ଆନନ୍ଦୀ ଗୋପାଳ ଜୋଶୀ

ଉଇକିପିଡ଼ିଆ ରୁ
Jump to navigation Jump to search
ଆନନ୍ଦୀ ଗୋପାଳ ଜୋଶୀ
Anandibai gopalrao joshi.jpg
ଦସ୍ତଖତ ସହ ଆନନ୍ଦୀ ଗୋପାଳ ଜୋଶୀଙ୍କ ଫଟୋ
ଜନ୍ମ ଓ ଜନ୍ମସ୍ଥାନ ୩୧ ମାର୍ଚ୍ଚ ୧୮୬୫(1865-03-31)
ମୃତ୍ୟୁ ୨୬ ଫେବୃଆରୀ ୧୮୮୭ (୨୧ ବର୍ଷ)
ଜୀବନସାଥି ଗୋପାଳରାଓ ଜୋଶୀ

ଆନନ୍ଦୀ ଗୋପାଳ ଜୋଶୀ (କିମ୍ବା ଆନନ୍ଦୀବାଈ ଜୋଶୀ; ମରାଠୀ: आनंदीबाई जोशी; ମାର୍ଚ ୩୧, ୧୮୬୫ - ଫେବ୍ରୁଆରି ୨୬, ୧୮୮୭) ପାଶ୍ଚାତ୍ୟ ମେଡିସିନରେ ମେଡିକାଲ ଡିଗ୍ରି ହାସଲ କରିବାରେ ପ୍ରଥମ ଭାରତୀୟ ମହିଳା ଥିଲେ, ତାଙ୍କ ପରେ ସେହି ବର୍ଷ(୧୮୮୭ ମସିହା) କାଦମ୍ବିନୀ ଗାଙ୍ଗୁଲି ମଧ୍ୟ ମେଡିକାଲ ଡିଗ୍ରି ହାସଲ କରିଥିଲେ[୧] । ଆନନ୍ଦୀ ବାଈ ମଧ୍ୟ ଏହି ବିଷୟରେ ପ୍ରଥମ ହିନ୍ଦୁ ମହିଳା ଥିଲେ ।

ପ୍ରାକ୍ ଜୀବନ[ସମ୍ପାଦନା]

ପୁଣେର ଏକ ନୈଷ୍ଠିକ ଧନୀ ବ୍ରାହ୍ମଣ ପରିବାରରେ ଆନନ୍ଦୀ ବାଈ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପରିବାର ତାଙ୍କୁ ତାଙ୍କଠାରୁ ୨୦ ବର୍ଷ ବଡ଼ ବିପତ୍ନୀକ ଗୋପାଳରାଓ ଜୋଶୀଙ୍କୁ ବିବାହ କରାଇ ଦେଇଥିଲେ । କଲ୍ୟାଣରେ ଗୋପାଳରାଓ ଜଣେ ପୋଷ୍ଟ ଅଫିସ କିରାଣୀ ଭାବରେ କାମ କରୁଥିଲେ । ପରେ ତାଙ୍କର ଆଲିବାଗ ଓ ଶେଷରେ କଲିକତା ବଦଳି ହୋଇଥିଲା । ସେ ଉନ୍ନତ ଚିନ୍ତାଧାରାର ଲୋକ ଥିଲେ ଓ ମହିଳା ଶିକ୍ଷାକୁ ପ୍ରୋତ୍ସାହନ ଦେଉଥିଲେ ଯେତେବେଳେ କି ଭାରତରେ ଏହି ମହିଳା ଶିକ୍ଷାର ପ୍ରଚଳନ ନ ଥିଲା । ସେତେବେଳେ ବ୍ରାହ୍ମଣମାନେ ସଂସ୍କୃତ ଶିକ୍ଷା କରିବା ସାଧାରଣ କଥା ଥିଲା; କିନ୍ତୁ ଲୋଖିତାୱାଡିଙ୍କର ଲିଖିତ ସାତ ପତ୍ରେ ( Lokhitawadi's Shat Patre) ତାଙ୍କୁ ସଂସ୍କୃତ ଅପେକ୍ଷା ଇଂରାଜୀ ପଢ଼ିବାକୁ ବିଶେଷ ପ୍ରଭାବିତ କରିଥିଲା । ଆନନ୍ଦୀ ବାଈଙ୍କର ସ୍ପୃହା ଦେଖି ତାଙ୍କୁ ଶିକ୍ଷା ଲାଭ ତଥା ଇଂରାଜୀ ଶିଖିବାକୁ ସାହାଯ୍ୟ କରିଥିଲେ । ମାତ୍ର ୧୪ ବର୍ଷ ବୟଷରେ ଆନନ୍ଦୀ ବାଈ ଗୋଟିଏ ପୁତ୍ର ଜନ୍ମ କରିଥିଲେ, କିନ୍ତୁ ସେତେବେଳେ ଆବଶ୍ୟକ ଚିକିତ୍ସା ଅଭାବ ଯୋଗୁ ପିଲାଟି ଦଶ ଦିନ ପରେ ମୃତ୍ୟୁ ବରଣ କଲା । ଏହି ଘଟଣା ଆନନ୍ଦୀ ବାଈଙ୍କ ଜୀବନରେ ମୋଡ଼ ଆଣି ଡାକ୍ତର ହେବା ନିମନ୍ତେ ଉତ୍ସାହିତ କରିଥିଲା ।

