ଓଡ଼ିଶା ବିଧାନ ପରିଷଦ

ଉଇକିପିଡ଼ିଆ‌ରୁ

ଓଡ଼ିଶା ବିଧାନ ପରିଷଦ ରାଜ୍ୟରେ ବ୍ୟବସ୍ଥିତ ଦ୍ୱିସଦନୀୟ ବିଧାନ ମଣ୍ଡଳର ଉପର କକ୍ଷ ଅଟେ । ଓଡ଼ିଶାରେ ବିଧାନ ପରିଷଦ ଗଠନପାଇଁ ୨୦୧୮ ସେପ୍ଟେମ୍ବର ୬ରେ ସଂକଳ୍ପ ପ୍ରସ୍ତାବ ଆଗତ ହୋଇଥିଲା । ୧୦୮ଟି ଭୋଟରେ ଏହା ପାରିତ ହୋଇଥିଲା । ଏହି ପ୍ରସ୍ତାବ ୨୦୧୮ ଜୁଲାଇ ୨୪ ତାରିଖରେ କ୍ୟାବିନେଟ ଅନୁମୋଦନ ଲାଭକରିଥିଲା ।

ଆକାର[ସମ୍ପାଦନା]

ଏଥିରେ ମୋଟ ୪୯ ଜଣ ସଦସ୍ୟ ରହିବେ । ଏହା ଏକ ସ୍ଥାୟୀ ଗୃହ ଭାବେ କାମ କରିବ । ଏଥିରେ ବାର୍ଷିକ ୩୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ।

ସଂକଳ୍ପ ଅନୁସାରେ ପ୍ରତି ୨ ବର୍ଷରେ ଏକ ତୃତୀୟାଂଶ ସଦସ୍ୟ ଅବସର ଗ୍ରହଣ କରିବେ । ବିଧାନ ପରିଷଦ ୪୯ ଜଣ ସଦସ୍ୟଙ୍କ ମଧ୍ୟରୁ ୧୬ ଜଣ ବିଧାନ ସଭା ସଦସ୍ୟଙ୍କଦ୍ୱାରା ନିର୍ବାଚିତ ହେବେ । ୧୬ ଜଣ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି, ମ୍ୟୁନିସିପାଲଟିଦ୍ୱାରା ନିର୍ବାଚିତ ହେବେ । ୪ ଜଣ ସ୍ନାତକଙ୍କୁ ନେଇ ଗଠିତ ଇଲେକ୍ଟ୍ରୋରାଲ କଲେଜଦ୍ୱାରା ନିର୍ବାଚିତ ହେବେ । ୪ ଜଣ ଶିକ୍ଷକଙ୍କୁ ନେଇ ଗଠିତ ଇଲେକ୍ଟ୍ରୋରାଲ କଲେଜଦ୍ୱାରା ନିର୍ବାଚିତ ହେବେ। ବାକି ୯ ଜଣ କଳା, ସାହିତ୍ୟ, ସମାଜସେବା କ୍ଷେତ୍ରରୁ ମନୋନୀତ ହେବେ ।[୧]

ଅଧିବେଶନ ବସିବା ବେଳେ ଏକ ସଙ୍ଗରେ ବିଧାନ ସଭା ଓ ବିଧାନ ପରିଷଦର ବୈଠକ ବସିବ । ବିଧାନ ସଭା ସଦସ୍ୟଙ୍କ ପରି ବିଧାନ ପରିଷଦ ସଦସ୍ୟଙ୍କୁ ଦରମା, ଭତ୍ତା, ବିଧାୟକ ପାଣ୍ଠି ଅର୍ଥ, ସରକାରୀ ଘର ଓ ପେନସନ ଆଦି ସମସ୍ତ ସୁବିଧା ସୁଯୋଗ ମିଳିବ ।

ବିଧାନ ପରିଷଦ ଗଠନ ହେଲେ ବିଧାନ ସଭାକୁ ସିଧାସଳଖ ନିର୍ବାଚିତ ହୋଇପାରୁନଥିବା ବିଭିନ୍ନ କ୍ଷେତ୍ରରୁ ଅଧିକ ପ୍ରତିନିଧିତ୍ୱ ମିଳିବ । ବିଭିନ୍ନ ଯୋଜନା ଏବଂ ନୀତି ନିୟମ ପ୍ରଣୟନ କ୍ଷେତ୍ରରେ ବିଧାନ ପରିଷଦର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିବ । [୨] ବର୍ତ୍ତମାନ ପାଇଁ ଭୁବନେଶ୍ୱରସ୍ଥିତ ସର୍ଦ୍ଦାର ପଟେଲ ହଲ (ପୁରୁଣା ବିଧାନ ସୌଧ)ରେ ଏହା କାର୍ଯ୍ୟକ୍ଷମ ହୋଇପାରିବ । ଓଡ଼ିଶା ବିଧାନ ସଭା ସମ୍ମିଳନୀକକ୍ଷର ତଳ ମହଲାକୁ ଉଭୟ ଗୃହର ମିଳିତ ବୈଠକରେ ରାଜ୍ୟପାଳଙ୍କ ଅଭିଭାଷଣ ନିମନ୍ତେ ମୁଖ୍ୟ କକ୍ଷ ଭାବେ ବ୍ୟବହାର କରାଯାଇପାରିବ ।

ବିରୋଧ[ସମ୍ପାଦନା]

ସରକାର ୭୫ହଜାର କୋଟି ଟଙ୍କା ଋଣ କରିଥିବା ବେଳେ ପୁଣି ୩୫ କୋଟି ଟଙ୍କା ବ୍ୟୟ କରିବାରେ ଯଥାର୍ଥତା ନାହିଁ ବୋଲି କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ବିରୋଧ କରି କହିଥିଲେ । ରାଜ୍ୟରେ ଶିକ୍ଷକ ଓ ଡାକ୍ତରଙ୍କ ଅଭାବ, ଦୁର୍ନୀତିରେ ଜଡ଼ିତ ଓ ଦଳୀୟ ନେତାଙ୍କୁ ଏଥିରେ ଥଇଥାନ ପାଇଁ ସରକାର ଏଭଳି ସଙ୍କଳ୍ପ ଆଣିଛନ୍ତି । ଚାଷୀଙ୍କୁ ପେନସନ ଦେଲେ ଆମେ ସଙ୍କଳ୍ପକୁ ସମର୍ଥନ କରିବୁ ବୋଲି ତାରାପ୍ରସାଦ କହିଥିଲେ । ବିଧାନ ପରିଷଦ ଗଠନ ନେଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ସନ୍ଦେହଜନକ ଥିବା ପ୍ରକାଶ କରି ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ଏହାକୁ ବିରୋଧ କରୁଥିବା କହିଥିଲେ । ରାଜ୍ୟର ଋଣ ଭାର ବଢ଼ି ଚାଲିଥବା ବେଳେ ଏବାବଦରେ ଅଧିକ ଅର୍ଥ ଖର୍ଚ୍ଚର ଆବଶ୍ୟକତା ନଥିବା ପ୍ରକାଶ କରିଥିଲେ । ବିଧାନ ପରିଷଦ ଗଠନ ପାଇଁ ତରବରିଆ ଭାବେ ନିଷ୍ପତ୍ତି ନନେଇ ନିର୍ବାଚନ ପର ପର୍ଯ୍ୟନ୍ତ ଅପେକ୍ଷା କରାଯିବା ଉପରେ ଗୁରୁତ୍ୱ ଦେଇଥିଲେ। [୩]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]