କାଞ୍ଚି ଅଭିଯାନ

ଉଇକିପିଡ଼ିଆ‌ରୁ

କାଞ୍ଚି ଅଭିଯାନ, ଶ୍ରୀଜଗନ୍ନାଥଙ୍କ ଏକ ପୌରାଣିକ କାହାଣୀ । କିମ୍ବଦନ୍ତୀ, ପୁରାଣ ବର୍ଣ୍ଣିତ ତଥ୍ୟ ଓ ଇତିହାସକୁ ଅବଲୋକନ କଲେ ଯାହା ଜଣାପଡେ, ଅନେକ ବର୍ଷ ପୂର୍ବେ ଓଡ଼ିଶାକୁ ଶାସନ କରୁଥିବା ଗଙ୍ଗ ବଂଶୀୟ ରାଜାମାନଙ୍କ ମଧ୍ୟରେ ପୁରୁଷୋତ୍ତୋମ ଦେବ ଥିଲେ ଅନ୍ୟତମ । ସେ ଜଗନ୍ନାଥଙ୍କ ପରମ ଭକ୍ତ ଓ ସେବକ ଭାବେ ପରିଚିତ । ସେ ଜଗନ୍ନାଥଙ୍କୁ ଜଗତକର୍ତ୍ତା ଓ ନିଜକୁ ଜଣେ ସାଧରଣ ସେବକ ବୋଲି ଭାବୁଥିଲେ ଓ ଅନ୍ୟକୁ ପରିଚୟ ମଧ୍ୟ ଦେଉଥିଲେ । ଆଧୁନିକ ତମିଲନାଡୁ ପ୍ରଦେଶ ଅନ୍ତର୍ଗତ କାଞ୍ଚି ରାଜାଙ୍କ କନ୍ୟା ପଦ୍ମାବତୀଙ୍କୁ ବିବାହ କରିବା ନିମନ୍ତେ ରାଜା ପୁରୁଷୋତ୍ତମ ଦେବକାଞ୍ଚି ରାଜାଙ୍କ ମଧ୍ୟରେ ଯାହା ସବୁ ଘଟଣା ଘଟିଥିଲା, ତାହକୁ ଅନେକ ପୌରାଣିକ ଓ ଇତିହାସ ପୃଷ୍ଠାରେ କାଞ୍ଚି ଅଭିଯାନ ନାମରେ ସବିଶେଷ ବ୍ୟାଖ୍ୟା କରାଯାଇଛି ।[୧]

କାଞ୍ଚି ଅଭିଯାନ[ସମ୍ପାଦନା]

ଦିନେ ଗଙ୍ଗ ବଂଶୀୟ ରାଜା ପୁରୁଷୋତ୍ତମ ଦେବ ଦକ୍ଷିଣ ଭାରତ ଭ୍ରମଣରେ ଯାଇ କାଞ୍ଚି ନାମକ ଏକ ରାଜ୍ୟରେ ପହଞ୍ଚିଥିଲେ । କାଞ୍ଚି ରାଜ୍ୟ ରାଜଧାନୀର ଏକ ଉଦ୍ୟାନରେ ନିଜର ଶିବିର ଲଗାଇ ରହିଥିଲେ । ସେଠାରେ କାଞ୍ଚି ରାଜାଙ୍କ କନ୍ୟା ପଦ୍ମାବତୀଙ୍କ ସହ ପୁରୁଷୋତ୍ତମ ଦେବଙ୍କ ଦେଖ ସକ୍ଷାତ ହେଲା ଏବଂ ପ୍ରଥମ ଦେଖାରେ ହିଁ ଦୁହେଁ ଦୁହିଁଙ୍କୁ ପସନ୍ଦ କରିବା ଆରମ୍ଭ କଲେ । ଏମିତି କିଛିଦିନ ପରେ ଏହି ସମ୍ପର୍କ ପ୍ରେମରେ ପରିଣତ ହେଲା । ଏବଂ ରାଜା ପୁରୁଷୋତ୍ତମ କାଞ୍ଚି ରାଜାଙ୍କ କନ୍ୟା ପଦ୍ମାବତୀଙ୍କୁ ବାହାହେବା ପାଇଁ ମନସ୍ଥ କଲେ । ଏହି ସନ୍ଦେଶ କାଞ୍ଚି ରାଜାଙ୍କ ନିକଟକୁ ପହଞ୍ଚିବା ପରେ, ଦିନେ ରାଜା ପୁରୁଷୋତ୍ତମ ଦେବଙ୍କୁ ନିଜ ଦରବାରକୁ ଡକାଇଥିଲେ ଏବଂ ସାଥିରେ ଥିଲେ କନ୍ୟା ପଦ୍ମାବତୀ । ସେଠାରେ ପୁରୁଷୋତ୍ତମ ଦେବଙ୍କ ବ୍ୟବହାରରେ ପ୍ରସନ୍ନ ହୋଇ କାଞ୍ଚି ରାଜା ନିଜ କନ୍ୟାଙ୍କୁ ପୁରୁଷୋତ୍ତମ ଦେବଙ୍କ ସହ ବାହାଦେବା ପାଇଁ ପ୍ରସ୍ତାବ ଦେଲେ । ଅତି ପ୍ରସନ୍ନତାର ସହ ଗଜପତି ରାଜା ଉକ୍ତ ପ୍ରସ୍ତାବରେ ରାଜି ହୋଇଯାଇଥିଲେ ଏବଂ କିଛି ଦିନ ପରେ ନିଜ ରାଜ୍ୟକୁ ପ୍ରତ୍ୟବର୍ତନ କରିଥିଲେ । ପ୍ରତ୍ୟାବର୍ତନ ସମୟରେ ସେ କାଞ୍ଚି ରାଜାଙ୍କୁ ନିଜ ରାଜ୍ୟର ରଥଯାତ୍ରା ଦେଖିବାପାଇଁ ନିମନ୍ତ୍ରଣ ଦେଇଥିଲେ । [୨]