ବୃତ୍ତି[ସମ୍ପାଦନା]

ଗୋପାଳରାଓ ତାଙ୍କ ପତ୍ନୀଙ୍କୁ ମେଡିସିନ ପଢ଼ିବାକୁ ଉତ୍ସାହିତ କରିଥିଲେ । ସେ ଜଣେ ପରିଚିତ ଆମେରିକା ନିବାସୀ ମିସନାରୀ, ର‌ୟଲ ୱାଇଲ୍ଡର୍‌ଙ୍କ (Royal Wilder) ପାଖକୁ ଚିଠି ଲେଖି ଆନନ୍ଦୀ ବାଈଙ୍କ ଡାକ୍ତରୀ ଶି଼କ୍ଷା ଇଛା ବିଷୟରେ ଜଣାଇ ଥିଲେ ଓ ତାଙ୍କ ନିଜ ନିମନ୍ତେ ଗୋଟିଏ ଚାକିରି ଯୋଗାଡ଼ କରିଦେବାକୁ ଲେଖିଥିଲେ । ଖିରସ୍ତାନ ହେବା ସର୍ତ୍ତରେ ୱାଇଲ୍ଡର୍‌ ତାଙ୍କୁ ସାହାଯ୍ୟ କରିବାକୁ ରାଜି ହୋଇଥିଲେ । ଏହି ସର୍ତ୍ତରେ ଜୋଶୀ ଦମ୍ପତ୍ତି ରାଜି ହୋଇ ନ ଥିଲେ । ପ୍ରିନ୍ସଟନ୍ ମିସନାରି ରିଭିୟୁ ପତ୍ରିକାରେ ଏହି ବିଷୟ ୱାଇଲ୍ଡର୍‌ ଛାପିଥିଲେ । ତାହାକୁ ନିୟୁ ଜର୍ସିରେ ଜଣେ ଦାନ୍ତ ଡାକ୍ତରଙ୍କ ସାକ୍ଷାତ ଅପେକ୍ଷାରେ ଥିବା ଥିଓଡିସିଆ କାର୍ପେଣ୍ଟର (Theodicia Carpenter) ପଢ଼ିଥିଲେ । ଗୋପାଳରାଓଙ୍କର ତାଙ୍କ ପତ୍ନୀଙ୍କ ପ୍ରତି ସମର୍ଥନ ତାଙ୍କୁ ପ୍ରଭାବିତ କରିଥିଲା ଓ ସେ ଆମେରିକାରେ ସେମାନଙ୍କ ରହଣୀ ବନ୍ଦବୋସ୍ତ କରିବାକୁ ଇଛା ପ୍ରକାଶ କରିଥିଲେ । ଏହା ପରେ ଅନେକ ପତ୍ର ବିନିମୟ ହୋଇଥିଲା ଯେଉଁଥିରେ ହିନ୍ଦୁ ଧର୍ମ ବିଷୟରେ ଚର୍ଚ୍ଚା ହୋଇଥିଲା କଲିକତାରେ ଥିଲାବେଳେ ଆନନ୍ଦୀବାଈଙ୍କ ସ୍ୱାସ୍ଥ୍ୟର ଅବନତି ଘଟିଥିଲା । ସେ ଦୂର୍ବଳତା ଅନୁଭବ କରୁଥିଲେ, ତାଙ୍କର ମୁଣ୍ଡବଥା, ଜ୍ୱର ହେଉଥିଲା ଓ ବେଳେ ବେଳେ ଅଣନିଶ୍ୱାସୀ ହେଉଥିଲେ । ଆମେରିକାରୁ ଥିଓଡିସିଆ ଔଷଧ ପଠାଉଥିଲେ କିନ୍ତୁ କୌଣସି ଉପଶମ ହେଉ ନ ଥିଲା । ଗୋପାଳରାଓ ସେରାମପୁରକୁ ବଦଳି ହେଲେ ଓ ଆନନ୍ଦୀବାଈଙ୍କୁ ଅସୁସ୍ଥତା ସତ୍ତ୍ୱେ ଏକାକୀ ଆମେରିକା ପଠେଇବାକୁ ନିଷ୍ପତ୍ତି ନେଲେ । ଆନନ୍ଦୀବାଈଙ୍କ ଆଶଙ୍କା ଥିଲେ ମଧ୍ୟ ଗୋପାଳରାଓ ତାଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ଏକ ଉଦାହରଣ ସୃଷ୍ଟି କରିବାକୁ ପ୍ରୋତ୍ସାହନ ଦେଲେ । ଆନନ୍ଦୀବାଈଙ୍କୁ ପେନସିଲଭାନିଆର ମହିଳା ମେଡିକାଲ କଲେଜକୁ ଦରଖାସ୍ତ ଦେବାକୁ ଡାକ୍ତର ଥର୍ବର୍ନ ପରାମର୍ଶ ଦେଲେ । ସେତେବେଳକାର ହିନ୍ଦୁ ସମାଜ ତାଙ୍କୁ ବିଦେଶ ଯାଇ ଉଚ୍ଚ ଶିକ୍ଷା କରିବାକୁ ବାରଣ କଲେ । ଅନେକ ଖୀରସ୍ତାନି ତାଙ୍କୁ କ୍ରିସ୍ଟିଆନ ଧର୍ମ ନେଲେ ସାହାଯ୍ୟ କରିବାକୁ ସ୍ଥିର କଲେ । ଆନନ୍ଦୀବାଈ ସେରାମପୁର କଲେଜ ହଲରେ ସମବେତ ଜନ ସାଧାରଣଙ୍କୁ ମେଡିକାଲ ଡିଗ୍ରୀ ଆଣିବା ନିମନ୍ତେ ଆମେରିକା ଯିବା କଥା କହିଲେ । ହିନ୍ଦୁ ମହିଳା ଡାକ୍ତରଙ୍କ ଆବଶ୍ୟକତା ବିଷୟରେ ଚର୍ଚ୍ଚା କଲେ ଓ ଆମେରିକାରୁ ଫେରିବା ପରେ ଭାରତରେ ଗୋଟିଏ ମହିଳା ମେଡିକାଲ କଲେଜ ଖୋଲିବା କଥା କହିଲେ । ତାଙ୍କର ଏହି ବକ୍ତୃତା ପ୍ରଚାରିତ ହୋଇ ଭାରତର ପ୍ରତ୍ୟେକ ସ୍ଥାନରୁ ଅର୍ଥ ସାହାଯ୍ୟ ଆସିବାକୁ ଲାଗିଲା ।

