ଓଡ଼ିଶା କୋଭିଡ-୧୯ ନିୟମାବଳୀ, ୨୦୨୦

ଉଇକିପିଡ଼ିଆ ରୁ
Jump to navigation Jump to search

ଓଡ଼ିଶା କୋଭିଡ-୧୯ ନିୟମାବଳୀ, ୨୦୨୦‌ ଓଡ଼ିଶା ସରକାରଙ୍କଦ୍ୱାରା ୨୦୨୦ ମସିହାରେ ପ୍ରଣୀତ ଏକ ବିଶେଷ ନିୟମ । ଏହି ବର୍ଷର ପ୍ରାରମ୍ଭରେ କରୋନାଭୂତାଣୁ ଜନିତ ରୋଗର (କୋଭିଡ-୧୯) ବ୍ୟାପକତା ଯୋଗୁଁ ସାଧାରଣ ଜୀବନହାନୀ ହୋଇଥିଲା ଓ ସେଥିରୁ ସୃଷ୍ଟ ଅସାଧାରଣ ପରିସ୍ଥିତିର ମୁକାବିଲା ନିମନ୍ତେ ସରକାର "ମହାମାରୀ ରୋଗ ନିୟମ, ୧୮୯୭"ର ପ୍ରାବଧାନ ଅନୁଯାୟୀ ୨୦୨୦ ମାର୍ଚ୍ଚ ୧୩ ତାରିଖରେ ଏହି ନିୟମ ପ୍ରଣୟନ କରିଥିଲେ ।

ପୃଷ୍ଠଭୂମି[ସମ୍ପାଦନା]

କୋଭିଡ-୧୯ ମହାମାରୀର ପ୍ରଥମ ସଂକ୍ରମଣ ଭାରତରେ ୨୦୨୦ ଜାନୁଆରୀ ୨୦ ତାରିଖରେ ଜଣାପଡ଼ିଥିଲା । ଏହା ଚୀନରୁ ଆସିଥିଲା । ୨୦୨୦ ମାର୍ଚ୍ଚ ୧୬ ସୁଦ୍ଧା ଭାରତୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦେଶରେ ମୋଟ ୧୧୦ଟି ମାମଲା ଏବଂ ୨ ଜଣଙ୍କ ମୃତ୍ୟୁ ବାବଦରେ ଘୋଷଣା କରିଥିଲା । ଇତିମଧ୍ୟରେ ଏହି ରୋଗର ଭୟାବହତା ଅନୁଭବ କରି ଦିଲ୍ଲୀ, ହରିୟାଣା, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ଏହି ମହାମାରୀକୁ ରାଜ୍ୟ ମହାମାରୀ ଘୋଷିତ କରାଯାଇଛି । ଏହିସବୁ ସ୍ଥାନରେ "ମହାମାରୀ ରୋଗ ଅଧିନିୟମ, ୧୮୯୭" ବ୍ୟବସ୍ଥା ଲାଗୁ କରାଯାଇ ଶିକ୍ଷାନୁଷ୍ଠାନଗୁଡ଼ି ଓ ଅନେକ ବାଣିଜ୍ୟିକ ପ୍ରତିଷ୍ଠାନ ବନ୍ଦ ହୋଇଯାଇଛି । ନିଶ୍ଚିତ ହୋଇଥିବା ଅଧିକାଂଶ ସଂକ୍ରମଣ ଅନ୍ୟ ଦେଶ ସହ ଜଡ଼ିତ ଥିବାରୁ ଭାରତ ମଧ୍ୟ ସମସ୍ତ ପର୍ଯ୍ୟଟନ ଭିସା ସ୍ଥଗିତ ରଖିଛି ।

୨୦୨୦ ଫେବୃଆରୀ ୨୬ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁ ଏଚ ଓ) ଚୀନରେ ନୂତନ ସଂକ୍ରମଣ ହ୍ରାସ ପାଇଥିବା ବେଳେ ହଠାତ୍ ଇଟାଲୀ, ଇରାନ ଏବଂ ଦକ୍ଷିଣ କୋରିଆରେ ଏହା ବୃଦ୍ଧି ପାଇଥିବା କଥା ଘୋଷଣା କରିଥିଲା । ଚୀନ ବାହାରେ ନୂତନ ସଂକ୍ରମଣ ପ୍ରଥମ ଥର ପାଇଁ ଦେଶ ଭିତରର ନୂତନ ସଂକ୍ରମଣ ସଂଖ୍ୟାରୁ ବଢ଼ିସାରିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାର ରୋଗର ବ୍ୟାପକ ସଂକ୍ରମଣକୁ ରୋକିବା ନିମନ୍ତେ ବିହିତ ପଦକ୍ଷେପ ସ୍ୱରୂପ ଏହି ଆଇନ ପ୍ରଣୟନ କରିଛନ୍ତି ।

