ଉଷ୍ମ ପ୍ରସ୍ରବଣ ଉପତ୍ୟକା
ଉଷ୍ମ ପ୍ରସ୍ରବଣ ଉପତ୍ୟକା | |
---|---|
ଋଷିଆର କାମଚଟକା କ୍ରାଇରେ ଉଷ୍ମ ପ୍ରସ୍ରବଣ ଉପତ୍ୟକାର ଅବସ୍ଥିତି | |
Location | କାମଚଟକା, ଋଷ |
Coordinates | 54°25′52″N 160°08′20″E / 54.431°N 160.139°E |
ଉଷ୍ମ ପ୍ରସ୍ରବଣ ଉପତ୍ୟକା (ଇଂରାଜୀ ଭାଷାରେ Valley of Geysers, ଋଷୀୟ ଭାଷାରେ Долина гейзеров) ଋଷ ଦେଶର କାମଚଟକା ଅଞ୍ଚଳରେ ଅବସ୍ଥିତ ଏକ ଉଷ୍ମ ପ୍ରସ୍ରବଣପୂର୍ଣ୍ଣ ଅଞ୍ଚଳ । ଏହି ସ୍ଥାନରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ସଂଖ୍ୟକ ଉଷ୍ମ ପ୍ରସ୍ରବଣ ଏକତ୍ରିତ ହୋଇ ରହିଛି । ସୁଦୂର-ପୂର୍ବ ଋଷର କାମଚଟକା ଉପଦ୍ୱୀପରେ ଥିବା ଏହି ୬ କିଲୋମିଟର ଲମ୍ବ ଉପତ୍ୟକାରେ ଆଖାପାଖି ୯୦ଟି ଉଷ୍ମ ପ୍ରସ୍ରବଣ ରହିଛି । ଗେସେର୍ଣ୍ଣାୟା ନଦୀର ବାମ ତଟରେ ଏମାନଙ୍କ ମଧ୍ୟରୁ ଅଧିକାଂଶ ଉଷ୍ମ ପ୍ରସ୍ରବଣ ରହିଛି । କିଖ୍ପିନିଚ୍ ନାମକ ଏକ ନୂତନ ମିଶ୍ରିତ ଆଗ୍ନେୟଗିରି ଏହି ପ୍ରାକୃତିକ ପ୍ରସ୍ରବଣମାନଙ୍କ କାରଣ । ଆଗ୍ନେୟଗିରି ମୁଖରୁ ୫୦୦ ମିଟର ତଳେ ତାପମାତ୍ରା ପ୍ରାୟ ୨୫୦° ସେଲସିୟସ୍ ।[୧] ଏହି ଉପତ୍ୟକା କ୍ରୋନୋତ୍ସକି ପ୍ରାକୃତିକ ଅଭୟାରଣ୍ୟର ଅଂଶବିଶେଷ । ଏହାକୁ "କାମଚଟକା ଆଗ୍ନେୟଗିରି (ଇଂରାଜୀରେ Volcanoes of Kamchatka)" ଭାବେ ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ମଧ୍ୟ ମିଳିଛି । ଏହି ଉପତ୍ୟକାରେ ପହଞ୍ଚିବା କଷ୍ଟସାଧ୍ୟ ଏବଂ କେବଳ ହେଲିକପ୍ଟର୍ଦ୍ୱାରା ଏଠାରେ ପହଞ୍ଚି ହୁଏ ।
ଇତିହାସ
[ସମ୍ପାଦନା]୧୯୪୧ ମସିହାରେ ତାତ୍ୟାନା ଉସ୍ତିନୋଭା ନାମ୍ନୀ ଜଣେ ସ୍ଥାନୀୟ ମହିଳା ବୈଜ୍ଞାନିକ କାମଚଟକାର ଏହି ପରିବର୍ତ୍ତନଶୀଳ ଉଷ୍ମ ପ୍ରସ୍ରବଣ ସମୂହର ଆବିଷ୍କାର କରିଥିଲେ ।[୨] ୧୪ ବର୍ଷ ପରେ ସେ ଖୋଜି ପାଇଥିବା ସମସ୍ତ ତଥ୍ୟ ପ୍ରକାଶ କରିଥିଲେ, କିନ୍ତୁ ୧୯୭୨ ମସିହା ପର୍ଯ୍ୟନ୍ତ ସେଠାରେ କୌଣସି ଅନୁସନ୍ଧାନମୂଳକ କାର୍ଯ୍ୟ କରାଯାଇନଥିଲା । ୧୯୭୦ ଦଶନ୍ଧିର ମଧ୍ୟ ଭାଗରେ ଏକ ସର୍ବେକ୍ଷଣ ଆରମ୍ଭ କରାଯାଇଥିଲା ଓ ୧୯୯୦ ମସିହାରେ ଏକ ସ୍ୱୟଂଚାଳିତ ନିରୀକ୍ଷଣ ବ୍ୟବସ୍ଥା ଆରମ୍ଭ କରାଗଲା । ୩୦ରୁ ଉର୍ଦ୍ଧ୍ୱ ପ୍ରସ୍ରବଣଙ୍କ ନାମକରଣ କରାଯାଇଥିଲା । ତନ୍ମଧ୍ୟରୁ ଭେଲିକାନ୍ ନାମକ ଏକ ପ୍ରଖର ପ୍ରସ୍ରବଣରୁ ବାହାରୁଥିବା ଉଷ୍ମ ଜଳ ପ୍ରାୟ ୪୦ ମିଟର୍ ଉଚ୍ଚକୁ ଉତକ୍ଷେପିତ ହେଉଥିଲା । ୧୯୮୦ ଦଶନ୍ଧିରୁ ଏହି ସ୍ଥାନକୁ ସମଗ୍ର ସୋଭିଏତ ସଂଘରେ କାମଚଟକା ଓ ସୁଦୂର ପୂର୍ବ ଋଷର ଏକ ପର୍ଯ୍ୟଟନ ଆକର୍ଷଣ ଭାବେ ପ୍ରଚାର କରାଗଲା । ୧୯୯୧ରୁ ବିଦେଶୀ ପର୍ଯ୍ୟଟକଙ୍କୁ ଏହି ଉପତ୍ୟକାକୁ ଯିବାର ଅନୁମତି ମିଳିଲା । ପ୍ରତିବର୍ଷ ପ୍ରାୟ ୩୦୦୦ ପର୍ଯ୍ୟଟକ ଏହି ଦୁର୍ଗମ୍ୟ ଉପତ୍ୟକାକୁ ଯାଇଥାନ୍ତି ।[୩]
