Jump to content

କାଶ୍ମୀର ବିବାଦ

ଉଇକିପିଡ଼ିଆ‌ରୁ

ଭାରତ ଓ ପାକିସ୍ଥାନ ମଧ୍ୟରେ କାଶ୍ମୀର ବିବାଦ ୧୯୪୭ ମସିହାରୁ ଆରମ୍ଭ ହୋଇଥିବା ଏକ ଆଭ୍ୟନ୍ତରୀଣ ବିବାଦ । ଧାର୍ମିକ ଆଧାରରେ ଭାରତୀୟ ଉପମହାଦେଶର ବିଭାଜନ ଫଳରେ ଭାରତ ଏବଂ ପାକିସ୍ଥାନ ଗଠନ ହୋଇଥିଲା । ଅବଶ୍ୟ, ଭାରତ ବିଭାଜନର ସିଦ୍ଧାନ୍ତ ଅନୁସାରେ ଦୁଇଟି ନୂତନ ଦେଶ ମଧ୍ୟରେ ରହିଥିବା ୬୫୦ରୁ ଅଧିକ ଗଡଜାତ ରାଜ୍ୟର ଶାସକମାନଙ୍କ ପାଇଁ ସେମାନେ କେଉଁ ଦେଶରେ ଯୋଗ ଦେବେ ତାହା ସେମାନଙ୍କ ଅଧିକାରଭୁକ୍ତ ଥିଲା । ଏପରିକି ସେମାନେ ଚାହିଁଲେ ସ୍ୱାଧୀନ ମଧ୍ୟ ରହିପାରିବେ ଏଭଳି ସର୍ତ୍ତରେ ବ୍ରିଟିଶଦ୍ୱାରା ଭାରତର ବିଭାଜନ କରାଯାଇଥିଲା । ତେବେ ବାସ୍ତବ କ୍ଷେତ୍ରରେ ଲୋକମାନେ ବ୍ରିଟିଶ ଶାସନରୁ ମୁକ୍ତି ପାଇଁ ଏହି ସ୍ୱାଧୀନତା ସଂଗ୍ରାମର ଅନ୍ତିମ ଅଧ୍ୟାୟରେ ଚାହୁଁ ନ ଥିଲେ ଯେ କିଛି ଗଡଜାତ ରାଜା ସେମାନଙ୍କୁ ଶାସନ କରନ୍ତୁ । ଅପର ପକ୍ଷରେ କାଶ୍ମୀରର ଭୌଗୋଳିକ ଅବସ୍ଥାନ ହେତୁ କାଶ୍ମୀର, ଭାରତ କିମ୍ବା ପାକିସ୍ତାନରେ ଯୋଗଦେବାକୁ ବାଛିବା ପାଇଁ ସ୍ୱାଧୀନ ଥିଲା । କାଶ୍ମୀରର ଶାସକ ମହାରାଜା ହରି ସିଂ ହିନ୍ଦୁ ହୋଇଥିବାବେଳେ ତାଙ୍କର ଅଧିକାଂଶ ଅଧିବାସୀ ମୁସଲମାନ ଥିଲେ । କାଶ୍ମୀର କେଉଁ ରାଷ୍ଟ୍ରରେ ଯୋଗଦେବା ଉଚିତ୍ ତାହା ସ୍ଥିର କରିବାରେ ଅସମର୍ଥ ହରି ସିଂ ନିରପେକ୍ଷ ରହିବାକୁ ବାଛିଥିଲେ । କାଶ୍ମୀରର ମହାରାଜା ହରି ସିଂ ପ୍ରଥମେ ଭାବିନେଲେ ଯେ ସେ ତାଙ୍କ ନିଷ୍ପତ୍ତିରେ ବିଳମ୍ବ କରି ସେ କାଶ୍ମୀରର ସ୍ୱାଧୀନତା ବଜାୟ ରଖିପାରିବେ । କିନ୍ତୁ ଏକ ଘଟଣାଚକ୍ରରେ ସେତେବେଳେ ରାଜ୍ୟର ପଶ୍ଚିମ ସୀମାରେ ରହୁଥିବା ମୁସଲମାନ ଅଧିବାସୀମାନଙ୍କ ମଧ୍ୟରେ ଏକ ଅସନ୍ତୋଷ ଭରି ରହିଥିଲା । ଏହାର ସୂଯୋଗ ନେଇ ପାକିସ୍ଥାନ ମୁସଲମାନ ଆଦୀବାସୀଙ୍କଦ୍ୱାରା ଶ୍ରୀନଗର ଉପରେ ଆକ୍ରମଣ କରି କାଶ୍ମୀର ଅଧୀକାର ନିମନ୍ତେ ଷଡଯନ୍ତ୍ର ଆରମ୍ଭ କରିଦେଇଥିଲା । ହରି ସିଂ ସାମରିକ ସହାୟତା ପାଇଁ ଭାରତ ସରକାରଙ୍କୁ ନିବେଦନ କରି ଭାରତକୁ ପଳାଇଥିଲେ । କାଶ୍ମୀରର ସମ୍ଭାବ୍ୟ ପରାଜୟକୁ ଆଖି ଆଗରେ ରଖି କାଶ୍ମୀରର ତତ୍କାଳୀନ ରାଜା ହରି ସିଂହ ଅକ୍ଟୋବର ୧୯୪୭ରେ ଭାରତୀୟ ୟୁନିଅନସହ ଏକ ଚୁକ୍ତି (ଇନଷ୍ଟ୍ରୁମେଣ୍ଟ ଅଫ୍ ଆକ୍ସେସନ୍)ସ୍ୱାକ୍ଷଋ କରିଥିଲେ ଯେଉଁଥିରେ ସେ ଭାରତ ସହ ରହିବା ନିମନ୍ତେ କାଶ୍ମୀରବାସୀଙ୍କ ଇଚ୍ଛା ପ୍ରକଟ କରିଥିଲେ । ରାଜା ହରି ସିଂହଙ୍କଦ୍ୱାରା ଭାରତ ସହ କାଶ୍ମୀରର ମିଶ୍ରଣ ପାଇଁ ଏହି ଚୁକ୍ତିନାମା ୨୬ ଅକ୍ଟୋବର ୧୯୪୭ ଦିନ ସ୍ୱାକ୍ଷରିତ ହୋଇଥିଲା ଏବଂ ୨୭ ଅକ୍ଟୋବର ଦିନ ରାଜ୍ୟପାଳ ଜେନେରାଲ୍ ମାଉଣ୍ଟବ୍ୟାଟେନ୍ ଏହାକୁ ଅନୁମୋଦନ ମଧ୍ୟ କରିସାରିଥିଲେ । ଏହି ଚୁକ୍ତି ସ୍ୱାକ୍ଷଋ ପରେ ଭାରତୀୟ ସୈନ୍ୟ କାଶ୍ମୀରର ମୁକ୍ତି ନିମନ୍ତେ ଅଗ୍ରସର ହେଲେ । ପାକିସ୍ତାନ ମଧ୍ୟ ଏହି ସନ୍ଧି କ୍ଷଣରେ କାଶ୍ମୀର ଅଧୀକାର କରିନେବାକୁ ଯୋଜନା କରି ସୈନ୍ୟ ପ୍ରେରଣ କରିସାରିଥିଲା । ଫଳରେ, ୧୯୪୭-୪୮ ମସିହାରେ ଭାରତ ଏବଂ ପାକିସ୍ତାନୀ ସେନା କାଶ୍ମୀର ଅଧୀକାର ନିମନ୍ତେ ପ୍ରଥମ ଯୁଦ୍ଧ କରିଥିଲେ । ଜାନୁଆରୀ ୧ରେ ଭାରତ ଏହି ବିବାଦକୁ ମିଳିତ ଜାତିସଂଘକୁ ପଠାଇଥିଲା । ଅଗଷ୍ଟ ୧୩, ୧୯୪୮ରେ ହୋଇଥିବା ଏକ ଘୋଷଣାନାମାରେ ଜାତିସଂଘ ପାକିସ୍ତାନକୁ ନିଜର ସୈନ୍ୟ ହଟାଇବାକୁ କହିଲା । ଏହା ପରେ ଭାରତକୁ ମଧ୍ୟ ଏହାର ବହୁ ଅଂଶରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ପଡିଥିଲା । ଏହାପରେ ଉଭୟ ଦେଶର ସମ୍ମତି କ୍ରମେ କାଶ୍ମୀରରେ ଏକ ମୁକ୍ତ ଏବଂ ନିରପେକ୍ଷ ଜନମତ ସର୍ଭେ କରାଯାଇ ବହୁମତ କ୍ରମେ କାଶ୍ମୀରବାସୀଙ୍କ ସମ୍ମତି ଆଧାରରେ ପରବର୍ତ୍ତୀ ନିର୍ଣ୍ନୟ ନେବାର ସ୍ଥିର ହେଲା ।[୧]