ଆଇନଗତ ବ୍ୟବସ୍ଥା[ସମ୍ପାଦନା]

ଓଡ଼ିଶା ସରକାର କୋଭିଡ-୧୯ ଜନିତ ରୋଗର ମୁକାବିଲା କରିବା ନିମିତ୍ତ "ମହାମାରୀ ରୋଗ ନୀୟମ"ର ପ୍ରାବଧାନ ଅନୁଯାୟୀ "ଓଡ଼ିଶା ମହାମାରୀ ରୋଗ ନୀୟମ, ୨୦୨୦" ବା "ଓଡ଼ିଶା କୋଭିଡ-୧୯ ନିୟମାବଳୀ, ୨୦୨୦" ନାମରେ ଏକ ଆଇନ ପ୍ରଣୟନ କରିଥିଲେ । ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ସଂପର୍କିତ ଏକ ନିର୍ଦ୍ଦେଶନାମା ୨୦୨୦ ମାର୍ଚ୍ଚ ୧୩ ତାରିଖ ଦିନ ଜାରି କରାଯାଇଥିଲା ।[୧][୨][୩][୪] ଏହି ନିୟମ ଅନୁଯାୟୀ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ କୋଭିଡ-୧୯ର ସନ୍ଦେହଜନକ ସଂକ୍ରମଣଗୁଡ଼ିକର ପରୀକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବା ଉଚିତ୍ । ଅଧିକନ୍ତୁ, ଏହିପରି ସଂକ୍ରମଣଗୁଡ଼ିକର ପରୀକ୍ଷା ସମୟରେ ସମସ୍ତ ଡାକ୍ତରଖାନା କୋଭିଡ-୧୯ ସଂକ୍ରମିତ ବ୍ୟକ୍ତିଙ୍କ କୋଭିଡ-୧୯ ସଂକ୍ରମିତ କୌଣସି ଦେଶ କିମ୍ବା ଅଞ୍ଚଳକୁ ଯାତ୍ରାର ଇତିହାସ ମଧ୍ୟ ରେକର୍ଡ କରିବ ।

ଏହା ସହିତ କୋଭିଡ-୧୯ର ସନ୍ଦେହଜନକ କିମ୍ବା ନିଶ୍ଚିତ ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିବିଶେଷଙ୍କ ଇତିହାସ ମଧ୍ୟ ରେକର୍ଡ ହେବା ଆବଶ୍ୟକ । ଯଦି ସେହି ବ୍ୟକ୍ତିଙ୍କର ଗତ ୧୪ ଦିନ ମଧ୍ୟରେ ପ୍ରଭାବିତ ଅଞ୍ଚଳକୁ ଯାତ୍ରା କରିବାର କୌଣସି ଇତିହାସ ଥାଏ ଏବଂ ତାଙ୍କଠାରେ କରୋନାର କୌଣସି ଲକ୍ଷଣ ଦେଖାଯାଉ ନ ଥାଏ, ତେବେ ମଧ୍ୟ ସେ ସେହିଦିନ ଠାରୁ ୧୪ ଦିନ ପର୍ଯ୍ୟନ୍ତ ଘରେ କୌଣସି ବ୍ୟକ୍ତିଙ୍କ ସଂସ୍ପର୍ଶରେ ନ ଆସି ଅଲଗା ଭାବେ ରହିବେ । ସେ ନିଶ୍ଚିତ ଭାବରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟଦ୍ୱାରା ଜାରି ହୋଇଥିବା "ହୋମ କ୍ୱାରାଣ୍ଟାଇନ ଗାଇଡ଼ଲାଇନ" ପାଳନ କରିବେ ।

