ଅଭିନିବେଶ ଅର୍ଥନୀତି

ଉଇକିପିଡ଼ିଆ‌ରୁ
Jump to navigation Jump to search
ଢାକା ସହରର ଏକ ବ୍ୟସ୍ତ ସଡ଼କରେ ଲୋକଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ବିଜ୍ଞାପନ ଫଳକମାନଙ୍କ ମଧ୍ୟରେ ପ୍ରତିଯୋଗିତା

ଅଭିନିବେଶ ଅର୍ଥନୀତି (ଇଂରାଜୀ ଭାଷାରେ Attention Economics) ଅର୍ଥନୀତିର ଏକ ଶାଖା ଯେଉଁଥିରେ ମନୁଷ୍ୟର ଧ୍ୟାନ ବା ଆଗ୍ରହକୁ ଏକ ଦୁର୍ଲଭ ସମ୍ବଳ ବୋଲି ବିବେଚନା କରାଯାଇଥାଏ ଓ ତାହାକୁ ପଣ୍ୟ ଦ୍ରବ୍ୟ (ଇଂରାଜୀରେ commodity) ବିଚାର କରି ବିଭିନ୍ନ ଅର୍ଥନୈତିକ ନିୟମ ଓ ପନ୍ଥାଦ୍ୱାରା ତଥ୍ୟ ସମ୍ବନ୍ଧୀୟ ସମସ୍ୟାମାନଙ୍କର ସମାଧାନ କରାଯାଇଥାଏ । ମ୍ୟାଥ୍ୟୁ କ୍ରଫୋର୍ଡ୍ ଏହାକୁ ସରଳ ଭାବେ ବର୍ଣ୍ଣନା କରି କହିଛନ୍ତି ଯେ : “ମନୁଷ୍ୟର ଧ୍ୟାନ ବା ଆଗ୍ରହ ଏକ ସମ୍ବଳ – କାରଣ, ଏହା ଅଧିକ ସମୟ ପାଇଁ ବା ଅଧିକ ମାତ୍ରାରେ ଉପଲବ୍ଧ ନୁହଁ” [୧]

ଏହି ପରିପ୍ରେକ୍ଷୀରେ ଥୋମାସ୍ ହେସ୍ ଡାଭେନପୋର୍ଟ୍ ଓ ଜେ. ସି. ବେକ୍ ଅଭିନିବେଶର (ମନୁଷ୍ୟର ଧ୍ୟାନ/ଆଗ୍ରହ, ଇଂରାଜୀ ଭାଷାରେ Attention) ସଂଜ୍ଞା ନିରୂପଣ କରି କହିଛନ୍ତି :

ଏକ ନିର୍ଦ୍ଦିଷ୍ଟ ବସ୍ତୁ ବା ତଥ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଅଭିନିବେଶ ବୋଲି କୁହାଯିବ । ଏହି ବସ୍ତୁ ବା ତଥ୍ୟ ଆମ ଜ୍ଞାତସାରରେ ଆସିବା ପରେ ଆମେ ତାହାର ସ୍ୱାଦ ଉପଭୋଗ କରୁ ଓ ତାହା ପରେ ନିର୍ଣ୍ଣୟ କରୁ ଯେ ଏହାକୁ ନେଇ କଣ କରିବା (୨୦୦୧)।

