ଓଡ଼ିଶାରେ ସାଧବ ସଂସ୍କୃତି

ଉଇକିପିଡ଼ିଆ ରୁ
Jump to navigation Jump to search

ଆଜକୁ ପ୍ରାୟ ୨୦୦୦ ହଜାର ବର୍ଷ ପୂର୍ବରୁ ଓଡ଼ିଶାର ସାଧବ ପୁଅ ବଙ୍ଗୋପସାଗର ଅତିକ୍ରମ କରି ଜାଭା, ସୁମାତ୍ରା, ବାଲି, ବୋର୍ଣ୍ଣିଓ, ବର୍ମା, ବ୍ରହ୍ମଦେଶ, ଗଙ୍ଗାସାଗର, ସିଂହଳଚାଇନା ଆଦି ଦେଶରେ ବ୍ୟବସାୟ କରୁଥିଲେ। ସେମାନେ ବଙ୍ଗୋପସାଗରକୁ କଳିଙ୍ଗସାଗର ନାମରେ ନାମିତ କରିଥିଲେ। ପୂର୍ବ ଭାରତୀୟ ଦ୍ୱୀପପୁଞ୍ଜର ବାଣିଜ୍ୟରେ କଳିଙ୍ଗ ରାଜବଂଶମାନେ ମଧ୍ୟ ସଂଶ୍ଳିଷ୍ଟ ଥିଲେ। ବର୍ଷସାରା ସଂଗୃହୀତ ପଣ୍ୟ ସମ୍ଭାରକୁ ନେଇ କାର୍ତ୍ତିକ ଅମାବାସ୍ୟା ଦୀପାବଳି ଦିନ ଲକ୍ଷ୍ମୀପୂଜା ହେଉଥିଲା। ତା‘ପରଦିନଠାରୁ କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ବୋଇତରେ ପଣ୍ୟର ସଞ୍ଚୟନ ହେଉଥିଲା। ସାଧବମାନେ କାର୍ତ୍ତିକ ପୂର୍ଣ୍ଣିମା ଦିନ ବୋଇତଯାତ୍ରା କରୁଥିଲେ୤ କାର୍ତ୍ତିକଠାରୁ ଚୈତ୍ର ପର୍ଯ୍ୟନ୍ତ ସେଠାରେ ବାଣିଜ୍ୟ କାରବାର ଚାଲୁଥିଲା। ଫାଲ୍‌ଗୁନ ଓ ଚୈତ୍ର ମାସରେ ଦକ୍ଷିଣା ପବନ ଆରମ୍ଭ ହେବା ସଙ୍ଗେ ସଙ୍ଗେ ସାଧବମାନେ ଘରକୁ ଫେରୁଥିଲେ।[୧]

ନୌଯାତ୍ରା ସମୟ[ସମ୍ପାଦନା]

ଆମ ଦେଶରେ ଆଷାଢ଼ ମାସଠାରୁ ଆଶ୍ୱିନ ମାସ ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହିତ ହୋଇଥାଏ ଏବଂ କାର୍ତ୍ତିକ ମାସଠାରୁ ଫାଲ୍‌ଗୁନ ମାସ ପର୍ଯ୍ୟନ୍ତ ଉତ୍ତର-ପୂର୍ବ ମୌସୁମୀ ବାୟୁ ପ୍ରବାହିତ ହେଉଥିବାରୁ ଓଡ଼ିଆ ସାଧବ ପୁଅ କାର୍ତ୍ତିକ ମାସରେ ବାଣିଜ୍ୟ ଯାତ୍ରା ଆରମ୍ଭ କରି ଆଷାଢ଼ ମାସରେ ବିଦେଶରୁ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିବା ଏକ ଭୌଗୋଳିକ ତଥା ବୌଜ୍ଞାନିକ ସିଦ୍ଧାନ୍ତ ବୋଲି ବିଚାର କରାଯାଏ।[୨]

ନୌବାଣିଜ୍ୟ ସମ୍ବଳିତ କାବ୍ୟ କବିତା[ସମ୍ପାଦନା]