ପୁରୁଷୋତ୍ତମ ଦେବଙ୍କ ନିଜ ରାଜ୍ୟକୁ ପ୍ରତ୍ୟାବର୍ତନ କରିବାର କିଛିଦିନ ପରେ, ପୁରୀରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥାଏ । ଏହି ସମୟରେ ପୁରୁଷୋତ୍ତମ ଦେବଙ୍କ ଅନୁରୋଧ ରକ୍ଷାକରି କାଞ୍ଚି ରାଜା ନିଜ ଦରବାରର ଜଣେ ମନ୍ତ୍ରୀଙ୍କୁ ରଥଯାତ୍ରା ଦର୍ଶନ କରିବା ପାଇଁ ପୁରୀ ପଠାଇଥିଲେ ଏବଂ ତତସହିତ ଆନୁଷ୍ଠାନିକ ଭାବେ ନିଜ କନ୍ୟା ପଦ୍ମାବତୀଙ୍କ ବିବାହ ପ୍ରସ୍ତାବ ମଧ୍ୟ ପଠାଇଥିଲେ । ରଥଯାତ୍ରାର ସମୟ । ରାଜା ପୁରୁଷୋତ୍ତମ ରଥଯାତ୍ରାର ଆୟୋଜନ କରିବାରେ ବ୍ୟସ୍ତଥାନ୍ତି । କାଞ୍ଚିରାଜାଙ୍କ ମନ୍ତ୍ରୀ ମହୋଦୟ ପୁରୀରେ ପହଞ୍ଚିବା କ୍ଷଣି, ରାଜା ପୁରୁଷୋତ୍ତମ ତାଙ୍କୁ ଅତି ସ୍ୱାଗତ ସମ୍ବର୍ଦ୍ଧନା ସହ ପାଛୋଟି ଆଣିଥିଲେ ଏବଂ ରହଣି ଓ ରଥଯାତ୍ରା ଦେଖିବା ପାଇଁ ଉତ୍ତମ ବ୍ୟବସ୍ଥା ମଧ୍ୟ କରିଥିଲେ । ରଥଯାତ୍ରା ଦିନ ଅନ୍ୟତମ ମୂଖ୍ୟ ଆକର୍ଷଣ ହେଉଛି ପୁରୀ ଗଜପତି ମହାରାଜାଙ୍କ ଛେରାପହଁରା ସେବା । ଏହି ଛେରାପହଁରା ନୀତିକୁ ଦେଖିବା ଲାଗି ଉଭୟ ସିଂହଦ୍ୱାରଗୁଣ୍ଡିଚା ମନ୍ଦିରଠାରେ ଲକ୍ଷାଧିକ ଭକ୍ତ ତଥା ଜନସାଧାରଣଙ୍କ ସମାଗମ ହୋଇଥାଏ । ସେହି ସମୟରେ ଠାକୁରମାନେ ପହଣ୍ଡି ହୋଇ ଆସୁଥିବା ରାସ୍ତାକୁ ଏବଂ ରଥ ଟଣାଯିବା ପୂର୍ବରୁ ରଥ ଉପରେ ଗଜପତି ରାଜା ସୁବର୍ଣ୍ଣ ମାର୍ଜନୀରେ ଛେରା ପହଁରା କରି ଭକ୍ତିଭାବର ପରିଚୟ ଦେଉଥିଲେ । ରଥଯାତ୍ରା ଦିନ ପୁରୁଷୋତ୍ତମ ଦେବଙ୍କଦ୍ୱାରା ଝାଡୁ ମାରିବାର ଦୃଶ୍ୟ ଦେଖି କାଞ୍ଚି ରାଜ୍ୟର ମନ୍ତ୍ରୀ ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଗୋଟିଏ ରାଜ୍ୟର ଜଣେ ତଥାକଥିତ ରାଜା, ଜଣେ ନିଚ୍ଚ ବର୍ଗର ଲୋକଙ୍କ ଭଳି ରାସ୍ତାରେ ଝାଡୁ ମାରିବାର ଦୃଶ୍ୟକୁ ମନ୍ତ୍ରୀ ଜଣକ ସହଜରେ ଗ୍ରହଣ କରିପାରିଲେ ନାହିଁ ଏବଂ ତତକ୍ଷଣାତ କହାକୁ ନଜଣାଇ କାଞ୍ଚି ପ୍ରତ୍ୟାବର୍ତନ କରିଯାଇଥିଲେ । ଏବଂ କାଞ୍ଚିରେ ପହଞ୍ଚିବା କ୍ଷଣି ରାଜଙ୍କ ନିକଟକୁ ଯାଇ, ନିଜେ ଦେଖିଥିବା ସମସ୍ତ ଦୃଶ୍ୟକୁ ରାଜାଙ୍କ ସମ୍ମୁଖରେ ଗୋଟି ଗୋଟି କରି ବ୍ୟାଖ୍ୟା କରିଥିଲେ ଓ ଜଣେ ଝାଡୁଦାର ସହ ରାଜକନ୍ୟାଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ସ୍ୱୟମ୍ବର ମାଧ୍ୟମରେ ପଦ୍ମାବତୀଙ୍କ ପାଇଁ ରାଜକୁମାର ଖୋଜିବା ନିମନ୍ତେ ରାଜାଙ୍କୁ ଅନୁରୋଧ କରିଥିଲେ । ଏକଥା ଶୁଣି ରାଜା ସ୍ୱୟଂ ରାଗିଯାଇଥିଲେ ଏବଂ କିଛି ନବୁଝି ସ୍ୱୟମ୍ବର ମାଧ୍ୟମରେ ରାଜକୁମାର ଖୋଜିବାପାଇଁ ମନସ୍ଥ କରିଥିଲେ ।[୩]

