍ପାଦନା]

  1. Kamal Kant Misra; Janet Huber Lowry (୧ January ୨୦୦୭). Recent studies on Indian women: empirical work of social scientists. Rawat Publications. ISBN ୯୭୮-୮୧-୩୧୬-୦୦୪୯-୮. Retrieved ୨୦ June ୨୦୧୩. 
  2. ପ୍ରହରାଜ, ଗୋପାଳ ଚନ୍ଦ୍ର. "ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ". dsalsrv02.uchicago.edu. Retrieved 21 June 2013. ସମ୍ଭବତଃ ଏମାନେ କେରଳ ବା ଦକ୍ଷିଣ ଦେଶ ଆଡ଼ୁ ଆସିଥିବାରୁ ଏହିନାମ 
  3. ପିଲାଙ୍କ ଭାଷା ଓ ସାହିତ୍ୟ -ପଞ୍ଚମ ଭାଗ, ପୁସ୍ତକ ମନ୍ଦିର ପ୍ରା:ଲି:, ପୃଷ୍ଠା-୭୬-୭୭
  4. ପିଲାଙ୍କ ଭାଷା ଓ ସାହିତ୍ୟ -ପଞ୍ଚମ ଭାଗ, ପୁସ୍ତକ ମନ୍ଦିର ପ୍ରା:ଲି:, ପୃଷ୍ଠା-୭୮
  5. ପିଲାଙ୍କ ଭାଷା ଓ ସାହିତ୍ୟ -ପଞ୍ଚମ ଭାଗ, ପୁସ୍ତକ ମନ୍ଦିର ପ୍ରା:ଲି:, ପୃଷ୍ଠା-୭୮-୭୯