ସାମାଜିକ ମାଧ୍ୟମରେ ବିଶ୍ଳେଷଣ-ବିଜ୍ଞାନ
ଏକବିଂଶ ଶତାବ୍ଦୀରେ ସାମାଜିକ ମାଧ୍ୟମ (ଈଂରାଜୀରେ Social Media) ପ୍ରତି ମୁହୁର୍ତ୍ତରେ ନିଜ ପ୍ରଭାବ ବିସ୍ତାର କରି ଚାଲିଛି । ତେଣୁ ସାମାଜିକ ମାଧ୍ୟମର ଉପଯୋଗ କରି ବ୍ୟବସାୟ କରୁଥିବା ଅନେକ କମ୍ପାନୀ ବିଶ୍ଳେଷଣ ବିଜ୍ଞାନ (ଈଂରାଜୀରେ Analytics)ର ସହାୟତା ଲୋଡିଥାନ୍ତି । ବୈଦୁତିକ ଓ ସାମାଜିକ ମାଧ୍ୟମରେ ହେଉଥିବା ସମସ୍ତ କଥୋପକଥନ, ତଥ୍ୟ ସନ୍ଧାନ, ପ୍ରତିକ୍ରିୟା ଇତ୍ୟାଦିକୁ ନିରୀକ୍ଷଣ କରି ଏଥିରୁ ବ୍ୟବସାୟକୁ ପ୍ରଭାବିତ କରିପାରୁଥିବା ତଥ୍ୟ ସଂଗ୍ରହ କରିବା ଓ ଏହି ତଥ୍ୟକୁ ଭିତ୍ତି କରି ବ୍ୟବସାୟିକ ନିର୍ଣ୍ଣୟ ନେବାରେ ସହାୟତା କରିବା ହିଁ ବିଶ୍ଳେଷଣ ବିଜ୍ଞାନର ମୂଳ ଲକ୍ଷ୍ୟ । [୧]
ଉଦାହରଣ: ଜଣେ ବ୍ୟକ୍ତି ଏକ ୱେବ୍-ସାଇଟରେ ଗତ ୧୫ ଦିନରୁ ନିଜ ପାଇଁ ଏକ ହାତଘଣ୍ଟା ଖୋଜୁଛନ୍ତି । ସେ ଗତ ୧୫ ଦିନରେ ଅନେକ ଘଣ୍ଟା ଦେଖିଥିବେ । ସେ କେଉଁ ଘଣ୍ଟାକୁ ଅଧିକ ବା କମ୍ ସମୟ ପାଇଁ ଦେଖିଲେ, ଦେଖିଥିବା ଘଣ୍ଟା କେଉଁ କମ୍ପାନୀର, ତା’ର ଦାମ କେତେ ଇତ୍ୟାଦିର ବିଶ୍ଳେଷଣ ୧୫ ଦିନରୁ ଚାଲିଥାଏ । କିଛି ଦିନ ପରେ ଯେବେ ବ୍ୟକ୍ତି ଜଣକ କୌଣସି ୱେବ୍-ସାଇଟ୍ ଖୋଲନ୍ତି, ସେ ପ୍ରଧାନ ପୃଷ୍ଠାରେ କିଛି ହାତଘଣ୍ଟାର ବିଜ୍ଞାପନ ଦେଖିବେ । ଏହି ବିଜ୍ଞାପନଗୁଡିକ ତାଙ୍କ ଆଖି ଆଢୁଆଳରେ ହୋଇଥିବା ବିଶ୍ଳେଷଣର ଫଳ । ବ୍ୟକ୍ତିଙ୍କୁ ସେହି ବିଜ୍ଞାପନମାନଙ୍କ ମଧ୍ୟରେ ରିହାତିରେ ମିଳୁଥିବା ତାଙ୍କ ମନପସନ୍ଦ କମ୍ପାନୀର କିଛି ଘଣ୍ଟା ଦେଖା ଯାଇପାରେ । ଏପରି ବିଜ୍ଞାପନ ବା ପ୍ରସ୍ତାବରେ ପ୍ରଭାବିତ ହୋଇ ବ୍ୟକ୍ତି ଜଣକ ଏକ ନିର୍ଦ୍ଦିଷ୍ଟ କମ୍ପାନୀର ଘଣ୍ଟା କିଣିବାକୁ ମନ ବଳାଇବେ । ବିଶ୍ଳେଷଣରୁ ବ୍ୟକ୍ତି କେତେ ଦାମର ଘଣ୍ଟା ଖୋଜୁଛନ୍ତି, କେଉଁ ବ୍ରାଣ୍ଡ୍ ଖୋଜୁଛନ୍ତି, କେଉଁ ରଙ୍ଗର ଫଳକ ତାଙ୍କୁ ପସନ୍ଦ – ଏହି ସବୁ କଥାର ପୂର୍ବାନୁମାନ କରାଯାଇ ତାଙ୍କ ସାମନାରେ ଚାରି-ପାଞ୍ଚଟି ବିଜ୍ଞାପନ ରଖାଯାଏ । ଏପରିକି ବିବାହ ପ୍ରସ୍ତାବ ଖୋଜୁଥିବା ଜଣେ ବ୍ୟକ୍ତିଙ୍କୁ ବିବାହଯୋଗ୍ୟ ପ୍ରସ୍ତାବ ସହିତ ବିବାହ ନିମନ୍ତେ ଲୁଗାପଟା, ଅଳଙ୍କାର ଇତ୍ୟାଦିର ବିଜ୍ଞାପନ ମଧ୍ୟ ଦେଖାଦେଇପାରେ ।
ମୂଳତଃ, ସାମାଜିକ ମାଧ୍ୟମରେ ଲୋକେ କରୁଥିବା କଥୋପକଥନ (ଯଥା ଟ୍ୱିଟ୍, କମେଣ୍ଟ୍), ସନ୍ଧାନ (ଯଥା ଗୁଗଲ୍, ବିଙ୍ଗ୍), ପ୍ରତିକ୍ରିୟା (ଯଥା ଲାଇକ୍, ଶେଆର୍) ଇତ୍ୟାଦିର ବିଶ୍ଳେଷଣରୁ ସେମାନଙ୍କ ପସନ୍ଦ ବା ନାପସନ୍ଦର ପୂର୍ବାନୁମାନ କରାଯାଇପାରିବ । ହୁଏତ ଗୋଟିଏ ଦିନରେ ପୂର୍ବାନୁମାନ ସଠିକ୍ ନ ହୋଇପାରେ କିନ୍ତୁ ୧-୨ ମାସରେ ମିଳିଥିବା ସବିଶେଷ ତଥ୍ୟରୁ ଅନେକ ପୂର୍ବାନୁମାନ ପ୍ରାୟ ଠିକ୍ ହୋଇପାରେ । ଏହି ବିଶ୍ଳେଷଣରେ ଅନେକ ପ୍ରୌଦ୍ୟୋଗିକ ଜ୍ଞାନ କୌଶଳ ଓ ଉପକରଣ ବ୍ୟବହୃତ ହୁଏ । ଏହି କୌଶଳ ଓ ଉପକରଣ ନିୟମିତ ଭାବେ ବିକଶିତ ହେଉଛନ୍ତି ଯେପରିକି ଅଧିକରୁ ଅଧିକ ତଥ୍ୟର ବିଶ୍ଳେଷଣ କମ୍ ସମୟରେ ହେବ ଓ ବ୍ୟବସାୟିକ ନିର୍ଣ୍ଣୟ ଶୀଘ୍ର ନେଇହେବ ।
ବିଭିନ୍ନ ପ୍ରକାରର ସାମାଜିକ ମାଧ୍ୟମ ବିଶ୍ଳେଷଣ
[ସମ୍ପାଦନା]ବ୍ୟବସାୟର ଲକ୍ଷ୍ୟ ଅନୁସାରେ ବିଭିନ୍ନ ପ୍ରକାରର ବିଶ୍ଳେଷଣ କରାଯାଇପାରେ ।[୨] ଉଦାହରଣ ସ୍ୱରୂପ:
- ବର୍ଣ୍ଣନାତ୍ମକ ବିଶ୍ଳେଷଣ
- ପ୍ରତିକାରକ ବିଶ୍ଳେଷଣ
- ପୂର୍ବାନୁମାନକ ବିଶ୍ଳେଷଣ
- ନିର୍ଦ୍ଦେଶାତ୍ମକ ବିଶ୍ଳେଷଣ
ବିଶ୍ଳେଷଣ ପାଇଁ ଉଦ୍ଦିଷ୍ଟ ଉପକରଣଗୁଡିକ ସଂଗୃହିତ ବିଭିନ୍ନ ଅସଜଡା ତଥ୍ୟର ବିଶ୍ଳେଷଣ କରନ୍ତି । କୌଣସି ତଥ୍ୟ ଅଯଥା ବା ଅନୁପଯୋଗୀ ନୁହେଁ ।
ସାମାଜିକ ତଥ୍ୟର ବିଭିନ୍ନ ସ୍ତର
[ସମ୍ପାଦନା]ସାମାଜିକ ମାଧ୍ୟମରେ ତଥ୍ୟ ବିଭିନ୍ନ ସ୍ତରର ହୋଇପାରେ । କେତେକ ତଥ୍ୟ ସହଜରେ ଦୃଶ୍ୟମାନ ଓ ଅନ୍ୟ କିଛି ତଥ୍ୟ ଲୁକ୍କାୟିତ । ବିଭିନ୍ନ ପ୍ରକାରର ତଥ୍ୟ ହେଲେ:
୧. ଲିଖିତ ତଥ୍ୟ (ଟ୍ୱିଟ୍, କମେଣ୍ଟ୍)
୨. ନେଟୱର୍କ ତଥ୍ୟ (ଫେସବୁକ୍ ସାଂଗ, ଟ୍ୱିଟର୍ ଫଲୋଅର୍)
୩. ପ୍ରତିକ୍ରିୟା (ଲାଇକ୍, ଶେଆର୍)
୪. ହାଇପର୍ ଲିଙ୍କ୍ (ଲେଖା ବା ସୂଚନା ମଧ୍ୟରେ ଥିବା ହାଇପର୍-ଲିଙ୍କ୍)
