ଋଷି କପୁର

ଉଇକିପିଡ଼ିଆ‌ରୁ
ଋଷି କପୁର
ଋଷି ୨୦୧୬ରେ
Born
ଋଷି ରାଜ କପୁର

(1952-09-04)୪ ସେପ୍ଟେମ୍ବର ୧୯୫୨
Died୩୦ ଅପ୍ରେଲ ୨୦୨୦(2020-04-30) (ବୟସ ୬୭)
ମୁମ୍ବାଇ, ଭାରତ[୧]
Occupationଅଭିନେତା
Years active୧୯୭୦-୨୦୨୦
Spouseନିତୁ ସିଂ
Childrenରିଧିମା, ରଣବୀର

ଋଷି କପୁର (୪ ସେପ୍ଟେମ୍ବର ୧୯୫୨ - ୩୦ ଅପ୍ରେଲ ୨୦୨୦)[୨] ଜଣେ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ଥିଲେ । ସେ ନିଜର ପ୍ରଥମ ଚଳଚ୍ଚିତ୍ର 'ମେରା ନାମ ଜୋକର' ପାଇଁ ଶ୍ରେଷ୍ଠ ଶିଶୁ କଳାକାର ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ । ମୁଖ୍ୟ ନାୟକ ଭାବରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା 'ବବି' ( ୧୯୭୩ ) । ଏହି ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ନବାଗତ ଅଭିନେତା ଭାବରେ ଫିଲ୍ମଫେୟାର ପୁରସ୍କାର ଲାଭ କରିଥିଲେ ।

୧୯୭୩ରୁ ୨୦୦୦ ମଧ୍ୟରେ ସେ ୯୨ଟି ଚଳଚ୍ଚିତ୍ରରେ ମୁଖ୍ୟ ନାୟକ ଭାବରେ ଅଭିନୟ କରିଥିଲେ । ଏହି ଚରିତ୍ର ଗୁଡିକରେ ତାଙ୍କର ମୁଖ୍ୟତଃ ପ୍ରେମିକ ଚରିତ୍ର ଥିଲା । ଏହି ସମୟରେ ସେ ଅଭିନୟ କରିଥିବା କିଛି ଲୋକପ୍ରିୟ ଚଳଚ୍ଚିତ୍ର ଥିଲା : 'ଖେଳ ଖେଳ ମେଁ'( ୧୯୭୫ ), 'କଭି କଭି'( ୧୯୭୬ ), 'ଅମର ଆକବର ଆନ୍ଥୋନୀ'( ୧୯୭୭ ), 'କର୍ଜ'( ୧୯୮୦ ), 'ଚାନ୍ଦିନୀ'( ୧୯୮୯ ) । ୨୦୦୦ ମସିହା ପରେ ସେ ପ୍ରେମିକ ଚରିତ୍ରର ବାହାରି କିଛି ଅନ୍ୟ ପ୍ରକାର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେଗୁଡିକ ମଧ୍ୟରେ 'ଲଭ ଆଜ କଲ'( ୨୦୦୯ ), 'ଅଗ୍ନିପଥ'( ୨୦୧୨ ), ମୁଲ୍କ( ୨୦୧୮ ), 'ଦୋ ଦୁନି ଚାର'( ୨୦୧୦ ), 'କପୁର ଆଣ୍ଡ ସନ୍ସ'( ୨୦୧୬ ) ଆଦି ଅନ୍ୟତମ ।[୩][୪] 'ଦୋ ଦୁଇନି ଚାର ପାଇଁ' ସେ ଫିଲ୍ମଫେୟାର କ୍ରିଟିକ୍ସ ସମ୍ମାନ, କପୁର ଆଣ୍ଡ ସନ୍ସ ପାଇଁ ଫିଲ୍ମଫେୟାର ସହ ଅଭିନେତା ସମ୍ମାନ ପାଇଥିଲେ । ୨୦୦୮ରେ ତାଙ୍କୁ ଫିଲ୍ମଫେୟାର ଲାଇଫ ଟାଇମ ଆଚିଭମେଣ୍ଟ ସମ୍ମାନ ପ୍ରଦାନ କରାଯାଇଥିଲା । ମୁକ୍ତିଲାଭ କରିଥିବା ଋଷିଙ୍କର ଶେଷ ଚଳଚ୍ଚିତ୍ର ଥିଲା 'ଦ ବଡି' (୨୦୧୯)

