କଳାକଳେବର ଚଉତିଶା
କଳାକଳେବର ଚଉତିଶା କବି ଭକ୍ତଚରଣ ଦାସଙ୍କ ରଚିତ ଏକ ଚଉତିଶା | ଏହି ଚଉତିଶାରେ କୃଷ୍ଣ ଓ ବଳରାମଙ୍କ ମଥୁରା ଗମନ କାଳୀନ ଦୃଶ୍ୟ ଏବଂ ଗୋପୀମାନଙ୍କର ବିହର ବେଦନା ଏଥିରେ ବର୍ଣ୍ଣନା କରାଯାଇ ଅଛି | ପୁରାତନ ରଚନା ମାନଙ୍କ ମଧ୍ୟରେ ଏହା ଖୁବ ଲୋକପ୍ରିୟ |
ଏହି ଚଉତିଶାକୁ ଅଠାରୁ କ୍ଷ ଯାଏଁ ନମିତା ଅଗ୍ରୱାଲ ଗାଇଛନ୍ତି ।
[ ଗୀତ ]
କଳାକଳେବର କହ୍ନାଇ ସଙ୍ଗେ ରୋହିଣୀ ସୁତ,
କରନ୍ତି ମଥୁରା ବିଜୟେ ଦାଣ୍ଡେ ଦେଖ ସଙ୍ଗାତ |
ଖସି ପଡୁଛି କି ଆକାଶୁ କି ଏ ଗଙ୍ଗା ଯମୁନା,
କ୍ଷୀର ସଙ୍ଗେ ପ୍ରାଣ ଶୋଷିଲେ ନାଶ ଗଲା ପୂତନା |
ଗହନ କାନନ ବନରେ ଘୋର ବରଷା କାଳ,
ଗିରି ବାମ କରେ ଧଇଲେ ନନ୍ଦ ଯଶୋଦାବାଳ |
ଘରେ ନ ରହନ୍ତି ଗଉଡେ ବଡ଼ ଅଧମ ଜାତି,
ଘେନି ବତ୍ସାବୃନ୍ଦ ବାଳକେ ବନେ ବୁଲନ୍ତି ନିତି |
ଉଇଁ ଆସୁଛିକି ପୂର୍ଣ୍ଣିମା ଶଶି ମଧୁ ସାଗରୁ,
ଉଠ ମଧୁପୁର ଯୁବତୀ ଓଗାଳିବା ଆଗରୁ |
ଚନ୍ଦନ ବେଶ ମୁଁ କରନ୍ତି ମୋର ହେଉଛି ମନ,
ଚିତ୍ତ କେ ଧରିବ ଯୁବତୀ ଚାହିଁ ଚନ୍ଦ୍ର ବଦନ |
ଛନକା ପଶିଲା ଛାତିରେ ଜାତି କୁଳ ଉପେକ୍ଷି,
ଛାଡିବେ ଜୀବନ ଯଶୋଦା ଗୋପେ କୃଷ୍ଣ ନ ଦେଖି |
ଜହର ସଙ୍ଗତେ ମହୁରା ଆସି ହେଲା ନିୟତ,
ଯୁବତୀ କୁଳକୁ ଦଇବ କଲା ଏ ହନ୍ତସନ୍ତ |
ଝଡ଼ି ପଡୁଛି କି ଝୁଣ୍ଟିଆ ଝସକେତନ ଘାତେ,
ଝାଳ ବିନ୍ଦୁ ବିନ୍ଦୁ ଶ୍ରୀମୁଖୁ ବହୁଅଛି ନିରତେ |
ନୟନ ଉପରେ ଭ୍ରୂଲତା କିଏ କାମ କମାଣ,
ନୁହଁନ୍ତି ଏ ପୋଏ କାହାରି ସବୁ ଗୋପୀଙ୍କ ପ୍ରାଣ |
ଟୋପି ଟୋପି ଗୋପୀ ଚନ୍ଦନ ମଣ୍ଡିଛନ୍ତି କି ସଜେ,
ଟେକିବାରେ ଚାହାଁ ମଥୁରା ଦାଣ୍ଡେ ଗୋବିନ୍ଦ ବିଜେ |
ଠାବେ ଠାବେ ଗୋଳ ଚହଳ ଶିଙ୍ଘା ବେଣୁ ବଇଁଶୀ,
ଠିଆ ହୋଇ ଭକ୍ତ ଦାସ ତା ଦାଣ୍ଡେ ଦେଖନ୍ତି ଆସି |
ଡାକନ୍ତି ଏକକୁ ଆରେକ ଆସ ଜୀବ ଜୀବନ,
ଡୋଳାରେ ଏ ରୂପ ଦେଖିବା ବିଜେ ମଧୁସୂଦନ |
ଢଳି ଢଳି କୃଷ୍ଣ ନାଚନ୍ତି ଭଙ୍ଗୀ ଦେଖ ମିତଣୀ,
ଢାଳନ୍ତି କିରୂପେ ଡୋଳାକୁ କେଉଁ ଛଟକେ ଆଣି |
ଅଳକାରେ ସରୁ କାଇଁଚ ମଣ୍ଡିଛନ୍ତି କିକରେ,
ଅଣହେଳା ପାଉଥିବେ ଗୋ ନନ୍ଦ ଗଉଡ ଘରେ |
ତିଳକ ଉପରେ କସ୍ତୁରୀ ଗୋରଚନା ରଞ୍ଜିଛି,
ତେରଛାଇ ଚାହିଁ ଦେବାରୁ ତରଳାଇ ଦେଉଛି |
ଥକା ହୋଇ ଥୋକେ ରହିଲେ ଥୋକେ ଗଲେ ଗୋଡାଇ,
ଥିର ମଦନ ସଂଘାତରେ କାମ ଦେଲା ଭୁଲାଇ |
ଦୁଃଖୀ ଲୋକଙ୍କର ସଂଖାଳି ସେ ତ ଦରିଦ୍ର ଧନ,
ଦହି ଦୁଧ ସର ଖିଆ ଗୋ ତେଣୁ ବଡ଼ ଲାବଣ୍ୟ |
ଧରଣୀ ମଣ୍ଡିଲା ପରାଏ ହୋଇଛନ୍ତି କି ଉଭା,
ଧଳା କଳା ବେନି ଭାଇ ଗୋ ଦୁହେଁ ଦୁହିଁଙ୍କି ଶୋଭା |
ନାସାବିନ୍ଧା ଅପ୍ରତିଆଣୀ ସେ ଗୋ ଯଶୋଦାସୁତ,
ନକଲା ଦଇବ ନରେନ୍ଦ୍ର ଘରେ ଏ ପୁଅ ଜାତ |
ପୁଅ ହୋଇ ଏଡେ ସୁନ୍ଦର ନାହିଁ କାହାର ଘରେ,
ପାହିଲା କି ଯୋଗେ ରଜନୀ ଆଜି ମଧୁନଗରେ |
ଫୁଲରେ ଏହାଙ୍କ ଶରଧା ଫୁଲେ ଦିଶନ୍ତି ତୋରା,
ସ୍ଫୁରୁଛି ତ ବାମ ନୟନ ମୋତେ ଚାହିଁବେ ପରା |
ବୁଦ୍ଧି ବଣା ହେଲା ଶୁଣିଣ ଅମୃତ ଜିଣା ବାଣୀ,
ବସି କେତେ କାଳ ଗଢ଼ୀଲା ତାକୁ କେଉଁ ବିନ୍ଧାଣି |
ଭଜିବାକୁ ହେଲା ଭଜନ ମାଳା କଲା ଏ ରୂପ,
ଭଜିବକି ଭକ୍ତ ଦାସ ତା କ୍ଷୟ କରିବ ପାପ |
ମନ୍ଦ ବୁଦ୍ଧିକଲେ ନନ୍ଦ ଗୋ ସେ ତ ଆମ୍ଭ କରମ,
ମିଛେ ନନ୍ଦ ପୁଅ ବୋଲନ୍ତି ମଥୁରାରେ ଜନମ |
ଯଦୁକୁଳ ଚନ୍ଦ୍ର ବୋଲିଣ ସେଗୋ ଯଦୁବିହାରୀ,
ଜାତି ଯଉବନ ଜୀବନ ସବୁ ନେଲା ଆମ୍ଭରି |
ରାମକୃଷ୍ଣ ବେନି ଭାଇ ଗୋ ଦୁହେଁ ଦୁହିଁଙ୍କି ତୋରା,
ରଙ୍ଗେ ନାଚି ଆସୁଥାନ୍ତି ଗୋ ଯେହ୍ନେ ଗଗନ ତାରା |
ଲାଜ ଭୟ ତେଜି କରିବା କୃଷ୍ଣ ସଙ୍ଗେ ପୀରତି,
ଲାଭ ହେଉଥିବ ଆମ୍ଭର ହସୁଥିବା ଗୋ ନିତି |
ବଳିଣ ଦିଶେ କି ମଳିନ ବାହୁ ଶ୍ରୀଭୁଜ ସ୍ଥଳ,
ବିନ୍ଧୁଛି କି ଝସ କେତନ ମିଶି ହେଲା ତରଳ |
ଶ୍ରୀମନ୍ତ ବଢ଼ାଇ ଏ ପୁଅ ଲକ୍ଷ୍ମୀ ଏହାଙ୍କ ଦାସୀ,
ଶ୍ରୀମୁଖ ଏ ପରା ଦିଶୁଛି କିବା ପୂର୍ଣ୍ଣିମା ଶଶୀ |
ସରଲବଣୀ ଗୋଟିକା ଯେ ଖାଇ ନନ୍ଦର ବତ୍ସି,
ସବୁ ଗୋପୀଙ୍କର ମନକୁ ବଂଶୀସ୍ୱନେ ମୋହିଛି |
ସଧୀରେ ପବନ ବହଇ ସରୁ କଟି ମେଖଳା,
ଶିବ ଡମ୍ବରୁ କି କୈଳାସୁ ଶ୍ୟାମ ବଦନ କଳା |
ହେଲେ ହେବୁ ପଛେ କୁଳଟା ହାର କରିବୁ ଗଳେ,
ହସୁଥିବୁ ତାଙ୍କ ସଙ୍ଗତେ ବସିଥିବୁ ଗୋ କୋଳେ |
ଛାଡି ଲଜ୍ଜାଭୟ ତା ରୂପ ଦରପଣେ ମାଜିବା,
ଛାର କହେ ଭକ୍ତ ଦାସ ତା ଧ୍ୟାୟୀ ରଜନୀ ଦିବା |