ଆଧୁନିକ ଯୁଗରେ ଯେହେତୁ ଉପଲବ୍ଧ ତଥ୍ୟର ଆକାର ବହୁ ପରିମାଣରେ ବଢ଼ି ଯାଇଛି ଓ ଏହି ତଥ୍ୟ ସୁଲଭ ହୋଇଯାଇଛି, ତେଣୁ ତଥ୍ୟର ଉପଭୋଗ/ଗ୍ରହଣ (ଇଂରାଜୀରେ consumption) କ୍ଷମତା ହ୍ରାସ ପାଇଛି ବା ଅନ୍ୟ ଅର୍ଥରେ ମନୁଷ୍ୟର ଅଭିନିବେଶ ସମୟ ସୀମିତ ବା ଦୁର୍ଲଭ ହୋଇଯାଇଛି ।[୨] ପ୍ରଥମତଃ, ମନୁଷ୍ୟ ମସ୍ତିଷ୍କର ମାନସିକ କ୍ଷମତା ସୀମିତ, ତେଣୁ ଏକ ବିଶାଳ ତଥ୍ୟାଗାରରୁ ସମସ୍ତ ଉପଲବ୍ଧ ଜ୍ଞାନ, ସୂଚନା ବା ତଥ୍ୟ ଗ୍ରହଣ କରିବା ମନୁଷ୍ୟ ପକ୍ଷରେ ସମ୍ଭବ ନୁହେଁ । ଡିଜିଟାଲ୍ ଯୁଗରେ ମନୁଷ୍ୟକୁ ଘେରି ରହିଥିବା ତଥ୍ୟାଗାରରୁ ମନୁଷ୍ୟର ଆଗ୍ରହ କେବଳ କିଛି ବଛା ତଥ୍ୟ ଉପରେ କେନ୍ଦ୍ରୀଭୂତ ହୋଇଥାଏ ଓ ଏଥିରେ ମନୁଷ୍ୟର ଅଭିନିବେଶ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।[୩]

ଅଭିନିବେଶ ଅର୍ଥନୀତିକୁ ଆଖି ଆଗରେ ରଖି ଅଧିକାଂଶ ସଫ୍ଟୱେର୍ ଆପ୍ଲିକେସନ୍ ନିଜର ୟୁଜର୍ ଇଣ୍ଟର୍ଫେସ୍‍ର ସଂରଚନା କରିଥାନ୍ତି । ବ୍ୟବହାରକାରୀଙ୍କୁ ଏକ ସଫ୍ଟୱେର୍ ବା ୱେବ୍‍ସାଇଟରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ବା ବସ୍ତୁ ଖୋଜିବାକୁ ଅଧିକ ସମୟ ଲାଗୁଥିଲେ ସେମାନେ ଉକ୍ତ ସଫ୍ଟୱେର୍ ବା ୱେବ୍‍ସାଇଟ୍ ପରିତ୍ୟାଗ କରି ଅନ୍ୟ ସ୍ଥାନରେ ନିଜ ଆବଶ୍ୟକୀୟ ତଥ୍ୟ ବା ବସ୍ତୁ ଖୋଜିଥାନ୍ତି । ତେଣୁ ପ୍ରଥମ ସନ୍ଧାନରେ ହିଁ ଅଧିକରୁ ଅଧିକ ପ୍ରାସଙ୍ଗିକ, ଧ୍ୟାନ ଆକର୍ଷଣକାରୀ ଓ ଜନପ୍ରିୟ ବା ଏକା ପ୍ରକାରର ଜନଗୋଷ୍ଠୀର ବହୁ ବ୍ୟବହାରକାରୀଙ୍କଦ୍ୱାରା ଦେଖାଯାଇଥିବା ତଥ୍ୟ ଓ ବସ୍ତୁ ବାଛି ବାଛି ପ୍ରଦର୍ଶିତ କରାଯାଇଥାଏ ।[୪] ଅଭିନିବେଶ ଆଧାରିତ ବିଜ୍ଞାପନରେ କେତେ ଜଣ ବ୍ୟକ୍ତିଙ୍କ ଆଖି ଏକ ନିର୍ଦ୍ଦିଷ୍ଟ ବିଜ୍ଞାପନକୁ ଦେଖିଛି ତାହା ଗଣନା କରାଯାଇଥାଏ ।[୫]

ଇତିହାସ[ସମ୍ପାଦନା]