ନୌବାଣିଜ୍ୟ ସମ୍ବଳିତ ଦୁଇଟି କାବ୍ୟରୁ କେନ୍ଦ୍ରାପଡା ଅଞ୍ଚଳର ନୌବାଣିଜ୍ୟ ତଥା ବହିର୍ବାଣିଜ୍ୟ ବିଷୟରେ ଜଣାପଡେ। ‘ଖୁଲଣାସୁନ୍ଦରୀ’ ବା ନିଶା ମଙ୍ଗଳବାର ଓଷାର ରଚୟିତା ଭିକାରି ଧୀବର ଯିଏକି ଆଳି ରାଜପୁତ୍ରଙ୍କର ଗୃହ ଶିକ୍ଷକ ଥିଲେ। ଅଷ୍ଟାଦଶ ଶତାବ୍ଦୀରେ ଏହି କାବ୍ୟ ରଚନା କରିଥିଲେ। କାବ୍ୟର ବିଷୟବସ୍ତୁ ଘାଗରା – ଇନ୍ଦୁପୁର ଅଞ୍ଚଳର ସୌଦାଗର ଧନେଶ୍ୱର ବୋଇତ ନେଇ ଯାଇ ସିଂହଳରେ ବନ୍ଦୀ ହୋଇଥିଲେ। ତାଙ୍କ ପୁତ୍ର ଶ୍ରୀଧର କୁମର ତାଙ୍କୁ ଯୁଦ୍ଧ କରି ମୁକ୍ତ କରିବା ସହିତ ସେଠା ରାଜକୁମାରୀଙ୍କୁ ବିବାହ କରିଥିଲେ। ବାଣିଜ୍ୟ ସହିତ ଗୋଟିଏ ଜାତିର ଐଶ୍ୱର୍ଯ୍ୟ ଓ ବୀରତ୍ୱକୁ ପ୍ରତିପାଦନ କରାଯାଇଛି। ଆଳି ରାଜା ବ୍ରଜସୁନ୍ଦର ଦେବ ଓ ବଡକୋଠା ଜମିଦାର ରାଧାଶ୍ୟାମ ନରେନ୍ଦ୍ରଙ୍କର ମଧ୍ୟ ବୋଇତ ବାହାର ଦେଶକୁ ଯାଇ ଧନରତ୍ନ ଭରି ଆଣୁଥିଲେ। ତାହା କାବ୍ୟାନ୍ତରାଳରେ ଲକ୍ଷ୍ୟ କରାଯାଏ। ଅନୁରୂପ କାବ୍ୟ ‘ତଅପୋଈ’ ବା ‘ଖୁଦୁରୁକୁଣୀ ଓଷା’ରେ ମିଳେ। ସପ୍ତଦଶ ଶତାବ୍ଦୀର କବି ପୁରୁଷୋତ୍ତମ ଦାସ ଉପକୂଳ ଅଞ୍ଚଳର ସାଧବପୁଅଙ୍କ ବୋଇତ ଯାତ୍ରାର କରୁଣ କାହାଣୀ ବର୍ଣ୍ଣନା କରିଛନ୍ତି। ତଅପୋଈ ଚରିତ୍ରର ବର୍ଣ୍ଣନା ସହିତ ସପ୍ତ ସାଧବଙ୍କର ବାଣିଜ୍ୟ କାହାଣୀ କାବ୍ୟକୁ ରସାଳ ଓ ମନମୋହିତ କରିଛନ୍ତି। ସାତଭାଇଙ୍କ ନାମରେ ‘ସାତଭାୟା’ ଅଦ୍ୟାପି ଭୌଗଳିକ ସାକ୍ଷ୍ୟ ପ୍ରଦାନ କରେ। ସେମାନଙ୍କ ନାମାନୁସାରେ ମୋହନପୁର, ବେଣୁପୁର ଆଦି ସାତଟି ବସତି ଅଧୁନା ଅବସ୍ଥିତ। ମଙ୍ଗଳ ଚାନ୍ଦଙ୍କ ନାମରେ ଚାନ୍ଦବାଲି ହୋଇଅଛି। ବ୍ରିଟିଶ ରାଜତ୍ୱକାଳରେ ବାହାର ଦେଶକୁ ଲୁଣ ରପ୍ତାନି କରାଯାଉଥିଲା। ବତିଘର, ହୁକିଟୋଲା, ଜମ୍ବୁ ବାଟ ଦେଇ ନଦୀପଥରେ – ବନ୍ଦର ବାଟେ ଜାହାଜ ଯାଉଥିଲା। କେନ୍ଦ୍ରାପଡାରେ ଲୁଣ ବଙ୍ଗଳା ବା ସଲ୍‌ଟ ବଙ୍ଗଳା ଶତାଧିକ ବର୍ଷରୁ ମସ୍ତକ ଟେକି ଦଣ୍ଡାୟମାନ। ସବ୍‌କଲେକ୍ଟରଙ୍କ ବସାର ଅନତି ଦୂରରେ ଲଞ୍ଚଘାଟ ଥିଲା, ଅଦ୍ୟାପି ଲଞ୍ଚଘାଟ ନାମରେ ବିଦିତ। [୩]

ନୌବାଣିଜ୍ୟ ଯୋଗୁଁ ସ୍ଥାନର ନାମକରଣ[ସମ୍ପାଦନା]

