ଇଣ୍ଟର ମିଲାନ ଫୁଟବଲ କ୍ଲବ
ପୂର୍ଣ୍ଣ ନାମ | ଫୁଟବଲ କ୍ଲବ୍ ଇଣ୍ଟରନାଜିଓନାଲେ ମିଲାନୋ[୧] | |||
---|---|---|---|---|
ଡାକ ନାମ |
| |||
କ୍ଷୁଦ୍ର ନାମ | ଇଣ୍ଟର | |||
ପ୍ରତିଷ୍ଠା | ୦୯-ମାର୍ଚ୍ଚ-୧୯୦୮ | |||
ଷ୍ଟାଡ଼ିୟମ୍ | ସାନ୍ ସିରେ | |||
ଦର୍ଶକ କ୍ଷମତା | ୭୮,୨୭୫ | |||
ମାଲିକ | ||||
ଅଧ୍ୟକ୍ଷ ବା ସଭାପତି | ଷ୍ଟିଭେନ୍ ଝାଂଗ୍[୭] | |||
ମୁଖ୍ୟ ପ୍ରଶିକ୍ଷକ | ଆଣ୍ଟୋନିଓ କୋଣ୍ଟେ[୮] | |||
ଲିଗ୍ | ସିରି ଏ | |||
ୱେବସାଇଟ୍ | Club website | |||
|
ଇଣ୍ଟର ମିଲାନ ଫୁଟବଲ କ୍ଲବ (ଇଟାଲୀ ଭାଷାରେ ମୂଳନାମ Football Club Internazionale Milano, ଇଟାଲୀର ବ୍ୟବହାରିକ ଭାଷାରେ ଇଣ୍ଟରନାଜିଓନାଲେ ବା ଇଣ୍ଟର, ଇଟାଲୀ ବାହାରେ ଇଣ୍ଟର ମିଲାନ[୯][୧୦]) ଇଟାଲୀର ଲୋମ୍ବାର୍ଡ଼ି ପ୍ରାନ୍ତର ମିଲାନ ସହରର ଏକ ବ୍ୟବସାୟିକ ଫୁଟବଲ କ୍ଲବ । ଇଟାଲୀର ସିରି ଏ ଫୁଟବଲ ଲିଗରେ ଏହି କ୍ଲବ ଦଳ ଖେଳିଥାଏ । ଇଟାଲୀ କ୍ଲବ ଫୁଟବଲରେ ଇଣ୍ଟର ମିଲାନ ଦଳ ଏଯାବତ ସବୁ ବର୍ଷ ଯୋଗ୍ୟତା ହାସଲ କରିଆସିଛି ଓ ଏପରି କରିପାରିଥିବା ଏହା ଏକମାତ୍ର ଇଟାଲୀୟ କ୍ଲବ ।
ତତ୍କାଳୀନ ମିଲାନ କ୍ରିକେଟ ଓ ଫୁଟବଲ କ୍ଲବରେ (ବର୍ତ୍ତମାନ ଏସି ମିଲାନ ନାମରେ ଖ୍ୟାତ) ଏକ ମତଭେଦ ଯୋଗୁଁ ୧୯୦୮ ମସିହାରେ କ୍ଲବରୁ ବିଚ୍ଛିନ୍ନ ହୋଇ ଇଣ୍ଟର ମିଲାନ କ୍ଲବ ସ୍ଥାପିତ ହୋଇଥିଲା । ୧୯୧୦ ମସିହାରେ ଇଣ୍ଟର ନିଜର ପ୍ରଥମ ଚାମ୍ପିୟନ୍ସିପ୍ ଜିତିଥିଲା । ସ୍ଥାପନା ପରଠାରୁ ଇଣ୍ଟର କ୍ଲବ ସମୁଦାୟ ୩୦ଟି ଘରୋଇ ବା ଜାତୀୟ ପ୍ରତିଯୋଗିତାରେ ବିଜୟ ଲାଭ କରିଆସିଛି । ତନ୍ମଧ୍ୟରେ ୧୮ ଥର ସିରି ଏ ଲିଗ୍, ୭ ଥର କୋପା ଇଟାଲିଆ ଓ ୫ ଥର ସୁପରକୋପା ଇଟାଲିଆନା ବିଜୟ ଅନ୍ତର୍ଭୁକ୍ତ । ୨୦୦୬ରୁ ୨୦୧୦ ମଧ୍ୟରେ ଇଣ୍ଟର ଦଳ ୫ ବର୍ଷ କ୍ରମାଗତ ଭାବେ ଲିଗ୍ ବିଜେତା ହୋଇ ଯୁଗ୍ମ ରେକର୍ଡର ଅଧିକାରୀ ହୋଇଥିଲା ।[୧୧] ୧୯୬୪, ୧୯୬୫ ଓ ୨୦୧୦ ମସିହାରେ ଇଣ୍ଟର ଦଳ ୟୁଇଫା ଚାମ୍ପିୟନ୍ସ ଲିଗରେ ମଧ୍ୟ ବିଜୟୀ ହୋଇ ତିନି ଥର ୟୁରୋପୀୟ ଚାମ୍ପିୟନ୍ ହେବାର ଗୌରବ ଲାଭ କରିଛି । ୨୦୧୦ ମସିହାରେ ଇଣ୍ଟର କୋପା ଇଟାଲିଆ ଓ ଶୁଡେଟୋ ପ୍ରତିଯୋଗିତାରେ ବିଜୟୀ ହୋଇ ତ୍ରି-ବିଜୟ ହାସଲ କରିଥିଲା ।[୧୨] ଇଣ୍ଟର ମିଲାନ ଫୁଟବଲ ଦଳ ୩ ଥର ୟୁଇଫା ୟୁରୋପା ଲିଗ୍, ୨ ଥର ଅନ୍ତର୍ମହାଦେଶୀୟ (ଇଣ୍ଟରକଣ୍ଟିନେଣ୍ଟାଲ) କପ ଓ ଥରେ ଫିଫା କ୍ଲବ ବିଶ୍ୱକପ ପ୍ରତିଯୋଗିତାରେ ମଧ୍ୟ ବିଜୟ ଲାଭ କରିଛି ।
ଇଣ୍ଟର ନିଜର ଘର ମ୍ୟାଚ୍ ସାନ୍ ସିରୋ ଷ୍ଟାଡିୟମରେ ଖେଳିଥାଏ । ଉଭୟ ଇଣ୍ଟର ଓ ମିଲାନ ସହରରେ ଥିବା ଏହାର ପ୍ରତିଦ୍ୱନ୍ଦୀ ଏସି ମିଲାନ (କେବଳ ମିଲାନ ନାମରେ ମଧ୍ୟ ପରିଚିତ) କ୍ଲବ ସାନ୍ ସିରୋକୁ ନିଜର ଘର ମ୍ୟାଚ ପାଇଁ ବ୍ୟବହାର କରନ୍ତି । ୮୦,୦୧୮ ଦର୍ଶକ ବସିପାରୁଥିବା ସାନ୍ ସିରୋ ଇଟାଲୀୟ ଫୁଟବଲରେ ସର୍ବବୃହତ ଷ୍ଟାଡିୟମ୍ ।[୧୩] ଏସି ମିଲାନ ଫୁଟବଲ କ୍ଲବ ଓ ୟୁଭେଣ୍ଟସ୍ ଏଫ୍ସି କ୍ଲବ ହେଉଛନ୍ତି ଇଣ୍ଟର ମିଲାନ କ୍ଲବର ପାରମ୍ପରିକ ପ୍ରତିଦ୍ୱନ୍ଦୀ । ଏମାନଙ୍କ ସହିତ ଇଣ୍ଟର ଦଳ ଯଥାକ୍ରମେ ଡର୍ବି ଡେଲା ମାଡୋନିନା ଓ ଡର୍ବି ଡି’ଇଟାଲିଆରେ ପ୍ରତିଦ୍ୱନ୍ଦିତା କରିଥାଏ । ଏସି ମିଲାନ ଓ ଇଣ୍ଟର ମିଲାନର ପ୍ରତିଦ୍ୱନ୍ଦିତା ଇଟାଲୀରେ ଖୁବ୍ ଲୋକପ୍ରିୟ ।[୧୪] ୧୯୧୯ ମସିହା ବେଳକୁ ଇଣ୍ଟରର ଘର ମ୍ୟାଚ ଦେଖିବାକୁ ଆସୁଥିବା ଦର୍ଶକଙ୍କ ସଂଖ୍ୟା ଇଟାଲୀରେ ସର୍ବାଧିକ ଏବଂ ବିଶ୍ୱରେ ଷଷ୍ଠ ସର୍ବାଧିକ ରହିଥିଲା ।[୧୫] ଇଟାଲୀୟ ଓ ବିଶ୍ୱ ବ୍ୟବସାୟିକ ଫୁଟବଲରେ ଇଣ୍ଟର ମିଲାନ ଏକ ମୂଲ୍ୟବାନ ଦଳ ।[୧୬]
ପ୍ରାରମ୍ଭିକ ଇତିହାସ (୧୯୦୮-୧୯୬୭)
[ସମ୍ପାଦନା]
|
|
ମତଭେଦ ଯୋଗୁଁ ତତ୍କାଳୀନ ‘‘ମିଲାନ କ୍ରିକେଟ୍ ଓ ଫୁଟବଲ’’ (ବର୍ତ୍ତମାନ ସମୟର ଏସି ମିଲାନ) କ୍ଲବଠାରୁ ବିଚ୍ଛିନ୍ନ ହୋଇ ୧୯୦୮ ମସିହା ମାର୍ଚ୍ଚ ୯ ତାରିଖ ଦିନ ଫୁଟବଲ କ୍ଲୁବ ଇଣ୍ଟରନାଜିଓନାଲେ ସୃଷ୍ଟି ହୋଇଥିଲା । ଏହି କ୍ଲବର ସଂସ୍ଥାପକମାନଙ୍କ ଇଚ୍ଛା ଥିଲା ଯେ ତାଙ୍କ କ୍ଲବ ଇଟାଲୀୟ ସହିତ ବିଦେଶୀ ଖେଳାଳୀଙ୍କୁ କୌଣସି ଆରକ୍ଷଣ ନିୟମର ଅନୁସରଣ ନକରି ଦଳରେ ଖେଳିବାର ସୁଯୋଗ ଦେବ । ଏହି କାରଣରୁ କ୍ଲବର ନାମ ଇଣ୍ଟରନ୍ୟାସନାଲ (ଅନ୍ତର୍ଜାତୀୟ) ବୋଲି ରଖାଯାଇଥିଲା । ୧୯୧୦ ଓ ୧୯୨୦ ମସିହାରେ ଇଣ୍ଟର କ୍ଲବ ନିଜର ପ୍ରଥମ ଓ ଦ୍ୱିତୀୟ ଚାମ୍ପିୟନ୍ସିପ୍ ଜିତିଥିଲା । ୧୯୧୦ରେ ପ୍ରଥମ ଥର ଚାମ୍ପିୟନ୍ ହୋଇଥିବା ଇଣ୍ଟର ଦଳର ଅଧିନାୟକ ଓ ପ୍ରଶିକ୍ଷକ ଭିର୍ଜିଲିଓ ଫୋସାଟି ପ୍ରଥମ ବିଶ୍ୱଯୁଦ୍ଧରେ ଇଟାଲୀୟ ସେନା ପକ୍ଷରୁ ଯୁଦ୍ଧ କରିବା ସମୟରେ ପ୍ରାଣ ହରାଇଥିଲେ । ୧୯୨୨ ମସିହାରେ ଇଣ୍ଟର କ୍ଲବ ସର୍ବୋଚ୍ଚ ଫୁଟବଲ ଲିଗରେ ଅଯୋଗ୍ୟ ଘୋଷିତ ହୋଇ ନିମ୍ନ ସ୍ତରକୁ ଅବନତି ପାଇବାର ଅତି ନିକଟତର ଥିଲା, କିନ୍ତୁ ଶେଷ ଦୁଇ ପ୍ଲେ-ଅଫ୍ ମ୍ୟାଚ ଜିତି ସର୍ବୋଚ୍ଚ ସ୍ତରରେ ଖେଳିବାକୁ ସମର୍ଥ ହୋଇଥିଲା ।
୬ ବର୍ଷ ପରେ ଫାସିବାଦୀ ସରକାର ସମୟରେ ଇଣ୍ଟର କ୍ଲବକୁ ବାଧ୍ୟ କରି ଉନିଓନେ ସ୍ପୋର୍ଟିଭା ମିଲାନିଜ୍ (Unione Sportiva Milanese, ମିଲାନ କ୍ରୀଡ଼ା ସଂଘ)ରେ ବିଲୟ କରି ଦିଆଗଲା ଓ ଏହାର ନାମ ସୋଶିଏଟା ସ୍ପୋର୍ଟିଭା ଆମ୍ବ୍ରୋସିଆନା ବୋଲି ରଖାଯାଇଥିଲା ।