ଋଷି ତାଙ୍କ ପତ୍ନୀ ନିତୁ ସିଂଙ୍କ ସହିତ ବହୁତ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେମାନଙ୍କର ରଣବୀର ଓ ରିଦ୍ଧିମା ନାମରେ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ୨୦୨୦ ଅପ୍ରେଲ ୩୦ତାରିଖରେ ଋଷି ଲିଉକେମିଆ ବ୍ୟାଧିରେ ପୀଡ଼ିତ ହୋଇ ପ୍ରାଣ ହରାଇଥିଲେ ।[୫][୬]

ପ୍ରାରମ୍ବିକ ଜୀବନ ଓ ପରିବାର[ସମ୍ପାଦନା]

ଋଷି ପତ୍ନୀ ନିତୁ ଓ ପୁଅ ରଣବୀରଙ୍କ ସହ

ଋଷି ମୁମ୍ବାଇର ଚେମ୍ବୁରଠାରେ ଏକ ହିନ୍ଦୁ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୭] ତାଙ୍କ ପିତା ଥିଲେ ଅଭିନେତା ଓ ନିର୍ଦ୍ଦେଶକ ରାଜ କପୁର ଓ ମାତା କ୍ରିଷ୍ଣା ରାଜ କପୁର । ତାଙ୍କ ଜେଜେ ବାପା ଥିଲେ ପୃଥିବୀ ରାଜ କପୁର । ତାଙ୍କ ଭାଇ ରଣଧୀର କପୁର ଓ ରାଜୀବ କପୁର, ମାମୁଁ ପ୍ରେମ ନାଥ, ରାଜେନ୍ଦ୍ର ନାଥ ଓ ନରେନ୍ଦ୍ର ନାଥ, କକା ଶଶି କପୁର ଓ ଶମ୍ମୀ କପୁର ସମସ୍ତେ ଅଭିନେତା । ଋତୁ ଓ ରିମା ତାଙ୍କର ଦୁଇ ଭଉଣୀ ।

ଋଷି ମୁମ୍ବାଇର କ୍ୟାମ୍ପିୟନ ସ୍କୁଲ ଓ ଆଜମେରର ମାୟୋ କଲେଜରେ ପାଠ ପଢ଼ିଥିଲେ ।

ବୃତିଗତ ଜୀବନ[ସମ୍ପାଦନା]

ମୁଖ୍ୟ ଅଭିନେତା ଭାବରେ ( ୨୦୦୦ ପୂର୍ବରୁ)[ସମ୍ପାଦନା]

ଋଷିଙ୍କର ପ୍ରଥମ ଚଳଚ୍ଚିତ୍ର ପଦାର୍ପଣ ହୋଇଥିଲା 'ଶ୍ରୀ ୪୨୦'ର ଏକ ଗୀତ 'ପ୍ୟାର ହୁଆ ଇକରାର ହୁଆ' ମାଧ୍ୟମରେ । 'ମେରା ନାମ ଜୋକର'ରେ ସେ ରାଜ କପୁରଙ୍କ ପିଲା ବେଳ ଚରିତ୍ରରେ ଅଭିନୟ କରିଥିଲେ । ନାୟକ ଭାବରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ୧୯୭୩ ମସିହାର ଚଳଚ୍ଚିତ୍ର 'ବବି' । ଏହି ଚଳଚ୍ଚିତ୍ର ସେ ସମୟରେ ବହୁତ ବ୍ୟବସାୟିକ ସଫଳତା ଲାଭ କରିଥିଲା ଓ ଏହି ଚଳଚ୍ଚିତ୍ର ପାଇଁ ସେ ଫିଲ୍ମଫେୟାର ଶ୍ରେଷ୍ଠ ନାୟକ ପୁରସ୍କାର ଲାଭ କରିଥିଲେ । ୧୯୭୦ ଦଶକରେ ସେ 'ରଫୁ ଚକ୍କର', 'ଅମର ଆକବର ଆନ୍ଥୋନୀ, 'ଖେଳ ଖେଳ ମେଁ', 'ହମ କିସିସେ କମ ନେହିଁ', 'କଭି କଭି' ଓ 'ଦୁସରା ଆଦମୀ' ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୧୯୮୦ରେ ସେ ନିଜ ସହ କଳାକାର ନିତୁ ସିଂଙ୍କୁ ବିବାହ କରିଥିଲେ ।