ତଦ୍ଦନୁଯାୟୀ,କାଞ୍ଚି ରାଜାଙ୍କ ଦରବାରରେ ସ୍ୱୟମ୍ବରର ଆୟୋଜନ କରାଗଲା କିନ୍ତୁ ଉକ୍ତ ସ୍ୱୟମ୍ବରରେ ପୁରୁଷୋତ୍ତମ ଦେବଙ୍କୁ ଆମନ୍ତ୍ରିତ କରାଯାଇନଥିଲା । ଅତିଥି ତଥା କାଞ୍ଚିରାଜ୍ୟ ମନ୍ତ୍ରୀଙ୍କ ଏଭଳି ଅନୌପଚାରିକ ପ୍ରସ୍ଥାନ ଦେଖି, ରାଜା ପୁରୁଷୋତ୍ତମ ଦେବ ଜଣେ ଗୁପ୍ତଚରଙ୍କୁ ଏହାର ଅନୁଧ୍ୟାନ କରିବା ପାଇଁ କାଞ୍ଚି ପଠାଇଥିଲେ । [୪] ଗୁପ୍ତଚରଙ୍କଠାରୁ ସ୍ୱୟମ୍ବର ଆୟୋଜନର ସମ୍ବାଦ ପାଇ ପୁରୁଷୋତ୍ତମ ଦେବ ଅତ୍ୟନ୍ତ ବ୍ୟଥିତ ଓ ଅପମାନିତ ହୋଇଥିଲେ । ଏବଂ ସେହି ସମୟରେ ପଦ୍ମାବତୀଙ୍କୁ ବାହାହେବା ପାଇଁ ପ୍ରତିଜ୍ଞା କରି, କାଞ୍ଚି ରାଜାଙ୍କ ନିଷ୍ପତି ବିରୋଧରେ ପ୍ରତିଶୋଧ ପରାୟଣ ହୋଇ ଯୁଦ୍ଧର ଡାକରା ଦେଇଥିଲେ । [୫] ପରେ ଯୁଦ୍ଧ ବିଜୟୀ ହୋଇ ପଦ୍ମାବତୀଙ୍କୁ ବିବାହ କରିଥିଲେ । କାଞ୍ଚି ବିଜୟ ପରେ ସେଠାରୁ ପୁରୁଷୋତ୍ତମ ଦେବ ଘେନିଆସିଥିବା ଗଣେଶ ମୂର୍ତ୍ତି ଏବେ 'କାଞ୍ଚି ଗଣେଶ' ଭାବେ ଶ୍ରୀମନ୍ଦିର ପରିସରରେ ପୂଜା ପାଉଛନ୍ତି । ଶ୍ରୀମନ୍ଦିର ପଛ ଦ୍ୱାରରେ ସେହି ଗଣେଶ ମୁର୍ତ୍ତିଟି ପୂଜା ପାଉଛନ୍ତି ।

