ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ର

ଉଇକିପିଡ଼ିଆ‌ରୁ
ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ର
ଆନନ୍ଦ ଭବନର ପ୍ରବେଶଦ୍ୱାରରେ ଲାଗିଥିବା ଫଳକ
ସ୍ଥାପିତ୧୭ ମାର୍ଚ୍ଚ ୨୦୧୮
ଅବସ୍ଥାନତୁଳସୀପୁର, କଟକ, ଭାରତ
ସ୍ୱତ୍ୱାଧିକାରୀଓଡ଼ିଶା ସରକାର

ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ର ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଉଦ୍ଧିଷ୍ଟ ଏକ ଜାତୀୟସ୍ତରୀୟ ସଂଗ୍ରହାଳୟ ଅଟେ । ୨୦୧୮ ମସିହା ମାର୍ଚ୍ଚ ୧୭ ତାରିଖରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସଂଗ୍ରହାଳୟକୁ ଉଦଘାଟନ କରିଥିଲେ ।[୧]

ବିବରଣୀ[ସମ୍ପାଦନା]

ଆନନ୍ଦଭବନ କଟକର ତୁଳସୀପୁର ଅଞ୍ଚଳରେ ଅବସ୍ଥିତ । ବିଜୁ ପଟ୍ଟନାୟକଙ୍କ ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କଦ୍ୱାରା ୧୯୩୧ ମସିହାରେ ଏହା ନିର୍ମିତ ହୋଇଥିଲା ।[୨] ୧୯୮୫ରୁ ୧୯୯୦ ମସିହାରେ ମଧ୍ୟରେ ଆନନ୍ଦ ଭବନକୁ ଜନତା ଦଳର ମୁଖ୍ୟ କାର୍ଯ୍ୟାଳୟ ଭାବେ ମଧ୍ୟ ବ୍ୟବହୃତ ହେଉଥିଲା । ଏହି ଘରେ ତାଙ୍କର ପରିବାର ଅନେକ ବର୍ଷ ରହୁଥିବା ସହ ବିଜୁ ପଟ୍ଟନାୟକଙ୍କର ଜନ୍ମ ମଧ୍ୟ ଏହିଠାରେ ହୋଇଥିଲା । ବିଜୁ ପଟ୍ଟନାୟକଙ୍କ ପୁତ୍ର ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ନବୀନ ନିବାସ ନିର୍ମାଣ କରିବା ପରେ ମଧ୍ୟ ବିଭିନ୍ନ ରାଜନୈତିକ ବୈଠକ ଏବଂ ବ୍ୟକ୍ତିଗତ ଭେଟ ପାଇଁ ଆନନ୍ଦ ଭବନକୁ ଆସୁଥିଲେ । ନବୀନ ପଟ୍ଟନାୟକ, ଭାଇ ପ୍ରେମ ପଟ୍ଟନାୟକ ଏବଂ ତାଙ୍କ ପୁତ୍ର ଅରୁଣ ପଟ୍ଟନାୟକଙ୍କ ଉଦ୍ୟମରେ ବିଜୁ ପଟ୍ଟନାୟକଙ୍କ ନିଜସ୍ୱ ବାସଭବନ ଆନନ୍ଦ ଭବନକୁ ଏକ ସଂଗ୍ରହାଳୟ ଏବଂ ସ୍ମାରକୀର ମାନ୍ୟତା ମିଳିପାରିଛି ।[୩]

ସଂଗ୍ରହାଳୟ[ସମ୍ପାଦନା]