ଭାରତ-ମିଶ୍ରଣ ଚିଠିର ବ୍ଲୁ ପ୍ରିଣ୍ଟ ଠିକ୍ ସେହିପରି ଥିଲା ଯେଉଁଥିରେ ଭାରତରେ ଯୋଗ ଦେଇଥିବା ଅନ୍ୟ ଶହ ଶହ ଗଡଜାତ ରାଜ୍ୟ ସେମାନଙ୍କ ରାଜ୍ୟଗୁଡ଼ିକୁ ଭାରତରେ ଅନ୍ତର୍ଭୁକ୍ତ କରିଥିଲେ । ଗଡଜାତ ରାଜ୍ୟ ଗୁଡିକର ମିଶ୍ରଣ ପାଇଁ କୌଣସି ସର୍ତ୍ତ କିମ୍ବା ଚାହିଦା ନ ଥିଲା । ଏହି ଆଇନଗତ ଦସ୍ତାବିଜରେ ଦସ୍ତଖତ ହେବା ମାତ୍ରେ ପାକିସ୍ତାନର ବେଆଇନ ଭାବେ ଅଧିକୃତ ଅଞ୍ଚଳ ସମେତ ସମଗ୍ର ଜାମ୍ମୁ କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଗଲା । ତେବେ ଯେଉଁଭଳି ଭାବେ ପାକିସ୍ଥାନଦ୍ୱାରା କାଶ୍ମୀରର ଅର୍ଦ୍ଧେକ କବଜା କରାଯାଇଥିଲା, ତାହା କାଶ୍ମୀର ସମସ୍ୟା ନାମରେ ଅଦ୍ୟାପି ଉଭୟ ଦେଶପାଇଁ ଏକ ଅସମାହିତ ସମସ୍ୟା ହୋଇ ରହିଛି ।

ଏହା ଉପରେ ପାକିସ୍ତାନ ତିନିଥର ଭାରତ ଉପରେ ଆକ୍ରମଣ କରିଥିଲା ​​ଏବଂ ତିନିଥର ସେ ଶୋଚନୀୟ ଭାବରେ ପରାସ୍ତ ହୋଇଥିଲା । ୧୯୭୧ ଯୁଦ୍ଧରେ ଭାରତ ପାକିସ୍ତାନୀ ସେନାକୁ ଇସଲାମାବାଦ ପର୍ଯ୍ୟନ୍ତ ଭଉଡାଇ ନେଇଯାଇଥିଲେ ଏବଂ ପାକିସ୍ଥାନକୁ ପରାସ୍ତ କଲା ।

ସାଂପ୍ରତିକ ପରିବର୍ତ୍ତନ[ସମ୍ପାଦନା]

୫ ଅଗଷ୍ଟ ୨୦୧୯ ରେ, ଭାରତ ସରକାର ଜାମ୍ମୁ-କାଶ୍ମୀରକୁ ଭାରତୀୟ ସମ୍ବିଧାନର ଧାରା ୩୭୦ ଅନୁଯାୟୀ ଦିଆଯାଇଥିବା ସ୍ୱତନ୍ତ୍ର ମାନ୍ୟତା ବା ସୀମିତ ସ୍ୱାଧୀନତାକୁ ପ୍ରତ୍ୟାହାର କରିନେଇଛନ୍ତି ।[୨]

ପ୍ରମୁଖ ଘଟଣାବଳୀର କ୍ରମ[ସମ୍ପାଦନା]