ଯେଉଁ ବ୍ୟକ୍ତିମାନେ "ହୋମ କ୍ୱାରାଣ୍ଟାଇନ ଗାଇଡ଼ଲାଇନ" ପାଳନ କରୁନାହାଁନ୍ତି, ସେମାନେ ସରକାରଙ୍କଦ୍ୱାରା ସ୍ଥାପିତ କ୍ୱାରାଣ୍ଟାଇନ ସୁବିଧାଗୁଡ଼ିକ ମାଧ୍ୟମରେ ପ୍ରତିଷେଧକମୂଳକ ସତର୍କତା ପାଳନ କରିବେ ।

କୋଭିଡ-୧୯ ପ୍ରଭାବିତ ଦେଶକୁ ଯାଇଥିବା ବ୍ୟକ୍ତିବିଶେଷଙ୍କଠାରେ କୋଭିଡ-୧୯ର ସଂଜ୍ଞା ଅନୁଯାୟୀ କୌଣସି ଲକ୍ଷଣ ଜଣାପଡ଼ିଲେ ସେହି ବ୍ୟକ୍ତିଙ୍କୁ ପ୍ରୋଟୋକଲ୍ ଅନୁଯାୟୀ ଡାକ୍ତରଖାନାରେ ପୃଥକ କରିବାକୁ ପଡ଼ିବ ଏବଂ ତାଙ୍କୁ କୋଭିଡ-୧୯ ପରୀକ୍ଷା କରାଯିବ ।

ଏହି ନିୟମ ଅନୁଯାୟୀ "ରାଜ୍ୟ ଇଣ୍ଟିଗ୍ରେଟେଡ୍ ଡିଜିଜ ସର୍ଭିଲାନ୍ସ ୟୁନିଟ୍" (ଆଇଡିଏସପି) ତଥା ଜିଲ୍ଲା/ସ୍ଥାନୀୟ ମ୍ୟୁନିସିପାଲିଟି କମିଶନରଙ୍କ ତଥା ଜିଲ୍ଲାପାଳମାନଙ୍କୁ ତୁରନ୍ତ ଏହି ସବୁ ମାମଲାର ସୂଚନା ଦିଆଯିବା ଆବଶ୍ୟକ ।

ଏହି ନିୟମ ଅନୁସାରେ କୋଭିଡ-୧୯ ରୋଗ ଚିହ୍ନଟ ପରୀକ୍ଷା କରିବା ପାଇଁ ବେସରକାରୀ ଲାବୋରେଟୋରୀକୁ ବାରଣ କରାଯାଇଛି । ଅତଏବ କୋଭିଡ-୧୯ ପରୀକ୍ଷା ପାଇଁ ଇଚ୍ଛୁକ କୌଣସି ଘରୋଇ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାଙ୍କୁ ନିଶ୍ଚିତ ଭାବରେ ସେମାନଙ୍କ ପରୀକ୍ଷା ନମୁନା ରାଜ୍ୟ ଆଇଡିଏସପି ୟୁନିଟ୍ ମାଧ୍ୟମରେ ପଠାଇବାକୁ ପଡ଼ିବ । ନୂଆଦିଲ୍ଲୀସ୍ଥିତ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ଦ୍ୱାରା ଜାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ରାଜ୍ୟ ଆଇଡିଏସପି ୟୁନିଟ୍ କଡ଼ାକଡ଼ି ଭାବେ ଏହି ପରୀକ୍ଷା ବ୍ୟବସ୍ଥା କରିବ ବୋଲି ନିୟମାବଳୀ ସ୍ପଷ୍ଟ କରିଛି ।