ବୋଇତକୁଦ, ବୋଇତଡ଼ିଅ, ବୋଇତପଦା, ବୋଇତାଳଗଣ୍ଡ, ବୋଇତାଳପାଟଣା, ବୋଇତେଇ, ବୋଇତିକୂଳୀଧାନଇ, ପୋତନଈ, ପୋତଗଣ୍ଡ, ପୋତମଙ୍ଗ, ପୋତମଙ୍ଗଭଙ୍ଗାମଣ୍ଡ, ପୋତନଈପାଟଣା, ପୋତେଇ, ପୋତପୋଖରୀ, ପୋତାପୋଖରୀ(କଳବକ), ନାଇଆଢିଅ, ନାହାକାଣୀଢିଅ, ନାହାକାଣୀ, ନାହାଙ୍ଗ, ନଅଙ୍ଗ, ନାଆଖଣ୍ଡ, ବଡମଙ୍ଗ, ସାନମଙ୍ଗ, ବହିତ୍ର, ବହିପତ୍ର। [୪]

ନୌବାଣିଜ୍ୟର ପତନ[ସମ୍ପାଦନା]

ନୌବାଣିଜ୍ୟ ପରମ୍ପରା ଷୋଡ଼ଶ ଶତାବ୍ଦୀ ଅର୍ଥାତ୍‌ ମୋଗଲ ରାଜତ୍ୱର ଶେଷ ପର୍ଯ୍ୟନ୍ତ ଚାଲିଥିଲା।[୫]କିନ୍ତୁ, ଓଡ଼ିଶାର ନୌବାଣିଜ୍ୟର ପ୍ରତିଷ୍ଠାକୁ ପ୍ରତିହତ କରିବା ପାଇଁ ନବାବମାନେ ବିଦେଶୀ ବଣିକକୁ ଓଡ଼ିଶା ଉପକୂଳରେ ନୌବାଣିଜ୍ୟ କରିବା ପାଇଁ ଅନୁମତି ଦେଲେ । ଏହା ଫଳରେ ସେମାନେ ନାନାଭାବରେ ସାଧବମାନଙ୍କୁ ହତୋତ୍ସାହିତ କରିଥିଲେ। ମୁସଲମାନ ନବାବମାନେ ବନ୍ଦରଗୁଡ଼ିକର ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ନଦେଇ କର ଆଦାୟରେ ବ୍ୟସ୍ତ ରହିଲେ। ଉପକୂଳ ଅଞ୍ଚଳରେ ଜଙ୍ଗଲ କ୍ଷୟ ଯୋଗୁଁ ବାରମ୍ବାର ବାତ୍ୟା ସଂଗଠିତ ହୋଇ ବନ୍ଦରଗୁଡ଼ିକୁ ଧ୍ୱଂସ କରିଦେଲା । ପ୍ରଳୟଙ୍କାରୀ ଘୂର୍ଣ୍ଣିବାତ୍ୟା ସମୁଦ୍ର ବକ୍ଷରେ ଚାଳିତ ବାଣିଜ୍ୟ ପୋତ(ବୋଇତ)ଗୁଡ଼ିକ ଅତଳ ଜଳରେ ଡୁବିଯାଇ ନିଶ୍ଚିହ୍ନ ହୋଇଗଲା। ବୈଦେଶିକ ବୋମ୍ବାଟିଆ(ଜଳଦସ୍ୟୁ) ଯଥା- ପର୍ତ୍ତୁଗୀଜମାନେ ଜଳଦସ୍ୟୁଭାବେ ସାଧବମାନଙ୍କର ବୋଇତଗୁଡ଼ିକୁ ବାରମ୍ବାର ଲୁଣ୍ଠନ କଲେ। ମୁସଲମାନ ରାଜତ୍ୱ ପରେ ମରହଟ୍ଟାମାନଙ୍କ ଶାସନ କାଳରେ ରାଜକର୍ମଚାରୀମାନେ ନାନା ଭାବରେ ସାଧବମାନଙ୍କୁ ଶୋଷଣ କଲେ। ଏହିପରି ଚାରିଆଡୁ ହତୋତ୍ସାହିତ ହୋଇ ଶେଷରେ ସାଧବମାନେ ନୌବାଣିଜ୍ୟରୁ ଅପସରି ଗଲେ।[୬]ଯଦିଓ ଷୋଡ଼ଶ ଶତାବ୍ଦୀ ପରେ ନୌବାଣିଜ୍ୟ ପାଇଁ ଅନେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେଲା, ତଥାପି ଉନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା ବଳବତ୍ତର ଥିଲା ବୋଲି ଐତିହାସିକମାନେ ମତ ଦେଇଥାନ୍ତି।[୭]

ନୌବାଣିଜ୍ୟ ତ୍ୟାଗ ପରେ ବୃତ୍ତି[ସମ୍ପାଦନା]