ଅଧିକ ତଥ୍ୟ[ସମ୍ପାଦନା]

ମାଣିକ ଗଉଡୁଣୀ କାହାଣୀ[ସମ୍ପାଦନା]

ମାଣିକ ଗଉଡୁଣୀ କାହଣୀ:-କାଞ୍ଚି ଅଭିଯାନରେ ବିଜୟୀ ହୋଇ କଳାଘୋଡ଼ା, ଧଳାଘୋଡ଼ାରେ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ସୈନିକ ସାଜି ଫେରୁଥାନ୍ତି ।ଫେରିବା ବେଳେ ରାସ୍ତାରେ ପ୍ରବଳ ଖରା ହେଉଥାଏ । ମାଣିକ ନାମକ ଜଣେ ଗଉଡୁଣୀ ସେହି ରାସ୍ତାରେ ଦହି ବିକୁଥିଲା । ପ୍ରବଳ ଖରାରେ ନିଜର ତୃଷା ମେଣ୍ଟାଇବା ପାଇଁ ଉଭଏ ସେଠାରେ ଅଟକି ଗଲେ । ଏବଂ ମାଣିକ ଗଉଡୁଣୀଠାରୁ ଦହି ପିଇ ନିଜର ତୃଷା ମେଣ୍ଟାଇଲେ । କିନ୍ତୁ ବଦଳରେ ମାଣିକା ଗଉଡୁଣିକୁ ଦେବା ପାଇଁ ଦୁହିଁଙ୍କ ପାଖେ ପୈସା ନଥିଲା, ଫଳରେ ନିଜ ପିନ୍ଧା ହାତରୁ ମୁଦିଟିଏ କାଢ଼ି ତାକୁ ଦେଇଥିଲେ ଏବଂ ପଛରେ ଆସୁଥିବା ରାଜାଙ୍କଠାରୁ ମୁଦି ଦେଖାଇ ପଈସା ଆଦାୟ କରିବା ପାଇଁ କହିଥିଲେ । ମାତ୍ର ମାଣିକ ଗୌଡୁଣୀ ତାହାର ମୂଲ୍ୟ ବୁଝିନଥିଲା । ସେ ମୁଦି ସାମାନ୍ୟ ମୁଦି ନୁହେଁ, ସେ ହେଉଛି ଜଗନ୍ନାଥଙ୍କ ରତ୍ନ ମୁଦି । ସେ ବହୁ କଷ୍ଟରେ ସେ ମୁଦିଟିକୁ ରଖିଥିଲା । ରାଜାଙ୍କୁ ସେ ମୁଦି ଦେଇ ଦହି ପଇସା ଆଦାୟ କରିବ ବୋଲି ଜଗି ବସିଥିଲା । କିଛି ସମୟ ପରେ ସେ ରାସ୍ତାରେ ରାଜା ସୈନ୍ୟ ସମାନ୍ତ ଧରି ଯୁଦ୍ଧରେ ବିଜୟ ଲାଭ କରି ଫେରୁଥିଲେ । ମାଣିକ ଗଉଡୁଣି ସେ ମୁଦି ଦେଖାଇ କହିଥିଲା,"ତୁମର ଦୁଇ ଜଣ ସୈନିକ ଦହି ପିଇ ଏହି ମୁଦି ଦେଇ ଯାଇଛନ୍ତି, ଓ ଏହାକୁ ନଦେଖାଇ ଦହି ପଇସା ତୁମଠୁ ଆଦାୟ କରିବା ପାଇଁ କହିଛନ୍ତି ।" ରାଜା ସେହି ମୁଦି ଦେଖିଲେ ଏବଂ ଚିହ୍ନିଲେ ଯେ ସେ ମୁଦିଟି ହେଉଛି ମହାପ୍ରଭୁଙ୍କ ରତ୍ନମୁଦି । ମାଣିକ ଗୌଡୁଣୀକୁ କହିଲେ, ମୁଁ ପ୍ରଥମ ସେବକ ହୋଇ ଜଗନ୍ନାଥ ଓ ବଳଭଦ୍ରଙ୍କୁ ସଶରୀରେ ଦେଖିନଥିଲି । ତୁ ଯାହାକୁ ଦହି ପିଆଇଛୁ ସେ ଆଉ କେହି ନୁହନ୍ତି, ନିଜେ ମହାପ୍ରଭୁ ଜଗନ୍ନାଥ ଏବଂ ବଳଭଦ୍ର । ପ୍ରଭୁଙ୍କ ସକ୍ଷାତ ଦର୍ଶନ କରିଥିବା ଯୋଗୁଁ, ମହାରାଜା ଉକ୍ତ ଗାଁଟିକୁ ମାଣିକ ଗଉଡୁଣି ନାମରେ ନାମିତ କରିଥିଲେ । ସେହି ଦିନଠାରୁ ଉକ୍ତ ଗାଁଟି ମାଣିକପାଟଣା ନାମରେ ପରିଚିତ ହେଲା ।