ଆମେରିକୀୟ ଅର୍ଥନୀତିଜ୍ଞ ହର୍ବର୍ଟ୍ ଆଲେକ୍‍ଜାଣ୍ଡାର୍ ସିମୋନ୍[୬] ସର୍ବ ପ୍ରଥମେ ଅଭିନିବେଶ ଅର୍ଥନୀତି ତତ୍ତ୍ୱ ସମ୍ପର୍କରେ ନିଜ ଲେଖା ମାଧ୍ୟମରେ ଜଣାଇଥିଲେ । ତାଙ୍କ ଲେଖା ଅନୁସାରେ:

ତଥ୍ୟ-ବହୁଳ ଦୁନିଆରେ ତଥ୍ୟର ଆଧିକ୍ୟ ଅନ୍ୟ କୌଣସି ଏକ ବସ୍ତୁର ଅଭାବ ମଧ୍ୟ ସୂଚାଇଥାଏ ଓ ତାହା ହେଲା ଏହି ତଥ୍ୟ ତିଷ୍ଠି ରହିବା ପାଇଁ ଯାହା ଆବଶ୍ୟକ (ତଥ୍ୟର ଆହାର) । ତଥ୍ୟର ଆହାର ହେଲା ସେ ଯେଉଁମାନଙ୍କ ଧ୍ୟାନ ନିଜ ଆଡ଼କୁ ଆକର୍ଷିତ କରିପାରେ । ତେଣୁ ତଥ୍ୟର ବହୁଳତା ଯୋଗୁଁ ଅଭିନିବେଶର ସ୍ୱଳ୍ପତା ସୃଷ୍ଟି ହୁଏ ଓ ଅତ୍ୟଧିକ ତଥ୍ୟକୁ ଦେଖିବା ପାଇଁ ଏହି ସୀମିତ ଅଭିନିବେଶ ହିଁ ଉପଲବ୍ଧ ଥାଏ ।(ସିମୋନ୍ & ୧୯୭୧, pp. ୪୦–୪୧)

ତାଙ୍କ ମତାନୁସାରେ ସୂଚନାଭିତ୍ତିକ ବ୍ୟବସ୍ଥାର (information system) ବିନ୍ୟାସରେ “ଅଭିନିବେଶର ଅଭାବ”କୁ ଉପେକ୍ଷା କରି “ସୂଚନାର ଅଭାବ”କୁ ପ୍ରଧାନ ସମସ୍ୟା ରୂପେ ଗ୍ରହଣ କରିବା ଭୁଲ । ତେଣୁ ଏହି ବ୍ୟବସ୍ଥାଗୁଡ଼ିକ ଅଧିକରୁ ଅଧିକ ସୂଚନା ଓ ତଥ୍ୟ ପ୍ରଦାନ କରିବାରେ ସଫଳ ହୁଅନ୍ତି । କିନ୍ତୁ ପ୍ରକୃତରେ ଏହି ବ୍ୟବସ୍ଥାର ଲକ୍ଷ୍ୟ ଏହା ହେବା କଥା ଯେ କିପରି ପ୍ରାସଙ୍ଗିକ ଓ ମହତ୍ତ୍ୱପୂର୍ଣ୍ଣ ତଥ୍ୟକୁ ବାଛି ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ (୧୯୯୬) ।

ନିକଟ ଅତୀତରେ ସିମୋନ୍‍ଙ୍କଦ୍ୱାରା ପ୍ରକାଶିତ ଏହି “ତଥ୍ୟବାହୁଲ୍ୟ” ସମସ୍ୟାକୁ ଅର୍ଥନୈତିକ ଦୃଷ୍ଟିକୋଣରୁ ମଧ୍ୟ ଦେଖାଗଲା ଓ ଏହି ତତ୍ତ୍ୱ ଖୁବ୍ ଲୋକପ୍ରିୟ ହେଲା । ଥୋମାସ୍ ଡାଭେନପୋର୍ଟ୍ ଓ ମାଇକେଲ୍ ଗୋଲ୍ଡହାବର୍‍ଙ୍କ ପରି ବ୍ୟବସାୟିକ ଯୋଜନା ବିଶେଷଜ୍ଞମାନେ “ଅଭିନିବେଶ ଅର୍ଥନୀତି” ଶବ୍ଦର ପ୍ରଚଳନ କରାଇଥିଲେ ।(ଡାଭେନପୋର୍ଟ୍, ବେକ୍ & ୨୦୦୧)