ବିଗତ ୧୪ ଦିନ ମଧ୍ୟରେ କୋଭିଡ-୧୯ ସଂକ୍ରମିତ କୌଣସି ଅଞ୍ଚଳ କିମ୍ବା ଏକ ଦେଶରୁ କୌଣସି ବ୍ୟକ୍ତି ଅନ୍ୟ ଏକ ଅଞ୍ଚଳ କିମ୍ବା ଦେଶକୁ ଯାତ୍ରା କରିବାର ଇତିହାସ ଥିବା ସ୍ଥଳେ ସେହି ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ରାଜ୍ୟ ନିୟନ୍ତ୍ରଣ କକ୍ଷ (ଫୋନ ନମ୍ବର ୦୬୭୪-୨୩୯୦୪୬୬) କିମ୍ବା ରାଜ୍ୟ ଆଇଡିଏସପି ପର୍ଯ୍ୟବେକ୍ଷଣ ଅଧିକାରୀ (ମୋବାଇଲ ନମ୍ବର ୯୪୩୯୯୯୪୮୫୭, ୯୪୩୯୯୯୪୮୫୯) କିମ୍ବା ଟୋଲ୍ ଫ୍ରି ନମ୍ବର ୧୦୪କୁ ଜଣାଇବା ଆବଶ୍ୟକ । ଫଳରେ "ଡିରେକ୍ଟୋରେଟ ମେଡ଼ିକାଲ ଏଜୁକେସନ ଆଣ୍ଡ ଟ୍ରେନିଂ, ଓଡ଼ିଶା" (ଡିଏମିଟି), "ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ" (ଡିରେକ୍ଟୋରେଟ ଅଫ ପବ୍ଲିକ ହେଲ୍‌ଥ- ଡିପିଏଚ), "ଡିରେକ୍ଟୋରେଟ ଅଫ ହେଲ୍ଥ ସର୍ଭିସେସ" (ଡିଏଚଏସ), ଏବଂ ଜିଲ୍ଲାପାଳ/ମ୍ୟୁନିସିପାଲିଟି କମିଶନର ବିହିତ ପଦକ୍ଷେପ ଗ୍ରହଣ କରିପାରିବେ । ଏହି ସଂସ୍ଥା ଓ ଅଧିକାରୀମାନଙ୍କୁ କୋଭିଡ-୧୯ ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ନିମନ୍ତେ କ୍ଷମତା ଦିଆଯାଇଛି ।

ଏହି ଅଧିନିୟମ ଅନୁଯାୟୀ କ୍ଷମତାପ୍ରାପ୍ତ ଅଧିକାରୀମାନେ ବେଳେବେଳେ ଡବ୍ଲୁଏଚଓ କିମ୍ବା ଭାରତ ସରକାରଙ୍କଦ୍ୱାରା ପ୍ରକାଶିତ କରୋନା ସଂଜ୍ଞା ମାନଦଣ୍ଡ ଅନୁଯାୟୀ ଯେଉଁ ବ୍ୟକ୍ତିଙ୍କଠାରେ କୋଭିଡ-୧୯ ସଂକ୍ରମଣ ଭଳି ଲକ୍ଷଣ ବା ଏହି ରୋଗର ଲକ୍ଷଣ ଦେଖାଯାଏ ତାଙ୍କୁ ପୃଥକ କରିବାକୁ ଏବଂ ଚିକିତ୍ସାଳୟରେ ଭର୍ତ୍ତି କରିବାକୁ କ୍ଷମତାପ୍ରାପ୍ତ । ଏଥିସହ ଯିଏ ପୃଥକୀକରଣ ଏବଂ/କିମ୍ବା ଚିଡାକ୍ତରଖାନାରେ ଭର୍ତ୍ତି ବାବଦରେ ଏହି ପରାମର୍ଶକୁ ମାନିବାକୁ ମନାକରନ୍ତି କ୍ଷମତାପ୍ରାପ୍ତ ଅଧିକାରୀ ସେହି ବ୍ୟକ୍ତିଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡ ସଂହିତା, ୧୮୬୦ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ।[୫]

ଯଦି ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ କ୍ଷେତ୍ର ଯଥା ଗ୍ରାମ, ସହର, ୱାର୍ଡ, କଲୋନୀ, ବସ୍ତିରୁ କୋଭିଡ-୧୯ ବ୍ୟାପିବାର ରିପୋର୍ଟ ମିଳେ, ସଂପୃକ୍ତ ମ୍ୟୁନିସିପାଲ କର୍ପୋରେସନର କମିଶନର ବା ଜିଲ୍ଲାପାଳ ରୋଗର ସଂକ୍ରମଣକୁ ରୋକିବା ପାଇଁ ନିମ୍ନଲିଖିତ ପଦକ୍ଷେପ କାର୍ଯ୍ୟକାରୀ କରିବାକୁ କ୍ଷମତାପ୍ରାପ୍ତ ହେବେ । ତେବେ ରୋଗର ବ୍ୟାପକତା ରୋକିବାକୁ ବିଭିନ୍ନ ପଦକ୍ଷେପ କେବଳ ନିମ୍ନ ପଦକ୍ଷେପରେ ସୀମିତ ରହିବ ନାହିଁ ।[୬]