ଶ୍ରୀ ସିଦ୍ଧ ବାସେଳୀ କିମ୍ବଦନ୍ତୀ[ସମ୍ପାଦନା]

ପୁରୁଷୋତ୍ତମ ଦେବଙ୍କ ଦୁଃଖ ସହିତ ଶ୍ରୀଜଗନ୍ନାଥଙ୍କର କାର୍ଯ୍ୟହୀନ କହି ସ୍ୱୟଂ ଜଗନ୍ନାଥଙ୍କର ଅବମାନନା କରିଥିବାରୁ ତାହାର ପ୍ରତିକାର ବିଧାନ ନିମନ୍ତେ ଯୁଦ୍ଧକୁ ଯିବା ପାଇଁ ଶ୍ରୀଜଗନ୍ନାଥ ମହାପ୍ରଭୁ ସିଦ୍ଧ ବାସେଳୀଙ୍କୁ ସ୍ମରଣ କଲେ । ମା' କରୁଣାମୟୀ ସିଦ୍ଧବାସେଳୀ କଳା ଓ ଧଳା ଘୋଡ଼ା ରୂପେ ଆସି ତାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ । ଶ୍ରୀଜଗନ୍ନାଥ ଓ ବଳଭଦ୍ର ଦୁଇଭାଇ ସୈନିକ ରୂ ପରେ ଦୁଇ ଘୋଡ଼ାରେ ବସି ଆଗରେ କାଞ୍ଚି ଯୁଦ୍ଧକ୍ଷେତ୍ର ଆଡକୁ ଅଗ୍ରସର ହେଲେ । ଯୁଦ୍ଧ ଶେଷରେ ରାଜା ପୁରୁଷୋତ୍ତମ କାଞ୍ଚି ଯୁଦ୍ଧରେ କାଞ୍ଚିରାଜାଙ୍କୁ ପରାସ୍ତ କରି ତାଙ୍କର ସୁନ୍ଦରୀ କନ୍ୟା ପଦ୍ମାଦେବୀଙ୍କ ସହିତ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ସିଦ୍ଧ ବାସେଳୀଙ୍କୁ ବର ଦେଲେ ତୁମେ ଦୁହେଁ କୈବର୍ତ୍ତଙ୍କର ଈଷ୍ଟଦେବୀ ରୂପେ ପୂଜା ପାଇ ଖ୍ୟାତ ହେବ । ପୁରୀ ସହରରେ ବାସେଳୀ ସାହି ବା ଘୋଡ଼ାବାସେଳୀ ସାହି ନାମରେ ଏକ ସାହି ରହିଛି । ଏଠାରେ କୈବର୍ତ୍ତଙ୍କର ଈଷ୍ଟଦେବୀ ରୂପେ ଘୋଡ଼ା ବାସେଳୀ ଅଦ୍ୟାବଧି ପୂଜିତ ହେଉଅଛନ୍ତି । ସେଥି ପାଇଁ ଘୋଡ଼ାନାଚର ଗୀତରେ ଗୋଟିଏ ପଦ ଅଛି ।