୧୯୮୦ ଦଶକରେ ଋଷି ନିଜର ଅଭିନୟକୁ ବ୍ୟାପକ କରି 'କର୍ଜ', 'ଏକ ଚାଦର ମୈଲି ସି' ଆଦି ଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ ।[୮]

ତାଙ୍କର ଅନ୍ୟ ଚଳଚ୍ଚିତ୍ର ମଧ୍ୟରେ ଥିଲା 'ରାଜା' (୧୯୭୫ ), 'ଲୈଲା ମଜନୁ', ( ୧୯୭୬), ସରଗମ (୧୯୭୯), ପ୍ରେମ ରୋଗ (୧୯୮୨), କୁଲି ( ୧୯୮୨), ସାଗର (୧୯୮୫), ଚାନ୍ଦନୀ ( ୧୯୮୯), 'ବୋଲ ରାଧା ବୋଲ' (୧୯୯୨) , ଦାମିନୀ ( ୧୯୯୩) ଓ କାରୋବାର (୨୦୦୦) ।[୯] [୧୦]

୧୯୯୯ରେ ସେ 'ଆ ଅବ ଲୌଟ ଚଲେଁ' ନାମକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିଲେ ।

ସହ ଅଭିନେତା (୨୦୦୦ ପରେ)[ସମ୍ପାଦନା]

ଋଷି ରାଜ୍ୟବର୍ଧନ ସିଂ ରାଠୋରଙ୍କଦ୍ୱାରା ସମ୍ମାନୀତ ହେବା ଅବସରରେ

୨୦୦୦ ପରେ ଋଷି ଚରିତ୍ର ଅଭିନେତା ଭାବରେ ଅଭିନୟ ଆରମ୍ବ କରିଥିଲେ ।ସେହି ଚଳଚ୍ଚିତ୍ର ମଧ୍ୟରୁ ଅଗ୍ନିପଥ (୨୦୧୨), 'ଷ୍ଟୁଡେଣ୍ଟ ଅଫ ଦି ଇୟର' (୨୦୧୨), 'ଦୋ ଦୁନି ଚାର', 'କପୁର ଆଣ୍ଡ ସନ୍ସ',ହମ ତୁମ ( ୨୦୦୪), ଫନା ( ୨୦୦୬), ନମସ୍ତେ ଲଣ୍ଡନ ( ୨୦୦୭), 'ଲଭ ଆଜ କଲ' ( ୨୦୦୯) , 'ଦିଲ୍ଲୀ ୬' ଓ 'ଡି-ଡେ' ଆଦି ଅନ୍ୟତମ ।[୯]

୨୦୧୮ରେ ନେଟଫ୍ଲିକ୍ସ ନାଟକ 'ରାଜମା-ଚାୱଲ'ରେ ସେ ଅଭିନୟ କରିଥିଲେ । '୧୦୨ ନଟ ଆଉଟ'ରେ ଅମିତାଭ ବଚ୍ଚନଙ୍କ ୭୬ବର୍ଷିୟ ପୁତ୍ର ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ।

୨୦୧୯ରେ ସେ 'ଝୁଠା କହିଁ କା' ଓ 'ଦ ବଡି' ନାମରେ ୨ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ।[୯] 'ଶର୍ମାଜୀ ନମକିନ' ନାମକ ଚଳଚ୍ଚିତ୍ର ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ମୁକ୍ତି ଲାଭ କରି ନଥିଲା ।[୧୧]

