କଳାକଳେବର ଚଉତିଶା

ଉଇକିପିଡ଼ିଆ ରୁ
Jump to navigation Jump to search

କଳାକଳେବର ଚଉତିଶା କବି ଭକ୍ତଚରଣ ଦାସଙ୍କ ରଚିତ ଏକ ଚଉତିଶା | ଏହି ଚଉତିଶାରେ କୃଷ୍ଣ ଓ ବଳରାମଙ୍କ ମଥୁରା ଗମନ କାଳୀନ ଦୃଶ୍ୟ ଏବଂ ଗୋପୀ ମାନଙ୍କର ବିହର ବେଦନା ଏଥିରେ ବର୍ଣ୍ଣନା କରାଯାଇ ଅଛି | ପୁରାତନ ରଚନା ମାନଙ୍କ ମଧ୍ୟରେ ଏହା ଖୁବ୍ ଲୋକପ୍ରିୟ |

[ ଗୀତ ]

କଳାକଳେବର କହ୍ନାଇ ସଙ୍ଗେ ରୋହିଣୀ ସୁତ,
କରନ୍ତି ମଥୁରା ବିଜୟେ ଦାଣ୍ଡେ ଦେଖ ସଙ୍ଗାତ |

ଖସି ପଡୁଛି କି ଆକାଶୁ କି ଏ ଗଙ୍ଗା ଯମୁନା,
କ୍ଷୀର ସଙ୍ଗେ ପ୍ରାଣ ଶୋଷିଲେ ନାଶ ଗଲା ପୂତନା |

ଗହନ କାନନ ବନରେ ଘୋର ବରଷା କାଳ,
ଗିରି ବାମ କରେ ଧଇଲେ ନନ୍ଦ ଯଶୋଦାବାଳ |

ଘରେ ନ ରହନ୍ତି ଗଉଡେ ବଡ ଅଧମ ଜାତି,
ଘେନି ବତ୍ସାବୃନ୍ଦ ବାଳକେ ବନେ ବୁଲନ୍ତି ନିତି |

ଉଇଁ ଆସୁଛିକି ପୂର୍ଣ୍ଣିମା ଶଶି କ୍ଷୀର ସାଗରୁ,
ଉଠ ମଧୁପୁର ଯୁବତୀ ଓଗାଳିବା ଆଗରୁ |

ଚନ୍ଦନ ବେଶ ମୁଁ କରନ୍ତି ମୋର ହେଉଛି ମନ,
ଚିତ୍ତ କେ ଧରିବ ଯୁବତୀ ଚାହିଁ ଚନ୍ଦ୍ର ବଦନ |

ଛନକା ପଶିଲା ଛାତିରେ ଜାତି କୁଳ ଉପେକ୍ଷି,
ଛାଡିବେ ଜୀବନ ଯଶୋଦା ଗୋପେ କୃଷ୍ଣ ନ ଦେଖି |

ଜହର ସଙ୍ଗରେ ମହୁରା ଆସି ହେଲା ନିୟତ,
ଯୁବତୀ କୁଳକୁ ଦଇବ କଲା ଏ ଉତପାତ |

ଝଡି ପଡୁଛି କି ଝୁଣ୍ଟିଆ ଝସକେତନ ଘାତେ,
ଝାଳ ବିନ୍ଦୁ ବିନ୍ଦୁ ଶ୍ରୀମୁଖୁ ବହୁଅଛି ନିରତେ |

ନୟନ ଉପରେ ଭ୍ରୂଲତା ଏ କି କାମ କମାଣ,
ନୁହଁନ୍ତି ଏ ପୋଏ କାହାରି ସବୁ ଗୋପୀଙ୍କ ପ୍ରାଣ |

ଟୋପି ଟୋପି କରି ଚନ୍ଦନ ମଣ୍ଡିଛନ୍ତି କି ସଜେ,
ଟେକିବାରେ ଚାହାଁ ମଥୁରା ଦାଣ୍ଡେ ଗୋବିନ୍ଦ ବିଜେ |