  1. ସଂକ୍ରମିତ କ୍ଷେତ୍ରରୁ ଲୋକଙ୍କ ପ୍ରବେଶ ଏବଂ ପ୍ରସ୍ଥାନକୁ ବାରଣ ।
  2. ଆବଶ୍ୟକ ସ୍ଥଳେ ବିଦ୍ୟାଳୟ, କାର୍ଯ୍ୟାଳୟ, ସିନେମା ହଲ୍, ସୁଇମିଂ ପୁଲ୍, ଜିମ୍ ଇତ୍ୟାଦି ବନ୍ଦ ଏବଂ ଜନସମାଗମ ଉପରେ ନିଷେଧାଦେଶ ଜାରି ।
  3. କୋଭିଡ-୧୯ ଘଟଣାଗୁଡ଼ିକର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିରୀକ୍ଷଣ ଆରମ୍ଭ ।
  4. ଡାକ୍ତରଖାନାରେ ସମସ୍ତ ସନ୍ଦିଗ୍ଧ ମାମଲା ଏବଂ ସେମାନଙ୍କ ସମ୍ପର୍କର ବିଚ୍ଛିନ୍ନତା ନିମନ୍ତେ ବିହିତ ବ୍ୟବସ୍ଥା ।
  5. ଯେ କୌଣସି ସରକାରୀ ଗୃହକୁ ଏକ ରୋଗ ପ୍ରତିଷେଧକ ସୁବିଧା ଭାବରେ ଡିଜାଇନ୍ କରିବା ।
  6. ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗଦ୍ୱାରା ନିର୍ଦ୍ଦେଶିତ ଅନ୍ୟ ଯେ କୌଣସି ବିହିତ ପଦକ୍ଷେପ ।