୫. ମୋବାଇଲ୍ ତଥ୍ୟ (ମୋବାଇଲରେ ଥିବା ଆପ୍ଲିକେସନରେ ସଂଗୃହିତ ତଥ୍ୟ)
୬. ଭୌଗୋଳିକ ସ୍ଥିତି ସମ୍ବନ୍ଧୀୟ ତଥ୍ୟ (ଗୁଗଲ୍ ମ୍ୟାପସ୍)
୭. ସନ୍ଧାନ ତଥ୍ୟ (ଗୁଗଲ୍ ସର୍ଚ୍ଚ୍, ବିଙ୍ଗ୍)
ସାମାଜିକ ମାଧ୍ୟମ ବିଶ୍ଳେଷଣ ବିଜ୍ଞାନକୁ (ଈଂରାଜୀରେ Social Media Analytics) ଅନ୍ୟ ଅର୍ଥରେ ସାମାଜିକ ମାଧ୍ୟମ ନିରୀକ୍ଷଣ (ଈଂରାଜୀରେ Social Media Monitoring) ବା ସାମାଜିକ ମାଧ୍ୟମ ବୁଦ୍ଧିମତା (ଈଂରାଜୀରେ Social Media Intelligence) ବୋଲି ମଧ୍ୟ କୁହାଯାଇପାରିବ । ସାମାଜିକ ମାଧ୍ୟମ ବିଶ୍ଳେଷଣ ବିଜ୍ଞାନ ପାଇଁ ଆବଶ୍ୟକ ବୈଦୁତିକ ମାଧ୍ୟମ ତଥ୍ୟର ଉତ୍ସ ହେଲେ – ବ୍ଲଗ୍, ଫୋରମ୍, ଛବି ସଂଗ୍ରାହକ ସାଇଟ୍, ଉଇକିପିଡ଼ିଆ, ପ୍ରଶ୍ନୋତ୍ତର ୱେବ୍-ସାଇଟ୍ ଇତ୍ୟାଦି ।
ଏହି ଅସଜଡା ସାମାଜିକ ତଥ୍ୟର ସାଗରରେ ଅନେକ ସଂକେତ, ବ୍ୟାବହାରିକ ଜ୍ଞାନ, କ୍ରୟ କରିବାର ନିର୍ଣ୍ଣୟର ଆଧାର, ରୁଚି-ଅରୁଚି ଇତ୍ୟାଦି ଲୁଚି ରହିଥାଏ ।[୩] ତେଣୁ ଏହି ବିଶ୍ଳେଷଣରୁ ମିଳୁଥିବା ତଥ୍ୟର ଉପଯୋଗୀତା, ବିଶ୍ଳେଷଣ କରୁଥିବା କମ୍ପାନୀର ବ୍ୟବସାୟିକ ଲକ୍ଷ୍ୟ ଉପରେ ନିର୍ଭର କରେ - ବିଜ୍ଞାପନ, ଚାହିଦା ଅନୁଯାୟୀ ଜିନିଷ ବିକ୍ରି, ଅଳ୍ପ ଖର୍ଚ୍ଚରେ ଲୋକଙ୍କ ପାଖରେ ପହଞ୍ଚିବା ।
ବିଶ୍ଳେଷଣ ପ୍ରଣାଳୀ
[ସମ୍ପାଦନା]ମୁଖ୍ୟତଃ ତିନିଟି ସୋପାନରେ ସାମାଜିକ ତଥ୍ୟରୁ ବ୍ୟବସାୟଭିତ୍ତିକ ନିର୍ଣ୍ଣୟରେ ପହଞ୍ଚି ପାରିବା । ୧. ତଥ୍ୟ ଅଭିଜ୍ଞାନ ୨. ତଥ୍ୟ ବିଶ୍ଳେଷଣ ଓ ୩. ତଥ୍ୟ ବିବେଚନା । ବିଶ୍ଳେଷଣ ପ୍ରକ୍ରିୟାର ସର୍ବାଧିକ ଲାଭ ପାଇବା ପାଇଁ ସବୁ ସୋପାନରେ ଅନବରତ ଭାବେ ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରାଯାଏ । କିଏ, କେବେ, କେଉଁଠାରେ, କାହିଁକି, କିପରି, କେତେଥର – ଏପରି ଅନେକ ପ୍ରଶ୍ନଦ୍ୱାରା ସଠିକ୍ ଉତ୍ସରୁ ଦରକାରୀ ତଥ୍ୟ ବାଛିବା ସହଜ ହୁଏ । ତଥ୍ୟ ଚିହ୍ନଟ, ତଥ୍ୟ ଯୋଗାଡ଼, ତଥ୍ୟର ପରିଶୋଧନ କରିବା ପରେ ବିଶ୍ଳେଷଣ କରାଯାଏ । ବିଶ୍ଳେଷଣର ସଠିକ୍ ଉପସ୍ଥାପନା ହୋଇପାରିଲେ ନିର୍ଣ୍ଣୟ ନେବା ସହଜ ହୋଇଥାଏ ।