"ମାଆବାସେଳୀ କି ସିଦ୍ଧବାସେଳୀ ମାଆ
ଫୁଲ ଚନ୍ଦନରେ ବାଉଁଶବତା
ଫୁଲ ଚନ୍ଦନରେ ତୋତେ ମୁଁ ପୂଜଇ
ତୁ ପରା ମୋର ଈଷ୍ଟ ଦେବତା ।"

ପୁରୀ ସହରରେ ପ୍ରାୟ ୩୨ଘୋଡ଼ା ପ୍ରତିମା ବିଭିନ୍ନ୍ନ ସାହିରେ କୈବର୍ତ୍ତଙ୍କର ଗୃହରେ ପୂଜା ପାଉଅଛନ୍ତି । ଚୈତ୍ର ପୂର୍ଣିମା ଦିନ ପୂଜା ପାଇଁ ତା'ର ପରଦିନ ଜାତିର ପରିଚ୍ଛାଙ୍କ ଗୃହକୁ ଯାଇ ସେଠାରୁ ପଣା ଭୋଗ ଖାଇ ରାଜାଙ୍କ ସିଂହଦ୍ୱାରଠାରେ ଆସି ସମସ୍ତ ବାସେଳୀ ଠାକୁରାଣୀ ମିଳିତ ହୋଇଥାଆନ୍ତି । ଯୋଡି ମହୁରୀ ଓ ଢୋଲବାଦ୍ୟର ତାଳେ ତାଳେ ଘୋଡ଼ା ବାସେଳୀଙ୍କ ନାଚରେ କୈବର୍ତ୍ତଗଣ ମଜ୍ଜିଯାଇଛନ୍ତି ।ବଡଦଣ୍ଡ ହରିବୋଲ ହୁଳହୁଳି ଓ କରତାଳିରେ ପ୍ରକମ୍ପିତ ହୋଇ ଉଠୁଛି ପଡୁଛି । ଏହି ସମୟରେ ପୁରୀ ରାଜା ଗଜପତି କୈବର୍ତ୍ତମାନଙ୍କୁ ପ୍ରଶ୍ନ ପଚାରିଛନ୍ତି,ମା'ବାସେଳୀଙ୍କର ଅପାର ମହିମା, ମା'ବାସେଳୀଙ୍କର ଅପାର ଶକ୍ତି ବିଷୟରେ! ଜଣେ କୈବର୍ତ୍ତ ଉତ୍ତର ଦେଲେ ଆପଣ ସମ୍ମୁଖରେ ରହି ମା'ସିଦ୍ଧ ବାସେଳୀଙ୍କର ପରୀକ୍ଷା ନିଅନ୍ତୁ । ରାଜା କହିଲେ ଯଦି ବାସେଳୀ ମା' ପରୀକ୍ଷାରେ ଉତ୍ତୀର୍ଣ ହେବେ, ତେବେ ଆମ୍ଭେ ବିଶ୍ୱାସ କରିବୁ । ପୁନର୍ବାର ରାଜା କହିଲେ ମୁଁ କିଛି ମହାପ୍ରସାଦ କୋଠା ଉପରେ ରଖିଆସିଛି । ଯଦି ଜୁମ ଠାକୁର ମହା ପ୍ରସାଦ ଖାଇ ଫେରିଆସି ତାଙ୍କ ସ୍ୱସ୍ଥାନରେ ବିରାଜମାନ କରିବେ, ତହାହେଲେ ବିଶ୍ୱାସ କରିବୁ ।