ଏହି ଆଇନ ଅନୁସାରେ ସଂପୃକ୍ତ ସମସ୍ତ ସରକାରୀ ବିଭାଗ ଏବଂ ସଂଗଠନର କର୍ମଚାରୀମାନେ ପ୍ରତିଷେଧକମୂଳକ ବ୍ୟବସ୍ଥାର ଦାୟିତ୍ୱ ତୁଲାଇବା ପାଇଁ ଜିଲ୍ଲାପାଳ/ମ୍ୟୁନିସିପାଲ କମିଶନରଙ୍କ ପାଖରେ ରହିବେ । ଆବଶ୍ୟକ ସ୍ଥଳେ ଜିଲ୍ଲାପାଳ/ମ୍ୟୁନିସିପାଲିଟି କମିଶନର ଅନ୍ୟ କୌଣସି ବ୍ୟକ୍ତିଙ୍କ ସାହାଯ୍ୟ ପାଇଁ ଆବେଦନ କରିପାରନ୍ତି । ଅତିରିକ୍ତ ଭାବେ ସେବାଗୁଡ଼ିକ ଆଉଟସୋର୍ସିଂ ହୋଇପାରେ ଏବଂ ସେବାକାରୀମାନେ ସ୍ୱଳ୍ପ ମିଆଦୀ ଚୁକ୍ତିନାମା ଅନୁଯାୟୀ ନିୟୋଜିତ ହୋଇପାରନ୍ତି । ଯେ କୌଣସି ବ୍ୟକ୍ତି/ଅନୁଷ୍ଠାନ/ସଂଗଠନ ଏହି ନିୟମାବଳୀର ଯେ କୌଣସି ଧାରାକୁ ଉଲ୍ଲଂଘନ କରିଥିବା ଜଣାପଡ଼ିଲେ ତାହା ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୧୮୬, ୧୮୬୦ ଅନୁଯାୟୀ ଦଣ୍ଡନୀୟ ଅପରାଧ ବୋଲି ଧରାଯିବ । କ୍ଷମତାପ୍ରାପ୍ତ ଅଧିକାରୀମାନେ ଏହି ନିୟମାବଳୀର ନିୟମ ଉଲ୍ଲଂଘନ କରୁଥିବା କିମ୍ବା ଏହି ନିୟମାବଳୀ ଅନୁଯାୟୀ ସରକାରଙ୍କଦ୍ୱାରା ଜାରୀ କରାଯାଇଥିବା କୌଣସି ଆଦେଶକୁ ଉଲ୍ଲଂଘନ କରିଥିବା ବ୍ୟକ୍ତି/ଅନୁଷ୍ଠାନ/ସଂଗଠନକୁ ଦଣ୍ଡଦେଇପାରନ୍ତି । ଏହି ନିୟମାବଳୀ ଆଧାରରେ କୋୖଣସି ମନ୍ଦ ଉଦ୍ଦେଶ୍ୟ ନ ଥାଇ କେବଳ ଆଇନର ସୁବିନିଯୋଗ ନିମିତ୍ତ କରାଯାଇଥିବା ଯେ କୌଣସି କାର୍ଯ୍ୟ ବା ନିଆଯାଇଥିବା ଯେ କୌଣସି ପଦକ୍ଷେପ ପାଇଁ (ଅନ୍ୟରୂପେ ପ୍ରମାଣିତ ନ ହୋଇଥିଲେ‌) ସପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କୌଣସି ମୋକଦ୍ଦମା କରାଯାଇ ପାରିବ ନାହିଁ । କୌଣସି ବ୍ୟକ୍ତିବିଶେଷ ବା ସଂସ୍ଥା କୋଭିଡ-୧୯ ରୋଗ ବିଷୟରେ କୌଣସି ପ୍ରକାର ଖବର, ତଥ୍ୟ, ମୁଦ୍ରଣ ବା ମିଡ଼ିଆ ଫାଇଲ ଏହାର ସତ୍ୟତା ନ ଜାଣି କିମ୍ବା ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ତଥା ବିନା ପୂର୍ବ ସମ୍ମତିରେ ପ୍ରଚାର, ପ୍ରସାର କିମ୍ବା ବଣ୍ଟନ କରିପାରିବେ ନାହିଁ । କୌଣସି ପ୍ରକାର ବିଭ୍ରାନ୍ତିକର ଓ ଅଜଣା ଖବର ତଥା ଗୁଜବର ଅପପ୍ରଚାର ରୋକିବା ଏହି ପ୍ରାବଧାନର ଲକ୍ଷ । କୌଣସି ବ୍ୟକ୍ତି/ଅନୁଷ୍ଠାନ/ସଂଗଠନ ଏପରି କାର୍ଯ୍ୟକଳାପରେ ଲିପ୍ତଥିବା ଜଣାପଡ଼ିଲେ ଏହି ନିୟମାବଳୀ ଅନୁଯାୟୀ ଏହା ଏକ ଦଣ୍ଡନୀୟ ଅପରାଧ ଭାବରେ ପରିଗଣିତ ହେବ । ଏହି ନିୟମାବଳୀ ତୁରନ୍ତ କାର୍ଯ୍ୟକାରୀ ହେବ ଏବଂ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ଏକ ବର୍ଷ ପର୍ଯ୍ୟନ୍ତ ବୈଧ ରହିବ |

ଆଧାର[ସମ୍ପାଦନା]

  1. "Odisha issues regulations for coronavirus. Here're details | Sambad English". www.sambadenglish.com. 13 March 2020. Retrieved 15 March 2020.
  2. Reporter, Staff (13 March 2020). "Odisha declares coronavirus a disaster, imposes restrictions on social gatherings". The Hindu (in ଇଂରାଜୀ). Retrieved 15 March 2020.
  3. "Odisha Govt Issues Notification On COVID-19 Regulations". Pragativadi: Leading Odia Dailly. 13 March 2020. Retrieved 15 March 2020.
  4. "Coronavirus Pandemic | Cabinet approves Odisha Covid-19 Regulations 2020". Moneycontrol. Retrieved 15 March 2020.
  5. Mar 14, Ashok Pradhan । TNN ।. "Covid-19: Odisha to prosecute those who refuse to be quarantined, admitted to hospital | India News - Times of India". The Times of India (in ଇଂରାଜୀ). Retrieved 17 March 2020.
  6. India, Press Trust of (13 March 2020). "Cabinet approves Odisha Covid-19 Regulations 2020". Business Standard India. Retrieved 15 March 2020.