କିଛି ଲେଖକ ଅନୁମାନ କରନ୍ତି ଯେ ଆମ ଅର୍ଥନୈତିକ ବ୍ୟବସ୍ଥାର ଧ୍ୟାନ ମୁଦ୍ରା ବିନିମୟରୁ ହ୍ରାସ ପାଇ କ୍ରମଶଃ ଅଭିନିବେଶ ବିନିମୟ ଦିଗରେ ବଢ଼ିବ । (ଗୋଲ୍ଡହାବର୍ (୧୯୯୭), ଫ୍ରାଂକ୍ (୧୯୯୯)) ସୂଚନା ବ୍ୟବସ୍ଥାର ଗବେଷକମାନେ ମଧ୍ୟ ଏହି ତତ୍ତ୍ୱକୁ ଗ୍ରହଣ କରି ଓ ଅଭିନିବେଶ ଅର୍ଥନୀତି ସମ୍ବନ୍ଧୀୟ ସ୍ୱତ୍ତ୍ୱାଧିକାରକୁ ପ୍ରାଧାନ୍ୟ ଦେଇ ନୂତନ ବ୍ୟବସ୍ଥା ଗଠନ କରିବା ପାଇଁ ଚେଷ୍ଟାରତ ।

ପରୋକ୍ଷ ଲାଭ[ସମ୍ପାଦନା]

ସାଇବର୍ ସଂସ୍କୃତିର ବିଶେଷଜ୍ଞ କେଭିନ୍ କେଲି କୁହନ୍ତି ଯେ ଆଧୁନିକ ଅଭିନିବେଶ ଅର୍ଥନୀତିରେ ପଣ୍ୟ ଦ୍ରବ୍ୟ (ଅଭିନିବେଶ)କୁ ପୁନଃ ସୃଷ୍ଟି କରିବା ପାଇଁ କମ୍ ବ୍ୟୟ ହୋଇଥାଏ ଓ ଆଗ୍ରହ ଦେଖାଉଥିବା ବ୍ୟକ୍ତିର ମନୋବାଞ୍ଛା ହେଲା ତାକୁ ଅନେକ ଅଦୃଷ୍ଟ ବା ଅଗୋଚର ଲାଭ ଦରକାର ଯାହା ତା’ ପାଇଁ ଅତ୍ୟନ୍ତ ମୂଲ୍ୟବାନ । ଏହି ସବୁ ଅଦୃଷ୍ଟ ବା ପରୋକ୍ଷ ଲାଭ ହେଲେ :[୭]

  1. ଶୀଘ୍ରତା – ଶୀଘ୍ର ବସ୍ତୁ ପହଞ୍ଚାଇବା, ଶୀଘ୍ର ଅନୁମତି ମିଳିବା
  2. ବ୍ୟକ୍ତିଗତ ଭାବ ସୃଷ୍ଟି କରିବା – ବ୍ୟକ୍ତିଗତ ଇଚ୍ଛା ଅନୁମାନ କରି ଓ ବଛାବାଛି କରି ତଥ୍ୟ ପରିବେଷଣ କରିବା
  3. ଆବଶ୍ୟକତାକୁ ଆଗୁଆ ଅନୁମାନ କରିବା ଓ ସହାୟତା ପ୍ରଦାନ କରିବା
  4. ସଠିକ୍ ଜିନିଷ ବା ତଥ୍ୟ ଯୋଗାଇବା
  5. ଉପଲଭ୍ୟତା – ଯେବେ ଚାହିଁବ, ଯେଉଁଠାରେ ଚାହିଁବ
  6. ଗ୍ରାହକର ପୃଷ୍ଠପୋଷକତା ଲାଭ କରିବା
  7. ସନ୍ଧାନସୁଲଭ – ବିଶାଳ ତଥ୍ୟାଗାରରୁ ସହଜରେ ଖୋଜି ବାହାର କରିବା