ଋଷି, ପତ୍ନୀ ନିତୁଙ୍କ ସହ

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଋଷି ଅନେକ ଚଳଚ୍ଚିତ୍ରର ନାୟିକ ନିତୁ ସିଂଙ୍କୁ ବିବାହ କରିଥିଲେ । ସେମାନଙ୍କର ପୁଅ ରଣବୀର କପୁର ଜଣେ ଅଭିନେତା ଓ ତାଙ୍କ ଝିଅଙ୍କ ନାମ ରିଦ୍ଧିମା କପୁର ସାହାଣୀ । ଋଷିଙ୍କର ଆତ୍ମଜୀବନୀ 'ଖୁଲମ ଖୁଲା : ଋଷି କପୁର ଅନ-ସେନସରଡ଼' ୨୦୧୭ ମସିହାରେ ପ୍ରକାଶ ପାଇଥିଲା । ଏଥିରେ ଋଷିଙ୍କର ସହ ଲେଖିକା ଥିଲେ ମିନା ଆୟର । ହାର୍ପର କଲିନ୍ସ ଏହି ପୁସ୍ତକର ପ୍ରକାଶକ ଥିଲେ । ଗୋମାଂସ ଭକ୍ଷଣକୁ ନେଇ ଋଷିଙ୍କର ମନ୍ତବ୍ୟ ବିବାଦସ୍ପଦ ହୋଇଥିଲା ।

ଅସୁସ୍ଥତା ଓ ମୃତ୍ୟୁ[ସମ୍ପାଦନା]

ଋଷି, ୨୦୧୮ ମସିହାରେ ଲିଉକେମିଆରେ ପୀଡ଼ିତ ଥିବା ଜଣା ପଡିଥିଲା । ସେ ନ୍ୟୁୟର୍କରେ ଏଥିପାଇଁ ଚିକିତ୍ସିତ ହୋଇଥିଲେ । ଏକ ବର୍ଷରୁ ଅଧିକ ସମୟ ଧରି ଚିକିତ୍ସା ପରେ ଋଷି, ୨୦୧୯ ସେପ୍ଟେମ୍ବରରେ ଭାରତକୁ ଫେରିଥିଲେ । ୨୯ତାରିଖରେ ଶ୍ୱାସ ପ୍ରଶ୍ୱାସରେ ଅସୁବିଧାକୁ ନେଇ, ଋଷିଙ୍କୁ ରିଲାଏନ୍ସ ଫାଉଣ୍ଡେସନ ହାସପାତାଲରେ ରଖାଯାଇଥିଲା ଓ ୩୦ ଅପ୍ରେଲ ୨୦୨୦ରେ ଅସ୍ଥି ମଜ୍ଜା କର୍କଟ ଯୋଗୁ ତାଙ୍କର ପରଲୋକ ଘଟିଥିଲା । [୧୨][୧୩][୧୪]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

୨୦୧୬ରେ ଋଷି, ପ୍ରକାଶ ଜାଭଡେକରଙ୍କଠାରୁ ଜିଆଣ୍ଟ ପୁରସ୍କାର ଗ୍ରହଣ କରୁଥିବା ଅବସରରେ
  • ୧୯୭୦ – ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଓ ବେଙ୍ଗଲ ଫିଲ୍ମ ସାମ୍ବାଦିକ ସମ୍ମାନ[୧୫]
  • ୧୯୭୪ – ଫିଲ୍ମଫେୟାର ସମ୍ମାନ ଶ୍ରେଷ୍ଠ ଅଭିନେତା ବବି ଚଳଚ୍ଚିତ୍ର ପାଇଁ
  • ୨୦୦୮ – ଫିଲ୍ମଫେୟାର ଲାଇଫ ଟାଇମ ଆଚିଭମେଣ୍ଟ ସମ୍ମାନ
  • ୨୦୦୯ – ଋଷ ସରକାରଙ୍କଦ୍ୱାରା ସମ୍ବର୍ଦ୍ଧନା
  • ୨୦୧୦ – ଅପ୍ସରା ଫିଲ୍ମ ଓ ଟେଲିଭିଜନ ପୁରସ୍କାର ଲଭ ଆଜ କଲ ପାଇଁ
  • ୨୦୧୧ – ଜି ସିନେ ସମ୍ମାନ ନିତୁଙ୍କ ସହ ଶ୍ରେଷ୍ଠ ଜୋଡି
  • ୨୦୧୧ – ଫିଲ୍ମଫେୟାର ସମ୍ମାନ ଦୋ ଦୁନି ଚାର ପାଇଁ
  • ୨୦୧୩ – ଟାଇମସ ଅଫ ଇଣ୍ଡିଆ ଚଳଚ୍ଚିତ୍ର ପୁରସ୍କାର ଅଗ୍ନିପଥ ପାଇଁ[୧୬][୧୭]
  • ୨୦୧୭ – ଫିଲ୍ମଫେୟାର ସମ୍ମାନ କପୁର୍ ଆଣ୍ଡ ସନ୍ସ ପାଇଁ
  • ୨୦୧୭ – ଜି ସିନେ ସମ୍ମାନ ଶ୍ରେଷ୍ଠ ସହ ଅଭିନେତା କପୁର୍ ଆଣ୍ଡ ସନ୍ସ ପାଇଁ
  • ୨୦୧୭ – ଜି ସିନେ ସମ୍ମାନ ଶ୍ରେଷ୍ଠ ହାସ୍ୟ ଅଭିନେତା କପୁର୍ ଆଣ୍ଡ ସନ୍ସ ପାଇଁ