[୧୮] ୧୯୨୮-୨୯ କ୍ରୀଡ଼ାବର୍ଷରେ ଏହି ଫୁଟବଲ ଦଳ ମିଲାନର ପ୍ରାଦେଶିକ ଧ୍ୱଜା ଓ ରାଜସଙ୍କେତରୁ ଅନୁପ୍ରାଣିତ ହୋଇ ଲାଲ କ୍ରଶ୍ ଚିହ୍ନ ଥିବା ଧଳା ରଙ୍ଗର ପୋଷାକ ପିନ୍ଧି ଖେଳିଥିଲା । ୧୯୨୯ ମସିହାରେ କ୍ଲବର ନୂଆ ଅଧ୍ୟକ୍ଷ ଓରେଷ୍ଟେ ସିମୋନୋଟି ଏହି କ୍ଲବର ନାମ ପରିବର୍ତ୍ତନ କରି ଆସୋସିଆଜିଓନେ ସ୍ପୋର୍ଟିଭା ଆମ୍ବ୍ରୋସିଆନା (Associazione Sportiva Ambrosiana) ରଖିଲେ ଏବଂ ଦଳ ପୂର୍ବେ ବ୍ୟବହାର କରି ଆସୁଥିବା କଳା-ନୀଳ ପୋଷାକର ପ୍ରଚଳନ କରାଇଲେ । କିନ୍ତୁ ଦଳର ସମର୍ଥକମାନେ ସେହି ସମୟରେ ମଧ୍ୟ ଦଳକୁ ଇଣ୍ଟର ବୋଲି ହିଁ କହୁଥିଲେ । ୧୯୩୧ ମସିହାରେ ନୂଆ ଅଧ୍ୟକ୍ଷ ନିଯୁକ୍ତି ପାଇବା ପରେ ପୋଜ୍ଜାନି ଅଂଶୀଦାରମାନଙ୍କ ଚାପର ବଶବର୍ତ୍ତୀ ହୋଇ କ୍ଲବର ନାମ ଆସୋସିଆଜିଓନେ ସ୍ପୋର୍ଟିଭା ଆମ୍ବ୍ରୋସିଆନା - ଇଣ୍ଟର ବୋଲି ରଖିଥିଲେ ।
ଜ୍ୟୁସେପ୍ ମେଆଜ୍ଜାଙ୍କ ନେତୃତ୍ୱରେ ୧୯୩୮-୩୯ କ୍ରୀଡ଼ାବର୍ଷରେ ଇଣ୍ଟର ଦଳ ନିଜର ପ୍ରଥମ କୋପା ଇଟାଲିଆ ଟ୍ରଫି ଜିତିଥିଲା । ସାନ୍ ସିରୋ ଷ୍ଟାଡିୟମର ପଞ୍ଜୀକୃତ ନାମ “ଷ୍ଟାଡିଓ ଜ୍ୟୁସେପ୍ ମେଆଜ୍ଜା” ତାଙ୍କରି ସମ୍ମାନରେ ରଖାଯାଇଛି । ୧୯୪୦ ମସିହାରେ ମେଆଜ୍ଜା ଆହତ ହେବା ସତ୍ତ୍ୱେ ଇଣ୍ଟର ଦଳ ନିଜର ପଞ୍ଚମ ଚାମ୍ପିୟନ୍ସିପ୍ ଜିତିଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧର ସମାପ୍ତି ପରେ କ୍ଲବ ପୁଣି ନିଜର ପୂର୍ବ ମୂଳନାମ ଫେରି ପାଇଲା । ୧୯୫୩ ଓ ୧୯୫୪ ମସିହାରେ ଇଣ୍ଟର ଦଳ ନିଜର ଷଷ୍ଠ ଓ ସପ୍ତମ ଚାମ୍ପିୟନ୍ସିପ୍ ଜିତିଥିଲା ।
ଗ୍ରାଣ୍ଡେ ଇଣ୍ଟର (୧୯୬୦-୧୯୬୭)
[ସମ୍ପାଦନା]୧୯୬୦ ମସିହାରେ ହେଲେନିଓ ହେରେରା ଏଫ୍ସି ବାର୍ସେଲୋନା ଛାଡ଼ି ଇଣ୍ଟର କ୍ଲବରେ ପରିଚାଳକ ଭାବେ ଯୋଗ ଦେଇଥିଲେ । ତାଙ୍କ ସହିତ ସେ ମିଡ୍-ଫିଲ୍ଡର୍ ଲୁଇ ସୁଆରେଜ୍ଙ୍କୁ (୧୯୩୫ ମସିହାରେ ଜାତ ଫୁଟବଲ ଖେଳାଳି) ଇଣ୍ଟର ଦଳକୁ ଆଣିଥିଲେ । ସୁଆରେଜ ସେହି ବର୍ଷ ବାର୍ସେଲୋନା ପକ୍ଷରୁ ଲା ଲିଗା ଓ ଫେୟାର୍ସ କପରେ ଉତ୍କୃଷ୍ଟ କ୍ରୀଡ଼ା ପ୍ରଦର୍ଶନ ପାଇଁ ସେ ବର୍ଷର ଶ୍ରେଷ୍ଠ ୟୁରୋପୀୟ ଫୁଟବଲ ଖେଳାଳି ବିବେଚିତ ହୋଇଥିଲେ । ହେରେରାଙ୍କ ଆଗମନ ପରେ ଇଣ୍ଟର ମିଲାନ ୟୁରୋପର ଏକ ମହାନ ଦଳରେ ପରିଣତ ହୋଇଥିଲା । ସେ ଇଣ୍ଟରରେ ୫-୩-୨"ଭେରୌ" ("ଦୁଆର କବଜା") ଖେଳାଳି ସଜ୍ଜାର ପ୍ରଚଳନ କରାଇଲେ ଯାହା ପ୍ରତ୍ୟାକ୍ରମଣ ପାଇଁ ସୁଯୋଗ ସୃଷ୍ଟି କରୁଥିଲା । କାର୍ଲ ରାପାନ୍ ନାମକ ଜଣେ ଅଷ୍ଟ୍ରୀୟ ପ୍ରଶିକ୍ଷକ କାଟେନାଚ୍ଚିଓ (catenaccio) ସଜ୍ଜା ରଣନୀତିର ପ୍ରୟୋଗ କରୁଥିଲେ । ଏହି ବ୍ୟବସ୍ଥା ଅନୁଯାୟୀ ଗୋଲକିପର ସମ୍ମୁଖରେ ୪ ଜଣ ସ୍ଥାୟୀ ପ୍ରତିରକ୍ଷକ (ଡିଫେଣ୍ଡର୍) ରହୁଥିଲେ ଯେଉଁମାନେ ପ୍ରତିପକ୍ଷ ଆକ୍ରମଣକାରୀଙ୍କୁ (ଫରୱାର୍ଡ) ମ୍ୟାନ୍-ଟୁ-ମ୍ୟାନ୍ ମାର୍କିଂ ଯୋଗେ ଅଟକାଇବାକୁ ଚେଷ୍ଟା କରୁଥିଲେ । ମଝି ପଡ଼ିଆରେ ଆଉ ଜଣେ ପ୍ଲେମେକର୍ ଖେଳାଳି ରହି ଦୁଇ ଡେଣାର ଖେଳାଳିଙ୍କ (ୱିଂଗର୍) ସହଯୋଗରେ ବଲ ପାସ୍ କରି ଆଗକୁ ବଢ଼ିବାର ସୁଯୋଗ ସୃଷ୍ଟି କରୁଥିଲେ । ହେରେରା ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ଦୁଇ ସେଣ୍ଟର-ବ୍ୟାକ୍ଙ୍କ ପଛରେ ‘‘ସ୍ୱିପର୍’’ ବା ‘‘ଲିବେରୋ’’ ବୋଲାଉଥିବା ଆଉ ଜଣେ ପଞ୍ଚମ ପ୍ରତିରକ୍ଷକ ରଖିଲେ । ଲିବେରୋ ସ୍ଥାନର ଖେଳାଳି ମୁକ୍ତ ଭାବେ ଖେଳୁଥିଲା ଓ ସେଣ୍ଟର୍-ବ୍ୟାକ୍ଙ୍କୁ ପ୍ରତିହତ କରି ଆଗକୁ ବଢ଼ୁଥିବା ଆକ୍ରମଣକାରୀକୁ ଅଟକାଇବାରେ ଉପଯୋଗୀ ହେଉଥିଲା । ଇଣ୍ଟର ଦଳ ସିରି ଏ ଲିଗରେ ହେରେରାଙ୍କ ପ୍ରଥମ କ୍ରୀଡ଼ାବର୍ଷରେ ତୃତୀୟ ସ୍ଥାନ, ଦ୍ୱିତୀୟ କ୍ରୀଡ଼ାବର୍ଷରେ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିବା ପରେ ତୃତୀୟ ବର୍ଷ ବିଜୟୀ ହୋଇଥିଲା । ତା’ ପରେ ୧୯୬୪ ଓ ୧୯୬୫ ମସିହାରେ ୟୁଇଫା ଚାମ୍ପିୟନ୍ସ ଲିଗରେ ବିଜୟୀ ହେବା ପରେ ହେରେରାଙ୍କୁ "ଇଲ୍ ମାଗୋ" ("ଜାଦୁଗର") ଉପାଧି ଦିଆଯାଇଥିଲା । ହେରେରାଙ୍କ ଖେଳାଳି ସଜ୍ଜା ଅନୁସାରେ ଆକ୍ରମଣକାରୀ ଫୁଲ୍ବ୍ୟାକ୍ ସ୍ଥାନରେ ତାର୍ଚିସିଓ ବୁର୍ଗନିଶ ଓ ଜିଆଚିନ୍ତୋ ଫାଚ୍ଚେଟି; ସ୍ୱିପର୍ ସ୍ଥାନରେ ଆର୍ମାଣ୍ଡୋ ପିଚ୍ଚି, ପ୍ଲେମେକର୍ ସ୍ଥାନରେ ସୁଆରେଜ୍, ହାଏର୍ ଡା କୋଷ୍ଟା ୱିଂଗର୍ ସ୍ଥାନରେ, ମାରିଓ କୋର୍ସୋ ବାମ ମିଡ୍ଫିଲ୍ଡର୍ ଭାବରେ ଓ ସାଣ୍ଡ୍ରୋ ମାଜ୍ଜୋଲା ଇନ୍ସାଇଡ୍-ଡାହାଣ ସ୍ଥାନରେ ରହି ଖେଳୁଥିଲେ ।[୧୯][୨୦][୨୧][୨୨][୨୩][୨୪]
୧୯୬୪ ମସିହାରେ ଇଣ୍ଟର ଦଳ ବୋରୁସିଆ ଡୋର୍ଟମୁଣ୍ଡ ଦଳକୁ ହରାଇ ୟୁରୋପୀୟ କପ ଫାଇନାଲରେ ପ୍ରବେଶ କରିଥିଲା । ଇଣ୍ଟର ଦଳ ସେ ସମୟରେ ୯ରୁ ୭ଟି ଫାଇନାଲ ଖେଳି ଉନ୍ନତ ଫର୍ମରେ ଥିବା ରିଆଲ ମାଦ୍ରିଦ ବିପକ୍ଷରେ ଫାଇନାଲ ଖେଳିଥିଲା । ମାଜ୍ଜୋଲାଙ୍କ ଦୁଇଟି ଗୋଲ ସହାୟତାରେ ଇଣ୍ଟର ମିଲାନ ଫାଇନାଲରେ ୩-୧ ଗୋଲରେ ବିଜୟୀ ହୋଇଥିଲା । ପରେ ଇଣ୍ଟର ଦଳ ଇଣ୍ଡିପେଣ୍ଡିଏଣ୍ଟେ ବିପକ୍ଷରେ ଅନ୍ତଃ-ମହାଦେଶୀୟ କପ ମଧ୍ୟ ଜିତିଥିଲା । ୧୯୬୫ ୟୁରୋପୀୟ କପ ଫାଇନାଲରେ ଇଣ୍ଟର ଦଳ ବେନ୍ଫିସିଆ ଫୁଟବଲ ଦଳକୁ ଏବଂ ହାଏର୍ଙ୍କ ଗୋଲ ଯୋଗୁଁ ଅନ୍ତଃ-ମହାଦେଶୀୟ କପରେ ଇଣ୍ଡିପେଣ୍ଡିଏଣ୍ଟେକୁ ପରାସ୍ତ କରିଥିଲା । ୧୯୬୭ ମସିହା ବେଳକୁ ହାଏର୍ କ୍ଲବରୁ ବିଦାୟ ନେଇଥିଲେ ଓ ସୁଆରେଜ୍ ଆହତ ଥିଲେ । ସେହି ବର୍ଷ ୟୁରୋପୀୟ କପ ଫାଇନାଲରେ ଇଣ୍ଟର ଦଳ ସେଲ୍ଟିକ୍ ଏଫ୍ସିଠାରୁ ୧-୨ ଗୋଲରେ ପରାଜିତ ହୋଇଥିଲା । ଏହି ସମୟରେ କ୍ଲବର ନାମ ଫୁଟବଲ କ୍ଲୁବ୍ ଇଣ୍ଟରନାଜିଓନାଲେ ମିଲାନୋକୁ ପରିବର୍ତ୍ତିତ କରାଯାଇଥିଲା ।