ସମୂହ ବା ସାମାଜିକ ଅଭିନିବେଶ[ସମ୍ପାଦନା]

ଅଭିନିବେଶ ଅର୍ଥନୀତି ଏକ ଜନ ସମୂହ ବା ସମାଜ ପାଇଁ ମଧ୍ୟ ପ୍ରଯୁଜ୍ୟ ହୋଇପାରେ । ଜଣେ ବ୍ୟକ୍ତିର ସମାଜର ଅନ୍ୟ ବ୍ୟକ୍ତିଙ୍କ ସହ ହେଉଥିବା ବାର୍ତ୍ତା ଓ ଭାବ ବିନିମୟରୁ ଏକ ଦୀର୍ଘ କାଳୀନ ଅଭିନିବେଶ ପାଇବାର ଯୋଜନା କରାଯାଇପାରିବ । କିନ୍ତୁ ସାମାଜିକ ବିନିମୟକୁ ଅଧିକ ବିଶ୍ଳେଷଣ କଲେ ବିନିମୟ ସମ୍ପର୍କୀୟ ତଥ୍ୟର ଆଧିକ୍ୟ ସୃଷ୍ଟି ହେବାର ସମ୍ଭାବନା ରହିଥାଏ । ଡିଜିଟାଲ୍ ଗଣମାଧ୍ୟମ ଓ ଇଣ୍ଟରନେଟ୍ ଯୋଗୁଁ ଏହି ପ୍ରକାରର ଅର୍ଥନୀତି ଅଧିକ ଲୋକଙ୍କୁ ନିଜ ପରିସରକୁ ଆଣିପାରେ ତଥା ଏକ ସମୟରେ ବହୁ ଲୋକଙ୍କ ଧ୍ୟାନ ଆକର୍ଷଣ ମଧ୍ୟ କରିହୁଏ । ସାଧାରଣ ବ୍ୟକ୍ତି ମଧ୍ୟ ନିଜେ ଯେକୌଣସି ବିଷୟବସ୍ତୁ ପ୍ରସ୍ତୁତ କରି କିମ୍ବା ଅନ୍ୟଦ୍ୱାରା ପ୍ରସ୍ତୁତ ବିଷୟବସ୍ତୁର ତର୍ଜମା, ସମାଲୋଚନା ଆଦି କରି ବହୁ ଲୋକଙ୍କ ଧ୍ୟାନ ଆକର୍ଷଣ କରିବାରେ ସମର୍ଥ ହେଉଛନ୍ତି ।[୮]

ସାମାଜିକ ଅଭିନିବେଶ ମଧ୍ୟ ସମୂହ ଅଭିନିବେଶର ଏକ ଅଂଶ । କିପରି ଏକ ପ୍ରସଙ୍ଗ ସମୂହ ଦର୍ଶନରୁ କ୍ରମଶଃ ସମାଜରେ ସର୍ବତ୍ର ବ୍ୟାପିଯାଏ ଓ ଅଧିକରୁ ଅଧିକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିପାରେ ତାହାକୁ ସାମାଜିକ ଅଭିନିବେଶ ବୋଲି କୁହାଯିବ ।

ଅଭିନିବେଶ ଅର୍ଥନୀତିର ବ୍ୟବହାର[ସମ୍ପାଦନା]

ବିଜ୍ଞାପନରେ ବ୍ୟବହାର[ସମ୍ପାଦନା]