ଆମେରିକାରେ ଜୀବନ[ସମ୍ପାଦନା]

ଥର୍ବର୍ନଙ୍କ ଚିହ୍ନା ଦୁଇ ଇଂରାଜୀ ମହିଳାଙ୍କ ସହ ଆନନ୍ଦୀବାଈ କଲିକତାରୁ ଜାହାଜରେ ନିୟୁୟୋର୍କ ଯାତ୍ରା କଲେ । ଜୁନ ୧୮୮୩ ମସିହାରେ ଥିଓଡିସିଆ ତାଙ୍କୁ ପାଛୋଟି ନେଲେ । ପେନସିଲଭାନିଆର ମହିଳା ମେଡିକାଲ କଲେଜକୁ ମେଡିକାଲରେ ପଢ଼ିବା ନିମନ୍ତେ ଆନନ୍ଦୀବାଈ ଦରଖାସ୍ତ ଦେଲେ[୨] । ରାଚେଲ୍ ବୋଡଲେ ତାଙ୍କ ନାମ ଲେଖାଇ ଥିଲେ । ଆନନ୍ଦୀବାଈ ୧୯ ବର୍ଷ ବୟସରେ ମେଡିକାଲ ଶିକ୍ଷା ଆରମ୍ଭ କଲେ । ଆମେରିକାର ଥଣ୍ଡା ପାଗ ଓ ଅପରିଚିତ ଖାଦ୍ୟ ଯୋଗୁ ତାଙ୍କର ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା । ସେ ଯକ୍ଷ୍ମା ରୋଗର ଶୀକାର ହୋଇଥିଲେ । ଆର୍ଯ୍ୟ ହିନ୍ଦୁଙ୍କର ପ୍ରସୂତି ବିଷୟରେ ସନ୍ଦର୍ଭ (Thesis) ଲେଖି ସେ ମାର୍ଚ ୧୧ ତାରିଖ ୧୮୮୬ରେ ଏମ୍.ଡି. ଦିଗ୍ରି ପାଇଲେ । ସ୍ନାତକ ହେବା ପରେ ରାଣୀ ଭିକ୍ଟୋରିଆ ତାଙ୍କ ପାଖକୁ ଅଭିନନ୍ଦନ ବାର୍ତ୍ତ ପଠେଇ ଥିଲେ ।

ଭାରତ ପ୍ରତ୍ୟାବର୍ତ୍ତନ[ସମ୍ପାଦନା]