ଠାବେ ଠାବେ ଗୋଳ ଚହଳ ଶିଙ୍ଘା ବେଣୁ ବଇଁଶୀ,
ଠିଆ ହୋଇ ଭକ୍ତ ଦାସ ତା ଦାଣ୍ଡେ ଦେଖନ୍ତି ଆସି |

ଡାକନ୍ତି ଏକକୁ ଆରେକ ଆସ ଜୀବ ଜୀବନ,
ଡୋଳାରେ ଏ ରୂପ ଦେଖିବା ବିଜେ ମଧୁସୂଦନ |

ଢଳି ଢଳି କୃଷ୍ଣ ନାଚନ୍ତି ଭଙ୍ଗୀ ଦେଖ ମିତଣୀ,
ଢାଳନ୍ତି କିରୂପେ ଡୋଳାକୁ କେଉଁ ଛଟକେ ଆଣି |

ଅଳକାରେ ସରୁ କାଇଁଚ ମଣ୍ଡିଛନ୍ତି ରଙ୍ଗରେ,
ଅଣହେଳା ପାଉଥିବେ ଗୋ ନନ୍ଦ ଗଉଡ ଘରେ |

ତିଳକ ଉପରେ କସ୍ତୁରୀ ଗୋରଚନା ଖଞ୍ଜିଛି,
ତେରେଛେଇଁ ଚାହିଁ ଦେବାରୁ ତରଳାଇ ଦେଉଛି |

ଥକା ହୋଇ ଥୋକେ ରହିଲେ ଥୋକେ ଗଲେ ଗୋଡାଇ,
ଥିର ମଦନ ସଂଘାତରେ କାମ ଦେଲା ଭୁଲାଇ |

ଦୁଃଖୀ ଲୋକଙ୍କର ସଂଖାଳି ସେ ତ ଦରିଦ୍ର ଧନ,
ଦହି ଦୁଧ ସର ଖିଆ ଗୋ ତେଣୁ ବଡ ଲାବଣ୍ୟ |

ଧରଣୀ ମଣ୍ଡିଲା ପରାଏ ହୋଇଛନ୍ତି କି ଉଭା,
ଧଳା କଳା ବେନି ଭାଇ ଗୋ ଦୁହେଁ ଦୁହିଁଙ୍କ ଶୋଭା |

ନାସାବିନ୍ଧା ଅପତିଆଣୀ ସେ ଯେ ଯଶୋଦାସୁତ,
ନକଲା ଦଇବ ନରେନ୍ଦ୍ର ଘରେ ଏ ପୁଅ ଜାତ |

ପୁଅ ହୋଇ ଏଡେ ସୁନ୍ଦର ନାହିଁ କାହାର ଘରେ,
ପାହିଲା କି ଯୋଗେ ରଜନୀ ଆଜି ମଧୁନଗରେ |

ଫୁଲରେ ଏହାଙ୍କ ଶରଧା ଫୁଲେ ଦିଶନ୍ତି ତୋରା,
ସ୍ଫୁରୁଛି ତ ବାମ ନୟନ ମୋତେ ଚାହିଁବେ ପରା |

ବୁଦ୍ଧି ବଣା ହେଲା ଶୁଣିଣ ଅମୃତ ଜିଣା ବାଣୀ,
ବସି କେତେ କାଳ ଗଡିଲା ତାକୁ କେଉଁ ବିନ୍ଧାଣି |

ଭଜିବାକୁ ହେଲା ଭଜନ ମାଳା କଲା ଏ ରୂପ,
ଭଜିବକି ଭକ୍ତ ଦାସ ତା କ୍ଷୟ କରିବ ପାପ |

ମନ୍ଦ ବୁଦ୍ଧିକଲେ ନନ୍ଦ ଗୋ ସେ ତ ଆମ କରମ,
ମିଛେ ନନ୍ଦ ପୁଅ ବୋଲନ୍ତି ମଥୁରାରେ ଜନମ |

ଯଦୁକୁଳ ଚନ୍ଦ୍ର ବୋଲିବା ସେ ତ ଯଦୁବିହାରୀ,
ଜାତି ଯଉବନ ଜୀବନ ସବୁ ନେଲା ଆମ୍ଭରି |

ରାମକୃଷ୍ଣ ବେନି ଭାଇ ଗୋ ଦୁହେଁ ଦୁହିଁଙ୍କି ତୋରା,
ରଙ୍ଗେ ନାଚି ଆସୁଥାନ୍ତି ଗୋ ଯେହ୍ନେ ଗଗନ ତାରା |

ଲାଜ ଭୟ ତେଜି କରିଲେ କୃଷ୍ଣ ସଙ୍ଗେ ପୀରତି,
ଲାଭ ହେଉଥିବ ଆମ୍ଭର ହସୁଥିବା ଗୋ ନିତି |

ବଳିଣ ଦିଶେ କି ମଳିନ ବାହୁ ଶ୍ରୀଭୁଜ ସ୍ଥଳ,
ବିନ୍ଧୁଛି କି ଝସ କେତନ ମିଶି ହେଲା ତରଳ |

ଶ୍ରୀମନ୍ତ ବଢାଇ ଏ ପୁଅ ଲକ୍ଷ୍ମୀ ଏହାଙ୍କ ଦାସୀ,
ଶ୍ରୀମୁଖ ଏ ପରା ଦିଶୁଛି କିବା ପୂର୍ଣ୍ଣିମା ଶଶୀ |

ସରଲବଣୀ ଗୋଟିକା ଯେ ଖାଇ ନନ୍ଦର ବତ୍ସି,
ସବୁ ଗୋପୀଙ୍କ ମନକୁ ବଂଶୀସ୍ୱନେ ମୋହିଛି |

ସଧୀରେ ପବନ ବହଇ ସରୁ କଟି ମେଖଳା,
ଶିବ ଡମ୍ବରୁ କି କୈଳାସୁ ଶ୍ୟାମ ବଦନ କଳା |

ହେଲେ ହେବୁ ପଛେ କୁଳଟା ହାର କରିବୁ ଗଳେ,
ହସୁଥିବୁ ତାର ସଙ୍ଗତେ ବସିଥିବୁ ଗୋ କୋଳେ |

ଛାଡି ଲଜ୍ଜାଭୟ ତା ରୂପ ଦରପଣେ ମାଜିବା,
ଛାର ଭକ୍ତ ଦାସ କହେ ତା ଧ୍ୟାୟୀ ରଜନୀ ଦିବା |