"ଅଭିନିବେଶ ଅର୍ଥନୀତି"ରେ ଜଣେ ସମ୍ଭାବ୍ୟ ଗ୍ରାହକର ଧ୍ୟାନ ବା ଆଗ୍ରହକୁ ସମ୍ବଳ ରୂପେ ପରିଗଣିତ କରାଯାଏ ।[୯] ପାରମ୍ପରିକ ବିଜ୍ଞାପନ ମଡେଲ୍ ଅନୁସାରେ ଉପଭୋକ୍ତାମାନେ ଏକ ରୈଖିକ ପ୍ରଣାଳୀ ଅ-ଆ-ଇ-କା (ଇଂରାଜୀରେ AIDA)ରେ ଗତି କରନ୍ତି ବୋଲି କୁହାଯାଏ । ଏହି ରୈଖିକ ପ୍ରଣାଳୀ ହେଲା - ଭିନିବେଶ, ଗ୍ରହ, ଚ୍ଛା ଓ କାର୍ଯ୍ୟକାରିତା (ଇଂରାଜୀରେ Attention, Interest, Desire and Action) । ଜଣେ ଅଣ-ଉପଭୋକ୍ତାଙ୍କୁ ଉପଭୋକ୍ତାରେ ପରିଣତ କରାଇବାର ପ୍ରଧାନ ଓ ପ୍ରଥମ ସୋପାନ ହେଉଛି ଅଭିନିବେଶ । ଇଣ୍ଟରନେଟ୍‍ର ବ୍ୟାପକତା ଯୋଗୁଁ ଉପଭୋକ୍ତାଙ୍କ ପାଖରେ ବିଜ୍ଞାପନ ପହଞ୍ଚାଇବା ପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିନଥାଏ କିନ୍ତୁ ଉପଭୋକ୍ତାର ଧ୍ୟାନ ଆକର୍ଷଣ କରିବା କଷ୍ଟସାଧ୍ୟ ବିଷୟ । ଆଲେକ୍‍ଜାଣ୍ଡାର୍ ଡୋଲଜିନ୍‍ଙ୍କ ମତାନୁସାରେ ତଥ୍ୟ ଓ ସୂଚନା ପ୍ରସାର ଓ ପ୍ରଚାରର ସୁବିଧା ଯୋଗୁଁ ଉପଭୋକ୍ତାମାନେ ପ୍ରତିଯୋଗୀ ବସ୍ତୁମାନଙ୍କ ତୁଳନା କରିବାରେ ଅନେକ ସମୟ ଅତିବାହିତ କରନ୍ତି । ତେଣୁ ଉପଭୋକ୍ତାର ଧ୍ୟାନ ଅଧିକ ସମୟ ପାଇଁ ଆକର୍ଷିତ କରି ରଖିବା ମଧ୍ୟ କଷ୍ଟ ହୋଇପଡ଼େ ।[୧୦]

ତଥ୍ୟ ପ୍ରଦୂଷଣର ନିୟନ୍ତ୍ରଣ[ସମ୍ପାଦନା]

ଇ-ମେଲ୍ ଷ୍ପାମ୍[ସମ୍ପାଦନା]