ତଥ୍ୟ ଅଭିଜ୍ଞାନ
[ସମ୍ପାଦନା]ପାଖରେ ଉପଲବ୍ଧ ସମସ୍ତ ତଥ୍ୟ ମଧ୍ୟରୁ ବିଶ୍ଳେଷଣ ଉପଯୋଗୀ ତଥ୍ୟ ଚିହ୍ନଟ କରିବା ଏହି ସୋପାନର ଲକ୍ଷ୍ୟ । ଅସଜଡା ତଥ୍ୟ ମଧ୍ୟରୁ କୌଣସି ଜରୁରୀ ସୂଚନାର ଆଭାଷ ମିଳିଲେ ତାହା ଦରକାରୀ ତଥ୍ୟଭାବେ ପରିଗଣିତ ହୁଏ ।
ତଥ୍ୟ ବିଶ୍ଳେଷଣ
[ସମ୍ପାଦନା]ଚିହ୍ନଟ ହୋଇଥିବା ତଥ୍ୟର ସବୁ ଦୃଷ୍ଟିରୁ ଅନୁଶୀଳନ କରି ବ୍ୟବସାୟ ସମ୍ବନ୍ଧୀୟ ସୂଚନା ଯୋଗାଇବା ଏହି ସୋପାନର ଲକ୍ଷ୍ୟ । କେଉଁ ପ୍ରଶ୍ନର ଉତ୍ତର ଦରକାର ତାହା ଏହି ତଥ୍ୟଗୁଡିକୁ କାଟି, ଯୋଡ଼ି ବା ପରିଶୁଦ୍ଧ କରି ବିଶ୍ଳେଷଣ କରାଯାଏ । ଉତ୍ତର ନ ମିଳିବା ପର୍ଯ୍ୟନ୍ତ ତଥ୍ୟ ସଂଗ୍ରହ ଓ ବିଶ୍ଳେଷଣ ଚାଲିଥାଏ । ଅନେକ ପ୍ରୌଦ୍ୟୋଗିକ ଉପକରଣ ଏଥିପାଇଁ ସାହାଯ୍ୟ କରିଥାନ୍ତି । କେତେକ ଉଦାହରଣ ହେଲା – ଗୁଗଲ୍ ଏନାଲିଟିକ୍ସ୍, ମିକ୍ସ୍-ପ୍ୟାନେଲ୍, କୀନ୍ ଡଟ୍ ଆଇଓ, କି-ହୋଲ୍, ଟାବଲ୍ୟୁ ଇତ୍ୟାଦି ।
ତଥ୍ୟ ବିବେଚନା
[ସମ୍ପାଦନା]ବିଶ୍ଳେଷଣଦ୍ୱାରା ସୁସଂରଚିତ ଓ ବିଶୁଦ୍ଧ ତଥ୍ୟରୁ ଉପଭୋକ୍ତାଙ୍କର ବ୍ୟବହାର, ରୁଚି ଇତ୍ୟାଦି ବିବେଚନା କରିବାଦ୍ୱାରା ବ୍ୟବସାୟିକ ନିଷ୍ପତ୍ତି ନେବା ସହଜ ହୁଏ । ବିଭିନ୍ନ ରେଖାଚିତ୍ର ଓ ସୂଚକର ସହାୟତା ନେଇ ବିବେଚିତ ତଥ୍ୟର ଉପସ୍ଥାପନା କରାଯାଏ ।
ଆଧାର
[ସମ୍ପାଦନା]- ↑ IT Glossary, Gartner. "Social Analytics - Gartner IT Glossary". www.gartner.com. Retrieved 25 February 2015.
- ↑ 4 types of social media analytics: https://www.sociallistening.co.nz/single-post/4-types-of-social-media-analytics Archived 2018-04-06 at the Wayback Machine.
- ↑ Tera, Data. "Capitalize On Social Media With Big Data Analytics". www.forbes.com. Retrieved 27 May 2015.