ବୋଇତରେ ସାଧାରଣତଃ ମଙ୍ଗରାଜ, ସାଧବ ଓ ବାହକ ତିନିଶ୍ରେଣୀର କର୍ମଚାରୀ ତହିଁରେ ଯାତ୍ରା କରୁଥିଲେ। ବୋଇତ ବାହିନୀର ସାଧବ, କୈବର୍ତ୍ତ, ବୋତାଇ, ତରାଇ, ପୋଥାଳ(ପୋତ ଚାଳକ), ସାଥୁଆ, ଷାଠିଆ, ସାସମଲ୍ଲ, ସାହୁ, ମଙ୍ଗରାଜ ପ୍ରଭୃତି ସଂଜ୍ଞାଧାରୀ ଉପକୂଳ ଅଞ୍ଚଳରେ ବାସ କରନ୍ତି। [୮]ସାଧବ ବୋଇତାଳମାନେ ନୌବାଣିଜ୍ୟକୁ ଜଳାଞ୍ଜଳି ଦେବା ପରେ ଜୀବିକା ନିର୍ବାହ ପାଇଁ ବିଭିନ୍ନ ବୃତ୍ତିକୁ ଆପଣେଇ ନେଲେ। ଯେଉଁମାନେ ମିଷ୍ଟାନ୍ନ ଓ ତୈଳ ବ୍ୟବସାୟ କଲେ ସେମାନଙ୍କୁ ସାହୁ(ଗୁଡ଼ିଆ) ଓ ତେଲି, ଯେଉଁମାନେ ମାଛମାରି ଜୀବିକା ନିର୍ବାହ କଲେ ସେମାନଙ୍କୁ କୈବର୍ତ୍ତ, ଯେଉଁ ସାଧବ ଗୋଷ୍ଠୀ ଚୁଡା କୁଟି ଜୀବନ ଧାରଣ କଲେ ସେମାନେ କେଉଟ(ନିଆରି), ଯେଉଁମାନେ ସ୍ୱର୍ଣ୍ଣ ଓ ମସଲାଦି ଔଷଧ ବୃତ୍ତିକୁ ଆଦରି ନେଲେ ସେମାନଙ୍କୁ ସୁନାରି ଓ ପୋଟଳୀ ବୈଶ୍ୟ/ବଣିକ ଏବଂ ଯେଉଁମାନେ ଡଙ୍ଗାରେ ନଦୀ ପାର କରାଇ ପେଟ ପୋଷିଲେ ସେମାନଙ୍କୁ ‘ତରାଇ’ ନାମରେ ଅଭିହିତ କରାଗଲା।[୯]

  1. ବରଦା ପ୍ରସନ୍ନ ଦାସ, ଧରିତ୍ରୀ, ୨୮.୧୧.୨୦୧୨
  2. ରାଧାରଞ୍ଜନ ପଟ୍ଟନାୟକ, ପୃଷ୍ଠା-୮, ୨୭.୧୧.୨୦୧୨, ସୂର୍ଯ୍ୟପ୍ରଭା
  3. ଡ. ବାସୁଦେବ ଦାସ, ୨୭.୧୧.୧୯୧୨, ଓଡ଼ିଶା ଏକ୍ସପ୍ରେସ
  4. ଡକ୍ଟର ହରିଶ ଚନ୍ଦ୍ର ପୃଷ୍ଟି, ସୂର୍ଯ୍ୟପ୍ରଭା, ପୃଷ୍ଠା-୯, ୨୯.୧୧.୨୦୧୨
  5. ରାଧାରଞ୍ଜନ ପଟ୍ଟନାୟକ, ପୃଷ୍ଠା-୮, ୨୭.୧୧.୨୦୧୨, ସୂର୍ଯ୍ୟପ୍ରଭା
  6. ଇଂ. ଅଭୟ ସୂତାର, ସମୟ, ପୃଷ୍ଠା-୪, ସମୟ, ୨୮.୧୧.୨୦୧୨
  7. ରାଧାରଞ୍ଜନ ପଟ୍ଟନାୟକ, ପୃଷ୍ଠା-୮, ୨୭.୧୧.୨୦୧୨, ସୂର୍ଯ୍ୟପ୍ରଭା
  8. ଡ. ବାସୁଦେବ ଦାସ, ୨୭.୧୧.୧୯୧୨, ଓଡ଼ିଶା ଏକ୍ସପ୍ରେସ
  9. ଡକ୍ଟର ହରିଶ ଚନ୍ଦ୍ର ପୃଷ୍ଟି, ସୂର୍ଯ୍ୟପ୍ରଭା, ପୃଷ୍ଠା-୯, ୨୯.୧୧.୨୦୧୨