ଷ୍ପାମର୍‍ମାନଙ୍କୁ ବହୁ ସଂଖ୍ୟକ ଇ-ମେଲ୍ ସନ୍ଦେଶ ପଠାଇବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିନଥାଏ । ଷ୍ପାମର୍‍ମାନଙ୍କ ଅପେକ୍ଷା ଏହି ଇ-ମେଲ୍ ସନ୍ଦେଶର ବାହକ-ବିତରକ ସଂସ୍ଥା ଓ ଅଭିନିବେଶ ଅର୍ଥନୀତି ଦୃଷ୍ଟିକୋଣରୁ ସନ୍ଦେଶରେ ଆଗ୍ରହ ରଖିଥିବା ଗ୍ରାହକ ଅଧିକାଂଶ ବ୍ୟୟ ବହନ କରିଥାନ୍ତି । ତେଣୁ ଷ୍ପାମର୍‍ମାନଙ୍କ ପାଇଁ ବହୁସଂଖ୍ୟକ ଷ୍ପାମ୍ ଇ-ମେଲ୍ ପଠାଇବା ଏକ ସୁରକ୍ଷିତ ଓ ସୁଚିନ୍ତିତ ଯୋଜନା । ୧ ଲକ୍ଷ ଲୋକରେ ଜଣେ (୦.୦୦୧%) ଲୋକ ମଧ୍ୟ ଏହି ଷ୍ପାମ୍ ବିଜ୍ଞାପନଦ୍ୱାରା ପ୍ରଭାବିତ ହୋଇ ଜିନିଷ କ୍ରୟ କଲେ ତାହାକୁ ଉକ୍ତ ଷ୍ପାମ୍ ଯୋଜନାର ସଫଳତା ବୋଲି କୁହାଯିବ । ପ୍ରକ୍ସି ସର୍ଭର୍‍ମାନଙ୍କ ବ୍ୟବହାର କରି କାର୍ଯ୍ୟ ସମ୍ପାଦନ ହେଉଥିବାରୁ ଏପରି ପ୍ରସଙ୍ଗରେ ଆୟର ଉତ୍ସ ଠାବ କରିବା କଷ୍ଟ ହୋଇପାରେ ସତ; କିନ୍ତୁ ଲାଭଦାୟକ ବେପାର ନ ହୋଇଥିଲେ ଲୋକ ଏତେ ଷ୍ପାମ୍ କରିବାକୁ ନିଶ୍ଚିତ ରୂପେ ନିରୁତ୍ସାହିତ ହୋଇଥାନ୍ତେ ।[୧୧] ଇ-ମେଲ୍ ବ୍ୟବସ୍ଥାର ଲୋକପ୍ରିୟତା କାରଣରୁ ଷ୍ପାମର୍‍ମାନେ ଏହାର ଉପଯୋଗ କରି ଉପଭୋକ୍ତାଙ୍କ ଆଗ୍ରହ ଆକର୍ଷଣ କରିଥାନ୍ତି କିନ୍ତୁ ଏଥିପାଇଁ ଷ୍ପାମର୍‍ମାନେ ଉପଯୁକ୍ତ ମୂଲ୍ୟ (ବା ଖର୍ଚ୍ଚ କରିନଥାନ୍ତି), ଅନ୍ୟ ଅର୍ଥରେ କହିଲେ ସେମାନେ ଅତି ଶସ୍ତାରେ ଉପଭୋକ୍ତାମାନଙ୍କ ଧ୍ୟାନ ଆକର୍ଷଣ କରିପାରନ୍ତି ।

ଇ-ମେଲ୍ ସନ୍ଦେଶର ପ୍ରେରକମାନଙ୍କୁ ସନ୍ଦେଶ ପଠାଇବା ପାଇଁ ଅଳ୍ପ କିଛି ମୂଲ୍ୟ ଦେବାକୁ ପଡ଼ୁଥିଲେ ଏପରି ପରିସ୍ଥିତି ସୃଷ୍ଟି ହେବନାହିଁ । ବିଜ୍ଞାପନ ସନ୍ଦେଶ ଜଣେ ବ୍ୟକ୍ତିଙ୍କୁ ପଠାଇଲେ ଅତି ନିମ୍ନ ମୂଲ୍ୟ ଦେବାକୁ ପଡ଼ୁଥିଲେ ଓ ଏକା ବେଳକେ ୧୦୦୦ ବ୍ୟକ୍ତିଙ୍କୁ ପଠାଉଥିଲେ ୧୦୦୦ ଗୁଣ ଅଧିକ ଖର୍ଚ୍ଚ ଷ୍ପାମର୍‍ମାନଙ୍କୁ ନିରୁତ୍ସାହିତ କରିପାରେ ।