ସନ ୧୮୮୬ ମସିହାରେ ଆନନ୍ଦୀବାଈ ବୀର (Hero) ମର୍ଯ୍ୟାଦା ସ୍ୱାଗତ ସହ ଭାରତକୁ ଫେରିଲେ । ପ୍ରିନ୍ସଲି ସ୍ଟେଟ ଅଫ୍ କୋହ୍ଲାପୁର ତାଙ୍କୁ ଆଲବର୍ଟ୍ ଏଡବାର୍ଡ୍ ଡାକ୍ତରଖାନାରେ ମୂଖ୍ୟ ଚିକିତ୍ସକ ହିସାବରେ ନିଯୁକ୍ତ କଲେ ।

ଦେହାବସାନ[ସମ୍ପାଦନା]

ମାତ୍ର ଏକ ବର୍ଷ ପରେ ୨୬ ଫେବ୍ରୁଆରି ୧୮୮୭ ମସିହାରେ ୨୨ ବର୍ଷ ବୟସ ହେବା ପୂର୍ବରୁ ତାଙ୍କର ଦେହାବସାନ ହୋଇଥିଲା । ତାଙ୍କ ଚିତା ଭସ୍ମ ଥିଓଡିସିଆଙ୍କ ପାଖକୁ ପଠାଯାଇଥିଲା ଓ ସେ ତାହାକୁ ତାଙ୍କ ପାରିବାରିକ ମଶାଣିରେ ସ୍ଥାପନ କରିଥିଲେ ।

ଜଣାଶୁଣା ଗଣମାଧ୍ୟମରେ ଚର୍ଚ୍ଚା[ସମ୍ପାଦନା]

ଆନନ୍ଦୀବାଈଙ୍କ ଜୀବନୀ କ୍ୟାରୋଲିନ୍ ବେଲ୍ସ ହିଲେ ଡାଲ୍ ୧୮୮୮ ମସିହାରେ ଲେଖିଥିଲେ[୩] । ଆନନ୍ଦୀ ଗୋପାଳଙ୍କ ଜୀବନୀ ଉପରେ ପର୍ଯ୍ୟବେଶିତ ଏକ ଧାରାବାହିକ ଦୂରଦର୍ଶନ ପ୍ରସାର କରିଥିଲେ । କମଳାକର ସାରଙ୍ଗ ଏହାର ନିର୍ଦ୍ଦେଶକ ଥିଲେ । ଶ୍ରୀକ୍ରିଷ୍ଣା ଜନାର୍ଦନ ଜୋଶୀ ଆନନ୍ଦୀ ଗୋପାଳଙ୍କ ଜୀବନ ଉପରେ ପର୍ଯ୍ୟବେଶିତ ଏକ ଗାଳ୍ପିକ ନଭେଲ 'ଆନନ୍ଦୀ ଗୋପାଳ' ଲେଖିଥିଲେ । ଏହାକୁ ଆଶା ଡାମଲେ ଇଂରାଜୀରେ ଅନୁବାଦ କରିଥିଲେ । ରାମ ଜି ଜୋଗ୍ଲେକର ଏହାକୁ ଗୋଟିଏ ନାଟକରେ ରୁପାନ୍ତର କରିଥିଲେ ।

ପରମ୍ପରା[ସମ୍ପାଦନା]

ଲକ୍ଷ୍ନୋର ଅଣସରକାରୀ ସଂସ୍ଥା ଇନ୍‌ସ୍ଟିଚ୍ୟୁଟ୍ ଫର ରିସର୍ଚ ଆଣ୍ଡ ଡକୁମେଣ୍ଟେସନ ଇନ ସୋସିଆଲ୍ ସାଇନ୍ସ ମେଡିକାଲ ବିଜ୍ଞାନକୁ ଦାନ ନିମନ୍ତେ ଆନନ୍ଦୀବାଈଙ୍କ ସମ୍ମାନାର୍ଥେ ଏକ ପୁରସ୍କାର ବିତରଣ କରନ୍ତି[୪]

ଆଧାର[ସମ୍ପାଦନା]

  1. Eron, Carol (୧୯୭୯). "Women in Medicine and Health Care". In O'Neill, Lois Decker. The Women's Book of World Records and Achievements. Anchor Press. p. ୨୦୪. ISBN ୦-୩୮୫-୧୨୭୩୩-୨. First Hindu Woman Doctor 
  2. Scan of letter from Anandibai Joshi to Alfred Jones, June 28, 1883; DUCOM Archives
  3. The Life of Dr. Anandabai Joshee: A Kinswoman of the Pundita Ramabai, published by Roberts Brothers, Boston
  4. http://www.irdsindia.com/irdsawards2011.html

ସହାୟକ ଗ୍ରନ୍ଥ[ସମ୍ପାଦନା]