  1. ଜୁଲାଇ ୨୭, ୨୦୧୯: ଆତଙ୍କବାଦୀ କାର୍ଯ୍ୟକଳାପର ଦମନ ତଥା ଶାନ୍ତି ଶୃଙ୍ଖଳା ବଜାୟ ରଖିବା ନିମିତ୍ତ ଜମ୍ମୁ-କଶ୍ମୀରରେ ୧୦୦ଟି ଅତିରିକ୍ତ ସୁରକ୍ଷା ବାହିନୀର ମୁତୟନ ପାଇଁ ଗୃହ ମନ୍ତ୍ରଣାଳୟ ଅନୁମୋଦନ ପ୍ରଦାନ କରେ ।
  2. ଅଗଷ୍ଟ ୨, ୨୦୧୯: ପର୍ଯ୍ୟଟକ ଏବଂ ଅମରନାଥ ତୀର୍ଥଯାତ୍ରୀମାନଙ୍କୁ “ଜାମ୍ମୁ କାଶ୍ମୀରରେ ନ ରହିବା” ପାଇଁ ନିର୍ଦ୍ଦେଶ ଦିଆଯାଏ । କାରଣ ଭାବେ କୁହାଯାଏ ଯେ ପାକିସ୍ତାନୀ ସେନା ଏବଂ ଆତଙ୍କବାଦୀମାନେ ହିଂସା ଘଟାଇବାକୁ ଯୋଜନା କରୁଛନ୍ତି ଏବଂ ନିକଟରେ ଏହି ଯାତ୍ରାକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଛନ୍ତି ।
  3. ଅଗଷ୍ଟ ୪ ମଧ୍ୟରାତ୍ରିରୁ ଶ୍ରୀନଗର ଜିଲ୍ଲାରେ ଫୌଜଦାରୀ ଦଣ୍ଡବିଧି ଆଇନର ଧାରା ୧୪୪ ଲାଗୁ କରାଯାଏ । ପର୍ଯ୍ୟାୟକ୍ରମେ କାଶ୍ମୀର ଉପତ୍ୟକାର ସମସ୍ତ ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ କରାଯାଏ । ନ୍ୟାସନାଲ କନଫରେନ୍ସ ଉପ-ସଭାପତି ଓମାର ଅବଦୁଲ୍ଲା ଏବଂ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି ସଭାପତି ମେହବୁବା ମୁଫତିଙ୍କୁ ଗିରଫ କରାଯାଏ ।
  4. ଅଗଷ୍ଟ ୫, ୨୦୧୯: ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ର ବ୍ୟବସ୍ଥାକୁ ହଟାଇବା ପାଇଁ ଏକ ଉପସ୍ଥାପିତ ଏକ ସଂକଳ୍ପ ଅନୁସାରେ ଗୃହମନ୍ତ୍ରୀ ଅମିତ ଶାହା ଜାମ୍ମୁ କାଶ୍ମୀରକୁ ଦୁଇ ଭାଗ କରି ଲଦାଖ ଏବଂ ଜାମ୍ମୁ କାଶ୍ମୀର ଭାବେ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିବା ପାଇଁ ଏକ ବିଲ୍ ଆଗତ କରନ୍ତି ।[୩]
  5. ଅଗଷ୍ଟ ୫, ୨୦୧୯:ରାଜ୍ୟସଭାରେ ଏହି ବିଲ୍ ୧୨୫ ସପକ୍ଷ ଭୋଟ ଏବଂ ୬୧ଟି ବିପକ୍ଷ ଭୋଟ ପାଇ ପାରିତ ହୋଇଥିଲା ।[୪]
  6. ଅଗଷ୍ଟ ୬, ୨୦୧୯: ଲୋକ ସଭାରେ ଏହି ବିଲ୍ ୩୫୧ ସପକ୍ଷ ଭୋଟ ଏବଂ ୭୨ ବିପକ୍ଷ ଭୋଟ ପାଇ ବହୁମତରେ ପାରିତ ହୋଇଥିଲା ।[୫]
  7. ଅଗଷ୍ଟ ୯, ୨୦୨୦: ଧାରା ୩୭୦ ଉତ୍ସେଦ ସମ୍ପର୍କିତ ବିଲ୍ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱୀକୃତି ଲାଭ କରି ଆଇନରେ ପରିଣତ ହେଲା ।[୬]

ରାଜନୈତିକ ପ୍ରଭାବ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "A brief history of the Kashmir conflict". www.telegraph.co.uk. 24 September 2001. Retrieved 8 March 2020.
  2. "India revokes Kashmir's special status". www.aljazeera.com (in ଇଂରାଜୀ). Retrieved 7 October 2020.
  3. Desk, The Hindu Net (5 August 2019). "Jammu and Kashmir: A timeline of recent events". The Hindu (in Indian English). Retrieved 8 October 2020.
  4. Das, Shaswati (5 August 2019). "Rajya Sabha passes J&K Reorganisation Bill, scraps Articles 370, 35A". mint (in ଇଂରାଜୀ). Retrieved 8 October 2020.
  5. "Lok Sabha Passes J&K Reorganisation Bill, Resolution to Revoke Article 370". The Wire. Retrieved 8 October 2020.
  6. "Art 370 Abrogated: President Kovind gives his assent to J&K Reorganisation Bill 2019". DNA India (in ଇଂରାଜୀ). 9 August 2019. Retrieved 8 October 2020.

ଅଧିକ ତଥ୍ୟ[ସମ୍ପାଦନା]