କାହାର ବ୍ୟସ୍ତତା ସମୟରୁ ଅଳ୍ପ ସମୟ ଭିକ୍ଷା କରିବାର (ଅନ୍ୟ ଶବ୍ଦରେ ଆଗ୍ରହ ଆକର୍ଷଣ କରିବା) ଅଧିକାର ମିଳିବା ପାଇଁ ଅଳ୍ପ କିଛି ମୂଲ୍ୟ ଧାର୍ଯ୍ୟ କରିବା ଓଇ-ମେଲ୍ ପାଇଁ ବ୍ୟୟ କରିବା ପ୍ରାୟ ଏକ ପ୍ରକାରର ପ୍ରସଙ୍ଗ । ଅଭିନିବେଶ ଯାଚନାର ଏହି ଅଧିକାର ବ୍ୟକ୍ତିବିଶେଷ ଅନୁସାରେ ପୃଥକ୍ ହୋଇପାରେ । ଏକ ବଡ଼ ସଂସ୍ଥାର ମୁଖ୍ୟଙ୍କ ଆଗ୍ରହ ଆକର୍ଷଣ କରିବା ପାଇଁ ଯେତିକି ଖର୍ଚ୍ଚ କରିବାକୁ ହେବ ତାହା ଜଣେ ବିଦ୍ୟାର୍ଥୀଙ୍କ ଆଗ୍ରହ ଆକର୍ଷଣ ବ୍ୟୟରୁ ଯଥେଷ୍ଟ ଅଧିକ ହୋଇପାରେ । ଉତ୍ସବ ବା ଛୁଟିଦିନରେ ଷ୍ପାମ୍ ଇ-ମେଲ୍ ପଠାଇବା ପାଇଁ ମଧ୍ୟ ଅଧିକ ମୂଲ୍ୟ ଧାର୍ଯ୍ୟ କରାଯାଇପାରିବ ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Crawford, Matthew B. (March 31, 2015). "Introduction, Attention as a Cultural Problem". The World Beyond Your Head: On Becoming an Individual in an Age of Distraction (hardcover) (1st ed.). Farrar, Straus and Giroux. p. 11. ISBN 978-0374292980. In the main currents of psychological research, attention is a resource—a person has only so much of it.
  2. Media, Crowdcentric (2014-05-20). On! The Future of Now: Making Sense of Our Always On, Always Connected World. ISBN 978-1483412429. Retrieved 2 June 2015.
  3. "Mega-Trend Attention Economy". trendone. Archived from the original on 2017-05-25. Retrieved 2017-05-15.
  4. Iskold, Alex (March 1, 2007). "The Attention Economy". ReadWriteWeb.
  5. ""Eyeball" marketing goes high tech". TechRepublic. January 5, 2007.
  6. Simon (1971). "DESIGNING ORGANIZATIONS FOR AN INFORMATION-RICH WORLD". digitalcollections.library.cmu.edu. Retrieved 2018-12-14.
  7. Kelly, Kevin (February 5, 2008). "BETTER THAN FREE". The Edge.
  8. Jones, Rodney H.; Hafner, Christoph A. (2012). Understanding Digital Literacies. New York: Routledge. p. 90. ISBN 9780415673167.
  9. Pedrycz, Witold; Chen, Shyi-Ming, eds. (9 December 2013). Social Networks: A Framework of Computational Intelligence. p. 229. ISBN 978-3-319-02993-1. Retrieved 1 June 2015.
  10. Dolgin, Alexander (2008). The Economics of Symbolic Exchange. pp. 164–165. ISBN 978-3-540-79883-5. Retrieved 1 June 2015.
  11. Kanich, Chris; Kreibich, Christian; Levchenko, Kirill; Enright, Brandon; Voelker, Geoffrey M.; Paxson, Vern; Savage, Stefan (2008). "Spamalytics: an empirical analysis of spam marketing conversion". Proceedings of the 15th ACM conference on Computer and communications security - CCS '08 (in ଇଂରାଜୀ). Alexandria, Virginia, USA: ACM Press: 3. doi:10.1145/1455770.1455774. ISBN 978-1-59593-810-7.

ଆହୁରି ପଢ଼ନ୍ତୁ[ସମ୍ପାଦନା]

ବାହ୍ୟ ଲିଂକ୍[ସମ୍ପାଦନା]