କୈବର୍ତ୍ତମାନେ ଘୋଡ଼ାନାଚ ଗୀତ ବୋଲିଲେ ।

"ବାଟେ ଡାହଳିଆ ବର
ଆଉ ଦିନେ ଅଙ୍ଗଦ ବିନ୍ଧିଲା ଶର
ମାଁ ତୋର ନାମଟି ବାସେଳୀ ସାର
ମା' ଦେଖା ମହିମା ତୋହର
ରାଜା ଖଞ୍ଜା ଆଜିଠାରୁ ପାଇବୁ
ମା' ଏବେ ଯାଆ ତୁ ଛାତ ଉପର ।"


ସଙ୍ଗେ ସଙ୍ଗେ ବତାର ପଞ୍ଜରା କାଠ ଘୋଡ଼ା ମୁଣ୍ଡ ସହିତ ଛାତ ଉପରକୁ ଉଡିଗଲେ, ଛାତ ଉପରୁ ମହାପ୍ରସାଦ ଖାଇ ପୁଣି ନିଜ ସ୍ଥାନରେ ଆସି ବିରାଜମାନ ହେଲେ । ସେହି ଦିନଠାରୁ ବାସେଳୀଙ୍କ ଉପରେ ସମସ୍ତ ପୁରୀବାସୀ ବିଶ୍ୱାସ କଲେ । ରାଜା ମଧ୍ୟ ତାଙ୍କର ବିଶ୍ୱାସ ହେବା ଯୋଗୁଁ ମା' ସିଦ୍ଧବାସେଳୀଙ୍କୁ ରୂପାର ହାର ଓ ରୂପାର କିରୀଟ ପ୍ରଦାନ କଲେ, ଜାହା ଅଦ୍ୟାବଧି ମା'ସିଦ୍ଧବାସେଳୀଙ୍କ ଦେହରେ ଶୋଭା ପାଉଅଛି । ସେହି ଦିନଠାରୁ ରାଉତ ଗୀତଟିଏ ଗାଇଛନ୍ତି ତାହା ମଧ୍ୟ ସେହି ଦିନଠାରୁ ବିଖ୍ୟାତ ହୋଇ ପୁରୀ ଜନମନରେ ଗୁଞ୍ଜରଣ ସୃଷ୍ଟି କରୁଛି ।

"ବାରିଆଡେ ବାରି ଗବ
ନଇଲେ ମୋ' କାଠମୁଣ୍ଡ ଶାଠ ପଦ
ରାଜାଙ୍କ ନଅର ଡେଇଁଣ ତୁହି, ଜନନୀ ଖାଇଲୁ ମହାପ୍ରସାଦ
ଚାଇଁ ବାଉଁଶର କଣି- ସେହି ଦିନୁ ନାମକୁ ଦେଲେ
ନାମ ହେଲା ଚନ୍ଦ୍ରମଣୀ ।"


ରାଜାଙ୍କର ମାନସମ୍ମାନ ରକ୍ଷା କରିବା ପାଇଁ ମା' ସିଦ୍ଧ ବାସେଳୀ ଦେବୀ ମଧ୍ୟ ଶ୍ରୀଜଗନ୍ନାଥଙ୍କୁ ସହାୟତା କରିଥିବାରୁ ଏ କୈବର୍ତ୍ତର ଜାତି ମହାନ୍ ଦେବୀଙ୍କର କାର୍ଯ୍ୟରେ ମହିମାନ୍ୱିତ ହୋଇପାରିଛି, କାରଣ ମା' ସିଦ୍ଧବାସେଳୀ ହେଉଛନ୍ତି, ଏ କୈବର୍ତ୍ତ ଜାତିର କୁଳ ଦେବୀ ।

ଆଧାର[ସମ୍ପାଦନା]

  1. "କାଞ୍ଚି ଅଭିଯାନ". Nitaaiveda.com. Retrieved 29 August 2015.
  2. "ପୁରୁଷୋତ୍ତମ ଦେବଙ୍କ ପ୍ରେମ କାହାଣୀ". Storybuzz. Retrieved 30 August 2015.
  3. "ମାଣିକପାଟଣା". Shreekhetra.com. Retrieved 30 August 2015.
  4. "ଗୌଡ୍ୟ ଇତିହାସ". ISKCON. Retrieved 30 August 2015.
  5. "ପୁରୀ ପୋଲିସ ପର୍ଯ୍ୟଟନ ସେବା". Puri police. Retrieved 30 August 2015.