ଷ୍ଟାଡିୟମ
[ସମ୍ପାଦନା]ମିଲାନ ସହରରେ ନିର୍ମିତ ସାନ୍ ସିରୋ ଷ୍ଟାଡିୟମ (ପଞ୍ଜୀକୃତ ନାମ – ଷ୍ଟାଡିଓ ଜ୍ୟୁସେପ୍ ମେଆଜ୍ଜା) ଉଭୟ ଏସି ମିଲାନ ଓ ଇଣ୍ଟର ମିଲାନ ଦଳର ଘରୋଇ ପଡ଼ିଆ । ଜ୍ୟୁସେପ୍ ମେଆଜ୍ଜା ନିଜ ଖେଳ ଜୀବନରେ ଉଭୟ ଇଣ୍ଟର ଓ ଏସି ମିଲାନ ଦଳ ପକ୍ଷରୁ ଖେଳିଥିଲେ । ଏହି ଷ୍ଟାଡିୟମର ଦର୍ଶକଧାରଣ କ୍ଷମତା ୮୦,୦୧୮ । ସାନ୍ ସିରୋ ଜିଲ୍ଲାରେ ଏହି ଷ୍ଟାଡିୟମ ରହିଥିବାରୁ ଏହାକୁ ସାନ୍ ସିରୋ ଷ୍ଟାଡିୟମ୍ ବୋଲି କୁହାଯାଏ । ୧୯୨୬ ମସିହାରୁ ସାନ୍ ସିରୋ ଏସି ମିଲାନର ଘରୋଇ ପଡ଼ିଆ ରହିଆସିଛି । ମିଲାନର ତତ୍କାଳୀନ ସଭାପତି ପିଏରୋ ପିରେଲିଙ୍କ ଆର୍ଥିକ ଅନୁଦାନରେ ଏହି ଷ୍ଟାଡିୟମ ନିର୍ମିତ ହୋଇଥିଲା । ସାଢ଼େ ୧୩ ମାସ ସମୟରେ ୧୨୦ ଜଣ ଲୋକଙ୍କ ଉଦ୍ୟମରେ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଗଲା । କ୍ଲବ ଅଧୀନରେ ରହିଥିବା ଏହି ଷ୍ଟାଡିୟମ୍ ୧୯୩୫ ମସିହାରେ ନଗରପାଳିକାକୁ ବିକ୍ରି କରାଗଲା । ୧୯୪୭ ମସିହାରୁ ଏସି ମିଲାନ ସହ ଇଣ୍ଟର ମିଲାନ ମଧ୍ୟ ସାନ୍ ସିରୋକୁ ନିଜ ଘରୋଇ ମ୍ୟାଚ୍ ପଡ଼ିଆ ଭାବେ ବ୍ୟବହାର କରିବା ଆରମ୍ଭ କଲା ।
୧୯୨୬ ମସିହା ସେପ୍ଟେମ୍ବର ୧୯ ତାରିଖରେ ସାନ୍ ସିରୋରେ ପ୍ରଥମ ଫୁଟବଲ ମ୍ୟାଚ୍ ଖେଳାଯାଇଥିଲା । ଏହି ସୌହାର୍ଦ୍ଦ୍ୟମୂଳକ ମ୍ୟାଚରେ ଇଣ୍ଟର ଦଳ ଏସି ମିଲାନ ଦଳକୁ ୬-୩ ଗୋଲରେ ପରାସ୍ତ କରିଥିଲା । ଏହି ପଡ଼ିଆରେ ଏସି ମିଲାନ ଦଳ ଖେଳିଥିବା ନିଜ ପ୍ରଥମ ଲିଗ୍ ମ୍ୟାଚରେ ସାମ୍ପିଏର୍ଡାରେନେସ୍ କ୍ଲବଠାରୁ ୧-୨ ଗୋଲରେ ପରାସ୍ତ ହୋଇଥିଲା । ପ୍ରଥମେ ଷ୍ଟାଡିୟମର ଦର୍ଶକ କ୍ଷମତା ୩୫ ହଜାର ଥିଲା । ଏହି ଷ୍ଟାଡିୟମରେ ଅନେକ ନବୀକରଣ ପ୍ରକଳ୍ପ କରାଯାଇଛି । ୧୯୯୦ ମସିହା ଫିଫା ବିଶ୍ୱକପ ପାଇଁ ଷ୍ଟାଡିୟମର ନବୀକରଣ କରାଯାଇଥିଲା । ଏହାର ଉପର ପଟେ ଏକ ପଲିକାର୍ବୋନେଟ୍ ଛାତ ନିର୍ମିତ ହେଲା ଓ ଏହାର ଦର୍ଶକ କ୍ଷମତା ୮୫ ହଜାର ୭୦୦କୁ ବଢ଼ାଯାଇଥିଲା । ୟୁଇଫା ଧାର୍ଯ୍ୟ କରିଥିବା ନୂତନ ନିୟମାବଳୀ ଆଧାରରେ ୨୦୦୮ ମସିହାରେ ଷ୍ଟାଡିୟମର ଦର୍ଶକ କ୍ଷମତା ୮୦ ହଜାର ୦୧୮କୁ କମାଇ ଦିଆଯାଇଛି ।
ଷ୍ଟାଡିୟମ୍ ନିର୍ମାଣର ଇଂରାଜୀ ମଡେଲ୍ ଅନୁଯାୟୀ ସାନ୍ ସିରୋକୁ ଫୁଟବଲ ଖେଳ ପାଇଁ ହିଁ ନିର୍ମାଣ କରାଯାଇଛି । ସିରି ଏରେ ବହୁମୁଖୀ ବ୍ୟବହାର ପାଇଁ କିଛି ଷ୍ଟାଡିୟମ ବ୍ୟବହୃତ ହୁଅନ୍ତି । ବସିବା ସ୍ଥାନର ଅବସ୍ଥିତି ଷ୍ଟାଡିୟମ୍ ମଧ୍ୟସ୍ଥ ପଡ଼ିଆଠାରୁ ଅପେକ୍ଷାକୃତ ନିକଟତର ହୋଇଥିବାରୁ ଖେଳ ଦେଖିବା ବେଳେ ରୋମାଞ୍ଚ ସୃଷ୍ଟିକାରୀ ପରିବେଶ ସୃଷ୍ଟି ହୁଏ ଓ ସାନ୍ ସିରୋ ପଡ଼ିଆ ଇଟାଲୀରେ ଏହି କାରଣରୁ ଖୁବ୍ ପ୍ରସିଦ୍ଧ । ଅଗ୍ନିସଂଯୁକ୍ତ ଆଲୋକମାଳା ଯୋଗୁଁ ଏହି ପରିବେଶ ଅଧିକ ମନୋରଞ୍ଜକ ଲାଗିପାରେ କିନ୍ତୁ ଅନେକ ସମୟରେ ଏହା ଯୋଗୁଁ ବହୁ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ ।