ଆଧାର[ସମ୍ପାଦନା]

  1. "Rishi Kapoor passes away at 67 after a long battle with Cancer". Times of India. 30 April 2020. Retrieved 1 May 2020.
  2. "Rishi Kapoor, veteran Hindi actor, passes away". The Hindu (in Indian English). 2020-04-30. ISSN 0971-751X. Retrieved 2020-04-30.
  3. "Rishi Kapoor, Indian Film Legend, Dies at 67". Variety. 29 April 2020. Retrieved 30 April 2020.
  4. "Rishi Kapoor passes away: From Bobby, Chandni to Kapoor & Sons, a look at celebrated actor's most remarkable films". Firspost. 30 April 2020. Retrieved 30 April 2020.
  5. ऋषि कपूर का 67 वर्ष की उम्र में निधन, अमिताभ बच्चन ने ट्वीट कर दी जानकारी
  6. Tribune, Emea (Apr 30, 2020). "Legendary indian actor rishi kapoor has died from cancer". Emea Tribune. Retrieved Apr 30, 2020.
  7. Gooptu, Sharmistha (29 October 2010). Bengali Cinema: 'An Other Nation'. Taylor & Francis. ISBN 9780203843345 – via Google Books.
  8. Kumar, Anuj (2016-08-25). "Karz (1980)". The Hindu (in Indian English). ISSN 0971-751X. Retrieved 2020-04-30.
  9. ୯.୦ ୯.୧ ୯.୨ correspondent, Hannah Ellis-Petersen South Asia (2020-04-30). "Rishi Kapoor, Bollywood star, dies of leukaemia aged 67". The Guardian (in ବ୍ରିଟିଶ୍‌ ଇଂରାଜୀ). ISSN 0261-3077. Retrieved 2020-04-30.
  10. "Bollywood's romantic hero Rishi Kapoor dies". BBC News (in ବ୍ରିଟିଶ୍‌ ଇଂରାଜୀ). 2020-04-30. Retrieved 2020-04-30.
  11. "Rishi Kapoor to Start Shooting for Next Film With Juhi Chawla". News 18. Archived from the original on 5 December 2019. Retrieved 24 January 2020.
  12. "Veteran Actor Rishi Kapoor Hospitalised In Mumbai". NDTV. 30 April 2020. Retrieved 30 April 2020.
  13. "Bollywood legend Rishi Kapoor passes away at 67". Khaleej Times. 30 April 2020. Retrieved 30 April 2020.
  14. "Bollywood Veteran Rishi Kapoor Dies Aged 67". Universal News. 30 April 2020. Archived from the original on 25 September 2020. Retrieved 1 May 2020.
  15. [୧] Archived 21 April 2008 at the Wayback Machine.
  16. "Priyanka, Ranbir win best actor awards at TOIFA". intoday.in. 8 April 2013. Archived from the original on 11 April 2013. Retrieved 11 April 2013.
  17. "Winners of Times Of India Film Awards 2013 (TOIFA)". bollywoodhungama.com. 8 April 2013. Archived from the original on 11 April 2013. Retrieved 11 April 2013.

ବାହାର ଆଧାର[ସମ୍ପାଦନା]