୨୦୦୭ ମସିହାର କର୍ଦ୍ଦମବନ୍ୟା ଓ ପରବର୍ତ୍ତୀ ସ୍ଥିତି
[ସମ୍ପାଦନା]୨୦୦୭ ମସିହା ଜୁନ୍ ୩ ତାରିଖରେ ଅତଡ଼ା ଖସି ଏକ କର୍ଦ୍ଦମ ବନ୍ୟା ହେଲା ଓ ଉପତ୍ୟକାର ଦୁଇ-ତୃତୀୟାଂଶ କାଦୁଅରେ ବୁଡ଼ି ଯାଇଥିଲା ।[୪] ଋଷିଆର ପ୍ରାକୃତିକ ସମ୍ବଳର ନିରୀକ୍ଷଣ ସେବା ସଂସ୍ଥାରେ କାର୍ଯ୍ୟରତ ଓଲେଗ୍ ମିତଭୋଲ୍ ଏହି ସମ୍ପର୍କରେ କହିଥିଲେ, “ଆମେ ଏକ ବିଶେଷ ପ୍ରାକୃତିକ ଘଟଣା ଦେଖୁଛେ । ଏପରି ପ୍ରାକୃତିକ ଦୁର୍ବିପାକ ପରବର୍ତ୍ତୀ ଅବସ୍ଥାରୁ ପୂର୍ବ ସ୍ଥିତିକୁ ଫେରାଇ ନେବା ଅସମ୍ଭବ ।"[୫] ବିଶ୍ୱ ଐତିହ୍ୟ ସଂସ୍ଥା ମଧ୍ୟ ଏହି ବିଷୟରେ ଗଭୀର ଚିନ୍ତା ବ୍ୟକ୍ତ କରିଥିଲା ।[୬] "ଏକ ପ୍ରାକୃତିକ ଆଶ୍ଚର୍ଯ୍ୟ ହରାଇଥିବାରୁ ମାନବ ସମାଜ ପାଇଁ ଏହା ଏକ ଅତି ଦୁଃଖଦାୟକ ଘଟଣା" ବୋଲି ବିଶ୍ୱ ବନ୍ୟଜୀବ କୋଷ (World Wildlife Fund)ର ପ୍ରବକ୍ତା ମତ ରଖିଥିଲେ ।[୫] ଜୁନ୍ ୫ ତାରିଖରେ ଏକ ଉତ୍ତପ୍ତ ହ୍ରଦ ସୃଷ୍ଟି ହେଉଥିବାର ଖବର ପ୍ରକାଶ ପାଇଥିଲା ।[୭] ୱାଇଲ୍ଡ୍ ରଷିଆ (Wild Russia) ନାମକ ଏକ ବୃତ୍ତଚିତ୍ରର ନିର୍ମାଣ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ତେଣୁ ଦୁର୍ଘଟଣାର ପୂର୍ବ ଓ ପରବର୍ତ୍ତୀ ଭିଡିଓ ଚିତ୍ର ଏହାର ନିର୍ମାତାମାନଙ୍କ ପାଖରେ ଉପଲବ୍ଧ ଥିଲା ।
ଏହି ପ୍ରାକୃତିକ ଘଟଣା ଯୋଗୁଁ ଘଟିଥିବା ପରିବର୍ତ୍ତନ କେତେ ସ୍ଥାୟୀ ତାହା ନିର୍ଣ୍ଣୟ କରାଯାଇ ପାରିନାହିଁ । ଆକଳନ କରାଯାଇଥିବା କ୍ଷତିରୁ ଏହା କମ୍ ମଧ୍ୟ ହୋଇପାରେ । ୨୦୦୭ ମସିହା ଜୁନ୍ ୯ ତାରିଖ ବେଳକୁ ପ୍ରବାହିତ ଜଳ ସ୍ତର ହ୍ରାସ ପାଇ ଯାଇଥିବାରୁ କିଛି ଭୂତଳ ଓ ଜଳମଗ୍ନ ଦୃଷ୍ଟିକୁ ଦେଖାଗଲା । ଭେଲିକାନ୍ ମହୋଷ୍ମ ପ୍ରସ୍ରବଣ ଏହି କାଦୁଅ ବନ୍ୟା ଯୋଗୁଁ ବୁଡ଼ି ଯାଇନାହିଁ ଏବଂ ଏବେ ମଧ୍ୟ ସକ୍ରିୟ ରହିଛି ।[୮]
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Waltham, T (2001). "A guide to the volcanoes of the southern Kamchatka, Russia" (PDF). Proceedings of the Geologists' Association. 112: 67–78. doi:10.1016/s0016-7878(01)80051-1. Archived from the original (PDF) on 2011-07-19. Retrieved 2020-11-04.
- ↑ "Natural Wonder of the World Transformed within Hours, says World Wildlife Fund". earthtimes.com. 2007-06-04. Archived from the original on 2012-07-30. Retrieved 2007-06-05.
- ↑ "Mudslide fully changes terrain in Kamchatka's Valley of Geysers". ITAR-TASS. 2007-06-03. Retrieved 2007-06-05.