ପୋଷାକ ଯୋଗାଣକାରୀ ଓ ପ୍ରାୟୋଜକ
[ସମ୍ପାଦନା]-
୨୦୦୯
-
୧୯୭୦-୭୧
-
୧୯୭୩-୭୪
-
୨୦୧୪
-
୨୦୧୧-୧୨
ସମୟ | କିଟ୍ ନିର୍ମାତା | ପୋଷାକ ପ୍ରାୟୋଜକ |
---|---|---|
୧୯୭୯-୧୯୮୧ | ପ୍ୟୁମା | |
୧୯୮୧-୧୯୮୨ | ଇନ୍ନୋ-ହିଟ୍ | |
୧୯୮୨-୧୯୮୬ | ମେକସ୍ପୋର୍ଟ୍ | ମିସୁରା |
୧୯୮୬-୧୯୮୮ | ଲେ କୋକ୍ ସ୍ପୋର୍ଟିଫ୍ | |
୧୯୮୮-୧୯୯୧ | ଉଃଲସ୍ପୋର୍ଟ୍ | |
୧୯୯୧-୧୯୯୨ | ଉମ୍ବ୍ରୋ | ଫିଟ୍ଗାର୍ |
୧୯୯୨-୧୯୯୫ | ସିଜାରେ ଫିଓରୁଚ୍ଚି | |
୧୯୯୫-୧୯୯୮ | ପିରେଲି | |
୧୯୯୮-୨୦୧୬ | ନାଇକି | |
୨୦୧୬– |
|
ବିଜୟ ଓ ସମ୍ମାନ
[ସମ୍ପାଦନା]ଇଣ୍ଟର କ୍ଲବ ୩୦ ଗୋଟି ଘରୋଇ ବା ଜାତୀୟ ଟ୍ରଫି ଜିତିଛି । ୧୮ ଥର ସିରି ଏ ଲିଗ୍, ୭ ଥର କୋପା ଇଟାଲିଆ, ୫ ଥର ସୁପରକୋପା ଇଟାଲିଆନା ଏହାର ଅନ୍ତର୍ଗତ । ୨୦୦୬ ମସିହାରୁ ୨୦୧୦ ମସିହା ଯାଏଁ ଇଣ୍ଟର କ୍ଲବ କ୍ରମାଗତ ୫ ବର୍ଷ ଲିଗ୍ ବିଜୟୀ ହୋଇଥିଲା । ଏହା ସେ ସମୟରେ ଏକ ଯୁଗ୍ମ ରେକର୍ଡ ଥିଲା । ୨୦୧୭ ମସିହାରେ ୟୁଭେଣ୍ଟସ୍ କ୍ଲବ ଷଷ୍ଠ ବର୍ଷ କ୍ରମାଗତ ଲିଗ୍ ବିଜୟୀ ହୋଇ ନୂତନ ରେକର୍ଡ କରିଥିଲା ।[୧୧] ୧୯୬୪, ୧୯୬୫ ଓ ୨୦୧୦ ମସିହାରେ ଇଣ୍ଟର କ୍ଲବ ୩ ଥର ୟୁଇଫା ଚାମ୍ପିୟନ୍ସ ଲିଗ୍ ମଧ୍ୟ ଜିତିଛି । ୨୦୧୦ ବର୍ଷରେ ଇଣ୍ଟର ଜାତୀୟ ତ୍ରି-ବିଜୟ ମଧ୍ୟ ହୋଇଥିଲା ।[୧୨] ଏହା ଛଡ଼ା ଇଣ୍ଟର କ୍ଲବ ଦୁଇ ଥର ୟୁଇଫା ୟୁରୋପା ଲିଗ୍, ଦୁଇ ଥର ଅନ୍ତଃମହାଦେଶୀୟ କପ ଓ ଥରେ ଫିଫା କ୍ଲବ ବିଶ୍ୱକପ ମଧ୍ୟ ଜିତିଛି ।
ସ୍ଥାପନା ପରଠାରୁ ୨୦୨୧ ମସିହା ପର୍ଯ୍ୟନ୍ତ ସବୁ ବର୍ଷ ଇଟାଲୀର ସର୍ବୋଚ୍ଚ ଫୁଟବଲ ଲିଗରେ ଇଣ୍ଟର କ୍ଲବ ଖେଳିବାର ଯୋଗ୍ୟତା ହାସଲ କରିଆସିଛି । ସିରି ଏ ଓ ତା ପୂର୍ବରୁ ରହିଥିବା ଇଟାଲୀୟ ଲିଗର ସମସ୍ତ କ୍ରୀଡ଼ାବର୍ଷରେ ଖେଳିଥିବା ଏକମାତ୍ର ଦଳ ହେଉଛି ଇଣ୍ଟର ଦଳ । ୟୁରୋପ ମହାଦେଶରେ ନିଜ ଦେଶର ସର୍ବୋଚ୍ଚ ଲିଗରେ ସବୁଠାରୁ ଲମ୍ବା ସମୟ ପାଇଁ ଅବିଚ୍ଛିନ୍ନ ଭାବେ ଖେଳିବାରେ ଯେଉଁ କିଛି ଦଳ ରହିଛନ୍ତି ତନ୍ମଧ୍ୟରୁ ଇଣ୍ଟର ଅନ୍ୟତମ । ୨୦୨୦ ଯାଏଁ ଇଣ୍ଟର କ୍ରମାଗତ ୧୦୬ ବର୍ଷ ସର୍ବୋଚ୍ଚ ଲିଗରେ ଖେଳିଆସିଛି । ଇଣ୍ଟର ଆଗକୁ ଆଉ ପାଞ୍ଚଟି ଇଂରାଜୀ ଫୁଟବଲ କ୍ଲବ ଦଳ ରହିଛନ୍ତି ।
ପ୍ରକାର | ପ୍ରତିଯୋଗିତା | ଟାଇଟଲ୍ | କ୍ରୀଡ଼ାବର୍ଷ |
---|---|---|---|
ଜାତୀୟ | ସିରି ଏ ବା ଇଟାଲୀୟ ଫୁଟବଲ ଚାମ୍ପିୟନ୍ସିପ୍ |
