କାର୍ତ୍ତିକ ବ୍ରତ

ଉଇକିପିଡ଼ିଆ‌ରୁ

ଶିବପୁତ୍ର କାର୍ତ୍ତିକେୟଙ୍କ ଗୁଣ କୀର୍ତ୍ତି ସମ୍ପୂର୍ଣ୍ଣ ଅଲଗା ବୋଲି ତାଙ୍କ ନାମ ଅନୁସାରେ କାର୍ତ୍ତିକ ମାସର ପ୍ରଚଳନ ଅଛି। କାରଣ ଶିବ ପାର୍ବତୀଙ୍କ ଔରସରୁ ଜାତ ପୁତ୍ର ହିଁ ତାରକାସୁରକୁ ନିଧନ କରିବ୤ ଶିବ ପାର୍ବତୀଙ୍କ ବିବାହ ପରେ ଶୃଙ୍ଗାର ସମୟରେ ସେଠାରେ ବିଷ୍ଣୁ ପହଞ୍ଚିବା କ୍ଷଣି ମା’ ପାର୍ବତୀ ଅତ୍ୟନ୍ତ ଲଜ୍ଜିତ ହୋଇ ବିଷ୍ଣୁଙ୍କୁ ଅଶ୍ୱତ୍‌‌ଥ ବୃକ୍ଷ ଓ ଶିବଙ୍କୁ ବଟବୃକ୍ଷ ହୁଅ ବୋଲି ଅଭିଶାପ ଦେଲେ। ଏଣେ ଶିବଙ୍କର ରେତ ସ୍ଖଳନ ହେବା କ୍ଷଣି ଗଙ୍ଗାନଦୀ ତାକୁ ବହନ କରିନେବା ସମୟରେ କୃତ୍ତିକାଦି ଷଢ଼ ଦେବକନ୍ୟା ଗଙ୍ଗାରେ ସ୍ନାନ ସମୟରେ ସେମାନଙ୍କ ମୁଖରେ ରେତ ସ୍ଥାପନ ହେବାରୁ ସେମାନେ ଅନ୍ତସତ୍ତ୍ୱା ହେଲେ ଏବଂ ସେମାନଙ୍କଠାରୁ ଷଡ ମୁଖଧାରୀ କାର୍ତ୍ତିକେୟଙ୍କର ଜନ୍ମ ଶିବପାର୍ବତୀଙ୍କ ଅଗୋଚରରେ ସ୍ୱର୍ଗରେ ହେଲା। ସେ ବଡ଼ ହୋଇ ସ୍ୱର୍ଗରେ ଦେବତାଙ୍କ ସେନାପତି ହୋଇ ବ୍ରହ୍ମଚାରୀ ଜୀବନ କଟାଇଥିଲେ ଓ ମୟୁର ଯିଏକି ଆଜନ୍ମ ବ୍ରହ୍ମଚାରୀ ତାଙ୍କର ବାହାନ ହୋଇ ତାରକାସୁରକୁ ହତ୍ୟା କରିଥିଲେ। କାର୍ତ୍ତିକ ମାହାତ୍ମ୍ୟ ଅନୁସାରେ ତିନିପତ୍ନି ଥିବା ଦେବଦତ୍ତ ନାମକ ଜଣେ କର୍ତ୍ତବ୍ୟ ଓ ଧର୍ମନିଷ୍ଠ ବ୍ରାହ୍ମଣ କାବ୍ୟକୁବ୍‌ଜରେ ଜନ୍ମଗ୍ରହଣ କରିଥିଲେ। ପ୍ରତ୍ୟେକ ବର୍ଷ କାର୍ତ୍ତିକ ବ୍ରତ ନିଷ୍ଠାର ସହ ପାଳନ କରୁଥିଲେ ୤ ଦିନେ ସେ ସକାଳୁ ଗଙ୍ଗାରେ ସ୍ନାନ ପରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ଗଡୁରେ ଥିବା ତୁଳସୀ ଜଳକୁ ନେଇ ଅଶ୍ୱତ୍‌‌ଥ ବୃକ୍ଷ ମୂଳରେ ଢ଼ାଳି କିଛି ଜଳ ସେଥିରୁ ସେ ବୃକ୍ଷ ଉପରେ ସିଞ୍ଚି ଦେବା କ୍ଷଣି ଗୋଟିଏ ପିଶାଚିନୀ ମୁକ୍ତି ପାଇ ସୁନ୍ଦର ଯୁବତୀ ରୂପରେ ତାଙ୍କ ସମ୍ମୁଖରେ ଠିଆ ହେଲା ଓ ପ୍ରଣାମ ଜଣାଇ କହିଲା, ‘ହେ ବ୍ରାହ୍ମଣ ଦେବତା ଆପଣ ମୋତେ ଜୀବଦାନ ଦେଇ ମୋର ପିତା ହେଲେ’। ଦେବଦତ୍ତ ଚକିତ ହେଲେ ଓ ପିତୃହୃଦୟ କରୁଣାରେ ତରଳି ଗଲା । ସେ ନିଜର ସଞ୍ଚିତ ପୂଣ୍ୟରୁ ଅଧା ସେ ଯୁବତୀକୁ ଦାନକଲେ । ଦେଖୁ ଦେଖୁ ସେ ଯୁବତୀର ମୁଖ ମଣ୍ଡଳରୁ ଅଧିକ ଜ୍ୟୋତି ବାହାରିବାକୁ ଲାଗିଲା ଓ ତାହା ଦେଖିବା ପରେ ସେ ତାଙ୍କର କାର୍ତ୍ତିକ ବ୍ରତ ଉଦ୍‌ଯାପିତ କଲେ । ଏହି ସମୟରେ ଦେବଦତ୍ତ ଦେଖିଲେ, ସ୍ୱର୍ଗରୁ ଗୋଟିଏ ଦେବଯାନ ବିମାନ ଅବତରଣ କଲା ଓ ସେ ଦାନ କରିଥିବା କାର୍ତ୍ତିକ ବ୍ରତରୁ ଅଧେ ପୁଣ୍ୟ ବଳରେ ପିଶାଚିନୀ ମୋକ୍ଷ ପ୍ରାପ୍ତ ହୋଇ ବୈକୁଣ୍ଠଗାମୀ ହେବା ପୂର୍ବରୁ ପ୍ରଣାମ ଜଣାଇ ବିଦାୟ ଦେବାକୁ ଅନୁରୋଧ କଲେ । କାରଣ ଯାହା ଜନ୍ମ ଜନ୍ମ ଧରି ସମ୍ଭବ ହୋଇପାରି ନଥିଲା ତାହା ଆପଣଙ୍କର କାର୍ତ୍ତିକ ବ୍ରତ ପୁଣ୍ୟର ଅଧେ ଦାନଦ୍ୱାରା ସମ୍ଭବ ହୋଇପାରିଲା । ହେ ତ୍ରିପତ୍ନିଙ୍କର ସ୍ୱାମୀ, ଆପଣଙ୍କ ଏ ପୁଣ୍ୟ ବଳରେ ତ୍ରେତୟା ଯୁଗରେ ଆପଣ ରାଜା ଦଶରଥ ହେବେ ଓ ଆପଣଙ୍କର ରାମ, ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନ ପରି ୪ପୁତ୍ର ହେବେ ୤ ସେଥିପାଇଁ କାର୍ତ୍ତିକ ମାସରେ ସୂର୍ଯ୍ୟ ପୂଜା, ତୁଳସୀ ବୃକ୍ଷ ପୂଜା ଓ ବାଲୁଙ୍କା ପୂଜା କରି ଶ୍ରୀ ଜଗନ୍ନାଥ ଦର୍ଶନ କଲେ ଅନେକ ଜନ୍ମର ପାପ ତାପ ବିନାଶ ହୋଇଥାଏ ବୋଲି ବିଦିତ ଅଛି ।[୧]

ଆଧାର[ସମ୍ପାଦନା]

  1. ଡାକ୍ତର ଗୌରାଙ୍ଗ ଚରଣ ତ୍ରିପାଠୀ, ପ୍ରଗତିବାଦୀ, ୨୭.୧୨୨୦୧୨