- ↑ Mehta, Aalok (2007-06-05). "Photo in the News: Russia's Valley of the Geysers Lost in Landslide". National Geographic. Retrieved 2007-06-07.
- ↑ ୫.୦ ୫.୧ Heintz, Jim (2007-06-05). "Massive landslide destroys natural wonder of Russia's Valley of Geysers". Independent. Archived from the original on 2007-06-07. Retrieved 2007-06-05.
- ↑ Official site of the World Heritage Centre
- ↑ Harding, Luke (2007-06-05). "Mudslide fully changes terrain in Kamchatka's Valley of Geysers". Guardian Unlimited. Retrieved 2007-06-05.
- ↑ Shpilenok, Igor (2007-06-09). "June 2007 Special release – The Natural Disaster at the Valley of the Geysers". Archived from the original on 2007-05-13. Retrieved 2007-06-09.
ଆହୁରି ପଢ଼ିପାରିବେ
[ସମ୍ପାଦନା]- Устинова, Т. И. (1955). Камчатские гейзеры / Geysers of Kamchatka (in Russian). Moscow: State Publisher of Geography Literature. pp. 119 pp.
{{cite book}}
: CS1 maint: unrecognized language (link) (Google translation) - Diana Gealdhill, 'Kamchatka', Odyssey Books, 2007.
ଅନ୍ୟାନ୍ୟ ଲିଂକ୍
[ସମ୍ପାଦନା]- Landslide buries Valley of the Geysers Archived 2007-10-25 at the Wayback Machine. at NASA Earth Observatory
- Google Earth model of the Valley of Geysers Archived 2011-08-13 at the Wayback Machine. – photos, movies, maps, schemes, landslide animation
- "Valley Of Geysers, Kamchatka". valleyofgeysers.com.
ଋଷୀୟ ଭାଷାରେ
[ସମ୍ପାଦନା]- Map of the Valley of Geysers and scheme of the landslide and the landslide-dammed lake With English translation.
- Description of the Valley of Geysers on the Official website of Kronotsky Nature Reserve Archived 2018-04-29 at the Wayback Machine.
ଋଷୀୟ ଓ ଇଂରାଜୀ ଭାଷାରେ
[ସମ୍ପାଦନା]- Valley of Geysers – what actually happened, Leonov and Leonov, Institute of Volcanology and Seismology, Far Eastern Branch of the Russian Academy of Sciences, 10 June 2007