୧୮ | ୧୯୦୯-୧୦, ୧୯୧୯-୨୦, ୧୯୨୯-୩୦, ୧୯୩୭-୩୮, ୧୯୩୯-୪୦, ୧୯୫୨-୫୩, ୧୯୫୩-୫୪, ୧୯୬୨-୬୩, ୧୯୬୪-୬୫, ୧୯୬୫-୬୬, ୧୯୭୦-୭୧, ୧୯୭୯-୮୦, ୧୯୮୮-୮୯, ୨୦୦୫-୦୬[nb ୧], ୨୦୦୬-୦୭, ୨୦୦୭-୦୮, ୨୦୦୮-୦୯, ୨୦୦୯-୧୦ |
କୋପା ଇଟାଲିଆ | ୭ | ୧୯୩୮-୩୯, ୧୯୭୭-7୮, ୧୯୮୧-୮୨, ୨୦୦୪-୦୫, ୨୦୦୫-୦୬,୨୦୦୯-୧୦, ୨୦୧୦-୧୧ | |
ସୁପରକୋପା ଇଟାଲିଆନା | ୫ | ୧୯୮୯, ୨୦୦୫, ୨୦୦୬, ୨୦୦୮, ୨୦୧୦ | |
ମହାଦେଶୀୟ | ୟୁରୋପୀୟ କପ / ୟୁଇଫା ଚାମ୍ପିୟନ୍ସ ଲିଗ୍ | ୩ | ୧୯୬୩-୬୪, ୧୯୬୪-୬୫, ୨୦୦୯-୧୦ |
ୟୁଇଫା କପ (ୟୁରୋପା ଲିଗ୍) | ୩ | ୧୯୯୦-୯୧, ୧୯୯୩-୯୪, ୧୯୯୭-୯୮ | |
ଅନ୍ତର୍ଜାତୀୟ | ଅନ୍ତଃ-ମହାଦେଶୀୟ କପ | ୨ | ୧୯୬୪, ୧୯୬୫ |
ଫିଫା କ୍ଲବ୍ ବିଶ୍ୱକପ | ୧ | ୨୦୧୦ |
କ୍ଲବ ସମ୍ବନ୍ଧୀୟ ଅନ୍ୟ ରେକର୍ଡ ଓ ପରିସଂଖ୍ୟାନ
[ସମ୍ପାଦନା]ୟାଭିଏର୍ ଜାନେଟ୍ଟି ଇଣ୍ଟର ମିଲାନ ଫୁଟବଲ କ୍ଲବ ଦଳ ପାଇଁ ସର୍ବାଧିକ ୮୫୮ଟି ମ୍ୟାଚରେ ଏବଂ ସିରି ଏ ଲିଗରେ ୬୧୮ଟି ମ୍ୟାଚରେ ଖେଳିଛନ୍ତି । ଉଭୟ ତାଙ୍କ ନାମରେ ରହିଥିବା ରେକର୍ଡ । ଜ୍ୟୁସେପ୍ ମେଆଜ୍ଜା ଇଣ୍ଟରମିଲାନ କ୍ଲବ ପକ୍ଷରୁ ସର୍ବକାଳୀନ ସର୍ବାଧିକ ଗୋଲ କରିଥିବା ଖେଳାଳି । ସେ ୪୦୮ଟି ମ୍ୟାଚରେ ୨୮୪ଟି ଗୋଲ କରିଛନ୍ତି ।[୨୬] ତାଙ୍କ ପଛକୁ ଆଲେସାନ୍ଦ୍ରୋ ଆଲ୍ଟୋବେଲି ୪୬୬ଟି ମ୍ୟାଚରେ ୨୦୯ଟି ଗୋଲ କରି ଦ୍ୱିତୀୟ ସ୍ଥାନରେ ଏବଂ ରୋବେର୍ତ୍ତୋ ବୋନିନସେଗ୍ନା ୨୮୧ଟି ମ୍ୟାଚରେ ୧୭୧ଟି ଗୋଲ କରି ତୃତୀୟ ସ୍ଥାନରେ ରହିଛନ୍ତି । ଇଣ୍ଟର ମିଲାନ କ୍ଲବରେ ସର୍ବାଧିକ ସମୟ ୯ ବର୍ଷ ପାଇଁ ହେଲେନିଓ ହେରେରା ପ୍ରଶିକ୍ଷକ ଦାୟିତ୍ୱ ବହନ କରିଥିଲେ । ତାଙ୍କ କାର୍ଯ୍ୟକାଳରେ ଇଣ୍ଟର କ୍ଲବ ୩ ଥର ଶୁଡେଟି, ୨ ଥର ୟୁରୋପୀୟ କପ ଓ ୨ ଥର ଅନ୍ତଃ-ମହାଦେଶୀୟ କପରେ ବିଜୟ ଲାଭ କରିଛି । ଇଣ୍ଟର ପାଇଁ ହୋଜେ ମୌରିନ୍ୟୋ ଅନ୍ୟତମ ସଫଳ ପରିଚାଳକ ଥିଲେ ଯାହାଙ୍କ କାର୍ଯ୍ୟକାଳରେ ଦଳ ୨୦୦୮-୦୯ ସିରି ଏ ଓ ସୁପରକୋପା ଇଟାଲିଆନାରେ ବିଜୟ, ୨୦୦୯-୧୦ ଇଟାଲୀରେ ଜାତୀୟ ତ୍ରି-ବିଜୟ ଏବଂ ୨୦୧୦ ୟୁଇଫା ଚାମ୍ପିୟନ୍ସ ଲିଗରେ ବିଜୟ ଲାଭ କରିଥିଲା ।
ଆହୁରି ଦେଖନ୍ତୁ
[ସମ୍ପାଦନା]ଟୀକା
[ସମ୍ପାଦନା]- ↑ ୨୦୦୬ ମସିହାରେ ଇଟାଲୀୟ ଫୁଟବଲରେ ଦେଖାଦେଇଥିବା କାଲ୍ସିଓପୋଲି କେଳେଙ୍କାରୀ ପରେ ନ୍ୟାୟାଳୟମାନେ ଇଣ୍ଟର ଦଳକୁ ବିଜୟୀ ଘୋଷିତ କରିଥିଲେ ।
ଆଧାର
[ସମ୍ପାଦନା]- ↑ "FC Internazionale Milano S.p.A." Financial Times (in ଇଂରାଜୀ). Archived from the original on 13 June 2018. Retrieved 13 June 2018.