ସଂଗ୍ରହାଳୟଟି ଚାରୋଟି କକ୍ଷବିଶିଷ୍ଟ ।

  • ପ୍ରଥମ କକ୍ଷରେ ବିଜୁ ପଟ୍ଟନାୟକଙ୍କର ଓଡ଼ିଆ ଏବଂ ଇଂରାଜୀରେ ଦସ୍ତଖତ, ହାତଲେଖା, ଗ୍ରାମଫୋନ, ତାଙ୍କର ଜାତକ, ଆରାମ ଚଉକି ଏବଂ ତାଙ୍କଦ୍ୱାରା ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ପ୍ରଦର୍ଶିତ କରାଯାଇଛି ।
  • ଦ୍ୱିତୀୟ କକ୍ଷରେ ବିଜୁ ପଟ୍ଟନାୟକଙ୍କର ବ୍ୟକ୍ତିଗତ ଏବଂ ବିଭିନ୍ନ ରାଜନେତାଙ୍କ ସହ ବିଭିନ୍ନ ଦୁର୍ଲଭ୍ୟ ଛବି ପ୍ରଦର୍ଶନ କରାଯାଇଛି ।
  • ତୃତୀୟ କକ୍ଷରେ ବିଜୁ ପଟ୍ଟନାୟକଙ୍କର ଫଟୋଚିତ୍ର ସହ ଭୋଜନ ପାଇଁ ଉଦ୍ଧିଷ୍ଟ ଟେବୁଲ, ଆଲମାରୀ ଆଦି ରଖାଯାଇଛି ।
  • ଚତୁର୍ଥ କକ୍ଷରେ ବିଜୁ ପଟ୍ଟନାୟକଙ୍କର ଖଟ, ପୋଷାକ, ଖବରକାଗଜରେ ପ୍ରକାଶିତ ତାଙ୍କର ବିଭିନ୍ନ ମତାମତ ଆଦି ପ୍ରଦର୍ଶିତ କରାଯାଇଛି । ଏହା ବ୍ୟତୀତ ବିଜୁ ପଟ୍ଟନାୟକଙ୍କଦ୍ୱାରା ବ୍ୟବହୃତ ଶ୍ୱାସନେବା ଯନ୍ତ୍ର, ଅମ୍ଳଜାନ ସିଲିଣ୍ଡର ମଧ୍ୟ ରଖାଯାଇଛି ।
ଆନନ୍ଦ ଭବନ ପୁସ୍ତକଗାର

ଆନନ୍ଦ ଭବନ ପ୍ରବେଶଦ୍ୱାରର ଦକ୍ଷିଣ ପାର୍ଶ୍ୱରେ ତାଙ୍କ ସମ୍ପର୍କରେ ଲିଖିତ ପୁସ୍ତକ 'ପେଜେସ ଫ୍ରମ ଦ ଟଲ ମ୍ୟାନ'ରୁ କିଛି ବିଶେଷ ଅଂଶ ପ୍ରଦର୍ଶନ କରାଯାଇଛି । ବାମ ପାର୍ଶ୍ୱରେ ବିଜ୍ଞାନର ଉନ୍ନୟନ ପାଇଁ ବିଜୁ ପଟ୍ଟନାୟକଙ୍କଦ୍ୱାରା ସୂତ୍ରପାତ କରିଥିବା କଳିଙ୍ଗ ଫାଉଣ୍ଡେସନ ସଂସ୍ଥା ବିଷୟରେ ଦର୍ଶାଯାଇଛି ।

ଅଧ୍ୟୟନ କେନ୍ଦ୍ର[ସମ୍ପାଦନା]

ଉପରମହଲାରେ ଥିବା ଦୁଇଟି କୋଠରୀକୁ ଅଧ୍ୟୟନ କେନ୍ଦ୍ର ରୂପେ ପ୍ରସ୍ତୁତ କରାଯାଇଛି । ଚିତ୍ରଶିଳ୍ପୀ ରବିନାରାୟଣ ରଥଙ୍କଦ୍ୱାରା ଅଙ୍କିତ ବିଜୁ ପଟ୍ଟନାୟକଙ୍କର ଏକ ଚିତ୍ର ସ୍ଥାନିତ କରାଯାଇଛି ।[୪] ଏଠାରେ ଏକ ଇ-ଲାଇବ୍ରେରୀ ପ୍ରସ୍ତୁତିର ମଧ୍ୟ ଯୋଜନା କରାଯାଇଛି । ବିଭିନ୍ନ କିସମର ବହି ଏଠାରେ ସ୍ଥାନିତ ହୋଇଛି ।

ଦେଖିବା ସମୟ[ସମ୍ପାଦନା]

ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ର ସୋମବାର ବ୍ୟତୀତ ଅନ୍ୟ ଦିନମାନଙ୍କରେ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲା ରହେ ।

ଚିତ୍ରାବଳୀ[ସମ୍ପାଦନା]

ଆଧାର[ସମ୍ପାଦନା]