- ↑ "Suning Holdings Group acquires majority stake of FC Internazionale Milano S.p.A." inter.it (in ଇଂରାଜୀ). Archived from the original on 9 June 2016. Retrieved 6 June 2016.
- ↑ "Inter, Suning si prende il 68,55%, Moratti lascia dopo 21 anni". gazzetta.it (in ଇଟାଲୀୟ). Archived from the original on 6 June 2016. Retrieved 6 June 2016.
- ↑ "LionRock Capital acquires 31.05% of FC Internazionale Milano S.p.A." inter.it (in ଇଂରାଜୀ). Archived from the original on 25 January 2019. Retrieved 25 January 2019.
- ↑ "Annual Report 2015" (PDF). Pirelli. 2016. Archived (PDF) from the original on 29 June 2016. Retrieved 14 June 2016.
- ↑ List of shareholders on 30 June 2016, document purchased from Italian C.C.I.A.A.
- ↑ "Steven Zhang named President of FC Internazionale Milano S.p.A." inter.it (in ଇଂରାଜୀ). Archived from the original on 26 October 2018. Retrieved 26 October 2018.
- ↑ "ANTONIO CONTE WILL BE INTER'S NEW COACH" (in ଇଟାଲୀୟ). inter.it. 31 May 2019. Archived from the original on 31 May 2019. Retrieved 31 May 2019.
- ↑ "Inter Milan arrives in Jakarta to prepare for two friendlies". The Jakarta Post. 24 May 2012. Archived from the original on 28 September 2013. Retrieved 25 July 2013.
- ↑ Grove, Daryl (22 December 2014). "10 Soccer Things You Might Be Saying Incorrectly". Paste. Archived from the original on 30 July 2017. Retrieved 21 June 2017.
- ↑ ୧୧.୦ ୧୧.୧ "Italy – List of Champions". RSSSF.[permanent dead link]
- ↑ ୧୨.୦ ୧୨.୧ "Inter join exclusive treble club". uefa.com. Archived from the original on 11 November 2012. Retrieved 9 August 2012.
- ↑ "Struttura" (in ଇଟାଲୀୟ). San Siro. Archived from the original on 12 June 2010. Retrieved 4 October 2010.
- ↑ "Is this the greatest derby in world sports?". Theroar.com.au. 26 January 2010. Archived from the original on 20 October 2011. Retrieved 28 September 2011.
- ↑ "Best supported clubs who attract more than a million fans every season". talkSPORT. 31 March 2019. Archived from the original on 29 June 2019. Retrieved 29 May 2019.
- ↑ "The World's Most Valuable Soccer Teams". Forbes. 17 April 2013. Archived from the original on 4 July 2013. Retrieved 13 July 2013.
- ↑ "Qualcosa di speciale? La patch 105". inter.it (in ଇଟାଲୀୟ). Archived from the original on 2 April 2015. Retrieved 18 September 2014.
- ↑ "Storia". FC Internazionale Milano. Archived from the original on 30 January 2010. Retrieved 6 September 2007.
- ↑ "Helenio Herrera: More than just catenaccio". www.fifa.com. FIFA. Archived from the original on 16 January 2017. Retrieved 10 September 2014.
- ↑ "Mazzola: Inter is my second family". FIFA. Archived from the original on 9 October 2014. Retrieved 11 September 2014.
- ↑ "La leggenda della Grande Inter" [The legend of the Grande Inter] (in ଇଟାଲୀୟ). Inter.it. Archived from the original on 19 October 2012. Retrieved 10 September 2014.
- ↑ "La Grande Inter: Helenio Herrera (1910–1997) – "Il Mago"" (in ଇଟାଲୀୟ). Sempre Inter. Archived from the original on 11 September 2014. Retrieved 10 September 2014.
- ↑ "Great Team Tactics: Breaking Down Helenio Herrera's 'La Grande Inter'". Bleacher Report. Archived from the original on 20 December 2014. Retrieved 10 September 2014.
- ↑ Fox, Norman (11 November 1997). "Obituary: Helenio Herrera – Obituaries, News". The Independent. UK. Archived from the original on 3 March 2010. Retrieved 22 April 2011.
- ↑ "Comunicato di FC Internazionale Milano". inter.it (Press release) (in ଇଟାଲୀୟ). FC Internazionale Milano. 20 December 2016. Archived from the original on 16 July 2017. Retrieved 15 July 2017.
- ↑ "record holders". inter.it. Archived from the original on 25 February 2013. Retrieved 8 March 2013.
ଅନ୍ୟାନ୍ୟ ଲିଂକ୍
[ସମ୍ପାଦନା]- FC Internazionale Milano at Serie A (in English and Italian)
- FC Internazionale Milano at UEFA
- FC Internazionale Milano at FIFA